Psalms

ଗୀତସଂହିତା

1

ପ୍ରଥମ ଖଣ୍ଡ

୧:୧—୪୧:୧୩

ସଫଳତାର ପଥ

1ଯେଉଁ ଜନ ଦୁଷ୍ଟମାନଙ୍କ ମନ୍ତ୍ରଣାରେ ଚାଲେ ନାହିଁ,

ଅବା ପାପୀମାନଙ୍କ ମାର୍ଗରେ ଠିଆ ହୁଏ ନାହିଁ,

କିଅବା ନିନ୍ଦକମାନଙ୍କ ସଭାରେ ବସେ ନାହିଁ,

2ମାତ୍ର ସଦାପ୍ରଭୁଙ୍କ ବ୍ୟବସ୍ଥାରେ ଯାହାର ଆମୋଦ

ଥାଏ ଓ ଯେ ଦିବାରାତ୍ର ତାହାଙ୍କର ବ୍ୟବସ୍ଥା ଧ୍ୟାନ କରେ, ସେ ଧନ୍ୟ।

3ଯେଉଁ ବୃକ୍ଷ ଜଳସ୍ରୋତ ନିକଟରେ ରୋପିତ,

ଯେ ସ୍ୱସମୟରେ ଫଳ ଉତ୍ପନ୍ନ କରେ, ଯାହାର ପତ୍ର ହିଁ

ମଳିନ ହୁଏ ନାହିଁ, ଏପରି ବୃକ୍ଷ ସଦୃଶ ସେ ହେବ;

ପୁଣି, ସେ ଯାହା କରେ, ତାହା ସଫଳ ହେବ।

4ଦୁଷ୍ଟମାନେ ସେପ୍ରକାର ନୁହଁନ୍ତି;

ମାତ୍ର ବାୟୁ ଦ୍ୱାରା ଚାଳିତ ତୁଷ ତୁଲ୍ୟ ଅଟନ୍ତି।

5ଏହେତୁ ଦୁଷ୍ଟମାନେ ବିଚାର ସ୍ଥାନରେ, ଅବା

ପାପୀମାନେ ଧାର୍ମିକମାନଙ୍କ ମଣ୍ଡଳୀରେ ଠିଆ ହେବେ ନାହିଁ।

6କାରଣ ସଦାପ୍ରଭୁ ଧାର୍ମିକମାନଙ୍କ ପଥ ଜାଣନ୍ତି; ମାତ୍ର

ଦୁଷ୍ଟମାନଙ୍କ ପଥ ବିନଷ୍ଟ ହେବ।

2

ସଦାପ୍ରଭୁଙ୍କ ମନୋନୀତ ରାଜା

1ଗୋଷ୍ଠୀୟମାନେ କାହିଁକି କଳହ କରନ୍ତି;

ଜନବୃନ୍ଦ କାହିଁକି ବୃଥାରେ ଷଡଯନ୍ତ୍ର କରନ୍ତି ?

2ସଦାପ୍ରଭୁଙ୍କ ବିରୁଦ୍ଧରେ ଓ ତାହାଙ୍କ ଅଭିଷିକ୍ତ ବ୍ୟକ୍ତିଙ୍କ

ବିରୁଦ୍ଧରେ ଭୂପତିଗଣ ଠିଆ ହୁଅନ୍ତି ଓ ଶାସନକର୍ତ୍ତୃଗଣ ଏକତ୍ର ମନ୍ତ୍ରଣା କରନ୍ତି,

3ଆସ, ଆମ୍ଭେମାନେ ସେମାନଙ୍କ ବନ୍ଧନ ଛିଣ୍ଡାଇ ପକାଉ

ଓ ଆମ୍ଭମାନଙ୍କ ନିକଟରୁ ସେମାନଙ୍କ ରଜ୍ଜୁ ଦୂର କରି ଦେଉ।

4ଯେ ସ୍ୱର୍ଗରେ ଉପବିଷ୍ଟ, ସେ ହସିବେ;

ପ୍ରଭୁ ସେମାନଙ୍କୁ ପରିହାସ କରିବେ।

5ତହୁଁ ସେ ଆପଣା କୋପରେ ସେମାନଙ୍କୁ କଥା କହିବେ

ଓ ଆପଣା ମହାକୋପରେ ସେମାନଙ୍କୁ ବ୍ୟାକୁଳ କରିବେ;

6ମାତ୍ର ମୁଁ ଆପଣା ରାଜାଙ୍କୁ ଆପଣା ପବିତ୍ର ପର୍ବତ

ସିୟୋନରେ ସ୍ଥାପନ କରିଅଛି।

7ମୁଁ ସେହି ବିଧାନ ପ୍ରଚାର କରିବି;

ସଦାପ୍ରଭୁ ମୋତେ କହିଲେ, “ତୁମ୍ଭେ ଆମ୍ଭର ପୁତ୍ର;

ଆଜି ଆମ୍ଭେ ତୁମ୍ଭକୁ ଜନ୍ମ ଦେଲୁ।

8ଆମ୍ଭ ନିକଟରେ ମାଗ, ତେବେ ଆମ୍ଭେ ତୁମ୍ଭର

ଉତ୍ତରାଧିକାର ନିମନ୍ତେ ଗୋଷ୍ଠୀୟମାନଙ୍କୁ ଓ ତୁମ୍ଭର ଅଧିକାର

ନିମନ୍ତେ ପୃଥିବୀର ପ୍ରାନ୍ତଭାଗସବୁ ତୁମ୍ଭକୁ ଦେବା।

9ତୁମ୍ଭେ ଲୌହ ଦଣ୍ଡରେ ସେମାନଙ୍କୁ ଭାଙ୍ଗିବ;

ତୁମ୍ଭେ କୁମ୍ଭକାରର ପାତ୍ର ପରି ସେମାନଙ୍କୁ ଚୂର୍ଣ୍ଣ କରିବ।”

10ଏହି କାରଣରୁ, ହେ ରାଜାଗଣ, ତୁମ୍ଭେମାନେ ଏବେ ଜ୍ଞାନବାନ

ହୁଅ, ହେ ପୃଥିବୀର ବିଚାରକର୍ତ୍ତୃଗଣ, ତୁମ୍ଭେମାନେ ଶିକ୍ଷା ଗ୍ରହଣ କର।

11ଭୟରେ ସଦାପ୍ରଭୁଙ୍କର ସେବା କର ଓ କମ୍ପିତ ହୋଇ ଉଲ୍ଲାସ କର।

12ପୁତ୍ରଙ୍କୁ ଚୁମ୍ବନ କର, ନୋହିଲେ ସେ କ୍ରୁଦ୍ଧ ହେବେ ଓ ତୁମ୍ଭେମାନେ ପଥରେ ବିନଷ୍ଟ ହେବ,

କାରଣ ଶୀଘ୍ର ତାହାଙ୍କର କ୍ରୋଧ ପ୍ରଜ୍ୱଳିତ ହେବ।

ଯେଉଁମାନେ ତାହାଙ୍କର ଶରଣ ନିଅନ୍ତି, ସେ ସମସ୍ତେ ଧନ୍ୟ।

3

ପ୍ରଭାତକାଳୀନ ପ୍ରାର୍ଥନା

ଦାଉଦଙ୍କର ଆପଣା ପୁତ୍ର ଅବଶାଲୋମ ନିକଟରୁ ପଳାୟନକାଳୀନ ଗୀତ।

1ହେ ସଦାପ୍ରଭୁ, ମୋହର ବିପକ୍ଷମାନେ କିପରି

ବଢ଼ିଅଛନ୍ତି।

ମୋ’ ବିରୁଦ୍ଧରେ ଉତ୍‍ଥିତ ଲୋକ ଅନେକ।

2ଅନେକେ ମୋ’ ପ୍ରାଣ ବିଷୟରେ କହନ୍ତି, “ପରମେଶ୍ୱରଙ୍କ

ନିକଟରେ ତାହା ପାଇଁ ପରିତ୍ରାଣ3:2 ପରିତ୍ରାଣ କିମ୍ବା ସାହାଯ୍ୟ ନାହିଁ।”

[ସେଲା]

3ମାତ୍ର ହେ ସଦାପ୍ରଭୁ, ତୁମ୍ଭେ ମୋ’ ଚତୁର୍ଦ୍ଦିଗରେ ଢାଲ ସ୍ୱରୂପ;

ମୋହର ଗୌରବ ଓ ମୋ’ ମସ୍ତକ ଉଠାଇବା କର୍ତ୍ତା ଅଟ।

4ମୁଁ ଆପଣା ରବରେ ସଦାପ୍ରଭୁଙ୍କୁ ଡାକେ, ପୁଣି, ସେ

ଆପଣା ପବିତ୍ର ପର୍ବତରୁ ମୋତେ ଉତ୍ତର ଦିଅନ୍ତି।

[ସେଲା]

5ମୁଁ ଶୟନ କରି ନିଦ୍ରାଗତ ହେଲି; ମୁଁ ଜାଗ୍ରତ ହେଲି;

କାରଣ ସଦାପ୍ରଭୁ ମୋତେ ରକ୍ଷା କରନ୍ତି।

6ମୁଁ ଆପଣା ପ୍ରତିକୂଳରେ ପରିବେଷ୍ଟିତ ଅୟୁତ ଅୟୁତ

ଲୋକଙ୍କୁ ଭୟ କରିବି ନାହିଁ।

7ହେ ସଦାପ୍ରଭୁ, ଉଠ; ହେ ମୋହର ପରମେଶ୍ୱର,

ମୋତେ ପରିତ୍ରାଣ କର।

କାରଣ ତୁମ୍ଭେ ମୋହର ଶତ୍ରୁ ସମସ୍ତଙ୍କ କଳହାଡ଼ରେ ଆଘାତ କରିଅଛ;

ତୁମ୍ଭେ ଦୁଷ୍ଟମାନଙ୍କ ଦନ୍ତ ଭାଙ୍ଗି ପକାଇଅଛ।

8ପରିତ୍ରାଣ3:8 ପରିତ୍ରାଣ କିମ୍ବା ବିଜୟ ସଦାପ୍ରଭୁଙ୍କର ଅଧିକାର;

ତୁମ୍ଭ ଲୋକମାନଙ୍କ ଉପରେ ତୁମ୍ଭର ଆଶୀର୍ବାଦ ବର୍ତ୍ତୁ।

[ସେଲା]

4

ସାହାଯ୍ୟାର୍ଥେ ସନ୍ଧ୍ୟାକାଳୀନ ପ୍ରାର୍ଥନା

ତାରଯୁକ୍ତ ଯନ୍ତ୍ରରେ ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।

1ହେ ମୋହର ଧର୍ମ ସ୍ୱରୂପ ପରମେଶ୍ୱର, ମୁଁ ଡାକିଲେ

ମୋତେ ଉତ୍ତର ଦିଅ;

ସଙ୍କଟରେ ଥିବା ସମୟରେ ତୁମ୍ଭେ ମୋତେ ପ୍ରଶସ୍ତ ସ୍ଥାନ

ଦେଇଅଛ;

ମୋତେ ଦୟା କର ଓ ମୋହର ପ୍ରାର୍ଥନା ଶୁଣ।

2ହେ ମନୁଷ୍ୟ-ସନ୍ତାନଗଣ, କେତେ କାଳ ମୋହର

ଗୌରବ ଅପମାନରେ ପରିଣତ ହେବ ? କେତେ କାଳ

ତୁମ୍ଭେମାନେ ଅସାରତାକୁ ସ୍ନେହ କରିବ ଓ ମିଥ୍ୟାର ଅନ୍ୱେଷଣ

କରିବ ?

[ସେଲା]

3ମାତ୍ର ସଦାପ୍ରଭୁ ଆପଣା ପାଇଁ ସଦ୍‍ଭକ୍ତ ଲୋକକୁ

ପୃଥକ୍‍ କରି ରଖିଅଛନ୍ତି, ଏହା ଜ୍ଞାତ ହୁଅ;

ମୁଁ ସଦାପ୍ରଭୁଙ୍କୁ ଡାକିଲେ, ସେ ଶୁଣିବେ।

4ଭୀତ ହୁଅ ଓ ପାପ କର ନାହିଁ;

ତୁମ୍ଭେମାନେ ଶଯ୍ୟା ଉପରେ ମନେ ମନେ କଥା କହି

ନୀରବ ହୁଅ।

[ସେଲା]

5ଧର୍ମବଳି ଉତ୍ସର୍ଗ କର ଓ ସଦାପ୍ରଭୁଙ୍କଠାରେ ବିଶ୍ୱାସ

କର।

6ଅନେକେ କହନ୍ତି, “କିଏ ଆମ୍ଭମାନଙ୍କୁ ମଙ୍ଗଳ

ଦେଖାଇବ ?”

ହେ ସଦାପ୍ରଭୁ, ଆମ୍ଭମାନଙ୍କ ପ୍ରତି ଆପଣା ମୁଖର ତେଜ

ପ୍ରକାଶ କର।

7ତୁମ୍ଭେ ମୋ’ ଅନ୍ତଃକରଣରେ ଆନନ୍ଦ ଦେଇଅଛ,

ତାହା ସେମାନଙ୍କ ଶସ୍ୟ ଓ ଦ୍ରାକ୍ଷାରସ ବୃଦ୍ଧିକାଳର ଆନନ୍ଦ

ଅପେକ୍ଷା ଅଧିକ।

8ମୁଁ ଶାନ୍ତିରେ ଶୟନ କରିବି ଓ ନିଦ୍ରା ଯିବି; କାରଣ

ହେ ସଦାପ୍ରଭୁ, କେବଳ ତୁମ୍ଭେ ମୋତେ ନିରାପଦରେ

ବାସ କରାଉଅଛ।

5

ନିରାପତ୍ତା ପାଇଁ ପ୍ରାର୍ଥନା

ପ୍ରଧାନ ବାଦ୍ୟକର ନିମନ୍ତେ ବଂଶୀ ଯନ୍ତ୍ରରେ ଦାଉଦଙ୍କର ଗୀତ।

1ହେ ସଦାପ୍ରଭୁ, ମୋ’ ବାକ୍ୟରେ କର୍ଣ୍ଣ ଦିଅ,

ମୋହର କାକୂକ୍ତି ବିବେଚନା କର।

2ହେ ମୋହର ରାଜନ୍‍, ହେ ମୋହର ପରମେଶ୍ୱର,

ମୋହର ଆର୍ତ୍ତରବରେ ମନୋଯୋଗ କର,

କାରଣ ତୁମ୍ଭ ନିକଟରେ ମୁଁ ପ୍ରାର୍ଥନା କରେ।

3ହେ ସଦାପ୍ରଭୁ, ତୁମ୍ଭେ ପ୍ରାତଃକାଳରେ ମୋହର ରବ ଶୁଣିବ;

ମୁଁ ପ୍ରାତଃକାଳରେ ତୁମ୍ଭ ନିକଟରେ ଆପଣା ପ୍ରାର୍ଥନା5:3 ପ୍ରାର୍ଥନା କିମ୍ବା ବଳିଦାନ ସଜାଇବି ଓ ଜଗି ରହିବି।

4କାରଣ ତୁମ୍ଭେ ଦୁଷ୍ଟତାରେ ସନ୍ତୁଷ୍ଟ ପରମେଶ୍ୱର ନୁହଁ;

ମନ୍ଦ ତୁମ୍ଭ ସଙ୍ଗେ ପ୍ରବାସ କରିବ ନାହିଁ।

5ଅହଂକାରୀ ତୁମ୍ଭ ସାକ୍ଷାତରେ ଠିଆ ହେବ ନାହିଁ;

ତୁମ୍ଭେ ସମସ୍ତ ଅଧର୍ମାଚାରୀଙ୍କୁ ଘୃଣା କରୁଅଛ।

6ତୁମ୍ଭେ ମିଥ୍ୟାବାଦୀମାନଙ୍କୁ ବିନାଶ କରିବ;

ସଦାପ୍ରଭୁ ହତ୍ୟାକାରୀ ଓ ପ୍ରବଞ୍ଚକ ଲୋକକୁ ଘୃଣା କରନ୍ତି।

7ମାତ୍ର ମୁଁ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣାର ବାହୁଲ୍ୟରେ, ତୁମ୍ଭ ଗୃହକୁ ଆସିବି;

ମୁଁ ତୁମ୍ଭ ଭୟରେ ତୁମ୍ଭ ପବିତ୍ର ମନ୍ଦିର ଆଡ଼େ ପ୍ରଣାମ କରିବି।

8ହେ ସଦାପ୍ରଭୁ, ମୋ’ ଶତ୍ରୁଗଣ ସକାଶୁ ତୁମ୍ଭେ

ଆପଣା ଧର୍ମଗୁଣରେ ମୋତେ ପଥ କଢ଼ାଇ ନିଅ;

ମୋ’ ସମ୍ମୁଖରେ ତୁମ୍ଭର ପଥ ସରଳ କର।

9କାରଣ ସେମାନଙ୍କ ମୁଖରେ କିଛି ବିଶ୍ୱସ୍ତତା ନାହିଁ;

ସେମାନଙ୍କ ଅନ୍ତଃକରଣ ଦୁଷ୍ଟତାମୟ;

ସେମାନଙ୍କ ଗଳାର ନଳୀ ଅନାବୃତ କବର ସ୍ୱରୂପ;

ସେମାନେ ଜିହ୍ୱାରେ ଚାଟୁବାଦ କରନ୍ତି।

10ହେ ପରମେଶ୍ୱର, ସେମାନଙ୍କୁ ଦୋଷୀ କର;

ସେମାନେ ଆପଣାମାନଙ୍କ ମନ୍ତ୍ରଣା ଦ୍ୱାରା ପତିତ ହେଉନ୍ତୁ;

ସେମାନଙ୍କ ଅପରାଧର ବାହୁଲ୍ୟରେ ସେମାନଙ୍କୁ ତଡ଼ି ଦିଅ;

କାରଣ ସେମାନେ ତୁମ୍ଭ ପ୍ରତିକୂଳରେ ବିଦ୍ରୋହ କରିଅଛନ୍ତି।

11ମାତ୍ର ତୁମ୍ଭର ଶରଣାଗତ ଲୋକ ସମସ୍ତେ ଆନନ୍ଦ କରନ୍ତୁ;

ସେମାନେ ଆନନ୍ଦ ସକାଶୁ ସର୍ବଦା ଜୟଧ୍ୱନି କରନ୍ତୁ; କାରଣ ତୁମ୍ଭେ ସେମାନଙ୍କୁ ରକ୍ଷା କରୁଅଛ;

ଆହୁରି, ଯେଉଁମାନେ ତୁମ୍ଭ ନାମକୁ ପ୍ରେମ କରନ୍ତି, ସେମାନେ ତୁମ୍ଭଠାରେ ଉଲ୍ଲସିତ ହେଉନ୍ତୁ।

12ଯେଣୁ ତୁମ୍ଭେ ଧାର୍ମିକକୁ ଆଶୀର୍ବାଦ କରିବ; ହେ ସଦାପ୍ରଭୁ,

ତୁମ୍ଭେ ତାହାକୁ ଢାଲ ପରି ଅନୁଗ୍ରହରେ ବେଷ୍ଟନ କରିବ।

6

ସଙ୍କଟ ସମୟରେ ସହାୟତା ପାଇଁ ପ୍ରାର୍ଥନା

ପ୍ରଧାନ ବାଦ୍ୟକର ନିମନ୍ତେ, ତାରଯୁକ୍ତ ଯନ୍ତ୍ରରେ ଶିମିନୀତ୍‍ ସ୍ୱରରେ ଦାଉଦଙ୍କର ଗୀତ।

1ହେ ସଦାପ୍ରଭୁ, ତୁମ୍ଭ କ୍ରୋଧରେ ମୋତେ ଅନୁଯୋଗ କର ନାହିଁ,

କିଅବା ତୁମ୍ଭ ପ୍ରଚଣ୍ଡ ବିରକ୍ତିରେ ମୋତେ ଶାସନ କର ନାହିଁ।

2ହେ ସଦାପ୍ରଭୁ, ମୋତେ ଦୟା କର; କାରଣ ମୁଁ ଶୁଷ୍କ ହୋଇ ଯାଇଅଛି;

ହେ ସଦାପ୍ରଭୁ, ମୋତେ ସୁସ୍ଥ କର; କାରଣ ମୋ’ର ଅସ୍ଥିସବୁ ବ୍ୟାକୁଳ ହେଉଅଛି।

3ମୋହର ପ୍ରାଣ ମଧ୍ୟ ଅତ୍ୟନ୍ତ ବ୍ୟାକୁଳ ହେଉଅଛି;

ପୁଣି, ତୁମ୍ଭେ, ହେ ସଦାପ୍ରଭୁ, ଆଉ କେତେ କାଳ ?

4ହେ ସଦାପ୍ରଭୁ, ଫେର, ମୋ’ ପ୍ରାଣକୁ ଉଦ୍ଧାର କର;

ଆପଣା ସ୍ନେହପୂର୍ଣ୍ଣ କରୁଣା ସକାଶୁ ମୋତେ ପରିତ୍ରାଣ କର।

5କାରଣ ମରଣାବସ୍ଥାରେ ତୁମ୍ଭ ବିଷୟକ କୌଣସି ସ୍ମରଣ ନ ଥାଏ;

ପାତାଳରେ କିଏ ତୁମ୍ଭକୁ ଧନ୍ୟବାଦ ଦେବ ?

6ମୁଁ ଆପଣା କାତରୋକ୍ତିରେ କ୍ଳାନ୍ତ ହୋଇଅଛି;

ପ୍ରତି ରାତ୍ରି ମୁଁ ଆପଣା ଶଯ୍ୟା ଭସାଏ,

ମୁଁ ଲୋତକରେ ଆପଣା ବିଛଣା ତିନ୍ତାଏ।

7ଦୁଃଖ ସକାଶୁ ମୋର ଚକ୍ଷୁ କ୍ଷୀଣ ହୋଇଯାଏ;

ମୋହର ସକଳ ବିପକ୍ଷଙ୍କ ସକାଶୁ ତାହା ଜୀର୍ଣ୍ଣ ହୋଇଯାଏ।

8ହେ ଅଧର୍ମାଚାରୀ ସମସ୍ତେ, ମୋହର ନିକଟରୁ ଦୂର ହୁଅ;

କାରଣ ସଦାପ୍ରଭୁ ମୋ’ ରୋଦନର ରବ ଶୁଣିଅଛନ୍ତି।

9ସଦାପ୍ରଭୁ ମୋହର ନିବେଦନ ଶୁଣିଅଛନ୍ତି;

ସଦାପ୍ରଭୁ ମୋହର ପ୍ରାର୍ଥନା ଗ୍ରହଣ କରିବେ।

10ମୋହର ଶତ୍ରୁ ସମସ୍ତେ ଲଜ୍ଜିତ ଓ ଅତ୍ୟନ୍ତ ବ୍ୟାକୁଳ ହେବେ;

ସେମାନେ ଫେରିଯିବେ, ସେମାନେ ହଠାତ୍‍ ଲଜ୍ଜିତ ହେବେ।

7

ନ୍ୟାୟ ପାଇଁ ପ୍ରାର୍ଥନା

ଦାଉଦଙ୍କର ଶିଗାୟୋନ, ଏହି ଗୀତ ସେ ବିନ୍ୟାମୀନୀୟ କୂଶର କଥା ବିଷୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିଥିଲେ।

1ହେ ସଦାପ୍ରଭୁ ମୋ’ ପରମେଶ୍ୱର, ମୁଁ ତୁମ୍ଭଠାରେ ଶରଣ ନେଉଅଛି;

ମୋ’ ପଛେ ଗୋଡ଼ାଇବା ସମସ୍ତ ଲୋକଠାରୁ ମୋତେ ରକ୍ଷା କର ଓ ଉଦ୍ଧାର କର,

2ନୋହିଲେ ସେ ସିଂହ ପରି ମୋର ପ୍ରାଣ ବିଦୀର୍ଣ୍ଣ କରି

ଖଣ୍ଡ ଖଣ୍ଡ କରିବ, ଉଦ୍ଧାର କରିବାକୁ କେହି ନ ଥିବ।

3ହେ ସଦାପ୍ରଭୁ ମୋହର ପରମେଶ୍ୱର, ଯଦି ମୁଁ

ଏହା କରିଥାଏ, ଯଦି ମୋ’ ହସ୍ତରେ ଅଧର୍ମ ଥାଏ;

4ଯଦି ମୁଁ ଆପଣା ସଙ୍ଗେ ମିଳନରେ ଥିବା ଲୋକର ମନ୍ଦ କରିଥାଏ;

(ମାତ୍ର ଯେ ଅକାରଣରେ ମୋହର ବିପକ୍ଷ, ମୁଁ ତାହାକୁ ଉଦ୍ଧାର କରିଅଛି;)

5ତେବେ ଶତ୍ରୁ ମୋହର ପ୍ରାଣ ପଛେ ଦୌଡ଼ି ତାହାକୁ ଧରୁ;

ଆହୁରି, ସେ ମୋ’ ଜୀବନକୁ ଭୂମିରେ ଦଳି ପକାଉ,

ପୁଣି, ମୋ’ ଗୌରବକୁ ଧୂଳିସାତ୍‍ କରୁ।

[ସେଲା]

6ହେ ସଦାପ୍ରଭୁ, ଆପଣା କ୍ରୋଧରେ ଉଠ,

ମୋ’ ବିପକ୍ଷଗଣର କୋପ ପ୍ରତିକୂଳରେ ଆପଣାକୁ ଉଠାଅ ଓ

ମୋ’ ପକ୍ଷରେ ଜାଗ୍ରତ ହୁଅ; ତୁମ୍ଭେ ନ୍ୟାୟ ବିଚାର କର।

7ଗୋଷ୍ଠୀୟମାନଙ୍କ ମଣ୍ଡଳୀ ତୁମ୍ଭଙ୍କୁ ବେଷ୍ଟନ କରନ୍ତୁ;

ଆଉ, ତୁମ୍ଭେ ସେମାନଙ୍କ ଉପରେ ଊର୍ଦ୍ଧ୍ୱକୁ ପ୍ରତ୍ୟାଗମନ କର।

8ସଦାପ୍ରଭୁ ଗୋଷ୍ଠୀୟମାନଙ୍କ ପ୍ରତି ବିଚାର ସାଧନ କରନ୍ତି;

ହେ ସଦାପ୍ରଭୁ, ମୋହର ଧର୍ମ ଓ ମୋହର ଆନ୍ତରିକ ସରଳତାନୁସାରେ ମୋହର ବିଚାର କର।

9ଆହା, ଦୁଷ୍ଟମାନଙ୍କର ଦୁଷ୍ଟତାର ଶେଷ ହେଉ, ମାତ୍ର ତୁମ୍ଭେ ଧାର୍ମିକମାନଙ୍କୁ ସଂସ୍ଥାପନ କର;

କାରଣ ଧର୍ମମୟ ପରମେଶ୍ୱର ଅନ୍ତଃକରଣ ଓ ମର୍ମର ପରୀକ୍ଷା କରନ୍ତି।

10ପରମେଶ୍ୱରଙ୍କଠାରେ ମୋହର ଢାଲ ଅଛି,

ସେ ସରଳମାନଙ୍କୁ ପରିତ୍ରାଣ କରନ୍ତି।

11ପରମେଶ୍ୱର ଧର୍ମମୟ ବିଚାରକର୍ତ୍ତା, ହଁ,

ସେ ପ୍ରତିଦିନ ଦୁଷ୍ଟଙ୍କ ପାଇଁ କ୍ରୋଧକାରୀ ପରମେଶ୍ୱର।

12ଯଦି କୌଣସି ମନୁଷ୍ୟ ନ ଫେରିବ, ତେବେ

ସେ ଆପଣା ଖଡ୍ଗ ଶାଣିତ କରିବେ;

ସେ ଆପଣା ଧନୁ ନୁଆଁଇ ପ୍ରସ୍ତୁତ କରିଅଛନ୍ତି।

13ସେ ମଧ୍ୟ ତାହା ପାଇଁ ମୃତ୍ୟୁୁର ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ କରିଅଛନ୍ତି;

ସେ ଆପଣା ତୀରସବୁ ଅଗ୍ନିର ତୀର କରିଅଛନ୍ତି।

14ଦେଖ, ସେ ଅଧର୍ମରୂପ ପ୍ରସବ-ବେଦନାରେ ଆକ୍ରାନ୍ତ ହେଉଅଛି;

ହଁ, ସେ ଅନିଷ୍ଟ ଗର୍ଭରେ ଧାରଣ କରି ମିଥ୍ୟା ପ୍ରସବ କଲା।

15ସେ କୂପ ଖୋଳି ଗଭୀର କରିଅଛି, ପୁଣି,

ସେ ଆପଣା ଚୋରାଗର୍ତ୍ତରେ ପଡ଼ିଅଛି।

16ତାହାର ଉପଦ୍ରବ ତାହାର ନିଜ ମସ୍ତକରେ ବର୍ତ୍ତିବ

ଓ ତାହାର ଦୌରାତ୍ମ୍ୟ ତାହାର ନିଜ ମୁଣ୍ଡରେ ପଡ଼ିବ।

17ମୁଁ ସଦାପ୍ରଭୁଙ୍କର ଧାର୍ମିକତାନୁସାରେ ତାହାଙ୍କର ଧନ୍ୟବାଦ କରିବି

ଓ ସର୍ବୋପରିସ୍ଥ ସଦାପ୍ରଭୁଙ୍କ ନାମରେ ପ୍ରଶଂସା ଗାନ କରିବି।

8

ସଦାପ୍ରଭୁଙ୍କ ମହିମା, ମନୁଷ୍ୟର ମର୍ଯ୍ୟାଦା

ପ୍ରଧାନ ବାଦ୍ୟକର ନିମନ୍ତେ ଗିତ୍ତୀତ୍‍ ସ୍ୱରରେ ଦାଉଦଙ୍କର ଗୀତ।

1ହେ ସଦାପ୍ରଭୁ, ଆମ୍ଭମାନଙ୍କର ପ୍ରଭୁ, ସମୁଦାୟ ପୃଥିବୀରେ ତୁମ୍ଭର ନାମ କିପରି ମହିମାନ୍ୱିତ !

ତୁମ୍ଭେ ଆକାଶମଣ୍ଡଳ ଉପରେ ଆପଣା ଗୌରବ ସ୍ଥାପନ କରିଅଛ।

2ତୁମ୍ଭେ ଶତ୍ରୁ ଓ ପ୍ରତିହିଂସକକୁ ଦମନ କରିବା ପାଇଁ

ଆପଣା ବିପକ୍ଷଗଣ ସକାଶୁ

ଶିଶୁ ଓ ଦୁଗ୍ଧପୋଷ୍ୟମାନଙ୍କ ମୁଖରୁ ପରାକ୍ରମ ପ୍ରତିପନ୍ନ କରିଅଛ।

3ମୁଁ ତୁମ୍ଭ ଅଙ୍ଗୁଳିକୃତ ତୁମ୍ଭ ଆକାଶମଣ୍ଡଳ, ତୁମ୍ଭର ନିରୂପିତ

ଚନ୍ଦ୍ର ଓ ନକ୍ଷତ୍ରଗଣକୁ ବିବେଚନା କଲେ (କହେ,)

4ମନୁଷ୍ୟ କିଏ ଯେ, ତୁମ୍ଭେ ତାହା ବିଷୟରେ ମନୋଯୋଗୀ ହେଉଅଛ ?

ଓ ମାନବଜାତି8:4 ମାନବଜାତି ଏବ୍ରୀରେ ମନୁଷ୍ୟ ପୁତ୍ର କିଏ ଯେ, ତୁମ୍ଭେ ସେମାନଙ୍କର ତତ୍ତ୍ୱାବଧାନ କରୁଅଛ ?

5ପୁଣି, ତୁମ୍ଭେ ତାହାକୁ ଦୂତଗଣଙ୍କ8:5 ଦୂତଗଣଙ୍କ କିମ୍ବା ପରମେଶ୍ୱର ଅପେକ୍ଷା ଅଳ୍ପମାତ୍ର ନ୍ୟୁନ କରିଅଛ,

ଆଉ ଗୌରବ ଓ ସମ୍ଭ୍ରମରୂପ ମୁକୁଟରେ ତାହାକୁ ଭୂଷିତ କରୁଅଛ।

6ତୁମ୍ଭେ ଆପଣା ହସ୍ତକୃତ ସକଳ କର୍ମ ଉପରେ ତାହାକୁ କର୍ତ୍ତୃତ୍ୱ ଦେଇଅଛ;

ତୁମ୍ଭେ ତାହାର ପଦ ତଳେ ସମୁଦାୟ ବିଷୟ ରଖିଅଛ;

7ଗୋମେଷାଦିସକଳ, ହଁ, ବନ୍ୟ ପଶୁଗଣ;

8ଆକାଶର ପକ୍ଷୀଗଣ ଓ ସମୁଦ୍ରର ମତ୍ସ୍ୟଗଣ,

ସମୁଦ୍ରପଥଗାମୀ ସକଳ ହିଁ ରଖିଅଛ।

9ହେ ସଦାପ୍ରଭୁ, ଆମ୍ଭମାନଙ୍କ ପ୍ରଭୁ,

ସମୁଦାୟ ପୃଥିବୀରେ ତୁମ୍ଭର ନାମ କିପରି ମହିମାନ୍ୱିତ।

9

ତୁମ୍ଭର ଆଶ୍ଚର୍ଯ୍ୟକ୍ରିୟାସକଳ ବର୍ଣ୍ଣନା କରିବି

ପ୍ରଧାନ ବାଦ୍ୟକର ନିମନ୍ତେ, ମୂତ୍‍-ଲବ୍ବନ୍‍ ସ୍ୱରରେ ଦାଉଦଙ୍କର ଗୀତ।

1ମୁଁ ସର୍ବାନ୍ତଃକରଣରେ ସଦାପ୍ରଭୁଙ୍କର ଧନ୍ୟବାଦ କରିବି;

ମୁଁ ତୁମ୍ଭର ଆଶ୍ଚର୍ଯ୍ୟକ୍ରିୟାସକଳ ବର୍ଣ୍ଣନା କରିବି।

2ମୁଁ ତୁମ୍ଭଠାରେ ଆନନ୍ଦ ଓ ଉଲ୍ଲାସ କରିବି;

ହେ ସର୍ବୋପରିସ୍ଥ, ମୁଁ ତୁମ୍ଭ ନାମ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି।

3ମୋହର ଶତ୍ରୁମାନେ ଫେରିଯିବା ବେଳେ

ତୁମ୍ଭ ସାକ୍ଷାତରେ ଝୁଣ୍ଟି ପଡ଼ି ବିନଷ୍ଟ ହୁଅନ୍ତି।

4କାରଣ ତୁମ୍ଭେ ମୋହର ବିଚାର ଓ ବିବାଦ ନିଷ୍ପନ୍ନ କରିଅଛ;

ତୁମ୍ଭେ ସିଂହାସନରେ ବସି ଧର୍ମବିଚାର କରିଅଛ।

5ତୁମ୍ଭେ ଗୋଷ୍ଠୀୟମାନଙ୍କୁ ଅନୁଯୋଗ କରିଅଛ, ତୁମ୍ଭେ

ତୁମ୍ଭ ଦୁଷ୍ଟମାନଙ୍କୁ ସଂହାର କରିଅଛ,

ତୁମ୍ଭେ ଅନନ୍ତକାଳ ନିମନ୍ତେ ସେମାନଙ୍କ ନାମ ଲିଭାଇ ଦେଇଅଛ।

6ଶତ୍ରୁମାନେ ଅଦୃଶ୍ୟ ହୋଇଅଛନ୍ତି,

ସେମାନେ ସଦାକାଳ ଉଚ୍ଛିନ୍ନ ହୋଇଅଛନ୍ତି;

ତୁମ୍ଭେ ନଗରମାନଙ୍କୁ ଉତ୍ପାଟନ କରିଅଛ, ସେମାନଙ୍କର ସ୍ମରଣ ସୁଦ୍ଧା ଲୁପ୍ତ ହୋଇଅଛି।

7ମାତ୍ର ସଦାପ୍ରଭୁ ଅନନ୍ତକାଳ ରାଜା ରୂପେ ଉପବିଷ୍ଟ;

ସେ ବିଚାରାର୍ଥେ ଆପଣା ସିଂହାସନ ପ୍ରସ୍ତୁତ କରିଅଛନ୍ତି।

8ପୁଣି, ସେ ଧର୍ମରେ ଜଗତକୁ ବିଚାର କରିବେ,

ସେ ନ୍ୟାୟରେ ଗୋଷ୍ଟୀୟମାନଙ୍କର ବିଚାର ସାଧନ କରିବେ।

9ମଧ୍ୟ ସଦାପ୍ରଭୁ ଉପଦ୍ରବଗ୍ରସ୍ତମାନଙ୍କ ନିମନ୍ତେ ଉଚ୍ଚ ଦୁର୍ଗ ହେବେ।

ସଙ୍କଟ ସମୟରେ ଉଚ୍ଚ ଦୁର୍ଗ ହେବେ;

10ଯେଉଁମାନେ ତୁମ୍ଭ ନାମ ଜାଣନ୍ତି, ସେମାନେ ତୁମ୍ଭଠାରେ ବିଶ୍ୱାସ କରିବେ;

କାରଣ ହେ ସଦାପ୍ରଭୁ, ତୁମ୍ଭେ ଆପଣା ଅନ୍ୱେଷଣକାରୀମାନଙ୍କୁ ପରିତ୍ୟାଗ କରି ନାହଁ।

11ସିୟୋନ-ନିବାସୀ, ସଦାପ୍ରଭୁଙ୍କର ପ୍ରଶଂସା ଗାନ କର;

ଗୋଷ୍ଠୀୟମାନଙ୍କ ମଧ୍ୟରେ ତାହାଙ୍କର କ୍ରିୟାସବୁ ପ୍ରଚାର କର।

12କାରଣ ଯେ ରକ୍ତପାତର ଅନୁସନ୍ଧାନ କରନ୍ତି, ସେ ସେମାନଙ୍କୁ ସ୍ମରଣ କରନ୍ତି;

ସେ ଦୁଃଖୀମାନଙ୍କର କ୍ରନ୍ଦନ ଭୁଲନ୍ତି ନାହିଁ।

13ହେ ସଦାପ୍ରଭୁ, ହେ ମୃତ୍ୟୁୁଦ୍ୱାରରୁ ମୋହର ଉଠାଇବା କର୍ତ୍ତା,

ମୋ’ ପ୍ରତି ଦୟା କର; ମୁଁ ଘୃଣାକାରୀମାନଙ୍କଠାରୁ ଯେଉଁ କ୍ଳେଶ ଭୋଗ କରେ, ତହିଁ ପ୍ରତି ଦୃଷ୍ଟି କର।

14ତହିଁରେ ମୁଁ ତୁମ୍ଭର ସକଳ ପ୍ରଶଂସା ପ୍ରକାଶ କରିବି।

ସିୟୋନ-କନ୍ୟାର9:14 ସିୟୋନ-କନ୍ୟାର ଅର୍ଥାତ୍ ଯିରୂଶାଲମ ଲୋକମାନଙ୍କ ନଗର-ଦ୍ୱାରରେ

ମୁଁ ତୁମ୍ଭ କୃତ ପରିତ୍ରାଣରେ ଉଲ୍ଲାସ କରିବି।

15ଗୋଷ୍ଠୀୟମାନେ ଆପଣାମାନଙ୍କ ଚୋରାଗର୍ତ୍ତରେ ମଗ୍ନ ହୋଇଅଛନ୍ତି;

ସେମାନେ ଗୋପନରେ ଯେଉଁ ଜାଲ ପାତିଥିଲେ, ତହିଁରେ ସେମାନଙ୍କ ନିଜ ପାଦ ଧରା ଯାଇଅଛି।

16ସଦାପ୍ରଭୁ ଆପଣାର ପରିଚୟ ଦେଇଅଛନ୍ତି, ସେ ବିଚାର ସାଧନ କରିଅଛନ୍ତି;

ଦୁଷ୍ଟ ନିଜ ହସ୍ତର କର୍ମପାଶରେ ବଦ୍ଧ ହୋଇଅଛି।

[ହିଗାୟୋନ୍‍, ସେଲା ]

17ଦୁଷ୍ଟମାନେ ଓ ଯେଉଁ ଗୋଷ୍ଠୀୟମାନେ ପରମେଶ୍ୱରଙ୍କୁ ପାସୋରନ୍ତି,

ସେମାନେ ସମସ୍ତେ ପାତାଳକୁ ଚାଲିଯିବେ।

18କାରଣ ଦୀନହୀନ ସର୍ବଦା ବିସ୍ମୃତ ନୋହିବ, ଅବା

ଦରିଦ୍ରର ପ୍ରତ୍ୟାଶା ସର୍ବଦା ବିନଷ୍ଟ ନୋହିବ।

19ହେ ସଦାପ୍ରଭୁ, ଉଠ; ମନୁଷ୍ୟକୁ ପ୍ରବଳ ହେବାକୁ ଦିଅ ନାହିଁ;

ଗୋଷ୍ଠୀୟମାନେ ତୁମ୍ଭ ସାକ୍ଷାତରେ ବିଚାରିତ ହେଉନ୍ତୁ।

20ହେ ସଦାପ୍ରଭୁ, ସେମାନଙ୍କୁ ଭୟଗ୍ରସ୍ତ କର;

ଗୋଷ୍ଠୀୟମାନେ ଆପଣାମାନଙ୍କୁ ମନୁଷ୍ୟ ମାତ୍ର ବୋଲି ଜାଣନ୍ତୁ।

[ସେଲା]

10

ନ୍ୟାୟ ପାଇଁ ପ୍ରାର୍ଥନା

1ହେ ସଦାପ୍ରଭୁ, ତୁମ୍ଭେ କାହିଁକି ଦୂରରେ ଠିଆ ହେଉଅଛ ?

ସଙ୍କଟ ସମୟରେ ତୁମ୍ଭେ କାହିଁକି ଆପଣାକୁ ଲୁଚାଉଅଛ ?

2ଦୁଷ୍ଟର ଗର୍ବରେ ଦରିଦ୍ର ତପ୍ତ ଭାବରେ ତାଡ଼ିତ ହୁଏ;

ସେମାନେ, ଆପଣାମାନଙ୍କ କଳ୍ପିତ କୌଶଳରେ ଧରା ପଡ଼ନ୍ତୁ।

3କାରଣ ଦୁଷ୍ଟ ଆପଣା ମନୋବାଞ୍ଛା ବିଷୟରେ ଦର୍ପ କରେ;

ଆଉ, ଲୋଭୀ ସଦାପ୍ରଭୁଙ୍କୁ ତ୍ୟାଗ କରେ, ମଧ୍ୟ ତାହାଙ୍କୁ ଅବଜ୍ଞା କରେ।

4ସେ ତାହା ଅନୁସନ୍ଧାନ କରିବେ ନାହିଁ ବୋଲି ଦୁଷ୍ଟ ଆପଣା ମୁଖର ଅହଙ୍କାରରେ କହେ,

ପରମେଶ୍ୱର ନାହାନ୍ତି, ଏହା ତାହାର ସକଳ ଚିନ୍ତାର ସାର।

5ତାହାର ସମସ୍ତ ଗତି ସର୍ବଦା ଦୃଢ଼;

ମାତ୍ର ତୁମ୍ଭର ଶାସନ ତାହାର ଦୃଷ୍ଟିରୁ ଅତି ଊର୍ଦ୍ଧ୍ୱବର୍ତ୍ତୀ,

ସେ ଆପଣାର ସମସ୍ତ ବିପକ୍ଷ ପ୍ରତି ଫୁତ୍କାର କରେ।

6ସେ ଆପଣା ମନେ ମନେ କହେ, “ମୋ’ ପ୍ରତି କିଛି ବିପଦ ଘଟିବ ନାହିଁ;

ପୁରୁଷାନୁକ୍ରମେ ମୁଁ ବିପଦଗ୍ରସ୍ତ ନୋହିବି।”

7ତାହାର ମୁଖ ଅଭିଶାପ, ଛଳନା ଓ ଉପଦ୍ରବରେ ପରିପୂର୍ଣ୍ଣ;

ତାହାର ଜିହ୍ୱା ତଳେ ଅନିଷ୍ଟ ଓ ଅଧର୍ମ ଥାଏ।

8ସେ ଗ୍ରାମର ଗୁପ୍ତ ସ୍ଥାନରେ ବସେ;

ସେ ଆବୃତ ସ୍ଥାନରେ ନିର୍ଦ୍ଦୋଷକୁ ହତ୍ୟା କରେ;

ଅସହାୟ ଲୋକର ପ୍ରତିକୂଳରେ ତାହାର ଚକ୍ଷୁ ଗୋପନରେ ଥାଏ।

9ଯେପରି ସିଂହ ଆପଣା ଗହ୍ୱରରେ, ସେପରି ସେ ଆବୃତ ସ୍ଥାନରେ ଛକି ବସେ,

ସେ ଦରିଦ୍ରକୁ ଧରିବା ପାଇଁ ଛକି ବସେ;

ସେ ଶିକାରୀ ସଦୃଶ୍ୟ ଦରିଦ୍ରକୁ ଧରି ଆପଣା ଜାଲରେ ଟାଣେ।

10ସେ ଛକି ବସେ, ସେ ନଇଁ ପଡ଼େ,

ତହୁଁ ଅସହାୟ ଲୋକେ ତାହାର ବଳିଷ୍ଠମାନଙ୍କ ଦ୍ୱାରା ପତିତ ହୁଅନ୍ତି।

11ସେ ଆପଣା ମନେ ମନେ କହେ, “ପରମେଶ୍ୱର ପାସୋରି ଯାଇଅଛନ୍ତି;

ସେ ଆପଣା ମୁଖ ଲୁଚାନ୍ତି; ସେ କେବେ ତାହା ଦେଖିବେ ନାହିଁ।”

12ହେ ସଦାପ୍ରଭୁ, ଉଠ; ହେ ପରମେଶ୍ୱର, ଆପଣା ହସ୍ତ ଉଠାଅ;

ଦୁଃଖୀମାନଙ୍କୁ ପାସୋର ନାହିଁ।

13ଦୁଷ୍ଟଲୋକ କାହିଁକି ପରମେଶ୍ୱରଙ୍କୁ ଅବଜ୍ଞା କରେ

ଓ “ତୁମ୍ଭେ ଅନୁସନ୍ଧାନ କରିବ ନାହିଁ” ବୋଲି ସେ ଆପଣା ମନେ ମନେ କହେ ?

14ତୁମ୍ଭେ ତାହା ଦେଖିଅଛ; କାରଣ ତୁମ୍ଭେ ହସ୍ତକ୍ଷେପ କରିବା ପାଇଁ ଉପଦ୍ରବ ଓ ଦ୍ୱେଷ ପ୍ରତି ଦୃଷ୍ଟି କରୁଅଛ;

ଅସହାୟ ଲୋକ ଆପଣାକୁ ତୁମ୍ଭଠାରେ ସମର୍ପଣ କରେ;

ତୁମ୍ଭେ ପିତୃହୀନର ସହାୟ ହୋଇଅଛ।

15ତୁମ୍ଭେ ଦୁଷ୍ଟର ବାହୁ ଭାଙ୍ଗି ଦିଅ;

ଆଉ, ତୁମ୍ଭେ ମନ୍ଦଲୋକର କୌଣସି ଦୁଷ୍ଟତା ନ ପାଇବା ପର୍ଯ୍ୟନ୍ତ ତାହା ଅନୁସନ୍ଧାନ କର।

16ସଦାପ୍ରଭୁ ଅନନ୍ତକାଳ ରାଜା ଅଟନ୍ତି;

ଅନ୍ୟ ଦେଶୀୟମାନେ ତାହାଙ୍କ ଦେଶରୁ ଲୁପ୍ତ ହୋଇଅଛନ୍ତି।

17ହେ ସଦାପ୍ରଭୁ, ତୁମ୍ଭେ ନମ୍ର ଲୋକମାନଙ୍କର ବାଞ୍ଛା ଶୁଣିଅଛ;

ତୁମ୍ଭେ ସେମାନଙ୍କର ଅନ୍ତଃକରଣ ପ୍ରସ୍ତୁତ କରିବ, ତୁମ୍ଭେ ଶୁଣିବା ପାଇଁ ଆପଣା କର୍ଣ୍ଣ ଡେରିବ;

18ପିତୃହୀନ ଓ ଉପଦ୍ରବଗ୍ରସ୍ତ ଲୋକଙ୍କର ବିଚାର କରିବ,

ତହିଁରେ ମୃତ୍ତିକାଜାତ ମନୁଷ୍ୟ ଆଉ ଭୟଙ୍କର ହୋଇ ପାରିବ ନାହିଁ।

11

ସଦାପ୍ରଭୁଙ୍କଠାରେ ନିର୍ଭର

ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।

1ମୁଁ ସଦାପ୍ରଭୁଙ୍କଠାରେ ଶରଣ ନିଏ;

ତୁମ୍ଭେମାନେ କିପରି ମୋ’ ପ୍ରାଣକୁ କହୁଅଛ,

ପକ୍ଷୀ ପରି ଆପଣା ପର୍ବତକୁ ଉଡ଼ିଯାଅ ?

2କାରଣ ଦେଖ ! ଦୁଷ୍ଟମାନେ ସରଳଚିତ୍ତ ଲୋକକୁ ଅନ୍ଧକାରରେ ବିନ୍ଧିବା ପାଇଁ ଧନୁ ନୁଆଁନ୍ତି,

ସେମାନେ ଗୁଣରେ ତୀରଯୁକ୍ତ କରନ୍ତି।

3ଯଦି ଭିତ୍ତିମୂଳ ଉତ୍ପାଟିତ ହୁଏ,

ତେବେ ଧାର୍ମିକ କ’ଣ କରି ପାରିବ ?

4ସଦାପ୍ରଭୁ ଆପଣା ପବିତ୍ର ମନ୍ଦିରରେ ଅଛନ୍ତି,

ସଦାପ୍ରଭୁଙ୍କର ସିଂହାସନ ସ୍ୱର୍ଗରେ,

ତାହାଙ୍କ ଚକ୍ଷୁ ନିରୀକ୍ଷଣ କରେ, ତାହାଙ୍କ ଚକ୍ଷୁର ପତା ମନୁଷ୍ୟ-ସନ୍ତାନମାନଙ୍କୁ ପରୀକ୍ଷା କରେ।

5ସଦାପ୍ରଭୁ ଧାର୍ମିକର ପରୀକ୍ଷା କରନ୍ତି;

ମାତ୍ର ଦୁଷ୍ଟ ଓ ଦୌରାତ୍ମ୍ୟପ୍ରିୟ ଲୋକକୁ ସେ ଘୃଣା କରନ୍ତି।

6ସେ ଦୁଷ୍ଟମାନଙ୍କ ଉପରେ ଜାଲ ବର୍ଷାଇବେ;

ଅଗ୍ନି, ଗନ୍ଧକ ଓ ଝାଞ୍ଜି ପବନ ସେମାନଙ୍କ ପାନପାତ୍ରର ଅଂଶ ହେବ।

7କାରଣ ସଦାପ୍ରଭୁ ଧର୍ମମୟ; ସେ ଧାର୍ମିକତାକୁ ପ୍ରେମ କରନ୍ତି;

ସରଳ ଲୋକ ତାହାଙ୍କ ମୁଖ ଦର୍ଶନ କରିବ।

12

ସହାୟତା ପାଇଁ ପ୍ରାର୍ଥନା

ପ୍ରଧାନ ବାଦ୍ୟକର ନିମନ୍ତେ ଶମୀନୀତ୍‍ ସ୍ୱରରେ ଦାଉଦଙ୍କର ଗୀତ।

1ସଦାପ୍ରଭୁ, ସାହାଯ୍ୟ କର, କାରଣ ଧାର୍ମିକ ଲୋକ ଲୋପ ପାଇଅଛନ୍ତି;

ମନୁଷ୍ୟ-ସନ୍ତାନଗଣ ମଧ୍ୟରୁ ବିଶ୍ୱସ୍ତ ଲୋକର ହ୍ରାସ ହୋଇଅଛି।

2ସେମାନେ ପ୍ରତ୍ୟେକେ ଆପଣା ଆପଣା ପ୍ରତିବାସୀମାନଙ୍କୁ ମିଥ୍ୟା କହନ୍ତି।

ସେମାନେ ଚାଟୁବାଦୀ ଓଷ୍ଠାଧରରେ ଓ ଦ୍ୱିଧାଚିତ୍ତରେ କଥା କହନ୍ତି।

3ସଦାପ୍ରଭୁ ଚାଟୁବାଦୀ

ଓଷ୍ଠାଧରସବୁ ଓ ଦର୍ପବାଦୀ ଜିହ୍ୱା ଉଚ୍ଛିନ୍ନ କରିବେ;

4ସେମାନେ କହନ୍ତି, ଆମ୍ଭେମାନେ ଜିହ୍ୱା ଦ୍ୱାରା ପ୍ରବଳ ହେବା;

ଆମ୍ଭମାନଙ୍କ ଓଷ୍ଠାଧର ଆମ୍ଭମାନଙ୍କ ନିଜର; ଆମ୍ଭମାନଙ୍କ ଉପରେ କର୍ତ୍ତା କିଏ ?

5ଦୁଃଖୀଲୋକ ଲୁଟିତ ହେବାରୁ, ଦୀନହୀନ କାତରୋକ୍ତି କରିବାରୁ,

ସଦାପ୍ରଭୁ କହନ୍ତି, ଆମ୍ଭେ ଏବେ ଉଠିବା;

ସେମାନେ ଯାହା ପ୍ରତି ଫୁତ୍କାର କରନ୍ତି, ତାହାକୁ ଆମ୍ଭେ ନିରାପଦରେ ରଖିବା।

6ସଦାପ୍ରଭୁଙ୍କ ବାକ୍ୟସବୁ ନିର୍ମଳ ବାକ୍ୟ,

ତାହା ମୃତ୍ତିକାର ଉହ୍ମାଇରେ ପରୀକ୍ଷିତ ସାତ ଥର ପରିଷ୍କୃତ ରୂପା ତୁଲ୍ୟ।

7ହେ ସଦାପ୍ରଭୁ, ତୁମ୍ଭେ ସେମାନଙ୍କୁ ରକ୍ଷା କରିବ,

ତୁମ୍ଭେ ବର୍ତ୍ତମାନ ଲୋକମାନଙ୍କଠାରୁ ସେମାନଙ୍କୁ ସଦାକାଳ ଉଦ୍ଧାର କରିବ।

8ମନୁଷ୍ୟ-ସନ୍ତାନଗଣ ମଧ୍ୟରେ ଅଧମତା ଉଚ୍ଚୀକୃତ ହେବା ବେଳେ

ଦୁଷ୍ଟମାନେ ଚତୁର୍ଦ୍ଦିଗରେ ଭ୍ରମଣ କରନ୍ତି।

13

ସହାୟତା ପାଇଁ ନିବେଦନ

ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।

1ହେ ସଦାପ୍ରଭୁ, ତୁମ୍ଭେ କେତେ କାଳ ପର୍ଯ୍ୟନ୍ତ ମୋତେ ପାସୋରିବ ?

ତୁମ୍ଭେ କେତେ କାଳ ମୋ’ଠାରୁ ଆପଣା ମୁଖ ଲୁଚାଇବ ?

2ମୁଁ ସାରାଦିନ ନିଜ ଅନ୍ତଃକରଣରେ ଦୁଃଖିତ ହୋଇ

କେତେ କାଳ ମନେ ମନେ ପରାମର୍ଶ କରିବି ?

କେତେ କାଳ ମୋ’ ଶତ୍ରୁ ମୋ’ ଉପରେ ଉଚ୍ଚୀକୃତ ହେବ ?

3ହେ ସଦାପ୍ରଭୁ, ମୋ’ ପରମେଶ୍ୱର, ବିବେଚନା କର ଓ ମୋତେ ଉତ୍ତର ଦିଅ;

ମୋହର ଚକ୍ଷୁ ସତେଜ କର, ନୋହିଲେ ମୁଁ ମୃତ୍ୟୁୁ-ନିଦ୍ରାରେ ନିଦ୍ରାଗତ ହେବି;

4କେଜାଣି ମୋ’ ଶତ୍ରୁ କହିବ, “ମୁଁ ତାହାକୁ ଜୟ କରିଅଛି,”

ଆଉ, ମୁଁ ଘୁଞ୍ଚାଗଲେ, ମୋହର ବିପକ୍ଷଗଣ ଉଲ୍ଲାସ କରିବେ।

5ମାତ୍ର ମୁଁ ତୁମ୍ଭ ଦୟାରେ ଭରସା ରଖିଅଛି;

ତୁମ୍ଭ କୃତ ପରିତ୍ରାଣରେ ମୋର ଅନ୍ତଃକରଣ ଉଲ୍ଲାସ କରିବ;

6ମୁଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିବି,

କାରଣ ସେ ମୋହର ପ୍ରଚୁର ମଙ୍ଗଳ କରିଅଛନ୍ତି।

14

ମଣିଷର ଦୁଷ୍ଟତା

ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।

1ମୂଢ଼ ମନେ ମନେ କହିଅଛି, “ପରମେଶ୍ୱର ନାହାନ୍ତି।”

ସେମାନେ ଭ୍ରଷ୍ଟ, ସେମାନେ ଘୃଣାଯୋଗ୍ୟ କର୍ମ କରିଅଛନ୍ତି;

ସୁକର୍ମକାରୀ କେହି ନାହିଁ।

2ବିବେଚକ ଓ ପରମେଶ୍ୱରଙ୍କ ଅନ୍ୱେଷଣକାରୀ କେହି

ଅଛି କି ନାହିଁ, ଏହା ଦେଖିବା ପାଇଁ

ସଦାପ୍ରଭୁ ସ୍ୱର୍ଗରୁ ମନୁଷ୍ୟ-ସନ୍ତାନଗଣ ପ୍ରତି ନିରୀକ୍ଷଣ କରନ୍ତି।

3ସେମାନେ ସମସ୍ତେ ବିପଥରେ ଯାଇଅଛନ୍ତି; ସେମାନେ ଏକତ୍ର ଅଶୁଚି ହୋଇଅଛନ୍ତି;

ସୁକର୍ମକାରୀ କେହି ନାହିଁ, ନା, ଜଣେ ହେଁ ନାହିଁ।

4ଅଧର୍ମାଚାରୀ ସମସ୍ତଙ୍କର କି କିଛି ଜ୍ଞାନ ନାହିଁ ?

ସେମାନେ ମୋ’ ଲୋକମାନଙ୍କୁ ଆହାର ପରି ଗ୍ରାସ କରନ୍ତି

ଓ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତି ନାହିଁ।

5ସେଠାରେ ସେମାନେ ମହାଭୟଗ୍ରସ୍ତ ହୋଇଥିଲେ;

କାରଣ ପରମେଶ୍ୱର ଧାର୍ମିକ-ବଂଶ ମଧ୍ୟରେ ଅଛନ୍ତି।

6ତୁମ୍ଭେମାନେ ଦୁଃଖୀର ମନ୍ତ୍ରଣାକୁ ଲଜ୍ଜାର ବିଷୟ କରୁଅଛ,

ମାତ୍ର ସଦାପ୍ରଭୁ ତାହାର ଆଶ୍ରୟ ଅଟନ୍ତି।

7ଆହା, ସିୟୋନଠାରୁ ଇସ୍ରାଏଲର ପରିତ୍ରାଣ ଉପସ୍ଥିତ ହେଉ !

ଯଦି ସଦାପ୍ରଭୁ ଆପଣା ଲୋକମାନଙ୍କୁ ବନ୍ଦିତ୍ୱରୁ ଫେରାଇ ଆଣନ୍ତି

ତେବେ ଯାକୁବ ଉଲ୍ଲାସ କରିବ ଓ ଇସ୍ରାଏଲ ଆନନ୍ଦିତ ହେବ।

15

ସଦାପ୍ରଭୁଙ୍କ ଆବଶ୍ୟକତା

ଦାଉଦଙ୍କର ଗୀତ।

1ହେ ସଦାପ୍ରଭୁ, ତୁମ୍ଭ ଆବାସରେ କିଏ ପ୍ରବାସ କରି ପାରିବ ?

ତୁମ୍ଭ ପବିତ୍ର ପର୍ବତରେ କିଏ ବାସ କରି ପାରିବ ?

2ଯେଉଁ ଜନ ସରଳାଚରଣ, ଧର୍ମକର୍ମ କରେ ଓ ଆପଣା

ଅନ୍ତଃକରଣରେ ସତ୍ୟ କହେ।

3ଯେ ଆପଣା ଜିହ୍ୱାରେ ଗ୍ଳାନି କରେ ନାହିଁ,

ଅବା ଆପଣା ମିତ୍ରର ଅନିଷ୍ଟ କରେ ନାହିଁ,

କିଅବା ଆପଣା ପ୍ରତିବାସୀ ବିରୁଦ୍ଧରେ ନିନ୍ଦା ପ୍ରକଟ କରେ ନାହିଁ।

4ଯାହାର ଦୃଷ୍ଟିରେ ପାମର ତୁଚ୍ଛୀକୃତ ହୁଏ;

ମାତ୍ର ଯେ ସଦାପ୍ରଭୁଙ୍କ ଭୟକାରୀମାନଙ୍କୁ ସମାଦର କରେ।

ଯେ ଶପଥ କରି ଆପଣାର କ୍ଷତି ହେଲେ ହେଁ ତାହା ଅନ୍ୟଥା କରେ ନାହିଁ।

5ଯେ ସୁଧ ପାଇଁ ଟଙ୍କା ଋଣ ଦିଏ ନାହିଁ,

କିଅବା ନିର୍ଦ୍ଦୋଷ ବିରୁଦ୍ଧରେ ଲାଞ୍ଚ ନିଏ ନାହିଁ।

ଯେ ଏହି ସକଳ କର୍ମ କରେ, ସେ କେବେ ଘୁଞ୍ଚାଯିବ ନାହିଁ।

16

ନିର୍ଭରଶୀଳ ପ୍ରାର୍ଥନା

ଦାଉଦଙ୍କର ମିକ୍ତାମ୍‍ (ଗୀତରତ୍ନ।)

1ହେ ପରମେଶ୍ୱର, ମୋତେ ରକ୍ଷା କର; କାରଣ ମୁଁ ତୁମ୍ଭଠାରେ ଶରଣ ନିଏ।

2ମୁଁ ସଦାପ୍ରଭୁଙ୍କୁ କହିଅଛି, “ତୁମ୍ଭେ ମୋହର ପ୍ରଭୁ, ତୁମ୍ଭ ବିନା ମୋହର କୌଣସି ମଙ୍ଗଳ ନାହିଁ।

3ପୃଥିବୀରେ ଯେଉଁ ପବିତ୍ର ଲୋକମାନେ ଅଛନ୍ତି, ସେମାନେ ଆଦରଣୀୟ, ସେମାନଙ୍କଠାରେ ମୋହର ପରମ ସନ୍ତୋଷ।

4ଯେଉଁମାନେ ସଦାପ୍ରଭୁଙ୍କ ପରିବର୍ତ୍ତରେ ଅନ୍ୟ ଦେବତାକୁ ଗ୍ରହଣ କରନ୍ତି, ସେମାନଙ୍କ ଦୁଃଖ ବଢ଼ିଯିବ; ସେମାନଙ୍କ ଦତ୍ତ ରକ୍ତର ପେୟ-ନୈବେଦ୍ୟ ମୁଁ ଉତ୍ସର୍ଗ କରିବି ନାହିଁ,

କିଅବା ମୁଁ ସେମାନଙ୍କ ଦେବତାଗଣର ନାମ ଆପଣା ଓଷ୍ଠାଧରରେ ନେବି ନାହିଁ।

5ସଦାପ୍ରଭୁ ମୋହର ଅଧିକାରର ଓ ପାନପାତ୍ରର ବାଣ୍ଟ ସ୍ୱରୂପ; ତୁମ୍ଭେ ମୋହର ବାଣ୍ଟ ସ୍ଥିର କରୁଅଛ।

6ମୋ’ ପାଇଁ ମାପିବା ଦଉଡ଼ି ମନୋହର ସ୍ଥାନରେ ପଡ଼ିଅଛି; ହଁ, ମୁଁ ଉତ୍ତମ ଅଧିକାର ପାଇଅଛି।

7ମୁଁ ସଦାପ୍ରଭୁଙ୍କର ଧନ୍ୟବାଦ କରିବି, ଯେ ମୋତେ ପରାମର୍ଶ ଦେଇଅଛନ୍ତି; ଆହୁରି, ରାତ୍ରିକାଳରେ ମୋହର ଚିତ୍ତ ମୋତେ ଉପଦେଶ ଦିଏ।

8ମୁଁ ସର୍ବଦା ସଦାପ୍ରଭୁଙ୍କୁ ଆପଣା ସମ୍ମୁଖରେ ରଖିଅଛି; ସେ ମୋହର ଦକ୍ଷିଣ ପାଖରେ ଥିବାରୁ ମୁଁ ବିଚଳିତ ହେବି ନାହିଁ।

9ଏଥିପାଇଁ ମୋହର ଅନ୍ତଃକରଣ ଆନନ୍ଦିତ ଓ ମୋହର ଗୌରବ ଉଲ୍ଲସିତ ହୁଅଇ; ମୋ’ ଶରୀର ମଧ୍ୟ ନିରାପଦରେ ବାସ କରିବ।

10କାରଣ ତୁମ୍ଭେ ମୋ’ ପ୍ରାଣକୁ ପାତାଳରେ ପରିତ୍ୟାଗ କରିବ ନାହିଁ; କିଅବା ତୁମ୍ଭେ ଆପଣା ପବିତ୍ର ଜନକୁ କ୍ଷୟ ପାଇବାକୁ ଦେବ ନାହିଁ।

11ତୁମ୍ଭେ ମୋତେ ଜୀବନର ପଥ ଦେଖାଇବ; ତୁମ୍ଭ ସମ୍ମୁଖରେ ଆନନ୍ଦର ପୂର୍ଣ୍ଣତା ଥାଏ; ତୁମ୍ଭ ଦକ୍ଷିଣ ପାଖରେ ନିତ୍ୟ ସୁଖଭୋଗ ଥାଏ।”

17

ଜଣେ ନିରୀହ ଲୋକର ପ୍ରାର୍ଥନା

ଦାଉଦଙ୍କର ପ୍ରାର୍ଥନା।

1ହେ ସଦାପ୍ରଭୁ, ନ୍ୟାୟବାଦ ଶୁଣ, ମୋ’ କାକୂକ୍ତିରେ ମନୋଯୋଗ କର;

ନିଷ୍କପଟ ଓଷ୍ଠରୁ ନିର୍ଗତ ମୋ’ ପ୍ରାର୍ଥନାରେ କର୍ଣ୍ଣପାତ କର।

2ତୁମ୍ଭ ଛାମୁରୁ ମୋ’ ବିଚାରର ନିଷ୍ପତ୍ତି ଆସୁ; ତୁମ୍ଭର ଚକ୍ଷୁ ନ୍ୟାଯ୍ୟ ବିଷୟ ନିରୀକ୍ଷଣ କରୁ।

3ତୁମ୍ଭେ ମୋହର ଅନ୍ତଃକରଣ ପରୀକ୍ଷା କରିଅଛ; ତୁମ୍ଭେ ରାତ୍ରିକାଳରେ ମୋର ତତ୍ତ୍ୱାନୁସନ୍ଧାନ କରିଅଛ;

ତୁମ୍ଭେ ମୋତେ ପରଖ କରି କିଛି ପାଇ ନାହଁ;

ମୋହର ମୁଖ ଅପରାଧ ନ କରିବ ବୋଲି ମୁଁ ସ୍ଥିର କରିଅଛି।

4ମନୁଷ୍ୟର କାର୍ଯ୍ୟ ବୁଝି ମୁଁ ତୁମ୍ଭ ଓଷ୍ଠାଧରର ବାକ୍ୟ ଦ୍ୱାରା ଦୁର୍ଜ୍ଜନର ପଥରୁ ଆପଣାକୁ ରକ୍ଷା କରିଅଛି।

5ମୋହର ପାଦ ତୁମ୍ଭର ମାର୍ଗ ଦୃଢ଼ କରି ଧରିଅଛି, ମୋହର ଚରଣ ଖସିଯାଇ ନାହିଁ।

6ମୁଁ ତୁମ୍ଭଙ୍କୁ ଡାକିଅଛି, କାରଣ ହେ ପରମେଶ୍ୱର, ତୁମ୍ଭେ ମୋତେ ଉତ୍ତର ଦେବ; ମୋ’ ପ୍ରତି କର୍ଣ୍ଣ ଡେର ଓ ମୋ’ର କଥା ଶୁଣ।

7ଆହେ ସ୍ୱଶରଣାଗତମାନଙ୍କୁ ସେମାନଙ୍କ ବିରୁଦ୍ଧରେ ଉତ୍‍ଥିତ ଲୋକଗଣଠାରୁ ସ୍ୱଦକ୍ଷିଣ ହସ୍ତରେ ତ୍ରାଣକାରକ, ତୁମ୍ଭେ ଆପଣା ଆଶ୍ଚର୍ଯ୍ୟ ସ୍ନେହପୂର୍ଣ୍ଣ କରୁଣା ପ୍ରକାଶ କର।

8ମୋହର ଲୁଟକାରୀ ଦୁଷ୍ଟଗଣଠାରୁ, ମୋହର ଚତୁର୍ଦ୍ଦିଗରେ ବେଷ୍ଟିତ ମୋହର ପ୍ରାଣନାଶକ ଶତ୍ରୁଗଣଠାରୁ,

9ଚକ୍ଷୁର ତାରା ପରି ମୋତେ ରଖ, ଆପଣା ପକ୍ଷର ଛାୟା ତଳେ ମୋତେ ଲୁଚାଅ।

10ସେମାନେ ଆପଣା ମେଦରେ ଆଚ୍ଛନ୍ନ ଅଟନ୍ତି; ସେମାନେ ମୁଖରେ ଅହଙ୍କାର କଥା କହନ୍ତି।

11ଏବେ ସେମାନେ ଆମ୍ଭମାନଙ୍କ ଗମନ ସମୟରେ ଆମ୍ଭମାନଙ୍କୁ ଘେରନ୍ତି; ସେମାନେ ଆମ୍ଭମାନଙ୍କୁ ଭୂମିସାତ୍‍ କରିବାକୁ ଚାହିଁ ରହିଥା’ନ୍ତି।

12ସେ ଶିକାର ଗ୍ରାସ କରିବାକୁ ଉଦ୍ୟତ ସିଂହ ତୁଲ୍ୟ ଓ ଗୁପ୍ତ ସ୍ଥାନରେ ଛକି ରହିବା ଯୁବା ସିଂହ ସଦୃଶ ଅଟେ।

13ହେ ସଦାପ୍ରଭୁ, ଉଠ, ତାହାର ସମ୍ମୁଖବର୍ତ୍ତୀ ହୁଅ, ତାହାକୁ ନୁଆଁଇ ପକାଅ; ତୁମ୍ଭେ ଆପଣା ଖଡ୍ଗ ଦ୍ୱାରା ଦୁଷ୍ଟମାନଙ୍କଠାରୁ ମୋ’ ପ୍ରାଣକୁ ଉଦ୍ଧାର କର;

14ହେ ସଦାପ୍ରଭୁ, ଆପଣା ହସ୍ତ ଦ୍ୱାରା ଲୋକମାନଙ୍କଠାରୁ, ଯେଉଁମାନଙ୍କର ଅଂଶ ଇହଜୀବନରେ ଅଛି ଓ ଯେଉଁମାନଙ୍କ ଉଦର ତୁମ୍ଭେ ନିଜ ଧନରେ ପୂର୍ଣ୍ଣ କରୁଅଛ, ଏପରି ସାଂସାରିକ ଲୋକମାନଙ୍କଠାରୁ ମୋତେ ଉଦ୍ଧାର କର;

ସେମାନେ ସନ୍ତାନସନ୍ତତିରେ ପରିତୃପ୍ତ ଓ ଆପଣା ଆପଣା ଶିଶୁଗଣ ନିମନ୍ତେ ଆପଣାମାନଙ୍କ ଅବଶିଷ୍ଟ ସମ୍ପତ୍ତି ଛାଡ଼ିଯା’ନ୍ତି।

15ମାତ୍ର ମୁଁ ଧର୍ମରେ ତୁମ୍ଭ ମୁଖ ଦର୍ଶନ କରିବି; ମୁଁ ତୁମ୍ଭ ଆକାରରେ ଜାଗ୍ରତ ହେବା ବେଳେ ପରିତୃପ୍ତ ହେବି।

18

ଦାଉଦଙ୍କ ବିଜୟ ସଂଗୀତ

ପ୍ରଧାନ ବାଦ୍ୟକର ନିମନ୍ତେ ସଦାପ୍ରଭୁଙ୍କ ଦାସ ଦାଉଦଙ୍କର ଗୀତ। ସଦାପ୍ରଭୁ ଶତ୍ରୁମାନଙ୍କ ହସ୍ତରୁ ଓ ଶାଉଲଙ୍କ ହସ୍ତରୁ ତାଙ୍କୁ ଉଦ୍ଧାର କରିବା ଦିନ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ଗୀତର କଥା ନିବେଦନ କରିଥିଲେ; ସେ କହିଲେ,

1ହେ ମୋହର ବଳ ସ୍ୱରୂପ ସଦାପ୍ରଭୁ, ମୁଁ ତୁମ୍ଭଙ୍କୁ ପ୍ରେମ କରେ।

2ସଦାପ୍ରଭୁ ମୋହର ଶୈଳ, ମୋହର ଗଡ଼ ଓ ମୋହର ଉଦ୍ଧାରକର୍ତ୍ତା; ମୋହର ପରମେଶ୍ୱର, ମୋହର ଦୃଢ଼ ଶୈଳ, ମୁଁ ତାହାଙ୍କଠାରେ ଶରଣ ନେବି;

ମୋହର ଢାଲ ଓ ମୋହର ପରିତ୍ରାଣର ଶୃଙ୍ଗ, ମୋହର ଉଚ୍ଚ ଦୁର୍ଗ।

3ମୁଁ ପ୍ରଶଂସନୀୟ ସଦାପ୍ରଭୁଙ୍କୁ ଡାକିବି; ତହିଁରେ ମୁଁ ଆପଣା ଶତ୍ରୁଗଣଠାରୁ ନିସ୍ତାର ପାଇବି।

4ମୃତ୍ୟୁୁର ରଜ୍ଜୁ ମୋତେ ବେଷ୍ଟନ କଲା, ପାପାଧମତାରୂପ ପ୍ଳାବନ ମୋତେ ଭୟଗ୍ରସ୍ତ କଲା।

5ପାତାଳର ରଜ୍ଜୁସବୁ ମୋ’ ଚାରିଆଡ଼େ ଥିଲା; ମୃତ୍ୟୁୁର ଫାନ୍ଦ ମୋ’ ଉପରେ ପଡ଼ିଲା।

6ମୁଁ ଆପଣା ଦୁର୍ଦ୍ଦଶା ସମୟରେ ସଦାପ୍ରଭୁଙ୍କୁ ଡାକିଲି ଓ ମୋ’ ପରମେଶ୍ୱରଙ୍କ ନିକଟରେ ଆର୍ତ୍ତନାଦ କଲି; ସେ ଆପଣା ମନ୍ଦିରରୁ ମୋହର ରବ ଶୁଣିଲେ, ପୁଣି,

ତାହାଙ୍କ ସମ୍ମୁଖରେ କୃତ ମୋହର ଆର୍ତ୍ତନାଦ ତାହାଙ୍କ କର୍ଣ୍ଣରେ ପ୍ରବେଶ କଲା।

7ସେତେବେଳେ ପୃଥିବୀ ଟଳଟଳ ଓ କମ୍ପିତ ହେଲା,

ପର୍ବତଗଣର ଭିତ୍ତିମୂଳ ମଧ୍ୟ ବିଚଳିତ ହେଲା ଓ

ତାହାଙ୍କ କୋପ ସକାଶୁ ଟଳଟଳ ହେଲା।

8ତାହାଙ୍କ ନାସାରନ୍ଧ୍ରରୁ ଧୂମ ନିର୍ଗତ ହେଲା ଓ ତାହାଙ୍କ ମୁଖନିର୍ଗତ ଅଗ୍ନି ଗ୍ରାସ କଲା; ତଦ୍ଦ୍ୱାରା ଅଙ୍ଗାର ପ୍ରଜ୍ୱଳିତ ହେଲା।

9ସେ ଆକାଶମଣ୍ଡଳକୁ ହିଁ ନୁଆଁଇ ତଳକୁ ଆସିଲେ; ଆଉ, ତାହାଙ୍କ ପାଦ ତଳେ ଘୋର ଅନ୍ଧକାର ଥିଲା।

10ପୁଣି, ସେ କିରୂବ18:10 କିରୂବ ଏଗୁଡିକ ପକ୍ଷଥିବା ପ୍ରାଣୀ ଯେଉଁମାନେ ସ୍ବର୍ଗରେ ସଦାପ୍ରଭୁଙ୍କ ସିଂହାସନକୁ ପ୍ରହରୀ କରନ୍ତି। ଉପରେ ଆରୋହଣ କରି ଉଡ଼ିଲେ; ହଁ, ସେ ବାୟୁର ପକ୍ଷ ଉପରେ ବେଗରେ ଉଡ଼ିଲେ।

11ସେ ଅନ୍ଧକାରକୁ ଆପଣାର ଗୁପ୍ତ ସ୍ଥାନ ଓ ଜଳମୟ ଅନ୍ଧକାରକୁ, ଗଗନମଣ୍ଡଳର ନିବିଡ଼ ମେଘମାଳକୁ ଆପଣା ଚତୁର୍ଦ୍ଦିଗରେ ଆବାସ ସ୍ୱରୂପ କଲେ।

12ତାହାଙ୍କ ସମ୍ମୁଖବର୍ତ୍ତୀ ତେଜରେ ତାହାଙ୍କର ନିବିଡ଼ ମେଘମାଳ ଶିଳାବୃଷ୍ଟି ଓ ପ୍ରଜ୍ୱଳିତ ଅଙ୍ଗାର ନିର୍ଗତ କଲା।

13ସଦାପ୍ରଭୁ ମଧ୍ୟ ଆକାଶମଣ୍ଡଳରେ ବଜ୍ରନାଦ କଲେ ଓ ସର୍ବୋପରିସ୍ଥ ଆପଣା ରବ ଉଚ୍ଚାରଣ କଲେ।18:13 ଏବ୍ରୀ ଭାଷାରେ ତାହା ଶିଳାବୃଷ୍ଟି ଓ ପ୍ରଜ୍ୱଳିତ ଅଙ୍ଗାର ଅଛି କିନ୍ତୁ ଗ୍ରୀକ ଅନୁବାଦରେ ନାହିଁ।

14ଆଉ, ସେ ଆପଣା ତୀର ପ୍ରେରଣ କରି ସେମାନଙ୍କୁ ଛିନ୍ନଭିନ୍ନ କଲେ; ହଁ, ଅନେକ ବିଜୁଳି ପଠାଇ ସେମାନଙ୍କୁ ବ୍ୟାକୁଳ କଲେ।

15ସେତେବେଳେ, ହେ ସଦାପ୍ରଭୁ, ତୁମ୍ଭ ତର୍ଜ୍ଜନରେ ଓ ନାସିକାର ପ୍ରଶ୍ୱାସ ବାୟୁରେ

ଜଳରାଶିର ପ୍ରଣାଳୀ ପ୍ରକାଶିତ ହେଲା ଓ ଭୂମଣ୍ଡଳର ମୂଳସକଳ ଅନାବୃତ ହେଲା।

16ସେ ଊର୍ଦ୍ଧ୍ୱରୁ ହସ୍ତ ବିସ୍ତାର କରି ମୋତେ ଧରିଲେ; ସେ ଆପଣା ଜଳରାଶିରୁ ମୋତେ ଓଟାରି ଆଣିଲେ,

17ସେ ମୋହର ବଳବାନ ଶତ୍ରୁଠାରୁ ଓ ମୋହର ଘୃଣାକାରୀମାନଙ୍କଠାରୁ ମୋତେ ଉଦ୍ଧାର କଲେ, କାରଣ ସେମାନେ ମୋ’ ଅପେକ୍ଷା ଅତି ପରାକ୍ରାନ୍ତ ଥିଲେ।

18ସେମାନେ ମୋହର ବିପଦ ଦିନରେ ମୋତେ ଆକ୍ରମଣ କଲେ; ମାତ୍ର ସଦାପ୍ରଭୁ ମୋତେ ଉଦ୍ଧାର କଲେ।

19ମଧ୍ୟ ସେ ମୋତେ ବାହାର କରି ପ୍ରଶସ୍ତ ସ୍ଥାନକୁ ଆଣିଲେ; ସେ ମୋ’ଠାରେ ସନ୍ତୁଷ୍ଟ ହେବାରୁ ମୋତେ ଉଦ୍ଧାର କଲେ।

20ସଦାପ୍ରଭୁ ମୋହର ଧର୍ମାନୁସାରେ ମୋତେ ପୁରସ୍କାର ଦେଲେ; ମୋ’ ହସ୍ତର ଶୌଚ ଅନୁସାରେ ସେ ମୋତେ ଫଳ ଦେଲେ।

21କାରଣ ମୁଁ ସଦାପ୍ରଭୁଙ୍କ ପଥ ଧରିଅଛି ଓ ଦୁଷ୍ଟ ଭାବରେ ମୁଁ ପରମେଶ୍ୱରଙ୍କ ନିକଟରୁ ପ୍ରସ୍ଥାନ କରି ନାହିଁ।

22ଆଉ, ତାହାଙ୍କ ଶାସନସବୁ ମୋ’ ସମ୍ମୁଖରେ ଥିଲା, ପୁଣି, ମୁଁ ତାହାଙ୍କ ବିଧିସବୁ ଆପଣାଠାରୁ ଦୂର କଲି ନାହିଁ।

23ମଧ୍ୟ ମୁଁ ତାହାଙ୍କ ଉଦ୍ଦେଶ୍ୟରେ ସିଦ୍ଧ ଥିଲି ଓ ମୁଁ ନିଜ ଅପରାଧରୁ ଆପଣାକୁ ରକ୍ଷା କଲି।

24ଏହେତୁ ସଦାପ୍ରଭୁ ମୋର ଧର୍ମାନୁସାରେ ଓ ତାହାଙ୍କ ଦୃଷ୍ଟିରେ ମୋ’ ହସ୍ତର ଶୌଚାନୁସାରେ ମୋତେ ଫଳ ଦେଇ ଅଛନ୍ତି।

25ଦୟାଳୁ ପ୍ରତି ତୁମ୍ଭେ ଆପଣାକୁ ଦୟାଳୁ ଦେଖାଇବ;

ସିଦ୍ଧ ଲୋକ ପ୍ରତି ତୁମ୍ଭେ ଆପଣାକୁ ସିଦ୍ଧ ଦେଖାଇବ;

26ନିର୍ମଳ ଲୋକ ପ୍ରତି ତୁମ୍ଭେ ଆପଣାକୁ ନିର୍ମଳ ଦେଖାଇବ। ଆଉ, କୁଟିଳ ଲୋକ ପ୍ରତି ତୁମ୍ଭେ ଆପଣାକୁ ଚତୁର ଦେଖାଇବ;

27କାରଣ ତୁମ୍ଭେ ଦୁଃଖୀଲୋକମାନଙ୍କୁ ତ୍ରାଣ କରିବ; ମାତ୍ର ଦାମ୍ଭିକ ଚକ୍ଷୁକୁ ତୁମ୍ଭେ ନତ କରିବ।

28ଯେଣୁ ତୁମ୍ଭେ ମୋ’ ପ୍ରଦୀପ ଜ୍ୱଳାଇବ; ସଦାପ୍ରଭୁ ମୋ’ ପରମେଶ୍ୱର ମୋ’ ଅନ୍ଧକାରକୁ ଆଲୁଅମୟ କରିବେ।

29କାରଣ ତୁମ୍ଭ ଦ୍ୱାରା ମୁଁ ସୈନ୍ୟଦଳ ଉପରେ ଦୌଡ଼େ ଓ ମୋ’ ପରମେଶ୍ୱରଙ୍କ ଦ୍ୱାରା ମୁଁ ପ୍ରାଚୀର ଡିଏଁ।

30ପରମେଶ୍ୱରଙ୍କ ପଥ ସିଦ୍ଧ; ସଦାପ୍ରଭୁଙ୍କ ବାକ୍ୟ ସୁପରୀକ୍ଷିତ;

ସେ ଆପଣା ଶରଣାଗତ ସମସ୍ତଙ୍କର ଢାଲ।

31କାରଣ ସଦାପ୍ରଭୁଙ୍କ ଛଡ଼ା ପରମେଶ୍ୱର କିଏ ? ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଛଡ଼ା ଶୈଳ କିଏ ?

32ସେହି ପରମେଶ୍ୱର ବଳ ଦେଇ ମୋହର କଟି ବାନ୍ଧନ୍ତି ଓ ମୋହର ପଥ ସିଦ୍ଧ କରନ୍ତି।

33ସେ ମୋହର ଚରଣକୁ ହରିଣୀର ଚରଣ ପରି କରନ୍ତି ଓ ମୋତେ ମୋ’ ଉଚ୍ଚସ୍ଥଳୀରେ ସ୍ଥାପନ କରନ୍ତି।

34ସେ ମୋ’ ହସ୍ତକୁ ଯୁଦ୍ଧ କରିବା ପାଇଁ ଶିଖାନ୍ତି; ତେଣୁ ମୋ’ ବାହୁ ପିତ୍ତଳ ଧନୁ ନୁଆଁଏ।

35ତୁମ୍ଭେ ମଧ୍ୟ ଆପଣା ପରିତ୍ରାଣର ଢାଲ ମୋତେ ଦେଇଅଛ; ଆଉ, ତୁମ୍ଭର ଦକ୍ଷିଣ ହସ୍ତ ମୋତେ ଧରି ରଖିଅଛି ଓ ତୁମ୍ଭର ନମ୍ରତା ମୋତେ ବୃଦ୍ଧିପ୍ରାପ୍ତ କରିଅଛି।

36ତୁମ୍ଭେ ମୋ’ ପାଦ ପକାଇବାର ସ୍ଥାନ ପ୍ରଶସ୍ତ କରିଅଛ ଓ ମୋ’ ପାଦ ଖସି ଯାଇ ନାହିଁ।

37ମୁଁ ଆପଣା ଶତ୍ରୁମାନଙ୍କ ପଛେ ଗୋଡ଼ାଇ ସେମାନଙ୍କୁ ଧରିବି; କିଅବା ସେମାନେ ସଂହାରିତ ନୋହିବା ଯାଏ ମୁଁ ଫେରି ଆସିବି ନାହିଁ।

38ମୁଁ ସେମାନଙ୍କୁ ଏପରି ଆଘାତ କରିବି ଯେ, ସେମାନେ ଆଉ ଉଠି ପାରିବେ ନାହିଁ; ସେମାନେ ମୋ’ ପଦ ତଳେ ପତିତ ହେବେ।

39କାରଣ ତୁମ୍ଭେ ବଳ ଦେଇ ଯୁଦ୍ଧାର୍ଥେ ମୋ’ କଟି ବାନ୍ଧିଅଛ; ମୋ’ ବିରୁଦ୍ଧରେ ଯେଉଁମାନେ ଉଠିଲେ, ସେମାନଙ୍କୁ ତୁମ୍ଭେ ମୋହର ବଶୀଭୂତ କରିଅଛ।

40ମଧ୍ୟ ତୁମ୍ଭେ ମୋ’ ଶତ୍ରୁମାନଙ୍କୁ ମୋ’ ନିକଟରୁ ଫେରାଇ ଦେଇଅଛ, ତହିଁରେ ମୁଁ ଆପଣା ଘୃଣାକାରୀମାନଙ୍କୁ ଉଚ୍ଛିନ୍ନ କରିଅଛି।

41ସେମାନେ ଡାକ ପକାଇଲେ, ମାତ୍ର ଉଦ୍ଧାର କରିବାକୁ କେହି ନ ଥିଲା,

ସଦାପ୍ରଭୁଙ୍କୁ ହିଁ ଡାକିଲେ, ମାତ୍ର ସେ ସେମାନଙ୍କୁ ଉତ୍ତର ଦେଲେ ନାହିଁ।

42ସେତେବେଳେ ମୁଁ ବାୟୁ ସମ୍ମୁଖସ୍ଥ ଧୂଳି ପରି ସେମାନଙ୍କୁ ଚୂର୍ଣ୍ଣ କଲି; ମୁଁ ସେମାନଙ୍କୁ ବାଟର କାଦୁଅ ପରି ପକାଇଦେଲି।

43ତୁମ୍ଭେ ଲୋକମାନଙ୍କ ବିବାଦରୁ ମୋତେ ଉଦ୍ଧାର କରିଅଛ; ତୁମ୍ଭେ ମୋତେ ଗୋଷ୍ଠୀସମୂହର ମସ୍ତକ ସ୍ୱରୂପ କରିଅଛ; ମୋହର ଅପରିଚିତ ଗୋଷ୍ଠୀ ମୋହର ସେବା କରିବେ।

44ସେମାନେ ମୋର ବିଷୟ ଶୁଣିବା ମାତ୍ରେ ମୋହର ଆଜ୍ଞାବହ ହେବେ; ବିଦେଶୀୟମାନେ ଆପଣାମାନଙ୍କୁ ମୋହର ବଶୀଭୂତ କରିବେ।

45ବିଦେଶୀୟମାନେ ମ୍ଳାନ ହୋଇଯିବେ ଓ ଆପଣାମାନଙ୍କ ଗୁପ୍ତସ୍ଥାନରୁ ଥରହର ହୋଇ ବାହାରି ଆସିବେ।

46ସଦାପ୍ରଭୁ ଜୀବିତ; ମୋହର ଶୈଳ ଧନ୍ୟ ହେଉନ୍ତୁ ଓ ମୋହର ପରିତ୍ରାଣ ସ୍ୱରୂପ ପରମେଶ୍ୱର ଉନ୍ନତ ହେଉନ୍ତୁ।

47ସେହି ପରମେଶ୍ୱର ମୋ’ ପକ୍ଷରେ ପରିଶୋଧ ନିଅନ୍ତି ଓ ଗୋଷ୍ଠୀୟମାନଙ୍କୁ ମୋହର ବଶୀଭୂତ କରନ୍ତି।

48ସେ ମୋ’ ଶତ୍ରୁଗଣଠାରୁ ମୋତେ ରକ୍ଷା କରନ୍ତି; ହଁ, ତୁମ୍ଭେ ମୋ’ ବିରୁଦ୍ଧରେ ଉତ୍‍ଥିତ ଲୋକମାନଙ୍କ ଉପରେ ମୋତେ ଉଚ୍ଚୀକୃତ କରୁଅଛ; ତୁମ୍ଭେ ଉପଦ୍ରବୀ ଲୋକଠାରୁ ମୋତେ ଉଦ୍ଧାର କରୁଅଛ।

49ଏହେତୁ, ହେ ସଦାପ୍ରଭୁ, ମୁଁ ଗୋଷ୍ଠୀୟମାନଙ୍କ ମଧ୍ୟରେ ତୁମ୍ଭର ଧନ୍ୟବାଦ କରିବି ଓ ତୁମ୍ଭ ନାମର ପ୍ରଶଂସା ଗାନ କରିବି।

50ସେ ଆପଣା ରାଜାକୁ ମହାପରିତ୍ରାଣ18:50 ମହାପରିତ୍ରାଣ ଅର୍ଥାତ୍ ମହାବିଜୟ ପ୍ରଦାନ କରନ୍ତି ଓ ଆପଣା ଅଭିଷିକ୍ତ ପ୍ରତି, ଦାଉଦ ପ୍ରତି ଓ ତାହାର ବଂଶ ପ୍ରତି ଅନନ୍ତକାଳ ସ୍ନେହପୂର୍ଣ୍ଣ କରୁଣା ପ୍ରକାଶ କରନ୍ତି।

19

ସୃଷ୍ଟିରେ ସଦାପ୍ରଭୁଙ୍କ ମହିମା

ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।

1ଆକାଶମଣ୍ଡଳ ପରମେଶ୍ଵରଙ୍କ ଗୌରବ ବର୍ଣ୍ଣନା କରେ;

ଶୂନ୍ୟମଣ୍ଡଳ ତାହାଙ୍କ ହସ୍ତକୃତ କର୍ମ ପ୍ରକାଶ କରେ।

2ଦିବସ ଦିବସ ପ୍ରତି ବାକ୍ୟ ଉଚ୍ଚାରଣ କରେ ଓ

ରାତ୍ରି ରାତ୍ରି ପ୍ରତି ଜ୍ଞାନ ପ୍ରକାଶ କରେ।

3କୌଣସି ବାକ୍ୟ କି ଭାଷା ନ ଥାଏ;

ସେମାନଙ୍କ ରବ ଶୁଣାଯାଇ ନ ପାରେ।

4ତଥାପି ସେମାନଙ୍କର ରଜ୍ଜୁ ସମୁଦାୟ ପୃଥିବୀରେ ଓ

ସେମାନଙ୍କର ବାକ୍ୟ ଜଗତର ସୀମା ପର୍ଯ୍ୟନ୍ତ ବ୍ୟାପ୍ତ।

ସେମାନଙ୍କ ମଧ୍ୟରେ ସେ ସୂର୍ଯ୍ୟ ନିମନ୍ତେ ଏକ ଆବାସ ସ୍ଥାପନ କରିଅଛନ୍ତି,

5ସେ ଆପଣା ଅନ୍ତଃପୁରରୁ ବାହାରି ଆସିବା ବର ତୁଲ୍ୟ

ଓ ସେ ଆପଣା ପଥରେ ଦୌଡ଼ିବା ପାଇଁ ବୀର ତୁଲ୍ୟ ଆନନ୍ଦ କରେ।

6ଆକାଶମଣ୍ଡଳର ପ୍ରାନ୍ତରୁ ତାହାର ଉଦୟ

ଓ ତହିଁର ଅନ୍ୟ ପ୍ରାନ୍ତ ପର୍ଯ୍ୟନ୍ତ ତାହାର ଭ୍ରମଣ ହୁଅଇ;

ପୁଣି, ତାହାର ଉତ୍ତାପରୁ କୌଣସି ବସ୍ତୁ ଗୁପ୍ତ ନ ଥାଏ।

ସଦାପ୍ରଭୁଙ୍କ ବ୍ୟବସ୍ଥା

7ସଦାପ୍ରଭୁଙ୍କ ବ୍ୟବସ୍ଥା ସିଦ୍ଧ, ପ୍ରାଣର ସ୍ୱାସ୍ଥ୍ୟଜନକ;

ସଦାପ୍ରଭୁଙ୍କ ପ୍ରମାଣ-ବାକ୍ୟ ଅଟଳ, ଅଳ୍ପ ବୁଦ୍ଧିର ଜ୍ଞାନଦାୟକ

8ସଦାପ୍ରଭୁଙ୍କର ବିଧିସବୁ ଯଥାର୍ଥ, ଚିତ୍ତର ଆନନ୍ଦଜନକ;

ସଦାପ୍ରଭୁଙ୍କର ଆଜ୍ଞା ନିର୍ମଳ, ଚକ୍ଷୁର ଦୀପ୍ତିଦାୟକ।

9ସଦାପ୍ରଭୁଙ୍କ ଭୟ ଶୁଚି, ସଦାକାଳସ୍ଥାୟୀ।

ସଦାପ୍ରଭୁଙ୍କ ଶାସନସକଳ ସତ୍ୟ ଓ ସର୍ବତୋଭାବେ ନ୍ୟାଯ୍ୟ।

10ତାହାସବୁ ସୁବର୍ଣ୍ଣ ଓ ପ୍ରଚୁର ଶୁଦ୍ଧସୁବର୍ଣ୍ଣ ଅପେକ୍ଷା ବାଞ୍ଛନୀୟ;

ଆଉ, ମଧୁ ଓ ମଧୁଚାକଠାରୁ ସୁମିଷ୍ଟ।

11ଆହୁରି, ତଦ୍ଦ୍ୱାରା ତୁମ୍ଭ ଦାସ ଚେତନା ପାଏ;

ତହିଁର ପ୍ରତିପାଳନରେ ମହାଫଳ ଥାଏ।

12ଆପଣା ଭ୍ରାନ୍ତିସବୁ କିଏ ବୁଝିପାରେ ?

ତୁମ୍ଭେ ଗୁପ୍ତଦୋଷରୁ ମୋତେ ପରିଷ୍କାର କର।

13ଦୁଃସାହସଜନିତ ସବୁ ପାପରୁ ହିଁ ଆପଣା ଦାସକୁ ଅଟକାଇ ରଖ;

ତାହାସବୁ ମୋ’ ଉପରେ କର୍ତ୍ତୃତ୍ୱ ନ କରୁ;

ତହିଁରେ ମୁଁ ସିଦ୍ଧ ହେବି, ପୁଣି, ମହାପରାଧରୁ ପରିଷ୍କୃତ ହେବି।

14ହେ ସଦାପ୍ରଭୁ, ମୋହର ଶୈଳ ଓ ମୋହର ମୁକ୍ତିକର୍ତ୍ତା,

ତୁମ୍ଭ ଦୃଷ୍ଟିରେ ମୋ’ ମୁଖର ବାକ୍ୟ ଓ

ମୋ’ ଅନ୍ତଃକରଣର ଧ୍ୟାନ ସୁଗ୍ରାହ୍ୟ ହେଉ।

20

ବିଜୟ ପାଇଁ ପ୍ରାର୍ଥନା

ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।

1ସଦାପ୍ରଭୁ ସଙ୍କଟ ଦିନରେ ତୁମ୍ଭକୁ ଉତ୍ତର ଦେଉନ୍ତୁ;

ଯାକୁବର ପରମେଶ୍ୱରଙ୍କ ନାମ ତୁମ୍ଭକୁ ରକ୍ଷା ସ୍ଥାପନ କରନ୍ତୁ;

2ସେ ପବିତ୍ର ସ୍ଥାନରୁ ତୁମ୍ଭର ସାହାଯ୍ୟ ପଠାଉନ୍ତୁ,

ସିୟୋନଠାରୁ ତୁମ୍ଭକୁ ବଳବାନ କରନ୍ତୁ;

3ତୁମ୍ଭର ନୈବେଦ୍ୟସବୁ ସ୍ମରଣ କରନ୍ତୁ,

ପୁଣି, ତୁମ୍ଭର ହୋମବଳି ଗ୍ରହଣ କରନ୍ତୁ;

[ସେଲା]

4ତୁମ୍ଭର ମନୋବାଞ୍ଛା ପୂର୍ଣ୍ଣ କରନ୍ତୁ

ଓ ତୁମ୍ଭର ଯୋଜନାସବୁ ସଫଳ କରନ୍ତୁ।

5ଆମ୍ଭେମାନେ ତୁମ୍ଭ ପରିତ୍ରାଣରେ ଜୟଧ୍ୱନି କରିବୁ

ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନାମରେ ଆମ୍ଭେମାନେ ଧ୍ୱଜା ସ୍ଥାପନ କରିବୁ;

ସଦାପ୍ରଭୁ ତୁମ୍ଭର ସବୁ ନିବେଦନ ସିଦ୍ଧ କରନ୍ତୁ।

6ଏବେ ମୁଁ ଜାଣୁଅଛି ଯେ, ସଦାପ୍ରଭୁ ଆପଣା ଅଭିଷିକ୍ତକୁ ଉଦ୍ଧାର କରନ୍ତି,

ସେ ଆପଣା ଡାହାଣ ହସ୍ତର ତ୍ରାଣ ଶକ୍ତିରେ

ନିଜ ପବିତ୍ର ସ୍ୱର୍ଗରୁ ତାହାକୁ ଉତ୍ତର ଦେବେ।

7କେହି କେହି ରଥରେ ଓ କେହି କେହି ଅଶ୍ୱରେ ନିର୍ଭର କରନ୍ତି;

ମାତ୍ର ଆମ୍ଭେମାନେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଶକ୍ତିରେ ନିର୍ଭର କରୁ।

8ସେମାନେ ନତ ହୋଇ ପତିତ ହୋଇଅଛନ୍ତି;

ମାତ୍ର ଆମ୍ଭେମାନେ ଉଠି ସଳଖ ଠିଆ ହେଉଅଛୁ।

9ହେ ସଦାପ୍ରଭୁ, ପରିତ୍ରାଣ କର;

ଆମ୍ଭେମାନେ ଡାକିବା ବେଳେ ରାଜା ଆମ୍ଭମାନଙ୍କୁ ଉତ୍ତର ଦେଉନ୍ତୁ।

21

ଜୟ ଗାନ

ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।

1ହେ ସଦାପ୍ରଭୁ, ରାଜା ତୁମ୍ଭ ବଳରେ ଆନନ୍ଦ କରିବେ ଓ

ତୁମ୍ଭ ପରିତ୍ରାଣରେ21:1 ପରିତ୍ରାଣରେ ଅର୍ଥାତ୍ ଜୟରେ ସେ କେଡ଼େ ମହାନନ୍ଦ କରିବେ !

2ତୁମ୍ଭେ ତାଙ୍କୁ ତାଙ୍କ ମନର ବାଞ୍ଛା ପ୍ରଦାନ କରିଅଛ,

ଓ ତାଙ୍କ ମୁଖର ନିବେଦନ ଅସ୍ୱୀକାର କରି ନାହଁ।

[ସେଲା]

3କାରଣ ତୁମ୍ଭେ ନାନା ମଙ୍ଗଳ ଆଶୀର୍ବାଦ ଘେନି ତାଙ୍କର ସମ୍ମୁଖବର୍ତ୍ତୀ ହେଉଅଛ;

ତୁମ୍ଭେ ତାଙ୍କ ମସ୍ତକରେ ଶୁଦ୍ଧ ସୁବର୍ଣ୍ଣ ମୁକୁଟ ଦେଉଅଛ।

4ସେ ତୁମ୍ଭ ନିକଟରେ ଜୀବନ ପ୍ରାର୍ଥନା କଲେ,

ତୁମ୍ଭେ ତାହା ତାଙ୍କୁ ଦେଲ;

ଆହୁରି, ଅନନ୍ତକାଳସ୍ଥାୟୀ ଦୀର୍ଘାୟୁ ଦାନ କଲ।

5ତୁମ୍ଭ କୃତ ପରିତ୍ରାଣରେ ତାଙ୍କର ମହାଗୌରବ ହୋଇଅଛି;

ତୁମ୍ଭେ ତାଙ୍କ ଉପରେ ସମ୍ଭ୍ରମ ଓ ପ୍ରତାପ ଅର୍ପଣ କରୁଅଛ;

6କାରଣ ତୁମ୍ଭେ ତାଙ୍କୁ ସଦାକାଳ ଆଶୀର୍ବାଦଯୁକ୍ତ କରୁଅଛ;

ତୁମ୍ଭେ ଆପଣା ଶ୍ରୀଛାମୁର ଆନନ୍ଦରେ ତାଙ୍କୁ ଉଲ୍ଲସିତ କରୁଅଛ।

7କାରଣ ରାଜା ସଦାପ୍ରଭୁଙ୍କଠାରେ ନିର୍ଭର କରନ୍ତି,

ପୁଣି, ସର୍ବୋପରିସ୍ଥଙ୍କ ସ୍ନେହପୂର୍ଣ୍ଣ କରୁଣା ହେତୁରୁ ସେ ବିଚଳିତ ନୋହିବେ।

8ତୁମ୍ଭ ହସ୍ତ ତୁମ୍ଭ ଶତ୍ରୁ ସମସ୍ତଙ୍କୁ ଧରିବ;

ତୁମ୍ଭର ଦକ୍ଷିଣ ହସ୍ତ ତୁମ୍ଭର ଘୃଣାକାରୀମାନଙ୍କୁ ଧରିବ।

9ତୁମ୍ଭେ ଆପଣା କ୍ରୋଧ ସମୟରେ ସେମାନଙ୍କୁ ପ୍ରଜ୍ୱଳିତ ଭାଟୀ ତୁଲ୍ୟ କରିବ।

ସଦାପ୍ରଭୁ ଆପଣା କୋପରେ ସେମାନଙ୍କୁ ଗ୍ରାସ କରିବେ,

ପୁଣି, ଅଗ୍ନି ସେମାନଙ୍କୁ ଭକ୍ଷଣ କରିବ।

10ତୁମ୍ଭେ ପୃଥିବୀରୁ ସେମାନଙ୍କର ଫଳ ଓ

ଲୋକମାନଙ୍କ ମଧ୍ୟରୁ ସେମାନଙ୍କର ବଂଶ ଲୋପ କରିବ।

11କାରଣ ସେମାନେ ତୁମ୍ଭ ବିରୁଦ୍ଧରେ ଅନିଷ୍ଟ ଚିନ୍ତା କଲେ;

ସେମାନେ ଏକ କୌଶଳ କଳ୍ପନା କଲେ, ତାହା ସେମାନେ ସିଦ୍ଧ କରି ପାରନ୍ତି ନାହିଁ।

12ତୁମ୍ଭେ ସେମାନଙ୍କର ପୃଷ୍ଠ ଫେରାଇବ,

ତୁମ୍ଭେ ସେମାନଙ୍କ ମୁଖ ବିରୁଦ୍ଧରେ ଆପଣା ଧନୁର୍ଗୁଣ ସଜ୍ଜିତ କରିବ।

13ହେ ସଦାପ୍ରଭୁ, ନିଜ ବଳରେ ଉନ୍ନତ ହୁଅ;

ତହିଁରେ ଆମ୍ଭେମାନେ ତୁମ୍ଭ ପରାକ୍ରମର ଗାନ ଓ ପ୍ରଶଂସା କରିବା।

22

ବେଦନାର କ୍ରନ୍ଦନ ଓ ପ୍ରଶଂସାର ସଂଗୀତ

ପ୍ରଧାନ ବାଦ୍ୟକର ନିମନ୍ତେ ଆୟେଲତ୍‍ହସଶହର (ଅଋଣର ମୃଗୀ) ସ୍ୱରରେ ଦାଉଦଙ୍କର ଗୀତ।

1ହେ ମୋହର ପରମେଶ୍ୱର, ହେ ମୋହର ପରମେଶ୍ୱର, ତୁମ୍ଭେ କାହିଁକି ମୋତେ ପରିତ୍ୟାଗ କରିଅଛ ?

ମୋତେ ସାହାଯ୍ୟ କରିବାରୁ ଓ ମୋ’ ଆର୍ତ୍ତନାଦର ଉକ୍ତିରୁ ତୁମ୍ଭେ କାହିଁକି ଏତେ ଦୂରରେ ରହୁଅଛ ?

2ହେ ମୋହର ପରମେଶ୍ୱର, ମୁଁ ଦିନ ବେଳେ ଡାକେ, ମାତ୍ର ତୁମ୍ଭେ ଉତ୍ତର ଦେଉ ନାହଁ,

ଆଉ ରାତ୍ରିକାଳରେ ଡାକେ, ପୁଣି, ନୀରବ ନ ରହେ।

3ତଥାପି ହେ ଇସ୍ରାଏଲର ପ୍ରଶଂସା-ନିବାସୀନ୍‍,

ତୁମ୍ଭେ ପବିତ୍ର ଅଟ।

4ଆମ୍ଭମାନଙ୍କ ପୂର୍ବପୁରୁଷଗଣ ତୁମ୍ଭଠାରେ ବିଶ୍ୱାସ କଲେ;

ସେମାନେ ବିଶ୍ୱାସ କଲେ, ଆଉ ତୁମ୍ଭେ ସେମାନଙ୍କୁ ଉଦ୍ଧାର କଲ।

5ସେମାନେ ତୁମ୍ଭ ନିକଟରେ କ୍ରନ୍ଦନ କଲେ ଓ ଉଦ୍ଧାର ପାଇଲେ;

ସେମାନେ ତୁମ୍ଭଠାରେ ବିଶ୍ୱାସ କଲେ, ଆଉ ଲଜ୍ଜିତ ନୋହିଲେ।

6ମାତ୍ର ମୁଁ କୀଟ, ମନୁଷ୍ୟ ନୁହେଁ;

ମନୁଷ୍ୟମାନଙ୍କର ନିନ୍ଦାପାତ୍ର ଓ ଲୋକମାନଙ୍କର ଅବଜ୍ଞାତ।

7ମୋତେ ଦେଖିବା ଲୋକ ସମସ୍ତେ ମୋତେ ପରିହାସ କରନ୍ତି;

ସେମାନେ ଓଷ୍ଠ ଲମ୍ବାଇ, ମସ୍ତକ ହଲାଇ କହନ୍ତି,

8“ସଦାପ୍ରଭୁଙ୍କଠାରେ ସେ ଆପଣାକୁ ସମର୍ପଣ କଲା;

ସେ ତାହାକୁ ଉଦ୍ଧାର କରନ୍ତୁ;

ସେ ତାହାଠାରେ ସନ୍ତୁଷ୍ଟ, ତେଣୁ ସେ ତାହାକୁ ଉଦ୍ଧାର କରନ୍ତୁ।”

9ମାତ୍ର ତୁମ୍ଭେ ହିଁ ମୋତେ ଗର୍ଭରୁ ବାହାର କରି ଆଣିଅଛ;

ମୁଁ ଆପଣା ମାତୃ-କୋଳରେ ଥିବା ସମୟରେ ତୁମ୍ଭେ ମୋହର ବିଶ୍ୱାସ ଜନ୍ମାଇଅଛ।

10ଗର୍ଭରୁ ମୁଁ ତୁମ୍ଭଠାରେ ସମର୍ପିତ ହୋଇଥିଲି;

ମୋହର ମାତାର ଉଦରରୁ ତୁମ୍ଭେ ମୋହର ପରମେଶ୍ୱର ଅଟ।

11ମୋ’ଠାରୁ ଦୂରବର୍ତ୍ତୀ ହୁଅ ନାହିଁ; କାରଣ ସଙ୍କଟ ସନ୍ନିକଟ;

ସାହାଯ୍ୟକାରୀ କେହି ନାହିଁ।

12ଅନେକ ବୃଷ ମୋତେ ବେଷ୍ଟନ କରିଅଛନ୍ତି;

ବାଶନ ଦେଶର ବଳବାନ ବୃଷଗଣ ମୋତେ ଘେରିଅଛନ୍ତି।

13ସେମାନେ ଗ୍ରାସ କରିବାକୁ ଇଚ୍ଛା ଓ ଗର୍ଜ୍ଜନକାରୀ ସିଂହ ତୁଲ୍ୟ

ମୋ’ ପ୍ରତି ମୁଖ ମେଲାଇ ଅଛନ୍ତି।

14ମୁଁ ଜଳ ପରି ଢଳା ହେଉଅଛି ଓ

ମୋହର ସବୁ ଅସ୍ଥି ସନ୍ଧିରୁ ଖସି ପଡ଼ୁଅଛି।

ମୋହର ହୃଦୟ ମହମ ପରି ହୋଇଅଛି;

ତାହା ମୋ’ ଅନ୍ତ୍ର ମଧ୍ୟରେ ତରଳି ଯାଏ।

15ମୋହର ବଳ ଖପରା ପରି ଶୁଷ୍କ ହୋଇଅଛି;

ଆଉ, ମୋହର ଜିହ୍ୱା ତାଳୁରେ ଲାଗି ଯାଉଅଛି; ପୁଣି,

ତୁମ୍ଭେ ମୋହର ମୃତ୍ୟୁୁର ଧୂଳିକି ଆଣିଅଛ।

16କାରଣ କୁକ୍କୁରମାନେ ମୋତେ ବେଷ୍ଟନ କରିଅଛନ୍ତି;

ଦୁରାଚାରୀମାନଙ୍କ ମଣ୍ଡଳୀ ମୋତେ ବେଢ଼ିଅଛନ୍ତି;

ସେମାନେ ମୋହର ହସ୍ତ ପାଦ ବିଦ୍ଧ କରିଅଛନ୍ତି।

17ମୁଁ ଆପଣା ଅସ୍ଥିସବୁ ଗଣିପାରେ;

ସେମାନେ ମୋତେ ଅନାଇ ଚାହିଁ ରହିଥା’ନ୍ତି।

18ସେମାନେ ଆପଣାମାନଙ୍କ ମଧ୍ୟରେ ମୋହର ବସ୍ତ୍ର ବିଭାଗ କରନ୍ତି

ଓ ସେମାନେ ମୋ’ ଉତ୍ତରୀୟ ବସ୍ତ୍ର ପାଇଁ ଗୁଲିବାଣ୍ଟ କରନ୍ତି।

19ମାତ୍ର ହେ ସଦାପ୍ରଭୁ, ତୁମ୍ଭେ ମୋ’ଠାରୁ ଦୂରବର୍ତ୍ତୀ ହୁଅ ନାହିଁ;

ହେ ମୋହର ଆଶ୍ରୟ, ତୁମ୍ଭେ ମୋର ସାହାଯ୍ୟ ପାଇଁ ସତ୍ୱର ହୁଅ।

20ଖଡ୍ଗରୁ ମୋ’ ପ୍ରାଣକୁ ଓ

କୁକ୍କୁରର ବଳରୁ ମୋହର ଏକମାତ୍ର ଆତ୍ମାକୁ ଉଦ୍ଧାର କର।

21ସିଂହର ମୁଖରୁ ମୋତେ ନିସ୍ତାର କର;

ହଁ, ଅରଣା ଷଣ୍ଢର ଶୃଙ୍ଗରୁ ରକ୍ଷା କରି ତୁମ୍ଭେ ମୋତେ ଉତ୍ତର ଦେଇଅଛ।

22ମୁଁ ଆପଣା ଭ୍ରାତୃଗଣ ନିକଟରେ ତୁମ୍ଭ ନାମ ପ୍ରଚାର କରିବି;

ସମାଜ ମଧ୍ୟରେ ମୁଁ ତୁମ୍ଭର ପ୍ରଶଂସା କରିବି।

23ହେ ସଦାପ୍ରଭୁଙ୍କର ଭୟକାରୀଗଣ, ତୁମ୍ଭେମାନେ ତାହାଙ୍କର ପ୍ରଶଂସା କର;

ହେ ଯାକୁବର ବଂଶ, ତୁମ୍ଭେ ସମସ୍ତେ ତାହାଙ୍କର ସମାଦର କର;

ହେ ଇସ୍ରାଏଲର ବଂଶ, ତୁମ୍ଭେ ସମସ୍ତେ ତାହାଙ୍କ ନିକଟରେ ଭୀତ ହୁଅ।

24କାରଣ ସେ ଦୁଃଖୀର ଦୁଃଖ ତୁଚ୍ଛ କି ଘୃଣା କରି ନାହାନ୍ତି।

କିଅବା ସେ ତାହାଠାରୁ ଆପଣା ମୁଖ ଲୁଚାଇ ନାହାନ୍ତି;

ମାତ୍ର ସେ ତାହାଙ୍କୁ ଡାକନ୍ତେ, ସେ ଶୁଣିଲେ।

25ମହାସମାଜ ମଧ୍ୟରେ ତୁମ୍ଭେ ହିଁ ମୋହର ପ୍ରଶଂସା ଭୂମି;

ମୁଁ ତାହାଙ୍କ ଭୟକାରୀମାନଙ୍କ ସାକ୍ଷାତରେ ଆପଣା ମାନତସବୁ ପୂର୍ଣ୍ଣ କରିବି।

26ନମ୍ର ଲୋକମାନେ ଭୋଜନ କରି ପରିତୃପ୍ତ ହେବେ;

ସଦାପ୍ରଭୁଙ୍କ ଅନ୍ୱେଷଣକାରୀଗଣ ତାହାଙ୍କୁ ପ୍ରଶଂସା କରିବେ;

ତୁମ୍ଭମାନଙ୍କ ଅନ୍ତଃକରଣ ନିତ୍ୟଜୀବୀ ହେଉ।

27ପୃଥିବୀର ପ୍ରାନ୍ତସ୍ଥିତ ସମସ୍ତେ ସଦାପ୍ରଭୁଙ୍କୁ ସ୍ମରଣ କରି ତାହାଙ୍କ ପ୍ରତି ଫେରିବେ;

ଆଉ, ଅନ୍ୟ ଦେଶୀୟ ଗୋଷ୍ଠୀସକଳ ତୁମ୍ଭ22:27 ତୁମ୍ଭ କିମ୍ବା ତାହାଙ୍କ ସମ୍ମୁଖରେ ପ୍ରଣାମ କରିବେ।

28କାରଣ ରାଜ୍ୟ ସଦାପ୍ରଭୁଙ୍କର ଅଟେ;

ପୁଣି, ସେ ଗୋଷ୍ଠୀୟମାନଙ୍କର ଶାସନକର୍ତ୍ତା ଅଟନ୍ତି।

29ପୃଥିବୀସ୍ଥ ହୃଷ୍ଟପୁଷ୍ଟ ଲୋକ ସମସ୍ତେ ଭୋଜନ କରି ପ୍ରଣାମ କରିବେ;

ଧୂଳିରେ ଲୀନ ହେବାକୁ ଉଦ୍ୟତ ସମସ୍ତେ, ଅର୍ଥାତ୍‍,

ଆପଣା ପ୍ରାଣ ବଞ୍ଚାଇବାକୁ ଅସମର୍ଥ ଲୋକ ତାହାଙ୍କ ଛାମୁରେ ମୁହଁ ମାଡ଼ି ପଡ଼ିବେ।

30ଏକ ବଂଶ ତାହାଙ୍କର ସେବା କରିବେ;

ଭବିଷ୍ୟତ ବଂଶକୁ ପ୍ରଭୁଙ୍କ ବିଷୟ କୁହାଯିବ।

31ସେମାନେ ଆସି ଭବିଷ୍ୟତରେ ଜାତ ହେବା ଲୋକଙ୍କ ନିକଟରେ ତାହାଙ୍କ ଧାର୍ମିକତା ପ୍ରଚାର କରି କହିବେ,

ସେ ଏହା ସାଧନ କରିଅଛନ୍ତି।

23

ସଦାପ୍ରଭୁ ମୋର ପ୍ରତିପାଳକ

ଦାଉଦଙ୍କର ଗୀତ।

1ସଦାପ୍ରଭୁ ମୋହର ପ୍ରତିପାଳକ;

ମୋହର ଅଭାବ ହେବ ନାହିଁ।

2ସେ କୋମଳ ତୃଣମୟ ସ୍ଥାନରେ ମୋତେ ଶୟନ କରାନ୍ତି;

ସେ ସ୍ଥିର ଜଳ ପାଖେ ପାଖେ ମୋତେ କଢ଼ାଇ ନିଅନ୍ତି।

3ସେ ମୋ’ ପ୍ରାଣକୁ ସୁସ୍ଥ କରନ୍ତି,

ସେ ଆପଣା ନାମ ସକାଶୁ ଧର୍ମ ପଥରେ ମୋତେ କଢ଼ାଇ ନିଅନ୍ତି।

4ଏଣୁ ମୁଁ ମୃତ୍ୟୁୁଚ୍ଛାୟାରୂପ ଉପତ୍ୟକା ଦେଇ ଗମନ କଲେ ହେଁ

କୌଣସି ଆପଦକୁ ଭୟ କରିବି ନାହିଁ; କାରଣ ତୁମ୍ଭେ ମୋହର ସହବର୍ତ୍ତୀ,

ତୁମ୍ଭର ପାଞ୍ଚଣ ଓ ତୁମ୍ଭର ବାଡ଼ି ମୋତେ ସାନ୍ତ୍ୱନା ଦିଅନ୍ତି।

5ତୁମ୍ଭେ ମୋ’ ଶତ୍ରୁଗଣଙ୍କ ସାକ୍ଷାତରେ ମୋ’ ସମ୍ମୁଖରେ ମେଜ ସଜାଉଅଛ;

ତୁମ୍ଭେ ତୈଳରେ ମୋ’ ମସ୍ତକ ସିକ୍ତ କରିଅଛ;

ମୋ’ ପାନପାତ୍ର ଉଚ୍ଛୁଳି ପଡ଼ୁଅଛି।

6ନିଶ୍ଚୟ ମଙ୍ଗଳ ଓ ଦୟା ମୋହର ଜୀବନଯାଏ ମୋହର ପଶ୍ଚାଦ୍‍ଗାମୀ ହେବ;

ପୁଣି, ମୁଁ ସର୍ବଦା ସଦାପ୍ରଭୁଙ୍କ ଗୃହରେ ବାସ କରିବି।

24

ମହାନ ରାଜା

ଦାଉଦଙ୍କର ଗୀତ।

1ପୃଥିବୀ ଓ ତହିଁର ପୂର୍ଣ୍ଣତା,

ଜଗତ ଓ ତନ୍ନିବାସୀ ସମସ୍ତେ ସଦାପ୍ରଭୁଙ୍କର।

2କାରଣ ସେ ସମୁଦ୍ର ଉପରେ ତାହା ସ୍ଥାପନ କରିଅଛନ୍ତି

ଓ ନଦୀ ଉପରେ ତାହା ଦୃଢ଼ କରିଅଛନ୍ତି।

3କିଏ ସଦାପ୍ରଭୁଙ୍କ ପର୍ବତରେ ଆରୋହଣ କରିବ ?

ଓ କିଏ ତାହାଙ୍କ ପବିତ୍ର ସ୍ଥାନରେ ଠିଆ ହେବ ?

4ଯାହାର ହସ୍ତ ଶୁଚି ଓ ଅନ୍ତଃକରଣ ନିର୍ମଳ;

ଯାହାର ମନ ଅସାରତା ପ୍ରତି ଉଠି ନାହିଁ,

ପୁଣି, ଯେ ଛଳ ଭାବରେ ଶପଥ କରି ନାହିଁ, ସେ।

5ସେ ସଦାପ୍ରଭୁଙ୍କଠାରୁ ଆଶୀର୍ବାଦ ଓ ଆପଣାର ପରିତ୍ରାଣ

ସ୍ୱରୂପ ପରମେଶ୍ୱରଙ୍କଠାରୁ ଧାର୍ମିକତା ପ୍ରାପ୍ତ ହେବ।

6ଯେଉଁମାନେ ପରମେଶ୍ୱରଙ୍କୁ ଅନ୍ୱେଷଣ କରନ୍ତି, ସେମାନଙ୍କର ବଂଶ ଏହି,

ହେ ଯାକୁବର ପରମେଶ୍ୱର, ଏମାନେ ତୁମ୍ଭର ମୁଖ ଅନ୍ୱେଷଣ କରନ୍ତି।

[ସେଲା]

7ହେ ନଗରଦ୍ୱାରସକଳ, ମସ୍ତକ ଟେକ;

ହେ ଚିରସ୍ଥାୟୀ କବାଟସବୁ, ଟେକି ହୁଅ;

ତହିଁରେ ଗୌରବମୟ ରାଜା ପ୍ରବେଶ କରିବେ।

8ଗୌରବମୟ ରାଜା କିଏ ?

ବଳବାନ ଓ ବୀର ସଦାପ୍ରଭୁ,

ସଂଗ୍ରାମରେ ବୀର ସଦାପ୍ରଭୁ।

9ହେ ନଗରଦ୍ୱାରସକଳ, ମସ୍ତକ ଟେକ;

ହେ ଚିରସ୍ଥାୟୀ କବାଟସବୁ, ମସ୍ତକ ଟେକ;

ତହିଁରେ ଗୌରବମୟ ରାଜା ପ୍ରବେଶ କରିବେ।

10ଏହି ଗୌରବମୟ ରାଜା କିଏ ?

ବାହିନୀଗଣର ସଦାପ୍ରଭୁ,

ସେ ଗୌରବମୟ ରାଜା ଅଟନ୍ତି।

[ସେଲା]

25

ଚାଳନା ଓ ସୁରକ୍ଷା ପାଇଁ ପ୍ରାର୍ଥନା

ଦାଉଦଙ୍କର ଗୀତ।

1ହେ ସଦାପ୍ରଭୁ, ମୁଁ ତୁମ୍ଭ ପ୍ରତି ଆପଣା ମନ ଉଠାଏ।

2ହେ ମୋହର ପରମେଶ୍ୱର, ମୁଁ ତୁମ୍ଭଠାରେ ଶରଣ ନିଏ,

ମୋତେ ଲଜ୍ଜିତ ହେବାକୁ ଦିଅ ନାହିଁ;

ମୋହର ଶତ୍ରୁମାନେ ମୋ’ ଉପରେ ଉଲ୍ଲାସ ନ କରନ୍ତୁ।

3ହଁ, ଯେଉଁମାନେ ତୁମ୍ଭର ଅନୁସରଣ କରନ୍ତି,

ସେମାନଙ୍କର କେହି ଲଜ୍ଜିତ ହେବେ ନାହିଁ;

ଯେଉଁମାନେ ଅକାରଣରେ ବିଶ୍ୱାସଘାତକତା କରନ୍ତି, ସେମାନେ ଲଜ୍ଜିତ ହେବେ।

4ହେ ସଦାପ୍ରଭୁ, ତୁମ୍ଭର ପଥସବୁ ମୋତେ ଦେଖାଅ;

ତୁମ୍ଭର ମାର୍ଗସବୁ ମୋତେ ଶିଖାଅ।

5ତୁମ୍ଭ ସତ୍ୟତାରେ ମୋତେ କଢ଼ାଇ ନିଅ ଓ ମୋତେ ଶିକ୍ଷା ଦିଅ;

କାରଣ ତୁମ୍ଭେ ମୋ’ ପରିତ୍ରାଣର ପରମେଶ୍ୱର ଅଟ;

ମୁଁ ସାରାଦିନ ତୁମ୍ଭର ଅନୁସରଣ କରେ।

6ହେ ସଦାପ୍ରଭୁ, ତୁମ୍ଭର ଦୟା ଓ ସ୍ନେହପୂର୍ଣ୍ଣ କରୁଣା ସ୍ମରଣ କର।

କାରଣ ତାହା ଅନାଦିକାଳୀନ।

7ମୋ’ ଯୌବନ କାଳର ପାପ ଓ ଅଧର୍ମସବୁ ସ୍ମରଣ କର ନାହିଁ;

ହେ ସଦାପ୍ରଭୁ, ତୁମ୍ଭେ ଆପଣାର ମଙ୍ଗଳଭାବ ସକାଶୁ ନିଜ ସ୍ନେହପୂର୍ଣ୍ଣ କରୁଣାନୁସାରେ ମୋତେ ସ୍ମରଣ କର।

8ସଦାପ୍ରଭୁ ମଙ୍ଗଳମୟ ଓ ସରଳ ଅଟନ୍ତି;

ଏହେତୁ ସେ ପାପୀମାନଙ୍କୁ ପଥ ବିଷୟରେ ଶିକ୍ଷା ଦେବେ।

9ସେ ନମ୍ର ଲୋକକୁ ବିଚାର ମାର୍ଗରେ କଢ଼ାଇ ନେବେ

ଓ ନମ୍ର ଲୋକକୁ ଆପଣା ପଥ ଶିଖାଇବେ।

10ଯେଉଁମାନେ ତାହାଙ୍କ ନିୟମ ଓ ପ୍ରମାଣ-ବାକ୍ୟ ପାଳନ କରନ୍ତି,

ସେମାନଙ୍କ ପ୍ରତି ସଦାପ୍ରଭୁଙ୍କର ସମସ୍ତ ପଥ ସ୍ନେହପୂର୍ଣ୍ଣ କରୁଣା ଓ ସତ୍ୟତାବିଶିଷ୍ଟ।

11ହେ ସଦାପ୍ରଭୁ, ଆପଣା ନାମ ସକାଶୁ

ମୋହର ଅପରାଧ କ୍ଷମା କର, କାରଣ ତାହା ବଡ଼।

12ସଦାପ୍ରଭୁଙ୍କୁ ଭୟ କରିବା ଲୋକ କିଏ ?

ସେ ତାହାକୁ ତାହାର ଇଷ୍ଟ ପଥରେ ଶିକ୍ଷା ଦେବେ।

13ତାହାର ପ୍ରାଣ କୁଶଳରେ ବାସ କରିବ

ଓ ତାହାର ବଂଶ ଦେଶ ଅଧିକାର କରିବେ।

14ସଦାପ୍ରଭୁଙ୍କ ଗୁପ୍ତ ବିଷୟ ତାହାଙ୍କ ଭୟକାରୀମାନଙ୍କଠାରେ ଥାଏ;

ଆଉ, ସେ ସେମାନଙ୍କ ପ୍ରତି ଆପଣା ନିୟମ ପ୍ରକାଶ କରିବେ।

15ସଦାବେଳେ ସଦାପ୍ରଭୁଙ୍କ ଆଡ଼େ ମୋହର ଦୃଷ୍ଟି ଥାଏ;

କାରଣ ସେ ଜାଲରୁ ମୋହର ଚରଣ ଉଦ୍ଧାର କରିବେ।

16ମୋ’ ପ୍ରତି ଫେର ଓ ମୋ’ ପ୍ରତି ଦୟା କର;

କାରଣ ମୁଁ ଅସହାୟ ଓ ଦୁଃଖଗ୍ରସ୍ତ ଅଟେ।

17ମୋ’ ଅନ୍ତଃକରଣର ଯନ୍ତ୍ରଣା ବଢ଼ିଅଛି;

ତୁମ୍ଭେ ସମସ୍ତ କଷ୍ଟରୁ ମୋତେ ଉଦ୍ଧାର କର।

18ମୋହର କ୍ଳେଶ ଓ ଦୁଃଖ ପ୍ରତି ଦୃଷ୍ଟିପାତ କର;

ପୁଣି, ମୋହର ପାପସବୁ କ୍ଷମା କର।

19ମୋହର ଶତ୍ରୁମାନଙ୍କ ପ୍ରତି ଦୃଷ୍ଟିପାତ କର, କାରଣ ସେମାନେ ଅନେକ;

ସେମାନେ ଦାରୁଣ ଘୃଣା ଭାବରେ ମୋତେ ଘୃଣା କରନ୍ତି।

20ମୋ’ ପ୍ରାଣକୁ ରକ୍ଷା କର ଓ ମୋତେ ଉଦ୍ଧାର କର;

ମୋତେ ଲଜ୍ଜିତ ହେବାକୁ ଦିଅ ନାହିଁ, କାରଣ ମୁଁ ତୁମ୍ଭଠାରେ ଶରଣ ନେଇଅଛି।

21ସିଦ୍ଧତା ଓ ସରଳତା ମୋତେ ରକ୍ଷା କରୁ,

କାରଣ ମୁଁ ତୁମ୍ଭର ଅନୁସରଣ କରେ।

22ହେ ପରମେଶ୍ୱର, ଇସ୍ରାଏଲକୁ ତାହାର ସମସ୍ତ

ତାହାର ସମସ୍ତ ସଙ୍କଟରୁ ମୁକ୍ତ କର।

26

ଉତ୍ତମ ବ୍ୟକ୍ତିର ପ୍ରାର୍ଥନା

ଦାଉଦଙ୍କର ଗୀତ।

1ହେ ସଦାପ୍ରଭୁ, ମୋହର ବିଚାର କର, କାରଣ ମୁଁ ନିଜ ସିଦ୍ଧତାରେ ଆଚରଣ କରିଅଛି;

ମଧ୍ୟ ମୁଁ ଅଟଳ ଭାବରେ ସଦାପ୍ରଭୁଙ୍କର ଶରଣ ନେଇଅଛି।

2ହେ ସଦାପ୍ରଭୁ, ମୋତେ ପରୀକ୍ଷା କରି ପ୍ରମାଣ ନିଅ;

ମୋର ମର୍ମ ଓ ଚିତ୍ତ ପରିଷ୍କାର କର।

3କାରଣ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ମୋ’ ଦୃଷ୍ଟି-ଗୋଚରରେ ଅଛି;

ମୁଁ ତୁମ୍ଭ ସତ୍ୟତାରେ ଆଚରଣ କରିଅଛି।

4ମୁଁ ଅସାର ଲୋକଙ୍କ ସଙ୍ଗେ ବସି ନାହିଁ;

କିଅବା ମୁଁ କପଟୀମାନଙ୍କ ସଙ୍ଗେ ଗମନ କରିବି ନାହିଁ।

5ମୁଁ ଦୁଷ୍କର୍ମକାରୀମାନଙ୍କ ସମାଜକୁ ଘୃଣା କରେ,

ପୁଣି, ଦୁଷ୍ଟମାନଙ୍କ ସଙ୍ଗେ ବସିବି ନାହିଁ।

6ହେ ସଦାପ୍ରଭୁ, ଯେପରି ମୁଁ ଧନ୍ୟବାଦ-ସ୍ୱର ଶୁଣାଇବି

ଓ ତୁମ୍ଭର ଆଶ୍ଚର୍ଯ୍ୟକ୍ରିୟାସକଳ ବର୍ଣ୍ଣନା କରିବି,

7ଏଥିପାଇଁ ମୁଁ ନିର୍ଦ୍ଦୋଷତାରେ ଆପଣା ହସ୍ତ ପ୍ରକ୍ଷାଳନ କରି

ତୁମ୍ଭର ଯଜ୍ଞବେଦି ପ୍ରଦକ୍ଷିଣ କରିବି।

8ହେ ସଦାପ୍ରଭୁ, ମୁଁ ତୁମ୍ଭର ନିବାସ-ଗୃହକୁ ଓ

ତୁମ୍ଭ ଗୌରବର ବାସସ୍ଥାନକୁ ସ୍ନେହ କରେ।

9ପାପୀମାନଙ୍କ ସଙ୍ଗେ ମୋ’ ପ୍ରାଣକୁ କିଅବା

ରକ୍ତପାତକାରୀ ମନୁଷ୍ୟମାନଙ୍କ ସଙ୍ଗେ ମୋ’ ଜୀବନକୁ ସଂଗ୍ରହ କର ନାହିଁ।

10ସେମାନଙ୍କ ହସ୍ତରେ ଅନିଷ୍ଟ ଥାଏ,

ପୁଣି, ସେମାନଙ୍କ ଦକ୍ଷିଣ ହସ୍ତ ଲାଞ୍ଚରେ ପରିପୂର୍ଣ୍ଣ।

11ମାତ୍ର ମୁଁ ନିଜ ସିଦ୍ଧତାରେ ଆଚରଣ କରିବି;

ମୋତେ ମୁକ୍ତ କର ଓ ମୋ’ ପ୍ରତି ସଦୟ ହୁଅ।

12ମୋ’ ଚରଣ ସମଭୂମିରେ ଠିଆ ହେଉଅଛି;

ମୁଁ ମଣ୍ଡଳୀଗଣ ମଧ୍ୟରେ ସଦାପ୍ରଭୁଙ୍କର ଧନ୍ୟବାଦ କରିବି।

27

ସ୍ତୁତି ବନ୍ଦନା

ଦାଉଦଙ୍କର ଗୀତ।

1ସଦାପ୍ରଭୁ ମୋହର ଦୀପ୍ତି ଓ ମୋହର ପରିତ୍ରାଣ;

ମୁଁ କାହାକୁ ଭୟ କରିବି ?

ସଦାପ୍ରଭୁ ମୋ’ ଜୀବନର ବଳ;

ମୁଁ କାହାଠାରୁ ଭୀତ ହେବି ?

2ଦୁଷ୍କର୍ମକାରୀଗଣ ମୋହର ମାଂସ ଗ୍ରାସ କରିବା ପାଇଁ ମୋତେ ଆକ୍ରମଣ କରିବା ବେଳେ

ମୋହର ସେହି ବିପକ୍ଷ ଓ ଶତ୍ରୁମାନେ ଝୁଣ୍ଟି ପତିତ ହେଲେ।

3ସୈନ୍ୟଦଳ ମୋ’ ବିରୁଦ୍ଧରେ ଛାଉଣି କଲେ ହେଁ

ମୋହର ଅନ୍ତଃକରଣ ଭୟ କରିବ ନାହିଁ;

ଯଦି ଯୁଦ୍ଧ ମୋ’ ବିରୁଦ୍ଧରେ ଉଠେ,

ତେବେ ମଧ୍ୟ ମୁଁ ସାହସିକ ହେବି।

4ମୁଁ ସଦାପ୍ରଭୁଙ୍କ ସୌନ୍ଦର୍ଯ୍ୟ ଦେଖିବା ପାଇଁ ଓ

ତାହାଙ୍କ ମନ୍ଦିରରେ ଅନୁସନ୍ଧାନ କରିବା ପାଇଁ

ଯେପରି ଯାବଜ୍ଜୀବନ ସଦାପ୍ରଭୁଙ୍କ ଗୃହରେ ବାସ କରିବି,

ଏହି ଏକ ବିଷୟ ମୁଁ ସଦାପ୍ରଭୁଙ୍କ ନିକଟରେ ମାଗିଅଛି,

ତାହା ହିଁ ମୁଁ ଅନ୍ୱେଷଣ କରିବି।

5କାରଣ ବିପଦ ଦିନରେ ସେ ଆପଣା ଆବାସରେ ମୋତେ ଗୋପନ କରି ରଖିବେ;

ସେ ଆପଣା ତମ୍ବୁର ଅନ୍ତରାଳରେ ମୋତେ ଲୁଚାଇବେ;

ସେ ମୋତେ ଶୈଳ ଉପରକୁ ଉଠାଇବେ।

6ଏଣୁ ଏବେ ମୋ’ ଚତୁର୍ଦ୍ଦିଗସ୍ଥିତ ଶତ୍ରୁଗଣ ଉପରେ ମୋହର ମସ୍ତକ ଉନ୍ନତ ହେବ;

ଆଉ, ମୁଁ ତାହାଙ୍କ ତମ୍ବୁରେ ଜୟଧ୍ୱନିର ବଳି ଉତ୍ସର୍ଗ କରିବି;

ମୁଁ ଗାନ କରିବି, ମୁଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି।

7ହେ ସଦାପ୍ରଭୁ, ମୁଁ ଆପଣା ରବରେ ଡାକିବା ବେଳେ ଶୁଣ;

ମୋ’ ପ୍ରତି ଦୟା କର ଓ ମୋତେ ଉତ୍ତର ଦିଅ।

8ଯେତେବେଳେ ତୁମ୍ଭେ କହିଲ, “ତୁମ୍ଭେମାନେ ମୋହର ମୁଖ ଅନ୍ୱେଷଣ କର,”

ମୋ’ ଅନ୍ତଃକରଣ ତୁମ୍ଭଙ୍କୁ କହିଲା, “ସଦାପ୍ରଭୁ, ମୁଁ ତୁମ୍ଭର ମୁଖ ଅନ୍ୱେଷଣ କରିବି।”

9ମୋ’ଠାରୁ ଆପଣା ମୁଖ ଲୁଚାଅ ନାହିଁ;

କ୍ରୋଧରେ ଆପଣା ଦାସକୁ ଦୂର କର ନାହିଁ;

ତୁମ୍ଭେ ମୋହର ସହାୟ ହୋଇଅଛ;

ହେ ମୋ’ ପରିତ୍ରାଣର ପରମେଶ୍ୱର, ମୋତେ ଦୂର କର ନାହିଁ, କିଅବା ପରିତ୍ୟାଗ କର ନାହିଁ।

10କାରଣ ମୋହର ପିତା ଓ ମୋହର ମାତା ମୋତେ ପରିତ୍ୟାଗ କରିଅଛନ୍ତି,

ମାତ୍ର ସଦାପ୍ରଭୁ ମୋତେ ଉଠାଇ ନେବେ।

11ହେ ସଦାପ୍ରଭୁ, ମୋହର ଶତ୍ରୁଗଣ ସକାଶୁ

ମୋତେ ତୁମ୍ଭର ମାର୍ଗ ଶିଖାଅ;

ଓ ସରଳ ପଥରେ ମୋତେ କଢ଼ାଇ ନିଅ।

12ମୋ’ ବିପକ୍ଷଗଣର ବାଞ୍ଛାରେ ମୋତେ ସମର୍ପଣ କର ନାହିଁ;

କାରଣ ମିଥ୍ୟାସାକ୍ଷୀମାନେ ଓ ନିଷ୍ଠୁରତାରୂପ ନିଶ୍ୱାସ

ମାରିବା ଲୋକେ ମୋ’ ବିରୁଦ୍ଧରେ ଉଠିଅଛନ୍ତି।

13ମୁଁ ଜୀବିତମାନଙ୍କ ଦେଶରେ ସଦାପ୍ରଭୁଙ୍କର ମଙ୍ଗଳ ଭାବ ଦେଖିବାକୁ ବିଶ୍ୱାସ କରି ନ ଥିଲେ, ମୂର୍ଚ୍ଛିତ ହୋଇଥା’ନ୍ତି।

14ସଦାପ୍ରଭୁଙ୍କର ସାହାଯ୍ୟ ନିମନ୍ତେ ଅପେକ୍ଷା କର;

ବଳବାନ ହୁଅ ଓ ତୁମ୍ଭର ଅନ୍ତଃକରଣ ସାହସିକ ହେଉ;

ହଁ, ତୁମ୍ଭେ ସଦାପ୍ରଭୁଙ୍କର ଅନୁସରଣ କର।

28

ସହାୟତା ପାଇଁ ପ୍ରାର୍ଥନା

ଦାଉଦଙ୍କର ଗୀତ।

1ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ ଡାକ ପକାଇବି;

ହେ ମୋହର ଶୈଳ, ମୋ’ ପ୍ରତି ନୀରବ ହୁଅ ନାହିଁ; କେଜାଣି ତୁମ୍ଭେ ମୋ’ ପ୍ରତି ନୀରବ ହେଲେ, ମୁଁ ଗର୍ତ୍ତଗାମୀ ଲୋକମାନଙ୍କ ପରି ହେବି।

2ମୁଁ ତୁମ୍ଭ ନିକଟରେ ଆର୍ତ୍ତନାଦ କଲା ବେଳେ,

ତୁମ୍ଭ ମହାପବିତ୍ର ସ୍ଥାନ ଆଡ଼େ ଆପଣା ହସ୍ତ ଟେକିବା ବେଳେ,

ମୋ’ ନିବେଦନର ରବ ଶ୍ରବଣ କର।

3ଦୁଷ୍ଟ ଓ ଅଧର୍ମାଚାରୀମାନଙ୍କ ସଙ୍ଗେ ମୋତେ ଟାଣି ନିଅ ନାହିଁ;

ସେମାନେ ସ୍ୱ ସ୍ୱ ପ୍ରତିବାସୀମାନଙ୍କ ସଙ୍ଗେ ଶାନ୍ତିର କଥା କହନ୍ତି,

ମାତ୍ର ସେମାନଙ୍କ ଅନ୍ତଃକରଣରେ ଅନିଷ୍ଟ ଥାଏ।

4ସେମାନଙ୍କ କର୍ମାନୁସାରେ ଓ ସେମାନଙ୍କ କ୍ରିୟାର ଦୁଷ୍ଟତାନୁସାରେ ସେମାନଙ୍କୁ ପ୍ରତିଫଳ ଦିଅ;

ସେମାନଙ୍କ ହସ୍ତର କର୍ମାନୁରୂପ ଫଳ ସେମାନଙ୍କୁ ଦିଅ; ସେମାନଙ୍କୁ ସମୁଚିତ ଫଳ ଭୋଗ କରାଅ।

5ସେମାନେ ସଦାପ୍ରଭୁଙ୍କ କ୍ରିୟା ଓ ତାହାଙ୍କ ହସ୍ତର କର୍ମସକଳ ବିବେଚନା ନ କରିବାରୁ

ସେ ସେମାନଙ୍କୁ ଭାଙ୍ଗି ପକାଇବେ ଓ ସେମାନଙ୍କୁ ଗଢ଼ିବେ ନାହିଁ।

6ସଦାପ୍ରଭୁ ଧନ୍ୟ ହେଉନ୍ତୁ,

କାରଣ ସେ ମୋ’ ନିବେଦନର ରବ ଶୁଣିଅଛନ୍ତି।

7ସଦାପ୍ରଭୁ ମୋହର ବଳ ଓ ମୋହର ଢାଲ;

ମୋହର ଅନ୍ତଃକରଣ ତାହାଙ୍କଠାରେ ଭରସା ରଖିଅଛି ଓ ମୁଁ ସାହାଯ୍ୟ ପାଇଅଛି;

ଏହେତୁ ମୋ’ ଅନ୍ତଃକରଣ ଅତ୍ୟନ୍ତ ଉଲ୍ଲାସ କରୁଅଛି;

ଆଉ, ମୁଁ ନିଜ ଗୀତରେ ତାହାଙ୍କର ପ୍ରଶଂସା କରିବି।

8ସଦାପ୍ରଭୁ ସେମାନଙ୍କର ବଳ ଓ

ଆପଣା ଅଭିଷିକ୍ତ ପ୍ରତି ପରିତ୍ରାଣର ଦୃଢ଼ ଦୁର୍ଗ ଅଟନ୍ତି।

9ଆପଣା ଲୋକମାନଙ୍କୁ ତ୍ରାଣ କର ଓ ଆପଣା ଅଧିକାରକୁ ଆଶୀର୍ବାଦ କର;

ସେମାନଙ୍କୁ ପ୍ରତିପାଳନ କର ଓ ଅନନ୍ତକାଳ ସେମାନଙ୍କୁ ବହନ କର।

29

ସଦାପ୍ରଭୁଙ୍କ ରବର ପରାକ୍ରମ

ଦାଉଦଙ୍କର ଗୀତ।

1ହେ ବିକ୍ରମୀ-ସନ୍ତାନଗଣ, ସଦାପ୍ରଭୁଙ୍କର କୀର୍ତ୍ତନ କର,

ସଦାପ୍ରଭୁଙ୍କର ଗୌରବ ଓ ପରାକ୍ରମ କୀର୍ତ୍ତନ କର।

2ସଦାପ୍ରଭୁଙ୍କ ନାମର ଗୌରବ କୀର୍ତ୍ତନ କର;

ପବିତ୍ରତାର ସୌନ୍ଦର୍ଯ୍ୟରେ ସଦାପ୍ରଭୁଙ୍କୁ ପ୍ରଣାମ କର।

3ଜଳରାଶି ଉପରେ ସଦାପ୍ରଭୁଙ୍କର ରବ ଅଛି;

ଗୌରବମୟ ପରମେଶ୍ୱର ବଜ୍ରନାଦ କରନ୍ତି,

ସଦାପ୍ରଭୁ ଅପାର ଜଳରାଶି ଉପରେ ବିଦ୍ୟମାନ।

4ସଦାପ୍ରଭୁଙ୍କ ରବ ଶକ୍ତିବିଶିଷ୍ଟ;

ସଦାପ୍ରଭୁଙ୍କ ରବ ପ୍ରତାପପୂର୍ଣ୍ଣ।

5ସଦାପ୍ରଭୁଙ୍କ ରବ ଏରସ ବୃକ୍ଷମାନ ଭାଙ୍ଗି ପକାଏ;

ହଁ, ସଦାପ୍ରଭୁ ଲିବାନୋନର ଏରସ ବୃକ୍ଷସବୁ ଖଣ୍ଡ ଖଣ୍ଡ କରି ଭାଙ୍ଗି ପକାନ୍ତି।

6ମଧ୍ୟ ସେ ସେମାନଙ୍କୁ ଗୋବତ୍ସ ପରି;

ଲିବାନୋନ ଓ ସିରିୟୋନକୁ ଅରଣା ଛୁଆ ପରି ନଚାନ୍ତି।

7ସଦାପ୍ରଭୁଙ୍କ ରବ ଅଗ୍ନିଶିଖା ବିଭକ୍ତ କରେ।

8ସଦାପ୍ରଭୁଙ୍କ ରବ ପ୍ରାନ୍ତରକୁ କମ୍ପିତ କରେ;

ସଦାପ୍ରଭୁ କାଦେଶର ପ୍ରାନ୍ତରକୁ କମ୍ପିତ କରନ୍ତି।

9ସଦାପ୍ରଭୁଙ୍କ ରବ ହରିଣୀମାନଙ୍କୁ ପ୍ରସବ କରାଏ

ଓ ବନସମୂହକୁ ବିବସ୍ତ୍ର କରେ;

ପୁଣି, ତାହାଙ୍କ ମନ୍ଦିରରେ ସମସ୍ତ ବିଷୟ ଗୌରବ, ଗୌରବ ବୋଲି କହନ୍ତି।

10ସଦାପ୍ରଭୁ ଜଳପ୍ଲାବନରେ ରାଜା ତୁଲ୍ୟ ଉପବିଷ୍ଟ ହେଲେ;

ହଁ, ସଦାପ୍ରଭୁ ଅନନ୍ତକାଳ ରାଜା ତୁଲ୍ୟ ଉପବିଷ୍ଟ ଅଟନ୍ତି।

11ସଦାପ୍ରଭୁ ଆପଣା ଲୋକମାନଙ୍କୁ ବଳ ଦେବେ;

ସଦାପ୍ରଭୁ ଆପଣା ଲୋକମାନଙ୍କୁ ଶାନ୍ତି ଦେଇ ଆଶୀର୍ବାଦ କରିବେ।

30

ଧନ୍ୟବାଦ ପ୍ରାର୍ଥନା

ଗୀତ; ଗୃହ-ପ୍ରତିଷ୍ଠାକାଳୀନ ଗୀତ;

ଦାଉଦଙ୍କର ଗୀତ।

1ହେ ସଦାପ୍ରଭୁ, ମୁଁ ତୁମ୍ଭର ଗୁଣ ଗାନ କରିବି; କାରଣ ତୁମ୍ଭେ ମୋତେ ଉଠାଇଅଛ; ଓ ମୋ’ ଶତ୍ରୁଗଣକୁ ମୋ’ ଉପରେ ଆନନ୍ଦ କରିବାକୁ ଦେଇ ନାହଁ।

2ହେ ସଦାପ୍ରଭୁ, ମୋହର ପରମେଶ୍ୱର, ମୁଁ ତୁମ୍ଭ ନିକଟରେ ଆର୍ତ୍ତନାଦ କଲି, ପୁଣି, ତୁମ୍ଭେ ମୋତେ ସୁସ୍ଥ କରିଅଛ।

3ହେ ସଦାପ୍ରଭୁ, ତୁମ୍ଭେ ପାତାଳରୁ ମୋ’ ପ୍ରାଣ ଉଠାଇ ଆଣିଅଛ; ମୁଁ ଯେପରି ଗର୍ତ୍ତକୁ ଗମନ ନ କରିବି, ଏଥିପାଇଁ ତୁମ୍ଭେ ମୋତେ ବଞ୍ଚାଇ ରଖିଅଛ।

4ହେ ସଦାପ୍ରଭୁଙ୍କର ସଦ୍‍ଭକ୍ତମାନେ, ତାହାଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର, ପୁଣି, ତାହାଙ୍କ ପବିତ୍ର ନାମକୁ ଧନ୍ୟବାଦ ଦିଅ।

5କାରଣ ତାହାଙ୍କ କ୍ରୋଧ କ୍ଷଣମାତ୍ର ସ୍ଥାୟୀ; ତାହାଙ୍କ ଅନୁଗ୍ରହରେ ଜୀବନ ଥାଏ;

ରୋଦନ ଏକ ରାତ୍ରି ପାଇଁ ଆସିପାରେ, ମାତ୍ର ପ୍ରାତଃକାଳରେ ଆନନ୍ଦ ଆସେ।

6ମୁଁ ଆପଣା ସମୃଦ୍ଧି ସମୟରେ କହିଲି, “ମୁଁ କେବେ ବିଚଳିତ ନୋହିବି।”

7ହେ ସଦାପ୍ରଭୁ, ତୁମ୍ଭେ ଆପଣା ଅନୁଗ୍ରହ ସକାଶୁ ମୋହର ପର୍ବତ ଦୃଢ଼ କରି ସ୍ଥାପନ କରିଥିଲ; ମାତ୍ର ଯଦି ତୁମ୍ଭେ ଆପଣା ମୁଖ ଲୁଚାଇଲ; ତେବେ ମୁଁ ବ୍ୟାକୁଳ ହେଲି।

8ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ଡାକିଲି; ପୁଣି, ସଦାପ୍ରଭୁଙ୍କ ନିକଟରେ ନିବେଦନ କଲି।

9ମୁଁ ଗର୍ତ୍ତକୁ ଗମନ କଲେ, ମୋର ରକ୍ତରେ କି ଲାଭ ? ଧୂଳି କି ତୁମ୍ଭର ପ୍ରଶଂସା କରିବ ? ତାହା କି ତୁମ୍ଭର ସତ୍ୟତା ପ୍ରକାଶ କରିବ ?

10ହେ ସଦାପ୍ରଭୁ, ଶୁଣ ଓ ମୋ’ ପ୍ରତି ଦୟା କର; ସଦାପ୍ରଭୁ, ତୁମ୍ଭେ ମୋହର ସହାୟ ହୁଅ।

11ତୁମ୍ଭେ ମୋହର ବିଳାପକୁ ନୃତ୍ୟରେ ପରିଣତ କରିଅଛ; ତୁମ୍ଭେ ମୋହର ଚଟବସ୍ତ୍ର ଫିଟାଇ ଆନନ୍ଦରୂପ ପଟୁକାରେ ମୋହର କଟି ବାନ୍ଧିଅଛ;

12ଏଥିପାଇଁ ମୋହର ପ୍ରାଣ ତୁମ୍ଭର ପ୍ରଶଂସା ଗାନ କରିବ ଓ ନୀରବ ନୋହିବ, ହେ ସଦାପ୍ରଭୁ, ମୋହର ପରମେଶ୍ୱର, ମୁଁ ଅନନ୍ତକାଳ ତୁମ୍ଭକୁ ଧନ୍ୟବାଦ ଦେବି।

31

ସଦାପ୍ରଭୁଙ୍କଠାରେ ନିର୍ଭରଶୀଳତାର ନିବେଦନ

ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।

1ହେ ସଦାପ୍ରଭୁ, ମୁଁ ତୁମ୍ଭଠାରେ ଶରଣ ନେଇଅଛି;

ମୋତେ କେବେ ଲଜ୍ଜିତ ହେବାକୁ ଦିଅ ନାହିଁ;

ତୁମ୍ଭ ଧର୍ମଗୁଣରେ ମୋତେ ଉଦ୍ଧାର କର।

2ମୋ’ ପ୍ରତି ଆପଣା କର୍ଣ୍ଣ ଡେର; ଶୀଘ୍ର ମୋତେ ଉଦ୍ଧାର କର;

ତୁମ୍ଭେ ମୋ’ ପ୍ରତି ଦୃଢ଼ ଶୈଳ,

ମୋହର ପରିତ୍ରାଣାର୍ଥକ ଦୁର୍ଗରୂପ ଗୃହ ହୁଅ।

3କାରଣ ତୁମ୍ଭେ ମୋହର ଶୈଳ ଓ ମୋହର ଦୁର୍ଗ ଅଟ;

ଏଥିପାଇଁ ନିଜ ନାମ ସକାଶୁ ମୋତେ ପଥ ଦେଖାଇ କଢ଼ାଇ ନିଅ।

4ସେମାନେ ଗୋପନରେ ମୋ’ ପାଇଁ ଯେଉଁ ଜାଲ ପାତିଅଛନ୍ତି, ତହିଁରୁ ମୋତେ ଉଦ୍ଧାର କର;

କାରଣ ତୁମ୍ଭେ ମୋହର ଦୃଢ଼ ଦୁର୍ଗ।

5ମୁଁ ତୁମ୍ଭ ହସ୍ତରେ ଆପଣା ଆତ୍ମା ସମର୍ପଣ କରେ;

ହେ ସଦାପ୍ରଭୁ, ସତ୍ୟମୟ ପରମେଶ୍ୱର, ତୁମ୍ଭେ ମୋତେ ମୁକ୍ତ କରିଅଛ।

6ଯେଉଁମାନେ ଅସାର ପ୍ରତିମାଗଣକୁ ମାନନ୍ତି, ସେମାନଙ୍କୁ ମୁଁ ଘୃଣା କରେ;

ମାତ୍ର ମୁଁ ସଦାପ୍ରଭୁଙ୍କଠାରେ ନିର୍ଭର ରଖେ।

7ମୁଁ ତୁମ୍ଭ ଦୟାରେ ଆନନ୍ଦ ଓ ଉଲ୍ଲାସ କରିବି;

କାରଣ ତୁମ୍ଭେ ମୋହର କ୍ଳେଶ ଦେଖିଅଛ;

ତୁମ୍ଭେ ଦୁର୍ଦ୍ଦଶା ସମୟରେ ମୋ’ ପ୍ରାଣର ତତ୍ତ୍ୱ ନେଇଅଛ।

8ପୁଣି, ଶତ୍ରୁ ହସ୍ତରେ ତୁମ୍ଭେ ମୋତେ ବନ୍ଦ କରି ନାହଁ;

ତୁମ୍ଭେ ପ୍ରଶସ୍ତ ସ୍ଥାନରେ ମୋର ଚରଣ ସ୍ଥାପନ କରିଅଛ।

9ହେ ସଦାପ୍ରଭୁ, ମୋ’ ପ୍ରତି ଦୟା କର, କାରଣ ମୁଁ ବିପଦଗ୍ରସ୍ତ;

ଦୁଃଖରେ ମୋହର ଚକ୍ଷୁ, ମୋହର ପ୍ରାଣ ଓ ମୋହର ଶରୀର କ୍ଷୀଣ ହେଉଅଛି।

10କାରଣ ଦୁଃଖରେ ମୋହର ଜୀବନ ଓ ହାହାକାରରେ

ମୋହର ବର୍ଷ ବହି ଯାଉଅଛି;

ମୋ’ ଅପରାଧ31:10 ଅପରାଧ କିମ୍ବା ଦୁଖଃ ସକାଶୁ ମୋର ବଳ କ୍ଷୀଣ ହେଉଅଛି ଓ

ମୋର ଅସ୍ଥିସବୁ କ୍ଷୟ ପାଉଅଛି।

11ମୁଁ ଆପଣା ସମସ୍ତ ବିପକ୍ଷଙ୍କ ସକାଶୁ ଆପଣା

ପ୍ରତିବାସୀମାନଙ୍କର ଅତ୍ୟନ୍ତ ନିନ୍ଦାସ୍ପଦ ଓ

ଆପଣା ପରିଚିତମାନଙ୍କର ଭୟସ୍ଥଳ ହୋଇଅଛି,

ମୋତେ ବାହାରେ ଦେଖିଲା ଲୋକମାନେ ମୋ’ ନିକଟରୁ ପଳାଇଲେ।

12ମୁଁ ମୃତ ଲୋକ ତୁଲ୍ୟ ମନରୁ ବିସ୍ମୃତ ହୋଇଅଛି;

ମୁଁ ଭଗ୍ନ ପାତ୍ର ସଦୃଶ।

13କାରଣ ମୁଁ ଅନେକଙ୍କଠାରୁ ନିନ୍ଦାବାଦ ଶୁଣିଅଛି,

ଚତୁର୍ଦ୍ଦିଗରେ ଆଶଙ୍କା;

ସେମାନେ ମୋ’ ବିରୁଦ୍ଧରେ ଏକତ୍ର ମନ୍ତ୍ରଣା କଲା ବେଳେ

ମୋ’ ପ୍ରାଣ ନେବା ପାଇଁ ସଂକଳ୍ପ କଲେ।

14ମାତ୍ର ହେ ସଦାପ୍ରଭୁ, ମୁଁ ତୁମ୍ଭଠାରେ ଶରଣ ନିଏ;

ମୁଁ କହେ, “ତୁମ୍ଭେ ମୋହର ପରମେଶ୍ୱର।”

15ମୋହର ସମୟ ସବୁ ତୁମ୍ଭର ହସ୍ତଗତ;

ମୋ’ ଶତ୍ରୁଗଣ ହସ୍ତରୁ ଓ ମୋ’ ତାଡ଼ନାକାରୀମାନଙ୍କଠାରୁ ମୋତେ ଉଦ୍ଧାର କର।

16ଆପଣା ଦାସ ପ୍ରତି ଆପଣା ମୁଖ ପ୍ରସନ୍ନ କର;

ଆପଣା ସ୍ନେହପୂର୍ଣ୍ଣ କରୁଣାରେ ମୋତେ ପରିତ୍ରାଣ କର।

17ହେ ସଦାପ୍ରଭୁ, ମୋତେ ଲଜ୍ଜିତ ହେବାକୁ ଦିଅ ନାହିଁ; କାରଣ ମୁଁ ତୁମ୍ଭ ନିକଟରେ ଡାକ ପକାଇଅଛି;

ଦୁଷ୍ଟମାନେ ଲଜ୍ଜିତ ହେଉନ୍ତୁ, ସେମାନେ ପାତାଳରେ ନୀରବ ହେଉନ୍ତୁ।

18ମିଥ୍ୟାବାଦୀ ଓଷ୍ଠାଧରସବୁ ମୂକ ହେଉ,

ସେମାନେ ଅହଙ୍କାର ଓ ତୁଚ୍ଛ ଭାବରେ

ଧାର୍ମିକମାନଙ୍କ ପ୍ରତିକୂଳରେ ଦର୍ପ କଥା କହନ୍ତି।

19ଆଃ, ତୁମ୍ଭେ ଆପଣା ଭୟକାରୀମାନଙ୍କ ପାଇଁ ଯେଉଁ ମଙ୍ଗଳ ସଞ୍ଚୟ କରିଅଛ,

ମନୁଷ୍ୟ-ସନ୍ତାନଗଣ ସାକ୍ଷାତରେ

ଆପଣା ଶରଣାଗତ ଲୋକଙ୍କ ପାଇଁ ଯେଉଁ ମଙ୍ଗଳ ସାଧନ କରିଅଛ,

ତାହା କିପରି ମହତ୍‍ !

20ତୁମ୍ଭେ ମନୁଷ୍ୟର ସବୁ କୁମନ୍ତ୍ରଣାରୁ ସେମାନଙ୍କୁ ଆପଣା ଶ୍ରୀଛାମୁର ଅନ୍ତରାଳରେ ଲୁଚାଇବ;

ତୁମ୍ଭେ ଜିହ୍ୱାସମୂହର ବିରୋଧରୁ ସେମାନଙ୍କୁ ଆପଣା ଆବାସରେ ଗୋପନ କରି ରଖିବ।

21ସଦାପ୍ରଭୁ ଧନ୍ୟ ହେଉନ୍ତୁ;

କାରଣ ସେ ଦୃଢ଼ ନଗରରେ ମୋ’ ପ୍ରତି ଆପଣାର ଆଶ୍ଚର୍ଯ୍ୟ ସ୍ନେହପୂର୍ଣ୍ଣ କରୁଣା ପ୍ରକାଶ କରିଅଛନ୍ତି।

22ମାତ୍ର ମୁଁ ତୁମ୍ଭ ଦୃଷ୍ଟିରୁ ଉଚ୍ଛିନ୍ନ ବୋଲି

ଆପଣା ଅଧୈର୍ଯ୍ୟରେ କହିଥିଲି;

ତଥାପି ମୁଁ ତୁମ୍ଭ ନିକଟରେ ଆର୍ତ୍ତନାଦ କଲା ବେଳେ ତୁମ୍ଭେ ମୋ’ ନିବେଦନର ରବ ଶୁଣିଲ।

23ହେ ସଦାପ୍ରଭୁଙ୍କ ସଦ୍‍ଭକ୍ତ ସମସ୍ତେ, ତାହାଙ୍କୁ ପ୍ରେମ କର;

ସଦାପ୍ରଭୁ ବିଶ୍ୱସ୍ତ ଲୋକମାନଙ୍କୁ ରକ୍ଷା କରନ୍ତି

ଓ ଗର୍ବାଚାରୀମାନଙ୍କୁ ବହୁଳ ରୂପେ ପ୍ରତିଫଳ ଦିଅନ୍ତି।

24ହେ ସଦାପ୍ରଭୁଙ୍କଠାରେ ଭରସାକାରୀ ସମସ୍ତେ,

ତୁମ୍ଭେମାନେ ବଳବାନ ହୁଅ ଓ ତୁମ୍ଭମାନଙ୍କ ଅନ୍ତଃକରଣ ସାହସିକ ହେଉ।

32

ପାପ ସ୍ୱୀକାର ଓ କ୍ଷମା

ଦାଉଦଙ୍କ ଗୀତ।

1ଯାହାର ଅପରାଧ କ୍ଷମା,

ଯାହାର ପାପ ଆଚ୍ଛାଦିତ ହୋଇଅଛି, ସେ ଧନ୍ୟ।

2ସଦାପ୍ରଭୁ ଯାହା ପ୍ରତି ଅଧର୍ମର ଆରୋପ ନ କରନ୍ତି

ଓ ଯାହାର ଆତ୍ମାରେ ପ୍ରବଞ୍ଚନା ନାହିଁ, ସେ ଧନ୍ୟ।

3ମୁଁ ମୌନ ହୋଇ ଥିବା ବେଳେ ଦିନସାରା ଆର୍ତ୍ତନାଦ

କରିବା ଦ୍ୱାରା ମୋହର ଅସ୍ଥିସବୁ କ୍ଷୟ ପାଇଲା।

4କାରଣ ଦିବାରାତ୍ର ତୁମ୍ଭ ହସ୍ତ ମୋ’ ଉପରେ ଭାରୀ ଥିଲା;

ମୋହର ଶକ୍ତି ଗ୍ରୀଷ୍ମକାଳୀନରେ ଭୂମି ଯେପରି ଶୁଷ୍କ ହୁଏ ସେହିପରି ଶୁଷ୍କ ହେଲା।

[ସେଲା]

5ମୁଁ ତୁମ୍ଭ ନିକଟରେ ଆପଣା ପାପ ସ୍ୱୀକାର କଲି ଓ

ଆପଣା ଅଧର୍ମ ଲୁଚାଇଲି ନାହିଁ;

ମୁଁ କହିଲି, “ମୁଁ ସଦାପ୍ରଭୁଙ୍କ ନିକଟରେ ଆପଣା ଅପରାଧ ସ୍ୱୀକାର କରିବି,”

ତହିଁରେ ତୁମ୍ଭେ ମୋହର ପାପଘଟିତ ଅଧର୍ମ କ୍ଷମା କଲ।

[ସେଲା]

6ଏଥିପାଇଁ ତୁମ୍ଭର ଉଦ୍ଦେଶ୍ୟ ପାଇ ପାରିବା ସମୟରେ ପ୍ରତ୍ୟେକ ସଦ୍‍ଭକ୍ତ ଲୋକ ତୁମ୍ଭ ନିକଟରେ ପ୍ରାର୍ଥନା କରୁ;

ନିଶ୍ଚୟ ମହାଜଳରାଶି ଉଚ୍ଛୁଳିବା ସମୟରେ ତାହା ତାହା ନିକଟକୁ ଆସିବ ନାହିଁ।

7ତୁମ୍ଭେ ମୋହର ଲୁଚିବା ସ୍ଥାନ; ତୁମ୍ଭେ ସଙ୍କଟରୁ ମୋତେ ରକ୍ଷା କରିବ;

ତୁମ୍ଭେ ରକ୍ଷାର୍ଥକ ଗାୟନରେ ମୋହର ଚତୁର୍ଦ୍ଦିଗ ବେଷ୍ଟନ କରିବ।

[ସେଲା]

8ମୁଁ ତୁମ୍ଭକୁ ଉପଦେଶ ଦେବି ଓ ତୁମ୍ଭର ଗନ୍ତବ୍ୟ ମାର୍ଗ ଶିଖାଇବି;

ମୁଁ ତୁମ୍ଭ ଉପରେ ଆପଣା ଦୃଷ୍ଟି ରଖି ତୁମ୍ଭକୁ ମନ୍ତ୍ରଣା ଦେବି।

9ତୁମ୍ଭେମାନେ ବୁଦ୍ଧିହୀନ ଅଶ୍ୱ କି ଖଚର ପରି ହୁଅ ନାହିଁ;

ସେମାନଙ୍କୁ ଦମନ କରିବା ପାଇଁ ବାଗ ଓ ଲଗାମ ଦେବାର ଆବଶ୍ୟକ,

ନୋହିଲେ ସେମାନେ ତୁମ୍ଭ କତିକି ଆସିବେ ନାହିଁ।

10ଦୁଷ୍ଟକୁ ଅନେକ ଦୁଃଖ ଘଟିବ;

ମାତ୍ର ଯେଉଁ ଜନ ସଦାପ୍ରଭୁଙ୍କଠାରେ ନିର୍ଭର ରଖେ, ତାହାର ଚତୁର୍ଦ୍ଦିଗରେ ଦୟା ବେଷ୍ଟନ କରିବ।

11ହେ ଧାର୍ମିକଗଣ, ସଦାପ୍ରଭୁଙ୍କଠାରେ ଆନନ୍ଦ କର ଓ ଉଲ୍ଲସିତ ହୁଅ;

ହେ ସରଳାନ୍ତଃକରଣ ସମସ୍ତେ, ତୁମ୍ଭେମାନେ ଆନନ୍ଦଧ୍ୱନି କର।

33

ପ୍ରଶଂସା ଗୀତ

1ହେ ଧାର୍ମିକଗଣ, ତୁମ୍ଭେମାନେ ସଦାପ୍ରଭୁଙ୍କଠାରେ ଉଲ୍ଲାସ କର;

ପ୍ରଶଂସା କରିବା ସରଳ ଲୋକଙ୍କର ଶୋଭନୀୟ।

2ବୀଣାରେ ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ;

ଦଶ-ତାର ନେବଲରେ ତାହାଙ୍କର ପ୍ରଶଂସା ଗାନ କର।

3ତାହାଙ୍କ ଉଦ୍ଦେଶ୍ୟରେ ନୂତନ ଗୀତ ଗାନ କର;

ଉଚ୍ଚଧ୍ୱନିରେ ମନୋହର ବାଦ୍ୟ କର।

4କାରଣ ସଦାପ୍ରଭୁଙ୍କ ବାକ୍ୟ ଯଥାର୍ଥ;

ଆଉ ତାହାଙ୍କର ସମସ୍ତ କାର୍ଯ୍ୟ ବିଶ୍ୱସ୍ତତାରେ ସାଧିତ।

5ସେ ଧାର୍ମିକତା ଓ ନ୍ୟାୟବିଚାର ଭଲ ପାଆନ୍ତି;

ପୃଥିବୀ ସଦାପ୍ରଭୁଙ୍କ ସ୍ନେହପୂର୍ଣ୍ଣ କରୁଣାରେ ପରିପୂର୍ଣ୍ଣ;

6ଗଗନମଣ୍ଡଳ ସଦାପ୍ରଭୁଙ୍କ ବାକ୍ୟରେ,

ଆଉ ତହିଁର ସମସ୍ତ ବାହିନୀ ତାହାଙ୍କ ମୁଖର ନିଶ୍ୱାସରେ ନିର୍ମିତ।

7ସେ ସମୁଦ୍ରର ଜଳସମୂହକୁ ରାଶି ତୁଲ୍ୟ ଏକତ୍ର କରନ୍ତି;

ସେ ବାରିଧିସମୂହକୁ ଭଣ୍ଡାରରେ ସଞ୍ଚୟ କରନ୍ତି।

8ସମୁଦାୟ ପୃଥିବୀ ସଦାପ୍ରଭୁଙ୍କୁ ଭୟ କରୁ;

ଜଗନ୍ନିବାସୀ ସମସ୍ତେ ତାହାଙ୍କ ବିଷୟରେ ଭୀତ ହେଉନ୍ତୁ।

9ସେ କହିବା ମାତ୍ରେ ସୃଷ୍ଟି ହେଲା,

ସେ ଆଜ୍ଞା କରିବାମାତ୍ରେ ସ୍ଥିତି ହେଲା।

10ସଦାପ୍ରଭୁ ଗୋଷ୍ଠୀୟମାନଙ୍କର ମନ୍ତ୍ରଣା ବ୍ୟର୍ଥ କରନ୍ତି;

ସେ ଜନବୃନ୍ଦର ସଂକଳ୍ପସବୁ ବିଫଳ କରନ୍ତି।

11ସଦାପ୍ରଭୁଙ୍କ ମନ୍ତ୍ରଣା ଅନନ୍ତକାଳସ୍ଥାୟୀ;

ତାହାଙ୍କ ଚିତ୍ତର ସଂକଳ୍ପସବୁ ପୁରୁଷାନୁକ୍ରମେ ଥାଏ।

12ସଦାପ୍ରଭୁ ଯେଉଁ ଗୋଷ୍ଠୀର ପରମେଶ୍ୱର, ସେ ଧନ୍ୟ;

ସେ ଯେଉଁ ଲୋକମାନଙ୍କୁ ଆପଣା ଅଧିକାରାର୍ଥେ ମନୋନୀତ କରିଅଛନ୍ତି, ସେମାନେ ଧନ୍ୟ।

13ସଦାପ୍ରଭୁ ସ୍ୱର୍ଗରୁ ଦୃଷ୍ଟିପାତ କରନ୍ତି;

ସେ ସମସ୍ତ ଲୋକମାନଙ୍କୁ ନିରୀକ୍ଷଣ କରନ୍ତି;

14ସେ ଆପଣା ନିବାସ-ସ୍ଥାନରୁ

ପୃଥିବୀ-ନିବାସୀ ସମସ୍ତଙ୍କ ଉପରେ ଦୃଷ୍ଟିପାତ କରନ୍ତି;

15ସେ ସମସ୍ତଙ୍କର ହୃଦୟ ଗଢ଼ନ୍ତି,

ସେ ସେମାନଙ୍କର କର୍ମସବୁ ନିରୀକ୍ଷଣ କରନ୍ତି।

16କୌଣସି ରାଜା ଅପାର ସୈନ୍ୟ ଦ୍ୱାରା ଉଦ୍ଧାର ପାଏ ନାହିଁ;

କୌଣସି ବୀର ମହାଶକ୍ତି ଦ୍ୱାରା ଉଦ୍ଧାର ପାଏ ନାହିଁ।

17ରକ୍ଷାର୍ଥେ ଅଶ୍ୱ ମିଥ୍ୟା;

କିଅବା ସେ ଆପଣା ମହାବଳ ଦ୍ୱାରା କାହାକୁ ରକ୍ଷା କରି ପାରିବ ନାହିଁ।

18ଦେଖ, ଯେଉଁମାନେ ସଦାପ୍ରଭୁଙ୍କୁ ଭୟ କରନ୍ତି,

ତାହାଙ୍କ ଦୟାରେ ଭରସା ରଖନ୍ତି,

19ସେମାନଙ୍କ ପ୍ରାଣ ମୃତ୍ୟୁୁରୁ ରକ୍ଷା କରିବା ପାଇଁ ଓ

ଦୁର୍ଭିକ୍ଷ ସମୟରେ ସେମାନଙ୍କୁ ବଞ୍ଚାଇବା ପାଇଁ

ସେମାନଙ୍କ ଉପରେ ତାହାଙ୍କର ଦୃଷ୍ଟି ଥାଏ।

20ଆମ୍ଭମାନଙ୍କ ପ୍ରାଣ ସଦାପ୍ରଭୁଙ୍କ ଅପେକ୍ଷାରେ ରହିଅଛି;

ସେ ଆମ୍ଭମାନଙ୍କର ସହାୟ ଓ ଆମ୍ଭମାନଙ୍କର ଢାଲ।

21ଆମ୍ଭମାନଙ୍କ ଅନ୍ତଃକରଣ ତାହାଙ୍କଠାରେ ଆନନ୍ଦ କରିବ,

କାରଣ ଆମ୍ଭେମାନେ ତାହାଙ୍କ ପବିତ୍ର ନାମରେ ବିଶ୍ୱାସ କରିଅଛୁ।

22ହେ ସଦାପ୍ରଭୁ, ତୁମ୍ଭଠାରେ ଆମ୍ଭେମାନେ ଭରସା

କରିଥିବା ପ୍ରମାଣେ ଆମ୍ଭମାନଙ୍କ ପ୍ରତି ତୁମ୍ଭର ଦୟା ବର୍ତ୍ତୁ।

34

ମଙ୍ଗଳମୟ ସଦାପ୍ରଭୁଙ୍କ ପ୍ରଶଂସା

ଦାଉଦଙ୍କ ଗୀତ; ଯେତେବେଳେ ସେ ଅବୀମେଲକ୍‍ ସାକ୍ଷାତରେ ଆପଣା ମତି ବଦଳାଇବାରୁ ତାହା ଦ୍ୱାରା ତାଡ଼ିତ ହୋଇ ପ୍ରସ୍ଥାନ କରିଥିଲେ, ସେହି ସମୟର ଗୀତ।

1ମୁଁ ସର୍ବଦା ସଦାପ୍ରଭୁଙ୍କର ଧନ୍ୟବାଦ କରିବି;

ମୋ’ ମୁଖରେ ନିରନ୍ତର ତାହାଙ୍କର ପ୍ରଶଂସା ହେବ।

2ମୋହର ପ୍ରାଣ ସଦାପ୍ରଭୁଙ୍କଠାରେ ଦର୍ପ କରିବ;

ନମ୍ର ଲୋକମାନେ ତାହା ଶୁଣି ଆନନ୍ଦିତ ହେବେ।

3ଆହେ, ମୋ’ ସଙ୍ଗେ ସଦାପ୍ରଭୁଙ୍କ ମାହାତ୍ମ୍ୟ ପ୍ରକାଶ କର,

ଆସ, ଆମ୍ଭେମାନେ ଏକ ସଙ୍ଗେ ତାହାଙ୍କ ନାମର ପ୍ରତିଷ୍ଠା କରୁ।

4ମୁଁ ସଦାପ୍ରଭୁଙ୍କଠାରେ ପ୍ରାର୍ଥନା କଲି ଓ ସେ ମୋତେ ଉତ୍ତର ଦେଲେ,

ପୁଣି, ମୋହର ସବୁ ଭୟରୁ ମୋତେ ଉଦ୍ଧାର କଲେ।

5ସେମାନେ ତାହାଙ୍କ ପ୍ରତି ଦୃଷ୍ଟିପାତ କରି ଦୀପ୍ତିମାନ୍‍ ହେଲେ;

ଆଉ, ସେମାନଙ୍କ ମୁଖ କେବେ ହେଁ ବିବର୍ଣ୍ଣ ନୋହିବ।

6ଏହି ଦୁଃଖୀଲୋକ କାକୂକ୍ତି କଲା, ପୁଣି, ସଦାପ୍ରଭୁ ତାହାର କଥା ଶୁଣିଲେ

ଓ ତାହାର ସକଳ ସଙ୍କଟରୁ ତାହାକୁ ଉଦ୍ଧାର କଲେ।

7ଯେଉଁମାନେ ସଦାପ୍ରଭୁଙ୍କୁ ଭୟ କରନ୍ତି,

ତାହାଙ୍କର ଦୂତ ସେମାନଙ୍କ ଚାରିଆଡ଼େ ଛାଉଣି କରି ସେମାନଙ୍କୁ ଉଦ୍ଧାର କରନ୍ତି।

8ଆହେ, ସଦାପ୍ରଭୁ ଯେ ମଙ୍ଗଳମୟ, ଏହା ଆସ୍ୱାଦନ କରି ଦେଖ;

ଯେ ତାହାଙ୍କର ଶରଣାଗତ, ସେ ଲୋକ ଧନ୍ୟ।

9ହେ ତାହାଙ୍କର ସଦ୍‍ଭକ୍ତମାନେ, ସଦାପ୍ରଭୁଙ୍କୁ ଭୟ କର;

କାରଣ ଯେଉଁମାନେ ତାହାଙ୍କୁ ଭୟ କରନ୍ତି, ସେମାନଙ୍କର କୌଣସି ଅଭାବ ନାହିଁ।

10ଯୁବା ସିଂହମାନଙ୍କର ଅଭାବ ଓ କ୍ଷୁଧାରୁ କ୍ଳେଶ ହୁଏ;

ମାତ୍ର ଯେଉଁମାନେ ସଦାପ୍ରଭୁଙ୍କର ଅନ୍ୱେଷଣ କରନ୍ତି, ସେମାନଙ୍କର କୌଣସି ମଙ୍ଗଳ ବିଷୟ ଅଭାବ ନୋହିବ।

11ହେ ବାଳକମାନେ, ଆସ, ମୋ’ କଥା ଶୁଣ;

ମୁଁ ତୁମ୍ଭମାନଙ୍କୁ ସଦାପ୍ରଭୁଙ୍କ ଭୟ ଶିଖାଇବି।

12ଯେ ଜୀବନ ବାଞ୍ଛା କରେ

ଓ ମଙ୍ଗଳ ଦେଖିବା ପାଇଁ ଦୀର୍ଘାୟୁ ପ୍ରିୟ ମଣେ ଏପରି ବ୍ୟକ୍ତି କିଏ ?

13ତୁମ୍ଭେ ହିଂସାରୁ ଆପଣା ଜିହ୍ୱା ଓ

ଛଳବାକ୍ୟରୁ ଆପଣା ଓଷ୍ଠାଧର ରକ୍ଷା କର।

14ମନ୍ଦତାରୁ ଦୂର ହୁଅ ଓ ସୁକର୍ମ କର;

ଶାନ୍ତି ଅନ୍ୱେଷଣ କର ଓ ତହିଁର ଅନୁଗାମୀ ହୁଅ।

15ଧାର୍ମିକମାନଙ୍କ ପ୍ରତି ସଦାପ୍ରଭୁଙ୍କର ଦୃଷ୍ଟି ଅଛି

ଓ ସେମାନଙ୍କ ଆର୍ତ୍ତନାଦ ପ୍ରତି ତାହାଙ୍କର କର୍ଣ୍ଣ ଅଛି।

16ପୃଥିବୀରୁ କୁକର୍ମକାରୀମାନଙ୍କ ସ୍ମରଣ ଉଚ୍ଛିନ୍ନ କରିବା

ପାଇଁ ସେମାନଙ୍କ ପ୍ରତିକୂଳରେ ସଦାପ୍ରଭୁଙ୍କ ମୁଖ ଥାଏ।

17ଧାର୍ମିକମାନେ କ୍ରନ୍ଦନ କରନ୍ତେ, ସଦାପ୍ରଭୁ ଶୁଣିଲେ

ଓ ସେମାନଙ୍କ ସର୍ବ ସଙ୍କଟରୁ ସେମାନଙ୍କୁ ଉଦ୍ଧାର କଲେ।

18ସଦାପ୍ରଭୁ ଭଗ୍ନାନ୍ତଃକରଣମାନଙ୍କର ନିକଟବର୍ତ୍ତୀ ଅଟନ୍ତି

ଓ ସେ ଚୂର୍ଣ୍ଣମନାମାନଙ୍କୁ ତ୍ରାଣ କରନ୍ତି।

19ଧାର୍ମିକର ବିପଦ ଅନେକ;

ମାତ୍ର ସେହି ସବୁରୁ ସଦାପ୍ରଭୁ ତାହାକୁ ଉଦ୍ଧାର କରନ୍ତି।

20ସେ ତାହାର ଅସ୍ଥିସକଳ ରକ୍ଷା କରନ୍ତି;

ତହିଁ ମଧ୍ୟରୁ ଖଣ୍ଡେ ହେଲେ ଭଗ୍ନ ହୁଏ ନାହିଁ।

21ଦୁଷ୍ଟତା ଦୁଷ୍ଟକୁ ସଂହାର କରିବ;

ଧାର୍ମିକର ଘୃଣାକାରୀ ଦୋଷୀକୃତ ହେବ।

22ସଦାପ୍ରଭୁ ଆପଣା ଦାସଗଣର ପ୍ରାଣ ମୁକ୍ତ କରନ୍ତି;

ପୁଣି, ତାହାଙ୍କର ଶରଣାଗତ କେହି ଦୋଷୀକୃତ ହେବେ ନାହିଁ।

35

ସହାୟତା ପାଇଁ ପ୍ରାର୍ଥନା

ଦାଉଦଙ୍କର ଗୀତ।

1ସଦାପ୍ରଭୁ, ଯେଉଁମାନେ ମୋ’ ସଙ୍ଗେ ବିବାଦ କରନ୍ତି, ତୁମ୍ଭେ ସେମାନଙ୍କ ସଙ୍ଗେ ବିବାଦ କର।

ଯେଉଁମାନେ ମୋ’ ସଙ୍ଗେ ଯୁଦ୍ଧ କରନ୍ତି, ତୁମ୍ଭେ ସେମାନଙ୍କ ସଙ୍ଗେ ଯୁଦ୍ଧ କର।

2ଢାଲ ଓ ଫଳକ ଧାରଣ କର

ଓ ମୋର ସାହାଯ୍ୟ ନିମନ୍ତେ ଠିଆ ହୁଅ।

3ମଧ୍ୟ ବର୍ଚ୍ଛା ଧରି ମୋ’ ପଛେ ଗୋଡ଼ାଇବା ଲୋକମାନଙ୍କ ପଥ ରୁଦ୍ଧ କର;

ମୋ’ ପ୍ରାଣକୁ କୁହ, “ଆମ୍ଭେ ତୁମ୍ଭର ପରିତ୍ରାଣ।”

4ମୋ’ ପ୍ରାଣର ଅନ୍ୱେଷଣକାରୀମାନେ ଲଜ୍ଜିତ ଓ ଅପମାନିତ ହେଉନ୍ତୁ;

ମୋହର ଅନିଷ୍ଟ ଚିନ୍ତକମାନେ ବିମୁଖ ଓ ବିବ୍ରତ ହେଉନ୍ତୁ।

5ସେମାନେ ବାୟୁ ଆଗେ ତୁଷ ପରି ହେଉନ୍ତୁ ଓ

ସଦାପ୍ରଭୁଙ୍କ ଦୂତ ସେମାନଙ୍କୁ ଘଉଡ଼ାଇ ଦେଉନ୍ତୁ।

6ସେମାନଙ୍କ ପଥ ଅନ୍ଧକାରମୟ ଓ ଖସଡ଼ା ହେଉ,

ପୁଣି, ସଦାପ୍ରଭୁଙ୍କ ଦୂତ ସେମାନଙ୍କ ପଛେ ଗୋଡ଼ାଉନ୍ତୁ।

7ଯେହେତୁ ସେମାନେ ଅକାରଣରେ ମୋ’ ପାଇଁ ଗର୍ତ୍ତ ମଧ୍ୟରେ ଜାଲ ଲୁଚାଇ ଅଛନ୍ତି,

ସେମାନେ ଅକାରଣରେ ମୋ’ ପାଇଁ ଖାତ ଖୋଳି ଅଛନ୍ତି।

8ଅଜ୍ଞାତସାରରେ ତାହାକୁ ସର୍ବନାଶ ଘଟୁ ଓ

ତାହାର ଗୁପ୍ତ ଜାଲ ତାହାକୁ ହିଁ ଧରୁ;

ସର୍ବନାଶ ସହିତ ସେ ତହିଁ ମଧ୍ୟରେ ପଡ଼ୁ।

9ଆଉ, ମୋହର ପ୍ରାଣ ସଦାପ୍ରଭୁଙ୍କଠାରେ ଆନନ୍ଦିତ ହେବ

ଓ ତାହାଙ୍କ ପରିତ୍ରାଣରେ ଉଲ୍ଲାସ କରିବ।

10ମୋହର ଅସ୍ଥିସକଳ କହିବ, “ହେ ସଦାପ୍ରଭୁ, ତୁମ୍ଭ ତୁଲ୍ୟ କିଏ ଅଛି ?

ତୁମ୍ଭେ ଦୁଃଖୀକୁ ତାହା ଅପେକ୍ଷା ବଳବାନ ଲୋକଠାରୁ,

ମଧ୍ୟ ଦୁଃଖୀ ଓ ଦୀନହୀନକୁ ତାହାର ଲୁଟକାରୀଠାରୁ ଉଦ୍ଧାର କରିଥାଅ।”

11ଅନ୍ୟାୟ ସାକ୍ଷୀମାନେ ଉଠୁଅଛନ୍ତି;

ସେମାନେ ଆମ୍ଭର ଅଜ୍ଞାତ ବିଷୟ ଆମ୍ଭକୁ ପଚାରୁ ଅଛନ୍ତି।

12ସେମାନେ ହିତର ପରିବର୍ତ୍ତେ ମୋହର ଅହିତ କରନ୍ତି,

ତହିଁରେ ମୋହର ପ୍ରାଣ ଅନାଥ ହୁଏ।

13ମାତ୍ର ସେମାନେ ପୀଡ଼ିତ ଥିବା ବେଳେ ଚଟ ମୋହର ପରିଧେୟ ବସ୍ତ୍ର ହେଲା;

ମୁଁ ଉପବାସ କରି ଆପଣା ପ୍ରାଣକୁ କ୍ଳେଶ ଦେଲି

ପୁଣି, ମୋହର ପ୍ରାର୍ଥନାର ଉତ୍ତର ମୋତେ ମିଳିଲା ନାହିଁ।

14ସେମାନେ ମୋହର ବନ୍ଧୁ ଓ ଭ୍ରାତା ଥିଲା ପରି ମୁଁ ବ୍ୟବହାର କଲି;

ମୁଁ ମାତୃଶୋକାତୁର ଲୋକ ତୁଲ୍ୟ ଶୋକରେ ଅବନତ ହେଲି।

15ମାତ୍ର ମୋହର ପାଦ ଖସିଯିବା ବେଳେ ସେମାନେ ଆନନ୍ଦ କରି ଏକତ୍ରିତ ହେଲେ;

ଅଧମ ଲୋକମାନେ ମୋ’ ଅଜ୍ଞାତସାରରେ ମୋ’ ପ୍ରତିକୂଳରେ ଏକତ୍ରିତ ହେଲେ;

ସେମାନେ ମୋତେ ବିଦୀର୍ଣ୍ଣ କଲେ ଓ କ୍ଷାନ୍ତ ନୋହିଲେ;

16ଭୋଜରେ ପାଷାଣ୍ଡ ଉପହାସକମାନଙ୍କ ପରି

ସେମାନେ ମୋ’ ଉପରେ ଦନ୍ତ ଘର୍ଷଣ କଲେ।

17ହେ ସଦାପ୍ରଭୁ, ତୁମ୍ଭେ କେତେ କାଳ ଅନାଇ ଥିବ ?

ସେମାନଙ୍କ ଧ୍ୱଂସନରୁ ମୋହର ପ୍ରାଣକୁ,

ସିଂହମାନଙ୍କଠାରୁ ମୋହର ଏକମାତ୍ର ଆତ୍ମାକୁ ରକ୍ଷା କର।

18ମୁଁ ମହାସମାଜ ମଧ୍ୟରେ ତୁମ୍ଭଙ୍କୁ ଧନ୍ୟବାଦ ଦେବି।

ମୁଁ ମହାଜନତା ମଧ୍ୟରେ ତୁମ୍ଭର ପ୍ରଶଂସା କରିବି।

19ମୋ’ ଉପରେ ମୋ’ ଶତ୍ରୁମାନଙ୍କୁ ଅନ୍ୟାୟରେ ଆନନ୍ଦ କରିବାକୁ ଦିଅ ନାହିଁ।

କିଅବା ଯେଉଁମାନେ ଅକାରଣରେ ମୋତେ ଘୃଣା କରନ୍ତି,

ସେମାନଙ୍କୁ ପରିହାସ କରିବାକୁ ଦିଅ ନାହିଁ।

20ସେମାନେ ଶାନ୍ତିର କଥା କହନ୍ତି ନାହିଁ;

ମାତ୍ର ଦେଶସ୍ଥ ଶାନ୍ତ ଲୋକଙ୍କ ବିରୁଦ୍ଧରେ ଛଳକଥା କଳ୍ପନା କରନ୍ତି।

21ହଁ, ସେମାନେ ମୋ’ ବିରୁଦ୍ଧରେ କଥା କହିଲେ;

ସେମାନେ କହିଲେ, “ହଁ, ହଁ, ଆମ୍ଭମାନଙ୍କ ଚକ୍ଷୁ ତାହା ଦେଖିଅଛି।”

22ହେ ସଦାପ୍ରଭୁ, ତୁମ୍ଭେ ତାହା ଦେଖିଅଛ; ନୀରବ ରୁହ ନାହିଁ;

ହେ ପ୍ରଭୁ, ମୋ’ଠାରୁ ଦୂରବର୍ତ୍ତୀ ହୁଅ ନାହିଁ।

23ହେ ମୋହର ପରମେଶ୍ୱର, ହେ ମୋହର ପ୍ରଭୁ, ଜାଗି ଉଠ,

ମୋହର ବିଚାର ଓ ବିବାଦ ନିଷ୍ପତ୍ତି କରିବା ପାଇଁ ଜାଗ୍ରତ ହୁଅ।

24ହେ ସଦାପ୍ରଭୁ, ମୋହର ପରମେଶ୍ୱର, ତୁମ୍ଭର ଧର୍ମ ପ୍ରମାଣେ ମୋହର ବିଚାର କର

ଓ ସେମାନଙ୍କୁ ମୋ’ ଉପରେ ଆନନ୍ଦ କରିବାକୁ ଦିଅ ନାହିଁ।

25“ହଁ, ସେପରି ହେଉ ବୋଲି ଆମ୍ଭମାନଙ୍କ ଇଚ୍ଛା,” ଏହା ସେମାନେ ଆପଣା ଆପଣା ମନରେ ନ କହନ୍ତୁ;

“ଆମ୍ଭେମାନେ ତାହାକୁ ଗ୍ରାସ କରିଅଛୁ” ବୋଲି ସେମାନେ ନ କହନ୍ତୁ।

26ଯେଉଁମାନେ ମୋ’ ବିପଦରେ ଆନନ୍ଦ କରନ୍ତି, ସେମାନେ ଏକତ୍ର ଲଜ୍ଜିତ ଓ ବିବ୍ରତ ହେଉନ୍ତୁ;

ଯେଉଁମାନେ ମୋ’ ବିରୁଦ୍ଧରେ ଦର୍ପ କରନ୍ତି, ସେମାନେ ଲଜ୍ଜା ଓ ଅପମାନ ପରିଧାନ କରନ୍ତୁ।

27ଯେଉଁମାନେ ମୋ’ ଧର୍ମରେ ସନ୍ତୁଷ୍ଟ, ସେମାନେ ଆନନ୍ଦଧ୍ୱନି କରି ଆହ୍ଲାଦିତ ହେଉନ୍ତୁ;

ଆପଣା ଦାସର ସମୃଦ୍ଧିରେ ସନ୍ତୁଷ୍ଟ ସଦାପ୍ରଭୁ ମହିମାନ୍ୱିତ ହେଉନ୍ତୁ ବୋଲି

ସେମାନେ ନିରନ୍ତର କହନ୍ତୁ।

28ପୁଣି, ମୋହର ଜିହ୍ୱା ଦିନସାରା ତୁମ୍ଭ ଧର୍ମଗୁଣ ଓ

ତୁମ୍ଭ ପ୍ରଶଂସାର କଥା କହିବ।

36

ମନୁଷ୍ୟର ଦୁଷ୍ଟତା

ପ୍ରଧାନ ବାଦ୍ୟକର ନିମନ୍ତେ ସଦାପ୍ରଭୁଙ୍କ ଦାସ ଦାଉଦଙ୍କର ଗୀତ।

1ଦୁଷ୍ଟର ଅପରାଧ ମୋ’ ହୃଦୟ ମଧ୍ୟରେ କହେ,

ପରମେଶ୍ୱର ବିଷୟକ ଭୟ ତାହାର ଚକ୍ଷୁର ଅଗୋଚର।

2କାରଣ ତାହାର ଅଧର୍ମ ପ୍ରକାଶିତ ଓ ଘୃଣିତ ହେବ

ନାହିଁ ବୋଲି ସେ ଆପଣା ଦୃଷ୍ଟିରେ ଆପଣାକୁ ଭୁଲାଏ।

3ତାହାର ମୁଖର ବାକ୍ୟ ଅଧର୍ମ ଓ ପ୍ରବଞ୍ଚନା ମାତ୍ର;

ସେ ସୁବିବେଚନା ଓ ସୁକର୍ମ ତ୍ୟାଗ କରିଅଛି।

4ସେ ଆପଣା ଶଯ୍ୟାରେ ଅଧର୍ମ କଳ୍ପନା କରେ;

ସେ ଅମଙ୍ଗଳ ମାର୍ଗରେ ଆପଣାକୁ ପ୍ରବର୍ତ୍ତାଏ;

ସେ ମନ୍ଦତା ଘୃଣା କରେ ନାହିଁ।

ଈଶ୍ୱର ମଙ୍ଗଳମୟ

5ହେ ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ସ୍ୱର୍ଗରେ ଥାଏ;

ତୁମ୍ଭର ବିଶ୍ୱସ୍ତତା ଗଗନସ୍ପର୍ଶୀ।

6ତୁମ୍ଭର ଧର୍ମ ପରମେଶ୍ୱରଙ୍କ ପର୍ବତଗଣ ତୁଲ୍ୟ;

ତୁମ୍ଭର ଶାସନସବୁ ମହାବାରିଧି ସ୍ୱରୂପ;

ହେ ସଦାପ୍ରଭୁ, ତୁମ୍ଭେ ମନୁଷ୍ୟ ଓ ପଶୁକୁ ରକ୍ଷା କରୁଅଛ।

7ହେ ପରମେଶ୍ୱର, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା କିପରି ବହୁମୂଲ୍ୟ !

ପୁଣି, ମନୁଷ୍ୟ-ସନ୍ତାନଗଣ ତୁମ୍ଭ ପକ୍ଷଛାୟା ତଳେ ଆଶ୍ରୟ ନିଅନ୍ତି।

8ସେମାନେ ତୁମ୍ଭ ଗୃହର ପୁଷ୍ଟିକର ଦ୍ରବ୍ୟରେ ବହୁଳ ରୂପେ ପରିତୃପ୍ତ ହେବେ;

ପୁଣି, ତୁମ୍ଭେ ସେମାନଙ୍କୁ ଆପଣା ଆନନ୍ଦ-ନଦୀର ଜଳ ପାନ କରାଇବ।

9କାରଣ ତୁମ୍ଭଠାରେ ଜୀବନର ନିର୍ଝର ଅଛି;

ତୁମ୍ଭ ଦୀପ୍ତିରେ ଆମ୍ଭେମାନେ ଦୀପ୍ତି ଦେଖିବା।

10ଆହେ, ତୁମ୍ଭଙ୍କୁ ଜାଣିବା ଲୋକମାନଙ୍କ ପ୍ରତି ଆପଣା ସ୍ନେହପୂର୍ଣ୍ଣ କରୁଣା

ଓ ସରଳାନ୍ତଃକରଣ ଲୋକମାନଙ୍କ ପ୍ରତି ଆପଣା ଧାର୍ମିକତା ଚିରସ୍ଥାୟୀ କର।

11ଅହଂକାରୀର ଚରଣ ମୋ’ ବିରୁଦ୍ଧରେ ନ ଆସୁ ଓ

ଦୁଷ୍ଟର ହସ୍ତ ମୋତେ ଘଉଡ଼ାଇ ନ ଦେଉ।

12ହେଇ, ଅଧର୍ମାଚାରୀମାନେ ପତିତ ହେଲେ;

ସେମାନେ ଅଧଃପତିତ ହେଲେ, ଆଉ ଉଠିବାକୁ ସମର୍ଥ ହେବେ ନାହିଁ।

37

ଦୁଷ୍ଟର ଦୁର୍ଦ୍ଦଶା ଓ ସନ୍ଥର ସୁଦଶା

ଦାଉଦଙ୍କର ଗୀତ।

1ତୁମ୍ଭେ ଦୁଷ୍କର୍ମକାରୀମାନଙ୍କ ସକାଶୁ

ଆପଣାକୁ ବିରକ୍ତ କର ନାହିଁ,

କିଅବା ଅଧର୍ମାଚାରୀମାନଙ୍କ ପ୍ରତି ଈର୍ଷାଭାବ ବହ ନାହିଁ।

2କାରଣ ସେମାନେ ଘାସ ପରି ଶୀଘ୍ର କଟା ଯିବେ ଓ

କୋମଳ ତୃଣ ପରି ଶୁଷ୍କ ହେବେ।

3ସଦାପ୍ରଭୁଙ୍କଠାରେ ନିର୍ଭର ରଖି ସୁକର୍ମ କର;

ଦେଶରେ ବାସ କରି ବିଶ୍ୱସ୍ତତାର ଅନୁଗାମୀ ହୁଅ।

4ମଧ୍ୟ ସଦାପ୍ରଭୁଙ୍କଠାରେ ଆନନ୍ଦ କର;

ତହିଁରେ ସେ ତୁମ୍ଭର ମନୋବାଞ୍ଛା ପୂର୍ଣ୍ଣ କରିବେ।

5ସଦାପ୍ରଭୁଙ୍କଠାରେ ତୁମ୍ଭର ଗତି ସମର୍ପଣ କର;

ମଧ୍ୟ ତାହାଙ୍କଠାରେ ନିର୍ଭର ରଖ, ତହିଁରେ ସେ ତାହା ସଫଳ କରିବେ।

6ଆଉ, ସେ ଦିପ୍ତୀ ତୁଲ୍ୟ ତୁମ୍ଭର ଧର୍ମ ଓ

ମଧ୍ୟାହ୍ନ ତୁଲ୍ୟ ତୁମ୍ଭର ବିଚାର ପ୍ରକାଶ କରାଇବେ।

7ସଦାପ୍ରଭୁଙ୍କଠାରେ ସୁସ୍ଥିର ହୁଅ ଓ ଧୈର୍ଯ୍ୟ ଧରି ତାହାଙ୍କ ଅପେକ୍ଷାରେ ରୁହ;

ଯେ ନିଜ ମାର୍ଗରେ କୃତକାର୍ଯ୍ୟ ହୁଏ, ଯେଉଁ ଜନ କୁସଂକଳ୍ପ

ସାଧନ କରେ, ତାହା ସକାଶୁ ଆପଣାକୁ ବିରକ୍ତ କର ନାହିଁ।

8କ୍ରୋଧରୁ କ୍ଷାନ୍ତ ହୁଅ ଓ କୋପ ତ୍ୟାଗ କର; ଆପଣାକୁ

ବିରକ୍ତ କର ନାହିଁ, ତାହା କେବଳ ଦୁଷ୍କର୍ମ କରିବାକୁ ପ୍ରବର୍ତ୍ତାଏ।

9କାରଣ ଦୁଷ୍କର୍ମକାରୀମାନେ ଉଚ୍ଛିନ୍ନ ହେବେ; ମାତ୍ର

ସଦାପ୍ରଭୁଙ୍କ ଅପେକ୍ଷାକାରୀମାନେ ଦେଶାଧିକାରୀ ହେବେ।

10ଆଉ, ଅଳ୍ପକ୍ଷଣ ଉତ୍ତାରେ ଦୁଷ୍ଟଲୋକ ନ ଥିବ;

ତୁମ୍ଭେ ଯତ୍ନପୂର୍ବକ ତାହାର ସ୍ଥାନ ତତ୍ତ୍ୱ କରିବ, ଆଉ ସେ ନ ଥିବ।

11ମାତ୍ର ନମ୍ର ଲୋକମାନେ ଦେଶ ଅଧିକାର କରିବେ

ଓ ଶାନ୍ତିର ବାହୁଲ୍ୟରେ ଆପଣା ଆପଣାକୁ ଆନନ୍ଦିତ କରିବେ।

12ଦୁଷ୍ଟ ଧାର୍ମିକର ପ୍ରତିକୂଳରେ କୁକଳ୍ପନା କରେ

ଓ ତାହା ଉପରେ ଦନ୍ତ କଡ଼ମଡ଼ କରେ।

13ପ୍ରଭୁ ତାହାକୁ ଉପହାସ କରିବେ।

କାରଣ ତାହାର ଅନ୍ତିମ ଦିନ ଯେ ଆସୁଅଛି, ଏହା ସେ ଦେଖନ୍ତି।

14ଦୁଃଖୀ ଓ ଦୀନହୀନକୁ ନିପାତ କରିବା ପାଇଁ, ସରଳ-

ପଥଗାମୀମାନଙ୍କୁ ବଧ କରିବା ପାଇଁ ଦୁଷ୍ଟମାନେ ଆପଣା

ଆପଣା ଖଡ୍ଗ ନିଷ୍କୋଷ କରି ଧନୁ ନୁଆଁଇ ଅଛନ୍ତି।

15ସେମାନଙ୍କ ଖଡ୍ଗ ସେମାନଙ୍କ ନିଜ ହୃଦୟରେ

ପ୍ରବେଶ କରିବ ଓ ସେମାନଙ୍କ ଧନୁ ଭଙ୍ଗାଯିବ।

16ଅନେକ ଦୁଷ୍ଟଲୋକର ପ୍ରଚୁର ସମ୍ପତ୍ତି ଅପେକ୍ଷା

ଧାର୍ମିକ ଲୋକର ଅଳ୍ପ ସମ୍ପତ୍ତି ଭଲ।

17କାରଣ ଦୁଷ୍ଟର ବାହୁ ଭଙ୍ଗାଯିବ, ମାତ୍ର ସଦାପ୍ରଭୁ

ଧାର୍ମିକକୁ ଧରି ରଖିବେ।

18ସଦାପ୍ରଭୁ ସିଦ୍ଧ ଲୋକମାନଙ୍କ ଦିନସବୁ ଜାଣନ୍ତି ଓ

ସେମାନଙ୍କ ଅଧିକାର ଅନନ୍ତକାଳସ୍ଥାୟୀ ହେବ।

19ସେମାନେ ବିପଦ ସମୟରେ ଲଜ୍ଜିତ ହେବେ ନାହିଁ;

ପୁଣି, ଦୁର୍ଭିକ୍ଷ ସମୟରେ ସେମାନେ ପରିତୃପ୍ତ ହେବେ।

20ମାତ୍ର ଦୁଷ୍ଟମାନେ ବିନଷ୍ଟ ହେବେ, ପୁଣି, ସଦାପ୍ରଭୁଙ୍କ

ଶତ୍ରୁମାନେ ଚରାସ୍ଥାନରେ ଶୋଭା ସ୍ୱରୂପ ହେବେ;

ସେମାନେ ନିଃଶେଷିତ ହେବେ; ସେମାନେ ଧୂମରେ

ନିଃଶେଷିତ ହୋଇଯିବେ।

21ଦୁଷ୍ଟ ଲୋକ ଋଣ କରି ପରିଶୋଧ କରେ ନାହିଁ।

ମାତ୍ର ଧାର୍ମିକ ଲୋକ ଦୟା ବ୍ୟବହାର କରି ଦାନ କରେ।

22କାରଣ ତାହାଙ୍କର ଆଶୀର୍ବାଦପ୍ରାପ୍ତ ଲୋକେ

ଦେଶାଧିକାର କରିବେ;

ପୁଣି, ତାହାଙ୍କର ଅଭିଶପ୍ତ ଲୋକେ ଉଚ୍ଛିନ୍ନ ହେବେ

23ସଦାପ୍ରଭୁଙ୍କ ଦ୍ୱାରା ମନୁଷ୍ୟର ଗତି ସ୍ଥିରୀକୃତ ହୁଏ

ଓ ସେ ତାହାର ପଥରେ ସନ୍ତୁଷ୍ଟ ହୁଅନ୍ତି।

24ସେ ପତିତ ହେଲେ ହେଁ ଭୂମିଶାୟୀ ହେବ ନାହିଁ;

କାରଣ ସଦାପ୍ରଭୁ ସ୍ୱହସ୍ତରେ ତାହାକୁ ଧରି ରଖନ୍ତି।

25ମୁଁ ଯୁବା ଥିଲି, ଏବେ ବୃଦ୍ଧ ହୋଇଅଛି;

ତଥାପି ମୁଁ ଧାର୍ମିକକୁ ପରିତ୍ୟକ୍ତ, ଅବା ତାହାର ବଂଶକୁ

ଖାଦ୍ୟ ଭିକ୍ଷା କରିବାର ଦେଖି ନାହିଁ।

26ସେ ସାରାଦିନ ଦୟା ବ୍ୟବହାର କରି ଉଧାର ଦିଏ;

ପୁଣି, ତାହାର ସନ୍ତାନଗଣ ଆଶୀର୍ବାଦ ପାଆନ୍ତି।

27ମନ୍ଦଠାରୁ ଦୂର ହୁଅ ଓ ସୁକର୍ମ କର;

ତେବେ ତୁମ୍ଭେ ଅନନ୍ତକାଳ ବାସ କରିବ।

28କାରଣ ସଦାପ୍ରଭୁ ନ୍ୟାୟ ବିଚାର ଭଲ ପାଆନ୍ତି

ଓ ଆପଣା ସଦ୍‍ଭକ୍ତମାନଙ୍କୁ ପରିତ୍ୟାଗ କରନ୍ତି ନାହିଁ;

ସେମାନେ ଅନନ୍ତକାଳ ରକ୍ଷିତ ହୁଅନ୍ତି;

ମାତ୍ର ଦୁଷ୍ଟର ବଂଶ ଉଚ୍ଛିନ୍ନ ହେବେ।

29ଧାର୍ମିକ ଦେଶାଧିକାର କରିବ ଓ ସଦାକାଳ ତହିଁରେ

ବାସ କରିବ।

30ଧାର୍ମିକର ମୁଖ ଜ୍ଞାନର କଥା କହେ ଓ ତାହାର

ଜିହ୍ୱା ନ୍ୟାୟ ବିଚାରର କଥା କହେ।

31ତାହାର ପରମେଶ୍ୱରଙ୍କ ବ୍ୟବସ୍ଥା ତାହାର ଅନ୍ତରରେ ଅଛି;

ତାହାର କୌଣସି ପାଦଗତି ଖସିଯିବ ନାହିଁ।

32ଦୁଷ୍ଟ ଲୋକ ଧାର୍ମିକକୁ ଜଗି ବସେ

ଓ ତାହାକୁ ବଧ କରିବାକୁ ଚେଷ୍ଟା କରେ।

33ସଦାପ୍ରଭୁ ତାହାର ହସ୍ତରେ ତାହାକୁ ଛାଡ଼ି ଦେବେ ନାହିଁ;

କିଅବା ସେ ବିଚାରିତ ହେବା ବେଳେ ତାହାକୁ ଦୋଷୀ କରିବେ ନାହିଁ।

34ସଦାପ୍ରଭୁଙ୍କର ଅନୁସରଣ କର ଓ ତାହାଙ୍କ ପଥ

ରକ୍ଷା କର,

ତହିଁରେ ସେ ତୁମ୍ଭକୁ ଦେଶାଧିକାର ନିମନ୍ତେ ଉନ୍ନତ

କରିବେ;

ଦୁଷ୍ଟମାନେ ଉଚ୍ଛିନ୍ନ ହେବା ସମୟରେ ତୁମ୍ଭେ ତାହା

ଦେଖିବ।

35ମୁଁ ଦୁଷ୍ଟକୁ ମହାକ୍ଷମତାପନ୍ନ ଓ ସ୍ୱଭୂମିରେ ସତେଜ

ବୃକ୍ଷ ତୁଲ୍ୟ ଆପଣାକୁ ପ୍ରସାରିବାର ଦେଖିଅଛି।

36ମାତ୍ର ଜଣେ ନିକଟ ଦେଇ ଗଲା, ଆଉ ଦେଖ, ସେ ନ ଥିଲା;

ଆହୁରି, ମୁଁ ତାହାର ଅନ୍ୱେଷଣ କଲି, ମାତ୍ର ତାହାର

ଉଦ୍ଦେଶ୍ୟ ମିଳିଲା ନାହିଁ।

37ସିଦ୍ଧ ଲୋକକୁ ଲକ୍ଷ୍ୟ କର ଓ ସରଳ ଲୋକକୁ

ନିରୀକ୍ଷଣ କର;

କାରଣ ଶାନ୍ତିପ୍ରିୟ ଲୋକର ଶେଷ ଫଳ ଅଛି।

38ମାତ୍ର ଅଧର୍ମାଚାରୀମାନେ ଏକାବେଳେ ବିନଷ୍ଟ

ହେବେ;

ଦୁଷ୍ଟର ଶେଷ ଫଳ ଉଚ୍ଛିନ୍ନ ହେବ।

39ମାତ୍ର ସଦାପ୍ରଭୁଙ୍କଠାରୁ ଧାର୍ମିକ ଲୋକର ପରିତ୍ରାଣ

ହୁଏ;

ସେ ସଙ୍କଟ ସମୟରେ ସେମାନଙ୍କର ଦୃଢ଼ ଦୁର୍ଗ ଅଟନ୍ତି।

40ପୁଣି, ସଦାପ୍ରଭୁ ସେମାନଙ୍କର ସାହାଯ୍ୟ କରନ୍ତି ଓ

ସେମାନଙ୍କୁ ରକ୍ଷା କରନ୍ତି;

ସେ ଦୁଷ୍ଟମାନଙ୍କଠାରୁ ସେମାନଙ୍କୁ ରକ୍ଷା କରି ପରିତ୍ରାଣ

କରନ୍ତି,

କାରଣ ସେମାନେ ତାହାଙ୍କର ଶରଣାଗତ।

38

ଦୁଃଖୀର ପ୍ରାର୍ଥନା

ଦାଉଦଙ୍କର ଗୀତ, ସ୍ମରଣୋପାୟ।

1ହେ ସଦାପ୍ରଭୁ, ତୁମ୍ଭ କୋପରେ ମୋତେ

ଅନୁଯୋଗ କର ନାହିଁ; କିଅବା ତୁମ୍ଭ ପ୍ରଚଣ୍ଡ କ୍ରୋଧରେ

ମୋତେ ଶାସ୍ତି ଦିଅ ନାହିଁ।

2କାରଣ ତୁମ୍ଭର ତୀରସବୁ ମୋ’ଠାରେ ବିଦ୍ଧ ରହିଅଛି

ଓ ତୁମ୍ଭର ହସ୍ତ ମୋତେ ଅତିଶୟ ଚାପୁଅଛି।

3ତୁମ୍ଭ କୋପ ସକାଶୁ ମୋ’ ଶରୀର କିଛି ସ୍ୱାସ୍ଥ୍ୟ ନାହିଁ;

ପୁଣି, ମୋ’ ପାପ ସକାଶୁ ମୋ’ ଅସ୍ଥିରେ କିଛି ଆରାମ

ନାହିଁ।

4କାରଣ ମୋହର ଅପରାଧ ମୋ’ ମସ୍ତକ ଉପରେ

ଉଠିଅଛି;

ତାହାସବୁ ମୋ’ ଶକ୍ତି ଅପେକ୍ଷା ଭାରୀ ବୋଝ ସ୍ୱରୂପ।

5ମୋହର ଅଜ୍ଞାନତା ସକାଶୁ ମୋହର କ୍ଷତସବୁ ଦୁର୍ଗନ୍ଧ

ଓ ବିକୃତ ହୋଇଅଛି।

6ମୁଁ ବ୍ୟଥିତ ଓ ଅତ୍ୟନ୍ତ ଅବନତ ହୋଇଅଛି।

ମୁଁ ସାରାଦିନ ଶୋକ କରି ବୁଲୁଥାଏ।

7କାରଣ ମୋ’ କଟିଦେଶ ଜ୍ୱାଳାରେ ପରିପୂର୍ଣ୍ଣ ଓ

ମୋହର ମାଂସରେ କିଛି ସ୍ୱାସ୍ଥ୍ୟ ନାହିଁ।

8ମୁଁ କ୍ଷୀଣ ଓ ଅତିଶୟ ଚୂର୍ଣ୍ଣ ହୋଇଅଛି।

ମୁଁ ଆପଣା ଚିତ୍ତର ଅସ୍ଥିରତା ହେତୁରୁ ଆର୍ତ୍ତନାଦ କରିଅଛି।

9ହେ ପ୍ରଭୁ, ମୋହର ସକଳ ବାଞ୍ଛା ତୁମ୍ଭ ସମ୍ମୁଖରେ ଅଛି

ଓ ମୋହର କାତରୋକ୍ତି ତୁମ୍ଭଠାରୁ ଗୁପ୍ତ ନୁହେଁ।

10ମୋହର ହୃଦୟ ଧୁକ୍‍ଧୁକ୍‍ କରୁଅଛି, ମୋହର ବଳ

କ୍ଷୀଣ ହେଉଅଛି;

ମୋହର ଚକ୍ଷୁର ତେଜ ମଧ୍ୟ ମୋ’ଠାରୁ ଗଲାଣି।

11ମୋହର ପ୍ରିୟ ଲୋକେ ଓ ମୋହର ମିତ୍ରମାନେ

ମୋ’ ବ୍ୟାଧିରୁ ଅଲଗା ଠିଆ ହୁଅନ୍ତି

ଓ ମୋହର ଜ୍ଞାତିବର୍ଗ ଦୂରରେ ଠିଆ ହୁଅନ୍ତି।

12ମଧ୍ୟ ଯେଉଁମାନେ ମୋ’ ପ୍ରାଣ ଚାହାନ୍ତି, ସେମାନେ

ମୋ’ ପାଇଁ ଫାନ୍ଦ ପାତନ୍ତି;

ପୁଣି, ଯେଉଁମାନେ ମୋହର ଅନିଷ୍ଟ ଇଚ୍ଛା କରନ୍ତି,

ସେମାନେ ସର୍ବନାଶର କଥା କହନ୍ତି ଓ ସାରାଦିନ ଛଳର

ଚିନ୍ତା କରନ୍ତି।

13ମାତ୍ର ମୁଁ ବଧିର ଲୋକ ପରି ଶୁଣୁ ନାହିଁ; ପୁଣି, ମୁଁ

ମୁଖ ନ ଫିଟାଇବା ଘୁଙ୍ଗା ଲୋକ ତୁଲ୍ୟ ହୁଏ।

14ଆହୁରି, ଯେ ନ ଶୁଣେ ଓ ଯାହାର ମୁଖରେ ପ୍ରତିବାଦ

ନ ଥାଏ, ଏପରି ଲୋକ ତୁଲ୍ୟ ହୁଏ।

15କାରଣ ହେ ସଦାପ୍ରଭୁ, ମୁଁ ତୁମ୍ଭଠାରେ ଭରସା

ରଖେ;

ହେ ପ୍ରଭୁ, ମୋର ପରମେଶ୍ୱର, ତୁମ୍ଭେ ଉତ୍ତର ଦେବ।

16କାରଣ ମୁଁ କହିଲି, କେଜାଣି ମୋହର ଶତ୍ରୁମାନେ ମୋ’

ଉପରେ ଆନନ୍ଦ କରିବେ;

ମୋ’ ପାଦ ଖସିଗଲା ବେଳେ ସେମାନେ ମୋ’

ପ୍ରତିକୂଳରେ ଦର୍ପ କରନ୍ତି।

17ଯେଣୁ ମୁଁ ଝୁଣ୍ଟି ପଡ଼ିବାକୁ ଉଦ୍ୟତ ଓ ମୋହର ଦୁଃଖ

ସର୍ବଦା ମୋ’ ସମ୍ମୁଖରେ ଥାଏ।

18ମୁଁ ଆପଣା ଅପରାଧ ପ୍ରକାଶ କରିବି; ମୁଁ ଆପଣା

ପାପ ଲାଗି ଖେଦିତ ହେବି।

19ମାତ୍ର ମୋହର ଶତ୍ରୁମାନେ ସତେଜ ଓ ବଳବାନ;

ପୁଣି, ଅନ୍ୟାୟରେ ମୋତେ ଘୃଣା କରିବା ଲୋକେ

ବହୁସଂଖ୍ୟକ ହୋଇଅଛନ୍ତି।

20ମଧ୍ୟ ଯେଉଁମାନେ ହିତର ପରିବର୍ତ୍ତେ ଅହିତ କରନ୍ତି,

ସେମାନେ ମୋହର ବିପକ୍ଷ;

କାରଣ ମୁଁ ଉତ୍ତମ ବିଷୟର ଅନୁଗମନ କରେ।

21ହେ ସଦାପ୍ରଭୁ, ମୋତେ ପରିତ୍ୟାଗ କର ନାହିଁ;

ହେ ମୋହର ପରମେଶ୍ୱର, ମୋ’ଠାରୁ ଦୂରବର୍ତ୍ତୀ ହୁଅ ନାହିଁ।

22ହେ ପ୍ରଭୁ, ମୋହର ପରିତ୍ରାଣ, ମୋହର ସାହାଯ୍ୟ

କରିବାକୁ ସତ୍ୱର ହୁଅ।

39

ଅନ୍ତିମକାଳର ପରିଚୟ ଦିଅ

ପ୍ରଧାନ ବାଦ୍ୟକର ନିମନ୍ତେ, ଯିଦୂଥୂନ୍‍ ପାଇଁ ଦାଉଦଙ୍କର ଗୀତ।

1ମୁଁ କହିଲି, “ମୁଁ ଜିହ୍ୱାରେ ପାପ ନ କରିବା ପାଇଁ

ଆପଣା ପଥ ବିଷୟରେ ସାବଧାନ ହେବି;

ଦୁଷ୍ଟ ମୋ’ ସମ୍ମୁଖରେ ଥିବା ପର୍ଯ୍ୟନ୍ତ ମୁଁ ଆପଣା ମୁଖକୁ

ଲଗାମ ଦେଇ ରଖିବି।”

2ମୁଁ ମୌନ ହୋଇ ନୀରବ ଥିଲି, ସତ କଥାରୁ ହିଁ

ନିବୃତ୍ତ ରହିଲି;

ତହିଁରେ ମୋହର ଦୁଃଖ ପ୍ରବଳ ହେଲା;

3ମୁଁ ମୋହର ଅନ୍ତରରେ ଅତିଶୟ ଚିନ୍ତିତ ହେଲି;

ମୁଁ ଯେମିତି ମୋହର ସମସ୍ୟା ବିଷୟରେ ଭାବିଲି, ମୁଁ ଅଧିକ ଚିନ୍ତିତ ହେଲି;

ତେବେ ମୁଁ ଆପଣା ଜିହ୍ୱାରେ କଥା କହିଲି;

4“ହେ ସଦାପ୍ରଭୁ, ମୋହର ଅନ୍ତିମକାଳ ଓ ମୋ’ ଦିନର

ପରିମାଣ କଅଣ, ମୋତେ ଜଣାଅ;

ମୁଁ କିପରି କ୍ଷଣକାଳସ୍ଥାୟୀ, ଏହା ଜାଣିବାକୁ ଦିଅ।

5ଦେଖ, ତୁମ୍ଭେ ମୋହର ଦିନ କେତେକ ମୁଷ୍ଟି ପରିମିତ କରିଅଛ;

ମୋହର ଆୟୁ ତୁମ୍ଭ ଦୃଷ୍ଟିରେ ଅବସ୍ତୁ ତୁଲ୍ୟ;

ନିଶ୍ଚୟ ପ୍ରତ୍ୟେକ ମନୁଷ୍ୟ ଆପଣା ସର୍ବୋତ୍ତମ ଅବସ୍ଥାରେ

ହିଁ ନିତାନ୍ତ ଅସାର।

[ସେଲା]

6ନିଶ୍ଚୟ ପ୍ରତ୍ୟେକ ମନୁଷ୍ୟ ଛାୟା ତୁଲ୍ୟ ଗମନାଗମନ

କରେ;

ନିଶ୍ଚୟ ସେମାନେ ଅସାରରେ ବ୍ୟସ୍ତ;

ସେ ଧନ ଗଦା କରେ, ଆଉ କିଏ ତାହା ସଂଗ୍ରହ କରିବ,

ଜାଣେ ନାହିଁ।

7ହେ ପ୍ରଭୁ, ଏବେ ମୁଁ କାହିଁର ଅପେକ୍ଷା କରିବି ?

ମୋହର ପ୍ରତ୍ୟାଶା ତୁମ୍ଭଠାରେ ଅଛି।

8ମୋହର ସକଳ ଅଧର୍ମରୁ ମୋତେ ଉଦ୍ଧାର କର;

ମୋତେ ମୂର୍ଖ ଲୋକର ନିନ୍ଦାପାତ୍ର କର ନାହିଁ।

9ମୁଁ ଘୁଙ୍ଗା ହୋଇଥିଲି, ମୁଁ ଆପଣା ମୁଖ ଫିଟାଇଲି

ନାହିଁ;

କାରଣ ତୁମ୍ଭେ ତାହା କଲ।

10ମୋ’ଠାରୁ ତୁମ୍ଭ ଆଘାତ ଦୂର କର;

ତୁମ୍ଭ କରାଘାତରେ ମୁଁ କ୍ଷୀଣ ହେଲି।

11ତୁମ୍ଭେ ମନୁଷ୍ୟକୁ ଅପରାଧ ସକାଶୁ ଅନୁଯୋଗ ଦ୍ୱାରା

ଶାସ୍ତି ଦେଲା ବେଳେ କୀଟ ପରି ତାହାର ସୌନ୍ଦର୍ଯ୍ୟ ବିନାଶ

କରିଥାଅ;

ନିଶ୍ଚୟ ପ୍ରତ୍ୟେକ ମନୁଷ୍ୟ ଅସାର।

[ସେଲା]

12ହେ ସଦାପ୍ରଭୁ, ମୋହର ପ୍ରାର୍ଥନା ଶୁଣ ଓ ମୋ’

ଆର୍ତ୍ତସ୍ୱରରେ କର୍ଣ୍ଣ ଦିଅ;

ମୋ’ ଅଶ୍ରୁପାତରେ ନୀରବ ହୁଅ ନାହିଁ;

କାରଣ ମୁଁ ତୁମ୍ଭ ନିକଟରେ ବିଦେଶୀ,

ମୋହର ସମସ୍ତ ପୂର୍ବପୁରୁଷଗଣଙ୍କ ତୁଲ୍ୟ ପ୍ରବାସୀ।

13ମୁଁ ଏଠାରୁ ପ୍ରସ୍ଥାନ କରିବାର ଓ ଆଉ ନ ଥିବାର

ପୂର୍ବେ ଯେପରି ପ୍ରଫୁଲ୍ଲ ହେବି, ଏଥିପାଇଁ ମୋ’ଠାରୁ ଦୃଷ୍ଟି

ଫେରାଅ।”

40

ସ୍ତୁତିଗାନ

ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।

1ମୁଁ ଧୈର୍ଯ୍ୟ ଧରି ସଦାପ୍ରଭୁଙ୍କର ଅପେକ୍ଷା

କଲି;

ପୁଣି, ସେ ମନୋଯୋଗ କରି ମୋହର କାକୂକ୍ତି ଶୁଣିଲେ।

2ମଧ୍ୟ ସେ ମୋତେ ଭୟଙ୍କର ଗର୍ତ୍ତରୁ ଓ ଦହଲା

କାଦୁଅରୁ ଉଠାଇ ଆଣିଲେ

ଓ ଶୈଳ ଉପରେ ମୋହର ଚରଣ ରଖିଲେ ଓ ମୋହର

ପାଦଗତି ଦୃଢ଼ କଲେ।

3ପୁଣି, ସେ ମୋ’ ମୁଖରେ ଆମ୍ଭମାନଙ୍କ ପରମେଶ୍ୱରଙ୍କ

ପ୍ରଶଂସାର ଏକ ନୂତନ ଗୀତ ଦେଇଅଛନ୍ତି;

ଅନେକେ ଏହା ଦେଖିବେ ଓ ଭୟ କରିବେ, ପୁଣି,

ସଦାପ୍ରଭୁଙ୍କଠାରେ ବିଶ୍ୱାସ କରିବେ।

4ଯେଉଁ ଜନ ସଦାପ୍ରଭୁଙ୍କୁ ଆପଣାର ବିଶ୍ୱାସଭୂମି କରେ,

ପୁଣି, ଅହଂକାରୀକୁ ଓ ମିଥ୍ୟା ପ୍ରତି ଭ୍ରାନ୍ତ ଲୋକଙ୍କୁ ଆଦର

କରେ ନାହିଁ, ସେ ଧନ୍ୟ।

5ହେ ସଦାପ୍ରଭୁ, ମୋ’ ପରମେଶ୍ୱର, ତୁମ୍ଭର କୃତ

ଆଶ୍ଚର୍ଯ୍ୟ କର୍ମ ଓ ଆମ୍ଭମାନଙ୍କ ପକ୍ଷରେ ତୁମ୍ଭର ସଂକଳ୍ପ

ଅନେକ; ତାହାସବୁ ତୁମ୍ଭ ସାକ୍ଷାତରେ ସଜାଯାଇ ନ ପାରେ;

ମୁଁ ସେହି ସବୁ ବିଷୟ ବର୍ଣ୍ଣନା କରି କହନ୍ତି, ମାତ୍ର ତାହାସବୁ

ଗଣନା କରାଯାଇ ନ ପାରେ।

6ବଳିଦାନ ଓ ନୈବେଦ୍ୟରେ ତୁମ୍ଭର ସନ୍ତୋଷ ନାହିଁ;

ତୁମ୍ଭେ ମୋହର କର୍ଣ୍ଣ ମୁକ୍ତ କରିଅଛ;

ତୁମ୍ଭେ ହୋମବଳି ଓ ପାପାର୍ଥକ ବଳି ଚାହିଁ ନାହଁ।

7ତେବେ ମୁଁ କହିଲି, “ଦେଖ, ମୁଁ ଉପସ୍ଥିତ;

ଶାସ୍ତ୍ରରେ ମୋହର ବିଷୟ ଲିଖିତ ଅଛି।

8ହେ ମୋହର ପରମେଶ୍ୱର, ତୁମ୍ଭର ଇଚ୍ଛା ସାଧନ

କରିବାକୁ ମୋହର ସନ୍ତୋଷ;

ତୁମ୍ଭ ବ୍ୟବସ୍ଥା ମୋ’ ହୃଦୟରେ ଅଛି।”

9ମୁଁ ମହାସମାଜରେ ଧର୍ମ ପ୍ରଚାର କରିଅଛି;

ଦେଖ, ମୁଁ ଆପଣା ଓଷ୍ଠାଧର ରୁଦ୍ଧ କରିବି ନାହିଁ, ହେ

ସଦାପ୍ରଭୁ, ତୁମ୍ଭେ ଜାଣୁଅଛ।

10ମୁଁ ତୁମ୍ଭ ଧାର୍ମିକତା ଆପଣା ହୃଦୟରେ ଗୋପନ

କରି ନାହିଁ;

ମୁଁ ତୁମ୍ଭର ବିଶ୍ୱସ୍ତତା ଓ ତୁମ୍ଭର ପରିତ୍ରାଣ ପ୍ରଚାର କରିଅଛି;

ମୁଁ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଓ ତୁମ୍ଭର ସତ୍ୟତା

ମହାସମାଜଠାରୁ ଗୁପ୍ତ ରଖି ନାହିଁ।

11ହେ ସଦାପ୍ରଭୁ, ତୁମ୍ଭେ ମୋ’ଠାରୁ ଆପଣା ଦୟା

ରୁଦ୍ଧ କର ନାହିଁ;

ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଓ ତୁମ୍ଭର ସତ୍ୟତା ମୋତେ

ନିରନ୍ତର ରକ୍ଷା କରୁ।

12କାରଣ ଅସଂଖ୍ୟ ବିପଦ ମୋତେ ଘେରିଅଛି,

ମୋହର ଅଧର୍ମସବୁ ମୋତେ ଗୋଡ଼ାଇ ଧରିଅଛି, ଏହେତୁ

ମୁଁ ଉପରକୁ ଅନାଇ ପାରୁ ନାହିଁ;

ତାହାସବୁ ମୋ’ ମସ୍ତକର କେଶରୁ ଅଧିକ ଓ ମୋହର

ହୃଦୟ ମୋତେ ପରିତ୍ୟାଗ କରିଅଛି।

13ହେ ସଦାପ୍ରଭୁ, ଅନୁଗ୍ରହ କରି ମୋତେ ଉଦ୍ଧାର କର;

ହେ ସଦାପ୍ରଭୁ, ମୋହର ସାହାଯ୍ୟ ପାଇଁ ସତ୍ୱର ହୁଅ।

14ମୋ’ ପ୍ରାଣନାଶର ଅନ୍ୱେଷଣକାରୀ ଲୋକମାନେ

ଏକତ୍ର ଲଜ୍ଜିତ ଓ ହତାଶ ହେଉନ୍ତୁ;

ମୋ’ କ୍ଷତିରେ ସନ୍ତୁଷ୍ଟ ଲୋକମାନେ ପଛକୁ ଫେରାଯାଇ

ଅପମାନିତ ହେଉନ୍ତୁ।

15ଯେଉଁମାନେ ମୋତେ ହଁ ହଁ ବୋଲି କହନ୍ତି, ସେମାନେ

ଆପଣା ଲଜ୍ଜା ସକାଶୁ ବିସ୍ମିତ ହେଉନ୍ତୁ।

16ଯେଉଁମାନେ ତୁମ୍ଭର ଅନ୍ୱେଷଣ କରନ୍ତି, ସେହି ସମସ୍ତେ

ତୁମ୍ଭଠାରେ ଉଲ୍ଲସିତ ଓ ଆନନ୍ଦିତ ହେଉନ୍ତୁ;

ଯେଉଁମାନେ ତୁମ୍ଭ ପରିତ୍ରାଣକୁ ସ୍ନେହ କରନ୍ତି, ସେମାନେ

ନିରନ୍ତର କହନ୍ତୁ,

ସଦାପ୍ରଭୁ ମହିମାନ୍ୱିତ ହେଉନ୍ତୁ।

17ମାତ୍ର ମୁଁ ଦରିଦ୍ର ଓ ଦୀନହୀନ;

ତଥାପି ପ୍ରଭୁ ମୋ’ ବିଷୟ ଚିନ୍ତା କରନ୍ତି;

ତୁମ୍ଭେ ମୋହର ସହାୟ ଓ ଉଦ୍ଧାରକର୍ତ୍ତା ଅଟ;

ହେ ମୋହର ପରମେଶ୍ୱର, ବିଳମ୍ବ କର ନାହିଁ।

41

ପୀଡ଼ିତର ପ୍ରାର୍ଥନା

ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।

1ଯେଉଁ ଜନ ଦୀନହୀନଙ୍କୁ ତତ୍ତ୍ୱାବଧାନ କରେ,

ସେ ଧନ୍ୟ;

ସଦାପ୍ରଭୁ ଦୁର୍ଦ୍ଦଶା ଦିନରେ ତାହାକୁ ଉଦ୍ଧାର କରିବେ।

2ସଦାପ୍ରଭୁ ତାହାକୁ ରକ୍ଷା କରି ଜୀବିତ ରଖିବେ ଓ ସେ

ପୃଥିବୀରେ ଆଶୀର୍ବାଦପ୍ରାପ୍ତ ହେବ;

ପୁଣି, ସଦାପ୍ରଭୁ ତାହାକୁ ତାହାର ଶତ୍ରୁଗଣର ଇଚ୍ଛାରେ

ସମର୍ପଣ କରିବେ ନାହିଁ।

3ସେ ବ୍ୟାଧିଶଯ୍ୟାଗତ ହେଲେ, ସଦାପ୍ରଭୁ ତାହାକୁ

ଧରି ରଖିବେ;

ତୁମ୍ଭେ ପୀଡ଼ା ସମୟରେ ତାହାର ସମସ୍ତ ଶଯ୍ୟା ପରିବର୍ତ୍ତନ

କର।

4ମୁଁ କହିଲି, “ହେ ସଦାପ୍ରଭୁ, ମୋ’ ପ୍ରତି ଦୟା କର;

ମୋ’ ପ୍ରାଣକୁ ସୁସ୍ଥ କର; କାରଣ ମୁଁ ତୁମ୍ଭ ବିରୁଦ୍ଧରେ

ପାପ କରିଅଛି।”

5ମୋହର ଶତ୍ରୁଗଣ ମୋ’ ବିରୁଦ୍ଧରେ ହିଂସାର କଥା

କହି ବୁଲନ୍ତି,

ସେ କେବେ ମରିବ ଓ ତାହାର ନାମ ଲୁପ୍ତ ହେବ ?

6ପୁଣି ସେ ଯଦି ମୋତେ ଦେଖିବାକୁ ଆସେ, ସେ

କହେ;

ତାହାର ହୃଦୟ ଆପଣା ପାଇଁ ଅଧର୍ମ ସଞ୍ଚୟ କରେ;

ସେ ବାହାରେ ଯାଇ ତାହା କହି ବୁଲେ।

7ମୋହର ଘୃଣାକାରୀ ସମସ୍ତେ ଏକତ୍ର ମୋ’ ବିରୁଦ୍ଧରେ

ଫୁସ୍‍ଫୁସ୍‍ କରନ୍ତି;

ସେମାନେ ମୋ’ ବିପକ୍ଷରେ ଅନିଷ୍ଟ କଳ୍ପନା କରନ୍ତି।

8ସେମାନେ କହନ୍ତି, “କୌଣସି ମନ୍ଦ ବ୍ୟାଧି ତାହାଠାରେ

ଲାଗି ରହିଅଛି;

ଏବେ ସେ ପଡ଼ିଅଛି, ଆଉ ଉଠିବ ନାହିଁ।”

9ହଁ, ମୋହର ନିଜ ସୁହୃଦ, ଯାହାକୁ ମୁଁ ବିଶ୍ୱାସ କଲି,

ଯେ ମୋହର ରୁଟି ଖାଇଲା,

ସେ ଆମ୍ଭ ବିରୁଦ୍ଧରେ ଆପଣା ଗୋଇଠି ଉଠାଇଅଛି।

10ମାତ୍ର ହେ ସଦାପ୍ରଭୁ, ତୁମ୍ଭେ ମୋ’ ପ୍ରତି ଦୟା

କରି ମୋତେ ଉଠାଅ,

ତହିଁରେ ମୁଁ ସେମାନଙ୍କୁ ପ୍ରତିଫଳ ଦେବି।

11ମୋହର ଶତ୍ରୁ ମୋ’ ଉପରେ ଜୟଧ୍ୱନି କରୁ ନାହିଁ,

ଏଥିସକାଶୁ ମୁଁ ଜାଣେ ଯେ, ତୁମ୍ଭେ ମୋ’ଠାରେ ସନ୍ତୁଷ୍ଟ ଅଛ।

12ତୁମ୍ଭେ ମୋ’ ସରଳତାରେ ମୋତେ ଧରି ରଖୁଅଛ।

13ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଅନାଦିକାଳରୁ

ଅନନ୍ତକାଳ ଧନ୍ୟ ହେଉନ୍ତୁ। ଆମେନ୍‍, ଆମେନ୍‍।

42

ଦ୍ୱିତୀୟ ଖଣ୍ଡ

42:1—72:20

ନିର୍ବାସିତର ପ୍ରାର୍ଥନା (୧)

ପ୍ରଧାନ ବାଦ୍ୟକର ନିମନ୍ତେ କୋରହ ସନ୍ତାନଗଣର ମସ୍କୀଲ୍‍ (ପ୍ରବୋଧନ)।

1ହରିଣୀ ଯେପରି ଜଳସ୍ରୋତ ପାଇଁ ଧକାଏ, ସେହିପରି

ହେ ପରମେଶ୍ୱର, ମୋ’ ପ୍ରାଣ ତୁମ୍ଭ ପାଇଁ ଧକାଏ।

2ପରମେଶ୍ୱରଙ୍କ ନିମନ୍ତେ, ଜୀବିତ ପରମେଶ୍ୱରଙ୍କ

ନିମନ୍ତେ ମୋ’ ପ୍ରାଣ ତୃଷିତ;

ମୁଁ କେବେ ଆସି ପରମେଶ୍ୱରଙ୍କ ଛାମୁରେ ଉପସ୍ଥିତ ହେବି ?

3ମୋହର ଲୋତକ ଦିବାରାତ୍ର ମୋହର ଭକ୍ଷ୍ୟ

ହୋଇଅଛି,

କାରଣ ଲୋକମାନେ ନିତ୍ୟ ମୋତେ କହନ୍ତି, “ତୁମ୍ଭର

ପରମେଶ୍ୱର କାହାନ୍ତି ?”

4ମୁଁ କିପରି ଲୋକସମୂହ ସହିତ ଯାତ୍ରା କଲି, ପୁଣି,

ଆନନ୍ଦ ଓ ପ୍ରଶଂସାଧ୍ୱନି ସହିତ ପର୍ବପାଳନକାରୀ ଜନତାକୁ

ପରମେଶ୍ୱରଙ୍କ ଗୃହକୁ ଘେନିଗଲି, ଏହି କଥାସବୁ ସ୍ମରଣ

କରି ମୁଁ ଆପଣା ପ୍ରାଣ ଆପଣା ଅନ୍ତରରେ ଢାଳି ଦେଉଅଛି।

5ହେ ମୋହର ପ୍ରାଣ, ତୁ କାହିଁକି ଶୋକାକୁଳ ହେଉଅଛୁ ?

ତୁ କାହିଁକି ମୋ’ ଅନ୍ତରରେ ଅସ୍ଥିର ହେଉଅଛୁ ?

ପରମେଶ୍ୱରଙ୍କଠାରେ ଭରସା ରଖ;

କାରଣ ମୁଁ ତାହାଙ୍କ ପ୍ରସନ୍ନତାର ସାହାଯ୍ୟ ସକାଶୁ ପୁନର୍ବାର

ତାହାଙ୍କର ପ୍ରଶଂସା କରିବି।

6ହେ ମୋହର ପରମେଶ୍ୱର, ମୋହର ପ୍ରାଣ ମୋ’

ଅନ୍ତରରେ ଶୋକାକୁଳ ହେଉଅଛି;

ଏଥିପାଇଁ ମୁଁ ଯର୍ଦ୍ଦନ ଦେଶରୁ, ପୁଣି, ହର୍ମୋଣ ଓ

ମିତ୍‍ସୀୟର ପର୍ବତରୁ ତୁମ୍ଭକୁ ସ୍ମରଣ କରୁଅଛି।

7ତୁମ୍ଭ ନିର୍ଝର ସମୂହର ଶବ୍ଦରେ ଏକ ଗଭୀର ଅନ୍ୟ

ଗଭୀରକୁ ଡାକଇ,

ତୁମ୍ଭର ଢେଉ ଓ ତରଙ୍ଗସବୁ ମୋ’ ଉପରେ ଯାଇଅଛି।

8ତଥାପି ସଦାପ୍ରଭୁ ଦିନବେଳେ ଆପଣା ସ୍ନେହପୂର୍ଣ୍ଣ

କରୁଣା ଆଜ୍ଞା କରିବେ,

ପୁଣି, ରାତ୍ରିକାଳେ ତାହାଙ୍କ ଗୁଣଗାନ ଓ ଆମ୍ଭ

ଜୀବନଦାତା ପରମେଶ୍ୱରଙ୍କ ପ୍ରତି ପ୍ରାର୍ଥନା ମୋହର ସଙ୍ଗୀ

ହେବ।

9ମୁଁ ଆପଣା ଶୈଳ ସ୍ୱରୂପ ପରମେଶ୍ୱରଙ୍କୁ କହିବି,

“ତୁମ୍ଭେ କାହିଁକି ମୋତେ ପାସୋରିଅଛ ?

ମୁଁ କାହିଁକି ଶତ୍ରୁର ଦୌରାତ୍ମ୍ୟ ହେତୁ ଶୋକ କରି

ବୁଲୁଅଛି ?”

10ମୋ’ ଅସ୍ଥିରେ ଖଡ୍ଗ ପରି ମୋ’ ବିପକ୍ଷଗଣ

ମୋତେ ତିରସ୍କାର କରନ୍ତି;

କାରଣ ସେମାନେ ନିତ୍ୟ ମୋତେ କହନ୍ତି, “ତୁମ୍ଭର

ପରମେଶ୍ୱର କାହାନ୍ତି ?”

11ହେ ମୋହର ପ୍ରାଣ, ତୁମ୍ଭେ କାହିଁକି ଶୋକାକୁଳ

ହେଉଅଛ ?

ପୁଣି, ତୁମ୍ଭେ କାହିଁକି ମୋ’ ଅନ୍ତରରେ ଅସ୍ଥିର ହେଉଅଛ ?

ତୁମ୍ଭେ ପରମେଶ୍ୱରଙ୍କଠାରେ ଭରସା ରଖ; କାରଣ ମୁଁ

ପୁନର୍ବାର ତାହାଙ୍କର ପ୍ରଶଂସା କରିବି,

ସେ ମୋ’ ମୁଖର ପ୍ରସନ୍ନତା ଓ ମୋହର ପରମେଶ୍ୱର

ଅଟନ୍ତି।

43

ନିର୍ବାସିତର ପ୍ରାର୍ଥନା (2)

1ହେ ପରମେଶ୍ୱର, ମୋହର ବିଚାର କର

ଓ ଅଧାର୍ମିକ ଗୋଷ୍ଠୀ ବିରୁଦ୍ଧରେ ମୋହର

ଗୁହାରି ନିଷ୍ପତ୍ତି କର;

ପ୍ରବଞ୍ଚକ ଓ ଅନ୍ୟାୟକାରୀ ମନୁଷ୍ୟଠାରୁ ମୋତେ ଉଦ୍ଧାର

କର।

2କାରଣ ତୁମ୍ଭେ ହିଁ ମୋହର ବଳଦାତା ପରମେଶ୍ୱର

ଅଟ;

ତୁମ୍ଭେ କାହିଁକି ମୋତେ ପରିତ୍ୟାଗ କରିଅଛ ? ମୁଁ କାହିଁକି

ଶତ୍ରୁର ଦୌରାତ୍ମ୍ୟ ସକାଶୁ ଶୋକ କରି ବୁଲୁଅଛି ?

3ତୁମ୍ଭର ଦୀପ୍ତି ଓ ତୁମ୍ଭର ସତ୍ୟତା ପଠାଅ; ତାହା

ମୋହର ପଥଦର୍ଶକ ହେଉ;

ତାହା ତୁମ୍ଭ ପବିତ୍ର ପର୍ବତରେ ଓ ତୁମ୍ଭ ଆବାସରେ

ମୋତେ ପ୍ରବେଶ କରାଉ।

4ତହିଁରେ ମୁଁ ପରମେଶ୍ୱରଙ୍କ ବେଦି ନିକଟକୁ ଓ ମୋହର

ପରମାନନ୍ଦଜନକ ପରମେଶ୍ୱରଙ୍କ ନିକଟକୁ ଯିବି;

ଆଉ, ହେ ପରମେଶ୍ୱର, ମୋହର ପରମେଶ୍ୱର, ମୁଁ

ବୀଣାଯନ୍ତ୍ରରେ ତୁମ୍ଭର ପ୍ରଶଂସା କରିବି।

5ହେ ମୋହର ପ୍ରାଣ, ତୁମ୍ଭେ କାହିଁକି ଶୋକାକୁଳ

ହେଉଅଛ ?

ଓ ତୁମ୍ଭେ କାହିଁକି ମୋ’ ଅନ୍ତରରେ ଅସ୍ଥିର ହେଉଅଛ ?

ପରମେଶ୍ୱରଙ୍କଠାରେ ଭରସା ରଖ; କାରଣ ମୁଁ ପୁନର୍ବାର

ତାହାଙ୍କର ପ୍ରଶଂସା କରିବି,

ସେ ମୋ’ ମୁଖର ପ୍ରସନ୍ନତା ଓ ମୋହର ପରମେଶ୍ୱର

ଅଟନ୍ତି।

44

ସୁରକ୍ଷା ପାଇଁ ପ୍ରାର୍ଥନା

ପ୍ରଧାନ ବାଦ୍ୟକର ନିମନ୍ତେ କୋରହ-ସନ୍ତାନଗଣର ଗୀତ। ମସ୍କିଲ୍।

1ହେ ପରମେଶ୍ୱର, ତୁମ୍ଭେ ପୂର୍ବକାଳରେ ଆମ୍ଭମାନଙ୍କ

ପିତୃପୁରୁଷଙ୍କ ସମୟରେ ଯେଉଁ କର୍ମ କରିଥିଲ,

ତାହା ଆମ୍ଭେମାନେ ସ୍ୱକର୍ଣ୍ଣରେ ଶୁଣିଅଛୁ ଓ ସେମାନେ

ତାହା ଆମ୍ଭମାନଙ୍କୁ ଜଣାଇ ଅଛନ୍ତି।

2ତୁମ୍ଭେ ଅନ୍ୟ ଗୋଷ୍ଠୀୟମାନଙ୍କୁ ସ୍ୱହସ୍ତରେ ତଡ଼ି ଦେଇ

ସେମାନଙ୍କୁ ରୋପଣ କରିଥିଲ;

ତୁମ୍ଭେ ଜନବୃନ୍ଦକୁ ନାଶ କରି ସେମାନଙ୍କୁ ବିସ୍ତାରିତ

କରିଥିଲ।

3କାରଣ ସେମାନେ ନିଜ ଖଡ୍ଗ ଦ୍ୱାରା ଦେଶାଧିକାର

ପ୍ରାପ୍ତ ହେଲେ ନାହିଁ,

କିଅବା ସେମାନଙ୍କ ନିଜ ବାହୁ ସେମାନଙ୍କୁ ଉଦ୍ଧାର କଲା

ନାହିଁ;

ମାତ୍ର ସେମାନଙ୍କ ପ୍ରତି ତୁମ୍ଭର ଅନୁଗ୍ରହ ଥିବାରୁ ତୁମ୍ଭର

ଦକ୍ଷିଣ ହସ୍ତ, ତୁମ୍ଭର ବାହୁ ଓ ତୁମ୍ଭ ମୁଖର ପ୍ରସନ୍ନତା ତାହା

କରିଥିଲା।

4ହେ ପରମେଶ୍ୱର, ତୁମ୍ଭେ ମୋହର ରାଜା ଅଟ;

ପୁଣି ତୁମ୍ଭେ ଯାକୁବ ପକ୍ଷରେ ମୁକ୍ତିର ଆଜ୍ଞା ଦିଅ।

5ତୁମ୍ଭ ଦ୍ୱାରା ଆମ୍ଭେମାନେ ବିପକ୍ଷଗଣକୁ ତଳେ ପକାଇବା;

ତୁମ୍ଭ ନାମ ଦ୍ୱାରା ଆମ୍ଭେମାନେ ଆପଣା ବିରୁଦ୍ଧରେ ଉତ୍ଥିତ

ଲୋକମାନଙ୍କୁ ଦଳି ପକାଇବା।

6ଯେହେତୁ ମୁଁ ଆପଣା ଧନୁରେ ନିର୍ଭର କରିବି ନାହିଁ,

କିଅବା ମୋ’ ଖଡ୍ଗ ମୋତେ ଉଦ୍ଧାର କରିବ ନାହିଁ।

7ମାତ୍ର ତୁମ୍ଭେ ଆମ୍ଭମାନଙ୍କ ବିପକ୍ଷଗଣଠାରୁ ଆମ୍ଭମାନଙ୍କୁ

ଉଦ୍ଧାର କରିଅଛ ଓ ଆମ୍ଭମାନଙ୍କ ଘୃଣାକାରୀମାନଙ୍କୁ ଲଜ୍ଜିତ କରିଅଛ।

8ଆମ୍ଭେମାନେ ସାରାଦିନ ପରମେଶ୍ୱରଙ୍କଠାରେ ଦର୍ପ

କରିଅଛୁ ଓ ଅନନ୍ତକାଳ ତୁମ୍ଭ ନାମର ଧନ୍ୟବାଦ କରିବା।

[ସେଲା]

9ମାତ୍ର ଏବେ ତୁମ୍ଭେ ଆମ୍ଭମାନଙ୍କୁ ଦୂର କରିଅଛ ଓ

ଆମ୍ଭମାନଙ୍କୁ ଅପମାନଗ୍ରସ୍ତ କରିଅଛ;

ପୁଣି, ଆମ୍ଭମାନଙ୍କ ସୈନ୍ୟ ସଙ୍ଗରେ ଗମନ କରୁ ନାହଁ।

10ତୁମ୍ଭେ ବିପକ୍ଷମାନଙ୍କ ନିକଟରୁ ଆମ୍ଭମାନଙ୍କୁ ଫେରାଇ

ଦେଉଅଛ ଓ ଆମ୍ଭମାନଙ୍କ ଘୃଣାକାରୀଗଣ ଆପଣାମାନଙ୍କ ନିମନ୍ତେ

ଆମ୍ଭମାନଙ୍କୁ ଲୁଣ୍ଠନ କରୁଅଛନ୍ତି।

11ଖାଦ୍ୟ ନିମନ୍ତେ ନିରୂପିତ ମେଷଗଣ ତୁଲ୍ୟ ତୁମ୍ଭେ

ଆମ୍ଭମାନଙ୍କୁ ସମର୍ପଣ କରିଅଛ ଓ ନାନା ଗୋଷ୍ଠୀ ମଧ୍ୟରେ ଆମ୍ଭମାନଙ୍କୁ ଛିନ୍ନଭିନ୍ନ

କରିଅଛ।

12ତୁମ୍ଭେ ଆପଣା ଲୋକମାନଙ୍କୁ ବିନାମୂଲ୍ୟରେ ବିକ୍ରୟ

କରୁଅଛ ଓ ସେମାନଙ୍କ ମୂଲ୍ୟ ଦ୍ୱାରା ଆପଣା ଧନ ବୃଦ୍ଧି କରି ନାହଁ।

13ତୁମ୍ଭେ ଆମ୍ଭମାନଙ୍କ ପ୍ରତିବାସୀଗଣ ନିକଟରେ

ଆମ୍ଭମାନଙ୍କୁ ତିରସ୍କାରର ବିଷୟ ଓ ଆମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥ

ଲୋକମାନଙ୍କର ହାସ୍ୟାସ୍ପଦ ଓ ଉପହାସର ପାତ୍ର କରୁଅଛ।

14ତୁମ୍ଭେ ଆମ୍ଭମାନଙ୍କୁ ନାନା ଗୋଷ୍ଠୀ ମଧ୍ୟରେ ଗଳ୍ପର

ବିଷୟ ଓ ଜନବୃନ୍ଦ ମଧ୍ୟରେ ମୁଣ୍ଡହଲାର କାରଣ କରିଅଛ।

15ତିରସ୍କାରକାରୀର ଓ ନିନ୍ଦକର ସ୍ୱର ସକାଶୁ, ପୁଣି,

ଶତ୍ରୁ ଓ ପ୍ରତିହିଂସକ ସକାଶୁ,

16ସାରାଦିନ ମୋ’ ଅପମାନ ମୋ’ ସମ୍ମୁଖରେ ଥାଏ

ଓ ମୋ’ ମୁଖର ଲଜ୍ଜା ମୋତେ ଢାଙ୍କିଅଛି।

17ଆମ୍ଭମାନଙ୍କ ପ୍ରତି ଏସବୁ ଘଟିଅଛି; ତଥାପି

ଆମ୍ଭେମାନେ ତୁମ୍ଭକୁ ପାସୋରି ନାହୁଁ, କିଅବା ତୁମ୍ଭ ନିୟମ

ବିଷୟରେ ଅସତ୍ୟ ବ୍ୟବହାର କରି ନାହୁଁ।

18ତୁମ୍ଭେ ଆମ୍ଭମାନଙ୍କୁ ଶୃଗାଳମାନଙ୍କ ସ୍ଥାନରେ ଚୂର୍ଣ୍ଣ

ଓ ମୃତ୍ୟୁୁଛାୟାରେ ଆଚ୍ଛନ୍ନ କରିଅଛ ବୋଲି

19ଆମ୍ଭମାନଙ୍କ ଅନ୍ତଃକରଣ ବିମୁଖ ହୋଇ ନାହିଁ,

କିଅବା ଆମ୍ଭମାନଙ୍କ ପାଦଗତି ତୁମ୍ଭ ପଥରୁ ଭ୍ରଷ୍ଟ

ହୋଇ ନାହିଁ।

20ଯଦି ଆମ୍ଭେମାନେ ଆପଣା ପରମେଶ୍ୱରଙ୍କ ନାମ

ପାସୋରିଥାଉ, ଅବା କୌଣସି ଅନ୍ୟ ଦେବତା ଆଡ଼େ ହସ୍ତ ପ୍ରସାରିଥାଉ;

21ତେବେ ପରମେଶ୍ୱର କି ତାହା ଅନୁସନ୍ଧାନ କରିବେ

ନାହିଁ ?

କାରଣ ସେ ଅନ୍ତଃକରଣର ଗୁପ୍ତ ବିଷୟସବୁ ଜାଣନ୍ତି।

22ହଁ, ତୁମ୍ଭ ସକାଶୁ ଆମ୍ଭେମାନେ ଦିନସାରା ହତ

ହେଉଅଛୁ;

ଆମ୍ଭେମାନେ ହତ୍ୟା ନିମନ୍ତେ ଆନୀତ ମେଷତୁଲ୍ୟ ଗଣିତ

ହେଉଅଛୁ।

23ଜାଗ, ହେ ପ୍ରଭୁ, ତୁମ୍ଭେ କାହିଁକି ନିଦ୍ରିତ ହେଉଅଛ ?

ଉଠ, ଆମ୍ଭମାନଙ୍କୁ ସଦାକାଳ ଦୂର କର ନାହିଁ।

24ତୁମ୍ଭେ କାହିଁକି ଆପଣା ମୁଖ ଲୁଚାଉଅଛ,

ପୁଣି, ଆମ୍ଭମାନଙ୍କ କ୍ଳେଶ ଓ ଦୌରାତ୍ମଭୋଗ ବିସ୍ମୃତ

ହେଉଅଛ ?

25କାରଣ ଆମ୍ଭମାନଙ୍କ ପ୍ରାଣ ଧୂଳିରେ ଅବନତ;

ଆମ୍ଭମାନଙ୍କ ଉଦର ଭୂମିରେ ଲାଗୁଅଛି।

26ଆମ୍ଭମାନଙ୍କ ସାହାଯ୍ୟ ନିମନ୍ତେ ଉଠ ଓ ଆପଣା

ସ୍ନେହପୂର୍ଣ୍ଣ କରୁଣା ସକାଶୁ ଆମ୍ଭମାନଙ୍କୁ ମୁକ୍ତ କର।

45

ରାଜାଙ୍କ ବିବାହ ଉଦ୍ଦେଶ୍ୟରେ ରଚିତ ଗୀତ

ପ୍ରଧାନ ବାଦ୍ୟକର ନିମନ୍ତେ ଶୋଶନ୍ନୀମ୍‍ ସ୍ୱରରେ କୋରହ-ସନ୍ତାନଗଣର ଗୀତ। ମସ୍କୀଲ୍‍। ପ୍ରେମ ଗୀତ।

1ମୋହର ହୃଦୟ ଉତ୍ତମ ବିଷୟରେ ଉଚ୍ଛୁଳି ଉଠୁଅଛି;

ମୁଁ ରାଜାଙ୍କ ବିଷୟରେ ଆପଣା ରଚିତ କଥା କହେ;

ମୋ’ ଜିହ୍ୱା ଶୀଘ୍ର ଲେଖକର ଲେଖନୀ ସ୍ୱରୂପ।

2ତୁମ୍ଭେ ମନୁଷ୍ୟ-ସନ୍ତାନଗଣ ଅପେକ୍ଷା ଅଧିକ ସୁନ୍ଦର;

ତୁମ୍ଭ ଓଷ୍ଠାଧରରେ ଅନୁଗ୍ରହ ଢଳା ଯାଇଅଛି;

ଏହେତୁ ପରମେଶ୍ୱର ତୁମ୍ଭକୁ ଅନନ୍ତକାଳ ଆଶୀର୍ବାଦ

କରିଅଛନ୍ତି।

3ହେ ବୀର, ତୁମ୍ଭ କଟିଦେଶରେ ଆପଣା ଖଡ୍ଗ,

ଆପଣା ମହିମା ଓ ପ୍ରଭାବ ବାନ୍ଧ।

4ପୁଣି, ସତ୍ୟତା ଓ ନମ୍ରତା ଓ ଧର୍ମ ସକାଶେ ଆପଣା

ପ୍ରଭାବରେ ରଥାରୋହଣ କରି କୃତାର୍ଥ ହୁଅ;

ତହିଁରେ ତୁମ୍ଭର ଦକ୍ଷିଣ ହସ୍ତ ତୁମ୍ଭକୁ ଭୟାନକ କାର୍ଯ୍ୟ

ଶିଖାଇବ।

5ତୁମ୍ଭର ତୀରସବୁ ତୀକ୍ଷ୍ଣ; ଜନବୃନ୍ଦ ତୁମ୍ଭ ତଳେ ପଡ଼ନ୍ତି;

ତାହାସବୁ ରାଜାଙ୍କ ଶତ୍ରୁଗଣର ହୃଦୟରେ ବିଦ୍ଧ ହୁଏ।

6ହେ ପରମେଶ୍ୱର, ତୁମ୍ଭର ସିଂହାସନ ଅନନ୍ତକାଳସ୍ଥାୟୀ;

ତୁମ୍ଭର ରାଜଦଣ୍ଡ ନ୍ୟାୟଦଣ୍ଡ ଅଟେ।

7ତୁମ୍ଭେ ଧର୍ମକୁ ପ୍ରେମ ଓ ଦୁଷ୍ଟତାକୁ ଘୃଣା କରିଅଛ;

ଏହେତୁ ପରମେଶ୍ୱର, ତୁମ୍ଭର ପରମେଶ୍ୱର, ତୁମ୍ଭର

ମିତ୍ରଗଣ ଅପେକ୍ଷା ତୁମ୍ଭକୁ ଅଧିକ ଆନନ୍ଦରୂପ ତୈଳରେ

ଅଭିଷିକ୍ତ କରିଅଛନ୍ତି।

8ତୁମ୍ଭର ସକଳ ବସ୍ତ୍ର ଗନ୍ଧରସ, ଅଗୁରୁ ଓ ଦାରୁଚିନିରେ

ସୁବାସମୟ;

ହସ୍ତୀଦନ୍ତନିର୍ମିତ ଅଟ୍ଟାଳିକାସମୂହରୁ ତାରଯୁକ୍ତ

ବାଦ୍ୟଯନ୍ତ୍ରସବୁ ତୁମ୍ଭକୁ ଆନନ୍ଦିତ କରିଅଛି।

9ତୁମ୍ଭର ସମ୍ଭ୍ରାନ୍ତା ସ୍ତ୍ରୀଗଣ ମଧ୍ୟରେ ରାଜକୁମାରୀମାନେ

ଅଛନ୍ତି;

ଓଫରୀୟ ସୁବର୍ଣ୍ଣରେ ଭୂଷିତା ରାଣୀ ତୁମ୍ଭ ଦକ୍ଷିଣ ପାଖରେ

ଉଭା ହୁଅନ୍ତି।

10ଆଗୋ କନ୍ୟେ, ଶୁଣ, ବିବେଚନା କର ଓ ଆପଣା କର୍ଣ୍ଣ ଡେର;

ତୁମ୍ଭ ନିଜ ଲୋକଙ୍କୁ ଓ ପିତୃଗୃହକୁ ପାସୋର;

11ତହିଁରେ ରାଜା ତୁମ୍ଭ ସୌନ୍ଦର୍ଯ୍ୟ ବାଞ୍ଛା କରିବେ45:11 ସୌନ୍ଦର୍ଯ୍ୟ ବାଞ୍ଛା କରିବେ ଅର୍ଥାତ୍ ଶୟନ କରିବେ

କାରଣ ସେ ତୁମ୍ଭର ପ୍ରଭୁ; ତୁମ୍ଭେ ତାହାଙ୍କୁ ପ୍ରଣାମ କର।

12ପୁଣି, ସୋରର କନ୍ୟା ଭେଟୀ ନେଇ ସେଠାରେ

ଉପସ୍ଥିତ ହେବ; ଲୋକଙ୍କ ମଧ୍ୟରେ ଧନୀମାନେ ହିଁ ତୁମ୍ଭ ଅନୁଗ୍ରହର ବିନତୀ

କରିବେ।

13ଅନ୍ତଃପୁରରେ ରାଜକୁମାରୀ ସର୍ବତୋଭାବେ

ସୁଶୋଭିତା; ତାଙ୍କର ବସ୍ତ୍ର ସୁବର୍ଣ୍ଣସୂତ୍ର ନିର୍ମିତ।

14ସେ ସୂଚୀଶିଳ୍ପିତ-ବସ୍ତ୍ରରେ ରାଜାଙ୍କ ନିକଟକୁ

ଅଣାଯିବେ; ତାଙ୍କର ପଶ୍ଚାଦ୍‍ବର୍ତ୍ତିନୀ ସହଚରୀ କୁମାରୀଗଣ ତୁମ୍ଭ

ନିକଟକୁ ଅଣାଯିବେ।

15ସେମାନେ ଆନନ୍ଦ ଓ ଉଲ୍ଲାସରେ ଅଣାଯିବେ;

ସେମାନେ ରାଜାଙ୍କ ଅଟ୍ଟାଳିକାରେ ପ୍ରବେଶ କରିବେ;

16ତୁମ୍ଭ ପିତୃଗଣ ପରିବର୍ତ୍ତରେ ତୁମ୍ଭ ସନ୍ତାନଗଣ ରହିବେ,

ତୁମ୍ଭେ ସେମାନଙ୍କୁ ସମୁଦାୟ ପୃଥିବୀରେ ଅଧିପତି

କରିବ।

17ମୁଁ ସକଳ ପିଢ଼ିରେ ତୁମ୍ଭ ନାମ ସ୍ମରଣ

କରାଇବି;

ଏହେତୁ ଗୋଷ୍ଠୀସମୂହ ଅନନ୍ତକାଳ ତୁମ୍ଭର ପ୍ରଶଂସା

କରିବେ।

46

ସହବର୍ତ୍ତୀ ପରମେଶ୍ୱର

ପ୍ରଧାନ ବାଦ୍ୟକର ନିମନ୍ତେ କୋରହ ସନ୍ତାନଗଣର ଗୀତ; ଅଲ୍‍ମୋତ୍‍ ସ୍ୱରର ଗୀତ।

1ପରମେଶ୍ୱର ଆମ୍ଭମାନଙ୍କର ଆଶ୍ରୟ ଓ ବଳ,

ଦୁର୍ଦ୍ଦଶାକାଳରେ ଅତି ନିକଟବର୍ତ୍ତୀ ସହାୟ।

2ଏଥିପାଇଁ ପୃଥିବୀ ପରିବର୍ତ୍ତିତ ହେଲେ ହେଁ ଓ ପର୍ବତଗଣ

ସମୁଦ୍ର ମଧ୍ୟରେ ବିଚଳିତ ହେଲେ ହେଁ;

3ତହିଁର ଜଳରାଶି ଗର୍ଜ୍ଜନ କରି ପ୍ରବଳ ହେଲେ ହେଁ,

ତହିଁର ପ୍ଳାବନରେ ପର୍ବତଗଣ କମ୍ପିତ ହେଲେ ହେଁ

ଆମ୍ଭେମାନେ ଭୟ କରିବା ନାହିଁ।

[ସେଲା]

4ନଦୀ ଗୋଟିଏ ଅଛି, ତହିଁର ସ୍ରୋତସମୂହ

ପରମେଶ୍ୱରଙ୍କ ନଗରକୁ,

ସର୍ବୋପରିସ୍ଥଙ୍କ ଆବାସର ପବିତ୍ର ସ୍ଥାନକୁ ଆନନ୍ଦିତ କରେ।

5ପରମେଶ୍ୱର ସେହି ନଗରର ମଧ୍ୟବର୍ତ୍ତୀ; ତାହା ବିଚଳିତ ହେବ

ନାହିଁ।

ପରମେଶ୍ୱର ଅତି ପ୍ରଭାତରେ ତାହାର ସାହାଯ୍ୟ କରିବେ।

6ଗୋଷ୍ଠୀସବୁ ଗର୍ଜ୍ଜନ କଲେ, ରାଜ୍ୟସବୁ ବିଚଳିତ

ହେଲେ;

ସେ ଆପଣା ରବ ଉଚ୍ଚାରଣ କଲେ, ପୃଥିବୀ ତରଳି ଗଲା।

7ସୈନ୍ୟାଧିପତି ସଦାପ୍ରଭୁ ଆମ୍ଭମାନଙ୍କର ସହବର୍ତ୍ତୀ,

ଯାକୁବର ପରମେଶ୍ୱର ଆମ୍ଭମାନଙ୍କର ଆଶ୍ରୟ ଅଟନ୍ତି।

8ଆସ, ସଦାପ୍ରଭୁଙ୍କର କାର୍ଯ୍ୟସବୁ ଦେଖ,

ସେ ପୃଥିବୀରେ କିପ୍ରକାର ଉଜାଡ଼ କରିଅଛନ୍ତି !

9ସେ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଯୁଦ୍ଧ ନିବୃତ୍ତ କରନ୍ତି;

ସେ ଧନୁ ଭାଙ୍ଗି ପକାନ୍ତି ଓ ବର୍ଚ୍ଛା କାଟି ଖଣ୍ଡ ଖଣ୍ଡ କରନ୍ତି;

ସେ ରଥ46:9 ରଥ କିମ୍ବା ଢାଲସବୁ ଅଗ୍ନିରେ ପୋଡ଼ି ପକାନ୍ତି।

10କ୍ଷାନ୍ତ ହୁଅ, ଆମ୍ଭେ ପରମେଶ୍ୱର ଅଟୁ, ଏହା ଜାଣ;

ଆମ୍ଭେ ଦେଶୀୟମାନଙ୍କ ମଧ୍ୟରେ ଉନ୍ନତ ହେବୁ,

ଆମ୍ଭେ ପୃଥିବୀରେ ଉନ୍ନତ ହେବୁ।

11ସୈନ୍ୟାଧିପତି ସଦାପ୍ରଭୁ ଆମ୍ଭମାନଙ୍କର ସହବର୍ତ୍ତୀ;

ଯାକୁବର ପରମେଶ୍ୱର ଆମ୍ଭମାନଙ୍କର ଆଶ୍ରୟ ଅଟନ୍ତି।

[ସେଲା]

47

ସର୍ବୋପରିସ୍ଥ ଅଧିପତି

ପ୍ରଧାନ ବାଦ୍ୟକର ନିମନ୍ତେ କୋରହ-ସନ୍ତାନଗଣର ଗୀତ।

1ହେ ସର୍ବଗୋଷ୍ଠୀୟମାନେ, କରତାଳି ଦିଅ; ଆନନ୍ଦସ୍ୱରରେ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଜୟଧ୍ୱନି କର।

2କାରଣ ସର୍ବୋପରିସ୍ଥ ସଦାପ୍ରଭୁ ଭୟଙ୍କର ଅଟନ୍ତି;

ସେ ସମୁଦାୟ ପୃଥିବୀ ଉପରେ ମହାନ ରାଜା।

3ସେ ଗୋଷ୍ଠୀସମୂହକୁ ଆମ୍ଭମାନଙ୍କର ବଶୀଭୂତ

କରିବେ ଓ ଦେଶୀୟଗଣକୁ ଆମ୍ଭମାନଙ୍କର ପଦତଳସ୍ଥ କରିବେ।

4ସେ ଆମ୍ଭମାନଙ୍କ ନିମନ୍ତେ ଆମ୍ଭମାନଙ୍କ ଅଧିକାର

ମନୋନୀତ କରିବେ,

ତାହା ହିଁ ତାହାଙ୍କ ପ୍ରିୟ ପାତ୍ର ଯାକୁବର ଗୌରବ ସ୍ୱରୂପ।

[ସେଲା]

5ପରମେଶ୍ୱର ଜୟଧ୍ୱନିରେ, ସଦାପ୍ରଭୁ ତୂରୀଧ୍ୱନିରେ

ଊର୍ଦ୍ଧ୍ୱକୁ ବିଜେ କରିଅଛନ୍ତି।

6ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରଶଂସାଗାନ କର,

ପ୍ରଶଂସାଗାନ କର;

ଆମ୍ଭମାନଙ୍କ ରାଜାଙ୍କ ଉଦ୍ଦେଶ୍ୟରେ ପ୍ରଶଂସାଗାନ କର,

ପ୍ରଶଂସାଗାନ କର।

7କାରଣ ପରମେଶ୍ୱର ସମୁଦାୟ ପୃଥିବୀର ରାଜା ଅଟନ୍ତି;

ତୁମ୍ଭେମାନେ ପ୍ରବୋଧଜନକ ପ୍ରଶଂସାଗାନ କର।

8ପରମେଶ୍ୱର ଗୋଷ୍ଠୀବର୍ଗ ଉପରେ ରାଜତ୍ୱ କରନ୍ତି;

ପରମେଶ୍ୱର ଆପଣା ପବିତ୍ର ସିଂହାସନରେ ଉପବିଷ୍ଟ।

9ଅବ୍ରହାମର ପରମେଶ୍ୱରଙ୍କ ଲୋକ ହେବା ନିମନ୍ତେ

ଗୋଷ୍ଠୀୟମାନଙ୍କର ଅଧିପତିଗଣ ଏକତ୍ରିତ ହୋଇଅଛନ୍ତି।

କାରଣ ପୃଥିବୀର ଢାଲସବୁ ପରମେଶ୍ୱରଙ୍କର; ସେ

ଅତିଶୟ ଉନ୍ନତ ଅଟନ୍ତି।

48

ସଦାପ୍ରଭୁଙ୍କ ନଗରୀ ସିୟୋନ

ଗୀତ : କୋରହ-ସନ୍ତାନମାନଙ୍କର ଗୀତ।

1ଆମ୍ଭମାନଙ୍କ ପରମେଶ୍ୱରଙ୍କ ନଗରରେ,

ତାହାଙ୍କ ପବିତ୍ର ପର୍ବତରେ ସଦାପ୍ରଭୁ ମହାନ ଓ ଅତ୍ୟନ୍ତ

ପ୍ରଶଂସନୀୟ।

2ଉତ୍ତର ଦିଗସ୍ଥ ସିୟୋନ ପର୍ବତ ଉଚ୍ଚତାରେ ମନୋହର,

ସମଗ୍ର ପୃଥିବୀର ଆନନ୍ଦଜନକ, ମହାରାଜଙ୍କର ନଗର।

3ତହିଁର ଅଟ୍ଟାଳିକାସମୂହ ମଧ୍ୟରେ ପରମେଶ୍ୱର ଆଶ୍ରୟ

ସ୍ୱରୂପ ବୋଲି ଆପଣାର ପରିଚୟ ଦେଇଅଛନ୍ତି।

4କାରଣ ଦେଖ, ରାଜାଗଣ ସଭାସ୍ଥ ହେଲେ, ସେମାନେ

ଏକସଙ୍ଗେ ଗମନ କଲେ।

5ସେମାନେ ତାହା ଦେଖି ଚମତ୍କୃତ ହେଲେ;

ସେମାନେ ଉଦ୍‍ବିଗ୍ନ ହୋଇ ଶୀଘ୍ର ପଳାଇଲେ;

6ସେଠାରେ ସେମାନେ କମ୍ପରେ ଓ ପ୍ରସବକାରିଣୀ ସ୍ତ୍ରୀର

ବେଦନା ତୁଲ୍ୟ ବେଦନାରେ ଆକ୍ରାନ୍ତ ହେଲେ।

7ତୁମ୍ଭେ ପୂର୍ବୀୟ ବାୟୁ ଦ୍ୱାରା ତର୍ଶୀଶ ନଗରର ଜାହାଜସବୁ

ଭାଙ୍ଗିଥାଅ।

8ଯେପରି ଆମ୍ଭେମାନେ ଶୁଣିଅଛୁ, ସେପରି

ସୈନ୍ୟାଧିପତି ସଦାପ୍ରଭୁଙ୍କ ନଗରରେ, ଆମ୍ଭମାନଙ୍କ

ପରମେଶ୍ୱରଙ୍କ ନଗରରେ ଦେଖିଅଛୁ;

ପରମେଶ୍ୱର ଅନନ୍ତକାଳ ତାହା ସୁସ୍ଥିର କରିବେ।

[ସେଲା]

9ହେ ପରମେଶ୍ୱର, ଆମ୍ଭେମାନେ ତୁମ୍ଭ ମନ୍ଦିର ମଧ୍ୟରେ

ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ବିଷୟ ଧ୍ୟାନ କରିଅଛୁ।

10ହେ ପରମେଶ୍ୱର, ଯେପରି ତୁମ୍ଭର ନାମ, ସେହିପରି

ତୁମ୍ଭର ପ୍ରଶଂସା, ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଅଟେ;

ତୁମ୍ଭର ଦକ୍ଷିଣ ହସ୍ତ ଧର୍ମରେ ପରିପୂର୍ଣ୍ଣ।

11ତୁମ୍ଭର ସକଳ ଶାସନ ସକାଶୁ ସିୟୋନ ପର୍ବତ

ଆନନ୍ଦିତ ହେଉ,

ଯିହୁଦାର କନ୍ୟାଗଣ48:11 କନ୍ୟାଗଣ ଅର୍ଥାତ୍ ନଗରର ଲୋକମାନେ ଉଲ୍ଲାସିତ ହେଉନ୍ତୁ।

12ସିୟୋନକୁ ପ୍ରଦକ୍ଷିଣ କର ଓ ତାହାର ଚତୁର୍ଦ୍ଦିଗରେ

ଭ୍ରମଣ କର;

ତହିଁର ଦୁର୍ଗସବୁ ଗଣନା କର।

13ଯେପରି ତୁମ୍ଭେମାନେ ଭବିଷ୍ୟତ ବଂଶକୁ ଜଣାଇ

ପାରିବ, ଏଥିପାଇଁ ତହିଁର ଦୃଢ଼ ପ୍ରାଚୀରମାନ ନିରୀକ୍ଷଣ

କର, ତହିଁର ଅଟ୍ଟାଳିକାସବୁ ବିବେଚନା କର।

14କାରଣ ଏହି ପରମେଶ୍ୱର ଅନନ୍ତକାଳ ଆମ୍ଭମାନଙ୍କର

ପରମେଶ୍ୱର ଅଟନ୍ତି;

ସେ ଆମ୍ଭମାନଙ୍କର ମରଣ ପର୍ଯ୍ୟନ୍ତ ଆମ୍ଭମାନଙ୍କର ପଥଦର୍ଶକ ହେବେ।

49

ଧନ ଉପରେ ଆସ୍ଥା ମୂର୍ଖତା

ପ୍ରଧାନ ବାଦ୍ୟକର ନିମନ୍ତେ କୋରହ-ସନ୍ତାନଗଣର ଗୀତ।

1ହେ ଗୋଷ୍ଠୀସକଳ, ଏହା ଶୁଣ, ହେ ଜଗନ୍ନିବାସୀଗଣ,

2ନୀଚ ଓ ଉଚ୍ଚ, ଧନୀ ଓ ଦରିଦ୍ର ସମସ୍ତେ, ଏକତ୍ର

କର୍ଣ୍ଣପାତ କର।

3ମୋହର ମୁଖ ଜ୍ଞାନର କଥା କହିବ ଓ ମୋ’

ଅନ୍ତଃକରଣର ଧ୍ୟାନ ବୁଦ୍ଧି ବିଷୟକ ହେବ।

4ମୁଁ ଦୃଷ୍ଟାନ୍ତରେ କର୍ଣ୍ଣପାତ କରିବି;

ମୁଁ ବୀଣାଯନ୍ତ୍ରରେ ଆପଣା ଗୁପ୍ତ ବିଷୟ ବ୍ୟାଖ୍ୟା କରିବି।

5ଯେତେବେଳେ ଅଧର୍ମ ମୋ’ ଗୋଇଠି ପାଖରେ ମୋତେ

ଘେରେ, ଏପରି ବିପଦ ସମୟରେ କାହିଁକି ଭୟ କରିବି ?

6ଯେଉଁମାନେ ଆପଣାମାନଙ୍କ ସମ୍ପତ୍ତିରେ ନିର୍ଭର

ରଖନ୍ତି; ଓ ଆପଣାମାନଙ୍କ ଧନର ବାହୁଲ୍ୟରେ ଦର୍ପ କରନ୍ତି;

7ସେମାନଙ୍କ ମଧ୍ୟରୁ କେହି ଆପଣା ଭାଇ ନିତ୍ୟଜୀବୀ

ହେବା ପାଇଁ, କ୍ଷୟ ନ ଦେଖିବା ପାଇଁ କୌଣସିମତେ ତାହାକୁ

ମୁକ୍ତ କରି ନ ପାରେ।

8କିଅବା ତାହା ପାଇଁ ପରମେଶ୍ୱରଙ୍କୁ କୌଣସି ପ୍ରାୟଶ୍ଚିତ୍ତ

ଦେଇ ନ ପାରେ;

9କାରଣ ସେମାନଙ୍କ ପ୍ରାଣର ମୁକ୍ତି ଦୁର୍ମୂଲ୍ୟ ଓ

ଅନନ୍ତକାଳ ଅସାଧ୍ୟ।

10ଯେଣୁ ସେ ଦେଖେ ଯେ, ଜ୍ଞାନୀ ଲୋକମାନେ

ମରନ୍ତି, ମୂର୍ଖ ଓ ପଶୁବତ୍‍ ଲୋକେ ଏକତ୍ର ବିନଷ୍ଟ ହୁଅନ୍ତି,

ପୁଣି, ଆପଣାମାନଙ୍କ ସମ୍ପତ୍ତି ଅନ୍ୟମାନଙ୍କ ନିମନ୍ତେ

ଛାଡ଼ିଯା’ନ୍ତି।

11ସେମାନଙ୍କ କବରସ୍ଥାନ ଯେ ଚିରକାଳ ଓ ସେମାନଙ୍କ

ବାସସ୍ଥାନ ଯେ ପୁରୁଷାନୁକ୍ରମେ ରହିବ, ଏହା ସେମାନଙ୍କର

ଆନ୍ତରିକ ବିଚାର;

ସେମାନେ ଆପଣା ଆପଣା ନାମାନୁସାରେ ଆପଣା

ଆପଣା ଭୂମିର ନାମ ରଖନ୍ତି।

12ମାତ୍ର ମନୁଷ୍ୟ ଐଶ୍ୱର୍ଯ୍ୟରେ ସ୍ଥିର ରହେ ନାହିଁ;

ସେ ବିନାଶ୍ୟ ପଶୁ ତୁଲ୍ୟ।

13ସେମାନଙ୍କର ଏହି ଗତି ସେମାନଙ୍କ ମୂର୍ଖତା ଅଟେ;

ତଥାପି ସେମାନଙ୍କ ଉତ୍ତାରେ ଲୋକମାନେ ସେମାନଙ୍କ

କଥା ପସନ୍ଦ କରନ୍ତି।

[ସେଲା]

14ସେମାନେ ମେଷପଲ ତୁଲ୍ୟ ପାତାଳ ପାଇଁ ନିଯୁକ୍ତ;

ମୃତ୍ୟୁୁ ସେମାନଙ୍କର ପାଳକ ହେବ;

ଆଉ, ସରଳ ଲୋକେ ପ୍ରଭାତରେ ସେମାନଙ୍କ ଉପରେ କର୍ତ୍ତୃତ୍ୱ କରିବେ;

ଆଉ, ସେମାନଙ୍କ ଶୋଭା ବିନଷ୍ଟ ହେବା ପାଇଁ ପାତାଳର

ହେବ ଓ ତହିଁ ନିମନ୍ତେ ଆଉ ବାସସ୍ଥାନ ନ ଥିବ।

15ମାତ୍ର ପରମେଶ୍ୱର ପାତାଳର ପରାକ୍ରମରୁ ମୋହର

ପ୍ରାଣ ମୁକ୍ତ କରିବେ;

କାରଣ ସେ ମୋତେ ଗ୍ରହଣ କରିବେ।

[ସେଲା]

16କେହି ଧନବାନ ହେଲେ ଓ ତାହାର ଗୃହର ଐଶ୍ୱର୍ଯ୍ୟ49:16 ଐଶ୍ୱର୍ଯ୍ୟ କିମ୍ବା ଧନ ଓ ସମ୍ପତ୍ତି

ବୃଦ୍ଧି ପାଇଲେ, ତୁମ୍ଭେ ଭୀତ ହୁଅ ନାହିଁ;

17କାରଣ ମରଣକାଳରେ ସେ କିଛି ନେଇଯିବ ନାହିଁ;

ତାହାର ଐଶ୍ୱର୍ଯ୍ୟ ତାହାର ପଶ୍ଚାଦ୍‍ଗମନ କରିବ ନାହିଁ।

18ଯଦ୍ୟପି ସେ ଜୀବଦ୍ଦଶାରେ ଆପଣା ପ୍ରାଣର

ଧନ୍ୟବାଦ କଲା,

ଆଉ, ତୁମ୍ଭେ ଆପଣାର ଭଲ କଲେ, ଲୋକେ ତୁମ୍ଭର

ପ୍ରଶଂସା କରନ୍ତି;

19ତଥାପି ସେ ଆପଣା ପୂର୍ବପୁରୁଷଗଣ ନିକଟକୁ ଯିବ;

ସେମାନେ କଦାଚ ଦୀପ୍ତି ଦେଖିବେ ନାହିଁ।

20ଯେଉଁ ମନୁଷ୍ୟ ଐଶ୍ୱର୍ଯ୍ୟଶାଳୀ ହୋଇ ବିବେଚନା ନ

କରେ, ସେ ବିନାଶ୍ୟ ପଶୁ ତୁଲ୍ୟ।

50

ସତ୍ୟ ଉପାସନା

ଆସଫର ଗୀତ।

1ପରମେଶ୍ୱର, ସଦାପ୍ରଭୁ ପରମେଶ୍ୱର

କଥା କହିଅଛନ୍ତି ଓ ସୂର୍ଯ୍ୟର ଉଦୟ-ସ୍ଥାନଠାରୁ ତହିଁର ଅସ୍ତ-ସ୍ଥାନ ପର୍ଯ୍ୟନ୍ତ

ସେ ପୃଥିବୀକୁ ଆହ୍ୱାନ କରିଅଛନ୍ତି।

2ସୌନ୍ଦର୍ଯ୍ୟର ସିଦ୍ଧି ସ୍ୱରୂପ ସିୟୋନଠାରୁ ପରମେଶ୍ୱର

ପ୍ରକାଶିତ ହୋଇଅଛନ୍ତି।

3ଆମ୍ଭମାନଙ୍କର ପରମେଶ୍ୱର ଆସିବେ ଓ ନୀରବ

ରହିବେ ନାହିଁ;

ତାହାଙ୍କ ସମ୍ମୁଖରେ ଅଗ୍ନି ଗ୍ରାସ କରିବ ଓ ତାହାଙ୍କ ଚତୁର୍ଦ୍ଦିଗ

ଅତ୍ୟନ୍ତ ଝଡ଼ମୟ ହେବ।

4ସେ ଆପଣା ଲୋକଙ୍କୁ ବିଚାର କରିବା ନିମନ୍ତେ

ଉପରିସ୍ଥ ସ୍ୱର୍ଗକୁ ଓ ପୃଥିବୀକୁ ଡାକିବେ;

5“ଯେଉଁମାନେ ବଳିଦାନ ଦ୍ୱାରା ଆମ୍ଭ ସଙ୍ଗେ ନିୟମ

କରିଅଛନ୍ତି, ଆମର ସେହି ସଦ୍‍ଭକ୍ତଗଣଙ୍କୁ ଆମ୍ଭ ନିକଟରେ

ଏକତ୍ର କର।”

6ପୁଣି, ସ୍ୱର୍ଗ ତାହାଙ୍କର ଧର୍ମ ପ୍ରକାଶ କରିବ; କାରଣ

ପରମେଶ୍ୱର ସ୍ୱୟଂ ବିଚାରକର୍ତ୍ତା।

[ସେଲା]

7“ହେ ଆମ୍ଭର ଲୋକମାନେ, ଶୁଣ, ଆମ୍ଭେ କଥା କହିବା;

ହେ ଇସ୍ରାଏଲ ଶୁଣ, ଆମ୍ଭେ ତୁମ୍ଭ ବିଷୟରେ ସାକ୍ଷ୍ୟ

ଦେବା; ଆମ୍ଭେ ହିଁ ପରମେଶ୍ୱର, ତୁମ୍ଭର ପରମେଶ୍ୱର,

8ଆମ୍ଭେ ତୁମ୍ଭର ସବୁ ହୋମବଳି ସକାଶୁ ତୁମ୍ଭକୁ ଭର୍ତ୍ସନା

କରିବା ନାହିଁ;

ଆଉ, ତୁମ୍ଭର ହୋମବଳିସବୁ ନିତ୍ୟ ଆମ୍ଭ ସମ୍ମୁଖରେ

ଅଛି।

9ଆମ୍ଭେ ତୁମ୍ଭ ଗୃହରୁ କୌଣସି ବୃଷ କିମ୍ଵା ତୁମ୍ଭ ଖୁଆଡ଼ରୁ

ଛାଗର ବଳିଦାନ ନେବା ନାହିଁ।

10କାରଣ ବନସ୍ଥ ପ୍ରତ୍ୟେକ ଜନ୍ତୁ ଓ ସହସ୍ର ସହସ୍ର

ପର୍ବତସ୍ଥ ପଶୁ ଆମ୍ଭର।

11ଆମ୍ଭେ ପର୍ବତମାନର ସମସ୍ତ ପକ୍ଷୀକୁ ଜାଣୁ ଓ ବିଲର

ପଶୁସବୁ ଆମ୍ଭର।

12ଆମ୍ଭେ କ୍ଷୁଧିତ ହେଲେ, ତୁମ୍ଭକୁ ଜଣାଇବା ନାହିଁ;

କାରଣ ଜଗତ ଓ ତହିଁର ପୂର୍ଣ୍ଣତା ଆମ୍ଭର।

13ଆମ୍ଭେ କ’ଣ ବୃଷମାଂସ ଭୋଜନ କରିବା, ଅବା

ଛାଗରକ୍ତ ପାନ କରିବା ?

14ତୁମ୍ଭେ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦରୂପ

ବଳି ଉତ୍ସର୍ଗ କର ଓ ସର୍ବୋପରିସ୍ଥଙ୍କ ଉଦ୍ଦେଶ୍ୟରେ ଆପଣା ମାନତ ପୂର୍ଣ୍ଣ କର;

15ପୁଣି, ସଙ୍କଟ ଦିନରେ ଆମ୍ଭକୁ ଡାକ;

ଆମ୍ଭେ ତୁମ୍ଭକୁ ଉଦ୍ଧାର କରିବା, ଆଉ ତୁମ୍ଭେ ଆମ୍ଭର

ମହିମା ପ୍ରକାଶ କରିବ।”

16ମାତ୍ର ଦୁଷ୍ଟକୁ ପରମେଶ୍ୱର କହନ୍ତି, “ଆମ୍ଭର ବିଧି

ପ୍ରଚାର କରିବାକୁ ଓ ତୁମ୍ଭେ ଯେ ଆମ୍ଭର ନିୟମ ଆପଣା

ମୁଖରେ ନେଇଅଛ, ତୁମ୍ଭର କି ଅଧିକାର ?

17କାରଣ ତୁମ୍ଭେ ଶିକ୍ଷା ଘୃଣା କରୁଅଛ ଓ ଆମ୍ଭ ବାକ୍ୟ

ଆପଣା ପଛେ ପକାଇ ଦେଉଅଛ।

18ଚୋରକୁ ଦେଖିଲେ, ତୁମ୍ଭେ ତାହା ସଙ୍ଗେ ସମ୍ମତ

ହୋଇଅଛ ଓ ବ୍ୟଭିଚାରୀମାନଙ୍କର ସହଭାଗୀ ହୋଇଅଛ।

19ତୁମ୍ଭେ ମନ୍ଦ ବିଷୟରେ ଆପଣା ମୁଖ ବଢ଼ାଉଅଛ

ଓ ତୁମ୍ଭର ଜିହ୍ୱା ପ୍ରବଞ୍ଚନା କଳ୍ପନା କରେ।

20ତୁମ୍ଭେ ଆପଣା ଭାଇ ବିରୁଦ୍ଧରେ ବସି କଥା କହୁଅଛ;

ତୁମ୍ଭେ ଆପଣା ମାତୃପୁତ୍ରର ନିନ୍ଦା କରୁଅଛ।

21ତୁମ୍ଭେ ଏହିସବୁ କରି ଆସିଅଛ ଓ ଆମ୍ଭେ ନୀରବ

ହୋଇ ରହିଅଛୁ;

ତହିଁରେ ଆମ୍ଭେ ସର୍ବତୋଭାବେ ତୁମ୍ଭ ପରି ବୋଲି ତୁମ୍ଭେ

ଅନୁମାନ କରିଅଛ;

ମାତ୍ର ଆମ୍ଭେ ତୁମ୍ଭକୁ ଅନୁଯୋଗ କରିବା ଓ ତାହାସବୁ

ତୁମ୍ଭ ସାକ୍ଷାତରେ ସଜାଇ ରଖିବା।

22ହେ ପରମେଶ୍ୱରଙ୍କୁ ପାସୋରିବା ଲୋକମାନେ,

ତୁମ୍ଭେମାନେ ଏହା ବିବେଚନା କର,

ନୋହିଲେ ଆମ୍ଭେ ତୁମ୍ଭମାନଙ୍କୁ ବିଦୀର୍ଣ୍ଣ କରିବା, ପୁଣି,

ଉଦ୍ଧାର କରିବାକୁ କେହି ନ ଥିବ।

23ଯେଉଁ ଜନ ଧନ୍ୟବାଦରୂପ ବଳି ଉତ୍ସର୍ଗ କରେ, ସେ

ଆମ୍ଭକୁ ଗୌରବ ଦିଏ;

ଯେଉଁ ଜନ ଆପଣା ଗତି ସରଳ କରେ, ତାହାକୁ ଆମ୍ଭେ

ପରମେଶ୍ୱରଙ୍କ ପରିତ୍ରାଣ ଦେଖାଇବା।”

51

କ୍ଷମା ପାଇଁ ପ୍ରାର୍ଥନା

ପ୍ରଧାନ ବାଦ୍ୟକାର ନିମନ୍ତେ ଦାଉଦଙ୍କର ଗୀତ। ଦାଉଦ ବତ୍‍ଶେବାଠାରେ ଗମନ କଲା ଉତ୍ତାରେ ତାଙ୍କ ନିକଟକୁ ନାଥନ ଭବିଷ୍ୟଦ୍‍ବକ୍ତା ଆସିବା ସମୟରେ ରଚିତ।

1ହେ ପରମେଶ୍ୱର, ଆପଣା ସ୍ନେହପୂର୍ଣ୍ଣ କରୁଣାନୁସାରେ

ମୋ’ ପ୍ରତି ଦୟା କର;

ତୁମ୍ଭ କୃପାର ବାହୁଲ୍ୟ ଅନୁସାରେ ମୋହର ଅଧର୍ମ ମାର୍ଜନା କର।

2ମୋ’ ଅପରାଧରୁ ମୋତେ ସମ୍ପୂର୍ଣ୍ଣ ପ୍ରକ୍ଷାଳନ କର ଓ

ମୋ’ ପାପରୁ ମୋତେ ଶୁଚି କର।

3କାରଣ ମୁଁ ଆପଣା ଅଧର୍ମ ସ୍ୱୀକାର କରୁଅଛି ଓ

ମୋ’ ପାପ ସର୍ବଦା ମୋ’ ସମ୍ମୁଖରେ ଅଛି।

4ମୁଁ ତୁମ୍ଭ ବିରୁଦ୍ଧରେ, କେବଳ ତୁମ୍ଭ ବିରୁଦ୍ଧରେ ପାପ

କରିଅଛି,

ଆଉ, ତୁମ୍ଭ ଦୃଷ୍ଟିରେ ଯାହା ମନ୍ଦ, ତାହା ହିଁ କରିଅଛି;

ତେଣୁ ତୁମ୍ଭେ କଥା କହିବା ବେଳେ ଧାର୍ମିକ ଓ ବିଚାର

କରିବା ବେଳେ ନିର୍ଦ୍ଦୋଷ ହେବ।

5ଦେଖ, ଅପରାଧରେ ମୁଁ ନିର୍ମିତ ହେଲି

ଓ ପାପରେ ମୋ’ ମାତା ମୋତେ ଗର୍ଭରେ ଧାରଣ କଲା।

6ଦେଖ, ତୁମ୍ଭେ ଅନ୍ତରରେ ସତ୍ୟତା ଚାହୁଁଅଛ;

ପୁଣି, ତୁମ୍ଭେ ଗୂଢ଼ ସ୍ଥାନରେ ମୋତେ ଜ୍ଞାନ ଶିକ୍ଷା ଦେବ।

7ଏସୋବ ଦେଇ ମୋତେ ନିର୍ମଳ କର,51:7 ଏସୋବ ଦେଇ ମୋତେ ନିର୍ମଳ କର, ଅର୍ଥାତ୍ ମୋ’ର ପାପରୁ ମୋତେ ନିର୍ମଳ କର ତହିଁରେ ମୁଁ ଶୁଚି ହେବି;

ମୋତେ ପ୍ରକ୍ଷାଳନ କର, ତହିଁରେ ମୁଁ ହିମଠାରୁ ଶୁକ୍ଳ ହେବି।

8ମୋତେ ଆହ୍ଲାଦ ଓ ଆନନ୍ଦଜନକ ବାକ୍ୟ ଶୁଣାଅ;

ତହିଁରେ ତୁମ୍ଭ ଦ୍ୱାରା ଭଗ୍ନ ଅସ୍ଥିସବୁ ପ୍ରଫୁଲ୍ଲ ହେବ।

9ମୋ’ ପାପସମୂହ ପ୍ରତି ଆପଣା ମୁଖ ଆଚ୍ଛାଦନ କର

ଓ ମୋ’ ଅପରାଧସବୁ ମାର୍ଜନା କର।

10ହେ ପରମେଶ୍ୱର, ମୋ’ ଅନ୍ତରରେ ଶୁଚି ଅନ୍ତଃକରଣ

ସୃଷ୍ଟି କର ଓ ମୋ’ ମଧ୍ୟରେ ସୁସ୍ଥିର ଆତ୍ମା ନୂତନ କର।

11ତୁମ୍ଭ ଛାମୁରୁ ମୋତେ ଦୂର କର ନାହିଁ

ଓ ତୁମ୍ଭ ପବିତ୍ର ଆତ୍ମା ମୋ’ଠାରୁ ନିଅ ନାହିଁ।

12ତୁମ୍ଭ ପରିତ୍ରାଣର ଆନନ୍ଦ ପୁନର୍ବାର ମୋତେ ଦିଅ

ଓ ସ୍ୱଚ୍ଛନ୍ଦ ଆତ୍ମା ଦେଇ ମୋତେ ଧରି ରଖ।

13ତହିଁରେ ମୁଁ ଅପରାଧୀମାନଙ୍କୁ ତୁମ୍ଭର ପଥ ଶିଖାଇବି

ଓ ପାପୀମାନେ ତୁମ୍ଭ ପ୍ରତି ଫେରିବେ।

14ହେ ପରମେଶ୍ୱର, ମୋ’ ତ୍ରାଣର ପରମେଶ୍ୱର, ତୁମ୍ଭେ

ମୋତେ ରକ୍ତପାତ ଦୋଷରୁ ଉଦ୍ଧାର କର;

ତହିଁରେ ମୋହର ଜିହ୍ୱା ତୁମ୍ଭ ଧର୍ମ ବିଷୟ ଉଚ୍ଚସ୍ୱରରେ

ଗାନ କରିବ।

15ହେ ପ୍ରଭୁ, ମୋ’ ଓଷ୍ଠାଧର ଫିଟାଅ, ତହିଁରେ

ମୋ’ ମୁଖ ତୁମ୍ଭର ପ୍ରଶଂସା ପ୍ରକାଶ କରିବ।

16କାରଣ ତୁମ୍ଭେ ବଳିଦାନରେ ସନ୍ତୁଷ୍ଟ ନୁହଁ; ହେଲେ

ମୁଁ ତାହା ଦିଅନ୍ତି;

ହୋମବଳିରେ ତୁମ୍ଭର କିଛି ସନ୍ତୋଷ ନାହିଁ।

17ଭଗ୍ନ-ଆତ୍ମା ପରମେଶ୍ୱରଙ୍କର ଗ୍ରାହ୍ୟ ବଳି,

ହେ ପରମେଶ୍ୱର, ତୁମ୍ଭେ ଭଗ୍ନ ଓ ଚୂର୍ଣ୍ଣ ଅନ୍ତଃକରଣ ତୁଚ୍ଛ

କରିବ ନାହିଁ।

18ତୁମ୍ଭେ ଆପଣା ଅନୁଗ୍ରହରେ ସିୟୋନର ମଙ୍ଗଳ କର;

ତୁମ୍ଭେ ଯିରୂଶାଲମର ପ୍ରାଚୀରସବୁ ନିର୍ମାଣ କର।

19ତେବେ ତୁମ୍ଭେ ଧର୍ମବଳି, ହୋମବଳି ଓ ପୂର୍ଣ୍ଣ

ଆହୁତିରେ ସନ୍ତୁଷ୍ଟ ହେବ;

ତହୁଁ ଲୋକମାନେ ତୁମ୍ଭ ବେଦି ଉପରେ ବୃଷମାନ ଉତ୍ସର୍ଗ କରିବେ।

52

ପରମେଶ୍ୱରଙ୍କ ବିଚାର ଓ ଅନୁଗ୍ରହ

ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ମସ୍କୀଲ୍‍; ଦାଉଦ ଅହୀମେଲକର ଗୃହକୁ ଆସିଅଛନ୍ତି ବୋଲି ଇଦୋମୀୟ ଦୋୟେଗ୍‍ ଶାଉଲଙ୍କୁ ସମ୍ବାଦ ଦେବା ବେଳେ ରଚିତ।

1ହେ ବୀର, ତୁମ୍ଭେ ଅନିଷ୍ଟ କର୍ମରେ କାହିଁକି ଦର୍ପ କରୁଅଛ ?

2ପରମେଶ୍ୱରଙ୍କ ଦୟା ନିତ୍ୟସ୍ଥାୟୀ।

ତୁମ୍ଭର ଜିହ୍ୱା ନିତାନ୍ତ ଦୁଷ୍ଟତା କଳ୍ପନା କରି ତୀକ୍ଷ୍ଣ କ୍ଷୁର

ତୁଲ୍ୟ ପ୍ରବଞ୍ଚନାପୂର୍ବକ କାର୍ଯ୍ୟ କରୁଅଛି।

3ତୁମ୍ଭେ ସୁକର୍ମ ଅପେକ୍ଷା କୁକର୍ମକୁ ଓ ଧର୍ମ କଥା ଅପେକ୍ଷା

ମିଥ୍ୟା କଥାକୁ ଅଧିକ ଭଲ ପାଉଅଛ।

[ସେଲା]

4ହେ ପ୍ରବଞ୍ଚନାପୂର୍ଣ୍ଣ ଜିହ୍ୱେ, ତୁମ୍ଭେ ଯାବତୀୟ ବିନାଶକ

କଥା ଭଲ ପାଉଅଛ।

5ପରମେଶ୍ୱର ତଦ୍ରୂପ ତୁମ୍ଭକୁ ସଦାକାଳ ବିନାଶ କରିବେ,

ସେ ତୁମ୍ଭକୁ ଧରି ତୁମ୍ଭ ତମ୍ବୁକୁ ଟାଣି ନେବେ ଓ

ଜୀବିତମାନଙ୍କ ଦେଶରୁ ତୁମ୍ଭର ମୂଳୋତ୍ପାଟନ କରିବେ।

[ସେଲା]

6ଧାର୍ମିକମାନେ ମଧ୍ୟ ତାହା ଦେଖି ଭୟ କରିବେ

ଓ ତାହା ପ୍ରତି ଉପହାସ କରି କହିବେ,

7ଦେଖ, ଏହି ଲୋକ ପରମେଶ୍ୱରଙ୍କୁ ଆପଣାର ବଳ

ସ୍ୱରୂପ କଲା ନାହିଁ; ମାତ୍ର ଆପଣା ଧନର ବାହୁଲ୍ୟରେ ନିର୍ଭର କଲା।

ପୁଣି, ଆପଣା ଦୁଷ୍ଟତାରେ ଆପଣାକୁ ବଳବାନ କଲା।

8ମାତ୍ର ମୁଁ ପରମେଶ୍ୱରଙ୍କ ଗୃହରେ ସତେଜ ଜୀତ ବୃକ୍ଷ

ତୁଲ୍ୟ ଅଛି।

ମୁଁ ଅନନ୍ତକାଳ ପରମେଶ୍ୱରଙ୍କ ଦୟାରେ ବିଶ୍ୱାସ କଲି।

9ତୁମ୍ଭେ ଏହି କାର୍ଯ୍ୟ ସାଧନ କରିବା ସକାଶୁ ମୁଁ ସଦାକାଳ

ତୁମ୍ଭକୁ ଧନ୍ୟବାଦ ଦେବି;

ମୁଁ ତୁମ୍ଭ ସଦ୍‍ଭକ୍ତମାନଙ୍କ ସାକ୍ଷାତରେ ତୁମ୍ଭ ନାମର

ଅନୁସରଣ କରିବି, ଯେହେତୁ ତାହା ଉତ୍ତମ।

53

ମନୁଷ୍ୟର ଦୁଷ୍ଟତା

ପ୍ରଧାନ ବାଦ୍ୟକର ନିମନ୍ତେ ମହଲତ୍‍ ସ୍ୱରରେ ଦାଉଦଙ୍କର ମସ୍କୀଲ୍‍।

1ପରମେଶ୍ୱର ନାହାନ୍ତି ବୋଲି ମୂର୍ଖ ଆପଣା ମନେ

ମନେ କହିଅଛି।

ସେମାନେ ଭ୍ରଷ୍ଟ, ସେମାନେ ଘୃଣାଯୋଗ୍ୟ ଅଧର୍ମ

କରିଅଛନ୍ତି,

କେହି ସତ୍କର୍ମ କରେ ନାହିଁ।

2ବିବେଚକ କେହି ଅଛି କି ନାହିଁ, ପରମେଶ୍ୱରଙ୍କର

ଅନ୍ୱେଷଣକାରୀ କେହି ଅଛି କି ନାହିଁ, ଏହା ଦେଖିବା

ପାଇଁ ପରମେଶ୍ୱର ସ୍ୱର୍ଗରୁ ମନୁଷ୍ୟ-ସନ୍ତାନଗଣ ପ୍ରତି

ନିରୀକ୍ଷଣ କଲେ।

3ସେମାନଙ୍କର ପ୍ରତ୍ୟେକେ ବିପଥରେ ଯାଇଅଛନ୍ତି;

ସେମାନେ ସମସ୍ତେ ଅଶୁଚି ହୋଇଅଛନ୍ତି;

ସେମାନଙ୍କର କେହି ସୁକର୍ମ କରେ ନାହିଁ, ନା, ଜଣେ

ହେଁ ନାହିଁ।

4ଅଧର୍ମାଚାରୀମାନଙ୍କର କି କିଛି ଜ୍ଞାନ ନାହିଁ ?

ସେମାନେ ଖାଦ୍ୟ ଗ୍ରାସ କଲା ପରି ମୋ’ ଲୋକମାନଙ୍କୁ

ଗ୍ରାସ କରନ୍ତି,

ପୁଣି, ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରନ୍ତି ନାହିଁ।

5ଭୟ ନ ଥିବା ସ୍ଥାନରେ ସେମାନେ ବଡ଼ ଭୟ ପାଇଥିଲେ;

କାରଣ ପରମେଶ୍ୱର ତୁମ୍ଭ ବିରୁଦ୍ଧରେ ଅଧର୍ମାଚାରୀର53:5 ଅଧର୍ମାଚାରୀର କିମ୍ବା ଛାଉଣିକାରୀର

ଅସ୍ଥିସବୁ ଛିନ୍ନଭିନ୍ନ କରି ପକାଇଅଛନ୍ତି;

ପରମେଶ୍ୱର ସେମାନଙ୍କୁ ଅଗ୍ରାହ୍ୟ କରିବାରୁ ତୁମ୍ଭେ

ସେମାନଙ୍କୁ ଲଜ୍ଜା ଦେଇଅଛ।

6ଆଃ, ଯଦି ସିୟୋନଠାରୁ ଇସ୍ରାଏଲର ପରିତ୍ରାଣ

ଉପସ୍ଥିତ ହୁଅନ୍ତା !

ଯେତେବେଳେ ପରମେଶ୍ୱର ଆପଣା ଲୋକମାନଙ୍କୁ

ବନ୍ଦୀତ୍ୱରୁ ଫେରାଇ ଆଣିବେ,

ସେତେବେଳେ ଯାକୁବ ଉଲ୍ଲସିତ ଓ ଇସ୍ରାଏଲ ଆନନ୍ଦିତ

ହେବେ।

54

ଶତ୍ରୁ କବଳରୁ ରକ୍ଷା ପାଇବା ପାଇଁ ପ୍ରାର୍ଥନା

ପ୍ରଧାନ ବାଦ୍ୟକର ନିମନ୍ତେ ତାରଯୁକ୍ତ ଯନ୍ତ୍ରରେ ଦାଉଦଙ୍କର ମସ୍କୀଲ୍‍। ଦାଉଦ କ’ଣ ଆମ୍ଭମାନଙ୍କ ମଧ୍ୟରେ ଲୁଚିକରି ନାହିଁ ? ସୀଫୀୟମାନେ ଶାଉଲଙ୍କୁ ଏହି କଥା କହିବା ସମୟରେ ରଚିତ।

1ହେ ପରମେଶ୍ୱର, ତୁମ୍ଭ ନାମ ଦ୍ୱାରା ମୋତେ ପରିତ୍ରାଣ

କର ଓ ତୁମ୍ଭ ପରାକ୍ରମରେ ମୋହର ବିଚାର କର।

2ହେ ପରମେଶ୍ୱର, ମୋହର ପ୍ରାର୍ଥନା ଶୁଣ; ମୋ’

ମୁଖର କଥାରେ କର୍ଣ୍ଣପାତ କର।

3କାରଣ ଅପରିଚିତ ଲୋକମାନେ ମୋ’ ବିରୁଦ୍ଧରେ ଉଠିଅଛନ୍ତି,

ପୁଣି, ଦୁରନ୍ତ ଲୋକମାନେ ମୋ’ ପ୍ରାଣ ଖୋଜି ଅଛନ୍ତି।

ସେମାନେ ପରମେଶ୍ୱରଙ୍କୁ ଆପଣା ସମ୍ମୁଖରେ ରଖି

ନାହାନ୍ତି।

[ସେଲା]

4ଦେଖ, ପରମେଶ୍ୱର ମୋହର ସାହାଯ୍ୟକାରୀ;

ପ୍ରଭୁ ମୋ’ ପ୍ରାଣରକ୍ଷକ ଅଟନ୍ତି।

5ସେ ମୋ’ ଶତ୍ରୁମାନଙ୍କ ପ୍ରତି ମନ୍ଦତାର ଫଳ ଦେବେ;

ତୁମ୍ଭେ ଆପଣା ସତ୍ୟତାରେ ସେମାନଙ୍କୁ ବିନାଶ କର।

6ମୁଁ ସ୍ୱେଚ୍ଛାଦତ୍ତ ଉପହାର ନେଇ ତୁମ୍ଭ ଉଦ୍ଦେଶ୍ୟରେ

ବଳିଦାନ କରିବି;

ହେ ସଦାପ୍ରଭୁ, ମୁଁ ତୁମ୍ଭ ନାମର ଧନ୍ୟବାଦ କରିବି,

କାରଣ ତାହା ଉତ୍ତମ।

7ଯେହେତୁ ସେ ମୋତେ ସମସ୍ତ ବିପଦରୁ ଉଦ୍ଧାର

କରିଅଛନ୍ତି;

ଆଉ, ମୋ’ ଶତ୍ରୁଗଣ ଉପରେ ମୋର ବାଞ୍ଛା ସଫଳ

ହେବାର ମୋହର ଚକ୍ଷୁ ଦେଖିଅଛି।

55

ବନ୍ଧୁ ଦ୍ୱାରା ପ୍ରତାରିତ ଲୋକର ପ୍ରାର୍ଥନା

ପ୍ରଧାନ ବାଦ୍ୟକର ନିମନ୍ତେ ତାରଯୁକ୍ତ ଯନ୍ତ୍ରରେ ଦାଉଦଙ୍କର ମସ୍କୀଲ୍‍।

1ହେ ପରମେଶ୍ୱର, ମୋ’ ପ୍ରାର୍ଥନାରେ କର୍ଣ୍ଣପାତ କର;

ମୋ’ ବିନତିରୁ ଆପଣାକୁ ଲୁଚାଅ ନାହିଁ।

2ମୋ’ ପ୍ରତି ମନୋଯୋଗ କରି ମୋତେ ଉତ୍ତର ଦିଅ;

ଶତ୍ରୁମାନଙ୍କ ରବ ସକାଶୁ, ଦୁଷ୍ଟମାନଙ୍କ ଦୌରାତ୍ମ୍ୟ ସକାଶୁ

ମୁଁ ଭାବନାରେ ଅସ୍ଥିର ହୋଇ ରୋଦନ କରୁଥାଏ;

3କାରଣ ସେମାନେ ମୋ’ ଉପରେ ଅଧର୍ମ ଆରୋପ

କରନ୍ତି ଓ କ୍ରୋଧରେ ମୋତେ ଘୃଣା କରନ୍ତି।

4ମୋ’ ଅନ୍ତରରେ ମୋ’ ହୃଦୟ ଅତ୍ୟନ୍ତ ବ୍ୟଥିତ

ହେଉଅଛି ଓ ମୋ’ ଉପରେ ମୃତ୍ୟୁୁର ତ୍ରାସ ପଡ଼ିଅଛି।

5ମୋତେ ଭୟ ଓ କମ୍ପ ଆକ୍ରମଣ କରିଅଛି, ପୁଣି,

ମହାତ୍ରାସ ମୋତେ ଆଚ୍ଛନ୍ନ କରିଅଛି।

6ଯଦି କପୋତ ପରି ମୋହର ପକ୍ଷ ଥା’ନ୍ତା ! ଏଣୁ ମୁଁ କହିଲି, ଆଃ,

ତେବେ ମୁଁ ଉଡ଼ିଯାଇ ବିଶ୍ରାମ ପାଆନ୍ତି।

7ଦେଖ, ତେବେ ମୁଁ ଦୂରରେ ଭ୍ରମଣ କରନ୍ତି,

ମୁଁ ପ୍ରାନ୍ତରରେ ବାସ କରନ୍ତି। [ସେଲା]

8ମୁଁ ପ୍ରବଳ ବାୟୁ ଓ ତୋଫାନରୁ

ଆଶ୍ରୟ ନେବା ପାଇଁ ପଳାୟନ କରନ୍ତି।

9ହେ ପ୍ରଭୁ, ବିନାଶ କର ଓ ସେମାନଙ୍କର ଅନେକ ଜିହ୍ୱା ଜନ୍ମାଅ;

କାରଣ ମୁଁ ନଗର ମଧ୍ୟରେ ଦୌରାତ୍ମ୍ୟ ଓ କଳହ ଦେଖିଅଛି।

10ଶତ୍ରୁମାନେ ଦିବାରାତ୍ର ତହିଁର ପ୍ରାଚୀର ଦେଇ ଭ୍ରମଣ କରନ୍ତି;

ମଧ୍ୟ ଅଧର୍ମ ଓ ଉତ୍ପାତ ତହିଁ ମଧ୍ୟରେ ଅଛି।

11ଦୁଷ୍ଟତା ତହିଁର ମଧ୍ୟବର୍ତ୍ତୀ,

ଦୌରାତ୍ମ୍ୟ ଓ ଛଳନା ତହିଁର ଛକସ୍ଥାନସବୁ ଛାଡ଼େ ନାହିଁ।

12କାରଣ କୌଣସି ଶତ୍ରୁ ମୋତେ ତିରସ୍କାର କଲା ନାହିଁ;

କଲେ ତାହା ମୁଁ ସହ୍ୟ କରି ପାରନ୍ତି;

କିଅବା ମୋହର ଘୃଣାକାରୀ ମୋ’ ବିରୁଦ୍ଧରେ ଦର୍ପ କଲା ନାହିଁ,

କଲେ ତାହାଠାରୁ ମୁଁ ଆପଣାକୁ ଲୁଚାନ୍ତି;

13ମାତ୍ର ମୋ’ ପରି ମନୁଷ୍ୟ, ମୋହର ସଙ୍ଗୀ ଓ

ମୋହର ଆତ୍ମୀୟ ଯେ ତୁମ୍ଭେ, ତୁମ୍ଭେ ତାହା କଲ।

14ଆମ୍ଭେମାନେ ଏକତ୍ର ମଧୁର ମନ୍ତ୍ରଣା କଲୁ,

ଜନତା ସଙ୍ଗେ ପରମେଶ୍ୱରଙ୍କ ଗୃହରେ ଗମନାଗମନ କଲୁ।

15ମୃତ୍ୟୁୁ ସେମାନଙ୍କୁ ହଠାତ୍‍ ଆକ୍ରମଣ କରୁ,

ସେମାନେ ପାତାଳକୁ ଜୀଅନ୍ତା ଗମନ କରନ୍ତୁ,

କାରଣ ସେମାନଙ୍କ ବାସସ୍ଥାନରେ, ସେମାନଙ୍କ ମଧ୍ୟରେ ଦୁଷ୍ଟତା ଅଛି।

16ମାତ୍ର ମୁଁ ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରିବି;

ପୁଣି, ସଦାପ୍ରଭୁ ମୋତେ ପରିତ୍ରାଣ କରିବେ।

17ସନ୍ଧ୍ୟା, ପ୍ରଭାତ ଓ ମଧ୍ୟାହ୍ନ କାଳରେ ମୁଁ ପ୍ରାର୍ଥନା କରି ରୋଦନ କରିବି;

ଆଉ, ସେ ମୋ’ ରବ ଶୁଣିବେ।

18ସେ ମୋ’ ପ୍ରତିକୂଳ ଯୁଦ୍ଧରୁ କୁଶଳରେ ମୋ’ ପ୍ରାଣ ମୁକ୍ତ କରିଅଛନ୍ତି;

କାରଣ ମୋ’ ସଙ୍ଗେ ବିରୋଧକାରୀ ଅନେକ ଥିଲେ।

19ପରମେଶ୍ୱର ଶୁଣିବେ ଓ ସେମାନଙ୍କୁ ଉତ୍ତର ଦେବେ,

ସେ ଚିରକାଳ ବିଦ୍ୟମାନ, [ସେଲା]

ସେହି ଲୋକମାନଙ୍କ କୌଣସି ପରିବର୍ତ୍ତନ ଘଟି ନାହିଁ,

ପୁଣି, ସେମାନେ ପରମେଶ୍ୱରଙ୍କୁ ଭୟ କରନ୍ତି ନାହିଁ।

20ସେ ଆପଣା ସଙ୍ଗେ ମିଳନରେ ଥିବା ଲୋକ ବିରୁଦ୍ଧରେ ହାତ ଉଠାଇଅଛି;

ସେ ଆପଣା ନିୟମ ଲଙ୍ଘନ କରିଅଛି।

21ତାହାର ମୁଖ ଲବଣୀ ତୁଲ୍ୟ ଚିକ୍‍କଣ,

ମାତ୍ର ତାହାର ଅନ୍ତଃକରଣ ଯୁଦ୍ଧପୂର୍ଣ୍ଣ;

ତାହାର କଥାସବୁ ତୈଳଠାରୁ କୋମଳ,

ତଥାପି ତାହାସବୁ ନିଷ୍କୋଷ ଖଡ୍ଗ ତୁଲ୍ୟ।

22ତୁମ୍ଭେ ସଦାପ୍ରଭୁଙ୍କ ଉପରେ ଆପଣା ଭାର ପକାଅ, ତହିଁରେ ସେ ତୁମ୍ଭକୁ ସମ୍ଭାଳିବେ;

ସେ ଧାର୍ମିକକୁ କଦାପି ବିଚଳିତ ହେବାକୁ ଦେବେ ନାହିଁ।

23ମାତ୍ର ହେ ପରମେଶ୍ୱର, ତୁମ୍ଭେ ସେମାନଙ୍କୁ ସର୍ବନାଶର ଗର୍ତ୍ତକୁ ଆଣିବ;

ରକ୍ତପିପାସୁ ଓ ପ୍ରବଞ୍ଚକ ଲୋକମାନେ ଆପଣା ଆପଣା ଆୟୁଷର ଅର୍ଦ୍ଧେକ ବଞ୍ଚିବେ ନାହିଁ;

ମାତ୍ର ମୁଁ ତୁମ୍ଭ ଉପରେ ନିର୍ଭର କରିବି।

56

ପରମେଶ୍ୱରଙ୍କ ଉପରେ ନିର୍ଭରଶୀଳତାର ପ୍ରାର୍ଥନା

ପ୍ରଧାନ ବାଦ୍ୟକର ନିମନ୍ତେ ଯୋନତ୍‍-ଏଲମ୍‍

ରହୋକୀମ୍‍ ସ୍ୱରରେ ଦାଉଦଙ୍କର ଗୀତ। ମିକ୍ତାମ୍‍; ପଲେଷ୍ଟୀୟମାନେ ତାଙ୍କୁ ଗାଥ୍‍ ନଗରରେ ଧରିବା ସମୟରେ ରଚିତ।

1ହେ ପରମେଶ୍ୱର, ମୋତେ ଦୟା କର; କାରଣ ମୋହର ଶତ୍ରୁ ମୋତେ ଗ୍ରାସ କରିବାକୁ ଉଦ୍ୟତ;

ସେ ସାରାଦିନ ଯୁଦ୍ଧ କରି ମୋ’ ପ୍ରତି ଉପଦ୍ରବ କରଇ।

2ମୋହର ଶତ୍ରୁଗଣ ଦିନସାରା ମୋତେ ଗ୍ରାସ କରିବାକୁ ଉଦ୍ୟତ;

କାରଣ ଦର୍ପରେ ମୋ’ ବିରୁଦ୍ଧରେ ଯୁଦ୍ଧକାରୀ ଲୋକ ଅନେକ।

3ମୁଁ ଭୀତ ହେବା ସମୟରେ ତୁମ୍ଭ ଉପରେ ନିର୍ଭର ରଖିବି।

4ପରମେଶ୍ୱରଙ୍କ ଦ୍ୱାରା ମୁଁ ତାହାଙ୍କ ବାକ୍ୟର ପ୍ରଶଂସା କରିବି;

ପରମେଶ୍ୱରଙ୍କ ଉପରେ ମୁଁ ନିର୍ଭର ରଖିଅଛି, ମୁଁ ଭୀତ ହେବି ନାହିଁ;

ମନୁଷ୍ୟ ମୋର କଅଣ କରି ପାରିବ ?

5ସେମାନେ ସାରାଦିନ ମୋହର କଥାର ବିପରୀତ ଅର୍ଥ କରନ୍ତି;

ମୋ’ ବିରୁଦ୍ଧରେ ସେମାନଙ୍କର କଳ୍ପନାସବୁ ଅମଙ୍ଗଳାର୍ଥକ।

6ସେମାନେ ଏକତ୍ରିତ ହୁଅନ୍ତି, ସେମାନେ ଲୁଚି ରହନ୍ତି,

ସେମାନେ ମୋହର ପଦଚିହ୍ନ ଲକ୍ଷ୍ୟ କରନ୍ତି,

ଏହିରୂପେ ସେମାନେ ମୋ’ ପ୍ରାଣର ଅପେକ୍ଷା କରିଅଛନ୍ତି।

7ସେମାନେ କ’ଣ ଅଧର୍ମ ଦ୍ୱାରା ରକ୍ଷା ପାଇବେ ?

ହେ ପରମେଶ୍ୱର, କ୍ରୋଧରେ ଗୋଷ୍ଠୀୟମାନଙ୍କୁ ନିପାତ କର।

8ତୁମ୍ଭେ ମୋହର ଭ୍ରମଣ ଗଣନା କରୁଅଛ।

ତୁମ୍ଭେ ଆପଣା ପାତ୍ରରେ ଆମ୍ଭର ଅଶ୍ରୁ ରଖିଥାଅ;

ତାହାସବୁ କ’ଣ ତୁମ୍ଭ ପୁସ୍ତକରେ ନାହିଁ ?

9ତେବେ ମୁଁ ପ୍ରାର୍ଥନା କରିବା ବେଳେ ମୋ’ ଶତ୍ରୁଗଣ ଫେରିଯିବେ;

ମୁଁ ଏହା ଜାଣେ ଯେ, ପରମେଶ୍ୱର ମୋହର ସପକ୍ଷ।

10ପରମେଶ୍ୱରଙ୍କ ଦ୍ୱାରା ମୁଁ ତାହାଙ୍କ ବାକ୍ୟର ପ୍ରଶଂସା କରିବି।

ସଦାପ୍ରଭୁଙ୍କ ଦ୍ୱାରା ମୁଁ ତାହାଙ୍କ ବାକ୍ୟର ପ୍ରଶଂସା କରିବି।

11ପରମେଶ୍ୱରଙ୍କ ଉପରେ ମୁଁ ନିର୍ଭର ରଖିଅଛି, ମୁଁ ଭୀତ ହେବି ନାହିଁ;

ମନୁଷ୍ୟ ମୋହର କ’ଣ କରି ପାରିବ ?

12ହେ ପରମେଶ୍ୱର, ତୁମ୍ଭ ନିକଟରେ ମୋହର ମାନତ ଅଛି;

ମୁଁ ତୁମ୍ଭକୁ ଧନ୍ୟବାଦରୂପ ଉପହାର ଦେବି।

13କାରଣ ତୁମ୍ଭେ ମୃତ୍ୟୁୁରୁ ମୋ’ ପ୍ରାଣକୁ ଉଦ୍ଧାର କରିଅଛ;

ଯେପରି ମୁଁ ଜୀବିତମାନଙ୍କ ଦୀପ୍ତିରେ ପରମେଶ୍ୱରଙ୍କ

ସମ୍ମୁଖରେ ଗମନାଗମନ କରିବି;

ଏଥିପାଇଁ ତୁମ୍ଭେ କ’ଣ ପତନରୁ ମୋ’ ଚରଣକୁ ଉଦ୍ଧାର କରିବ ନାହିଁ ?

57

ସାହାଯ୍ୟ ପାଇଁ ପ୍ରାର୍ଥନା

ପ୍ରଧାନ ବାଦ୍ୟକର ନିମନ୍ତେ ଅଲ୍‍-ତଶ୍‍ହେତ୍‍ ସ୍ୱରରେ ଦାଉଦଙ୍କର ଗୀତ। ମିକ୍ତାମ୍‍; ଗୁମ୍ଫାରେ ଶାଉଲଙ୍କ ସମ୍ମୁଖରୁ ପଳାଇବା ବେଳେ ରଚିତ।

1ହେ ପରମେଶ୍ୱର, ମୋତେ ଦୟା କର; ମୋତେ ଦୟା କର;

କାରଣ ମୋ’ ପ୍ରାଣ ତୁମ୍ଭର ଶରଣାଗତ;

ଆଉ, ଏହିସବୁ ବିପଦ ବହିଯିବା ପର୍ଯ୍ୟନ୍ତ ମୁଁ ତୁମ୍ଭ ପକ୍ଷର ଛାୟାରେ ଶରଣ ନେବି।

2ମୁଁ ସର୍ବୋପରିସ୍ଥ ପରମେଶ୍ୱରଙ୍କ ନିକଟରେ,

ମୋ’ ପକ୍ଷରେ ସର୍ବସାଧନକର୍ତ୍ତା ପରମେଶ୍ୱରଙ୍କ ନିକଟରେ ଡାକ ପକାଇବି।

3ମୋତେ ଗ୍ରାସ କରିବାକୁ ଇଚ୍ଛୁକ ଲୋକ ତିରସ୍କାର କରିବା ବେଳେ,

ସେ ସ୍ୱର୍ଗରୁ ପଠାଇ ମୋତେ ତ୍ରାଣ କରିବେ; [ସେଲା]

ପରମେଶ୍ୱର ଆପଣା ଦୟା ଓ ସତ୍ୟତା ପ୍ରେରଣ କରିବେ।

4ମୁଁ ସିଂହମାନଙ୍କ ମଧ୍ୟରେ ଅଛି;

ମୁଁ ପ୍ରଜ୍ୱଳିତ ଲୋକମାନଙ୍କ ମଧ୍ୟରେ,

ଯେଉଁ ମନୁଷ୍ୟ-ସନ୍ତାନଗଣର ଦନ୍ତ ବର୍ଚ୍ଛା ଓ ତୀର ତୁଲ୍ୟ,

ପୁଣି, ଜିହ୍ୱା ତୀକ୍ଷ୍ଣ ଖଡ୍ଗ ତୁଲ୍ୟ, ସେମାନଙ୍କ ମଧ୍ୟରେ ଶୟନ କରେ।

5ହେ ପରମେଶ୍ୱର, ତୁମ୍ଭେ ସ୍ୱର୍ଗ ଉପରେ ଉନ୍ନତ ହୁଅ;

ସମୁଦାୟ ଭୂମଣ୍ଡଳ ଉପରେ ତୁମ୍ଭର ମହିମା ହେଉ।

6ସେମାନେ ମୋ’ ଚରଣ ପାଇଁ ଜାଲ ପ୍ରସ୍ତୁତ କରିଅଛନ୍ତି;

ମୋ’ ପ୍ରାଣ ଅବନତ ହୋଇଅଛି;

ସେମାନେ ମୋ’ ସମ୍ମୁଖରେ ଗର୍ତ୍ତ ଖୋଳି ଅଛନ୍ତି;

ମାତ୍ର ସେମାନେ ନିଜେ ତହିଁ ମଧ୍ୟରେ ପତିତ ହୋଇଅଛନ୍ତି। [ସେଲା]

7ହେ ପରମେଶ୍ୱର, ମୋ’ ଚିତ୍ତ ସୁସ୍ଥିର ଅଛି, ମୋ’ ଚିତ୍ତ ସୁସ୍ଥିର ଅଛି;

ମୁଁ ଗାନ କରିବି, ହଁ, ମୁଁ ପ୍ରଶଂସା ଗାନ କରିବି।

8ହେ ମୋହର ଗୌରବ, ଜାଗ୍ରତ ହୁଅ; ହେ ନେବଲ ଓ ବୀଣେ, ଜାଗ୍ରତ ହୁଅ;

ମୁଁ ନିଜେ ଅତି ପ୍ରଭାତରେ ଜାଗ୍ରତ ହେବି।

9ହେ ପ୍ରଭୁ, ମୁଁ ଗୋଷ୍ଠୀୟମାନଙ୍କ ମଧ୍ୟରେ ତୁମ୍ଭକୁ ଧନ୍ୟବାଦ ଦେବି;

ମୁଁ ଦେଶୀୟଗଣ ମଧ୍ୟରେ ତୁମ୍ଭର ପ୍ରଶଂସା ଗାନ କରିବି।

10କାରଣ ତୁମ୍ଭର ଦୟା ସ୍ୱର୍ଗ ପର୍ଯ୍ୟନ୍ତ ମହତ ଓ

ତୁମ୍ଭର ସତ୍ୟତା ଆକାଶ ପର୍ଯ୍ୟନ୍ତ।

11ହେ ପରମେଶ୍ୱର, ତୁମ୍ଭେ ସ୍ୱର୍ଗ ଉପରେ ଉନ୍ନତ ହୁଅ;

ସମୁଦାୟ ଭୂମଣ୍ଡଳ ଉପରେ ତୁମ୍ଭର ମହିମା ହେଉ।

58

ଦୁଷ୍ଟମାନଙ୍କ ଶାସ୍ତି ନିମନ୍ତେ ପ୍ରାର୍ଥନା

ପ୍ରଧାନ ବାଦ୍ୟକର ନିମନ୍ତେ ଅଲ୍‍-ତଶ୍‍ହେତ୍‍ ସ୍ୱରରେ ଦାଉଦଙ୍କର ଗୀତ; ମିକ୍ତାମ୍‍।

1ପ୍ରକୃତରେ କି ତୁମ୍ଭେମାନେ ନୀରବ ହୋଇ ଧର୍ମନୀତି କହୁଅଛ ?

ହେ ମନୁଷ୍ୟ-ସନ୍ତାନଗଣ, ତୁମ୍ଭେମାନେ କି ନ୍ୟାୟରେ ବିଚାର କରୁଅଛ ?

2ବରଞ୍ଚ ତୁମ୍ଭେମାନେ ହୃଦୟରେ ଦୁଷ୍ଟତା ସାଧନ କରୁଅଛ;

ତୁମ୍ଭେମାନେ ଦେଶରେ ସ୍ୱହସ୍ତର ଦୌରାତ୍ମ୍ୟ ତୌଲୁଅଛ।

3ଦୁଷ୍ଟମାନେ ଗର୍ଭରୁ ବିପଥଗାମୀ;

ସେମାନେ ଜନ୍ମଠାରୁ ମିଥ୍ୟା କହି କହି ବିପଥରେ ଗମନ କରନ୍ତି।

4ସେମାନଙ୍କର ବିଷ ସର୍ପର ବିଷ ତୁଲ୍ୟ;

ସେମାନେ କର୍ଣ୍ଣରୋଧକାରିଣୀ ବଧିରା କାଳସର୍ପିଣୀ ତୁଲ୍ୟ;

5ସାପୁଡ଼ିଆମାନେ ଯେତେ ନିପୁଣ ଭାବରେ ମନ୍ତ୍ର

ପଢ଼ିଲେ ହେଁ, ସେ ସେମାନଙ୍କ ସ୍ୱର ଶୁଣେ ନାହିଁ।

6ହେ ପରମେଶ୍ୱର, ସେମାନଙ୍କ ମୁଖରେ ସେମାନଙ୍କ ଦନ୍ତ ଭାଙ୍ଗି ପକାଅ;

ହେ ସଦାପ୍ରଭୁ, ଯୁବା ସିଂହମାନଙ୍କର କଳଦନ୍ତ ଭାଙ୍ଗି ପକାଅ।

7ସେମାନେ ବହନ୍ତା ଜଳ ପରି ତରଳି ଯାଉନ୍ତୁ;

ସେ ଆପଣା ତୀର ଲକ୍ଷ୍ୟ କରିବା ବେଳେ ତାହାସବୁ ଛିନ୍ନ ତୀର ତୁଲ୍ୟ ହେଉ।

8ଯେଉଁ ଶାମୁକା ଯାଉ ଯାଉ ତରଳିଯାଏ ଓ

ସ୍ତ୍ରୀର ଯେଉଁ ଅକାଳଜାତ ସନ୍ତାନ ସୂର୍ଯ୍ୟ ଦେଖି ନାହିଁ, ତାହାରି ପରି ସେମାନେ ହେଉନ୍ତୁ।

9ତୁମ୍ଭମାନଙ୍କ ହାଣ୍ଡି କଣ୍ଟକ ସ୍ପର୍ଶ ନ କରିବା ପୂର୍ବରୁ ସେ କଞ୍ଚା

ଓ ପୋଡ଼ା ସମସ୍ତ ଘୂର୍ଣ୍ଣିବାୟୁରେ ଉଡ଼ାଇ ନେବେ।

10ଧାର୍ମିକ ଲୋକ ପ୍ରତିଫଳ ଦେଖି ଆନନ୍ଦ କରିବ;

ସେ ଦୁଷ୍ଟମାନଙ୍କ ରକ୍ତରେ ଆପଣା ପାଦ ଧୋଇବ।

11ତହିଁରେ ଲୋକମାନେ କହିବେ, ନିଶ୍ଚୟ ଧାର୍ମିକ ଲୋକ ପାଇଁ ପୁରସ୍କାର ଅଛି;

ନିଶ୍ଚୟ ପୃଥିବୀରେ ବିଚାରକର୍ତ୍ତା ଏକ ପରମେଶ୍ୱର ଅଛନ୍ତି।

59

ନିରାପତ୍ତା ପାଇଁ ପ୍ରାର୍ଥନା

ପ୍ରଧାନ ବାଦ୍ୟକର ନିମନ୍ତେ ଅଲ୍‍-ତଶ୍‍ହେତ୍‍ ସ୍ୱରରେ ଦାଉଦଙ୍କର ଗୀତ। ମିକ୍ତାମ୍‍; ଶାଉଲ ଲୋକ ପଠାନ୍ତେ, ସେମାନେ ଦାଉଦଙ୍କୁ ବଧ କରିବା ପାଇଁ ତାଙ୍କର ଗୃହ ଜଗି ବସିବା ସମୟରେ ରଚିତ।

1ହେ ମୋହର ପରମେଶ୍ୱର, ମୋ’ ଶତ୍ରୁଗଣଠାରୁ ମୋତେ ଉଦ୍ଧାର କର;

ମୋ’ ବିରୁଦ୍ଧରେ ଉତ୍ଥିତ ଲୋକମାନଙ୍କଠାରୁ ମୋତେ ଉଚ୍ଚରେ ସ୍ଥାପନ କର।

2ଅଧର୍ମାଚାରୀମାନଙ୍କଠାରୁ ମୋତେ ଉଦ୍ଧାର କର,

ରକ୍ତପିପାସୁ ଲୋକମାନଙ୍କଠାରୁ ମୋତେ ରକ୍ଷା କର।

3କାରଣ ଦେଖ, ସେମାନେ ମୋ’ ପ୍ରାଣ ପାଇଁ ଛକି ବସନ୍ତି;

ବଳବାନମାନେ ମୋ’ ବିରୁଦ୍ଧରେ ଏକତ୍ରିତ ହୁଅନ୍ତି;

ହେ ସଦାପ୍ରଭୁ, ମୋହର ଅପରାଧ କିଅବା ମୋ’ ପାପ ସକାଶୁ ନୁହେଁ।

4ମୋହର ବିନା ଦୋଷରେ ସେମାନେ ଦଉଡ଼ି ପ୍ରସ୍ତୁତ ହୁଅନ୍ତି;

ତୁମ୍ଭେ ମୋହର ସାହାଯ୍ୟ ପାଇଁ ଜାଗ ଓ ଦୃଷ୍ଟିପାତ କର।

5ହେ ସଦାପ୍ରଭୁ, ସୈନ୍ୟାଧିପତି ପରମେଶ୍ୱର, ଇସ୍ରାଏଲର ପରମେଶ୍ୱର,

ତୁମ୍ଭେ ହିଁ ଅନ୍ୟ ଦେଶୀୟ ସମସ୍ତଙ୍କୁ ପ୍ରତିଫଳ ଦେବା ପାଇଁ ଉଠ;

କୌଣସି ଦୁଷ୍ଟ ଅଧର୍ମକାରୀମାନଙ୍କୁ ଦୟା କର ନାହିଁ। [ସେଲା]

6ସେମାନେ ସନ୍ଧ୍ୟାକାଳେ ଫେରି ଆସି କୁକ୍କୁର ପରି ଶବ୍ଦ କରନ୍ତି

ଓ ନଗର ଚାରିଆଡ଼େ ଭ୍ରମଣ କରନ୍ତି।

7ଦେଖ, ସେମାନେ ଆପଣା ଆପଣା ମୁଖରୁ ଉଦ୍‍ଗାର କରନ୍ତି;

ସେମାନଙ୍କ ଓଷ୍ଠାଧରରେ ଖଡ୍ଗ ଥାଏ;

କାରଣ ସେମାନେ କହନ୍ତି, କିଏ ଆମ୍ଭମାନଙ୍କୁ ଶୁଣିବ ?

8ମାତ୍ର ହେ ସଦାପ୍ରଭୁ, ତୁମ୍ଭେ ସେମାନଙ୍କ ପ୍ରତି ହସିବ;

ତୁମ୍ଭେ ଅନ୍ୟ ଦେଶୀୟ ସମସ୍ତଙ୍କୁ ବିଦ୍ରୂପ କରିବ।

9ହେ ମୋହର ବଳ ସ୍ୱରୂପ, ମୁଁ ତୁମ୍ଭର ଅନୁସରଣ କରିବି;

କାରଣ ପରମେଶ୍ୱର ମୋହର ଉଚ୍ଚ ଦୁର୍ଗ ଅଟନ୍ତି।

10ମୋହର ଦୟାବାନ ପରମେଶ୍ୱର ମୋହର ସମ୍ମୁଖବର୍ତ୍ତୀ ହେବେ;

ପରମେଶ୍ୱର ମୋ’ ଶତ୍ରୁମାନଙ୍କ ଉପରେ ମୋ’ ବାଞ୍ଛା ସଫଳ ହେବାର ମୋତେ ଦେଖାଇବେ।

11ସେମାନଙ୍କୁ ବଧ କର ନାହିଁ, କେଜାଣି ମୋ’ ଲୋକମାନେ ପାସୋରି ଯିବେ;

ହେ ଆମ୍ଭମାନଙ୍କ ଢାଲ ସ୍ୱରୂପ ପ୍ରଭୁ,

ତୁମ୍ଭ ପରାକ୍ରମରେ ସେମାନଙ୍କୁ ଛିନ୍ନଭିନ୍ନ କରି ଅଧୋନତ କର।

12ସେମାନଙ୍କ ମୁଖର ପାପ ଓ ସେମାନଙ୍କ ଓଷ୍ଠାଧରର ବାକ୍ୟ,

ପୁଣି, ସେମାନଙ୍କର କଥିତ ଅଭିଶାପ ଓ ମିଥ୍ୟା ସକାଶୁ

ସେମାନେ ଆପଣା ଆପଣା ଅହଙ୍କାରରେ ଧରା ଯାଉନ୍ତୁ।

13ଯେପରି ସେମାନେ ଆଉ ନ ଥିବେ,

ଏଥିପାଇଁ ସେମାନଙ୍କୁ କୋପରେ ସଂହାର କର, ସେମାନଙ୍କୁ ସଂହାର କର;

ପୁଣି, ପରମେଶ୍ୱର ଯେ ଯାକୁବ59:13 ଯାକୁବ ଅର୍ଥାତ୍ ଇସ୍ରାଏଲ ମଧ୍ୟରେ,

ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ କର୍ତ୍ତୃତ୍ୱ କରନ୍ତି, ଏହା ସେମାନେ ଜ୍ଞାତ ହେଉନ୍ତୁ। [ସେଲା]

14ଆଉ, ସେମାନେ ସନ୍ଧ୍ୟାବେଳେ ଫେରି ଆସି କୁକ୍କୁର ପରି ଶବ୍ଦ କରନ୍ତୁ

ଓ ନଗର ଚତୁର୍ଦ୍ଦିଗରେ ଭ୍ରମଣ କରନ୍ତୁ।

15ସେମାନେ ଖାଦ୍ୟ ନିମନ୍ତେ ଏଣେତେଣେ ଭ୍ରମଣ କରିବେ।

ପୁଣି, ସେମାନେ ତୃପ୍ତ ନୋହିଲେ ସାରାରାତ୍ରି ରହିବେ।59:15 ସାରାରାତ୍ରି ରହିବେ। କିମ୍ବା ଅସନ୍ତୋଷ ହେବେ

16ମାତ୍ର ମୁଁ ତୁମ୍ଭ ପରାକ୍ରମ ବିଷୟ ଗାନ କରିବି

ଓ ପ୍ରଭାତରେ ତୁମ୍ଭ ଦୟା ବିଷୟ ଉଚ୍ଚସ୍ୱରରେ ଗାନ କରିବି;

କାରଣ ତୁମ୍ଭେ ମୋହର ଉଚ୍ଚ ଦୁର୍ଗ ଓ ବିପଦ ଦିନରେ ଆଶ୍ରୟ ସ୍ୱରୂପ ହୋଇଅଛ।

17ହେ ମୋହର ବଳ ସ୍ୱରୂପ, ମୁଁ ତୁମ୍ଭ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି;

ଯେଣୁ ପରମେଶ୍ୱର ମୋହର ଉଚ୍ଚ ଦୁର୍ଗ, ମୋହର ଦୟାବାନ ପରମେଶ୍ୱର।

60

ରକ୍ଷା ନିମନ୍ତେ ପ୍ରାର୍ଥନା

ପ୍ରଧାନ ବାଦ୍ୟକର ନିମନ୍ତେ ଶୂଷନ୍‍-ଏଦୁତ୍‍ ସ୍ୱରରେ ଶିକ୍ଷାର୍ଥକ ଦାଉଦଙ୍କର ମିକ୍ତାମ୍‍; ଅରାମନହରୟିମ୍‍ ଓ ଅରାମ-ସୋବା ସଙ୍ଗରେ ଯୁଦ୍ଧ କରିବା ବେଳେ ଓ ଯୋୟାବ ଫେରି ଲବଣ ଉପତ୍ୟକାରେ ଇଦୋମୀୟ ବାର ହଜାର ଲୋକଙ୍କୁ ବଧ କରିବା ସମୟରେ ରଚିତ।

1ହେ ପରମେଶ୍ୱର, ତୁମ୍ଭେ ଆମ୍ଭମାନଙ୍କୁ ଦୂର କରିଅଛ, ତୁମ୍ଭେ ଆମ୍ଭମାନଙ୍କୁ ଭାଙ୍ଗି ପକାଇଅଛ;

ତୁମ୍ଭେ କ୍ରୁଦ୍ଧ ହୋଇଅଛ; ଆମ୍ଭମାନଙ୍କୁ ପୁନଃସ୍ଥାପନ କର।

2ତୁମ୍ଭେ ଦେଶକୁ କମ୍ପିତ କରିଅଛ; ତୁମ୍ଭେ ତାହାକୁ ବିଦୀର୍ଣ୍ଣ କରିଅଛ;

ତହିଁର ଭଗ୍ନସ୍ଥାନର ପ୍ରତିକାର କର; କାରଣ ତାହା ଟଳ ଟଳ ହେଉଅଛି।

3ତୁମ୍ଭେ ଆପଣା ଲୋକମାନଙ୍କୁ କଠିନ ବିଷୟ ଦେଖାଇଅଛ;

ତୁମ୍ଭେ ଆମ୍ଭମାନଙ୍କୁ ଟଳମଳକାରିଣୀ ମଦିରା ପାନ କରାଇଅଛ।

4ସତ୍ୟତା ପକ୍ଷରେ ପ୍ରକାଶ କରିବା ନିମନ୍ତେ ତୁମ୍ଭେ

ଆପଣା ଭୟକାରୀମାନଙ୍କୁ ଏକ ପତାକା ଦେଇଅଛ। [ସେଲା]

5ଯେପରି ତୁମ୍ଭ ପ୍ରିୟତମ ଉଦ୍ଧାର ପାଇବ,

ଏଥିପାଇଁ ତୁମ୍ଭେ ଆପଣା ଦକ୍ଷିଣ ହସ୍ତରେ ପରିତ୍ରାଣ କର ଓ ଆମ୍ଭମାନଙ୍କୁ ଉତ୍ତର ଦିଅ।

6ପରମେଶ୍ୱର ଆପଣା ପବିତ୍ର ସ୍ଥାନରେ60:6 ପବିତ୍ର ସ୍ଥାନରେ କିମ୍ବା ପବିତ୍ରତାରେ କହିଅଛନ୍ତି; “ଆମ୍ଭେ ଉଲ୍ଲାସ କରିବା;

ଆମ୍ଭେ ଶିଖିମକୁ ବିଭାଗ କରିବା ଓ ସୁକ୍‍କୋତ ଉପତ୍ୟକାକୁ ମାପିବା।

7ଗିଲୀୟଦ ଆମ୍ଭର ଓ ମନଃଶି ଆମ୍ଭର;

ମଧ୍ୟ ଇଫ୍ରୟିମ ଆମ୍ଭ ମସ୍ତକର ଆଶ୍ରୟ;

ଯିହୁଦା ଆମ୍ଭର ରାଜଦଣ୍ଡ।

8ମୋୟାବ ଆମ୍ଭର ପ୍ରକ୍ଷାଳନ-ପାତ୍ର;

ଆମ୍ଭେ ଇଦୋମ ଉପରେ ଆପଣା ପାଦୁକା ପକାଇବା;

ହେ ପଲେଷ୍ଟୀୟା, ତୁମ୍ଭେ ଆମ୍ଭ ସକାଶୁ ଉଚ୍ଚ ଧ୍ୱନି କର।

9କିଏ ମୋତେ ଦୃଢ଼ ନଗରକୁ ଆଣିବ ?

କିଏ ମୋତେ ଇଦୋମ ଦେଶ ପର୍ଯ୍ୟନ୍ତ କଢ଼ାଇ ନେବ ?”

10ହେ ପରମେଶ୍ୱର, ତୁମ୍ଭେ କି ଆମ୍ଭମାନଙ୍କୁ ଦୂର କରି ନାହଁ ?

ହେ ପରମେଶ୍ୱର, ତୁମ୍ଭେ ଆମ୍ଭମାନଙ୍କ ସୈନ୍ୟ ସଙ୍ଗେ ଗମନ କରୁ ନାହଁ।

11ବିପକ୍ଷ ପ୍ରତିକୂଳରେ ଆମ୍ଭମାନଙ୍କୁ ସାହାଯ୍ୟ ଦାନ କର;

କାରଣ ମନୁଷ୍ୟର ସାହାଯ୍ୟ ବୃଥା।

12ପରମେଶ୍ୱରଙ୍କ ଦ୍ୱାରା ଆମ୍ଭେମାନେ ବୀରର କର୍ମ କରିବା;

ଯେହେତୁ ସେ ଆମ୍ଭମାନଙ୍କ ବିପକ୍ଷଗଣକୁ ଦଳି ପକାଇବେ।

61

ସୁରକ୍ଷା ପାଇଁ ପ୍ରାର୍ଥନା

ପ୍ରଧାନ ବାଦ୍ୟକର ନିମନ୍ତେ ତାରଯୁକ୍ତ ଯନ୍ତ୍ରରେ ଦାଉଦଙ୍କର ଗୀତ।

1ହେ ପରମେଶ୍ୱର, ମୋହର କାକୂକ୍ତି ଶୁଣ;

ମୋ’ ପ୍ରାର୍ଥନାରେ ମନୋଯୋଗ କର।

2ମୋ’ ମନ ଉଦ୍‍ବିଗ୍ନ ହେବା ବେଳେ ମୁଁ ପୃଥିବୀର ପ୍ରାନ୍ତରୁ ତୁମ୍ଭକୁ ଡାକିବି;

ମୋ’ଠାରୁ ଉଚ୍ଚତର ଶୈଳକୁ ମୋତେ ନେଇଯାଅ।

3କାରଣ ତୁମ୍ଭେ ମୋ’ ନିମନ୍ତେ ଆଶ୍ରୟ ଓ

ଶତ୍ରୁଠାରୁ ଦୃଢ଼ ଦୁର୍ଗ ସ୍ୱରୂପ ହୋଇଅଛ।

4ମୁଁ ସଦାକାଳ ତୁମ୍ଭ ତମ୍ବୁରେ ବାସ କରିବି;

ମୁଁ ତୁମ୍ଭ ପକ୍ଷର ଉହାଡ଼ରେ ଆଶ୍ରୟ ନେବି।

5କାରଣ ହେ ପରମେଶ୍ୱର, ତୁମ୍ଭେ ମୋହର ମାନତସବୁ ଶୁଣିଅଛ;

ତୁମ୍ଭେ ଆପଣା ନାମର ଭୟକାରୀମାନଙ୍କ ଅଧିକାର ଆମ୍ଭକୁ ଦେଇଅଛ।

6ତୁମ୍ଭେ ରାଜାଙ୍କ ଆୟୁ ବୃଦ୍ଧି କରିବ;

ତାଙ୍କ ବର୍ଷ ଅନେକ ପୁରୁଷାନୁକ୍ରମ ତୁଲ୍ୟ ହେବ।

7ସେ ସଦାକାଳ ପରମେଶ୍ୱରଙ୍କ ସମ୍ମୁଖରେ ବାସ କରିବେ;

ତାଙ୍କ ରକ୍ଷା ନିମନ୍ତେ ସ୍ନେହପୂର୍ଣ୍ଣ କରୁଣା ଓ ସତ୍ୟତା ପ୍ରସ୍ତୁତ କର।

8ତହୁଁ ମୁଁ ସଦାକାଳ ତୁମ୍ଭ ନାମ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି

ଓ ଦିନକୁ ଦିନ ଆପଣା ମାନତ ପୂର୍ଣ୍ଣ କରିବି।

62

ପରମେଶ୍ୱରଙ୍କ ସୁରକ୍ଷାରେ ଦୃଢ଼ ବିଶ୍ୱାସ

ପ୍ରଧାନ ବାଦ୍ୟକର ନିମନ୍ତେ ଯିଦୂଥୂନର ରୀତି ଅନୁସାରେ ଦାଉଦଙ୍କର ଗୀତ।

1ମୋହର ପ୍ରାଣ କେବଳ ପରମେଶ୍ୱରଙ୍କର ଅପେକ୍ଷା କରେ;

ତାହାଙ୍କଠାରୁ ମୋହର ପରିତ୍ରାଣ ଆସେ।

2କେବଳ ସେ ମୋହର ଶୈଳ ଓ ପରିତ୍ରାଣ;

ସେ ମୋହର ଉଚ୍ଚ ଦୁର୍ଗ; ମୁଁ ଅତିଶୟ ବିଚଳିତ ନୋହିବି।

3ନଇଁ ପଡ଼ିଥିବା କାନ୍ଥ ଓ ଟଳଟଳ ପ୍ରାଚୀର ତୁଲ୍ୟ

ଜଣେ ମନୁଷ୍ୟକୁ ବଧ କରିବା ପାଇଁ

ତୁମ୍ଭେ ସମସ୍ତେ କେତେ କାଳ ଲାଗିଥିବ ?

4ସେମାନେ କେବଳ ତାହାର ଉଚ୍ଚ ପଦରୁ ତାହାକୁ ନିପାତ କରିବାକୁ ମନ୍ତ୍ରଣା କରନ୍ତି;

ସେମାନେ ମିଥ୍ୟା କଥାରେ ସନ୍ତୁଷ୍ଟ;

ସେମାନେ ମୁଖରେ ଆଶୀର୍ବାଦ କରନ୍ତି, ମାତ୍ର ଅନ୍ତରରେ ଅଭିଶାପ ଦିଅନ୍ତି। [ସେଲା]

5ହେ ମୋହର ପ୍ରାଣ, କେବଳ ପରମେଶ୍ୱରଙ୍କର ଅପେକ୍ଷା କର;

କାରଣ ତାହାଙ୍କଠାରୁ ମୋହର ପ୍ରତ୍ୟାଶା ଜନ୍ମେ।

6କେବଳ ସେ ମୋହର ଶୈଳ ଓ ମୋହର ପରିତ୍ରାଣ;

ସେ ମୋହର ଉଚ୍ଚ ଦୁର୍ଗ; ମୁଁ ବିଚଳିତ ନୋହିବି।

7ମୋହର ପରିତ୍ରାଣ ଓ ମୋହର ଗୌରବ

ପରମେଶ୍ୱରଙ୍କଠାରେ ଅଛି;

ମୋ’ ବଳର ଶୈଳ ଓ ମୋହର ଆଶ୍ରୟ ପରମେଶ୍ୱରଙ୍କଠାରେ ଅଛି।

8ହେ ଲୋକମାନେ, ସବୁବେଳେ ତାହାଙ୍କଠାରେ ନିର୍ଭର କର;

ତାହାଙ୍କ ଛାମୁରେ ମନର ସବୁ କଥା ଭାଙ୍ଗି କୁହ;

ପରମେଶ୍ୱର ଆମ୍ଭମାନଙ୍କ ନିମନ୍ତେ ଆଶ୍ରୟ। [ସେଲା]

9ନିଶ୍ଚୟ ସାମାନ୍ୟ ଲୋକେ ଅସାର ଓ ମାନ୍ୟ ଲୋକେ ମିଥ୍ୟା;

ତୌଲରେ ସେମାନେ ଉପରକୁ ଉଠିବେ; ସେମାନେ ସମସ୍ତେ ଅସାରରୁ ଲଘୁ।

10ଦୌରାତ୍ମ୍ୟରେ ନିର୍ଭର ରଖ ନାହିଁ ଓ ଅପହରଣରେ ଦର୍ପୀ ହୁଅ ନାହିଁ;

ଧନ ବଢ଼ିଲେ ତହିଁରେ ମନ ଦିଅ ନାହିଁ।

11ପରମେଶ୍ୱର ଥରେ କହିଅଛନ୍ତି,

ଆମ୍ଭେ ଦୁଇ ଥର ଏହା ଶୁଣିଅଛୁ ଯେ,

ପରାକ୍ରମ ପରମେଶ୍ୱରଙ୍କର ଅଟଇ।

12ଆହୁରି, ହେ ପ୍ରଭୁ; ତୁମ୍ଭଠାରେ ଦୟା ଥାଏ;

କାରଣ ତୁମ୍ଭେ ପ୍ରତ୍ୟେକ ମନୁଷ୍ୟକୁ ତାହାର କର୍ମାନୁସାରେ ଫଳ ଦେଉଅଛ।

63

ପରମେଶ୍ୱରଙ୍କ ସାନ୍ନିଧ୍ୟ ପାଇଁ ବ୍ୟାକୁଳତା

ଦାଉଦଙ୍କର ଗୀତ, ସେ ଯିହୁଦା-ପ୍ରାନ୍ତରରେ ଥିବା ବେଳେ ରଚିତ।

1ହେ ପରମେଶ୍ୱର, ତୁମ୍ଭେ ମୋହର ପରମେଶ୍ୱର;

ବ୍ୟାକୁଳରେ ମୁଁ ତୁମ୍ଭର ଅନ୍ୱେଷଣ କରିବି;

ଜଳଶୂନ୍ୟ ଶୁଷ୍କ ଓ ଶ୍ରାନ୍ତିକର ଦେଶରେ

ମୋ’ ପ୍ରାଣ ତୁମ୍ଭ ନିମନ୍ତେ ତୃଷିତ ହୁଏ ଓ ମୋ’ ଶରୀର ତୁମ୍ଭ ପାଇଁ ଲାଳସା

କରେ।

2ତେଣୁ ତୁମ୍ଭ ପରାକ୍ରମ ଓ ଗୌରବ ଦେଖିବା ପାଇଁ

ମୁଁ ପବିତ୍ର ସ୍ଥାନରେ ତୁମ୍ଭ ପ୍ରତି ଚାହିଁ ରହିଅଛି।

3କାରଣ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଜୀବନ ଅପେକ୍ଷା ଉତ୍ତମ;

ମୋହର ଓଷ୍ଠାଧର ତୁମ୍ଭର ପ୍ରଶଂସା କରିବ।

4ଏହିରୂପେ ମୁଁ ଯାବଜ୍ଜୀବନ ତୁମ୍ଭର ଧନ୍ୟବାଦ କରିବି;

ମୁଁ ତୁମ୍ଭ ନାମରେ ଆପଣା ହସ୍ତ ଉଠାଇବି;

5ଯେପରି ମେଦ ଓ ମଜ୍ଜାରେ, ସେପରି ମୋହର ପ୍ରାଣ ପରିତୃପ୍ତ ହେବ

ଓ ମୋ’ ମୁଖ ଆନନ୍ଦିତ ଓଷ୍ଠାଧରରେ ତୁମ୍ଭର ପ୍ରଶଂସା କରିବ।

6ମୁଁ ଶଯ୍ୟା ଉପରେ ତୁମ୍ଭଙ୍କୁ ସ୍ମରଣ କରିବା ବେଳେ

ରାତ୍ରିର ପ୍ରହରକୁ ପ୍ରହର ତୁମ୍ଭ ବିଷୟ ଧ୍ୟାନ କରେ।

7କାରଣ ତୁମ୍ଭେ ମୋହର ସହାୟ ହୋଇଅଛ,

ଆଉ ତୁମ୍ଭ ପକ୍ଷର ଛାୟାରେ ମୁଁ ଉଲ୍ଲାସ କରିବି।

8ମୋହର ପ୍ରାଣ ତୁମ୍ଭ ପଛେ ପଛେ ଲାଗିଥାଏ;

ତୁମ୍ଭର ଦକ୍ଷିଣ ହସ୍ତ ମୋତେ ଧରି ରଖେ।

9ମାତ୍ର ଯେଉଁମାନେ ମୋ’ ପ୍ରାଣନାଶର ଚେଷ୍ଟା କରନ୍ତି,

ସେମାନେ ପୃଥିବୀର ଅଧଃସ୍ଥାନକୁ ଯିବେ।

10ସେମାନେ ଖଡ୍ଗର ପରାକ୍ରମରେ ସମର୍ପିତ ହେବେ;

ସେମାନେ ଶୃଗାଳର ଖାଦ୍ୟ ହେବେ।

11ମାତ୍ର ରାଜା ପରମେଶ୍ୱରଙ୍କଠାରେ ଆନନ୍ଦ କରିବେ;

ତାହାଙ୍କ ନାମରେ ଶପଥକାରୀ ପ୍ରତ୍ୟେକ ଲୋକ ଦର୍ପ କରିବେ;

କାରଣ ମିଥ୍ୟାବାଦୀମାନଙ୍କ ମୁଖ ରୁଦ୍ଧ ହେବ।

64

ସୁରକ୍ଷା ପାଇଁ ପ୍ରାର୍ଥନା

ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।

1ହେ ପରମେଶ୍ୱର, ମୋ’ କାକୂକ୍ତିର ରବ ଶ୍ରବଣ କର;

ଶତ୍ରୁ ଭୟରୁ ମୋ’ ଜୀବନ ରକ୍ଷା କର।

2କୁକର୍ମକାରୀମାନଙ୍କ ଗୁପ୍ତ ମନ୍ତ୍ରଣାରୁ,

ଅଧର୍ମାଚାରୀମାନଙ୍କ କଳହରୁ ମୋତେ ଲୁଚାଇ ରଖ;

3ସେମାନେ ଖଡ୍ଗ ପରି ଆପଣା ଜିହ୍ୱା ଶାଣିତ କରିଅଛନ୍ତି

4ଏବଂ ଆପଣାମାନଙ୍କ କଟୁବାକ୍ୟରୂପ ତୀର ଲକ୍ଷ୍ୟ କରିଅଛନ୍ତି;

ଯେପରି ସିଦ୍ଧ ଲୋକଙ୍କ ପ୍ରତି ଗୋପନରେ ନିକ୍ଷେପ କରି ପାରିବେ;

ସେମାନେ ହଠାତ୍‍ ତାହା ପ୍ରତି ନିକ୍ଷେପ କରନ୍ତି ଓ ଭୟ କରନ୍ତି ନାହିଁ।

5ସେମାନେ କୁସଂକଳ୍ପରେ ଆପଣା ଆପଣାକୁ ବଳିଷ୍ଠ କରନ୍ତି;

ସେମାନେ ଗୋପନରେ ଫାନ୍ଦ ପାତିବାକୁ କଥାବାର୍ତ୍ତା କରନ୍ତି;

ସେମାନେ କହନ୍ତି, “ଆମ୍ଭମାନଙ୍କୁ64:5 ଆମ୍ଭମାନଙ୍କୁ ସେମାନଙ୍କୁ କିଏ ଦେଖିବ ?”

6ସେମାନେ ଅଧର୍ମ କଳ୍ପନା କରନ୍ତି;

“ଆମ୍ଭେମାନେ ଯତ୍ନପୂର୍ବକ କଳ୍ପନା ସିଦ୍ଧ କରିଅଛୁ” ବୋଲି ସେମାନେ କହନ୍ତି;

ଆଉ, ପ୍ରତ୍ୟେକର ଆନ୍ତରିକ ଭାବ ଓ ହୃଦୟ ଗଭୀର।

7ମାତ୍ର ପରମେଶ୍ୱର ସେମାନଙ୍କ ପ୍ରତି ତୀର ନିକ୍ଷେପ କରିବେ;

ସେଥିରେ ସେମାନେ ହଠାତ୍‍ ଆହତ ହେବେ।

8ଏହିରୂପେ ସେମାନେ ନିପାତିତ ହେବେ,

ସେମାନଙ୍କ ନିଜ ଜିହ୍ୱା ସେମାନଙ୍କର ବିପକ୍ଷ ହେବ;

ସେମାନଙ୍କୁ ଦେଖିବା ଲୋକ ସମସ୍ତେ ମୁଣ୍ଡ ହଲାଇବେ;

9ପୁଣି, ସକଳ ମନୁଷ୍ୟ ଭୟ କରିବେ,

ସେମାନେ ପରମେଶ୍ୱରଙ୍କ କର୍ମ ପ୍ରକାଶ କରିବେ

ଓ ତାହାଙ୍କର କ୍ରିୟା ସୁବିବେଚନା କରିବେ।

10ଧାର୍ମିକ ଲୋକ ସଦାପ୍ରଭୁଙ୍କଠାରେ ଆନନ୍ଦ କରିବ

ଓ ତାହାଙ୍କର ଶରଣାଗତ ହେବ।

ପୁଣି, ସରଳାନ୍ତଃକରଣ ସମସ୍ତେ ସଦାପ୍ରଭୁଙ୍କଠାରେ ପ୍ରଶଂସା କରିବେ।

65

ପ୍ରଶଂସା ଓ ଧନ୍ୟବାଦ

ପ୍ରଧାନ ବାଦ୍ୟକର ନିମନ୍ତେ ଗୀତ, ଦାଉଦଙ୍କର ଗୀତ।

1ହେ ପରମେଶ୍ୱର, ସିୟୋନରେ ପ୍ରଶଂସା ତୁମ୍ଭର ଅପେକ୍ଷା କରେ

ଓ ତୁମ୍ଭ ଉଦ୍ଦେଶ୍ୟରେ ମାନତ ପୂର୍ଣ୍ଣ କରାଯିବ।

2ଆହେ, ପ୍ରାର୍ଥନା ଶ୍ରବଣକାରୀ ଯେ ତୁମ୍ଭେ,

ତୁମ୍ଭ ନିକଟକୁ ସକଳ ପ୍ରାଣୀ ଆସିବେ।

3ଅପରାଧ ମୋ’ ଉପରେ ପ୍ରବଳ ହୁଏ;

ତୁମ୍ଭେ ଆମ୍ଭମାନଙ୍କ ଅଧର୍ମ ମାର୍ଜନା କରିବ।

4ତୁମ୍ଭେ ଯାହାକୁ ତୁମ୍ଭ ପ୍ରାଙ୍ଗଣରେ ବାସ କରିବା ପାଇଁ ମନୋନୀତ କର ଓ ଆପଣା ନିକଟକୁ ଆସିବାକୁ ଦିଅ, ସେ ଲୋକ ଧନ୍ୟ;

ଆମ୍ଭେମାନେ ତୁମ୍ଭ ଗୃହର, ଅର୍ଥାତ୍‍,

ତୁମ୍ଭ ମନ୍ଦିରର ପବିତ୍ର ସ୍ଥାନର ଉତ୍ତମ ଦ୍ରବ୍ୟରେ ପରିତୃପ୍ତ ହେବା।

5ହେ ଆମ୍ଭମାନଙ୍କ ପରିତ୍ରାଣର ପରମେଶ୍ୱର,

ତୁମ୍ଭେ ଭୟାନକ କ୍ରିୟା ଦ୍ୱାରା ଧର୍ମରେ ଆମ୍ଭମାନଙ୍କୁ ଉତ୍ତର ଦେବ;

ତୁମ୍ଭେ ପୃଥିବୀର ପ୍ରାନ୍ତନିବାସୀ ଓ ଦୂରବର୍ତ୍ତୀ ସମୁଦ୍ରବାସୀ

ସମସ୍ତଙ୍କର ବିଶ୍ୱାସଭୂମି ଅଟ।

6ତୁମ୍ଭେ ପରାକ୍ରମରେ କଟି ବାନ୍ଧି ସ୍ୱଶକ୍ତିରେ

ପର୍ବତଗଣକୁ ଦୃଢ଼ ରୂପେ ସ୍ଥାପନ କରିଥାଅ;

7ତୁମ୍ଭେ ସମୁଦ୍ରସମୂହର ଗର୍ଜ୍ଜନ, ତହିଁର ତରଙ୍ଗମାଳାର

ଗର୍ଜ୍ଜନ ଓ ଗୋଷ୍ଠୀୟମାନଙ୍କର କଳହ ଶାନ୍ତ କରିଥାଅ।

8ଆହୁରି, ପ୍ରାନ୍ତଭାଗ-ନିବାସୀଗଣ ତୁମ୍ଭ ଚିହ୍ନ ଦେଖି ଭୀତ ହୁଅନ୍ତି;

ତୁମ୍ଭେ ସନ୍ଧ୍ୟାକାଳ ଓ ପ୍ରାତଃକାଳର ଉଦ୍‍ଗମକୁ ଆନନ୍ଦମୟ କରିଥାଅ।

9ତୁମ୍ଭେ ପୃଥିବୀର ତତ୍ତ୍ୱାବଧାନ କରି ତହିଁରେ ଜଳ ସେଚନ କରିଥାଅ,

ତୁମ୍ଭେ ତାହାକୁ ଅତିଶୟ ଧନାଢ଼୍ୟ କରିଥାଅ;

ପରମେଶ୍ୱରଙ୍କ ନଦୀ ଜଳରେ ପରିପୂର୍ଣ୍ଣ;

ତୁମ୍ଭେ ପୃଥିବୀକୁ ପ୍ରସ୍ତୁତ କଲା ଉତ୍ତାରେ ସେମାନଙ୍କୁ ଶସ୍ୟ ଯୋଗାଇ ଦେଇଥାଅ।

10ତୁମ୍ଭେ ବହୁଳ ରୂପେ ତାହାର ଶିଆରରେ ଜଳ ସେଚନ କରିଥାଅ;

ତୁମ୍ଭେ ତହିଁର ହିଡ଼ସବୁ ସ୍ଥିର କରିଥାଅ;

ତୁମ୍ଭେ ବୃଷ୍ଟିରେ ତାହାକୁ କୋମଳ କରିଥାଅ;

ତୁମ୍ଭେ ତହିଁର ଅଙ୍କୁରକୁ ଆଶୀର୍ବାଦ କରିଥାଅ;

11ତୁମ୍ଭେ ଆପଣା ମଙ୍ଗଳ ଭାବରେ ବର୍ଷକୁ ମୁକୁଟ ପିନ୍ଧାଇ ଥାଅ

ଓ ତୁମ୍ଭ ପଥସବୁ ପୁଷ୍ଟତା କ୍ଷରଣ କରେ।

12ତାହା ପ୍ରାନ୍ତରସ୍ଥ ଚରାସ୍ଥାନ ଉପରେ କ୍ଷରେ ଓ

ଗିରିଗଣ ଆନନ୍ଦରୂପ କଟିବନ୍ଧନ ପାଆନ୍ତି।

13ଚରାସ୍ଥାନସବୁ ମେଷପଲରେ ଭୂଷିତ ହୁଅନ୍ତି;

ମଧ୍ୟ ଉପତ୍ୟକାସକଳ ଶସ୍ୟରେ ଆଚ୍ଛନ୍ନ ହୁଅନ୍ତି;

ସେମାନେ ଜୟଧ୍ୱନି କରନ୍ତି, ମଧ୍ୟ ସେମାନେ ଗାନ କରନ୍ତି।

66

ପ୍ରଶଂସା ଓ ଧନ୍ୟବାଦର ଗୀତ

ପ୍ରଧାନ ବାଦ୍ୟକର ନିମନ୍ତେ ଗାନାର୍ଥକ ଗୀତ।

1ହେ ସମୁଦାୟ ପୃଥିବୀ, ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଆନନ୍ଦଧ୍ୱନି କର।

2ତାହାଙ୍କ ନାମର ମହିମା କୀର୍ତ୍ତନ କର;

ତାହାଙ୍କ ପ୍ରଶଂସାକୁ ଗୌରବାନ୍ୱିତ କର।

3ପରମେଶ୍ୱରଙ୍କୁ କୁହ, “ତୁମ୍ଭ କର୍ମସକଳ କିପରି ଭୟଙ୍କର !

ତୁମ୍ଭ ପରାକ୍ରମର ମହତ୍ତ୍ୱ ଦ୍ୱାରା ତୁମ୍ଭ ଶତ୍ରୁଗଣ ଆପେ ତୁମ୍ଭର ବଶୀଭୂତ ହେବେ।”

4ସମୁଦାୟ ପୃଥିବୀ ତୁମ୍ଭଙ୍କୁ ପ୍ରଣାମ କରିବେ

ଓ ତୁମ୍ଭ ଉଦ୍ଦେଶ୍ୟରେ ଗାନ କରିବେ;

ସେମାନେ ତୁମ୍ଭ ନାମ କୀର୍ତ୍ତନ କରିବେ।

5ଆସ ଓ ପରମେଶ୍ୱରଙ୍କ କ୍ରିୟାସକଳ ଦେଖ;

ମନୁଷ୍ୟ-ସନ୍ତାନଗଣ ପ୍ରତି ଆପଣା କ୍ରିୟାରେ ସେ ଭୟଙ୍କର ଅଟନ୍ତି।

6ସେ ସମୁଦ୍ରକୁ ଶୁଷ୍କଭୂମି କଲେ;

ଲୋକମାନେ ନଦୀ ମଧ୍ୟ ଦେଇ ପାଦରେ ଗମନ କଲେ;

ସେହି ସ୍ଥାନରେ ଆମ୍ଭେମାନେ ତାହାଙ୍କଠାରେ ଆନନ୍ଦ କଲୁ।

7ସେ ଆପଣା ପରାକ୍ରମରେ ଅନନ୍ତକାଳ କର୍ତ୍ତୃତ୍ୱ କରନ୍ତି;

ତାହାଙ୍କ ଚକ୍ଷୁ ଗୋଷ୍ଠୀସମୂହକୁ ନିରୀକ୍ଷଣ କରେ;

ବିଦ୍ରୋହୀମାନେ ଆପଣାମାନଙ୍କୁ ଉନ୍ନତ ନ କରନ୍ତୁ। [ସେଲା]

8ହେ ଜନବୃନ୍ଦ, ତୁମ୍ଭେମାନେ ଆମ୍ଭମାନଙ୍କ ପରମେଶ୍ୱରଙ୍କର ଧନ୍ୟବାଦ କର

ଓ ତାହାଙ୍କ ପ୍ରଶଂସାର ଧ୍ୱନି ଶୁଣାଅ;

9ସେ ଆମ୍ଭମାନଙ୍କ ପ୍ରାଣକୁ ଜୀବଦ୍ଦଶାରେ ରଖନ୍ତି

ଓ ଆମ୍ଭମାନଙ୍କ ଚରଣକୁ ବିଚଳିତ ହେବାକୁ ଦିଅନ୍ତି ନାହିଁ।

10କାରଣ ହେ ପରମେଶ୍ୱର, ତୁମ୍ଭେ ଆମ୍ଭମାନଙ୍କୁ ପରୀକ୍ଷା କରିଅଛ;

ରୂପା ପରଖିଲା ପରି ତୁମ୍ଭେ ଆମ୍ଭମାନଙ୍କୁ ପରଖିଅଛ।

11ତୁମ୍ଭେ ଆମ୍ଭମାନଙ୍କୁ ଜାଲରେ ପକାଇଅଛ,

ତୁମ୍ଭେ ଆମ୍ଭମାନଙ୍କ କଟିଦେଶରେ ଭାରୀ ବୋଝ ଥୋଇଅଛ।

12ତୁମ୍ଭେ ଆମ୍ଭମାନଙ୍କ ମସ୍ତକ ଉପରେ ଲୋକମାନଙ୍କୁ ଚଢ଼ିବାକୁ ଦେଇଅଛ;

ଆମ୍ଭେମାନେ ଅଗ୍ନି ଓ ଜଳ ମଧ୍ୟଦେଇ ଗମନ କଲୁ;

ମାତ୍ର ତୁମ୍ଭେ ଆମ୍ଭମାନଙ୍କୁ ଧନାଢ଼୍ୟ ସ୍ଥାନକୁ ଆଣିଅଛ।

13ମୁଁ ହୋମବଳି ନେଇ ତୁମ୍ଭ ଗୃହକୁ ଆସିବି,

ମୁଁ ସଙ୍କଟରେ ଥିଲା ବେଳେ

14ମୋ’ ଓଷ୍ଠାଧର ଯାହା ଉଚ୍ଚାରଣ କରିଅଛି ଓ

ମୋ’ ମୁଖ ଯାହା କହିଅଛି,

ମୋହର ସେହିସବୁ ମାନତ ତୁମ୍ଭ ଉଦ୍ଦେଶ୍ୟରେ ପୂର୍ଣ୍ଣ କରିବି।

15ମୁଁ ତୁମ୍ଭ ଉଦ୍ଦେଶ୍ୟରେ ମେଷରୂପ ଧୂପ ସହିତ

ହୃଷ୍ଟପୁଷ୍ଟ ହୋମବଳି ଉତ୍ସର୍ଗ କରିବି;

ମୁଁ ଛାଗ ସଙ୍ଗେ ବୃଷ ବଳିଦାନ କରିବି। [ସେଲା]

16ହେ ପରମେଶ୍ୱରଙ୍କ ଭୟକାରୀ ସମସ୍ତେ, ଆସ ଶୁଣ,

ଆଉ ସେ ଆମ୍ଭ ପ୍ରାଣ ପାଇଁ ଯାହା କରିଅଛନ୍ତି, ତାହା ମୁଁ ବର୍ଣ୍ଣନା କରିବି।

17ମୁଁ ଆପଣା ମୁଖରେ ତାହାଙ୍କୁ ଡାକିଲି

ଓ ମୋ’ ଜିହ୍ୱା ଦ୍ୱାରା ସେ ପ୍ରତିଷ୍ଠିତ ହେଲେ।

18ଯଦି ମୁଁ ମନ ମଧ୍ୟରେ ଅଧର୍ମକୁ ଆଦର କରେ,

ତେବେ ପ୍ରଭୁ ମୋ’ କଥା ଶୁଣିବେ ନାହିଁ;

19ମାତ୍ର ନିଶ୍ଚୟ ପରମେଶ୍ୱର ମୋ’ କଥା ଶୁଣିଅଛନ୍ତି,

ସେ ମୋ’ ପ୍ରାର୍ଥନାର ରବରେ ମନୋଯୋଗ କରିଅଛନ୍ତି।

20ପରମେଶ୍ୱର ଧନ୍ୟ ହେଉନ୍ତୁ,

ସେ ମୋହର ପ୍ରାର୍ଥନା କିଅବା

ମୋ’ଠାରୁ ଆପଣା ଦୟା ଦୂର କରି ନାହାନ୍ତି।

67

ଧନ୍ୟବାଦର ଗୀତ

ପ୍ରଧାନ ବାଦ୍ୟକର ନିମନ୍ତେ ତାରଯୁକ୍ତ ଯନ୍ତ୍ରରେ ଗାନାର୍ଥକ ଗୀତ।

1ପରମେଶ୍ୱର ଆମ୍ଭମାନଙ୍କୁ ଦୟା କରନ୍ତୁ ଓ ଆମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ

ଓ ଆମ୍ଭମାନଙ୍କ ପ୍ରତି ଆପଣା ମୁଖ ପ୍ରସନ୍ନ କରନ୍ତୁ। [ସେଲା]

2ତହିଁରେ ପୃଥିବୀରେ ତୁମ୍ଭର ପଥ ଓ

ସମୁଦାୟ ଗୋଷ୍ଠୀ ମଧ୍ୟରେ ତୁମ୍ଭର ପରିତ୍ରାଣ ଜଣାଯିବ।

3ହେ ପରମେଶ୍ୱର, ଗୋଷ୍ଠୀୟଗଣ ତୁମ୍ଭର ପ୍ରଶଂସା କରନ୍ତୁ;

ଯାବତୀୟ ଗୋଷ୍ଠୀ ତୁମ୍ଭର ପ୍ରଶଂସା କରନ୍ତୁ।

4ଦେଶୀୟମାନେ ଆହ୍ଲାଦିତ ହେଉନ୍ତୁ ଓ ଆନନ୍ଦ ସକାଶୁ ଗାନ କରନ୍ତୁ;

କାରଣ ତୁମ୍ଭେ ନ୍ୟାୟରେ ଗୋଷ୍ଠୀୟବର୍ଗର ବିଚାର କରିବ

ଓ ପୃଥିବୀରେ ଦେଶୀୟମାନଙ୍କୁ ଶାସନ କରିବ। [ସେଲା]

5ହେ ପରମେଶ୍ୱର, ଗୋଷ୍ଠୀୟମାନେ ତୁମ୍ଭର ପ୍ରଶଂସା କରନ୍ତୁ;

ଯାବତୀୟ ଗୋଷ୍ଠୀ ତୁମ୍ଭର ପ୍ରଶଂସା କରନ୍ତୁ।

6ପୃଥିବୀ ନିଜ ଫଳ ଉତ୍ପନ୍ନ କରିଅଛି;

ପରମେଶ୍ୱର, ଆମ୍ଭମାନଙ୍କ ପରମେଶ୍ୱର, ଆମ୍ଭମାନଙ୍କୁ ଆଶୀର୍ବାଦ କରିବେ।

7ପରମେଶ୍ୱର ଆମ୍ଭମାନଙ୍କୁ ଆଶୀର୍ବାଦ କରିବେ;

ପୁଣି, ପୃଥିବୀର ସମସ୍ତ ପ୍ରାନ୍ତ ତାହାଙ୍କୁ ଭୟ କରିବେ।

68

ଜାତୀୟ ବିଜୟ ସଙ୍ଗୀତ

ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗାନାର୍ଥକ ଗୀତ।

1ପରମେଶ୍ୱର ଉଠନ୍ତୁ, ତାହାଙ୍କ ଶତ୍ରୁଗଣ ଛିନ୍ନଭିନ୍ନ ହେଉନ୍ତୁ;

ତାହାଙ୍କ ଘୃଣାକାରୀମାନେ ମଧ୍ୟ ତାହାଙ୍କ ସାକ୍ଷାତରୁ ପଳାଉନ୍ତୁ।

2ଯେପରି ଧୂମ ଚାଳିତ ହୁଏ, ସେହିପରି ସେମାନଙ୍କୁ ଚଳାଅ;

ଯେପରି ଅଗ୍ନି ସମ୍ମୁଖରେ ମହମ ତରଳି ଯାଏ,

ସେହିପରି ପରମେଶ୍ୱରଙ୍କ ସାକ୍ଷାତରେ ଦୁଷ୍ଟମାନେ ବିନଷ୍ଟ ହେଉନ୍ତୁ।

3ମାତ୍ର ଧାର୍ମିକମାନେ ଆନନ୍ଦିତ ହେଉନ୍ତୁ; ସେମାନେ ପରମେଶ୍ୱରଙ୍କ ସମ୍ମୁଖରେ ଉଲ୍ଲାସ କରନ୍ତୁ;

ହଁ, ସେମାନେ ଆନନ୍ଦରେ ପ୍ରଫୁଲ୍ଲ ହେଉନ୍ତୁ।

4ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଗାନ କର, ତାହାଙ୍କ ନାମରେ ପ୍ରଶଂସା ଗାନ କର;

ଯେ ବାହନରେ ମରୁଭୂମି ଦେଇ ଆସୁଅଛନ୍ତି, ତାହାଙ୍କ ପାଇଁ ରାଜପଥ ପ୍ରସ୍ତୁତ କର;

ତାହାଙ୍କ ନାମ ସଦାପ୍ରଭୁ; ତୁମ୍ଭେମାନେ ତାହାଙ୍କ ସାକ୍ଷାତରେ ଉଲ୍ଲାସ କର।

5ପରମେଶ୍ୱର ଆପଣା ପବିତ୍ର ବାସସ୍ଥାନରେ

ପିତୃହୀନମାନଙ୍କର ପିତା ଓ ବିଧବାମାନଙ୍କର ସୁରକ୍ଷାକର୍ତ୍ତା68:5 ସୁରକ୍ଷାକର୍ତ୍ତା ବିଚାରକର୍ତ୍ତା ଅଟନ୍ତି।

6ପରମେଶ୍ୱର ସଙ୍ଗୀହୀନମାନଙ୍କୁ ପରିବାର ମଧ୍ୟରେ ସ୍ଥାପନ କରନ୍ତି;

ସେ ବନ୍ଦୀଗଣକୁ ବାହାର କରି କୁଶଳରେ ରଖନ୍ତି;

ମାତ୍ର ବିଦ୍ରୋହୀମାନେ ଶୁଷ୍କଭୂମିରେ ବାସ କରନ୍ତି।

7ହେ ପରମେଶ୍ୱର, ତୁମ୍ଭେ ଆପଣା ଲୋକମାନଙ୍କ ଆଗରେ ଯିବା ବେଳେ,

ତୁମ୍ଭେ ପ୍ରାନ୍ତର ଦେଇ ଯାତ୍ରା କରିବା ବେଳେ, [ସେଲା]

8ପୃଥିବୀ କମ୍ପିଲା,

ପରମେଶ୍ୱରଙ୍କ ସାକ୍ଷାତରେ ଆକାଶମଣ୍ଡଳ ମଧ୍ୟ ବୃଷ୍ଟିପାତ କଲା;

ସେହି ସୀନୟ ପରମେଶ୍ୱରଙ୍କର, ଇସ୍ରାଏଲର ପରମେଶ୍ୱରଙ୍କ ସାକ୍ଷାତରେ କମ୍ପିଲା।

9ହେ ପରମେଶ୍ୱର, ତୁମ୍ଭେ ପ୍ରଚୁର ବୃଷ୍ଟି ପଠାଇଲ,

ତୁମ୍ଭ ଅଧିକାର କ୍ଳାନ୍ତ ଥିବା ସମୟରେ ତୁମ୍ଭେ ତାହା ସୁସ୍ଥିର କଲ।

10ତୁମ୍ଭ ସମାଜ ତହିଁ ମଧ୍ୟରେ ବାସ କଲେ;

ହେ ପରମେଶ୍ୱର, ତୁମ୍ଭେ ଆପଣା ମଙ୍ଗଳ ଭାବରେ ଦୁଃଖୀମାନଙ୍କ ପାଇଁ ଆୟୋଜନ କଲ।

11ପ୍ରଭୁ ବାକ୍ୟ ପ୍ରଦାନ କରନ୍ତି;

ଶୁଭବାର୍ତ୍ତା ପ୍ରଚାରିକା ସ୍ତ୍ରୀଗଣ ମହାବାହିନୀ ଅଟନ୍ତି।

12ସୈନ୍ୟଶ୍ରେଣୀର ରାଜାଗଣ ପଳାୟନ କରନ୍ତି,

ସେମାନେ ପଳାୟନ କରନ୍ତି;

ପୁଣି, ଗୃହସ୍ଥିତା ସ୍ତ୍ରୀ ଲୁଟଦ୍ରବ୍ୟ ବିଭାଗ କରେ।

13ଯେଉଁ କପୋତର ହରିତ୍‍ ସୁବର୍ଣ୍ଣ-ମଣ୍ଡିତ ଡେଣା,

ତାହାର ରୌପ୍ୟ-ମଣ୍ଡିତ ପରସବୁ ପରି

ତୁମ୍ଭେମାନେ କି ମେଷଶାଳା ମଧ୍ୟରେ ଶୟନ କରିବ ?

14ସଲମୋନ୍‍ରେ ହିମପାତ ବେଳେ ଯେପରି,

ସର୍ବଶକ୍ତିମାନ ଦେଶରେ ରାଜାମାନଙ୍କୁ ଛିନ୍ନଭିନ୍ନ କଲା ବେଳେ ସେପରି ହେଲା।

15ବାଶନର ପର୍ବତ ପରମେଶ୍ୱରଙ୍କ ପର୍ବତ;

ବାଶନର ପର୍ବତ ଏକ ଉଚ୍ଚ ପର୍ବତ।

16ହେ ଉଚ୍ଚ ପର୍ବତଗଣ, ପରମେଶ୍ୱର ଆପଣା ନିବାସ ନିମନ୍ତେ ଯେଉଁ ପର୍ବତ ବାଞ୍ଛା କରିଅଛନ୍ତି,

ତହିଁ ପ୍ରତି ତୁମ୍ଭେମାନେ କାହିଁକି କୁଟିଳ ଦୃଷ୍ଟି କରୁଅଛ ?

ଅବଶ୍ୟ ସଦାପ୍ରଭୁ ତହିଁରେ ସଦାକାଳ ବାସ କରିବେ।

17ପରମେଶ୍ୱରଙ୍କର ରଥ ଅୟୁତ ଅୟୁତ ଓ ଲକ୍ଷ ଲକ୍ଷ;

ଯେପରି ପ୍ରଭୁ ଆପଣା ପବିତ୍ର ସ୍ଥାନ ସୀନୟରେ, ସେପରି ସେସବୁର ମଧ୍ୟରେ ଅଛନ୍ତି।

18ତୁମ୍ଭେ ଊର୍ଦ୍ଧ୍ୱରେ ଆରୋହଣ କରିଅଛ, ତୁମ୍ଭେ ଆପଣା ବନ୍ଦୀମାନଙ୍କୁ ବନ୍ଦୀସ୍ଥାନକୁ ନେଇଅଛ;

ତୁମ୍ଭେ ମନୁଷ୍ୟମାନଙ୍କ ମଧ୍ୟରେ ଦାନପ୍ରାପ୍ତ ହୋଇଅଛ,

ହଁ, ଯେପରି ସଦାପ୍ରଭୁ ପରମେଶ୍ୱର ସେମାନଙ୍କ ମଧ୍ୟରେ ବାସ କରିବେ,

ଏଥିପାଇଁ ବିଦ୍ରୋହୀମାନଙ୍କ ମଧ୍ୟରେ ହିଁ ଦାନପ୍ରାପ୍ତ ହୋଇଅଛ।

19ଯେଉଁ ପ୍ରଭୁ ଦିନକୁ ଦିନ ଆମ୍ଭମାନଙ୍କ ଭାର ବହନ୍ତି, ସେ ଧନ୍ୟ ହେଉନ୍ତୁ;

ସେହି ପରମେଶ୍ୱର ଆମ୍ଭମାନଙ୍କର ପରିତ୍ରାଣ। [ସେଲା]

20ପରମେଶ୍ୱର ଆମ୍ଭମାନଙ୍କ ପକ୍ଷରେ ଉଦ୍ଧାରସାଧକ ପରମେଶ୍ୱର ଅଟନ୍ତି;

ଓ ମୃତ୍ୟୁୁରୁ ରକ୍ଷା ଯିହୋବାଃ ପ୍ରଭୁଙ୍କର ଅଧୀନ।

21ମାତ୍ର ପରମେଶ୍ୱର ଆପଣା ଶତ୍ରୁମାନଙ୍କ ମସ୍ତକ

ଓ ଯେଉଁ ଜନ ନିଜ ଅପରାଧରେ ଅଗ୍ରସର, ତାହାର କେଶଯୁକ୍ତ କପାଳ ବିନ୍ଧି ପକାଇବେ।

22ପ୍ରଭୁ କହିଲେ, “ଆମ୍ଭେ ବାଶନରୁ ପୁନର୍ବାର ଆଣିବା,

ଆମ୍ଭେ ସମୁଦ୍ରର ଗଭୀର ସ୍ଥଳରୁ ପୁନର୍ବାର ସେମାନଙ୍କୁ ଆଣିବା;

23ତହିଁରେ ତୁମ୍ଭେ ରକ୍ତରେ ଆପଣା ଚରଣ ବୁଡ଼ାଇବ,

ତୁମ୍ଭ କୁକ୍କୁରଗଣର ଜିହ୍ୱା ତୁମ୍ଭ ଶତ୍ରୁମାନଙ୍କଠାରୁ ଅଂଶ ପାଇବ।”

24ହେ ପରମେଶ୍ୱର, ଲୋକମାନେ ତୁମ୍ଭର ଗତି,

ଅର୍ଥାତ୍‍, ପବିତ୍ର ସ୍ଥାନକୁ ଆମ୍ଭ ପରମେଶ୍ୱର ଆମ୍ଭ ରାଜାଙ୍କ ଗତି ଦେଖିଅଛନ୍ତି।

25ଦାରାବାଦ୍ୟବାଦିନୀ କୁମାରୀମାନଙ୍କ ମଧ୍ୟରେ ଗାୟକମାନେ ଆଗେ ଆଗେ,

ବାଦ୍ୟକରମାନେ ପଛେ ପଛେ ଗମନ କଲେ।

26ତୁମ୍ଭେମାନେ ଜନ-ସମାଗମ ମଧ୍ୟରେ ପରମେଶ୍ୱରଙ୍କର ଧନ୍ୟବାଦ କର,

ହେ ଇସ୍ରାଏଲର ନିର୍ଝରରୁ ଜାତ ଲୋକମାନେ, ତୁମ୍ଭେମାନେ ସଦାପ୍ରଭୁଙ୍କର ଧନ୍ୟବାଦ କର।

27କନିଷ୍ଠ ବିନ୍ୟାମୀନ୍ ସେମାନଙ୍କର ଶାସନକର୍ତ୍ତା,

ଯିହୁଦାର ଅଧିପତିମାନେ ଓ ସେମାନଙ୍କ ଲୋକଦଳ,

ସବୂଲୂନର ଅଧିପତିମାନେ, ନପ୍ତାଲିର ଅଧିପତିମାନେ ସେଠାରେ ଅଛନ୍ତି।

28ତୁମ୍ଭ ପରମେଶ୍ୱର ତୁମ୍ଭ ବଳର ଆଜ୍ଞା କରିଅଛନ୍ତି;

ହେ ପରମେଶ୍ୱର, ତୁମ୍ଭ ପରାକ୍ରମ ଆମ୍ଭମାନଙ୍କୁ ପ୍ରକାଶ କର, ଯେପରି ତୁମ୍ଭେ ଅତୀତରେ ପ୍ରକାଶ କରିଅଛ।

29ଯିରୂଶାଲମସ୍ଥ ତୁମ୍ଭ ମନ୍ଦିର ସକାଶୁ

ରାଜାଗଣ ତୁମ୍ଭ ନିକଟକୁ ଦର୍ଶନୀ ଆଣିବେ।

30ନଳବନସ୍ଥ ବନ୍ୟ ପଶୁକୁ, ଗୋଷ୍ଠୀବର୍ଗରୂପ

ଗୋବତ୍ସଗଣ ସହିତ ବୃଷସମୂହକୁ ଭର୍ତ୍ସନା କରି

ରୌପ୍ୟଖଣ୍ଡସବୁ ପଦ ତଳେ ଦଳି ପକାଅ;

ସେ ଯୁଦ୍ଧପ୍ରିୟ ଗୋଷ୍ଠୀବର୍ଗକୁ ଛିନ୍ନଭିନ୍ନ କରିଅଛନ୍ତି।

31ମିସର ଦେଶରୁ ଅଧିପତିମାନେ ଆସିବେ;

କୂଶ ପରମେଶ୍ୱରଙ୍କ ପ୍ରତି ହସ୍ତ ପ୍ରସାରିବାକୁ ଚଞ୍ଚଳ ହେବ।

32ହେ ପୃଥିବୀସ୍ଥ ରାଜ୍ୟସମୂହ, ତୁମ୍ଭେମାନେ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଗାନ କର;

ପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର; [ସେଲା]

33ଯେ ଆଦିକାଳୀନ ଉଚ୍ଚତମ ସ୍ୱର୍ଗରେ ଆରୋହଣ କରନ୍ତି, ତାହାଙ୍କ ଉଦ୍ଦେଶ୍ୟରେ ଗାନ କର;

ଦେଖ, ସେ ଆପଣା ରବ, ବିକ୍ରମପୂର୍ଣ୍ଣ ରବ ଉଚ୍ଚାରଣ କରନ୍ତି।

34ତୁମ୍ଭେମାନେ ପରମେଶ୍ୱରଙ୍କ ପରାକ୍ରମ କୀର୍ତ୍ତନ କର;

ତାହାଙ୍କ ମହିମା ଇସ୍ରାଏଲ ଉପରେ ଓ

ତାହାଙ୍କ ପରାକ୍ରମ ଆକାଶମଣ୍ଡଳରେ ରହିଅଛି।

35ହେ ପରମେଶ୍ୱର, ତୁମ୍ଭେ ଆପଣା ପବିତ୍ର ଧାମରେ ଭୟଙ୍କର ଅଟ;

ଇସ୍ରାଏଲର ପରମେଶ୍ୱର ଆପଣା ଲୋକମାନଙ୍କୁ ବଳ ଓ ପରାକ୍ରମ ଦିଅନ୍ତି।

ପରମେଶ୍ୱର ଧନ୍ୟ ହେଉନ୍ତୁ।

69

ସାହାଯ୍ୟ ପାଇଁ ଆତୁର ନିବେଦନ

ପ୍ରଧାନ ବାଦ୍ୟକର ନିମନ୍ତେ ଶୋଶନ୍ନୀମ୍‍ ସ୍ୱରରେ ଦାଉଦଙ୍କର ଗୀତ।

1ହେ ପରମେଶ୍ୱର, ମୋତେ ପରିତ୍ରାଣ କର;

କାରଣ ମୋ’ ବେକ69:1 ବେକ କିମ୍ବା ପ୍ରାଣ ପର୍ଯ୍ୟନ୍ତ ଜଳରାଶି ଆସିଅଛି।

2ମୁଁ ଗଭୀର ପଙ୍କରେ ବୁଡ଼ି ଯାଉଅଛି, ମୋହର ଛିଡ଼ା ହେବାର ସ୍ଥାନ ନାହିଁ;

ମୁଁ ଗଭୀର ଜଳରାଶିରେ ଉପସ୍ଥିତ ହୋଇଅଛି, ପ୍ଲାବନ ମୋ’ ଉପର ଦେଇ ଯାଉଅଛି।

3ମୁଁ ଡାକୁ ଡାକୁ କ୍ଳାନ୍ତ ହୁଏ; ମୋହର କଣ୍ଠ ଶୁଷ୍କ ହୋଇଅଛି;

ମୁଁ ପରମେଶ୍ୱରଙ୍କର ଅପେକ୍ଷା କରୁ କରୁ ମୋହର ଚକ୍ଷୁ ନିସ୍ତେଜ ହୁଏ।

4ଅକାରଣରେ ମୋତେ ଘୃଣା କରିବା ଲୋକେ ମୋ’ ମସ୍ତକର କେଶଠାରୁ ଅନେକ;

ଯେଉଁମାନେ ଅନ୍ୟାୟରେ ମୋହର ଶତ୍ରୁ ହୋଇ ମୋତେ ଉଚ୍ଛିନ୍ନ କରିବାକୁ ଇଚ୍ଛା କରନ୍ତି, ସେମାନେ ବଳବାନ;

ତେଣୁ ମୁଁ ଯାହା ଅପହରଣ କଲି ନାହିଁ, ତାହା ଫେରାଇ ଦେଲି।

5ହେ ପରମେଶ୍ୱର, ତୁମ୍ଭେ ମୋହର ମୂଢ଼ତା ଜାଣୁଅଛ;

ଆଉ, ମୋହର ପାପସବୁ ତୁମ୍ଭଠାରୁ ଗୁପ୍ତ ନୁହେଁ।

6ହେ ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁ, ତୁମ୍ଭର ଅନୁସରଣକାରୀମାନେ ମୋ’ ଦେଇ ଲଜ୍ଜିତ ନ ହେଉନ୍ତୁ;

ହେ ଇସ୍ରାଏଲର ପରମେଶ୍ୱର, ତୁମ୍ଭର ଅନ୍ୱେଷଣକାରୀମାନେ ମୋ’ ଦେଇ ଅପମାନିତ ନ ହେଉନ୍ତୁ।

7କାରଣ ତୁମ୍ଭ ସକାଶୁ ମୁଁ ନିନ୍ଦା ସହ୍ୟ କରିଅଛି।

ଲଜ୍ଜା ମୋ’ ମୁଖ ଆଚ୍ଛାଦନ କରିଅଛି।

8ମୁଁ ଆପଣା ଭ୍ରାତୃଗଣ ପ୍ରତି ଅଜଣା ଓ

ମାତୃସନ୍ତାନଗଣ ପ୍ରତି ବିଦେଶୀ ହୋଇଅଛି।

9କାରଣ ତୁମ୍ଭ ଗୃହବିଷୟକ ଉଦ୍‍ଯୋଗ ମୋତେ ଗ୍ରାସ କରିଅଛି।

ପୁଣି, ତୁମ୍ଭଙ୍କୁ ନିନ୍ଦା କରିବା ଲୋକମାନଙ୍କ ନିନ୍ଦା ମୋ’ ଉପରେ ପଡ଼ିଅଛି।

10ମୁଁ ରୋଦନ କଲେ ଓ ଉପବାସ ଦ୍ୱାରା ଆପଣା ପ୍ରାଣକୁ କ୍ଳେଶ ଦେଲେ,

ତାହା ମୋ’ ନିନ୍ଦାର ବିଷୟ ହେଲା।

11ମୁଁ ଚଟବସ୍ତ୍ରକୁ ଆପଣାର ପରିଧେୟ କଲେ,

ସେମାନଙ୍କ ନିକଟରେ ପ୍ରବାଦ ସ୍ୱରୂପ ହେଲି।

12ନଗର-ଦ୍ୱାରରେ ବସିବା ଲୋକମାନେ ମୋ’ ବିଷୟରେ ଗଳ୍ପ କରନ୍ତି

ଓ ମୁଁ ମତ୍ତ ଲୋକମାନଙ୍କର ଗୀତ ସ୍ୱରୂପ ହୋଇଅଛି।

13ମାତ୍ର ହେ ସଦାପ୍ରଭୁ, ଗ୍ରାହ୍ୟ ସମୟରେ ମୋହର ପ୍ରାର୍ଥନା ତୁମ୍ଭଠାରେ ଅଛି;

ହେ ପରମେଶ୍ୱର, ତୁମ୍ଭ ଦୟାର ବାହୁଲ୍ୟରେ, ତୁମ୍ଭ ପରିତ୍ରାଣର ସତ୍ୟତାନୁସାରେ ମୋତେ ଉତ୍ତର ଦିଅ।

14ପଙ୍କରୁ ମୋତେ ଉଦ୍ଧାର କର ଓ ମୋତେ ମଗ୍ନ ହେବାକୁ ଦିଅ ନାହିଁ;

ମୁଁ ଆପଣା ଘୃଣାକାରୀମାନଙ୍କଠାରୁ ଓ ଗଭୀର ଜଳରାଶିରୁ ଉଦ୍ଧାର ପ୍ରାପ୍ତ ହୁଏ।

15ଜଳପ୍ଲାବନ ମୋତେ ମଗ୍ନ ନ କରୁ,

କିଅବା ଗଭୀର ଜଳ ମୋତେ ଗ୍ରାସ ନ କରୁ;

ପୁଣି, ଗର୍ତ୍ତ ମୋ’ ଉପରେ ଆପଣା ମୁଖ ବନ୍ଦ ନ କରୁ।

16ହେ ସଦାପ୍ରଭୁ, ମୋତେ ଉତ୍ତର ଦିଅ; କାରଣ

ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଉତ୍ତମ;

ତୁମ୍ଭ କୃପାର ବାହୁଲ୍ୟାନୁସାରେ ମୋ’ ପ୍ରତି ଫେର।

17ଆଉ, ତୁମ୍ଭ ଦାସଠାରୁ ଆପଣା ମୁଖ ଲୁଚାଅ ନାହିଁ;

କାରଣ ମୁଁ ସଙ୍କଟରେ ଅଛି; ଶୀଘ୍ର ମୋତେ ଉତ୍ତର ଦିଅ।

18ମୋ’ ପ୍ରାଣର ନିକଟବର୍ତ୍ତୀ ହୋଇ ତାହାକୁ ମୁକ୍ତ କର;

ମୋ’ ଶତ୍ରୁଗଣ ସକାଶୁ ମୋତେ ମୂଲ୍ୟରେ ମୁକ୍ତ କର।

19ତୁମ୍ଭେ ମୋହର ନିନ୍ଦା ଓ ମୋହର ଲଜ୍ଜା ଓ ମୋହର ଅପମାନ ଜାଣୁଅଛ;

ମୋହର ବିପକ୍ଷ ସମସ୍ତେ ତୁମ୍ଭ ସମ୍ମୁଖରେ ଅଛନ୍ତି।

20ନିନ୍ଦା ମୋହର ହୃଦୟ ଭଗ୍ନ କରିଅଛି ଓ ମୁଁ ସମ୍ପୂର୍ଣ୍ଣ ଭାରାକ୍ରାନ୍ତ ହୋଇଅଛି;

ପୁଣି, କେହି ଦୟା କରିବ ବୋଲି ମୁଁ ଅପେକ୍ଷା କଲି, ମାତ୍ର କେହି ନ ଥିଲା

ଓ ସାନ୍ତ୍ୱନାକାରୀମାନଙ୍କର ଅପେକ୍ଷା କଲି, ମାତ୍ର କାହାକୁ ପାଇଲି ନାହିଁ।

21ଆହୁରି, ସେମାନେ ଖାଦ୍ୟ ନିମନ୍ତେ ମୋତେ ବିଷମୟ ଦ୍ରବ୍ୟ ଦେଲେ

ଓ ମୋହର ତୃଷା ସମୟରେ ପାନ କରିବା ପାଇଁ ମୋତେ ଅମ୍ଳରସ ଦେଲେ।

22ସେମାନଙ୍କ ମେଜ ସେମାନଙ୍କ ସମ୍ମୁଖରେ ଫାନ୍ଦ ସ୍ୱରୂପ

ଓ ସେମାନେ ଶାନ୍ତିରେ ଥିବା ବେଳେ ତାହା ସେମାନଙ୍କର ଫାଶ ସ୍ୱରୂପ ହେଉ।

23ସେମାନେ ଯେପରି ଦେଖି ନ ପାରିବେ, ଏଥିପାଇଁ ସେମାନଙ୍କର ଚକ୍ଷୁ ଅନ୍ଧାରଗ୍ରସ୍ତ ହେଉ

ଓ ସେମାନଙ୍କ କଟିଦେଶକୁ ନିତ୍ୟ କମ୍ପଯୁକ୍ତ କର।

24ତୁମ୍ଭେ ସେମାନଙ୍କ ଉପରେ ଆପଣା କ୍ରୋଧ ଢାଳି ଦିଅ

ଓ ତୁମ୍ଭ କ୍ରୋଧର ପ୍ରଚଣ୍ଡତା ସେମାନଙ୍କୁ ଧରୁ।

25ସେମାନଙ୍କର ବସତି-ସ୍ଥାନ ଶୂନ୍ୟ ହେଉ;

ସେମାନଙ୍କ ତମ୍ବୁରେ କେହି ବାସ ନ କରୁ।

26କାରଣ ସେମାନେ ତୁମ୍ଭର ପ୍ରହାରିତ ବ୍ୟକ୍ତିଙ୍କୁ ତାଡ଼ନା କରନ୍ତି

ଓ ତୁମ୍ଭ ଆହତ ଲୋକମାନଙ୍କ ଦୁଃଖ ବର୍ଣ୍ଣନା କରନ୍ତି।

27ସେମାନଙ୍କ ଅପରାଧରେ ଅପରାଧ ଯୋଗ କର

ଓ ସେମାନେ ତୁମ୍ଭ ଧାର୍ମିକତାର ଅଂଶୀ ନ ହେଉନ୍ତୁ।

28ଜୀବନ-ପୁସ୍ତକରୁ ସେମାନଙ୍କ ନାମ ଲୁପ୍ତ ହେଉ

ଓ ଧାର୍ମିକମାନଙ୍କ ସହିତ ଲେଖା ନ ଯାଉ।

29ମାତ୍ର ମୁଁ ଦୁଃଖୀ ଓ ଶୋକାକୁଳ ଅଟେ;

ହେ ପରମେଶ୍ୱର, ତୁମ୍ଭର ପରିତ୍ରାଣ ମୋତେ ଉଚ୍ଚରେ ସ୍ଥାପନ କରୁ।

30ମୁଁ ଗୀତରେ ପରମେଶ୍ୱରଙ୍କ ନାମର ପ୍ରଶଂସା କରିବି

ଓ ଧନ୍ୟବାଦ ଦେଇ ତାହାଙ୍କର ଗୌରବ କରିବି।

31ପୁଣି, ତାହା ଗୋରୁ ଅବା ଶୃଙ୍ଗ ଓ

ଖୁରାଯୁକ୍ତ ବୃଷ ଅପେକ୍ଷା ସଦାପ୍ରଭୁଙ୍କର ତୁଷ୍ଟିକର ହେବ।

32ନମ୍ର ଲୋକମାନେ ତାହା ଦେଖି ଆନନ୍ଦିତ ଅଛନ୍ତି;

ହେ ପରମେଶ୍ୱରଙ୍କ ଅନ୍ୱେଷଣକାରୀଗଣ, ତୁମ୍ଭମାନଙ୍କ ଅନ୍ତଃକରଣ ସଜୀବ ହେଉ।

33କାରଣ ସଦାପ୍ରଭୁ ଦୀନହୀନମାନଙ୍କ କଥା ଶୁଣନ୍ତି

ଓ ଆପଣା ବନ୍ଦୀମାନଙ୍କୁ ତୁଚ୍ଛ କରନ୍ତି ନାହିଁ।

34ଆକାଶ ଓ ପୃଥିବୀ,

ସମୁଦ୍ର ଓ ତନ୍ମଧ୍ୟସ୍ଥ ସକଳ ଜଙ୍ଗମ ତାହାଙ୍କର ପ୍ରଶଂସା କରନ୍ତୁ।

35କାରଣ ପରମେଶ୍ୱର ସିୟୋନକୁ ପରିତ୍ରାଣ କରିବେ ଓ ଯିହୁଦାର ନଗରସବୁ ନିର୍ମାଣ କରିବେ;

ପୁଣି, ଲୋକମାନେ ସେଠାରେ ବାସ କରି ତାହା ଅଧିକାର କରିବେ।

36ଆହୁରି, ତାହାଙ୍କ ଦାସମାନଙ୍କ ବଂଶ ତାହା ଭୋଗ କରିବେ;

ଆଉ, ତାହାଙ୍କ ନାମର ସ୍ନେହକାରୀଗଣ ତହିଁ ମଧ୍ୟରେ ବାସ କରିବେ।

70

ସାହାଯ୍ୟ ପାଇଁ ପ୍ରାର୍ଥନା

ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ; ସ୍ମରଣୋପାୟ।

1ହେ ପରମେଶ୍ୱର, ମୋତେ ଉଦ୍ଧାର କରିବା ପାଇଁ ସତ୍ୱର ହୁଅ;

ହେ ସଦାପ୍ରଭୁ, ମୋହର ସାହାଯ୍ୟ କରିବା ପାଇଁ ସତ୍ୱର ହୁଅ।

2ମୋହର ପ୍ରାଣ ଅନ୍ୱେଷଣକାରୀମାନେ ଲଜ୍ଜିତ ଓ ହତାଶ ହେଉନ୍ତୁ;

ମୋ’ କ୍ଷତିରେ ସନ୍ତୁଷ୍ଟ ଲୋକମାନେ ପଛକୁ ଫେରି ଯାଇ ଅପମାନିତ ହେଉନ୍ତୁ।

3ଯେଉଁମାନେ “ହଁ, ହଁ” ବୋଲି କହନ୍ତି,

ସେମାନେ ଆପଣା ଆପଣା ଲଜ୍ଜା ସକାଶୁ ଫେରି ଯାଉନ୍ତୁ।

4ଯେଉଁମାନେ ତୁମ୍ଭର ଅନ୍ୱେଷଣ କରନ୍ତି, ସେସମସ୍ତେ ତୁମ୍ଭଠାରେ ଉଲ୍ଲସିତ ଓ ଆନନ୍ଦିତ ହେଉନ୍ତୁ;

ପୁଣି, ଯେଉଁମାନେ ତୁମ୍ଭ ପରିତ୍ରାଣକୁ ସ୍ନେହ କରନ୍ତି,

“ସେମାନେ ପରମେଶ୍ୱର ମହିମାନ୍ୱିତ ହେଉନ୍ତୁ” ବୋଲି ନିରନ୍ତର କହୁନ୍ତୁ,

5ମାତ୍ର ମୁଁ ଦରିଦ୍ର ଓ ଦୀନହୀନ;

ହେ ପରମେଶ୍ୱର, ମୋ’ ପକ୍ଷରେ ସତ୍ୱର ହୁଅ;

ତୁମ୍ଭେ ମୋହର ସହାୟ ଓ ଉଦ୍ଧାରକର୍ତ୍ତା ଅଟ;

ହେ ସଦାପ୍ରଭୁ, ବିଳମ୍ବ କର ନାହିଁ।

71

ଜଣେ ବୃଦ୍ଧର ପ୍ରାର୍ଥନା

1ହେ ସଦାପ୍ରଭୁ, ମୁଁ ତୁମ୍ଭଠାରେ ଶରଣ ନେଇଅଛି;

ମୋତେ କେବେ ଲଜ୍ଜିତ ହେବାକୁ ଦିଅ ନାହିଁ।

2ତୁମ୍ଭ ଧର୍ମଗୁଣରେ ମୋତେ ଉଦ୍ଧାର କରି ରକ୍ଷା କର;

ମୋ’ ପ୍ରତି ଆପଣା କର୍ଣ୍ଣ ଡେରି ମୋତେ ତ୍ରାଣ କର।

3ଯେଉଁଠାକୁ ମୁଁ ନିତ୍ୟ ଯାଇପାରେ, ତୁମ୍ଭେ ମୋ’ ପ୍ରତି ସେରୂପ ବସତିର ଶୈଳ ସ୍ୱରୂପ ହୁଅ;

ତୁମ୍ଭେ ମୋତେ ପରିତ୍ରାଣ କରିବା ପାଇଁ ଆଜ୍ଞା ଦେଇଅଛ;

କାରଣ ତୁମ୍ଭେ ମୋହର ଶୈଳ ଓ ମୋହର ଦୁର୍ଗ।

4ହେ ମୋହର ପରମେଶ୍ୱର, ଦୁଷ୍ଟଲୋକ ହସ୍ତରୁ,

ଅନ୍ୟାୟକାରୀ ଓ ନିର୍ଦ୍ଦୟ ଲୋକ ହସ୍ତରୁ ମୋତେ ରକ୍ଷା କର।

5କାରଣ ହେ ପ୍ରଭୁ, ସଦାପ୍ରଭୁ, ତୁମ୍ଭେ ହିଁ ମୋହର ଭରସା;

ମୋ’ ବାଲ୍ୟକାଳରୁ ତୁମ୍ଭେ ମୋହର ବିଶ୍ୱାସଭୂମି।

6ଗର୍ଭରୁ ତୁମ୍ଭ ଉପରେ ମୋହର ଭାର ଅଛି;

ମାତାର ଉଦରରୁ ତୁମ୍ଭେ ହିଁ ମୋତେ ନେଇଅଛ;

ତୁମ୍ଭ ବିଷୟରେ ନିତ୍ୟ ମୋହର ପ୍ରଶଂସା ହେବ।

7ମୁଁ ଅନେକଙ୍କ ପ୍ରତି ଆଶ୍ଚର୍ଯ୍ୟ ବିଷୟ ସ୍ୱରୂପ;

ମାତ୍ର ତୁମ୍ଭେ ମୋହର ଦୃଢ଼ ଆଶ୍ରୟ।

8ମୋହର ମୁଖ ତୁମ୍ଭ ପ୍ରଶଂସାରେ ଓ

ସାରାଦିନ ତୁମ୍ଭ ଗୌରବ ବର୍ଣ୍ଣନାରେ ପରିପୂର୍ଣ୍ଣ ହେବ।

9ବୃଦ୍ଧାବସ୍ଥାରେ ମୋତେ ପରିତ୍ୟାଗ କର ନାହିଁ;

ମୋହର ବଳ କ୍ଷୀଣ ହେବା ସମୟରେ ମୋତେ ଛାଡ଼ ନାହିଁ।

10କାରଣ ମୋହର ଶତ୍ରୁଗଣ ମୋ’ ବିଷୟରେ କଥା କହନ୍ତି

ଓ ମୋ’ ପ୍ରାଣ ପାଇଁ ଜଗିବା ଲୋକମାନେ ଏକତ୍ର ମନ୍ତ୍ରଣା କରି କହନ୍ତି ଯେ,

11“ପରମେଶ୍ୱର ତାହାକୁ ପରିତ୍ୟାଗ କରିଅଛନ୍ତି, ପଛେ

ପଛେ ଗୋଡ଼ାଇ ତାହାକୁ ଧର; କାରଣ ଉଦ୍ଧାର କରିବାକୁ କେହି ନାହିଁ।”

12ହେ ପରମେଶ୍ୱର, ମୋ’ଠାରୁ ଦୂରବର୍ତ୍ତୀ ହୁଅ ନାହିଁ;

ହେ ମୋହର ପରମେଶ୍ୱର, ମୋହର ସାହାଯ୍ୟ କରିବାକୁ ସତ୍ୱର ହୁଅ।

13ମୋ’ ପ୍ରାଣର ବିପକ୍ଷମାନେ ଲଜ୍ଜିତ ଓ ଉଚ୍ଛିନ୍ନ ହେଉନ୍ତୁ;

ଯେଉଁମାନେ ମୋହର କ୍ଷତି ଚେଷ୍ଟା କରନ୍ତି, ସେମାନେ ନିନ୍ଦା ଓ ଅପମାନରେ ଆଚ୍ଛନ୍ନ ହେଉନ୍ତୁ।

14ମାତ୍ର ମୁଁ ନିରନ୍ତର ଭରସା କରିବି,

ପୁଣି, ଆହୁରି ଆହୁରି ତୁମ୍ଭର ପ୍ରଶଂସା କରିବି।

15ମୋହର ମୁଖ ସାରାଦିନ ତୁମ୍ଭର ଧର୍ମ ଓ

ତୁମ୍ଭର ପରିତ୍ରାଣ ବର୍ଣ୍ଣନା କରିବ;

କାରଣ ମୁଁ ତହିଁର ସଂଖ୍ୟା ଜାଣେ ନାହିଁ।

16ମୁଁ ପ୍ରଭୁ, ସଦାପ୍ରଭୁଙ୍କ ପରାକ୍ରମର ସକଳ କ୍ରିୟା ସହିତ ଉପସ୍ଥିତ ହେବି।

ମୁଁ ତୁମ୍ଭର, କେବଳ ତୁମ୍ଭର ଧର୍ମ ବିଷୟ ବର୍ଣ୍ଣନା କରିବି।

17ହେ ପରମେଶ୍ୱର, ତୁମ୍ଭେ ମୋତେ ବାଲ୍ୟକାଳଠାରୁ ଶିକ୍ଷା ଦେଇ ଆସୁଅଛ;

ପୁଣି, ମୁଁ ଏପର୍ଯ୍ୟନ୍ତ ତୁମ୍ଭର ଆଶ୍ଚର୍ଯ୍ୟ କ୍ରିୟାସବୁ ପ୍ରଚାର କରିଅଛି।

18ହେ ପରମେଶ୍ୱର, ମୁଁ ଆସନ୍ତା ପିଢ଼ି ନିକଟରେ ତୁମ୍ଭର ବାହୁବଳ,

ପ୍ରତ୍ୟେକ ଭବିଷ୍ୟତ ଲୋକଙ୍କ ନିକଟରେ ତୁମ୍ଭର ପରାକ୍ରମ ପ୍ରଚାର କରିବା ପର୍ଯ୍ୟନ୍ତ,

ବୃଦ୍ଧ ଓ ପକ୍ୱକେଶ ହେବା ସମୟରେ ହେଁ ମୋତେ ପରିତ୍ୟାଗ କର ନାହିଁ।

19ହେ ପରମେଶ୍ୱର, ମହତ କାର୍ଯ୍ୟମାନ ସାଧନ କରିଅଛ ଯେ ତୁମ୍ଭେ,

ତୁମ୍ଭର ଧର୍ମ ଅତି ଉଚ୍ଚ; ହେ ପରମେଶ୍ୱର, ତୁମ୍ଭ ତୁଲ୍ୟ କିଏ ଅଛି ?

20ଆମ୍ଭମାନଙ୍କୁ ଅନେକ ଓ ଦାରୁଣ କ୍ଳେଶ ଦେଖାଇଅଛ ଯେ ତୁମ୍ଭେ,

ତୁମ୍ଭେ ଆମ୍ଭମାନଙ୍କୁ ପୁନର୍ବାର ସଜୀବ କରିବ

ଓ ପୃଥିବୀର ଗଭୀର ସ୍ଥାନରୁ ପୁନର୍ବାର ଉଠାଇ ଆଣିବ।

21ତୁମ୍ଭେ ମୋହର ମହତ୍ତ୍ୱ ବଢ଼ାଅ ଓ

ଫେରି ମୋତେ ସାନ୍ତ୍ୱନା ଦିଅ।

22ହେ ମୋହର ପରମେଶ୍ୱର, ମୁଁ ନେବଲ ଯନ୍ତ୍ରରେ, ମଧ୍ୟ ତୁମ୍ଭର,

ଅର୍ଥାତ୍‍, ତୁମ୍ଭ ସତ୍ୟତାର ପ୍ରଶଂସା କରିବି;

ହେ ଇସ୍ରାଏଲର ଧର୍ମସ୍ୱରୂପ,

ମୁଁ ବୀଣା ଯନ୍ତ୍ରରେ ତୁମ୍ଭ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି।

23ତୁମ୍ଭ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବା ବେଳେ ମୋହର ଓଷ୍ଠାଧର

ଓ ତୁମ୍ଭ ଦ୍ୱାରା ମୁକ୍ତ ମୋହର ପ୍ରାଣ ଅତିଶୟ ଆହ୍ଲାଦ କରିବ।

24ମୋହର ଜିହ୍ୱା ମଧ୍ୟ ସାରାଦିନ ତୁମ୍ଭ ଧର୍ମ ବିଷୟ କହିବ;

କାରଣ ମୋହର ଅନିଷ୍ଟ ଚେଷ୍ଟାକାରୀମାନେ ଲଜ୍ଜିତ ଓ ହତାଶ ହୋଇଅଛନ୍ତି।

72

ରାଜାଙ୍କ ପାଇଁ ପ୍ରାର୍ଥନା

ଶଲୋମନଙ୍କର ଗୀତ।

1ହେ ପରମେଶ୍ୱର, ରାଜାଙ୍କୁ ତୁମ୍ଭର ଶାସନ

ଓ ରାଜପୁତ୍ରଙ୍କୁ ତୁମ୍ଭର ଧର୍ମ ପ୍ରଦାନ କର।

2ସେ ଧର୍ମରେ ତୁମ୍ଭ ଲୋକମାନଙ୍କର ଓ

ନ୍ୟାୟରେ ତୁମ୍ଭ ଦୁଃଖୀ ଲୋକଙ୍କର ବିଚାର କରିବେ।

3ଧର୍ମ ଦ୍ୱାରା ପର୍ବତଗଣ ଓ

ଉପପର୍ବତଗଣ ଲୋକମାନଙ୍କର ଶାନ୍ତି ଉତ୍ପନ୍ନ କରିବେ।

4ସେ ଲୋକମାନଙ୍କ ମଧ୍ୟରୁ ଦୁଃଖୀମାନଙ୍କର ବିଚାର କରିବେ,

ସେ ଦୀନହୀନମାନଙ୍କର ସନ୍ତାନମାନଙ୍କୁ ଉଦ୍ଧାର କରିବେ

ଓ ଉପଦ୍ରବକାରୀକୁ ଚୂର୍ଣ୍ଣ କରିବେ।

5ସୂର୍ଯ୍ୟ ଓ ଚନ୍ଦ୍ର ଥିବାଯାଏ ପୁରୁଷାନୁକ୍ରମେ

ଲୋକମାନେ ତୁମ୍ଭଙ୍କୁ ଭୟ କରିବେ।

6କଟାଘାସରେ ବୃଷ୍ଟି ତୁଲ୍ୟ ଓ

ଭୂମି-ସେଚନକାରୀ ଜଳଧାରା ତୁଲ୍ୟ ସେ ଓହ୍ଲାଇ ଆସିବେ।

7ତାହାଙ୍କ ସମୟରେ ଧାର୍ମିକମାନେ72:7 ଧାର୍ମିକମାନେ କିମ୍ବା ଧାର୍ମିକତା ବର୍ଦ୍ଧିଷ୍ଣୁ ହେବେ;

ପୁଣି, ଚନ୍ଦ୍ର ଲୁପ୍ତ ନୋହିବା ପର୍ଯ୍ୟନ୍ତ ପ୍ରଚୁର ଶାନ୍ତି ହେବ।

8ମଧ୍ୟ ସେ ଏକ ସମୁଦ୍ରଠାରୁ ଅନ୍ୟ ସମୁଦ୍ର ପର୍ଯ୍ୟନ୍ତ ଓ

ନଦୀଠାରୁ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ କର୍ତ୍ତୃତ୍ୱ କରିବେ।

9ମରୁଭୂମି-ନିବାସୀ ଲୋକମାନେ ତାହାଙ୍କ ସମ୍ମୁଖରେ ନତ ହେବେ

ଓ ତାହାଙ୍କ ଶତ୍ରୁଗଣ ଧୂଳି ଚାଟିବେ।

10ତର୍ଶୀଶର ଓ ଦ୍ୱୀପସମୂହର ରାଜାଗଣ ଦର୍ଶନୀ ଆଣିବେ;

ଶିବାର ଓ ସବାର ରାଜାଗଣ ଭେଟୀ ଦାନ କରିବେ।

11ହଁ, ସବୁ ରାଜାମାନେ ତାହାଙ୍କ ଛାମୁରେ ପ୍ରଣାମ କରିବେ;

ସବୁ ଗୋଷ୍ଠୀମାନେ ତାହାଙ୍କର ସେବା କରିବେ।

12କାରଣ ସେ ଆର୍ତ୍ତନାଦକାରୀ ଦୀନହୀନକୁ ଓ

ଅସହାୟ ଦରିଦ୍ରକୁ ଉଦ୍ଧାର କରିବେ।

13ସେ ଦରିଦ୍ର ଓ ଦୀନହୀନ ପ୍ରତି ଦୟା କରିବେ

ଓ ସେ ଦୀନହୀନମାନଙ୍କର ପ୍ରାଣ ଉଦ୍ଧାର କରିବେ।

14ସେ ଉପଦ୍ରବ ଓ ଦୌରାତ୍ମ୍ୟରୁ ସେମାନଙ୍କର ପ୍ରାଣ ମୁକ୍ତ କରିବେ;

ପୁଣି, ତାହାଙ୍କ ଦୃଷ୍ଟିରେ ସେମାନଙ୍କ ଜୀବନ72:14 ଜୀବନ ରକ୍ତ ବହୁମୂଲ୍ୟ ହେବ।

15ଆଉ, ସେମାନେ ଜୀବିତ ରହିବେ ଓ ତାହାଙ୍କୁ ଶିବାର ସୁବର୍ଣ୍ଣ ଦତ୍ତ ହେବ;

ଲୋକମାନେ ନିରନ୍ତର ତାହାଙ୍କ ପାଇଁ ପ୍ରାର୍ଥନା କରିବେ।

ସେମାନେ ସାରାଦିନ ତାହାଙ୍କର ଧନ୍ୟବାଦ କରିବେ।

16ଦେଶ ମଧ୍ୟରେ ପର୍ବତଗଣର ଶିଖରରେ ପ୍ରଚୁର ଶସ୍ୟ ହେବ;

ତହିଁର ଫଳ ଲିବାନୋନ ତୁଲ୍ୟ ହଲିବ;

ପୁଣି, ନଗରବାସୀମାନେ ପୃଥିବୀର ତୃଣ ତୁଲ୍ୟ ବର୍ଦ୍ଧିଷ୍ଣୁ ହେବେ।

17ତାହାଙ୍କ ନାମ ଅନନ୍ତକାଳ ରହିବ;

ଯେପର୍ଯ୍ୟନ୍ତ ସୂର୍ଯ୍ୟ ଥାଏ, ସେପର୍ଯ୍ୟନ୍ତ ତାହାଙ୍କ ନାମ ସତେଜ ରହିବ;

ଆଉ, ମନୁଷ୍ୟମାନେ ତାହାଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେବେ;

ସବୁ ଗୋଷ୍ଠୀୟ ଲୋକେ ତାହାଙ୍କୁ ଧନ୍ୟ କହିବେ।

18ସଦାପ୍ରଭୁ ପରମେଶ୍ୱର, ଇସ୍ରାଏଲର ପରମେଶ୍ୱର ଧନ୍ୟ ହେଉନ୍ତୁ,

କେବଳ ସେ ଆଶ୍ଚର୍ଯ୍ୟ କର୍ମ କରନ୍ତି;

19ପୁଣି, ତାହାଙ୍କର ଗୌରବାନ୍ୱିତ ନାମ ଅନନ୍ତକାଳ ଧନ୍ୟ ହେଉ

ଓ ତାହାଙ୍କ ଗୌରବରେ ସମୁଦାୟ ପୃଥିବୀ ପରିପୂର୍ଣ୍ଣ ହେଉ।

ଆମେନ୍‍, ଆମେନ୍‍।

20ଯିଶୀର ପୁତ୍ର ଦାଉଦଙ୍କର ପ୍ରାର୍ଥନାସକଳ ସମାପ୍ତ।

73

ତୃତୀୟ ଖଣ୍ଡ

୭୩:୧—୮୯:୫୨

ପରମେଶ୍ୱରଙ୍କ ନ୍ୟାୟ ବିଚାର

ଆସଫର ଗୀତ।

1ପରମେଶ୍ୱର ଇସ୍ରାଏଲ ପ୍ରତି,

ନିର୍ମଳାନ୍ତଃକରଣ ଲୋକଙ୍କ ପ୍ରତି ନିଶ୍ଚୟ ମଙ୍ଗଳ ସ୍ୱରୂପ ଅଟନ୍ତି।

2ମାତ୍ର ମୋହର ଚରଣ ପ୍ରାୟ ଟଳିଗଲା;

ମୋହର ପାଦବିକ୍ଷେପ ପ୍ରାୟ ଖସିଗଲା।

3କାରଣ ମୁଁ ଦୁଷ୍ଟମାନଙ୍କର ସମୃଦ୍ଧି ଦେଖି

ଦାମ୍ଭିକମାନଙ୍କ ପ୍ରତି ଈର୍ଷାନ୍ୱିତ ହେଲି।

4ଯେହେତୁ ସେମାନଙ୍କ ମରଣରେ କୌଣସି ବନ୍ଧନ ନାହିଁ;

ମାତ୍ର ସେମାନଙ୍କ ବଳ ଦୃଢ଼ ଥାଏ।

5ସେମାନେ ଅନ୍ୟ ଲୋକଙ୍କ ପରି କଷ୍ଟରେ ପଡ଼ନ୍ତି ନାହିଁ;

କିଅବା ଅନ୍ୟ ମନୁଷ୍ୟମାନଙ୍କ ପରି ସେମାନେ ଆଘାତ ପ୍ରାପ୍ତ ହୁଅନ୍ତି ନାହିଁ।

6ଏହେତୁ ଅହଙ୍କାର ସେମାନଙ୍କ ଗଳାର ହାର ସ୍ୱରୂପ ହୁଏ;

ଦୌରାତ୍ମ୍ୟ ବସ୍ତ୍ର ପରି ସେମାନଙ୍କୁ ଆଚ୍ଛାଦନ କରେ।

7ମେଦରେ ସେମାନଙ୍କ ଚକ୍ଷୁ ବାହାରି ଉଠେ;

ମନର ବାଞ୍ଛା ଅପେକ୍ଷା ସେମାନେ ଅଧିକ ପ୍ରାପ୍ତ ହୁଅନ୍ତି।

8ସେମାନେ ଟାହୁଲି କରନ୍ତି ଓ ଦୁଷ୍ଟତାରେ ଦୌରାତ୍ମ୍ୟ ଉଚ୍ଚାରଣ କରନ୍ତି;

ସେମାନେ ଦମ୍ଭ କଥା କହନ୍ତି।

9ସେମାନେ ଆକାଶରେ ଆପଣା ଆପଣା ମୁଖ ରଖିଅଛନ୍ତି

ଓ ସେମାନଙ୍କ ଜିହ୍ୱା ପୃଥିବୀରେ ଭ୍ରମଣ କରେ।

10ଏହେତୁ ତାହାର ଲୋକମାନେ ସେଆଡ଼େ ଫେରନ୍ତି;

ପୁଣି, ପୂର୍ଣ୍ଣ ପାନପାତ୍ରର ଜଳସବୁ ସେମାନଙ୍କ ଦ୍ୱାରା ନିଗିଡ଼ାଯାଏ।

11ଆଉ, ସେମାନେ କହନ୍ତି, “ପରମେଶ୍ୱର କିପରି ଜାଣିବେ ?”

ଓ ସର୍ବୋପରିସ୍ଥଙ୍କର କି ଜ୍ଞାନ ଅଛି ?

12ଦେଖ, ଏମାନେ ଦୁଷ୍ଟଲୋକ;

ପୁଣି, ସେମାନେ ସର୍ବଦା ନିର୍ବିଘ୍ନରେ ଥାଇ ଧନ ବୃଦ୍ଧି କରନ୍ତି।

13ନିଶ୍ଚୟ ମୁଁ ବ୍ୟର୍ଥରେ ଆପଣା ଅନ୍ତଃକରଣ ଶୁଚି କରିଅଛି

ଓ ନିର୍ଦ୍ଦୋଷତାରେ ଆପଣା ହସ୍ତ ପ୍ରକ୍ଷାଳନ କରିଅଛି;

14କାରଣ ମୁଁ ଦିନସାରା ଆଘାତ ଓ

ପ୍ରତି ପ୍ରଭାତ ଶାସ୍ତି ପ୍ରାପ୍ତ ହୋଇଅଛି।

15ଏରୂପ କହିବି ବୋଲି ଯଦି ମୁଁ କହିଥା’ନ୍ତି

ତେବେ ଦେଖ, ମୁଁ ତୁମ୍ଭ ସନ୍ତାନଗଣର ବଂଶ ପ୍ରତି ବିଶ୍ୱାସଘାତକତା କରିଥା’ନ୍ତି।

16ମୁଁ ତାହା କିରୂପେ ଜାଣିବି ବୋଲି ଭାବନା କଲା ବେଳେ

ମୋ’ ପ୍ରତି ତାହା ଅତି କଷ୍ଟକର ହେଲା;

17ଶେଷରେ ମୁଁ ପରମେଶ୍ୱରଙ୍କ ଧର୍ମଧାମକୁ ଗଲି ଓ

ସେମାନଙ୍କର ଶେଷଫଳ ବିବେଚନା କଲି।

18ନିଶ୍ଚୟ ତୁମ୍ଭେ ସେମାନଙ୍କୁ ଖସଡ଼ା ସ୍ଥାନରେ ରଖୁଅଛ;

ତୁମ୍ଭେ ସେମାନଙ୍କୁ ସର୍ବନାଶରେ ପକାଉଅଛ।

19ସେମାନେ ଏକ ନିମିଷରେ କିପରି ଉଚ୍ଛିନ୍ନ ହୁଅନ୍ତି !

ନାନା ତ୍ରାସରେ ସେମାନେ ନିଃଶେଷ ରୂପେ ସଂହାରିତ ହୁଅନ୍ତି।

20ନିଦ୍ରାରୁ ଜାଗ୍ରତ ହେଲା ଉତ୍ତାରେ ଯେପରି ସ୍ୱପ୍ନ,

ସେପରି, ହେ ପ୍ରଭୁ, ତୁମ୍ଭେ ଜାଗ୍ରତ ହେଲେ, ସେମାନଙ୍କ ମୂର୍ତ୍ତିକୁ ତୁଚ୍ଛଜ୍ଞାନ କରିବ।

21ମୋହର ହୃଦୟ ଦୁଃଖିତ ହୋଇଥିଲା ଓ

ମୋହର ମର୍ମ ବିଦ୍ଧ ହୋଇଥିଲା।

22ମୁଁ ଏଡ଼େ ମୂର୍ଖ ଓ ଅଜ୍ଞାନ,

ମୁଁ ତୁମ୍ଭ ସାକ୍ଷାତରେ ପଶୁ ପରି ଥିଲି।

23ତଥାପି ମୁଁ ତୁମ୍ଭ ସଙ୍ଗେ ସଙ୍ଗେ ନିରନ୍ତର ଅଛି;

ତୁମ୍ଭେ ମୋହର ଦକ୍ଷିଣ ହସ୍ତ ଧରିଅଛ।

24ତୁମ୍ଭେ ନିଜ ମନ୍ତ୍ରଣାରେ ମୋତେ ପଥ ଦେଖାଇବ

ଓ ଶେଷରେ ତୁମ୍ଭେ ମୋତେ ଗୌରବରେ ଗ୍ରହଣ କରିବ।

25ସ୍ୱର୍ଗରେ ତୁମ୍ଭ ବିନା ମୋହର ଆଉ କିଏ ଅଛି ? ଓ

ଭୂମଣ୍ଡଳରେ ତୁମ୍ଭ ଛଡ଼ା ଆଉ କାହାକୁ ମୁଁ ବାଞ୍ଛା କରୁ ନାହିଁ।

26ମୋହର ମାଂସ ଓ ଚିତ୍ତ କ୍ଷୟ ପାଉଅଛି;

ମାତ୍ର ପରମେଶ୍ୱର ଅନନ୍ତକାଳ ମୋ’ ଚିତ୍ତର ବଳ73:26 ବଳ ଶୈଳ ଓ ମୋହର ବାଣ୍ଟ ସ୍ୱରୂପ ଅଟନ୍ତି।

27କାରଣ ଦେଖ, ତୁମ୍ଭଠାରୁ ଦୂରରେ ଥିବା ଲୋକମାନେ ବିନଷ୍ଟ ହେବେ;

ତୁମ୍ଭଙ୍କୁ ଛାଡ଼ି ବ୍ୟଭିଚାର କରିବା ଲୋକ ସମସ୍ତଙ୍କୁ ତୁମ୍ଭେ ଉଚ୍ଛିନ୍ନ କରିଅଛ।

28ମାତ୍ର ପରମେଶ୍ୱରଙ୍କର ନିକଟବର୍ତ୍ତୀ ହେବାର ମୋହର ମଙ୍ଗଳ;

ମୁଁ ତୁମ୍ଭର ସକଳ କର୍ମ ବର୍ଣ୍ଣନା କରିବା ପାଇଁ

ପ୍ରଭୁ ସଦାପ୍ରଭୁଙ୍କୁ ଆପଣାର ଆଶ୍ରୟ ସ୍ୱରୂପ କରିଅଛି।

74

ଜାତିର ମୁକ୍ତି ପାଇଁ ପ୍ରାର୍ଥନା

ଆସଫର ମସ୍କୀଲ୍‍।

1ହେ ପରମେଶ୍ୱର, ତୁମ୍ଭେ କାହିଁକି ଆମ୍ଭମାନଙ୍କୁ ସଦାକାଳ ପରିତ୍ୟାଗ କରିଅଛ ?

ତୁମ୍ଭ ଚରାସ୍ଥାନର ମେଷଗଣ ବିରୁଦ୍ଧରେ କାହିଁକି ତୁମ୍ଭ କ୍ରୋଧାନଳର ଧୂମ ଉଠୁଅଛି ?

2ପୂର୍ବକାଳରେ ଯାହାକୁ ତୁମ୍ଭେ କିଣିଅଛ,

ତୁମ୍ଭେ ଯାହାକୁ ଆପଣା ଅଧିକାରର ବଂଶ ହେବା ପାଇଁ ମୁକ୍ତ କରିଅଛ,

ତୁମ୍ଭର ସେହି ମଣ୍ଡଳୀକୁ ଓ ତୁମ୍ଭର ବାସସ୍ଥାନ ସିୟୋନ ପର୍ବତକୁ ସ୍ମରଣ କର।

3ଏହି ଚିରକାଳୀନ କାନ୍ଥଡ଼ା ଆଡ଼େ ଆପଣା ଚରଣ ପକାଅ,

ଶତ୍ରୁ ଧର୍ମଧାମରେ ସବୁ ନାଶ କରିଅଛି।

4ତୁମ୍ଭର ବିପକ୍ଷଗଣ ତୁମ୍ଭ ସମାଗମ-ସ୍ଥାନ ମଧ୍ୟରେ ଗର୍ଜ୍ଜନ କରିଅଛନ୍ତି;

ସେମାନେ ଚିହ୍ନ ନିମନ୍ତେ ଆପଣାମାନଙ୍କ ଧ୍ୱଜା ସ୍ଥାପନ କରିଅଛନ୍ତି।

5ନିବିଡ଼ ଅରଣ୍ୟରେ

କୁହ୍ରାଡ଼ି ଉଠାଇବା ଲୋକମାନଙ୍କ ପରି ସେମାନେ ଦେଖା ଗଲେ।

6ପୁଣି, ଏବେ ସେମାନେ ଟାଙ୍ଗିଆ ଓ ହାତୁଡ଼ି ଦ୍ୱାରା

ଏକାବେଳେ ତହିଁର ଖୋଦିତ କର୍ମସବୁ ଭାଙ୍ଗି ପକାନ୍ତି।

7ସେମାନେ ତୁମ୍ଭ ଧର୍ମଧାମରେ ଅଗ୍ନି ଲଗାଇ ଅଛନ୍ତି;

ସେମାନେ ତୁମ୍ଭ ନାମର ବାସସ୍ଥାନକୁ ଅଶୁଚି କରି ଭୂମିସାତ୍‍ କରିଅଛନ୍ତି।

8ସେମାନେ ମନେ ମନେ କହିଲେ, ଆମ୍ଭେମାନେ ଏକାବେଳେ ସେମାନଙ୍କୁ ଉଚ୍ଛିନ୍ନ କରୁ;

ସେମାନେ ଦେଶ ମଧ୍ୟରେ ପରମେଶ୍ୱରଙ୍କର ସକଳ ସମାଗମ-ସ୍ଥାନ ଦଗ୍ଧ କରିଅଛନ୍ତି।

9ଆମ୍ଭେମାନେ ନିଜ ଚିହ୍ନସବୁ ଦେଖୁ ନାହୁଁ;

କୌଣସି ଭବିଷ୍ୟଦ୍‍ବକ୍ତା ଆଉ ନାହିଁ;

କିଅବା ଏପରି କେତେ କାଳ ହେବ, ଏହା ଜାଣିବା ଲୋକ ଆମ୍ଭମାନଙ୍କ ମଧ୍ୟରେ କେହି ନାହିଁ।

10ହେ ପରମେଶ୍ୱର, ବିପକ୍ଷ କେତେ କାଳ ନିନ୍ଦା କରିବ ?

ଶତ୍ରୁ କି ସଦାକାଳ ତୁମ୍ଭ ନାମ ନିନ୍ଦା କରିବ ?

11ତୁମ୍ଭେ ଆପଣା ହସ୍ତ, ଆପଣା ଦକ୍ଷିଣ ହସ୍ତ କାହିଁକି ସଂକୋଚି ରଖୁଅଛ ?

ଆପଣା ବକ୍ଷଃସ୍ଥଳରୁ ତାହା ବାହାର କରି ସେମାନଙ୍କୁ ସଂହାର କର।

12ତଥାପି ପୃଥିବୀ ମଧ୍ୟରେ ପରିତ୍ରାଣ ସାଧନକାରୀ

ପରମେଶ୍ୱର ପୂର୍ବରୁ ଆମ୍ଭର ରାଜା ଅଟନ୍ତି।

13ତୁମ୍ଭେ ଆପଣା ପରାକ୍ରମରେ ସମୁଦ୍ରକୁ ଦୁଇ ଭାଗ କଲ;

ତୁମ୍ଭେ ଜଳରେ ନାଗଗଣର ମସ୍ତକ ଭାଙ୍ଗି ପକାଇଲ;

14ତୁମ୍ଭେ ଲିବିୟାଥନର74:14 ଲିବିୟାଥନର ଅର୍ଥାତ୍ ବୃହତ ଏକ ସର୍ପ ମସ୍ତକ ଖଣ୍ଡ ଖଣ୍ଡ କରି ଭାଙ୍ଗି ପକାଇଲ,

ତୁମ୍ଭେ ମରୁଭୂମିର ପଶୁମାନଙ୍କ74:14 ପଶୁମାନଙ୍କ ନିବାସୀମାନଙ୍କ ଖାଦ୍ୟ ନିମନ୍ତେ ତାହାକୁ ଦେଲ।

15ତୁମ୍ଭେ ନିର୍ଝର ଓ ପ୍ଲାବନକୁ ବିଭକ୍ତ କଲ;

ତୁମ୍ଭେ ମହାନଦୀସବୁ ଶୁଷ୍କ କଲ।

16ଦିବସ ତୁମ୍ଭର, ରାତ୍ରି ହିଁ ତୁମ୍ଭର;

ତୁମ୍ଭେ ଦୀପ୍ତି ଓ ସୂର୍ଯ୍ୟ ପ୍ରସ୍ତୁତ କରିଅଛ।

17ତୁମ୍ଭେ ପୃଥିବୀର ସମସ୍ତ ସୀମା ସ୍ଥାପନ କରିଅଛ;

ତୁମ୍ଭେ ଗ୍ରୀଷ୍ମକାଳ ଓ ଶୀତକାଳ ସୃଷ୍ଟି କରିଅଛ।

18ହେ ସଦାପ୍ରଭୁ, ଶତ୍ରୁ ଧିକ୍‍କାର କରିଅଛି ଓ

ମୂଢ଼ ଗୋଷ୍ଠୀୟମାନେ ତୁମ୍ଭ ନାମର ନିନ୍ଦା କରିଅଛନ୍ତି, ଏହା ସ୍ମରଣ କର।

19ତୁମ୍ଭ ଘୁଘୁର ପ୍ରାଣ ବନ୍ୟ ପଶୁକୁ ସମର୍ପଣ କର ନାହିଁ,

ଆପଣା ଦୁଃଖୀ ଲୋକର ପ୍ରାଣ ଚିରକାଳ ବିସ୍ମୃତ ହୁଅ ନାହିଁ।

20ନିୟମ ପ୍ରତି ଦୃଷ୍ଟି ରଖ;

କାରଣ ପୃଥିବୀର ଅନ୍ଧକାର ସ୍ଥାନସବୁ ଦୌରାତ୍ମ୍ୟର ବସତିରେ ପରିପୂର୍ଣ୍ଣ।

21ଉପଦ୍ରବଗ୍ରସ୍ତ ଲୋକ ଲଜ୍ଜିତ ହୋଇ ଫେରି ନ ଯାଉ !

ଦରିଦ୍ର ଓ ଦୀନହୀନ ତୁମ୍ଭ ନାମର ପ୍ରଶଂସା କରନ୍ତୁ।

22ହେ ପରମେଶ୍ୱର, ଉଠ, ଆପଣାର ବିବାଦ ନିଷ୍ପନ୍ନ କର;

ମୂଢ଼ ଲୋକ କିପରି ସାରାଦିନ ତୁମ୍ଭଙ୍କୁ ଧିକ୍‍କାର କରୁଅଛି, ସ୍ମରଣ କର।

23ତୁମ୍ଭ ବିପକ୍ଷଗଣର ରବ ବିସ୍ମୃତ ହୁଅ ନାହିଁ;

ତୁମ୍ଭ ବିରୁଦ୍ଧରେ ଉତ୍‍ଥିତ ଲୋକମାନଙ୍କର କଳହ ନିରନ୍ତର ଉଠୁଅଛି।

75

ପରମେଶ୍ୱର ବିଚାରକର୍ତ୍ତା

ପ୍ରଧାନ ବାଦ୍ୟକର ନିମନ୍ତେ ଏକ ଗୀତ; ଅଲ୍‍-ତଶ୍‍ହେତ୍‍ ସ୍ୱରରେ ଆସଫର ଗୀତ।

1ହେ ପରମେଶ୍ୱର, ଆମ୍ଭେମାନେ ତୁମ୍ଭଙ୍କୁ ଧନ୍ୟବାଦ ଦେଉଅଛୁ;

ଆମ୍ଭେମାନେ ତୁମ୍ଭଙ୍କୁ ଧନ୍ୟବାଦ ଦେଉଅଛୁ, କାରଣ ତୁମ୍ଭ ନାମ ନିକଟବର୍ତ୍ତୀ;

ଲୋକମାନେ ତୁମ୍ଭର ଆଶ୍ଚର୍ଯ୍ୟକ୍ରିୟାସକଳ ବର୍ଣ୍ଣନା କରନ୍ତି।

2ଆମ୍ଭେ ନିରୂପିତ ସମୟ ପ୍ରାପ୍ତ ହେଲେ ଯଥାର୍ଥ ରୂପେ ବିଚାର କରିବା।

3ପୃଥିବୀ ଓ ତନ୍ନିବାସୀ ସମସ୍ତେ ତରଳି ଯାଉଅଛନ୍ତି;

ଆମ୍ଭେ ତହିଁର ସ୍ତମ୍ଭସକଳ ସ୍ଥାପନ କରିଅଛୁ। [ସେଲା]

4ଆମ୍ଭେ ଗର୍ବୀକୁ କହିଲୁ, “ଗର୍ବାଚରଣ କର ନାହିଁ,”

ଆମ୍ଭେ ଦୁଷ୍ଟକୁ କହିଲୁ, “ଶୃଙ୍ଗ ଉଠାଅ ନାହିଁ;

5ତୁମ୍ଭମାନଙ୍କ ଶୃଙ୍ଗ ଊର୍ଦ୍ଧ୍ୱକୁ ଉଠାଅ ନାହିଁ;

ଶକ୍ତଗ୍ରୀବ ହୋଇ କଥା କୁହ ନାହିଁ।”

6କାରଣ ପୂର୍ବ ଦିଗରୁ, କିମ୍ବା ପଶ୍ଚିମ ଦିଗରୁ,

କିଅବା ଦକ୍ଷିଣ ଦିଗରୁ ଉନ୍ନତି ଆସେ ନାହିଁ।

7ମାତ୍ର ପରମେଶ୍ୱର ବିଚାରକର୍ତ୍ତା ଅଟନ୍ତି;

ସେ ଏକକୁ ଅବନତ ଓ ଅନ୍ୟକୁ ଉନ୍ନତ କରନ୍ତି।

8ଯେହେତୁ ସଦାପ୍ରଭୁଙ୍କ ହସ୍ତରେ ଏକ ପାନପାତ୍ର ଅଛି

ଓ ଦ୍ରାକ୍ଷାରସରୁ ଫେଣ ବାହାରୁ ଅଛି;

ତାହା ମିଶ୍ରିତ ଦ୍ରବ୍ୟରେ ପୂର୍ଣ୍ଣ ଓ ସେ ତହିଁରୁ ଢାଳି ଦିଅନ୍ତି;

ନିଶ୍ଚୟ ପୃଥିବୀର ଦୁଷ୍ଟଲୋକ ସମସ୍ତେ ତହିଁର ଖାଦ ନିଗାଡ଼ି ପିଇବେ।

9ମାତ୍ର ମୁଁ ସଦାକାଳ ପ୍ରଚାର କରିବି,

ମୁଁ ଯାକୁବର ପରମେଶ୍ୱରଙ୍କର ପ୍ରଶଂସା ଗାନ କରିବି।

10“ଆମ୍ଭେ ଦୁଷ୍ଟମାନଙ୍କ ଶୃଙ୍ଗସବୁ କାଟି ପକାଇବା।

ମାତ୍ର ଧାର୍ମିକମାନଙ୍କ ଶୃଙ୍ଗ ଉଚ୍ଚୀକୃତ ହେବ।”

76

ବିଜୟୀ ପରମେଶ୍ୱର

ପ୍ରଧାନ ବାଦ୍ୟକର ନିମନ୍ତେ ଗୀତ; ତାରଯୁକ୍ତ ବାଦ୍ୟଯନ୍ତ୍ରରେ ଆସଫର ଗୀତ।

1ପରମେଶ୍ୱର ଯିହୁଦା ମଧ୍ୟରେ ପରିଚିତ ଅଟନ୍ତି;

ଇସ୍ରାଏଲ ମଧ୍ୟରେ ତାହାଙ୍କ ନାମ ମହତ।

2ମଧ୍ୟ ଶାଲେମ୍‍ରେ76:2 ଶାଲେମ୍‍ରେ ଯିରୂଶାଲେମରେ ତାହାଙ୍କର ଆବାସ ଓ

ସିୟୋନରେ ତାହାଙ୍କର ବାସସ୍ଥାନ।

3ସେଠାରେ ସେ ଧନୁତୀରସବୁ,

ଢାଲ, ଖଡ୍ଗ ଓ ଯୁଦ୍ଧ ଭଙ୍ଗ କଲେ। [ସେଲା]

4ମୃଗୟାର ପର୍ବତଗଣଠାରୁ ତୁମ୍ଭେ ତେଜୋମୟ ଓ ମହିମାନ୍ୱିତ।

5ସାହସିକଚିତ୍ତମାନେ ଲୁଟିତ ହୋଇଅଛନ୍ତି,

ସେମାନେ ନିଦ୍ରାରେ ନିଦ୍ରିତ76:5 ନିଦ୍ରାରେ ନିଦ୍ରିତ ଅର୍ଥାତ୍ ମରିଅଛନ୍ତି ହୋଇଅଛନ୍ତି;

ପୁଣି, ବୀରମାନଙ୍କ ମଧ୍ୟରୁ କେହି ଆପଣା ହସ୍ତ ପାଇ ନାହିଁ।

6ହେ ଯାକୁବର ପରମେଶ୍ୱର,

ତୁମ୍ଭ ତର୍ଜ୍ଜନରେ ରଥ ଓ ଅଶ୍ୱ ମହାନିଦ୍ରିତ ହୋଇଅଛନ୍ତି।

7ତୁମ୍ଭେ, ତୁମ୍ଭେ ହିଁ ଭୟପାତ୍ର

ଓ ତୁମ୍ଭେ ଥରେ କ୍ରୋଧ ହେଲେ କିଏ ତୁମ୍ଭ ସାକ୍ଷାତରେ ଠିଆ ହୋଇ ପାରିବ ?

8ତୁମ୍ଭେ ସ୍ୱର୍ଗରୁ ବିଚାରାଜ୍ଞା ଶୁଣାଇଲ;

ପରମେଶ୍ୱର ପୃଥିବୀର ନମ୍ର ଲୋକମାନଙ୍କୁ ପରିତ୍ରାଣ କରିବା ପାଇଁ

9ବିଚାର କରିବାକୁ ଉଠିବା ବେଳେ

ପୃଥିବୀ ଭୀତ ଓ ନୀରବ ହେଲା। [ସେଲା]

10ମନୁଷ୍ୟର କ୍ରୋଧ ନିତାନ୍ତ ତୁମ୍ଭର ପ୍ରଶଂସା କରିବ;

ତୁମ୍ଭେ କ୍ରୋଧର ଅବଶେଷ ଦ୍ୱାରା ଆପଣା କଟିବନ୍ଧନ କରିବ।

11ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ନିକଟରେ ମାନତ କରି ପୂର୍ଣ୍ଣ କର;

ଯେ ଭୟପାତ୍ର, ତାହାଙ୍କ ଚତୁର୍ଦ୍ଦିଗସ୍ଥ ସମସ୍ତେ ତାହାଙ୍କ ନିକଟକୁ ଦର୍ଶନୀ ଆଣନ୍ତୁ।

12ସେ ଅଧିପତିମାନଙ୍କ ଗର୍ବ ଖର୍ବ କରନ୍ତି;

ସେ ଭୂପତିମାନଙ୍କ ପ୍ରତି ଭୟଙ୍କର ଅଟନ୍ତି।

77

ଦୁର୍ଦ୍ଦଶା ସମୟରେ ଆଶ୍ୱାସନା

ପ୍ରଧାନ ବାଦ୍ୟକର ନିମନ୍ତେ ଯିଦୂଥୂନର ରୀତି ଅନୁସାରେ ଆସଫର ଗୀତ।

1ମୁଁ ପରମେଶ୍ୱରଙ୍କ ନିକଟରେ ସ୍ୱରବରେ କାକୂକ୍ତି କରିବି;

ପରମେଶ୍ୱରଙ୍କ ନିକଟରେ ହିଁ ସ୍ୱରବରେ କାକୂକ୍ତି କରିବି, ତହିଁରେ ସେ ମୋ’ ପ୍ରତି କର୍ଣ୍ଣପାତ କରିବେ।

2ମୁଁ ଆପଣା ସଙ୍କଟ ଦିନରେ ପ୍ରଭୁଙ୍କୁ ଅନ୍ୱେଷଣ କଲି;

ରାତ୍ରିକାଳରେ ମୋହର ହସ୍ତ ବିସ୍ତାରିତ ରହିଲା ଓ ସଙ୍କୁଚିତ ନୋହିଲା;

ମୋହର ପ୍ରାଣ ପ୍ରବୋଧ ମାନିବାକୁ ଅସମ୍ମତ ହେଲା।

3ମୁଁ ପରମେଶ୍ୱରଙ୍କୁ ସ୍ମରଣ କରି ଅସ୍ଥିର ହେଉଅଛି;

ଭାବନା କରି କରି ମୋହର ଆତ୍ମା ମୂର୍ଚ୍ଛିତ ହୁଏ। [ସେଲା]

4ତୁମ୍ଭେ ମୋ’ ଚକ୍ଷୁକୁ ଉଜାଗର କରି ରଖୁଅଛ;

ମୁଁ ଏପରି ବ୍ୟାକୁଳ ଯେ, କଥା କହି ପାରୁ ନାହିଁ।

5ମୁଁ ପୂର୍ବକାଳର ଦିନସବୁ,

ପୁରାତନ କାଳର ବର୍ଷସବୁ ଭାବନା କରିଅଛି।

6ମୁଁ ଆପଣା ରାତ୍ରିକାଳୀନ ଗୀତ ସ୍ମରଣ କରୁଅଛି;

ମୁଁ ଆପଣା ମନେ ମନେ ଧ୍ୟାନ କରୁଅଛି;

ପୁଣି, ମୋହର ଆତ୍ମା ଯତ୍ନରେ ଅନୁସନ୍ଧାନ କଲା।

7ପ୍ରଭୁ କ’ଣ ସଦାକାଳ ପରିତ୍ୟାଗ କରିବେ ?

ସେ କ’ଣ ଆଉ ସୁପ୍ରସନ୍ନ ହେବେ ନାହିଁ ?

8ତାହାଙ୍କ ଦୟା କ’ଣ ଚିରକାଳ ଲୁପ୍ତ ହେଲା ?

ତାହାଙ୍କ ପ୍ରତିଜ୍ଞା କ’ଣ ଚିରକାଳ ବିଫଳ ହୁଏ ?

9ପରମେଶ୍ୱର କ’ଣ କୃପାମୟ ହେବାକୁ ପାସୋରି ଅଛନ୍ତି ?

ସେ କ’ଣ କ୍ରୋଧରେ ଆପଣା କରୁଣା ରୁଦ୍ଧ କରିଅଛନ୍ତି ? [ସେଲା]

10ତହୁଁ ମୁଁ କହିଲି, “ଏହା ହିଁ ମୋହର ଦୁର୍ବଳତା;

ମାତ୍ର ମୁଁ ସର୍ବୋପରିସ୍ଥଙ୍କ ଦକ୍ଷିଣ ହସ୍ତର ବର୍ଷସକଳ ସ୍ମରଣ କରିବି।”

11ମୁଁ ସଦାପ୍ରଭୁଙ୍କ କର୍ମସବୁ ଉଲ୍ଲେଖ କରିବି;

ମୁଁ ପୂର୍ବକାଳର ତୁମ୍ଭ ଆଶ୍ଚର୍ଯ୍ୟକ୍ରିୟାସବୁ ସ୍ମରଣ କରିବି।

12ମୁଁ ତୁମ୍ଭର ସମସ୍ତ କର୍ମ ଚିନ୍ତା କରିବି ଓ

ତୁମ୍ଭର କ୍ରିୟାସକଳ ଧ୍ୟାନ କରିବି।

13ହେ ପରମେଶ୍ୱର, ତୁମ୍ଭର ପଥ ପବିତ୍ର ଅଟେ;77:13 ତୁମ୍ଭର ପଥ ପବିତ୍ର ଅଟେ; ଅର୍ଥାତ୍ ପବିତ୍ରତାରେ ତୁମ୍ଭର ପଥ ଥାଏ;

ପରମେଶ୍ୱରଙ୍କ ତୁଲ୍ୟ ମହାନ ପରମେଶ୍ୱର କିଏ ?

14ତୁମ୍ଭେ ଆଶ୍ଚର୍ଯ୍ୟ-କର୍ମକର୍ତ୍ତା ପରମେଶ୍ୱର;

ତୁମ୍ଭେ ଗୋଷ୍ଠୀୟମାନଙ୍କ ମଧ୍ୟରେ ଆପଣା ପରାକ୍ରମ ଜ୍ଞାତ କରିଅଛ।

15ତୁମ୍ଭେ ନିଜ ବାହୁରେ ଆପଣା ଲୋକଙ୍କୁ,

ଯାକୁବ ଓ ଯୋଷେଫର ସନ୍ତାନଗଣକୁ ମୁକ୍ତ କରିଅଛ।

16ହେ ପରମେଶ୍ୱର, ସମୁଦ୍ର ତୁମ୍ଭଙ୍କୁ ଦେଖିଲା,

ସମୁଦ୍ର ତୁମ୍ଭଙ୍କୁ ଦେଖି ଭୀତ ହେଲା;

ମଧ୍ୟ ବାରିଧି କମ୍ପିତ ହେଲା।

17ମେଘମାଳ ଜଳବୃଷ୍ଟି କଲେ,

ଆକାଶ ଗର୍ଜ୍ଜନ କଲା;

ମଧ୍ୟ ତୁମ୍ଭର ତୀରସବୁ ବ୍ୟାପ୍ତ ହେଲା।

18ଘୂର୍ଣ୍ଣିବାୟୁରେ ତୁମ୍ଭର ବଜ୍ରଧ୍ୱନି ହେଲା;

ବିଜୁଳି ଜଗତକୁ ଆଲୁଅମୟ କଲା;

ପୃଥିବୀ କମ୍ପିତ ଓ ଥରହର ହେଲା।

19ସମୁଦ୍ରରେ ତୁମ୍ଭର ପଥ ଓ ମହାଜଳରାଶିରେ ତୁମ୍ଭର ମାର୍ଗ ଥିଲା,

ପୁଣି, ତୁମ୍ଭର ପଦଚିହ୍ନ ଜଣା ନୋହିଲା।

20ତୁମ୍ଭେ ମୋଶା ଓ ହାରୋଣର ହସ୍ତ ଦ୍ୱାରା ଆପଣା

ଲୋକମାନଙ୍କୁ ମେଷପଲ ପରି ଚଳାଇଲ।

78

ପରମେଶ୍ୱର ଓ ତାହାଙ୍କ ଲୋକମାନେ

ଆସଫର ମସ୍କୀଲ୍‍।

1ହେ ମୋହର ଲୋକମାନେ, ମୋହର ବ୍ୟବସ୍ଥା ଶୁଣ;

ମୋ’ ମୁଖର ବାକ୍ୟରେ କର୍ଣ୍ଣପାତ କର।

2ମୁଁ ଦୃଷ୍ଟାନ୍ତ-କଥାରେ ଆପଣା ମୁଖ ଫିଟାଇବି;

ମୁଁ ପୂର୍ବକାଳର ଗୂଢ଼ ବାକ୍ୟସବୁ ପ୍ରକାଶ କରିବି;

3ଆମ୍ଭେମାନେ ତାହାସବୁ ଶୁଣି ଜାଣିଅଛୁ ଓ

ଆମ୍ଭମାନଙ୍କ ପିତୃଗଣ ଆମ୍ଭମାନଙ୍କୁ ଜଣାଇ ଅଛନ୍ତି।

4ଆମ୍ଭେମାନେ ତାହାସବୁ ସେମାନଙ୍କ ସନ୍ତାନଗଣଠାରୁ ଗୁପ୍ତ ରଖିବା ନାହିଁ,

ଆସନ୍ତା ପିଢ଼ି ନିକଟରେ ସଦାପ୍ରଭୁଙ୍କର ପ୍ରଶଂସା ଓ

ତାହାଙ୍କର ପରାକ୍ରମ ଓ ତାହାଙ୍କ କୃତ ଆଶ୍ଚର୍ଯ୍ୟ କର୍ମସକଳ ବର୍ଣ୍ଣନା କରିବା।

5କାରଣ ସେ ଯାକୁବ ମଧ୍ୟରେ ଏକ ସାକ୍ଷ୍ୟ ସ୍ଥାପନ କଲେ

ଓ ଇସ୍ରାଏଲର ମଧ୍ୟରେ ଏକ ବ୍ୟବସ୍ଥା ନିରୂପଣ କଲେ,

ଆପଣା ସନ୍ତାନଗଣକୁ ତାହା ଜଣାଇବା ନିମନ୍ତେ

ଆମ୍ଭମାନଙ୍କ ପିତୃଗଣକୁ ଆଜ୍ଞା କଲେ;

6ଯେପରି ଆସନ୍ତା ପୁରୁଷ, ଅର୍ଥାତ୍‍, ଯେଉଁ ସନ୍ତାନଗଣ ଜାତ ହେବେ,

ସେମାନେ ଜାଣିବେ ଓ ଉଠି ଆପଣା ଆପଣା ସନ୍ତାନଗଣକୁ ତାହା ଜଣାଇବେ;

7ତହିଁରେ ସେମାନେ ଯେପରି ପରମେଶ୍ୱରଙ୍କଠାରେ ଭରସା ରଖି ପାରିବେ

ଓ ପରମେଶ୍ୱରଙ୍କ କ୍ରିୟାସକଳ ପାସୋରି ନ ଯିବେ,

ମାତ୍ର ତାହାଙ୍କ ଆଜ୍ଞାସବୁ ପାଳନ କରିବେ;

8ପୁଣି, ଆପଣା ପିତୃଗଣ ତୁଲ୍ୟ

ଅବାଧ୍ୟ ଓ ବିଦ୍ରୋହୀ ବଂଶ ହେବେ ନାହିଁ;

ସେହି ବଂଶ ଆପଣା ଆପଣା ଅନ୍ତଃକରଣ ଯଥାର୍ଥ ରୂପେ ସୁସ୍ଥିର କଲେ ନାହିଁ;

ଓ ସେମାନଙ୍କ ଆତ୍ମା ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ନ ଥିଲା।

9ଇଫ୍ରୟିମର ସନ୍ତାନଗଣ ସସଜ୍ଜ ଓ ଧନୁର୍ଦ୍ଧର ହୋଇ

ସଂଗ୍ରାମ ଦିନରେ ହଟିଗଲେ।

10ସେମାନେ ପରମେଶ୍ୱରଙ୍କ ନିୟମ ପାଳନ କଲେ ନାହିଁ

ଓ ତାହାଙ୍କ ବ୍ୟବସ୍ଥାନୁସାରେ ଚାଲିବା ପାଇଁ ଅସ୍ୱୀକାର କଲେ;

11ସେମାନେ ତାହାଙ୍କ କାର୍ଯ୍ୟସକଳ,

ସେମାନଙ୍କ ପ୍ରତି ପ୍ରକାଶିତ ତାହାଙ୍କ ଆଶ୍ଚର୍ଯ୍ୟ କ୍ରିୟାସକଳ ଭୁଲି ଗଲେ।

12ସେ ସେମାନଙ୍କ ପିତୃଗଣ ସାକ୍ଷାତରେ

ମିସର ଦେଶରେ, ସୋୟନ-ପଦାରେ ନାନା ଆଶ୍ଚର୍ଯ୍ୟ କର୍ମ କଲେ।

13ସେ ସମୁଦ୍ରକୁ ବିଭକ୍ତ କରି ସେମାନଙ୍କୁ ପାର କରାଇଲେ;

ପୁଣି, ସେ ଜଳସମୂହକୁ ରାଶୀ ରୂପେ ଠିଆ କରାଇଲେ।

14ଦିବସରେ ସେ ମେଘ ଦ୍ୱାରା ଓ

ରାତ୍ରିରେ ଅଗ୍ନିତେଜ ଦ୍ୱାରା ସେମାନଙ୍କୁ ପଥ କଢ଼ାଇ ନେଲେ।

15ପ୍ରାନ୍ତରରେ ସେ ଶୈଳମାନଙ୍କୁ ବିଦୀର୍ଣ୍ଣ କଲେ,

ପୁଣି, ଯେପରି ଅଗାଧସ୍ଥଳରୁ, ସେପରି ସେମାନଙ୍କୁ ପ୍ରଚୁର ଜଳ ପାନ କରାଇଲେ।

16ସେ ଶୈଳରୁ ସ୍ରୋତ ବାହାର କଲେ

ଓ ନଦୀ ତୁଲ୍ୟ ଜଳ ବହାଇଲେ।

17ତଥାପି ସେମାନେ ତାହାଙ୍କ ବିରୁଦ୍ଧରେ ପାପ କରିବାକୁ

ଓ ମରୁଭୂମିରେ ସର୍ବୋପରିସ୍ଥଙ୍କ ପ୍ରତିକୂଳରେ ବିଦ୍ରୋହାଚରଣ କରିବାକୁ ନିରସ୍ତ ନୋହିଲେ।

18ପୁଣି, ସେମାନେ ଆପଣାମାନଙ୍କ ଅଭିଳାଷ ପୂରଣାର୍ଥେ

ଭକ୍ଷ୍ୟ ମାଗି ଆପଣା ଆପଣା ମନରେ ପରମେଶ୍ୱରଙ୍କର ପରୀକ୍ଷା କଲେ।

19ହଁ, ସେମାନେ ପରମେଶ୍ୱରଙ୍କ ପ୍ରତିକୂଳରେ କଥା କହିଲେ;

ସେମାନେ କହିଲେ, “ପରମେଶ୍ୱର କି ପ୍ରାନ୍ତରରେ ମେଜ ସଜାଇ ପାରିବେ ?

20ଦେଖ, ସେ ଶୈଳକୁ ଆଘାତ କରନ୍ତେ, ଜଳ ନିର୍ଗତ ହେଲା

ଓ ସ୍ରୋତ ପ୍ରବାହିତ ହେଲା;

ସେ କି ଅନ୍ନ ମଧ୍ୟ ଦେଇ ପାରନ୍ତି ?

ସେ କି ଆପଣା ଲୋକମାନଙ୍କ ନିମନ୍ତେ ମାଂସ ଯୋଗାଇବେ ?”

21ଏହେତୁ ସଦାପ୍ରଭୁ ଶୁଣି କୋପାନ୍ୱିତ ହେଲେ

ଓ ଯାକୁବ ବିରୁଦ୍ଧରେ ଅଗ୍ନି ପ୍ରଜ୍ୱଳିତ ହେଲା ଓ

ଇସ୍ରାଏଲ ବିରୁଦ୍ଧରେ ମଧ୍ୟ କ୍ରୋଧ ଉଠିଲା;

22କାରଣ ସେମାନେ ପରମେଶ୍ୱରଙ୍କଠାରେ ବିଶ୍ୱାସ କଲେ ନାହିଁ

ଓ ତାହାଙ୍କ ପରିତ୍ରାଣରେ ନିର୍ଭର ରଖିଲେ ନାହିଁ।

23ତଥାପି ସେ ଉପରିସ୍ଥ ମେଘମାଳକୁ ଆଜ୍ଞା କଲେ

ଓ ଆକାଶର ଦ୍ୱାର ମୁକ୍ତ କଲେ।

24ଆଉ, ସେ ଭୋଜନାର୍ଥେ ସେମାନଙ୍କ ଉପରେ ମାନ୍ନା ବର୍ଷାଇଲେ

ଓ ସେମାନଙ୍କୁ ସ୍ୱର୍ଗର ଶସ୍ୟ ପ୍ରଦାନ କଲେ।

25ପରାକ୍ରମୀଗଣର ଆହାର ମନୁଷ୍ୟ ଭୋଜନ କଲା;

ସେ ସେମାନଙ୍କ ତୃପ୍ତି ପର୍ଯ୍ୟନ୍ତ ଭକ୍ଷ୍ୟ ପଠାଇଲେ।

26ସେ ଆକାଶରେ ପୂର୍ବୀୟ ବାୟୁ ବହାଇଲେ ଓ

ନିଜ ପରାକ୍ରମ ଦ୍ୱାରା ଦକ୍ଷିଣ ବାୟୁ ଚଳାଇଲେ।

27ମଧ୍ୟ ସେ ଧୂଳି ପରି ସେମାନଙ୍କ ଉପରେ ମାଂସ ବର୍ଷାଇଲେ,

ପୁଣି, ସମୁଦ୍ରର ବାଲି ପରି ପକ୍ଷୀମାନଙ୍କୁ ବର୍ଷାଇଲେ;

28ସେ ସେମାନଙ୍କ ଛାଉଣି ମଧ୍ୟରେ,

ସେମାନଙ୍କ ଆବାସର ଚତୁର୍ଦ୍ଦିଗରେ ତାହା ବର୍ଷାଇଲେ।

29ତହିଁରେ ସେମାନେ ଭୋଜନ କରି ପରିତୃପ୍ତ ହେଲେ

ଓ ସେ ସେମାନଙ୍କ ଅଭିଳାଷିତ ବିଷୟ ସେମାନଙ୍କୁ ପ୍ରଦାନ କଲେ।

30ଅଭିଳାଷିତ ବିଷୟରୁ ସେମାନଙ୍କ ସ୍ନେହ ଭଙ୍ଗ ନୋହୁଣୁ,

ଖାଦ୍ୟ ସେମାନଙ୍କ ମୁଖରେ ଥାଉ ଥାଉ

31ପରମେଶ୍ୱରଙ୍କ କ୍ରୋଧ ସେମାନଙ୍କ ପ୍ରତିକୂଳରେ ଉଠିଲା

ଓ ସେମାନଙ୍କ ହୃଷ୍ଟପୁଷ୍ଟ ଲୋକଙ୍କ ମଧ୍ୟରୁ ବଧ କଲା,

ପୁଣି, ଇସ୍ରାଏଲର ଯୁବାଗଣକୁ ସଂହାର କଲା।

32ଏସବୁ ହେଲେ ହେଁ ସେମାନେ ପୁନର୍ବାର ପାପ କଲେ

ଓ ତାହାଙ୍କ ଆଶ୍ଚର୍ଯ୍ୟ କ୍ରିୟାରେ ବିଶ୍ୱାସ କଲେ ନାହିଁ।

33ଏହେତୁ ସେ ଅସାରତାରେ ସେମାନଙ୍କ ଦିନ

ଓ ଆତଙ୍କରେ ସେମାନଙ୍କ ବର୍ଷସବୁ କ୍ଷେପଣ କରାଇଲେ,

34ସେ ସେମାନଙ୍କୁ ବଧ କଲା ବେଳେ, ସେମାନେ ତାହାଙ୍କୁ ଖୋଜିଲେ;

ଆଉ, ଫେରି ଶୀଘ୍ର ପରମେଶ୍ୱରଙ୍କ ଅନ୍ୱେଷଣ କଲେ।

35ପରମେଶ୍ୱର ଯେ ସେମାନଙ୍କର ଶୈଳ

ଓ ସର୍ବୋପରିସ୍ଥ ପରମେଶ୍ୱର ଯେ ସେମାନଙ୍କର ମୁକ୍ତିକର୍ତ୍ତା, ଏହା ସ୍ମରଣ କଲେ।

36ମାତ୍ର ସେମାନେ ମୁଖରେ ତାହାଙ୍କର ଚାଟୁବାଦ କଲେ

ଓ ଜିହ୍ୱାରେ ତାହାଙ୍କ ନିକଟରେ ମିଥ୍ୟା କହିଲେ।

37କାରଣ ସେମାନଙ୍କ ଅନ୍ତଃକରଣ ତାହାଙ୍କ ପ୍ରତି ସ୍ଥିର ନ ଥିଲା,

କିଅବା ସେମାନେ ତାହାଙ୍କ ନିୟମରେ ବିଶ୍ୱସ୍ତ ନ ଥିଲେ।

38ମାତ୍ର ସେ ସ୍ନେହଶୀଳ ହେବାରୁ ସେମାନଙ୍କ ଅପରାଧ

କ୍ଷମା କରି ସେମାନଙ୍କୁ ଧ୍ୱଂସ କଲେ ନାହିଁ;

ପୁଣି, ସେ ଅନେକ ଥର ଆପଣା କ୍ରୋଧ ସମ୍ବରଣ କରି

ଆପଣା କୋପ ଉତ୍ତେଜ କଲେ ନାହିଁ।

39ଆଉ, ସେମାନେ ଯେ ମାଂସମାତ୍ର ଓ

ବହିଯାଇ ଫେରି ନ ଆସିବା ବାୟୁ ସ୍ୱରୂପ, ଏହା ସେ ସ୍ମରଣ କଲେ।

40ସେମାନେ ପ୍ରାନ୍ତର ମଧ୍ୟରେ କେତେ ଥର ତାହାଙ୍କର ବିଦ୍ରୋହୀ ହେଲେ

ଓ ମରୁଭୂମିରେ ତାହାଙ୍କୁ ଅସନ୍ତୁଷ୍ଟ କଲେ।

41ସେମାନେ ପୁନର୍ବାର ବିମୁଖ ହୋଇ ପରମେଶ୍ୱରଙ୍କୁ ପରୀକ୍ଷା କଲେ

ଓ ଇସ୍ରାଏଲର ଧର୍ମସ୍ୱରୂପଙ୍କୁ ବିରକ୍ତ କଲେ।

42ସେମାନେ ତାହାଙ୍କର ହସ୍ତ ଓ

ଯେଉଁ ଦିନ ସେ ବିପକ୍ଷଠାରୁ ସେମାନଙ୍କୁ ମୁକ୍ତ କଲେ, ସେହି ଦିନ

43ଆଉ, ସେ କିରୂପେ ମିସରରେ ଆପଣା ଚିହ୍ନ ଓ

ସୋୟନ-ପଦାରେ ଆପଣାର ଅଦ୍ଭୁତ ଲକ୍ଷଣ ସ୍ଥାପନ କଲେ;

44ପୁଣି, ସେମାନଙ୍କର ନଦୀ ଓ ସ୍ରୋତସବୁ ରକ୍ତମୟ କରିବାରୁ

ସେମାନେ ପାନ କରି ପାରିଲେ ନାହିଁ, ଏହାସବୁ ସ୍ମରଣ କଲେ ନାହିଁ।

45ସେ ସେମାନଙ୍କ ମଧ୍ୟକୁ ଦଂଶକ ଝିଙ୍କ ପଠାଇଲେ, ସେସବୁ ସେମାନଙ୍କୁ ଗ୍ରାସ କଲେ

ଓ ବେଙ୍ଗ ପଠାଇଲେ, ସେସବୁ ସେମାନଙ୍କୁ ବିନାଶ କଲେ।

46ମଧ୍ୟ ସେ କୀଟକୁ ସେମାନଙ୍କ ଭୂମିର ଫଳ ଓ

ପଙ୍ଗପାଳକୁ ସେମାନଙ୍କ ପରିଶ୍ରମର ଫଳ ଦେଲେ।

47ସେ ଶିଳା ଦ୍ୱାରା ସେମାନଙ୍କ ଦ୍ରାକ୍ଷାଲତା ଓ

ହିମ ଦ୍ୱାରା ସେମାନଙ୍କ ଡିମ୍ବିରି ବୃକ୍ଷ ନଷ୍ଟ କଲେ।

48ଆହୁରି, ସେ ସେମାନଙ୍କ ପଶୁଗଣକୁ ଶିଳାରେ ଓ

ସେମାନଙ୍କ ପଲସବୁକୁ ପ୍ରଜ୍ୱଳିତ ବଜ୍ରାଘାତରେ ସମର୍ପଣ କଲେ।

49ସେ ଆପଣା କ୍ରୋଧର ପ୍ରଚଣ୍ଡତା, କୋପ ଓ ରୋଷ

ଓ ସଙ୍କଟରୂପ ଅନିଷ୍ଟର ଦୂତଦଳ ସେମାନଙ୍କ ବିରୁଦ୍ଧରେ ପଠାଇଲେ।

50ସେ ନିଜ କ୍ରୋଧ ପାଇଁ ପଥ ପ୍ରସ୍ତୁତ କଲେ,

ସେ ମୃତ୍ୟୁୁରୁ ସେମାନଙ୍କ ପ୍ରାଣ ରକ୍ଷା କଲେ ନାହିଁ, ମାତ୍ର

ମହାମାରୀରେ ସେମାନଙ୍କ ଜୀବନ ସମର୍ପଣ କଲେ;

51ସେ ମିସରରେ ପ୍ରଥମଜାତ ସମସ୍ତଙ୍କୁ,

ହାମ୍‍ର ତମ୍ବୁରେ ସେମାନଙ୍କ ଶକ୍ତିର ପ୍ରଥମ ଫଳକୁ ଆଘାତ କଲେ;

52ମାତ୍ର ସେ ଆପଣା ଲୋକମାନଙ୍କୁ ମେଷଗଣ ତୁଲ୍ୟ ଚଳାଇଲେ

ଓ ପ୍ରାନ୍ତରରେ ସେମାନଙ୍କୁ ପଲ ପରି କଢ଼ାଇ ନେଲେ।

53ପୁଣି, ସେ ସେମାନଙ୍କୁ ନିରାପଦରେ ଚଳାଇଲେ,

ତେଣୁ ସେମାନେ ଉଦ୍‍ବିଗ୍ନ ନୋହିଲେ,

ମାତ୍ର ସମୁଦ୍ର ସେମାନଙ୍କ ଶତ୍ରୁଗଣକୁ ମଗ୍ନ କଲା।

54ଆଉ, ସେ ସେମାନଙ୍କୁ ଆପଣା ପବିତ୍ର ସୀମାକୁ

ଓ ଆପଣା ଦକ୍ଷିଣ ହସ୍ତ ଦ୍ୱାରା ଲବ୍ଧ ଏହି ପର୍ବତକୁ ଆଣିଲେ।

55ଆହୁରି, ସେ ସେମାନଙ୍କ ଆଗରୁ ଗୋଷ୍ଠୀୟବର୍ଗଙ୍କୁ ତଡ଼ି ଦେଲେ

ଓ ଅଧିକାରାର୍ଥେ ପରିମାପକ ରଜ୍ଜୁ ଦ୍ୱାରା ସେମାନଙ୍କୁ ବିଭାଗ କରି ଦେଲେ

ଓ ଇସ୍ରାଏଲ ଗୋଷ୍ଠୀବର୍ଗକୁ ସେମାନଙ୍କ ତମ୍ବୁରେ ବାସ କରାଇଲେ।

56ତଥାପି ସେମାନେ ସର୍ବୋପରିସ୍ଥ ପରମେଶ୍ୱରଙ୍କୁ ପରୀକ୍ଷା କରି ତାହାଙ୍କର ବିଦ୍ରୋହୀ ହେଲେ

ଓ ତାହାଙ୍କର ପ୍ରମାଣ-ବାକ୍ୟସବୁ ପାଳନ କଲେ ନାହିଁ;

57ମାତ୍ର ବିମୁଖ ହୋଇ ଆପଣା ପୂର୍ବପୁରୁଷଗଣ ତୁଲ୍ୟ ବିଶ୍ୱାସଘାତକତା କଲେ;

ସେମାନେ ପ୍ରବଞ୍ଚକ ଧନୁ ତୁଲ୍ୟ ଲକ୍ଷ୍ୟ ହୁଡ଼ିଲେ।

58କାରଣ ସେମାନେ ଆପଣାମାନଙ୍କ ଉଚ୍ଚସ୍ଥଳୀ ଦ୍ୱାରା ତାହାଙ୍କୁ ବିରକ୍ତ କଲେ।

ଓ ଆପଣାମାନଙ୍କ ଖୋଦିତ ପ୍ରତିମା ଦ୍ୱାରା ତାହାଙ୍କର ଅନ୍ତର୍ଜ୍ୱାଳା ଜନ୍ମାଇଲେ।

59ପରମେଶ୍ୱର ଏହା ଶୁଣି କୋପାନ୍ୱିତ ହେଲେ ଓ

ଇସ୍ରାଏଲକୁ ଅତିଶୟ ଘୃଣା କଲେ;

60ଏପରିକି, ସେ ଶୀଲୋସ୍ଥିତ ଆବାସ ଓ

ମନୁଷ୍ୟମାନଙ୍କ ମଧ୍ୟରେ ଆପଣାର ସ୍ଥାପିତ ତମ୍ବୁ ପରିତ୍ୟାଗ କଲେ।

61ପୁଣି, ସେ ବନ୍ଦୀତ୍ୱରେ ଆପଣା ପରାକ୍ରମ ଓ

ବିପକ୍ଷ ହସ୍ତରେ ଆପଣା ଗୌରବ ସମର୍ପଣ କଲେ।

62ସେ ଆପଣା ଲୋକମାନଙ୍କୁ ମଧ୍ୟ ଖଡ୍ଗରେ ସମର୍ପି ଦେଲେ

ଓ ଆପଣା ଅଧିକାର ପ୍ରତି କ୍ରୋଧ ହେଲେ।

63ଅଗ୍ନି ସେମାନଙ୍କ ଯୁବାଗଣକୁ ଗ୍ରାସ କଲା

ଓ ସେମାନଙ୍କ କନ୍ୟାଗଣର ବିବାହ-ଗୀତ78:63 ବିବାହ-ଗୀତ ଅର୍ଥାତ୍ ବିବାହ ହେଲା ନାହିଁ।

64ସେମାନଙ୍କ ଯାଜକଗଣ ଖଡ୍ଗରେ ପତିତ ହେଲେ

ଓ ସେମାନଙ୍କ ବିଧବାଗଣ କିଛି ବିଳାପ କଲେ ନାହିଁ।

65ସେତେବେଳେ ପ୍ରଭୁ ନିଦ୍ରାରୁ ଜାଗ୍ରତ ଲୋକ ପରି,

ମଦିରା ହେତୁ ହର୍ଷନାଦକାରୀ ବୀର ପରି ଉଠିଲେ।

66ଆଉ, ସେ ଆପଣା ବିପକ୍ଷଗଣକୁ ପ୍ରହାର କରି ହଟାଇ ଦେଲେ;

ସେ ସେମାନଙ୍କୁ ଚିରକାଳ ନିନ୍ଦାପାତ୍ର କଲେ।

67ଆହୁରି, ସେ ଯୋଷେଫର ବଂଶକୁ78:67 ବଂଶକୁ ତମ୍ବୁକୁ ଅଗ୍ରାହ୍ୟ କଲେ ଓ

ଇଫ୍ରୟିମ ଗୋଷ୍ଠୀକୁ ମନୋନୀତ କଲେ ନାହିଁ।

68ମାତ୍ର ଯିହୁଦା ଗୋଷ୍ଠୀକୁ,

ଆପଣାର ପ୍ରିୟ ସିୟୋନ ପର୍ବତକୁ ମନୋନୀତ କଲେ।

69ଆଉ, ସେ ଉଚ୍ଚ ଗଗନ ତୁଲ୍ୟ ଓ

ଅନନ୍ତକାଳ ନିମନ୍ତେ ଆପଣା ସ୍ଥାପିତ ପୃଥିବୀ ତୁଲ୍ୟ ଆପଣା ଧର୍ମଧାମ ନିର୍ମାଣ କଲେ।

70ଆହୁରି, ସେ ଆପଣା ଦାସ ଦାଉଦଙ୍କୁ ମନୋନୀତ କଲେ

ଓ ମେଷଖୁଆଡ଼ରୁ ତାଙ୍କୁ ଗ୍ରହଣ କଲେ।

71ସେ ଆପଣା ଲୋକ ଯାକୁବକୁ ଓ

ଆପଣା ଅଧିକାର ଇସ୍ରାଏଲକୁ ପ୍ରତିପାଳନ କରିବା ନିମନ୍ତେ ସ୍ତନ୍ୟଦାୟିନୀ ମେଷୀଗଣ ପଛରୁ ତାଙ୍କୁ ଆଣିଲେ।

72ତହିଁରେ ସେ ଆପଣା ଅନ୍ତଃକରଣର ସରଳତାନୁସାରେ ସେମାନଙ୍କୁ ପ୍ରତିପାଳନ କଲେ

ଓ ଆପଣା ହସ୍ତର ନିପୁଣତାରେ ସେମାନଙ୍କୁ ଚଳାଇଲେ।

79

ଜାତିର ମୁକ୍ତି ପାଇଁ ପ୍ରାର୍ଥନା

ଆସଫର ଗୀତ।

1ହେ ପରମେଶ୍ୱର, ଅନ୍ୟ ଦେଶୀୟମାନେ ତୁମ୍ଭ ଅଧିକାରରେ ପ୍ରବେଶ କରିଅଛନ୍ତି;

ସେମାନେ ତୁମ୍ଭର ପବିତ୍ର ମନ୍ଦିର ଅଶୁଚି କରିଅଛନ୍ତି;

ସେମାନେ ଯିରୂଶାଲମକୁ କାନ୍ଥଡ଼ାର ଢିପି କରିଅଛନ୍ତି।

2ସେମାନେ ତୁମ୍ଭ ଦାସଗଣର ଶବ ଭକ୍ଷ୍ୟ ନିମନ୍ତେ ଖେଚର ପକ୍ଷୀଗଣକୁ ଦେଇଅଛନ୍ତି,

ତୁମ୍ଭ ସଦ୍‍ଭକ୍ତମାନଙ୍କ ମାଂସ ଭୂଚର ପଶୁଗଣକୁ ଦେଇଅଛନ୍ତି।

3ସେମାନଙ୍କର ରକ୍ତ ଯିରୂଶାଲମର ଚତୁର୍ଦ୍ଦିଗରେ ସେମାନେ ଜଳ ପରି ଢାଳିଅଛନ୍ତି

ଓ ସେମାନଙ୍କୁ କବର ଦେବା ପାଇଁ କେହି ନ ଥିଲା।

4ଆମ୍ଭେମାନେ ପ୍ରତିବାସୀଗଣ ନିକଟରେ ନିନ୍ଦାର ବିଷୟ,

ଆମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥ ଲୋକମାନଙ୍କ ନିକଟରେ ଟାହୁଲି ଓ ପରିହାସର ପାତ୍ର ହୋଇଅଛୁ।

5ହେ ସଦାପ୍ରଭୁ, କେତେ କାଳ ? ତୁମ୍ଭେ କି ସଦାକାଳ କ୍ରୁଦ୍ଧ ହେବ ?

ତୁମ୍ଭର ଅନ୍ତର୍ଜ୍ୱାଳା କି ଅଗ୍ନି ପରି ଜ୍ୱଳିବ ?

6ଯେଉଁ ଅନ୍ୟ ଦେଶୀୟମାନେ ତୁମ୍ଭଙ୍କୁ ଜାଣନ୍ତି ନାହିଁ ଓ

ଯେଉଁ ରାଜ୍ୟସମୂହ ତୁମ୍ଭ ନାମରେ ପ୍ରାର୍ଥନା କରନ୍ତି ନାହିଁ, ସେମାନଙ୍କ ଉପରେ ଆପଣା କୋପ ଢାଳିଦିଅ।

7କାରଣ ସେମାନେ ଯାକୁବକୁ ଗ୍ରାସ କରିଅଛନ୍ତି

ଓ ତାହାର ବାସସ୍ଥାନ ଉଜାଡ଼ କରିଅଛନ୍ତି।

8ଆମ୍ଭମାନଙ୍କ ପୂର୍ବପୁରୁଷଗଣର ଅପରାଧ ଆମ୍ଭମାନଙ୍କ ପ୍ରତିକୂଳରେ ସ୍ମରଣ କର ନାହିଁ;

ତୁମ୍ଭର କରୁଣା ଶୀଘ୍ର ଆମ୍ଭମାନଙ୍କର ସମ୍ମୁଖବର୍ତ୍ତୀ ହେଉ।

କାରଣ ଆମ୍ଭେମାନେ ଅତି କ୍ଷୀଣ ହୋଇଅଛୁ।

9ହେ ଆମ୍ଭମାନଙ୍କ ପରିତ୍ରାଣର ପରମେଶ୍ୱର, ତୁମ୍ଭ ନାମର ଗୌରବ ସକାଶେ ଆମ୍ଭମାନଙ୍କର ସାହାଯ୍ୟ କର

ଓ ଆପଣା ନାମ ସକାଶେ ଆମ୍ଭମାନଙ୍କୁ ଉଦ୍ଧାର କର ଓ ଆମ୍ଭମାନଙ୍କ ପାପସବୁ ମାର୍ଜନା କର।

10ଅନ୍ୟ ଦେଶୀୟମାନେ କାହିଁକି କହିବେ, “ସେମାନଙ୍କର ପରମେଶ୍ୱର କାହାନ୍ତି ?”

ତୁମ୍ଭ ଦାସଗଣର ଯେଉଁ ରକ୍ତ ପାତିତ ହୋଇଅଛି,

ତହିଁର ପ୍ରତିଫଳ ଆମ୍ଭମାନଙ୍କ ସାକ୍ଷାତରେ ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ ପ୍ରକାଶିତ ହେଉ।

11ବନ୍ଦୀର ହାହାକାର ତୁମ୍ଭ ଛାମୁରେ ଉପସ୍ଥିତ ହେଉ;

ତୁମ୍ଭ ପରାକ୍ରମର ମହତ୍ତ୍ୱାନୁସାରେ ମରଣାର୍ଥେ ନିରୂପିତ ଲୋକମାନଙ୍କୁ ରକ୍ଷା କର।

12ପୁଣି, ହେ ପ୍ରଭୁ, ଆମ୍ଭମାନଙ୍କ ପ୍ରତିବାସୀଗଣ ତୁମ୍ଭଙ୍କୁ ଯେଉଁ ନିନ୍ଦା କରିଅଛନ୍ତି,

ସେହି ନିନ୍ଦାର ସାତ ଗୁଣ ପ୍ରତିଫଳ ସେମାନଙ୍କ କ୍ରୋଡ଼ରେ ଦିଅ।

13ତହିଁରେ ତୁମ୍ଭର ଲୋକ ଓ ତୁମ୍ଭ ଚରାସ୍ଥାନର ମେଷ ଯେ ଆମ୍ଭେମାନେ,

ଆମ୍ଭେମାନେ ସଦାକାଳ ତୁମ୍ଭର ଧନ୍ୟବାଦ କରିବା;

ଆମ୍ଭେମାନେ ସମସ୍ତ ପିଢ଼ି ପ୍ରତି ତୁମ୍ଭର ପ୍ରଶଂସା ପ୍ରକାଶ କରିବା।

80

ଜାତିର ପୁନରୁଦ୍ଧାର ପାଇଁ ପ୍ରାର୍ଥନା

ପ୍ରଧାନ ବାଦ୍ୟକର ନିମନ୍ତେ ଶୋଶନ୍ନୀମ୍‍-ଏଦୂତ୍‍ ସ୍ୱରରେ ଆସଫର ଗୀତ।

1ହେ ଇସ୍ରାଏଲର ପାଳକ,

ମେଷପଲ ତୁଲ୍ୟ ଯୋଷେଫକୁ ଚଳାଅ ଯେ ତୁମ୍ଭେ, ତୁମ୍ଭେ କର୍ଣ୍ଣପାତ କର;

କିରୂବମାନଙ୍କ ଉପରେ ଉପବିଷ୍ଟ ଯେ ତୁମ୍ଭେ, ତୁମ୍ଭେ ପ୍ରକାଶମାନ ହୁଅ।

2ଇଫ୍ରୟିମ, ବିନ୍ୟାମୀନ୍ ଓ ମନଃଶିର ସାକ୍ଷାତରେ ଆପଣା ପରାକ୍ରମ ଉତ୍ତେଜିତ କର

ଓ ଆମ୍ଭମାନଙ୍କ ପରିତ୍ରାଣାର୍ଥେ ଆଗମନ କର।

3ହେ ପରମେଶ୍ୱର, ଆମ୍ଭମାନଙ୍କୁ ଫେରାଅ ଓ

ଆପଣା ମୁଖର ତେଜ ପ୍ରକାଶ କର, ତହିଁରେ ଆମ୍ଭେମାନେ ପରିତ୍ରାଣ ପାଇବୁ।

4ହେ ସଦାପ୍ରଭୁ, ସୈନ୍ୟାଧିପତି ପରମେଶ୍ୱର,

ତୁମ୍ଭ ଲୋକମାନଙ୍କ ପ୍ରାର୍ଥନା ପ୍ରତିକୂଳରେ ତୁମ୍ଭେ କେତେ କାଳ କ୍ରୁଦ୍ଧ ହୋଇଥିବ ?

5ତୁମ୍ଭେ ସେମାନଙ୍କୁ ଲୋତକରୂପ ଭକ୍ଷ୍ୟ ଖୁଆଇଅଛ

ଓ ସେମାନଙ୍କୁ ବହୁ ପରିମାଣରେ ଲୋତକ ପାନ କରିବାକୁ ଦେଇଅଛ।

6ତୁମ୍ଭେ ଆମ୍ଭମାନଙ୍କ ପ୍ରତିବାସୀଗଣ ନିକଟରେ

ଆମ୍ଭମାନଙ୍କୁ ବିରୋଧର କାରଣ କରୁଅଛ;

ପୁଣି, ଆମ୍ଭମାନଙ୍କ ଶତ୍ରୁମାନେ ଆପଣାମାନଙ୍କ ମଧ୍ୟରେ ଉପହାସ କରନ୍ତି।

7ହେ ସୈନ୍ୟାଧିପତି ପରମେଶ୍ୱର, ଆମ୍ଭମାନଙ୍କୁ ଫେରାଅ

ଓ ଆପଣା ମୁଖର ତେଜ ପ୍ରକାଶ କର, ତହିଁରେ ଆମ୍ଭେମାନେ ପରିତ୍ରାଣ ପାଇବୁ।

8ତୁମ୍ଭେ ମିସରରୁ ଗୋଟିଏ ଦ୍ରାକ୍ଷାଲତା ଆଣିଲ;

ତୁମ୍ଭେ ଗୋଷ୍ଠୀୟମାନଙ୍କୁ ତଡ଼ି ଦେଇ ତାହା ରୋପଣ କଲ।

9ତୁମ୍ଭେ ତାହା ସମ୍ମୁଖରେ ସ୍ଥାନ ପ୍ରସ୍ତୁତ କଲ,

ତହିଁରେ ତାହା ବଦ୍ଧମୂଳ ହୋଇ ଦେଶସାରା ବ୍ୟାପିଗଲା।

10ତାହାର ଛାୟାରେ ପର୍ବତଗଣ ଆବୃତ ହେଲେ

ଓ ତାହାର ଶାଖାସବୁ ପରମେଶ୍ୱରଙ୍କ ଏରସବୃକ୍ଷ ତୁଲ୍ୟ ହେଲେ।

11ତାହା ସମୁଦ୍ର ପର୍ଯ୍ୟନ୍ତ ଆପଣା ଶାଖା ଓ

ନଦୀ ପର୍ଯ୍ୟନ୍ତ ଆପଣା ପଲ୍ଲବ ବିସ୍ତାର କଲା।

12କାହିଁକି ତୁମ୍ଭେ ତାହାର ବେଢ଼ା ଭାଙ୍ଗି ପକାଇଅଛ ଯେ,

ପଥିକସବୁ ତାହା ଛିଣ୍ଡାଇ ପକାଉ ଅଛନ୍ତି ?

13ବନରୁ ବରାହ ଆସି ତାହା ଉଜାଡ଼ି ପକାଏ

ଓ ବିଲର ପଶୁଗଣ ତାହା ଖାଇଯା’ନ୍ତି।

14ହେ ସୈନ୍ୟାଧିପତି ପରମେଶ୍ୱର,

ଆମ୍ଭେମାନେ ବିନୟ କରୁଅଛୁ, ଫେର; ସ୍ୱର୍ଗରୁ ନିରୀକ୍ଷଣ କର ଓ ଦୃଷ୍ଟିପାତ କରି ଏହି ଦ୍ରାକ୍ଷାଲତାର

15ଓ ତୁମ୍ଭ ଦକ୍ଷିଣ ହସ୍ତ ଦ୍ୱାରା ସ୍ଥାପିତ ଗଣ୍ଡିର

ଓ ଆପଣା ନିମନ୍ତେ ତୁମ୍ଭ ସବଳୀକୃତ ଶାଖାର ତତ୍ତ୍ୱ ନିଅ।

16ତାହା ଅଗ୍ନିରେ ଦଗ୍ଧ, ତାହା ଛେଦିତ ହୋଇଅଛି;

ତୁମ୍ଭ ମୁଖର ତର୍ଜ୍ଜନରେ ଲୋକମାନେ ବିନଷ୍ଟ ହେଉଅଛନ୍ତି।

17ତୁମ୍ଭ ଦକ୍ଷିଣ ହସ୍ତର ମନୁଷ୍ୟ ଉପରେ,

ଆପଣା ନିମନ୍ତେ ସବଳୀକୃତ ମନୁଷ୍ୟପୁତ୍ର ଉପରେ ତୁମ୍ଭର ହସ୍ତ ଥାଉ।

18ତହିଁରେ ଆମ୍ଭେମାନେ ତୁମ୍ଭଠାରୁ ଫେରି ଯିବା ନାହିଁ;

ତୁମ୍ଭେ ଆମ୍ଭମାନଙ୍କୁ ସଜୀବ କର, ତହୁଁ ଆମ୍ଭେମାନେ ତୁମ୍ଭ ନାମରେ ପ୍ରାର୍ଥନା କରିବା।

19ହେ ସଦାପ୍ରଭୁ, ସୈନ୍ୟାଧିପତି ପରମେଶ୍ୱର, ଆମ୍ଭମାନଙ୍କୁ ଫେରାଅ;

ଆପଣା ମୁଖର ତେଜ ପ୍ରକାଶ କର, ତହିଁରେ ଆମ୍ଭେମାନେ ପରିତ୍ରାଣ ପାଇବୁ।

81

ଉତ୍ସବ ସଙ୍ଗୀତ

ପ୍ରଧାନ ବାଦ୍ୟକର ନିମନ୍ତେ ଗିତ୍ତୀତ୍‍ ସ୍ୱରରେ ଆସଫର ଗୀତ।

1ଆମ୍ଭମାନଙ୍କ ବଳ ସ୍ୱରୂପ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଉଚ୍ଚସ୍ୱରରେ ଗାନ କର;

ଯାକୁବର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଜୟଧ୍ୱନି କର।

2ଗୀତ ଉଠାଅ ଓ ଦାରା,

ନେବଲ ସହିତ ମନୋହର ବୀଣାଯନ୍ତ୍ର ଆଣ।

3ଅମାବାସ୍ୟାରେ, ପୂର୍ଣ୍ଣିମାରେ,

ଆମ୍ଭମାନଙ୍କ ମହୋତ୍ସବ ଦିନରେ ତୂରୀ ବଜାଅ।

4କାରଣ ତାହା ଇସ୍ରାଏଲ ନିମନ୍ତେ ବିଧି ଓ

ଯାକୁବର ପରମେଶ୍ୱରଙ୍କ ବିଧାନ ଅଟେ।

5ସେ ମିସର ଦେଶ ବିରୁଦ୍ଧରେ ବାହାରିବା ବେଳେ

ଯୋଷେଫ ମଧ୍ୟରେ ସାକ୍ଷ୍ୟ ନିମନ୍ତେ ତାହା ସ୍ଥାପନ କଲେ;

ସେଠାରେ ଆମ୍ଭେ ଆପଣାର ଅଜ୍ଞାତ ବାଣୀ ଶୁଣିଲୁ।

6ଆମ୍ଭେ ତାହାର ସ୍କନ୍ଧ ଭାରରୁ ଘୁଞ୍ଚାଇ ଦେଲୁ;

ତାହାର ହସ୍ତ ଟୋକାଇରୁ ମୁକ୍ତ ହେଲା।

7ତୁମ୍ଭେ ସଙ୍କଟ ବେଳେ ଡାକିଲ, ତହୁଁ ଆମ୍ଭେ ତୁମ୍ଭକୁ ଉଦ୍ଧାର କଲୁ;

ଆମ୍ଭେ ମେଘଗର୍ଜ୍ଜନର ଗୁପ୍ତ ସ୍ଥାନରେ ତୁମ୍ଭକୁ ଉତ୍ତର ଦେଲୁ;

ଆମ୍ଭେ ମିରୀବାଃ ଜଳ ନିକଟରେ ତୁମ୍ଭକୁ ପରୀକ୍ଷା କଲୁ। [ସେଲା]

8ହେ ଆମ୍ଭର ଲୋକ, ଶୁଣ, ଆମ୍ଭେ ତୁମ୍ଭ ନିକଟରେ ସାକ୍ଷ୍ୟ ଦେବା;

ହେ ଇସ୍ରାଏଲ, ଯଦି ତୁମ୍ଭେ ଆମ୍ଭ କଥା ଶୁଣନ୍ତ !

9ତୁମ୍ଭ ମଧ୍ୟରେ ଅନ୍ୟ କୌଣସି ଦେବତା ରହିବ ନାହିଁ;

କିଅବା ତୁମ୍ଭେ ଅନ୍ୟ କୌଣସି ଦେବତାକୁ ପ୍ରଣାମ କରିବ ନାହିଁ।

10ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର,

ଆମ୍ଭେ ତୁମ୍ଭକୁ ମିସର ଦେଶରୁ ବାହାର କରି ଆଣିଲୁ;

ଆପଣା ମୁଖ ବଡ଼ କରି ମେଲାଅ, ଆମ୍ଭେ ତାହା ପୂର୍ଣ୍ଣ କରିବା।

11ମାତ୍ର ଆମ୍ଭ ଲୋକେ ଆମ୍ଭ ରବ ଶୁଣିଲେ ନାହିଁ ଓ

ଇସ୍ରାଏଲ ଆମ୍ଭଙ୍କୁ ଚାହିଁଲା ନାହିଁ।

12ତହିଁରେ ସେମାନେ ଯେପରି ଆପଣା ଆପଣା ମନ୍ତ୍ରଣାନୁସାରେ ଚାଲିବେ,

ଏଥିପାଇଁ ଆମ୍ଭେ ସେମାନଙ୍କୁ ସେମାନଙ୍କ ହୃଦୟର କଠିନତାନୁସାରେ ଛାଡ଼ି ଦେଲୁ।

13ଆହା, ଯଦି ଆମ୍ଭ ଲୋକେ ଆମ୍ଭର କଥା ଶୁଣନ୍ତେ !

ଯଦି ଇସ୍ରାଏଲ ଆମ୍ଭ ପଥରେ ଚାଲନ୍ତା !

14ଆମ୍ଭେ ଶୀଘ୍ର ସେମାନଙ୍କ ଶତ୍ରୁଗଣକୁ ଦମନ କରନ୍ତୁ

ଓ ସେମାନଙ୍କ ବିପକ୍ଷଗଣର ପ୍ରତିକୂଳରେ ଆପଣା ହସ୍ତ ଫେରାନ୍ତୁ।

15ସଦାପ୍ରଭୁଙ୍କ ଘୃଣାକାରୀମାନେ ତାହାଙ୍କର ବଶତା ସ୍ୱୀକାର କରନ୍ତେ;

ମାତ୍ର ସେମାନଙ୍କର ସମୟ ସଦାକାଳ ରହନ୍ତା।

16ଆହୁରି, ସେ ଉତ୍ତମ ଗହମରେ ସେମାନଙ୍କୁ ପ୍ରତିପୋଷଣ କରନ୍ତେ

ଓ ଆମ୍ଭେ ଶୈଳରୁ ମଧୁ ଦେଇ ତୁମ୍ଭକୁ ପରିତୃପ୍ତ କରନ୍ତୁ।

82

ପରମେଶ୍ୱର ସର୍ବୋପରିସ୍ଥ ରାଜା

ଆସଫର ଗୀତ।

1ପରମେଶ୍ୱର ପରମେଶ୍ୱରଙ୍କ ମଣ୍ଡଳୀ ମଧ୍ୟରେ ବସଅଛିନ୍ତି;

ସେ ଦେବତାମାନଙ୍କ82:1 ଦେବତାମାନଙ୍କ ଦୂତଗଣ କିଅବା ସ୍ବର୍ଗର ଆରାଧକମାନଙ୍କୁ ବିଚାର କରନ୍ତି।

2ତୁମ୍ଭେମାନେ କେତେ କାଳ ଅନ୍ୟାୟ ବିଚାର କରିବ ?

ଓ ଦୁଷ୍ଟମାନଙ୍କର ମୁଖାପେକ୍ଷା କରିବ ? [ସେଲା]

3ତୁମ୍ଭେମାନେ ଦରିଦ୍ର ଓ ପିତୃହୀନମାନଙ୍କର ବିଚାର କର;

ଦୁଃଖୀ ଓ ଅକିଞ୍ଚନମାନଙ୍କ ପ୍ରତି ନ୍ୟାୟ ବ୍ୟବହାର କର।

4ଦରିଦ୍ର ଓ ଦୀନହୀନମାନଙ୍କୁ ରକ୍ଷା କର;

ଦୁଷ୍ଟଗଣର ହସ୍ତରୁ ସେମାନଙ୍କୁ ଉଦ୍ଧାର କର।

5ସେମାନେ ଜାଣନ୍ତି ନାହିଁ କିଅବା ବୁଝନ୍ତି ନାହିଁ;

ସେମାନେ ଅନ୍ଧକାରରେ ଏଣେତେଣେ ଭ୍ରମଣ କରନ୍ତି;

ପୃଥିବୀର ସକଳ ଭିତ୍ତିମୂଳ ବିଚଳିତ ହୁଏ।

6ମୁଁ କହିଲି, “ତୁମ୍ଭେମାନେ ଈଶ୍ୱରଗଣ ଓ

ତୁମ୍ଭେ ସମସ୍ତେ ସର୍ବୋପରିସ୍ଥଙ୍କ ସନ୍ତାନ।

7ତଥାପି ତୁମ୍ଭେମାନେ ମନୁଷ୍ୟ ପରି ମରିବ ଓ

ଜଣେ ଅଧିପତି ତୁଲ୍ୟ ପତିତ ହେବ।”

8ହେ ପରମେଶ୍ୱର, ଉଠ, ପୃଥିବୀର ବିଚାର କର;

କାରଣ ତୁମ୍ଭେ ସବୁ ଗୋଷ୍ଠୀମାନଙ୍କୁ ଅଧିକାର କରିବ।

83

ଇସ୍ରାଏଲର ଶତ୍ରୁମାନଙ୍କର ପରାଜୟ ପାଇଁ ପ୍ରାର୍ଥନା

ଗୀତ, ଆସଫର ଗୀତ।

1ହେ ପରମେଶ୍ୱର, ତୁମ୍ଭେ ମୌନୀ ହୋଇ ରୁହ ନାହିଁ;

ହେ ପରମେଶ୍ୱର, ନୀରବ ଓ ନିରସ୍ତ ହୁଅ ନାହିଁ।

2କାରଣ ଦେଖ, ତୁମ୍ଭ ଶତ୍ରୁଗଣ ଗଣ୍ଡଗୋଳ କରନ୍ତି

ଓ ତୁମ୍ଭଙ୍କୁ ଘୃଣା କରିବା ଲୋକମାନେ ମସ୍ତକ ଉଠାଇ ଅଛନ୍ତି।

3ସେମାନେ ତୁମ୍ଭ ଲୋକମାନଙ୍କ ବିରୁଦ୍ଧରେ କୁଟିଳ ମନ୍ତ୍ରଣା କରନ୍ତି

ଓ ତୁମ୍ଭର ଗୁପ୍ତ ଲୋକମାନଙ୍କ ପ୍ରତିକୂଳରେ ପରସ୍ପର ପରାମର୍ଶ କରନ୍ତି।

4ସେମାନେ କହିଅଛନ୍ତି, “ଇସ୍ରାଏଲର ନାମ ଯେପରି

ଆଉ ସ୍ମରଣରେ ନ ରହିବ, ଏଥିପାଇଁ ଆସ, ଆମ୍ଭେମାନେ

ସେମାନଙ୍କୁ ଉଚ୍ଛିନ୍ନ କରି ଆଉ ଗୋଷ୍ଠୀ ହୋଇ ଥିବାକୁ ନ ଦେଉ।”

5କାରଣ ସେମାନେ ଏକଚିତ୍ତ ହୋଇ ପରାମର୍ଶ କରିଅଛନ୍ତି;

6ଇଦୋମର ତମ୍ବୁ-ନିବାସୀମାନେ, ଇଶ୍ମାୟେଲୀୟମାନେ, ମୋୟାବ, ହାଗରୀୟମାନେ,

7ଗବାଲ, ଅମ୍ମୋନ, ଅମାଲେକ୍‍ ଓ ସୋରନି ବାସୀମାନଙ୍କ ସହିତ

ପଲେଷ୍ଟୀୟା, ସମସ୍ତେ ତୁମ୍ଭ ବିରୁଦ୍ଧରେ ନିୟମ ସ୍ଥାପନ କରିଅଛନ୍ତି।

8ଅଶୂରୀୟ ମଧ୍ୟ ସେମାନଙ୍କ ସଙ୍ଗେ ଯୋଗ ଦେଇଅଛି;

ସେମାନେ ଲୋଟର ବଂଶକୁ ସାହାଯ୍ୟ କରିଅଛନ୍ତି। [ସେଲା]

9ମିଦୀୟନ ଦେଶ ପ୍ରତି, କୀଶୋନ୍‍ ନଦୀ ନିକଟରେ ସୀଷରା

ପ୍ରତି, ଯାବୀନ୍‍ ପ୍ରତି ଯେରୂପ, ସେରୂପ ସେମାନଙ୍କ ପ୍ରତି କର।

10ସେମାନେ ଐନ୍‍-ଦୋର ନିକଟରେ ବିନଷ୍ଟ ହେଲେ;

ସେମାନେ ଭୂମି ପାଇଁ ଖତ ସ୍ୱରୂପ ହେଲେ।

11ତୁମ୍ଭେ ସେମାନଙ୍କ ପ୍ରଧାନବର୍ଗକୁ ଓରେବ୍‍ ଓ ସେବ୍‍ର ସମାନ,

ସେମାନଙ୍କ ଅଧିପତି ସମସ୍ତଙ୍କୁ ହିଁ ସେବହ ଓ ସଲମୁନ୍ନର ସମାନ କର;

12ସେମାନେ କହିଲେ, “ଆସ, ଆମ୍ଭେମାନେ

ପରମେଶ୍ୱରଙ୍କ ନିବାସ-ସ୍ଥାନସବୁ ଆପଣା ଆପଣା ଅଧିକାରରେ ନେଉ।”

13ହେ ମୋହର ପରମେଶ୍ୱର, ତୁମ୍ଭେ ସେମାନଙ୍କୁ

ଘୂର୍ଣ୍ଣାୟମାନ ଧୂଳି ପରି, ବାୟୁ ସମ୍ମୁଖରେ କୁଟା ପରି କର।

14ଯେଉଁ ଅଗ୍ନି ବନକୁ ଦଗ୍ଧ କରେ ଓ

ଯେଉଁ ଅଗ୍ନିଶିଖା ପର୍ବତଗଣକୁ ପ୍ରଜ୍ୱଳିତ କରେ;

15ତାହା ପରି ତୁମ୍ଭେ ଆପଣା ଝଡ଼ ଦ୍ୱାରା ସେମାନଙ୍କ ପଛେ ପଛେ ଗୋଡ଼ାଅ

ଓ ଆପଣା ପ୍ରଚଣ୍ଡ ବତାସ ଦ୍ୱାରା ସେମାନଙ୍କୁ ଭୟଗ୍ରସ୍ତ କର।

16ହେ ସଦାପ୍ରଭୁ, ସେମାନେ ଯେପରି ତୁମ୍ଭ ନାମ ଅନ୍ୱେଷଣ କରିବେ,

ଏଥିପାଇଁ ସେମାନଙ୍କ ମୁଖକୁ ଲଜ୍ଜାରେ ପୂର୍ଣ୍ଣ କର;

17ସେମାନେ ସଦାକାଳ ଲଜ୍ଜିତ ଓ ବିହ୍ୱଳ ହେଉନ୍ତୁ;

ସେମାନେ ହତାଶ ଓ ବିନଷ୍ଟ ହେଉନ୍ତୁ;

18ତହିଁରେ ସଦାପ୍ରଭୁ ନାମରେ ଖ୍ୟାତ ଯେ ତୁମ୍ଭେ,

କେବଳ ତୁମ୍ଭେ ଯେ ସମୁଦାୟ ଭୂମଣ୍ଡଳରେ ସର୍ବୋପରିସ୍ଥ ଅଟ, ଏହା ସେମାନେ ଜାଣି ପାରିବେ।

84

ସଦାପ୍ରଭୁଙ୍କ ଗୃହ ପ୍ରତି ଆଗ୍ରହ

ପ୍ରଧାନ ବାଦ୍ୟକର ନିମନ୍ତେ ଗିତ୍ତୀତ୍‍ ସ୍ୱରରେ କୋରହ-ସନ୍ତାନଗଣର ଗୀତ।

1ହେ ସୈନ୍ୟାଧିପତି ସଦାପ୍ରଭୁ,

ତୁମ୍ଭର ଆବାସ କିପରି ପ୍ରିୟତମ !

2ସଦାପ୍ରଭୁଙ୍କ ପ୍ରାଙ୍ଗଣ ନିମନ୍ତେ ମୋହର ପ୍ରାଣ ଲାଳସା କରେ, ମଧ୍ୟ ମୂର୍ଚ୍ଛିତ ହୁଏ;

ମୋହର ହୃଦୟ ଓ ଶରୀର ଜୀବିତ ପରମେଶ୍ୱରଙ୍କ ନିମନ୍ତେ ଡକା ଛାଡ଼ଇ।

3ହଁ, ଘରଚଟିଆ ଆପଣା ପାଇଁ ଏକ ଗୃହ ଓ

ଖଞ୍ଜନପକ୍ଷୀ ଛୁଆ ରଖିବା ନିମନ୍ତେ ଆପଣା ପାଇଁ ଏକ ବସା ପାଇଅଛି,

ହେ ସୈନ୍ୟାଧିପତି ସଦାପ୍ରଭୁ, ମୋହର ରାଜନ୍‍ ଓ

ମୋହର ପରମେଶ୍ୱର, ତୁମ୍ଭର ଯଜ୍ଞବେଦି ସେହି ସ୍ଥାନ,

4ଯେଉଁମାନେ ତୁମ୍ଭ ଗୃହରେ ବାସ କରନ୍ତି, ସେମାନେ ଧନ୍ୟ;

ସେମାନେ ନିରନ୍ତର ତୁମ୍ଭର ପ୍ରଶଂସା କରୁଥିବେ। [ସେଲା]

5ଯାହାର ବଳ ତୁମ୍ଭଠାରେ ଥାଏ, ଯାହାର ହୃଦୟରେ

ସିୟୋନଗାମୀ ରାଜପଥ ଥାଏ, ସେ ଲୋକ ଧନ୍ୟ।

6ସେମାନେ କ୍ରନ୍ଦନ ଉପତ୍ୟକାରେ ଗମନ କରୁ କରୁ ତାହାକୁ ଝରଣା ସ୍ଥାନ କରନ୍ତି;

ଆଦ୍ୟ ବୃଷ୍ଟି ନାନା ମଙ୍ଗଳରେ ତାହା ଭୂଷିତ କରେ।

7ସେମାନେ ଉତ୍ତରୋତ୍ତର ବଳବାନ ହୋଇ ଅଗ୍ରସର ହୁଅନ୍ତି,

ସେମାନଙ୍କର ପ୍ରତ୍ୟେକ ଲୋକ ସିୟୋନରେ ପରମେଶ୍ୱରଙ୍କ ଛାମୁରେ ଉପସ୍ଥିତ ହୁଅନ୍ତି।

8ହେ ସଦାପ୍ରଭୁ, ସୈନ୍ୟାଧିପତି ପରମେଶ୍ୱର, ମୋହର ପ୍ରାର୍ଥନା ଶୁଣ;

ହେ ଯାକୁବର ପରମେଶ୍ୱର, କର୍ଣ୍ଣପାତ କର। [ସେଲା]

9ହେ ଆମ୍ଭମାନଙ୍କ ଢାଲ ସ୍ୱରୂପ ପରମେଶ୍ୱର, ଦୃଷ୍ଟିପାତ କର

ଓ ଆପଣା ଅଭିଷିକ୍ତଙ୍କ ମୁଖକୁ ଅନାଅ।

10କାରଣ ସହସ୍ର ଦିନ ଅପେକ୍ଷା ତୁମ୍ଭ ପ୍ରାଙ୍ଗଣରେ ଏକ ଦିନ ଭଲ;

ଦୁଷ୍ଟତାର ତମ୍ବୁରେ ବାସ କରିବା ଅପେକ୍ଷା ଆମ୍ଭ

ପରମେଶ୍ୱରଙ୍କ ଗୃହରେ ଦ୍ୱାରୀ ହେବାର ବରଞ୍ଚ ଆମ୍ଭେ ଭଲ ଜାଣୁ।

11କାରଣ ସଦାପ୍ରଭୁ ପରମେଶ୍ୱର ସୂର୍ଯ୍ୟ ଓ ଢାଲ ଅଟନ୍ତି;

ସଦାପ୍ରଭୁ ଅନୁଗ୍ରହ ଓ ଗୌରବ ଦେବେ;

ସେ ସରଳାଚାରୀମାନଙ୍କଠାରୁ କୌଣସି ମଙ୍ଗଳ ବିଷୟ ଅଟକାଇବେ ନାହିଁ।

12ହେ ସୈନ୍ୟାଧିପତି ପରମେଶ୍ୱର,

ଯେଉଁ ଲୋକ ତୁମ୍ଭଠାରେ ଶରଣ ନିଏ, ସେ ଧନ୍ୟ।

85

ଜାତିର ମଙ୍ଗଳାର୍ଥେ ପ୍ରାର୍ଥନା

ପ୍ରଧାନ ବାଦ୍ୟକର ନିମନ୍ତେ କୋରହ ସନ୍ତାନଗଣର ଗୀତ।

1ହେ ସଦାପ୍ରଭୁ, ତୁମ୍ଭେ ନିଜ ଦେଶ ପ୍ରତି ପ୍ରସନ୍ନ ହୋଇଅଛ;

ତୁମ୍ଭେ ଯାକୁବର ବନ୍ଦୀଦଶା ଫେରାଇଅଛ।

2ତୁମ୍ଭେ ଆପଣା ଲୋକମାନଙ୍କ ଅପରାଧ କ୍ଷମା କରିଅଛ,

ତୁମ୍ଭେ ସେମାନଙ୍କ ପାପସବୁ ଆଚ୍ଛାଦନ କରିଅଛ। [ସେଲା]

3ତୁମ୍ଭେ ଆପଣା ସମସ୍ତ କୋପରୁ ନିବୃତ୍ତ ହୋଇଅଛ;

ତୁମ୍ଭେ ଆପଣା କ୍ରୋଧର ପ୍ରଚଣ୍ଡତାରୁ ବିମୁଖ ହୋଇଅଛ।

4ହେ ଆମ୍ଭମାନଙ୍କ ପରିତ୍ରାଣର ପରମେଶ୍ୱର, ଆମ୍ଭମାନଙ୍କୁ ଫେରାଅ

ଓ ଆମ୍ଭମାନଙ୍କ ପ୍ରତି ତୁମ୍ଭ ବିରକ୍ତି ନିବୃତ୍ତ କର।

5ତୁମ୍ଭେ କି ସଦାକାଳ ଆମ୍ଭମାନଙ୍କ ଉପରେ କ୍ରୁଦ୍ଧ ହେବ ?

ତୁମ୍ଭେ କି ପୁରୁଷ-ପରମ୍ପରା ପ୍ରତି ଆପଣା କ୍ରୋଧ ରଖିଥିବ ?

6ତୁମ୍ଭର ଲୋକମାନେ ଯେପରି ତୁମ୍ଭଠାରେ ଆନନ୍ଦ କରିବେ,

ଏଥିପାଇଁ ତୁମ୍ଭେ କି ପୁନର୍ବାର ଆମ୍ଭମାନଙ୍କୁ ସଜୀବ କରିବ ନାହିଁ ?

7ହେ ସଦାପ୍ରଭୁ, ଆମ୍ଭମାନଙ୍କ ପ୍ରତି ଆପଣା ଦୟା ପ୍ରକାଶ କର

ଓ ଆମ୍ଭମାନଙ୍କୁ ତୁମ୍ଭ ପରିତ୍ରାଣ ପ୍ରଦାନ କର।

8ସଦାପ୍ରଭୁ ପରମେଶ୍ୱର ଯାହା କହିବେ, ତାହା ଆମ୍ଭେ ଶୁଣିବୁ;

କାରଣ ସେ ଆପଣା ଲୋକମାନଙ୍କୁ ଓ ଆପଣା ସଦ୍‍ଭକ୍ତମାନଙ୍କୁ ଶାନ୍ତିର କଥା କହିବେ;

ମାତ୍ର ସେମାନେ ପୁନର୍ବାର ମୂର୍ଖତା ପ୍ରତି ନ ଫେରନ୍ତୁ।

9ଯେପରି ଆମ୍ଭମାନଙ୍କ ଦେଶରେ ଗୌରବ ବାସ କରିବ,

ଏଥିପାଇଁ ନିଶ୍ଚୟ ତାହାଙ୍କ ଭୟକାରୀମାନଙ୍କ ନିକଟରେ ତାହାଙ୍କ ପରିତ୍ରାଣ ଅଛି।

10ଦୟା ଓ ସତ୍ୟତା ପରସ୍ପର ମିଳିତ ହୋଇଅଛନ୍ତି;

ଧର୍ମ ଓ ଶାନ୍ତି ପରସ୍ପର ଚୁମ୍ବନ କରିଅଛନ୍ତି।

11ପୃଥିବୀରୁ ସତ୍ୟତା ଅଙ୍କୁରିତ ହେଉଅଛି;

ପୁଣି, ଧାର୍ମିକତା ସ୍ୱର୍ଗରୁ ଦୃଷ୍ଟିପାତ କରିଅଛି।

12ସଦାପ୍ରଭୁ ମଙ୍ଗଳ ପ୍ରଦାନ କରିବେ;

ତହିଁରେ ଆମ୍ଭମାନଙ୍କ ଦେଶ ଫଳ ଉତ୍ପନ୍ନ କରିବ।

13ଧର୍ମ ତାହାଙ୍କର ଆଗେ ଆଗେ ଯିବ ଓ

ତାହାଙ୍କ ପଦଚିହ୍ନକୁ ଗମନର ପଥ କରିବ।

86

ସହାୟତା ପାଇଁ ପ୍ରାର୍ଥନା

ଦାଉଦଙ୍କର ପ୍ରାର୍ଥନା।

1ହେ ସଦାପ୍ରଭୁ, କର୍ଣ୍ଣ ଡେରି ମୋତେ ଉତ୍ତର ଦିଅ;

କାରଣ ମୁଁ ଦରିଦ୍ର ଓ ଦୀନହୀନ।

2ମୋହର ପ୍ରାଣ ରକ୍ଷା କର; ଯେହେତୁ ମୁଁ ଈଶ୍ୱରପରାୟଣ;

ହେ ମୋହର ପରମେଶ୍ୱର, ତୁମ୍ଭଠାରେ ଭରସାକାରୀ ଦାସର ପରିତ୍ରାଣ କର।

3ହେ ପ୍ରଭୁ, ମୋ’ ପ୍ରତି ଦୟାଳୁ ହୁଅ;

କାରଣ ମୁଁ ସାରାଦିନ ତୁମ୍ଭ ନିକଟରେ ଡାକ ପକାଏ।

4ଆପଣା ଦାସର ପ୍ରାଣ ଆନନ୍ଦିତ କର;

କାରଣ ହେ ପ୍ରଭୁ, ମୁଁ ତୁମ୍ଭଆଡ଼େ ଆପଣା ପ୍ରାଣ ଉଠାଏ।

5ଯେହେତୁ ହେ ପ୍ରଭୁ, ତୁମ୍ଭେ ମଙ୍ଗଳମୟ ଓ କ୍ଷମା କରିବାକୁ ପ୍ରସ୍ତୁତ,

ପୁଣି, ତୁମ୍ଭ ନିକଟରେ ପ୍ରାର୍ଥନାକାରୀ ସମସ୍ତଙ୍କ ପ୍ରତି ଦୟାରେ ମହାନ।

6ହେ ସଦାପ୍ରଭୁ, ମୋ’ ପ୍ରାର୍ଥନାରେ କର୍ଣ୍ଣପାତ କର

ଓ ମୋ’ ନିବେଦନର ରବରେ ମନୋଯୋଗ କର।

7ମୋହର ସଙ୍କଟ ଦିନରେ ମୁଁ ତୁମ୍ଭଙ୍କୁ ଡାକିବି;

କାରଣ ତୁମ୍ଭେ ମୋତେ ଉତ୍ତର ଦେବ।

8ହେ ପ୍ରଭୁ, ଦେବଗଣ ମଧ୍ୟରେ ତୁମ୍ଭ ତୁଲ୍ୟ କେହି ନାହିଁ;

କିଅବା ତୁମ୍ଭ କର୍ମ ତୁଲ୍ୟ ଆଉ କୌଣସି କର୍ମ ନାହିଁ।

9ହେ ପ୍ରଭୁ, ତୁମ୍ଭର ସୃଷ୍ଟ ସକଳ ଦେଶୀୟ ଲୋକ ଆସି ତୁମ୍ଭ ଛାମୁରେ ପ୍ରଣାମ କରିବେ

ଓ ସେମାନେ ତୁମ୍ଭ ନାମର ଗୌରବ କରିବେ।

10କାରଣ ତୁମ୍ଭେ ମହାନ ଓ ଆଶ୍ଚର୍ଯ୍ୟକର୍ମ କରୁଥାଅ।

ତୁମ୍ଭେ ଏକମାତ୍ର ପରମେଶ୍ୱର ଅଟ।

11ହେ ସଦାପ୍ରଭୁ, ତୁମ୍ଭର ପଥ ମୋତେ ଶିଖାଅ, ମୁଁ ତୁମ୍ଭ ସତ୍ୟତାରେ ଗମନ କରିବି;

ତୁମ୍ଭ ନାମକୁ ଭୟ କରିବା ପାଇଁ ମୋତେ ଏକମନା କର।

12ହେ ପ୍ରଭୁ, ମୋ’ ପରମେଶ୍ୱର, ମୁଁ ସର୍ବାନ୍ତଃକରଣରେ ତୁମ୍ଭର ପ୍ରଶଂସା କରିବି

ଓ ମୁଁ ଅନନ୍ତକାଳ ତୁମ୍ଭ ନାମର ଗୌରବ କରିବି।

13କାରଣ ମୋ’ ପ୍ରତି ତୁମ୍ଭର ଦୟା ମହତ୍‍;

ପୁଣି, ତୁମ୍ଭେ ନୀଚସ୍ଥ ପାତାଳରୁ ମୋ’ ପ୍ରାଣକୁ ଉଦ୍ଧାର କରିଅଛ।

14ହେ ପରମେଶ୍ୱର, ଅହଙ୍କାରୀମାନେ ମୋ’ ବିରୁଦ୍ଧରେ ଉଠିଅଛନ୍ତି,

ଦୁରନ୍ତ ଲୋକଙ୍କ ମଣ୍ଡଳୀ ମୋ’ ପ୍ରାଣ ଚାହିଁଅଛନ୍ତି,

ସେମାନେ ଆପଣା ଆପଣା ସମ୍ମୁଖରେ ତୁମ୍ଭଙ୍କୁ ରଖି ନାହାନ୍ତି।

15ମାତ୍ର ହେ ପ୍ରଭୁ, ତୁମ୍ଭେ ସ୍ନେହଶୀଳ ଓ କୃପାବାନ ପରମେଶ୍ୱର,

କ୍ରୋଧରେ ଧୀର, ପୁଣି, ଦୟା ଓ ସତ୍ୟତାରେ ପରିପୂର୍ଣ୍ଣ ଅଟ।

16ଆହେ, ମୋ’ ପ୍ରତି ଫେର ଓ ମୋତେ ଦୟା କର;

ତୁମ୍ଭ ଦାସକୁ ତୁମ୍ଭର ଶକ୍ତି ପ୍ରଦାନ କର,

ପୁଣି, ତୁମ୍ଭ ଦାସୀର ପୁତ୍ରକୁ ପରିତ୍ରାଣ କର।

17ମୋତେ ମଙ୍ଗଳାର୍ଥକ ଲକ୍ଷଣ ଦେଖାଅ;

ତହିଁରେ ମୋ’ ଘୃଣାକାରୀମାନେ ତାହା ଦେଖି ଲଜ୍ଜିତ ହେବେ,

ଯେହେତୁ ହେ ସଦାପ୍ରଭୁ, ତୁମ୍ଭେ ମୋହର ସାହାଯ୍ୟ ଓ ସାନ୍ତ୍ୱନା କରିଅଛ।

87

ଯିରୂଶାଲମର ପ୍ରଶଂସା

ଗୀତ; କୋରହ-ସନ୍ତାନଗଣର ଗୀତ।

1ତାହାଙ୍କ ଭିତ୍ତିମୂଳ ପବିତ୍ର ପର୍ବତ ଉପରେ ସ୍ଥାପିତ।

2ସଦାପ୍ରଭୁ ଯାକୁବର ସମସ୍ତ ବାସସ୍ଥାନ ଅପେକ୍ଷା

ସିୟୋନର ଦ୍ୱାରସମୂହକୁ ଅଧିକ ସ୍ନେହ କରନ୍ତି।

3ହେ ପରମେଶ୍ୱରଙ୍କ ନଗରୀ, ତୁମ୍ଭ ବିଷୟରେ ନାନାବିଧ ଗୌରବର କଥା କଥିତ ଅଛି। [ସେଲା]

4ମୋ’ ଜାଣିବା ଲୋକଙ୍କ ତୁଲ୍ୟ ମୁଁ ରାହବ ଓ ବାବିଲକୁ ଉଲ୍ଲେଖ କରିବି;

ପଲେଷ୍ଟୀୟା, ସୋର ଓ କୂଶକୁ ଦେଖ;

ଏହି ଜଣ ସେଠାରେ ଜାତ ହେଲା।

5ଆହୁରି, ସିୟୋନ ବିଷୟରେ କୁହାଯିବ, “ଏଜଣ ଓ ସେଜଣ ତହିଁ ମଧ୍ୟରେ ଜାତ ହେଲେ;

ପୁଣି, ସର୍ବୋପରିସ୍ଥ ସ୍ୱୟଂ ତାହା ସୁସ୍ଥିର କରିବେ।”

6ସଦାପ୍ରଭୁ ଗୋଷ୍ଠୀବର୍ଗର ନାମ ଲେଖିବା ସମୟରେ,

“ଏଜଣ ସେଠାରେ ଜାତ ହେଲା ବୋଲି ଗଣନା କରିବେ।” [ସେଲା]

7ଗାୟକ ଓ ନର୍ତ୍ତକମାନେ କହିବେ,

“ମୋହର ସବୁ ଝର ତୁମ୍ଭଠାରେ ଅଛି।”

88

ସହାୟତା ପାଇଁ ବିନତୀ

ଗୀତ; କୋରହ-ସନ୍ତାନଗଣର ଗୀତ। ପ୍ରଧାନ ବାଦ୍ୟକର ନିମନ୍ତେ ମହଲତ୍‍ ଲୀୟନ୍ନୋତ୍‍ ସ୍ୱରରେ ଇଷ୍ରାହୀୟ ହେମନର ମସ୍କୀଲ୍‍।

1ସଦାପ୍ରଭୁ, ମୋ’ ପରିତ୍ରାଣର ପରମେଶ୍ୱର,

ମୁଁ ଦିବାରାତ୍ର ତୁମ୍ଭ ସମ୍ମୁଖରେ କାକୂକ୍ତି କରିଅଛି;

2ମୋ’ ପ୍ରାର୍ଥନା ତୁମ୍ଭ ଛାମୁରେ ଉପସ୍ଥିତ ହେଉ;

ମୋ’ କାକୂକ୍ତିରେ କର୍ଣ୍ଣପାତ କର;

3କାରଣ ମୋ’ ପ୍ରାଣ ଦୁଃଖରେ ପରିପୂର୍ଣ୍ଣ

ଓ ମୋ’ ଜୀବନ ପାତାଳର ନିକଟବର୍ତ୍ତୀ ହେଉଅଛି।

4ମୁଁ ଗର୍ତ୍ତଗାମୀ ଲୋକମାନଙ୍କ ସଙ୍ଗେ ଗଣିତ;

ମୁଁ ଅସହାୟ ଲୋକର ସମାନ।

5ଯେଉଁ କବରଶାୟୀ ହତ ଲୋକମାନଙ୍କୁ

ତୁମ୍ଭେ ଆଉ ସ୍ମରଣ କରୁ ନାହଁ

ଓ ଯେଉଁମାନେ ତୁମ୍ଭ ହସ୍ତରୁ ବିଚ୍ଛିନ୍ନ ହୋଇଅଛନ୍ତି,

ସେହି ମୃତ ଲୋକମାନଙ୍କ ମଧ୍ୟରେ ମୁଁ ତ୍ୟକ୍ତ ହୋଇଅଛି।

6ତୁମ୍ଭେ ମୋତେ ନୀଚତମ ଗତ୍ତର୍ରେ,

ଅନ୍ଧକାରରେ, ଗଭୀର ସ୍ଥାନରେ ରଖିଅଛ।

7ତୁମ୍ଭର କୋପ ମୋ’ ଉପରେ ପ୍ରବଳ ହୋଇ ରହୁଅଛି

ଓ ତୁମ୍ଭେ ଆପଣାର ସମସ୍ତ ତରଙ୍ଗରେ ମୋତେ କ୍ଳେଶ ଦେଇଅଛ। [ସେଲା]

8ତୁମ୍ଭେ ମୋହର ପରିଚିତ ଲୋକମାନଙ୍କୁ ମୋ’ଠାରୁ ଦୂରରେ ରଖିଅଛ;

ତୁମ୍ଭେ ସେମାନଙ୍କ ନିକଟରେ ମୋତେ ଘୃଣାର ବିଷୟ କରିଅଛ।

ମୁଁ ଅବରୁଦ୍ଧ ହୋଇଅଛି ଓ ମୁଁ ବାହାରକୁ ଆସି ପାରୁ ନାହିଁ।

9କ୍ଳେଶ ସକାଶୁ ମୋ’ ଚକ୍ଷୁ କ୍ଷୀଣ ହେଉଅଛି;

ହେ ସଦାପ୍ରଭୁ, ମୁଁ ପ୍ରତିଦିନ ତୁମ୍ଭ ନିକଟରେ ପ୍ରାର୍ଥନା କରିଅଛି,

ମୁଁ ତୁମ୍ଭଆଡ଼େ ଆପଣା ହସ୍ତ ପ୍ରସାରିଅଛି।

10ତୁମ୍ଭେ କି ମୃତ ଲୋକମାନଙ୍କୁ ଆଶ୍ଚର୍ଯ୍ୟକ୍ରିୟା ଦେଖାଇବ ?

ଯେଉଁମାନେ ମରିଯାଇଅଛନ୍ତି, ସେମାନେ ଉଠି କି ତୁମ୍ଭର ପ୍ରଶଂସା କରିବେ ? [ସେଲା]

11କବରରେ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା କିଅବା ବିନାଶ

ସ୍ଥାନରେ ତୁମ୍ଭର ବିଶ୍ୱସ୍ତତା କି ପ୍ରଚାରିତ ହେବ ?

12ଅନ୍ଧକାରରେ ତୁମ୍ଭର ଆଶ୍ଚର୍ଯ୍ୟକ୍ରିୟା ଓ

ବିସ୍ମୃତି ଦେଶରେ ତୁମ୍ଭର ଧର୍ମ କି ଜଣାଯିବ ?

13ମାତ୍ର ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ କାକୂକ୍ତି କରିଅଛି

ଓ ପ୍ରଭାତରେ ମୋ’ ପ୍ରାର୍ଥନା ତୁମ୍ଭ ନିକଟରେ ଉପସ୍ଥିତ ହେବ।

14ହେ ସଦାପ୍ରଭୁ, ତୁମ୍ଭେ କାହିଁକି ମୋ’ ପ୍ରାଣକୁ ପରିତ୍ୟାଗ କରୁଅଛ ?

ତୁମ୍ଭେ କାହିଁକି ମୋ’ଠାରୁ ଆପଣା ମୁଖ ଲୁଚାଉଅଛ ?

15ମୁଁ ବାଲ୍ୟକାଳଠାରୁ ଦୁଃଖଗ୍ରସ୍ତ ଓ ମୃତକଳ୍ପ;

ମୁଁ ତୁମ୍ଭ ତ୍ରାସ ଭୋଗ କରି କରି ଉନ୍ମନା ହୋଇଅଛି।

16ତୁମ୍ଭ ପ୍ରଚଣ୍ଡ କୋପ ମୋ’ ଉପର ଦେଇ ଯାଇଅଛି;

ତୁମ୍ଭର ତ୍ରାସସବୁ ମୋତେ ଉଚ୍ଛିନ୍ନ କରିଅଛି।

17ତାହାସବୁ ସାରାଦିନ ଜଳ ପରି ମୋ’ ଚାରିଆଡ଼େ ଉପସ୍ଥିତ;

ତାହାସବୁ ଏକତ୍ର ମୋ’ ଚାରିଆଡ଼େ ବେଷ୍ଟନ କଲେ।

18ତୁମ୍ଭେ ସ୍ନେହୀକୁ ଓ ମିତ୍ରକୁ ମୋ’ଠାରୁ ଦୂରରେ

ଓ ମୋ’ ପରିଚିତ ଲୋକଙ୍କୁ ଅନ୍ଧକାରରେ ରଖିଅଛ।

89

ଜାତିର ଦୁର୍ଦ୍ଦଶାକାଳୀନ ଗୀତ

ଇଷ୍ରାହୀୟ ଏଥନ୍‍ର ମସ୍କୀଲ୍‍।

1ମୁଁ ସର୍ବଦା ସଦାପ୍ରଭୁଙ୍କ ବିବିଧ ଦୟା ବିଷୟ ଗାନ କରିବି;

ମୁଁ ଆପଣା ମୁଖରେ ତୁମ୍ଭର ବିଶ୍ୱସ୍ତତା ସମସ୍ତ ପିଢ଼ି ପ୍ରତି ପ୍ରକାଶ କରିବି।

2କାରଣ ଦୟା ସଦାକାଳ ଗଢ଼ାଯିବ ବୋଲି ମୁଁ କହିଅଛି;

“ତୁମ୍ଭେ ଆପଣା ବିଶ୍ୱସ୍ତତା ସ୍ୱର୍ଗରେ ହିଁ ସ୍ଥାପନ କରିବ।”

3“ଆମ୍ଭେ ଆପଣା ମନୋନୀତ ଲୋକ ସଙ୍ଗେ ନିୟମ କରିଅଛୁ,

ଆମ୍ଭେ ଆପଣା ଦାସ ଦାଉଦ ସଙ୍ଗେ ଶପଥ କରିଅଛୁ।

4ଆମ୍ଭେ ତୁମ୍ଭ ବଂଶକୁ ସଦାକାଳ ସୁସ୍ଥିର କରିବା

ଓ ପୁରୁଷ-ପରମ୍ପରା ପର୍ଯ୍ୟନ୍ତ ତୁମ୍ଭର ସିଂହାସନ ଗଢ଼ିବା।” [ସେଲା]

5ହେ ସଦାପ୍ରଭୁ, ସ୍ୱର୍ଗ ତୁମ୍ଭ ଆଶ୍ଚର୍ଯ୍ୟକ୍ରିୟାର ପ୍ରଶଂସା କରିବ,

ମଧ୍ୟ ପବିତ୍ରଗଣର ସମାଜରେ ତୁମ୍ଭ ବିଶ୍ୱସ୍ତତାର ପ୍ରଶଂସା କରିବ।

6କାରଣ ଆକାଶରେ ସଦାପ୍ରଭୁଙ୍କ ସଙ୍ଗେ କାହାର ଉପମା କରାଯାଇ ପାରେ ?

ଯେଉଁ ପରମେଶ୍ୱର ପବିତ୍ରଗଣର ସଭାରେ ଅତି ଭୟଙ୍କର

7ଓ ଆପଣା ଚତୁର୍ଦ୍ଦିଗସ୍ଥ ସମସ୍ତଙ୍କ ଉପରେ ଭୟଯୋଗ୍ୟ,

ସେହି ସଦାପ୍ରଭୁଙ୍କ ତୁଲ୍ୟ ବିକ୍ରମୀ ସନ୍ତାନଗଣ ମଧ୍ୟରେ କିଏ ଅଛି ?

8ହେ ସଦାପ୍ରଭୁ, ସୈନ୍ୟାଧିପତି ପରମେଶ୍ୱର,

ତୁମ୍ଭ ତୁଲ୍ୟ ବିକ୍ରମୀ କିଏ ?

ତୁମ୍ଭ ବିଶ୍ୱସ୍ତତା ତୁମ୍ଭ ଚତୁର୍ଦ୍ଦିଗରେ ବିଦ୍ୟମାନ।

9ତୁମ୍ଭେ ସମୁଦ୍ରର ଅହଙ୍କାର ଉପରେ କର୍ତ୍ତୃତ୍ୱ କରୁଅଛ;

ତହିଁର ତରଙ୍ଗମାଳା ଉଠିବା ବେଳେ ତୁମ୍ଭେ ସେସବୁ ଶାନ୍ତ କରୁଅଛ।

10ତୁମ୍ଭେ ରାହବକୁ89:10 ରାହବକୁ ଏହା ଏକ ସମୁଦ୍ରଜୀବୀ ଜୀବ ଯାହା ଏବ୍ରୀ ଗଳ୍ପରେ ଆସେ ପୁଣି ଏହା ଦୁଷ୍ଟତାକୁ ସୂଚିତ କରେ ଚୂର୍ଣ୍ଣ କରି ହତ ବ୍ୟକ୍ତିର ସମାନ କରିଅଛ;

ତୁମ୍ଭେ ଆପଣା ବଳିଷ୍ଠ ବାହୁରେ ନିଜ ଶତ୍ରୁମାନଙ୍କୁ ଛିନ୍ନଭିନ୍ନ କରିଅଛ।

11ସ୍ୱର୍ଗ ତୁମ୍ଭର, ପୃଥିବୀ ହିଁ ତୁମ୍ଭର;

ତୁମ୍ଭେ ଜଗତ ଓ ତହିଁର ପୂର୍ଣ୍ଣତା ସ୍ଥାପନ କରିଅଛ।

12ଉତ୍ତର ଓ ଦକ୍ଷିଣ ଦିଗ ତୁମ୍ଭେ ସୃଷ୍ଟି କରିଅଛ;

ତାବୋର ଓ ହର୍ମୋଣ ତୁମ୍ଭ ନାମରେ ଆନନ୍ଦ କରନ୍ତି,

13ତୁମ୍ଭେ ପରାକ୍ରାନ୍ତ ବାହୁବିଶିଷ୍ଟ;

ତୁମ୍ଭର ହସ୍ତ ବଳବାନ ଓ ତୁମ୍ଭର ଦକ୍ଷିଣ ହସ୍ତ ଉଚ୍ଚ।

14ଧର୍ମ ଓ ନ୍ୟାୟବିଚାର ତୁମ୍ଭ ସିଂହାସନର ଭିତ୍ତିମୂଳ;

ଦୟା ଓ ସତ୍ୟତା ତୁମ୍ଭର ସମ୍ମୁଖଗାମୀ।

15ଯେଉଁ ଲୋକେ ଆନନ୍ଦଧ୍ୱନି ଜାଣନ୍ତି, ସେମାନେ ଧନ୍ୟ;

ହେ ସଦାପ୍ରଭୁ, ସେମାନେ ତୁମ୍ଭ ମୁଖର ଦୀପ୍ତିରେ ଗମନାଗମନ କରନ୍ତି।

16ସେମାନେ ସାରାଦିନ ତୁମ୍ଭ ନାମରେ ଆନନ୍ଦ କରନ୍ତି

ଓ ତୁମ୍ଭ ଧାର୍ମିକତାରେ ସେମାନେ ଉନ୍ନତ ହୁଅନ୍ତି।

17କାରଣ ତୁମ୍ଭେ ସେମାନଙ୍କ ବଳର ଗୌରବ ସ୍ୱରୂପ;

ପୁଣି, ତୁମ୍ଭ ଅନୁଗ୍ରହରେ ଆମ୍ଭମାନଙ୍କ ଶୃଙ୍ଗ ଉନ୍ନତ ହେବ।

18କାରଣ ଆମ୍ଭମାନଙ୍କ ଢାଲ ସଦାପ୍ରଭୁଙ୍କର

ଓ ଆମ୍ଭମାନଙ୍କ ରାଜା ଇସ୍ରାଏଲର ଧର୍ମସ୍ୱରୂପଙ୍କର।

19ସେସମୟରେ ତୁମ୍ଭେ ଆପଣା ସଦ୍‍ଭକ୍ତମାନଙ୍କୁ ଦର୍ଶନ ଦେଇ କଥା କହିଲ,

ପୁଣି, କହିଲ, “ଆମ୍ଭେ ଏକ ବିକ୍ରମୀ ଉପରେ ସାହାଯ୍ୟ କରିବାର ଭାର ଦେଇଅଛୁ;

ଆମ୍ଭେ ଲୋକମାନଙ୍କ ମଧ୍ୟରୁ ମନୋନୀତ ଏକ ଜଣକୁ ଉନ୍ନତ କରିଅଛୁ।

ଦାଉଦଙ୍କୁ ଈଶ୍ୱରଙ୍କ ପ୍ରତିଜ୍ଞା

20ଆମ୍ଭେ ଆପଣା ଦାସ ଦାଉଦକୁ ପାଇଅଛୁ;

ଆମ୍ଭ ପବିତ୍ର ତୈଳରେ ଆମ୍ଭେ ତାହାକୁ ଅଭିଷିକ୍ତ କରିଅଛୁ;

21ଆମ୍ଭ ହସ୍ତ ତାହା ସଙ୍ଗରେ ସ୍ଥିରୀକୃତ ହୋଇ ରହିବ;

ମଧ୍ୟ ଆମ୍ଭର ବାହୁ ତାହାକୁ ବଳବାନ କରିବ।

22ଶତ୍ରୁ ତାହା ପ୍ରତି ଉପଦ୍ରବ କରିବ ନାହିଁ;

କିଅବା ଦୁଷ୍ଟତାର ସନ୍ତାନ ତାହାକୁ କ୍ଳେଶ ଦେବ ନାହିଁ।

23ଆମ୍ଭେ ତାହାର ବିପକ୍ଷଗଣକୁ ତାହା ସମ୍ମୁଖରେ ଚୂର୍ଣ୍ଣ କରିବା

ଓ ତାହାର ଘୃଣାକାରୀମାନଙ୍କୁ ଆଘାତ କରିବା।

24ମାତ୍ର ଆମ୍ଭର ବିଶ୍ୱସ୍ତତା ଓ ଦୟା ତାହାର ସହବର୍ତ୍ତୀ ହେବ;

ପୁଣି, ଆମ୍ଭ ନାମରେ ତାହାର ଶୃଙ୍ଗ ଉନ୍ନତ ହେବ।

25ଆମ୍ଭେ ସମୁଦ୍ର ଉପରେ ତାହାର ହସ୍ତ ଓ

ନଦୀସମୂହ ଉପରେ ତାହାର ଦକ୍ଷିଣ ହସ୍ତ ସ୍ଥାପନ କରିବା।

26ସେ ଆମ୍ଭଙ୍କୁ ଡାକି କହିବ, ତୁମ୍ଭେ ଆମ୍ଭର ପିତା,

ଆମ୍ଭର ପରମେଶ୍ୱର ଓ ଆମ୍ଭ ପରିତ୍ରାଣର ଶୈଳ।

27ଆମ୍ଭେ ମଧ୍ୟ ତାହାକୁ ଆମ୍ଭର ପ୍ରଥମଜାତ,

ପୃଥିବୀସ୍ଥ ରାଜାଗଣ ମଧ୍ୟରେ ସର୍ବୋଚ୍ଚ କରିବା।

28ଆମ୍ଭେ ଅନନ୍ତକାଳ ତାହା ପକ୍ଷରେ ଆପଣା ଦୟା ରଖିବା,

ପୁଣି, ଆମ୍ଭର ନିୟମ ତାହା ପକ୍ଷରେ ସୁସ୍ଥିର ହେବ।

29ମଧ୍ୟ ଆମ୍ଭେ ତାହାର ବଂଶକୁ ନିତ୍ୟସ୍ଥାୟୀ କରିବା

ଓ ତାହାର ସିଂହାସନକୁ ଆକାଶମଣ୍ଡଳର ଆୟୁର ତୁଲ୍ୟ ସ୍ଥିର କରିବା।

30ଯଦି ତାହାର ସନ୍ତାନଗଣ ଆମ୍ଭର ବ୍ୟବସ୍ଥା ପରିତ୍ୟାଗ କରନ୍ତି

ଓ ଆମ୍ଭ ଶାସନରେ ନ ଚାଲନ୍ତି;

31ଯଦି ସେମାନେ ଆମ୍ଭର ବିଧି ଲଙ୍ଘନ କରନ୍ତି

ଓ ଆମ୍ଭର ଆଜ୍ଞାସବୁ ନ ପାଳନ୍ତି;

32ତେବେ ଆମ୍ଭେ ଯଷ୍ଟି ଦ୍ୱାରା ସେମାନଙ୍କ ଅପରାଧର

ଓ ପ୍ରହାର ଦ୍ୱାରା ସେମାନଙ୍କ ଅଧର୍ମର ଶାସ୍ତି ଦେବା।

33ମାତ୍ର ତାହାଠାରୁ ଆମ୍ଭେ ଆପଣା ଦୟା ଏକାନ୍ତ ନେବା ନାହିଁ;

କିଅବା ଆମ୍ଭ ବିଶ୍ୱସ୍ତତାର ତ୍ରୁଟି ହେବାକୁ ଦେବା ନାହିଁ।

34ଆମ୍ଭେ ଆପଣା ନିୟମ ଲଙ୍ଘନ କରିବା ନାହିଁ,

କିଅବା ଆପଣା ଓଷ୍ଠାଧରରୁ ନିର୍ଗତ କଥା ଅନ୍ୟଥା କରିବା ନାହିଁ।

35ଆମ୍ଭେ ଆପଣା ପବିତ୍ରତା ଘେନି ଥରେ ଶପଥ କରିଅଛୁ;

ଆମ୍ଭେ ଦାଉଦକୁ ମିଥ୍ୟା କହିବା ନାହିଁ।

36ତାହାର ବଂଶ ସଦାକାଳ ରହିବ

ଓ ତାହାର ସିଂହାସନ ଆମ୍ଭ ସମ୍ମୁଖରେ ସୂର୍ଯ୍ୟ ତୁଲ୍ୟ ରହିବ।

37ତାହା ସଦାକାଳ ଚନ୍ଦ୍ର ତୁଲ୍ୟ ଓ ଆକାଶସ୍ଥ ବିଶ୍ୱସ୍ତ

ସାକ୍ଷୀ ତୁଲ୍ୟ ସ୍ଥିରୀକୃତ ହେବ।” [ସେଲା]

ରାଜାଙ୍କ ପରାଜୟରେ ଶୋକ

38ମାତ୍ର ତୁମ୍ଭେ ଦୂର କରି ଅଗ୍ରାହ୍ୟ କରିଅଛ,

ତୁମ୍ଭେ ଆପଣା ଅଭିଷିକ୍ତ ପ୍ରତି କ୍ରୁଦ୍ଧ ହୋଇଅଛ।

39ତୁମ୍ଭେ ଆପଣା ଦାସର ନିୟମ ଘୃଣା କରିଅଛ;

ତୁମ୍ଭେ ତାହାର ମୁକୁଟ ଭୂମିରେ ପକାଇ ଅଶୁଚି କରିଅଛ।

40ତୁମ୍ଭେ ତାହାର ସବୁ ବାଡ଼ ଭାଙ୍ଗି ପକାଇଅଛ;

ତୁମ୍ଭେ ତାହାର ଦୃଢ଼ ଗଡ଼ସବୁ ଉଜାଡ଼ କରିଅଛ।

41ପଥ ଦେଇ ଯିବା ଲୋକସମସ୍ତେ ତାହାକୁ ଲୁଟ କରନ୍ତି;

ସେ ଆପଣା ପ୍ରତିବାସୀମାନଙ୍କର ନିନ୍ଦାପାତ୍ର ହୋଇଅଛି।

42ତୁମ୍ଭେ ତାହାର ବିପକ୍ଷମାନଙ୍କ ଦକ୍ଷିଣ ହସ୍ତ ଉନ୍ନତ କରିଅଛ;

ତୁମ୍ଭେ ତାହାର ସକଳ ଶତ୍ରୁଙ୍କୁ ଆନନ୍ଦିତ କରିଅଛ।

43ହଁ, ତୁମ୍ଭେ ତାହାର ଖଡ୍ଗଧାର ଫେରାଉଅଛ

ଓ ଯୁଦ୍ଧରେ ତାହାକୁ ଛିଡ଼ା ହେବାକୁ ଦେଇ ନାହଁ।

44ତୁମ୍ଭେ ତାହାର ରାଜଦଣ୍ଡ89:44 ରାଜଦଣ୍ଡ ତେଜ ନିବୃତ୍ତ କରିଅଛ

ଓ ତାହାର ସିଂହାସନ ଭୂମିକୁ ପକାଇ ଦେଇଅଛ।

45ତୁମ୍ଭେ ତାହାର ଯୌବନ ଦିନ ହ୍ରାସ କରିଅଛ;

ତୁମ୍ଭେ ଲଜ୍ଜାରେ ତାହାକୁ ଆଚ୍ଛନ୍ନ କରିଅଛ। [ସେଲା]

46ହେ ସଦାପ୍ରଭୁ, କେତେ କାଳ, ତୁମ୍ଭେ କି ସଦାକାଳ ଆପଣାକୁ ଲୁଚାଇବ ?

କେତେ କାଳ ତୁମ୍ଭର କୋପ ଅଗ୍ନି ପରି ଜ୍ୱଳିବ ?

47ଆହେ, ମୋହର ସମୟ କିପରି ଅଳ୍ପ, ଏହା ସ୍ମରଣ କର;

ତୁମ୍ଭେ କିପରି ଅସାରତା ନିମନ୍ତେ ମନୁଷ୍ୟ ସନ୍ତାନ ସମସ୍ତଙ୍କୁ ସୃଷ୍ଟି କରିଅଛ !

48ଯେ ମୃତ୍ୟୁୁ ନ ଦେଖି ଜୀବିତ ରହିବ ଓ ପାତାଳର

ପରାକ୍ରମରୁ ଆପଣା ପ୍ରାଣ ମୁକ୍ତ କରିବ, ଏପରି ମନୁଷ୍ୟ କିଏ ?

49ହେ ପ୍ରଭୁ, ତୁମ୍ଭେ ଆପଣା ବିଶ୍ୱସ୍ତତା ଦ୍ୱାରା

ଦାଉଦଙ୍କ ନିକଟରେ ଯାହା ଶପଥ କରିଥିଲ, ତୁମ୍ଭର ସେହି ପୂର୍ବ ବିବିଧ ଦୟା କାହିଁ ?

50ହେ ପ୍ରଭୁ, ତୁମ୍ଭ ଦାସମାନଙ୍କର ନିନ୍ଦା ସ୍ମରଣ କର

ଓ ମୁଁ ପରାକ୍ରାନ୍ତ ଗୋଷ୍ଠୀବର୍ଗର ନିନ୍ଦା କିପ୍ରକାରେ ଆପଣା ବକ୍ଷଃସ୍ଥଳରେ ବହୁଅଛି, ଏହା ସ୍ମରଣ କର।

51ହେ ସଦାପ୍ରଭୁ, ତଦ୍ଦ୍ୱାରା ତୁମ୍ଭ ଶତ୍ରୁଗଣ ନିନ୍ଦା କରିଅଛନ୍ତି,

ତଦ୍ଦ୍ୱାରା ସେମାନେ ତୁମ୍ଭ ଅଭିଷିକ୍ତଙ୍କ ପଦଚିହ୍ନକୁ ନିନ୍ଦା କରିଅଛନ୍ତି।

52ସଦାପ୍ରଭୁ ଅନନ୍ତକାଳ ଧନ୍ୟ ହେଉନ୍ତୁ,

ଆମେନ୍‍, ଆମେନ୍‍।

90

ଚତୁର୍ଥ ଖଣ୍ଡ

ପରମେଶ୍ୱର ଓ ମନୁଷ୍ୟ

ପରମେଶ୍ୱରଙ୍କ ଲୋକ ମୋଶାଙ୍କର ପ୍ରାର୍ଥନା।

1ହେ ପ୍ରଭୁ, ତୁମ୍ଭେ ପୁରୁଷାନୁକ୍ରମରେ

ଆମ୍ଭମାନଙ୍କର ବାସସ୍ଥାନ ହୋଇ ଆସିଅଛ।

2ପର୍ବତଗଣର ଉତ୍ପତ୍ତିର ଓ ତୁମ୍ଭ ଦ୍ୱାରା ପୃଥିବୀ ଓ

ଜଗତର ସୃଷ୍ଟିର ପୂର୍ବଠାରୁ ଅନାଦିକାଳରୁ ଅନନ୍ତକାଳ

ପର୍ଯ୍ୟନ୍ତ ତୁମ୍ଭେ ପରମେଶ୍ୱର ଅଟ।

3ତୁମ୍ଭେ ମର୍ତ୍ତ୍ୟକୁ ଧୂଳିରେ ଲୀନ କରୁଅଛ।

ପୁଣି, କହୁଅଛ, “ହେ ମନୁଷ୍ୟ-ସନ୍ତାନଗଣ, ଫେର।”

4କାରଣ ତୁମ୍ଭ ଦୃଷ୍ଟିରେ ସହସ୍ର ବର୍ଷ ଗତ କାଲିର ତୁଲ୍ୟ

ଓ ରାତ୍ରିର ଏକ ପ୍ରହରର ସମାନ।

5ଯେପରି ପ୍ଲାବନରେ, ସେପରି ତୁମ୍ଭେ ସେମାନଙ୍କୁ ଭସାଇ ନେଉଅଛ; ସେମାନେ ସ୍ୱପ୍ନ ତୁଲ୍ୟ।

ପ୍ରାତଃକାଳରେ ସେମାନେ ବଢ଼ନ୍ତା ତୃଣ ତୁଲ୍ୟ।

6ପ୍ରାତଃକାଳରେ ତାହା ସତେଜ ହୋଇ ବଢ଼ଇ;

ସନ୍ଧ୍ୟାକାଳରେ ତାହା କଟା ଯାଇ ଶୁଖଇ।

7କାରଣ ତୁମ୍ଭ କ୍ରୋଧରେ ଆମ୍ଭେମାନେ କ୍ଷୟ ପାଉ,

ପୁଣି, ତୁମ୍ଭ କୋପରେ ଆମ୍ଭେମାନେ ବ୍ୟସ୍ତ ହେଉ।

8ତୁମ୍ଭେ ଆମ୍ଭମାନଙ୍କ ଅପରାଧ ଆପଣା ସମ୍ମୁଖରେ,

ଆମ୍ଭମାନଙ୍କ ଗୁପ୍ତ ପାପ ଆପଣା ମୁଖର ଦୀପ୍ତିରେ ରଖିଅଛ।

9କାରଣ ଆମ୍ଭମାନଙ୍କର ସକଳ ଦିନ ତୁମ୍ଭ କୋପରେ ବହିଯାଏ;

କଥିତ କାହାଣୀ ପରି ଆମ୍ଭେମାନେ ଆପଣା ଆପଣା ବର୍ଷ ସମାପ୍ତ କରୁଥାଉ।

10ଆମ୍ଭମାନଙ୍କ ଆୟୁର ପରିମାଣ ସତୁରି ବର୍ଷ,

ଅବା ବଳ ସକାଶୁ ଅଶୀ ବର୍ଷ ହୁଏ;

ତଥାପି ତହିଁର ବଳ90:10 ବଳ ଗର୍ବ ଓ ପରିଶ୍ରମ ଦୁଃଖ ମାତ୍ର;

କାରଣ ତାହା ଶୀଘ୍ର ବହିଯାଏ ଓ ଆମ୍ଭେମାନେ ଉଡ଼ିଯାଉ90:10 ଉଡ଼ିଯାଉ ଅର୍ଥାତ୍ ମରିଯାଉ

11ତୁମ୍ଭ କ୍ରୋଧର ପ୍ରବଳତା ଓ ତୁମ୍ଭ ପ୍ରତି ଉପଯୁକ୍ତ

ଭୟ ପ୍ରମାଣେ ତୁମ୍ଭର କୋପ କିଏ ବୁଝେ ?

12ଯେପରି ଆମ୍ଭେମାନେ ଜ୍ଞାନବିଶିଷ୍ଟ ଅନ୍ତଃକରଣ ପାଇ ପାରିବୁ,

ଏଥିପାଇଁ ଆମ୍ଭମାନଙ୍କୁ ଆପଣା ଆପଣା ଦିନର ଗଣନା କରିବାକୁ ଶିକ୍ଷା ଦିଅ।

13ହେ ସଦାପ୍ରଭୁ, ଫେର; କେତେ କାଳ ?

ଆପଣା ଦାସମାନଙ୍କ ପ୍ରତି ପ୍ରସନ୍ନ ହୁଅ।

14ପ୍ରଭାତରେ ଆମ୍ଭମାନଙ୍କୁ ତୁମ୍ଭ ଦୟାରେ ତୃପ୍ତ କର;

ତହିଁରେ ଆମ୍ଭେମାନେ ଯାବଜ୍ଜୀବନ ହୃଷ୍ଟ ଓ ଆନନ୍ଦିତ ହେବା।

15ଯେତେ ଦିନ ଆମ୍ଭମାନଙ୍କୁ ଦୁଃଖ ଦେଇଅଛ ଓ

ଯେତେ ବର୍ଷ ଆମ୍ଭେମାନେ ଅମଙ୍ଗଳ ଦେଖିଅଛୁ, ତଦନୁସାରେ ଆମ୍ଭମାନଙ୍କୁ ଆନନ୍ଦିତ କର।

16ତୁମ୍ଭ ଦାସଗଣ ପ୍ରତି ତୁମ୍ଭର କର୍ମ ଓ ସେମାନଙ୍କ

ସନ୍ତାନଗଣ ପ୍ରତି ତୁମ୍ଭର ମହିମା ପ୍ରକାଶିତ ହେଉ।

17ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କର ସୌନ୍ଦର୍ଯ୍ୟ ଆମ୍ଭମାନଙ୍କ ଉପରେ ଅଧିଷ୍ଠାନ କରୁ;

ଆଉ, ତୁମ୍ଭେ ଆମ୍ଭମାନଙ୍କ ହସ୍ତକୃତ କର୍ମ ଆମ୍ଭମାନଙ୍କ ପକ୍ଷରେ ସ୍ଥାୟୀ କର;

ହଁ, ଆମ୍ଭମାନଙ୍କର ହସ୍ତକୃତ କର୍ମ ତୁମ୍ଭେ ସ୍ଥାୟୀ କର।

91

ସଦାପ୍ରଭୁ ଆମର ରକ୍ଷାକର୍ତ୍ତା

1ଯେଉଁ ଜନ ସର୍ବୋପରିସ୍ଥଙ୍କ ଆବୃତ ସ୍ଥାନରେ ବାସ କରେ,

ସେ ସର୍ବଶକ୍ତିମାନଙ୍କ ଛାୟା ତଳେ ବସତି କରିବ।

2ମୁଁ ସଦାପ୍ରଭୁଙ୍କ ବିଷୟରେ କହିବି, “ସେ ମୋହର ଆଶ୍ରୟ ଓ ମୋହର ଦୁର୍ଗ;

ମୋହର ପରମେଶ୍ୱର, ମୁଁ ତାହାଙ୍କଠାରେ ନିର୍ଭର ରଖେ।”

3କାରଣ ସେ ତୁମ୍ଭକୁ ବ୍ୟାଧର ଫାନ୍ଦରୁ ଓ

ସର୍ବନାଶକ ମହାମାରୀରୁ ରକ୍ଷା କରିବେ।

4ସେ ଆପଣା ପକ୍ଷରେ ତୁମ୍ଭକୁ ଆବୋରିବେ

ଓ ତାହାଙ୍କ ଡେଣା ତଳେ ତୁମ୍ଭେ ଆଶ୍ରୟ ନେବ;

ତାହାଙ୍କ ସତ୍ୟତା ଢାଲ ଓ ଫଳକ ସ୍ୱରୂପ ଅଟେ।

5ତୁମ୍ଭେ ରାତ୍ରିର ତ୍ରାସ, କିଅବା ଦିବସର ଉଡ଼ନ୍ତା ତୀର,

6ଅନ୍ଧକାରଗାମୀ ମହାମାରୀ, କିଅବା ମଧ୍ୟାହ୍ନରେ

ବିନାଶକ ସଂହାର ବିଷୟରେ ଭୀତ ହେବ ନାହିଁ।

7ତୁମ୍ଭ ପାର୍ଶ୍ୱରେ ସହସ୍ର ଓ

ତୁମ୍ଭ ଦକ୍ଷିଣ ପାଖରେ ଅୟୁତ ଲୋକ ପଡ଼ିବେ;

ମାତ୍ର ତାହା ତୁମ୍ଭ କତିକୁ ଆସିବ ନାହିଁ।

8ତୁମ୍ଭେ କେବଳ ସ୍ୱଚକ୍ଷୁରେ ନିରୀକ୍ଷଣ କରିବ

ଓ ଦୁଷ୍ଟମାନଙ୍କର ପ୍ରତିଫଳ ଦେଖିବ।

9କାରଣ ହେ ସଦାପ୍ରଭୁ, ତୁମ୍ଭେ ମୋହର ଆଶ୍ରୟ।

ସର୍ବୋପରିସ୍ଥଙ୍କୁ ତୁମ୍ଭେ ଆପଣା ବାସସ୍ଥାନ କରିଅଛ।

10ତୁମ୍ଭକୁ କୌଣସି ବିପଦ ଘଟିବ ନାହିଁ,

କିଅବା କୌଣସି ମାରୀ ତୁମ୍ଭ ତମ୍ବୁ ନିକଟକୁ ଆସିବ ନାହିଁ।

11କାରଣ ସେ ତୁମ୍ଭର ସବୁ ଗତିରେ ତୁମ୍ଭକୁ ରକ୍ଷା

କରିବା ପାଇଁ ଆପଣା ଦୂତଗଣକୁ ତୁମ୍ଭ ବିଷୟରେ ଆଜ୍ଞା ଦେବେ।

12ତୁମ୍ଭ ଚରଣ ଯେପରି ପଥରରେ ନ ବାଜିବ,

ଏଥିପାଇଁ ସେମାନେ ସ୍ୱହସ୍ତରେ ତୁମ୍ଭକୁ ବହିବେ।

13ତୁମ୍ଭେ ସିଂହ ଓ କାଳସର୍ପ ଉପରେ ଚାଲିବ;

ତୁମ୍ଭେ ଯୁବା ସିଂହ ଓ ସର୍ପକୁ ପାଦ ତଳେ ଦଳିବ।

14ସେ ଆମ୍ଭ ଉପରେ ଆପଣା ସ୍ନେହ ରଖିଅଛି, ଏହେତୁ ଆମ୍ଭେ ତାହାକୁ ଉଦ୍ଧାର କରିବା;

ସେ ଆମ୍ଭ ନାମ ଜାଣିଅଛି, ଏହେତୁ ଆମ୍ଭେ ତାହାକୁ ଉଚ୍ଚରେ ରଖିବା।

15ସେ ଆମ୍ଭ ନିକଟରେ ପ୍ରାର୍ଥନା କଲେ, ଆମ୍ଭେ ତାହାକୁ ଉତ୍ତର ଦେବା;

ଦୁଃଖ ବେଳେ ଆମ୍ଭେ ତାହାର ସହବର୍ତ୍ତୀ ହେବା;

ଆମ୍ଭେ ତାହାକୁ ରକ୍ଷା କରିବା ଓ ତାହାକୁ ସମ୍ଭ୍ରମ କରିବା।

16ଆମ୍ଭେ ଦୀର୍ଘାୟୁ ଦେଇ ତାହାକୁ ତୃପ୍ତ କରିବା

ଓ ଆମ୍ଭର ପରିତ୍ରାଣ ତାହାକୁ ଦେଖାଇବା।

92

ଧନ୍ୟବାଦ ସ୍ତୁତି

ଗୀତ : ବିଶ୍ରାମବାର ନିମିତ୍ତକ ଗୀତ।

1ସଦାପ୍ରଭୁଙ୍କ ଧନ୍ୟବାଦ କରିବାର ଉତ୍ତମ,

ହେ ସର୍ବୋପରିସ୍ଥ, ତୁମ୍ଭ ନାମରେ ପ୍ରଶଂସା ଗାନ କରିବାର,

2ପୁଣି, ଦଶତାର-ଯନ୍ତ୍ର ଓ ନେବଲରେ,

ବୀଣାର ଗମ୍ଭୀର ଧ୍ୱନିରେ,

3ପ୍ରାତଃକାଳରେ ତୁମ୍ଭ ସ୍ନେହପୂର୍ଣ୍ଣ କରୁଣା ଓ

ପ୍ରତି ରାତ୍ରି ତୁମ୍ଭ ବିଶ୍ୱସ୍ତତା ପ୍ରଚାର କରିବାର ଉତ୍ତମ।

4ଯେହେତୁ ହେ ସଦାପ୍ରଭୁ, ତୁମ୍ଭେ ନିଜ କର୍ମରେ ମୋତେ ଆନନ୍ଦିତ କରିଅଛ;

ମୁଁ ତୁମ୍ଭର ହସ୍ତକୃତ କର୍ମରେ ଜୟଧ୍ୱନି କରିବି।

5ହେ ସଦାପ୍ରଭୁ, ତୁମ୍ଭର କର୍ମସବୁ କିପରି ମହତ !

ତୁମ୍ଭର ସଂକଳ୍ପସବୁ ଅତି ଗଭୀର।

6ଜ୍ଞାନହୀନ ଲୋକ ଜାଣେ ନାହିଁ;

କିଅବା ନିର୍ବୋଧ ଲୋକ ଏହା ବୁଝେ ନାହିଁ;

7ଯେତେବେଳେ ଦୁଷ୍ଟଗଣ ତୃଣ ପରି ଅଙ୍କୁରିତ

ଓ ଅଧର୍ମାଚାରୀମାନେ ପ୍ରଫୁଲ୍ଲ ହୁଅନ୍ତି,

ସେତେବେଳେ ସେମାନଙ୍କ ନିତ୍ୟସ୍ଥାୟୀ ବିନାଶ ନିମନ୍ତେ ସେପରି ହୁଏ।

8ମାତ୍ର ହେ ସଦାପ୍ରଭୁ, ତୁମ୍ଭେ ଅନନ୍ତକାଳ ଊର୍ଦ୍ଧ୍ୱବାସୀ।

9କାରଣ ହେ ସଦାପ୍ରଭୁ, ଦେଖ, ତୁମ୍ଭ ଶତ୍ରୁଗଣ,

ଦେଖ, ତୁମ୍ଭର ଶତ୍ରୁଗଣ ବିନଷ୍ଟ ହେବେ;

ଅଧର୍ମାଚାରୀ ସମସ୍ତେ ଚ୍ଛିନ୍ନଭିନ୍ନ ହେବେ।

10ମାତ୍ର ତୁମ୍ଭେ ଅରଣା ଷଣ୍ଢର ଶୃଙ୍ଗ ପରି ମୋହର ଶୃଙ୍ଗ ଉନ୍ନତ କରିଅଛ;

ମୁଁ ନୂତନ ତୈଳରେ ଅଭିଷିକ୍ତ ହୋଇଅଛି।

11ମୋ’ ଶତ୍ରୁଗଣ ଉପରେ ମୋହର ବାଞ୍ଛା ସଫଳ

ହେବାର ମୋହର ଚକ୍ଷୁ ଦେଖିଅଛି,

ମୋ’ ବିରୁଦ୍ଧରେ ଉଠିବା କୁକର୍ମକାରୀମାନଙ୍କ ଉପରେ

ମୋହର ବାଞ୍ଛା ସଫଳ ହେବାର ମୋହର କର୍ଣ୍ଣ ଶୁଣିଅଛି।

12ଧାର୍ମିକ ଲୋକ ତାଳ ବୃକ୍ଷ ପରି ବର୍ଦ୍ଧିଷ୍ଣୁ ହେବ;

ସେ ଲିବାନୋନରେ ଏରସ ବୃକ୍ଷ ତୁଲ୍ୟ ବୃଦ୍ଧି ପାଇବ।

13ଯେଉଁମାନେ ସଦାପ୍ରଭୁଙ୍କ ଗୃହରେ ରୋପିତ ହୁଅନ୍ତି,

ସେମାନେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପ୍ରାଙ୍ଗଣରେ ବର୍ଦ୍ଧିଷ୍ଣୁ ହେବେ।

14ସେମାନେ ବୃଦ୍ଧ ବୟସରେ ହେଁ ଫଳ ଉତ୍ପନ୍ନ କରିବେ;

ସେମାନେ ରସ ଓ ତେଜରେ ପୂର୍ଣ୍ଣ ହେବେ;

15ତଦ୍ଦ୍ୱାରା ସଦାପ୍ରଭୁ ଯେ ଯାଥାର୍ଥିକ, ଏହା ପ୍ରକାଶିତ ହେବ;

ସେ ମୋହର ଶୈଳ ଓ ତାହାଙ୍କଠାରେ କୌଣସି ଅଧର୍ମ ନାହିଁ।

93

ସଦାପ୍ରଭୁ ହିଁ ରାଜା

1ସଦାପ୍ରଭୁ ରାଜ୍ୟ କରନ୍ତି; ସେ ମହିମାରେ ବସ୍ତ୍ରାନ୍ୱିତ;

ସଦାପ୍ରଭୁ ବସ୍ତ୍ରାନ୍ୱିତ ହୋଇ ବଳରେ ଆପଣା କଟି ବାନ୍ଧି ଅଛନ୍ତି;

ଜଗତ ମଧ୍ୟ ଏପରି ସ୍ଥାପିତ ଯେ, ତାହା ବିଚଳିତ ହୋଇ ନ ପାରେ।

2ତୁମ୍ଭ ସିଂହାସନ ପୂର୍ବଠାରୁ ସ୍ଥାପିତ;

ତୁମ୍ଭେ ଅନାଦି କାଳରୁ ବିଦ୍ୟମାନ।

3ହେ ସଦାପ୍ରଭୁ, ନଦୀସକଳ ବଢ଼ି ଉଠିଅଛନ୍ତି,

ନଦୀସବୁ ଆପଣା ଆପଣା ଧ୍ୱନି ଉଠାଇ ଅଛନ୍ତି;

ନଦୀସବୁ ଆପଣା ଆପଣା ତରଙ୍ଗ ଉଠାନ୍ତି।

4ଜଳରାଶିର ଧ୍ୱନି ଓ

ସମୁଦ୍ରର ପ୍ରବଳ ତରଙ୍ଗ ଅପେକ୍ଷା

ଊର୍ଦ୍ଧ୍ୱସ୍ଥ ସଦାପ୍ରଭୁ ବଳବାନ।

5ତୁମ୍ଭର ପ୍ରମାଣ-ବାକ୍ୟ ଅତି ନିଶ୍ଚିତ;

ହେ ସଦାପ୍ରଭୁ, ପବିତ୍ରତା ସର୍ବଦା ତୁମ୍ଭ ଗୃହର ଶୋଭା।

94

ସଦାପ୍ରଭୁ ସମଗ୍ର ମାନବ ଜାତିର ବିଚାରକର୍ତ୍ତା

1ହେ ସଦାପ୍ରଭୁ, ପ୍ରତିଫଳଦାତା ପରମେଶ୍ୱର,

ହେ ପ୍ରତିଫଳଦାତା ପରମେଶ୍ୱର, ଆପଣା କ୍ରୋଧ ଦେଖାଅ।94:1 କ୍ରୋଧ ଦେଖାଅ। ଅର୍ଥାତ୍ ପ୍ରକାଶମାନ ହୁଅ

2ହେ ପୃଥିବୀର ବିଚାରକର୍ତ୍ତା, ଉଠ;

ଅହଙ୍କାରୀମାନଙ୍କୁ ସେମାନଙ୍କ କର୍ମାନୁସାରେ ପ୍ରତିଫଳ ଦିଅ।

3ହେ ସଦାପ୍ରଭୁ, ଦୁଷ୍ଟମାନେ କେତେ କାଳ,

ଦୁଷ୍ଟମାନେ କେତେ କାଳ ଜୟଧ୍ୱନି କରିବେ ?

4ସେମାନେ କେତେ କାଳ ଅହଙ୍କାରରେ କଥା ଉଚ୍ଚାରଣ କରି କହିବେ ?

ଅଧର୍ମାଚାରୀ ସମସ୍ତେ ଦର୍ପ କରନ୍ତି।

5ହେ ସଦାପ୍ରଭୁ, ସେମାନେ ତୁମ୍ଭ ଲୋକମାନଙ୍କୁ ଚୂର୍ଣ୍ଣ କରନ୍ତି

ଓ ତୁମ୍ଭ ଅଧିକାରକୁ କ୍ଳେଶ ଦିଅନ୍ତି।

6ସେମାନେ ବିଧବା, ବିଦେଶୀକୁ ବଧ କରନ୍ତି ଓ

ପିତୃହୀନମାନଙ୍କୁ ହତ୍ୟା କରନ୍ତି।

7ପୁଣି, ସଦାପ୍ରଭୁ ଦେଖିବେ ନାହିଁ,

କିଅବା ଯାକୁବର ପରମେଶ୍ୱର ବିବେଚନା କରିବେ ନାହିଁ, ଏହା ସେମାନେ କହନ୍ତି।

8ହେ ଲୋକଙ୍କ ମଧ୍ୟରେ ପଶୁବତ୍‍ ଲୋକେ, ତୁମ୍ଭେମାନେ ବିବେଚନା କର;

ହେ ମୂଢ଼ଗଣ, ତୁମ୍ଭେମାନେ କେବେ ଜ୍ଞାନବାନ ହେବ ?

9ଯେ କର୍ଣ୍ଣ ରୋପଣ କଲେ, ସେ କି ଶୁଣିବେ ନାହିଁ ?

ଯେ ଚକ୍ଷୁ ଗଢ଼ିଲେ, ସେ କି ଦେଖିବେ ନାହିଁ ?

10ଯେ ଗୋଷ୍ଠୀବର୍ଗକୁ ଶାସନ କରନ୍ତି,

ଯେ ମନୁଷ୍ୟକୁ ଜ୍ଞାନ ଶିକ୍ଷା ଦିଅନ୍ତି, ସେ କି ଶାସ୍ତି ଦେବେ ନାହିଁ ?

11ମନୁଷ୍ୟର କଳ୍ପନାସବୁ ଅସାର ବୋଲି ସଦାପ୍ରଭୁ ଜାଣନ୍ତି।

12ହେ ସଦାପ୍ରଭୁ, ଦୁଷ୍ଟ ନିମନ୍ତେ ଗର୍ତ୍ତ ଖୋଳା ହେବା

ପର୍ଯ୍ୟନ୍ତ ବିପଦ କାଳରୁ ବିଶ୍ରାମ ଦେବା ନିମନ୍ତେ,

13ତୁମ୍ଭେ ଯାହାକୁ ଶାସନ କର ଓ ଆପଣା ବ୍ୟବସ୍ଥାରୁ ଶିକ୍ଷା ଦିଅ, ସେ ଲୋକ ଧନ୍ୟ।

14କାରଣ ସଦାପ୍ରଭୁ ଆପଣା ଲୋକମାନଙ୍କୁ ଦୂର କରିବେ ନାହିଁ,

କିଅବା ଆପଣା ଅଧିକାର ପରିତ୍ୟାଗ କରିବେ ନାହିଁ।

15ଯେହେତୁ ଶାସନ ଧର୍ମ ପକ୍ଷରେ ବାହୁଡ଼ିବ;

ପୁଣି, ସରଳାନ୍ତଃକରଣ ଲୋକସମସ୍ତେ ତହିଁର ଅନୁଗାମୀ ହେବେ।

16କିଏ ମୋହର ସପକ୍ଷ ହୋଇ କୁକର୍ମକାରୀମାନଙ୍କ ବିରୁଦ୍ଧରେ ଉଠିବ ?

କିଏ ମୋହର ସପକ୍ଷ ହୋଇ ଅଧର୍ମାଚାରୀମାନଙ୍କ ବିରୁଦ୍ଧରେ ଠିଆ ହେବ ?

17ସଦାପ୍ରଭୁ ମୋହର ସହାୟ ହୋଇ ନ ଥିଲେ ମୋହର

ପ୍ରାଣ ଶୀଘ୍ର ନୀରବ ସ୍ଥାନରେ ବାସ କରିଥା’ନ୍ତା94:17 ନୀରବ ସ୍ଥାନରେ ବାସ କରିଥା’ନ୍ତା ମରି କବରରେ ରହିଥାନ୍ତି

18“ମୋହର ପାଦ ଖସି ଯାଉଛି” ବୋଲି କହିଲା ବେଳେ,

ହେ ସଦାପ୍ରଭୁ, ତୁମ୍ଭର ଦୟା ମୋତେ ଧରି ରଖିଲା।

19ମୋ’ ଆନ୍ତରିକ ଭାବନାର ବାହୁଲ୍ୟ ସମୟରେ ତୁମ୍ଭର

ସାନ୍ତ୍ୱନାସବୁ ମୋ’ ପ୍ରାଣକୁ ଆହ୍ଲାଦିତ କରେ।

20ବିଧାନ ଦ୍ୱାରା ଉପଦ୍ରବ-ରଚନାକାରୀ ଦୁଷ୍ଟତାରୂପ

ସିଂହାସନର କି ତୁମ୍ଭ ସଙ୍ଗେ ସମ୍ବନ୍ଧତା ହେବ ?

21ସେମାନେ ଧାର୍ମିକର ପ୍ରାଣ ପ୍ରତିକୂଳରେ ଦଳବଦ୍ଧ ହୁଅନ୍ତି

ଓ ନିର୍ଦ୍ଦୋଷ ରକ୍ତକୁ ଦୋଷୀ କରନ୍ତି।

22ମାତ୍ର ସଦାପ୍ରଭୁ ମୋହର ଉଚ୍ଚ ଦୁର୍ଗ

ଓ ମୋ’ ପରମେଶ୍ୱର ମୋହର ଆଶ୍ରୟ ଶୈଳ ହୋଇଅଛନ୍ତି।

23ପୁଣି, ସେ ଦୁଷ୍ଟତା ଲୋକମାନଙ୍କ ଅଧର୍ମ ସେମାନଙ୍କ ଉପରେ ବର୍ତ୍ତାଇ ଅଛନ୍ତି,

ଆଉ ସେମାନଙ୍କ ନିଜ ଦୁଷ୍ଟତାରେ ସେମାନଙ୍କୁ ଉଚ୍ଛିନ୍ନ କରିବେ;

ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ସେମାନଙ୍କୁ ଉଚ୍ଛିନ୍ନ କରିବେ।

95

ସ୍ତୁତି ଗାନ

1ଆହେ, ଆସ, ଆମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରୁ;

ଆମ୍ଭମାନଙ୍କ ପରିତ୍ରାଣର ଶୈଳଙ୍କ ଉଦ୍ଦେଶ୍ୟରେ ଆନନ୍ଦଧ୍ୱନି କରୁ।

2ଆମ୍ଭେମାନେ ଧନ୍ୟବାଦ କରି ତାହାଙ୍କ ଛାମୁକୁ ଆସୁ,

ଆମ୍ଭେମାନେ ଗୀତ ଦ୍ୱାରା ତାହାଙ୍କ ଉଦ୍ଦେଶ୍ୟରେ ଆନନ୍ଦ ଧ୍ୱନି କରୁ।

3କାରଣ ସଦାପ୍ରଭୁ ମହାନ ପରମେଶ୍ୱର ଓ

ସକଳ ଦେବତା ଉପରେ ମହାନ ରାଜା ଅଟନ୍ତି।

4ପୃଥିବୀର ଗଭୀର ସ୍ଥାନସବୁ ତାହାଙ୍କ ହସ୍ତଗତ;

ପର୍ବତଗଣର ଶିଖ ମଧ୍ୟ ତାହାଙ୍କର।

5ସମୁଦ୍ର ମଧ୍ୟ ତାହାଙ୍କର, ସେ ତାହା ସୃଷ୍ଟି କଲେ;

ପୁଣି, ଶୁଷ୍କ ଭୂମି ତାହାଙ୍କ ହସ୍ତନିର୍ମିତ।

6ଆହେ, ଆସ, ଉବୁଡ଼ ହୋଇ ପ୍ରଣାମ କରୁ;

ଆମ୍ଭମାନଙ୍କ ସୃଷ୍ଟିକର୍ତ୍ତା ସଦାପ୍ରଭୁଙ୍କ ଛାମୁରେ ଆଣ୍ଠୁ ପାତୁ;

7କାରଣ ସେ ଆମ୍ଭମାନଙ୍କର ପରମେଶ୍ୱର,

ପୁଣି, ଆମ୍ଭେମାନେ ତାହାଙ୍କ ଚରାସ୍ଥାନର ଲୋକ ଓ ତାହାଙ୍କ ହସ୍ତଗତ ମେଷ।

ଆହା, ଯଦି ଆଜି ତୁମ୍ଭେମାନେ ତାହାଙ୍କ ରବ ଶୁଣନ୍ତ।

8ଯେପରି ମିରୀବାଃ95:8 ମିରୀବାଃ ଯାହାର ଅର୍ଥ କଳହ ନିକଟରେ ଉତ୍ତେଜିତ ହେବା ସମୟରେ,

ଯେପରି ପ୍ରାନ୍ତର ମଧ୍ୟରେ ମଃସା95:8 ମଃସା ଯାହାର ଅର୍ଥ ପରୀକ୍ଷା ନିକଟରେ ପରୀକ୍ଷା ସମୟରେ, ସେପରି ତୁମ୍ଭେମାନେ ଅନ୍ତଃକରଣ କଠିନ କର ନାହିଁ;

9ସେସମୟରେ ତୁମ୍ଭମାନଙ୍କ ପୂର୍ବପୁରୁଷଗଣ ଆମ୍ଭଙ୍କୁ ପରୀକ୍ଷା କଲେ,

ଆମ୍ଭର ପ୍ରମାଣ ନେଲେ ଓ ଆମ୍ଭର କର୍ମ ଦେଖିଲେ।

10ଆମ୍ଭେ ଚାଳିଶ ବର୍ଷଯାଏ ସେହି ବଂଶ ପ୍ରତି ବିରକ୍ତ ଥିଲୁ,

ପୁଣି କହିଲୁ, ଏହି ଲୋକମାନେ ଅନ୍ତଃକରଣରେ ଭ୍ରାନ୍ତ

ଓ ସେମାନେ ଆମ୍ଭର ପଥ ଜାଣି ନାହାନ୍ତି;

11ଏହେତୁ ସେମାନେ ଆମ୍ଭ ବିଶ୍ରାମରେ ପ୍ରବେଶ

କରିବେ ନାହିଁ ବୋଲି ଆମ୍ଭେ ଆପଣା କୋପରେ ଶପଥ କଲୁ।

96

ସଦାପ୍ରଭୁ ରାଜାଧିରାଜ

1ଆହେ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୂତନ ଗୀତ ଗାନ କର;

ସମୁଦାୟ ପୃଥିବୀ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କର।

2ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରି ତାହାଙ୍କ ନାମର ଧନ୍ୟବାଦ କର;

ତାହାଙ୍କ ପରିତ୍ରାଣ ଦିନକୁ ଦିନ ପ୍ରକାଶ କର।

3ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ ତାହାଙ୍କ ଗୌରବ,

ସମସ୍ତ ଗୋଷ୍ଠୀ ମଧ୍ୟରେ ତାହାଙ୍କ ଆଶ୍ଚର୍ଯ୍ୟକ୍ରିୟା ପ୍ରକାଶ କର।

4କାରଣ ସଦାପ୍ରଭୁ ମହାନ ଓ ଅତ୍ୟନ୍ତ ପ୍ରଶଂସନୀୟ;

ସେ ସମସ୍ତ ଦେବତା ଅପେକ୍ଷା ଭୟଯୋଗ୍ୟ।

5କାରଣ ଗୋଷ୍ଠୀବର୍ଗର ସକଳ ଦେବତା ପ୍ରତିମା ମାତ୍ର;

ମାତ୍ର ସଦାପ୍ରଭୁ ଆକାଶମଣ୍ଡଳର ସୃଷ୍ଟିକର୍ତ୍ତା।

6ସମ୍ଭ୍ରମ ଓ ମହିମା ତାହାଙ୍କର ସମ୍ମୁଖବର୍ତ୍ତୀ;

ଶକ୍ତି ଓ ଶୋଭା ତାହାଙ୍କ ଧର୍ମଧାମରେ ବିଦ୍ୟମାନ।

7ହେ ନାନା ଦେଶୀୟ ଗୋଷ୍ଠୀବର୍ଗ, ତୁମ୍ଭେମାନେ ସଦାପ୍ରଭୁଙ୍କର କୀର୍ତ୍ତନ କର,

ସଦାପ୍ରଭୁଙ୍କ ଗୌରବ ଓ ପରାକ୍ରମର କୀର୍ତ୍ତନ କର।

8ସଦାପ୍ରଭୁଙ୍କ ନାମର ଯଥୋଚିତ ଗୌରବ କୀର୍ତ୍ତନ କର;

ନୈବେଦ୍ୟ ଆଣ ଓ ତାହାଙ୍କ ପ୍ରାଙ୍ଗଣକୁ ଆସ।

9ଆହେ, ପବିତ୍ରତାର ସୌନ୍ଦର୍ଯ୍ୟରେ ସଦାପ୍ରଭୁଙ୍କର ଭଜନା କର;

ସମୁଦାୟ ପୃଥିବୀ, ତାହାଙ୍କ ଛାମୁରେ କମ୍ପମାନ ହୁଅ।

10“ସଦାପ୍ରଭୁ ରାଜ୍ୟ କରନ୍ତି,” ଏହା ଗୋଷ୍ଠୀବର୍ଗ ମଧ୍ୟରେ କୁହ;

ଜଗତ ହିଁ ସୁସ୍ଥିର, ତାହା ବିଚଳିତ ହୋଇ ନ ପାରେ;

ସେ ଗୋଷ୍ଠୀବର୍ଗକୁ ନ୍ୟାୟରେ ବିଚାର କରିବେ।

11ଆକାଶମଣ୍ଡଳ ଆନନ୍ଦିତ ହେଉ ଓ ପୃଥିବୀ ଉଲ୍ଲାସ କର;

ସମୁଦ୍ର ଓ ତହିଁର ପୂର୍ଣ୍ଣତା ଗର୍ଜ୍ଜନ କରୁ;

12କ୍ଷେତ୍ର ଓ ତନ୍ମଧ୍ୟସ୍ଥସକଳ ଜୟଧ୍ୱନି କରନ୍ତୁ;

ତେବେ ବନସ୍ଥ ବୃକ୍ଷସକଳ ଆନନ୍ଦରେ ଗାନ କରିବେ;

13ସଦାପ୍ରଭୁଙ୍କ ସମ୍ମୁଖରେ ଗାନ କରିବେ; କାରଣ ସେ ଆସୁଅଛନ୍ତି;

ସେ ପୃଥିବୀର ବିଚାର କରିବାକୁ ଆସୁଅଛନ୍ତି;

ସେ ଧର୍ମରେ ଜଗତର ଓ

ଆପଣା ସତ୍ୟତାରେ ଗୋଷ୍ଠୀବର୍ଗର ବିଚାର କରିବେ।

97

ସଦାପ୍ରଭୁ ହିଁ ସର୍ବୋପରିସ୍ଥ ଶାସନକର୍ତ୍ତା

1ସଦାପ୍ରଭୁ ରାଜ୍ୟ କରନ୍ତି; ପୃଥିବୀ ଉଲ୍ଲାସ କରୁ;

ଦ୍ୱୀପସମୂହ ଆନନ୍ଦିତ ହେଉନ୍ତୁ।

2ମେଘମାଳ ଓ ଅନ୍ଧକାର ତାହାଙ୍କ ଚତୁର୍ଦ୍ଦିଗରେ ଥାଏ;

ଧର୍ମ ଓ ବିଚାର ତାହାଙ୍କ ସିଂହାସନର ଭିତ୍ତିମୂଳ।

3ତାହାଙ୍କ ସମ୍ମୁଖରେ ଅଗ୍ନି ଗମନ କରେ ଓ

ତାହାଙ୍କ ଚତୁର୍ଦ୍ଦିଗସ୍ଥ ଶତ୍ରୁଗଣକୁ ଦଗ୍ଧ କରେ।

4ତାହାଙ୍କ ବିଜୁଳି ଜଗତକୁ ଦୀପ୍ତିମାନ କଲା;

ପୃଥିବୀ ଦେଖି କମ୍ପିଲା।

5ପର୍ବତଗଣ ସଦାପ୍ରଭୁଙ୍କ ଛାମୁରେ ମହମ ପରି ତରଳି ଗଲେ,

ସମୁଦାୟ ପୃଥିବୀ ପ୍ରଭୁଙ୍କ ଛାମୁରେ ତରଳି ଗଲେ।

6ଆକାଶମଣ୍ଡଳ ତାହାଙ୍କ ଧର୍ମ ପ୍ରଚାର କରଇ ଓ

ସମୁଦାୟ ଗୋଷ୍ଠୀ ତାହାଙ୍କ ମହିମା ଦେଖିଅଛନ୍ତି।

7ଖୋଦିତ ପ୍ରତିମାଗଣର ସେବକ ସମସ୍ତେ ଓ

ଦେବତାଗଣର ଦର୍ପକାରୀ ସମସ୍ତେ ଲଜ୍ଜିତ ହେଉନ୍ତୁ;

ହେ ସମସ୍ତ ଦେବତାଗଣ, ତୁମ୍ଭେମାନେ ତାହାଙ୍କୁ ପ୍ରଣାମ କର।

8ହେ ସଦାପ୍ରଭୁ, ତୁମ୍ଭ ଶାସନ ବିଷୟ ସିୟୋନ ଶୁଣି ଆନନ୍ଦିତ ହେଲା

ଓ ଯିହୁଦାର କନ୍ୟାଗଣ ଉଲ୍ଲସିତ ହେଲେ।

9କାରଣ ହେ ସଦାପ୍ରଭୁ, ତୁମ୍ଭେ ସମୁଦାୟ ପୃଥିବୀରେ ସର୍ବୋପରିସ୍ଥ;

ତୁମ୍ଭେ ସକଳ ଦେବ ଉପରେ ଅତିଶୟ ଉନ୍ନତ।

10ହେ ସଦାପ୍ରଭୁଙ୍କ ପ୍ରେମକାରୀଗଣ, ତୁମ୍ଭେମାନେ ମନ୍ଦତା ଘୃଣା କର;

ସେ ଆପଣା ସଦ୍‍ଭକ୍ତମାନଙ୍କ ପ୍ରାଣ ରକ୍ଷା କରନ୍ତି।

ସେ ସେମାନଙ୍କୁ ଦୁଷ୍ଟମାନଙ୍କ ହସ୍ତରୁ ଉଦ୍ଧାର କରନ୍ତି;

11ଧାର୍ମିକମାନଙ୍କ ପାଇଁ ଦୀପ୍ତି ଓ

ସରଳମନାମାନଙ୍କ ପାଇଁ ଆନନ୍ଦ ବୁଣା ଯାଇଅଛି।

12ହେ ଧାର୍ମିକଗଣ, ତୁମ୍ଭେମାନେ ସଦାପ୍ରଭୁଙ୍କଠାରେ ଆନନ୍ଦ କର;

ପୁଣି, ତାହାଙ୍କ ପବିତ୍ର ନାମର ଧନ୍ୟବାଦ କର।

98

ସଦାପ୍ରଭୁ ହିଁ ଜଗତର ଶାସନକର୍ତ୍ତା

ଗୀତ।

1ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୂତନ ଗୀତ ଗାନ କର;

କାରଣ ସେ ଆଶ୍ଚର୍ଯ୍ୟ କର୍ମ କରିଅଛନ୍ତି;

ତାହାଙ୍କ ଦକ୍ଷିଣ ହସ୍ତ ଓ ତାହାଙ୍କ ପବିତ୍ର ବାହୁ ତାହାଙ୍କ ପକ୍ଷରେ ପରିତ୍ରାଣ ସାଧନ କରିଅଛି।

2ସଦାପ୍ରଭୁ ଆପଣା ପରିତ୍ରାଣ ଜଣାଇ ଅଛନ୍ତି;

ସେ ଅନ୍ୟ ଦେଶୀୟମାନଙ୍କ ଦୃଷ୍ଟିଗୋଚରରେ ଆପଣା ଧର୍ମ ପ୍ରକାଶ କରିଅଛନ୍ତି।

3ସେ ଇସ୍ରାଏଲ ବଂଶ ପକ୍ଷରେ ଆପଣା ଦୟା ଓ ବିଶ୍ୱସ୍ତତା ସ୍ମରଣ କରିଅଛନ୍ତି;

ପୃଥିବୀର ପ୍ରାନ୍ତସ୍ଥ ସମସ୍ତେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପରିତ୍ରାଣ ଦେଖିଅଛନ୍ତି।

4ସମୁଦାୟ ପୃଥିବୀ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆନନ୍ଦଧ୍ୱନି କର;

ଉଚ୍ଚ ଧ୍ୱନି କର, ଆନନ୍ଦ ଗାନ କର ଓ ପ୍ରଶଂସା ଗାନ କର।

5ବୀଣାଯନ୍ତ୍ରରେ, ବୀଣା ଓ ଏକତାନ ସ୍ୱରରେ

ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର।

6ତୂରୀ ଓ ଭେରୀ ନାଦରେ

ରାଜା ସଦାପ୍ରଭୁଙ୍କ ସମ୍ମୁଖରେ ଆନନ୍ଦଧ୍ୱନି କର।

7ସମୁଦ୍ର ଓ ତହିଁର ପୂର୍ଣ୍ଣତା,

ଜଗତ ଓ ତନ୍ନିବାସୀ ସମସ୍ତେ ଗର୍ଜ୍ଜନ କରନ୍ତୁ;

8ନଦ-ନଦୀଗଣ କରତାଳି ଦେଉନ୍ତୁ;

ପର୍ବତଗଣ ଏକସଙ୍ଗେ ଆନନ୍ଦଗାନ କରନ୍ତୁ;

9ସଦାପ୍ରଭୁଙ୍କ ସମ୍ମୁଖରେ ଗାନ କରନ୍ତୁ,

କାରଣ ସେ ପୃଥିବୀର ବିଚାର କରିବାକୁ ଆସୁଅଛନ୍ତି;

ସେ ଧର୍ମରେ ଜଗତର ଓ ନ୍ୟାୟରେ ଗୋଷ୍ଠୀବର୍ଗର ବିଚାର କରିବେ।

99

ସଦାପ୍ରଭୁ ହିଁ ରାଜାଧିରାଜ

1ସଦାପ୍ରଭୁ ରାଜ୍ୟ କରନ୍ତି; ଗୋଷ୍ଠୀବର୍ଗ କମ୍ପିତ ହେଉନ୍ତୁ;

ସେ କିରୂବଗଣ ଉପରେ ଉପବିଷ୍ଟ; ପୃଥିବୀ ବିଚଳିତ ହେଉ।

2ସଦାପ୍ରଭୁ ସିୟୋନରେ ମହାନ ଓ

ସେ ସର୍ବଦେଶୀୟମାନଙ୍କ ଉପରେ ଉନ୍ନତ।

3ସେମାନେ ତୁମ୍ଭ ମହତ ଓ ଭୟଙ୍କର ନାମର ପ୍ରଶଂସା କରନ୍ତୁ;

ସେ ପବିତ୍ର ଅଟନ୍ତି।

4ରାଜାଙ୍କ ଶକ୍ତି ମଧ୍ୟ ବିଚାର ଭଲ ପାଏ;

ତୁମ୍ଭେ ନ୍ୟାୟ ସ୍ଥିର କରୁଥାଅ,

ତୁମ୍ଭେ ଯାକୁବ ମଧ୍ୟରେ ବିଚାର ଓ ନ୍ୟାୟ ସାଧନ କରୁଥାଅ।

5ତୁମ୍ଭେମାନେ ଆମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁଙ୍କର ପ୍ରଶଂସା କର

ଓ ତାହାଙ୍କ ପାଦପୀଠରେ ପ୍ରଣାମ କର;

ସେ ପବିତ୍ର ଅଟନ୍ତି।

6ତାହାଙ୍କ ଯାଜକଗଣ ମଧ୍ୟରେ ମୋଶା, ହାରୋଣ

ଓ ତାହାଙ୍କ ନାମରେ ପ୍ରାର୍ଥନାକାରୀମାନଙ୍କ ମଧ୍ୟରେ ଶାମୁୟେଲ;

ସେମାନେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ ଓ ସେ ସେମାନଙ୍କୁ ଉତ୍ତର ଦେଲେ।

7ସେ ମେଘ ସ୍ତମ୍ଭରେ ସେମାନଙ୍କ ନିକଟରେ କଥା କହିଲେ;

ସେମାନେ ତାହାଙ୍କର ସାକ୍ଷ୍ୟ ଓ ସେମାନଙ୍କୁ ଦତ୍ତ ବିଧିସବୁ ପାଳନ କଲେ।

8ହେ ସଦାପ୍ରଭୁ, ଆମ୍ଭମାନଙ୍କ ପରମେଶ୍ୱର, ତୁମ୍ଭେ ସେମାନଙ୍କୁ ଉତ୍ତର ଦେଲ।

ତୁମ୍ଭେ ସେମାନଙ୍କ କର୍ମର ପରିଶୋଧ ନେଲେ ହେଁ

ସେମାନଙ୍କର କ୍ଷମାକାରୀ ପରମେଶ୍ୱର ହୋଇଥିଲ।

9ତୁମ୍ଭେମାନେ ଆମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁଙ୍କର ପ୍ରଶଂସା କର

ଓ ତାହାଙ୍କ ପବିତ୍ର ପର୍ବତରେ ପ୍ରଣାମ କର;

କାରଣ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ପବିତ୍ର ଅଟନ୍ତି।

100

ସ୍ତୁତିଗାନ

ଧନ୍ୟବାଦାର୍ଥକ ଗୀତ।

1ହେ ସକଳ ଦେଶ, ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆନନ୍ଦଧ୍ୱନି କର।

2ଆନନ୍ଦରେ ସଦାପ୍ରଭୁଙ୍କର ସେବା କର;

ଗାନ କରି ତାହାଙ୍କ ଛାମୁକୁ ଆସ।

3ସଦାପ୍ରଭୁ ଯେ ପରମେଶ୍ୱର ଅଟନ୍ତି, ଏହା ତୁମ୍ଭେମାନେ ଜ୍ଞାତ ହୁଅ;

ସେ ଆମ୍ଭମାନଙ୍କୁ ନିର୍ମାଣ କରିଅଛନ୍ତି ଓ ଆମ୍ଭେମାନେ ତାହାଙ୍କର ଅଟୁ;

ଆମ୍ଭେମାନେ ତାହାଙ୍କର ଲୋକ ଓ ତାହାଙ୍କ ଚରାସ୍ଥାନର ମେଷ।

4ଧନ୍ୟବାଦ କରୁ କରୁ ତାହାଙ୍କ ଦ୍ୱାରରେ ଓ

ପ୍ରଶଂସା କରୁ କରୁ ତାହାଙ୍କ ପ୍ରାଙ୍ଗଣରେ ପ୍ରବେଶ କର;

ତାହାଙ୍କର ସ୍ତବ କର ଓ ତାହାଙ୍କ ନାମର ଗୁଣାନୁବାଦ କର।

5କାରଣ ସଦାପ୍ରଭୁ ମଙ୍ଗଳମୟ; ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ;

ଆଉ, ତାହାଙ୍କର ବିଶ୍ୱସ୍ତତା ପୁରୁଷାନୁକ୍ରମରେ ଥାଏ।

101

ରାଜାଙ୍କ ପ୍ରତିଜ୍ଞା

ଦାଉଦଙ୍କର ଗୀତ।

1ମୁଁ ଦୟା ଓ ଶାସନ ବିଷୟ ଗାନ କରିବି।

ହେ ସଦାପ୍ରଭୁ, ମୁଁ ତୁମ୍ଭ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି।

2ମୁଁ ବିବେଚନାପୂର୍ବକ ସିଦ୍ଧ ପଥରେ ଗମନ କରିବି;

ଆହା, ତୁମ୍ଭେ କେବେ ମୋ’ ନିକଟକୁ ଆସିବ ?

ମୁଁ ଆପଣା ଗୃହ ମଧ୍ୟରେ ସିଦ୍ଧ ଅନ୍ତଃକରଣରେ ଆଚରଣ କରିବି।

3ମୁଁ କୌଣସି ମନ୍ଦ ବିଷୟ ଆପଣା ଦୃଷ୍ଟିଗୋଚରରେ ରଖିବି ନାହିଁ;

ମୁଁ ବିପଥଗାମୀମାନଙ୍କ କର୍ମ ଘୃଣା କରେ;

ତାହା ମୋ’ଠାରେ ଲିପ୍ତ ହେବ ନାହିଁ।

4କୁଟିଳ ଅନ୍ତଃକରଣ ମୋ’ ନିକଟରୁ ଦୂର ହେବ;

ମୁଁ ମନ୍ଦ ବିଷୟର ପରିଚୟ ନେବି ନାହିଁ।

5ଯେଉଁ ଜନ ଗୋପନରେ ଆପଣା ପ୍ରତିବାସୀର ଅପବାଦ କରେ, ମୁଁ ତାହାକୁ ବିନାଶ କରିବି;

ଯାହାର ଅହଙ୍କାର-ଦୃଷ୍ଟି ଓ ଗର୍ବୀ ଅନ୍ତଃକରଣ, ମୁଁ ତାହାକୁ ସହିବି ନାହିଁ।

6ଦେଶର ବିଶ୍ୱସ୍ତ ଲୋକେ ଯେପରି ମୋ’ ସଙ୍ଗେ ବାସ କରିବେ, ଏଥିପାଇଁ ସେମାନଙ୍କ ଉପରେ ମୋହର ଦୃଷ୍ଟି ରହିବ।

ଯେଉଁ ଜନ ସିଦ୍ଧ ପଥରେ ଚାଲେ, ସେ ମୋହର ସେବା କରିବ।

7ଯେ ପ୍ରତାରଣା କରେ, ସେ ମୋ’ ଗୃହ ମଧ୍ୟରେ ବାସ କରିବ ନାହିଁ।

ଯେ ମିଥ୍ୟା କହେ, ସେ ମୋ’ ଦୃଷ୍ଟିଗୋଚରରେ ସ୍ଥାୟୀ ହେବ ନାହିଁ।

8ମୁଁ ଅଧର୍ମାଚାରୀସମସ୍ତଙ୍କୁ ସଦାପ୍ରଭୁଙ୍କ ନଗରରୁ ଉଚ୍ଛିନ୍ନ କରିବା

ନିମନ୍ତେ ପ୍ରତି ପ୍ରଭାତରେ ଦେଶର ସକଳ ଦୁଷ୍ଟ ଲୋକଙ୍କୁ ସଂହାର କରିବି।

102

ଜଣେ ଦୁଃଖରେ ବ୍ୟଥିତ ବ୍ୟକ୍ତିର ପ୍ରାର୍ଥନା

ଅବସନ୍ନ କାଳେ ସଦାପ୍ରଭୁଙ୍କ ଛାମୁରେ ଆପଣା ଖେଦର କଥା ଭାଙ୍ଗି ଜଣାଇବା ବେଳେ ଦୁଃଖୀ ଲୋକର ପ୍ରାର୍ଥନା।

1ହେ ସଦାପ୍ରଭୁ, ମୋହର ପ୍ରାର୍ଥନା ଶୁଣ ଓ

ମୋ’ କାକୂକ୍ତି ତୁମ୍ଭ ନିକଟରେ ଉପସ୍ଥିତ ହେଉ।

2ମୋ’ ସଙ୍କଟ ଦିନରେ ମୋ’ଠାରୁ ତୁମ୍ଭ ମୁଖ ଲୁଚାଅ ନାହିଁ;

ମୋ’ ପ୍ରତି ଆପଣା କର୍ଣ୍ଣ ଡେର;

ମୁଁ ପ୍ରାର୍ଥନା କରିବା ଦିନରେ ମୋତେ ଶୀଘ୍ର ଉତ୍ତର ଦିଅ।

3କାରଣ ମୋ’ ବଞ୍ଚିବାର ଦିନସବୁ ଧୂଆଁ ପରି କ୍ଷୟ ପାଏ

ଓ ମୋହର ଅସ୍ଥିସବୁ ନିଆଁଖୁଣ୍ଟା ପରି ପୋଡ଼ିଯାଏ।

4ମୋହର ହୃଦୟ ତୃଣ ପରି ଉତ୍ତାପିତ ଓ ଶୁଷ୍କ ହୋଇଅଛି,

ମୁଁ ଆପଣା ଆହାର ଭୋଜନ କରିବାକୁ ପାସୋରି ଯାଏ।

5ମୋହର ହାହାକାର ଶବ୍ଦ ସକାଶୁ

ମୋ’ ଅସ୍ଥିସବୁ ମୋ’ ମାଂସରେ ଲାଗି ରହେ।

6ମୁଁ ପ୍ରାନ୍ତରସ୍ଥ ପାଣିଭେଳା ପକ୍ଷୀର102:6 ପାଣିଭେଳା ପକ୍ଷୀର ଶାଗୁଣା କିଅବା ପେଚା ତୁଲ୍ୟ;

ମୁଁ ନରଶୂନ୍ୟ ସ୍ଥାନର ପେଚା ପରି ହୋଇଅଛି।

7ମୁଁ ଉଜାଗର ରହେ ଓ

ଛାତ ଉପରିସ୍ଥ ଏକାକୀ ଥିବା ଘରଚଟିଆ ତୁଲ୍ୟ ହୋଇଅଛି;

8ମୋ’ ଶତ୍ରୁମାନେ ସାରାଦିନ ମୋତେ ନିନ୍ଦା କରନ୍ତି;

ମୋ’ ବିରୁଦ୍ଧରେ କ୍ରୋଧାନ୍ୱିତ ଲୋକମାନେ ମୋ’ ନାମ ନେଇ ଅଭିଶାପ ଦିଅନ୍ତି।

9କାରଣ ମୁଁ ଅନ୍ନ ପରି ଭସ୍ମ ଭୋଜନ କରିଅଛି

ଓ ମୋହର ପେୟଦ୍ରବ୍ୟ ନେତ୍ରଜଳ ସଙ୍ଗେ ମିଶାଇଅଛି।

10ତୁମ୍ଭର କ୍ରୋଧ ଓ କୋପ ସକାଶୁ ଏହା ହୋଇଅଛି;

ଯେହେତୁ ତୁମ୍ଭେ ମୋତେ ଉଠାଇ ପକାଇ ଦେଇଅଛ।

11ମୋହର ଦିନସବୁ କ୍ଷୟ ପାଉଥିବା ଛାୟା ତୁଲ୍ୟ

ଓ ମୁଁ ତୃଣ ତୁଲ୍ୟ ଶୁଷ୍କ ହେଉଅଛି।

12ମାତ୍ର ହେ ସଦାପ୍ରଭୁ, ତୁମ୍ଭେ ଅନନ୍ତକାଳ ଓ

ତୁମ୍ଭର ସ୍ମରଣ ପୁରୁଷାନୁକ୍ରମରେ ଥିବ।

13ତୁମ୍ଭେ ଉଠି ସିୟୋନକୁ ଦୟା କରିବ;

କାରଣ ତାହା ପ୍ରତି କୃପା କରିବାର ସମୟ ଏହି, ହଁ,

ନିରୂପିତ ସମୟ ଉପସ୍ଥିତ।

14ଯେହେତୁ ତୁମ୍ଭ ଦାସମାନେ ତହିଁର ପଥରରେ ଶ୍ରଦ୍ଧା

ଓ ତହିଁର ଧୂଳିରେ ଦୟାଭାବ ବହନ୍ତି।

15ତହିଁରେ ଅନ୍ୟ ଦେଶୀୟମାନେ ସଦାପ୍ରଭୁଙ୍କ ନାମକୁ

ଓ ପୃଥିବୀସ୍ଥ ରାଜାଗଣ ତୁମ୍ଭ ମହିମାକୁ ଭୟ କରିବେ।

16କାରଣ ସଦାପ୍ରଭୁ ସିୟୋନକୁ ପୁନଃର୍ନିର୍ମାଣ କରିଅଛନ୍ତି

ଓ ସେ ଆପଣା ଗୌରବରେ ଦର୍ଶନ ଦେଇଅଛନ୍ତି;

17ସେ ଦୀନହୀନମାନଙ୍କ ପ୍ରାର୍ଥନାରେ ମନୋଯୋଗ କରିଅଛନ୍ତି

ଓ ସେ ସେମାନଙ୍କ ପ୍ରାର୍ଥନା ତୁଚ୍ଛ କରି ନାହାନ୍ତି।

18ଏହା ଭବିଷ୍ୟତ ବଂଶ ନିମନ୍ତେ ଲିଖିତ ହେବ;

ଆଉ, ଯେଉଁ ଗୋଷ୍ଠୀ ସୃଷ୍ଟ ହେବେ, ସେମାନେ ସଦାପ୍ରଭୁଙ୍କର ପ୍ରଶଂସା କରିବେ।

19କାରଣ ବନ୍ଦୀର ହାହାକାର ଶୁଣିବାକୁ,

ହତ ହେବା ନିମନ୍ତେ ନିରୂପିତ ଲୋକମାନଙ୍କୁ ମୁକ୍ତ କରିବାକୁ;

20ସଦାପ୍ରଭୁ ଆପଣାର ଉଚ୍ଚ ଧର୍ମଧାମରୁ ଦୃଷ୍ଟିପାତ କରିଅଛନ୍ତି;

ସେ ସ୍ୱର୍ଗରୁ ପୃଥିବୀକୁ ଅବଲୋକନ କଲେ;

21ତହିଁରେ ସଦାପ୍ରଭୁଙ୍କ ସେବା କରିବା ନିମନ୍ତେ

ଗୋଷ୍ଠୀବର୍ଗ ଓ ରାଜ୍ୟସକଳ ଏକତ୍ରିତ ହେବା ବେଳେ,

22ଲୋକମାନେ ସିୟୋନରେ ସଦାପ୍ରଭୁଙ୍କ ନାମ ଓ

ଯିରୂଶାଲମରେ ତାହାଙ୍କର ପ୍ରଶଂସା ପ୍ରଚାର କରିବେ;

23ସଦାପ୍ରଭୁ ଜୀବନର ପଥ102:23 ପଥ ଅର୍ଥାତ୍ ଯୁବକ ଥିବା ସମୟରେ ମଧ୍ୟରେ ମୋର ବଳ ହ୍ରାସ କଲେ,

ସେ ମୋହର ଆୟୁ ଊଣା କଲେ।

24ମୁଁ କହିଲି, ହେ ମୋହର ପରମେଶ୍ୱର, ଆୟୁର ମଧ୍ୟଭାଗରେ ମୋତେ ନେଇ ନ ଯାଅ;

ତୁମ୍ଭର ବର୍ଷ ପୁରୁଷାନୁକ୍ରମରେ ଥାଏ।

25ତୁମ୍ଭେ ଆଦ୍ୟରୁ ପୃଥିବୀର ମୂଳ ସ୍ଥାପନ କରିଅଛ;

ପୁଣି, ଆକାଶମଣ୍ଡଳ ତୁମ୍ଭର ହସ୍ତକୃତ କର୍ମ।

26ସେସବୁ ବିନଷ୍ଟ ହେବେ, ମାତ୍ର ତୁମ୍ଭେ ନିତ୍ୟ ଥିବ;

ହଁ, ତହିଁ ମଧ୍ୟରୁ ସକଳ ବସ୍ତ୍ର ପରି ଜୀର୍ଣ୍ଣ ହୋଇଯିବ;

ଆଉ, ତୁମ୍ଭେ ପରିଧେୟ ବସ୍ତ୍ର ପରି ସେସବୁ ପରିବର୍ତ୍ତନ କରିବ ଓ ସେସବୁ ପରିବର୍ତ୍ତିତ ହେବେ।

27ମାତ୍ର ତୁମ୍ଭେ ସେହି ଅଟ ଓ

ତୁମ୍ଭ ବଞ୍ଚିବାର ବର୍ଷ ଶେଷ ହେବ ନାହିଁ।

28ତୁମ୍ଭ ଦାସଗଣର ସନ୍ତାନମାନେ ରହିବେ ଓ

ସେମାନଙ୍କର ବଂଶ ତୁମ୍ଭ ସାକ୍ଷାତରେ ସୁସ୍ଥିର ହେବେ।

103

ସଦାପ୍ରଭୁଙ୍କ ପ୍ରେମ

ଦାଉଦଙ୍କର ଗୀତ।

1ହେ ମୋହର ମନ, ସଦାପ୍ରଭୁଙ୍କର ଧନ୍ୟବାଦ କର;

ହେ ମୋହର ଅନ୍ତରସ୍ଥ ସମସ୍ତ, ତାହାଙ୍କ ପବିତ୍ର ନାମର ଧନ୍ୟବାଦ କର।

2ହେ ମୋହର ମନ, ସଦାପ୍ରଭୁଙ୍କର ଧନ୍ୟବାଦ କର

ଓ ତାହାଙ୍କର ମଙ୍ଗଳଦାନସବୁ ପାସୋର ନାହିଁ;

3ସେ ତୁମ୍ଭର ଅଧର୍ମସବୁ କ୍ଷମା କରନ୍ତି;

ସେ ତୁମ୍ଭର ରୋଗସବୁ ସୁସ୍ଥ କରନ୍ତି;

4ସେ ବିନାଶରୁ ତୁମ୍ଭ ଜୀବନ ମୁକ୍ତ କରନ୍ତି;

ସେ ସ୍ନେହପୂର୍ଣ୍ଣ କରୁଣା ଓ ଦୟାରୂପ ମୁକୁଟରେ ତୁମ୍ଭକୁ ଭୂଷିତ103:4 ଭୂଷିତ ଆଶୀର୍ବାଦ କରନ୍ତି;

5ସେ ଉତ୍ତମ ବସ୍ତୁରେ ତୁମ୍ଭର ମୁଖ ତୃପ୍ତ କରନ୍ତି;

ତହୁଁ ଉତ୍କ୍ରୋଶ ପକ୍ଷୀ ନ୍ୟାୟ ତୁମ୍ଭର ନୂତନ ଯୌବନ ହୁଏ।

6ସଦାପ୍ରଭୁ ଧର୍ମକର୍ମ ସାଧନ କରନ୍ତି ଓ

ଉପଦ୍ରବଗ୍ରସ୍ତ ସମସ୍ତଙ୍କ ପକ୍ଷରେ ସୁବିଚାର ନିଷ୍ପତ୍ତି କରନ୍ତି।

7ସେ ମୋଶାଙ୍କୁ ଆପଣା ପଥ ଓ

ଇସ୍ରାଏଲ ସନ୍ତାନଗଣକୁ ଆପଣା କ୍ରିୟାସବୁ ଜଣାଇଲେ।

8ସଦାପ୍ରଭୁ ସ୍ନେହଶୀଳ ଓ କୃପାମୟ,

କ୍ରୋଧରେ ଧୀର ଓ ଅତ୍ୟନ୍ତ ଦୟାଳୁ।

9ସେ ନିରନ୍ତର ଧମକାଇବେ ନାହିଁ;

କିଅବା ସଦାକାଳ ଆପଣା କ୍ରୋଧ ରଖିବେ ନାହିଁ।

10ସେ ଆମ୍ଭମାନଙ୍କ ପାପ ପ୍ରମାଣେ ଆମ୍ଭମାନଙ୍କ ପ୍ରତି ବ୍ୟବହାର କରି ନାହାନ୍ତି,

କିଅବା ଆମ୍ଭମାନଙ୍କ ଅଧର୍ମାନୁସାରେ ଆମ୍ଭମାନଙ୍କୁ ପ୍ରତିଫଳ ଦେଇ ନାହାନ୍ତି।

11କାରଣ ପୃଥିବୀରୁ ଆକାଶମଣ୍ଡଳ ଯେପରି ଉଚ୍ଚ,

ସେପରି ତାହାଙ୍କ ଭୟକାରୀମାନଙ୍କ ପ୍ରତି ତାହାଙ୍କ ଦୟା ମହତ।

12ପୂର୍ବରୁ ପଶ୍ଚିମ ଯେତେ ଦୂର,

ସେ ଆମ୍ଭମାନଙ୍କଠାରୁ ଆମ୍ଭମାନଙ୍କ ଅପରାଧ ସେତେ ଦୂର କରିଅଛନ୍ତି।

13ପିତା ଆପଣା ସନ୍ତାନଗଣ ପ୍ରତି ଯେରୂପ ସ୍ନେହ ବହଇ,

ସଦାପ୍ରଭୁ ଆପଣା ଭୟକାରୀମାନଙ୍କ ପ୍ରତି ସେରୂପ ସ୍ନେହ ବହନ୍ତି।

14କାରଣ ସେ ଆମ୍ଭମାନଙ୍କର ଗଠନ ଜାଣନ୍ତି;

ଆମ୍ଭେମାନେ ଯେ ଧୂଳିମାତ୍ର, ଏହା ସେ ସ୍ମରଣ କରନ୍ତି।

15ମର୍ତ୍ତ୍ୟର ଦିନ ତୃଣ ତୁଲ୍ୟ;

ଯେପରି କ୍ଷେତ୍ରର ଫୁଲ, ସେପରି ସେ ପ୍ରଫୁଲ୍ଲ ହୁଏ।

16ତହିଁ ଉପରେ ବାୟୁ ବହିଲେ, ତାହା ନ ଥାଏ,

ପୁଣି, ତହିଁର ସ୍ଥାନ ଆଉ ତାହାର ପରିଚୟ ପାଇବ ନାହିଁ।

17ମାତ୍ର ସଦାପ୍ରଭୁଙ୍କ ଦୟା ଅନାଦିକାଳରୁ ଅନନ୍ତକାଳ ପର୍ଯ୍ୟନ୍ତ

ଆପଣା ଭୟକାରୀମାନଙ୍କ ପ୍ରତି ଥାଏ ଓ ଯେଉଁମାନେ ତାହାଙ୍କର ନିୟମ ରକ୍ଷା କରନ୍ତି,

18ପୁଣି, ପାଳନାର୍ଥେ ତାହାଙ୍କ ନିୟମସବୁ ସ୍ମରଣ କରନ୍ତି,

ସେମାନଙ୍କ ପ୍ରତି ତାହାଙ୍କର ଧର୍ମ ପୁତ୍ରପୌତ୍ରାଦିକ୍ରମେ ଥାଏ।

19ସଦାପ୍ରଭୁ ସ୍ୱର୍ଗରେ ଆପଣା ସିଂହାସନ ସ୍ଥାପନ କରିଅଛନ୍ତି;

ପୁଣି, ତାହାଙ୍କ ରାଜ୍ୟ ସମସ୍ତଙ୍କ ଉପରେ କର୍ତ୍ତୃତ୍ୱ କରେ।

20ହେ ସଦାପ୍ରଭୁଙ୍କ ବାକ୍ୟସାଧକ ଓ

ତାହାଙ୍କ ବାକ୍ୟର ରବ ଶ୍ରବଣକାରୀ,

ବଳରେ ପରାକ୍ରାନ୍ତ ଦୂତଗଣ, ତୁମ୍ଭେମାନେ ତାହାଙ୍କର ଧନ୍ୟବାଦ କର।

21ହେ ସଦାପ୍ରଭୁଙ୍କର ପରିଚାରକ ଓ

ତାହାଙ୍କ ଅଭିମତସାଧକ ସୈନ୍ୟ ସକଳ, ତୁମ୍ଭେମାନେ ତାହାଙ୍କର ଧନ୍ୟବାଦ କର।

22ହେ ସଦାପ୍ରଭୁଙ୍କ ହସ୍ତକୃତ କର୍ମସକଳ,

ତୁମ୍ଭେମାନେ ତାହାଙ୍କ ରାଜ୍ୟର ସର୍ବତ୍ର ତାହାଙ୍କର ଧନ୍ୟବାଦ କର;

ହେ ମୋହର ମନ, ସଦାପ୍ରଭୁଙ୍କର ଧନ୍ୟବାଦ କର।

104

ସ୍ରଷ୍ଟାଙ୍କ ଉଦ୍ଦେଶ୍ୟରେ ସ୍ତୁତି

1ହେ ମୋହର ମନ, ସଦାପ୍ରଭୁଙ୍କର ଧନ୍ୟବାଦ କର।

ହେ ସଦାପ୍ରଭୁ, ମୋ’ ପରମେଶ୍ୱର, ତୁମ୍ଭେ ଅତି ମହାନ;

ତୁମ୍ଭେ ସମ୍ଭ୍ରମ ଓ ଐଶ୍ୱର୍ଯ୍ୟରେ ବିଭୂଷିତ।

2ତୁମ୍ଭେ ବସ୍ତ୍ର ପରି ଦୀପ୍ତି ପରିଧାନ କରିଅଛ;

ତୁମ୍ଭେ ଚନ୍ଦ୍ରାତପ ପରି ଆକାଶମଣ୍ଡଳ ବିସ୍ତାର କରିଅଛ।

3ତୁମ୍ଭେ ଜଳରାଶି ଉପରେ ଆପଣା କୋଠରିର କଡ଼ିକାଷ୍ଠ ପକାଇଅଛ;

ତୁମ୍ଭେ ମେଘମାଳକୁ ଆପଣା ରଥ କରିଥାଅ;

ତୁମ୍ଭେ ବାୟୁର ପକ୍ଷ ଉପରେ ଗମନାଗମନ କରୁଅଛ।

4ତୁମ୍ଭେ ବାୟୁକୁ ଆପଣାର ଦୂତ କର;104:4 ତୁମ୍ଭେ ବାୟୁକୁ ଆପଣାର ଦୂତ କର; ଅର୍ଥାତ୍ ତୁମ୍ଭେ ଆପଣାର ଦୂତକୁ ବାୟୁ ପରି କର;

ଅଗ୍ନିଶିଖାକୁ ଆପଣାର ପରିଚାରକ କର।104:4 ଅଗ୍ନିଶିଖାକୁ ଆପଣାର ପରିଚାରକ କର। ଅର୍ଥାତ୍ ଆପଣାର ପରିଚାରକକୁ ଅଗ୍ନିଶିଖା ତୁଲ୍ୟ କର

5ତୁମ୍ଭେ ପୃଥିବୀର ମୂଳ ଏପରି ସ୍ଥାପନ କରିଅଛ ଯେ,

ତାହା କଦାପି ବିଚଳିତ ହେବ ନାହିଁ।

6ତୁମ୍ଭେ ତାହାକୁ ବସ୍ତ୍ର ପରି ବାରିଧିରେ ଆଚ୍ଛାଦନ କଲ;

ପର୍ବତଗଣ ଉପରେ ଜଳରାଶି ଠିଆ ହେଲା।

7ତୁମ୍ଭ ଧମକରେ ସେସବୁ ପଳାଇଲେ;

ତୁମ୍ଭ ବଜ୍ରଧ୍ୱନିରେ ସେସବୁ ଶୀଘ୍ର ଚାଲିଗଲେ;

8ସେସବୁ ପର୍ବତଗଣ ଉପରେ ଉଠି ଓ ସମସ୍ଥଳରେ ଓହ୍ଲାଇ

ସେମାନଙ୍କ ନିମନ୍ତେ ତୁମ୍ଭର ନିରୂପିତ ସ୍ଥାନକୁ ଚାଲିଗଲେ।

9ସେମାନେ ଯେପରି ସୀମା ଲଙ୍ଘନ ନ କରିବେ

ଓ ପୃଥିବୀକୁ ଆଚ୍ଛାଦନ କରିବା ପାଇଁ ପୁନର୍ବାର ଫେରି ନ ଆସିବେ,

ଏଥିପାଇଁ ତୁମ୍ଭେ ଏକ ସୀମା ନିରୂପଣ କରିଅଛ।

10ସେ ଉପତ୍ୟକାସମୂହରେ ନିର୍ଝର ବୁହାନ୍ତି;

ତାହା ପର୍ବତଗଣ ମଧ୍ୟରେ ଧାଏଁ;

11ତାହା କ୍ଷେତ୍ରସ୍ଥ ପଶୁଗଣକୁ ଜଳ ଯୋଗାଏ,

ବନ୍ୟ ଗର୍ଦ୍ଦଭମାନେ ତହିଁରେ ଆପଣା ଆପଣା ତୃଷା ନିବାରଣ କରନ୍ତି।

12ତହିଁ ନିକଟରେ ଖେଚର ପକ୍ଷୀଗଣ ବସା କରନ୍ତି,

ସେମାନେ ଡାଳ ମଧ୍ୟରେ ଗାନ କରନ୍ତି।

13ସେ ଆପଣା ସ୍ବର୍ଗରୁ104:13 ସ୍ବର୍ଗରୁ କୋଠରିରୁ ପର୍ବତଗଣକୁ ଜଳରେ ସେଚନ କରନ୍ତି;

ପୃଥିବୀ ତାହାଙ୍କ କର୍ମର ଫଳରେ ତୃପ୍ତ ହୁଏ।

14ସେ ପଶୁଗଣ ନିମନ୍ତେ ତୃଣ ଓ

ମନୁଷ୍ୟର ସେବା ନିମନ୍ତେ ଶାକ ଅଙ୍କୁରିତ କରନ୍ତି;

ଏହିରୂପେ ସେ ଭୂମିରୁ ଭକ୍ଷ୍ୟ ଉତ୍ପନ୍ନ କରନ୍ତି।

15ପୁଣି, ମନୁଷ୍ୟର ଚିତ୍ତ-ଆନନ୍ଦକାରୀ ଦ୍ରାକ୍ଷାରସ,

ମୁଖ-ଚିକ୍‍କଣକାରୀ ତୈଳ ଓ ମନୁଷ୍ୟର ହୃଦୟ

ସବଳକାରୀ ଭକ୍ଷ୍ୟ ଉତ୍ପନ୍ନ କରନ୍ତି।

16ସଦାପ୍ରଭୁଙ୍କ ବୃକ୍ଷଶ୍ରେଣୀ ପରିତୃପ୍ତ;

ଲିବାନୋନରେ ତାହାଙ୍କ ରୋପିତ ଏରସ ବୃକ୍ଷସକଳ ପରିତୃପ୍ତ;

17ତହିଁ ମଧ୍ୟରେ ପକ୍ଷୀଗଣ ଆପଣା ଆପଣା ବସା ନିର୍ମାଣ କରନ୍ତି;

ଦେବଦାରୁ ବୃକ୍ଷ ଚରଳର ଗୃହ।

18ଉଚ୍ଚ ପର୍ବତଶ୍ରେଣୀ ବନ୍ୟ ଛାଗମାନଙ୍କ ନିମନ୍ତେ ଅଟେ,

ଶୈଳସବୁ ଶାଫନ୍‍ର ଆଶ୍ରୟ।

19ସେ ଋତୁ ନିମନ୍ତେ ଚନ୍ଦ୍ର ନିରୂପଣ କରିଅଛନ୍ତି;

ସୂର୍ଯ୍ୟ ଆପଣା ଅସ୍ତଗମନ ଜାଣେ।

20ତୁମ୍ଭେ ଅନ୍ଧକାର କଲେ ରାତ୍ରି ହୁଏ;

ତହିଁରେ ସକଳ ବନପଶୁ ବାହାରି ଭ୍ରମଣ କରନ୍ତି।

21ଯୁବା ସିଂହଗଣ ମୃଗୟା ଚେଷ୍ଟାରେ ଗର୍ଜ୍ଜନ କରନ୍ତି

ଓ ପରମେଶ୍ୱରଙ୍କଠାରୁ ଆହାର ଚାହାନ୍ତି।

22ସୂର୍ଯ୍ୟୋଦୟ ହେଲେ ସେମାନେ ଚାଲିଯା’ନ୍ତି

ଓ ଆପଣା ଆପଣା ଗୁମ୍ଫାରେ ଶୟନ କରନ୍ତି।

23ମନୁଷ୍ୟ ଆପଣା କାର୍ଯ୍ୟକୁ ଓ

ସନ୍ଧ୍ୟାକାଳ ପର୍ଯ୍ୟନ୍ତ ଆପଣା ପରିଶ୍ରମକୁ ବାହାରେ।

24ହେ ସଦାପ୍ରଭୁ, ତୁମ୍ଭର କାର୍ଯ୍ୟସକଳ କିପରି ବହୁବିଧ !

ତୁମ୍ଭେ ଜ୍ଞାନରେ ସେସବୁ ନିର୍ମାଣ କରିଅଛ;

ପୃଥିବୀ ତୁମ୍ଭ ସମ୍ପତ୍ତିରେ ପରିପୂର୍ଣ୍ଣ।

25ସେହି ସମୁଦ୍ର ବୃହତ ଓ ପ୍ରଶସ୍ତ,

ତହିଁ ମଧ୍ୟରେ ଜଳଚର,

କ୍ଷୁଦ୍ର ଓ ବୃହତ ଅସଂଖ୍ୟ ଜନ୍ତୁ ଅଛନ୍ତି।

26ତହିଁରେ ଜାହାଜ ଗତାୟାତ କରେ;

ତହିଁରେ ଖେଳିବା ପାଇଁ ତୁମ୍ଭର ସୃଷ୍ଟ ଲିବିୟାଥନ ଥାଏ।

27ଏସମସ୍ତେ ଉପଯୁକ୍ତ ସମୟରେ ଆପଣା ଆପଣା

ଭକ୍ଷ୍ୟ ପାଇବା ନିମନ୍ତେ ତୁମ୍ଭର ଅନୁସରଣ କରନ୍ତି।

28ଯାହା ତୁମ୍ଭେ ସେମାନଙ୍କୁ ଦିଅ, ତାହା ସେମାନେ ସାଉଣ୍ଟନ୍ତି।

ତୁମ୍ଭେ ଆପଣା ହସ୍ତ ମେଲାଇଲେ, ସେମାନେ ଉତ୍ତମ ଦ୍ରବ୍ୟରେ ପରିତୃପ୍ତ ହୁଅନ୍ତି।

29ତୁମ୍ଭେ ଆପଣା ମୁଖ ଲୁଚାଇଲେ, ସେମାନେ ବ୍ୟାକୁଳ ହୁଅନ୍ତି;

ତୁମ୍ଭେ ସେମାନଙ୍କ ନିଃଶ୍ୱାସ ହରଣ କଲେ,

ସେମାନେ ମରନ୍ତି ଓ ପୁନର୍ବାର ଧୂଳିରେ ମିଶିଯା’ନ୍ତି।

30ତୁମ୍ଭେ ଆପଣା ଆତ୍ମା104:30 ଆତ୍ମା ଶ୍ବାସ ପଠାଇଲେ, ସେମାନେ ସୃଷ୍ଟ ହୁଅନ୍ତି;

ଆଉ, ତୁମ୍ଭେ ଭୂମିର ମୁଖ ନୂତନ କରୁଥାଅ।

31ସଦାପ୍ରଭୁଙ୍କ ଗୌରବ ଅନନ୍ତକାଳ ଥାଉ;

ସଦାପ୍ରଭୁ ଆପଣା କାର୍ଯ୍ୟସକଳରେ ଆନନ୍ଦ କରନ୍ତୁ।

32ସେ ପୃଥିବୀକୁ ଅନାଇଲେ, ତାହା କମ୍ପିତ ହୁଏ,

ସେ ପର୍ବତଗଣକୁ ଛୁଇଁଲେ, ସେମାନେ ଧୂମ ଉଦ୍‍ଗାର କରନ୍ତି।

33ମୁଁ ବଞ୍ଚିଥିବା ଯାଏ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିବି;

ମୋହର ଅସ୍ତିତ୍ୱ ଥିବାଯାଏ, ମୁଁ ମୋହର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି।

34ତାହାଙ୍କ ପ୍ରତି ମୋ’ ଧ୍ୟାନ ସୁମିଷ୍ଟ ହେଉ;

ମୁଁ ସଦାପ୍ରଭୁଙ୍କଠାରେ ଆନନ୍ଦ କରିବି।

35ପାପୀଗଣ ପୃଥିବୀରୁ ଉଚ୍ଛିନ୍ନ ହେଉନ୍ତୁ

ଓ ଦୁଷ୍ଟମାନେ ଆଉ ନ ଥାଉନ୍ତୁ।

ହେ ମୋହର ମନ, ସଦାପ୍ରଭୁଙ୍କର ଧନ୍ୟବାଦ କର।

ତୁମ୍ଭେମାନେ ସଦାପ୍ରଭୁଙ୍କର ଧନ୍ୟବାଦ କର।

105

ସଦାପ୍ରଭୁ ଓ ତାହାଙ୍କ ମନୋନୀତ ଜାତି

1ସଦାପ୍ରଭୁଙ୍କର ଧନ୍ୟବାଦ କର,

ତାହାଙ୍କ ନାମରେ ପ୍ରାର୍ଥନା କର,

ଗୋଷ୍ଠୀବର୍ଗ ମଧ୍ୟରେ ତାହାଙ୍କ କ୍ରିୟାସକଳ ଜଣାଅ।

2ତାହାଙ୍କ ଉଦ୍ଦେଶ୍ୟରେ ଗାନ କର,

ତାହାଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର;

ତୁମ୍ଭେମାନେ ତାହାଙ୍କର ସକଳ ଆଶ୍ଚର୍ଯ୍ୟକ୍ରିୟା ବିଷୟରେ କଥୋପକଥନ କର।

3ତୁମ୍ଭେମାନେ ତାହାଙ୍କ ପବିତ୍ର ନାମରେ ଦର୍ପ କର;

ଯେଉଁମାନେ ସଦାପ୍ରଭୁଙ୍କର ଅନ୍ୱେଷଣ କରନ୍ତି, ସେମାନଙ୍କ ଚିତ୍ତ ଆନନ୍ଦିତ ହେଉ।

4ତୁମ୍ଭେମାନେ ସଦାପ୍ରଭୁଙ୍କର ଓ ତାହାଙ୍କ ପରାକ୍ରମର ଅନ୍ୱେଷଣ କର;

ସଦାସର୍ବଦା ତାହାଙ୍କ ମୁଖ ଅନ୍ୱେଷଣ କର।

5ହେ ତାହାଙ୍କ ଦାସ ଅବ୍ରହାମର ବଂଶ,

ହେ ତାହାଙ୍କର ମନୋନୀତ ଲୋକେ, ଯାକୁବର ସନ୍ତାନଗଣ,

6ତୁମ୍ଭେମାନେ ତାହାଙ୍କ କୃତ ଆଶ୍ଚର୍ଯ୍ୟକର୍ମ, ତାହାଙ୍କ ଅଦ୍ଭୁତ ଲକ୍ଷଣ

ଓ ତାହାଙ୍କ ମୁଖନିର୍ଗତ ଶାସନସକଳ ସ୍ମରଣ କର।

7ସେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଅଟନ୍ତି;

ତାହାଙ୍କର ଶାସନ ସମୁଦାୟ ପୃଥିବୀରେ ପ୍ରଚଳିତ।

8ସେ ଆପଣା ନିୟମ, ଅର୍ଥାତ୍‍,

ଯେଉଁ ବାକ୍ୟ ସେ ସହସ୍ର ପୁରୁଷ-ପରମ୍ପରା ପ୍ରତି ଆଦେଶ କରିଥିଲେ,

9ଯେଉଁ ନିୟମ ସେ ଅବ୍ରହାମ ସଙ୍ଗେ କରିଥିଲେ ଓ ଆପଣାର ଯେଉଁ ଶପଥ ସେ ଇସ୍‍ହାକ ନିକଟରେ କରିଥିଲେ,

ତାହା ସେ ସଦାକାଳ ସ୍ମରଣ କରିଅଛନ୍ତି।

10ପୁଣି, ସେ ଯାକୁବ ପ୍ରତି ତାହା ବିଧି ରୂପେ ଓ

ଇସ୍ରାଏଲ ପ୍ରତି ଅନନ୍ତକାଳୀନ ନିୟମ ରୂପେ ଦୃଢ଼ କରି କହିଲେ,

11ଆମ୍ଭେ ତୁମ୍ଭମାନଙ୍କର ନିର୍ଣ୍ଣୀତ ଅଧିକାର ରୂପେ

ତୁମ୍ଭକୁ କିଣାନ ଦେଶ ଦେବା।

12ସେହି ସମୟରେ ସେମାନେ ସଂଖ୍ୟାରେ ଅଳ୍ପ ଲୋକ

ଓ ଅତି ଅଳ୍ପ, ପୁଣି ସେହି ଦେଶରେ ପ୍ରବାସୀ ଥିଲେ।

13ଆଉ, ସେମାନେ ଗୋଷ୍ଠୀରୁ ଗୋଷ୍ଠୀ ନିକଟରେ,

ଏକ ରାଜ୍ୟରୁ ଅନ୍ୟ ବଂଶ ନିକଟରେ ଭ୍ରମଣ କଲେ।

14ସେ ସେମାନଙ୍କର ଉପଦ୍ରବ କରିବାକୁ କୌଣସି ମନୁଷ୍ୟକୁ ଅନୁମତି ଦେଲେ ନାହିଁ;

ଆହୁରି, ସେ ସେମାନଙ୍କ ସକାଶେ ରାଜାଗଣକୁ ଅନୁଯୋଗ କରି କହିଲେ;

15“ଆମ୍ଭ ଅଭିଷିକ୍ତମାନଙ୍କୁ ସ୍ପର୍ଶ କର ନାହିଁ

ଓ ଆମ୍ଭ ଭବିଷ୍ୟଦ୍‍ବକ୍ତାଗଣର କୌଣସି କ୍ଷତି କର ନାହିଁ।”

16ଏଥିଉତ୍ତାରେ ସେ ଦେଶରେ105:16 ଦେଶରେ ମିସର ଦେଶରେ ଦୁର୍ଭିକ୍ଷ ଆଜ୍ଞା କଲେ;

ସେ ଭକ୍ଷ୍ୟରୂପ ସମଗ୍ର ଯଷ୍ଟି ଭଗ୍ନ କଲେ।

17ସେ ସେମାନଙ୍କ ଆଗରେ ଏକ ମନୁଷ୍ୟକୁ ପଠାଇଲେ;

ଯୋଷେଫ ଦାସ ହେବା ପାଇଁ ବିକ୍ରୀତ ହେଲା;

18ସେମାନେ ବେଡ଼ିରେ ତାହାର ଚରଣକୁ ଦୁଃଖ ଦେଲେ;

ସେ ଲୌହ ଶୃଙ୍ଖଳରେ ରଖାଗଲା;

19ଶେଷରେ ତାହାର ବଚନ ସଫଳ ହେଲା;

ସଦାପ୍ରଭୁଙ୍କ ବାକ୍ୟ ତାହାକୁ ପରୀକ୍ଷା କଲା।

20ତହୁଁ ରାଜା ଲୋକ ପଠାଇ ତାହାକୁ ମୁକ୍ତ କଲା;

ନରପତି ତାହାକୁ ମୁକ୍ତ କରି ଛାଡ଼ିଦେଲା।

21ସେ ଆପଣାର ଅଧିପତିମାନଙ୍କୁ ଇଚ୍ଛାନୁସାରେ ବନ୍ଧନ କରିବା ପାଇଁ

ଓ ଆପଣାର ମନ୍ତ୍ରୀମାନଙ୍କୁ ଜ୍ଞାନ ଶିକ୍ଷା ଦେବା ପାଇଁ;

22ତାହାକୁ ଆପଣା ଗୃହର ପ୍ରଭୁ ଓ

ଆପଣା ସକଳ ସମ୍ପତ୍ତିର କର୍ତ୍ତା କଲା।

23ଇସ୍ରାଏଲ ମଧ୍ୟ ମିସର ଦେଶକୁ ଆସିଲା

ଓ ଯାକୁବ ହାମ୍‍ ଦେଶରେ ପ୍ରବାସ କଲା।

24ଏଥିଉତ୍ତାରେ ସେ ଆପଣା ଲୋକମାନଙ୍କୁ ଅତିଶୟ ବୃଦ୍ଧି କଲେ

ଓ ସେମାନଙ୍କ ବିପକ୍ଷଗଣ ଅପେକ୍ଷା ସେମାନଙ୍କୁ ବଳବାନ କଲେ।

25ସେ ଆପଣା ଲୋକମାନଙ୍କୁ ଘୃଣା କରିବା ପାଇଁ ଓ

ଆପଣା ଦାସମାନଙ୍କ ସହିତ ଧୂର୍ତ୍ତ ବ୍ୟବହାର କରିବା ପାଇଁ ସେମାନଙ୍କ ମନ ପରିବର୍ତ୍ତନ କଲେ।

26ସେ ଆପଣା ସେବକ ମୋଶାଙ୍କୁ ଓ ଆପଣା

ମନୋନୀତ ହାରୋଣଙ୍କୁ ପଠାଇଲେ।

27ସେମାନେ ଲୋକମାନଙ୍କ ମଧ୍ୟରେ ତାହାଙ୍କର ବିବିଧ ଲକ୍ଷଣ ଓ

ହାମ୍‍ ଦେଶରେ ନାନା ଅଦ୍ଭୁତ କର୍ମ ପ୍ରକାଶ କଲେ।

28ସେ ଅନ୍ଧକାର ପଠାଇ ଦେଶକୁ ଅନ୍ଧକାରମୟ କଲେ;

ଆଉ, ସେମାନେ105:28 ସେମାନେ ମିସରୀୟମାନେ ତାହାଙ୍କ ବାକ୍ୟର ବିରୁଦ୍ଧାଚରଣ କଲେ।

29ସେ ସେମାନଙ୍କ ଜଳସବୁ ରକ୍ତ କଲେ ଓ

ମାଛସବୁ ମାରି ପକାଇଲେ।

30ସେମାନଙ୍କ ଦେଶ ଓ ସେମାନଙ୍କ ରାଜାଗଣର ଅନ୍ତଃପୁର

ବେଙ୍ଗରେ ପରିପୂର୍ଣ୍ଣ ହେଲା।

31ସେ ଆଜ୍ଞା କରନ୍ତେ, ଦଂଶକର ଝିଙ୍କ ଓ ସେମାନଙ୍କ

ସକଳ ଅଞ୍ଚଳରେ ଉକୁଣିଆ ପୋକ ଉପସ୍ଥିତ ହେଲେ।

32ସେ ସେମାନଙ୍କୁ ବୃଷ୍ଟି ବଦଳେ ଶିଳା ଓ

ସେମାନଙ୍କ ଦେଶରେ ଶିଖାଯୁକ୍ତ ଅଗ୍ନି ଦେଲେ।

33ମଧ୍ୟ ସେ ସେମାନଙ୍କ ଦ୍ରାକ୍ଷାଲତା ଓ ଡିମ୍ବିରି ବୃକ୍ଷସବୁ ଆଘାତ କଲେ

ଓ ସେମାନଙ୍କ ସୀମାସ୍ଥିତ ବୃକ୍ଷସବୁ ଭାଙ୍ଗି ପକାଇଲେ।

34ସେ ଆଜ୍ଞା କରନ୍ତେ, ଅସଂଖ୍ୟ ପଙ୍ଗପାଳ ଓ

ପତଙ୍ଗ ଉପସ୍ଥିତ ହେଲେ;

35ପୁଣି, ସେମାନଙ୍କ ଦେଶର ସବୁ ତୃଣ ଖାଇ ପକାଇଲେ

ଓ ସେମାନଙ୍କ ଭୂମିର ଫଳସବୁ ଗ୍ରାସ କଲେ।

36ଆହୁରି, ସେ ସେମାନଙ୍କ ଦେଶରେ ସମସ୍ତ ପ୍ରଥମଜାତ,

ସେମାନଙ୍କର ସମସ୍ତ ଶକ୍ତିର ପ୍ରଥମ ଫଳ ଆଘାତ କଲେ।

37ଆଉ, ସେ ରୂପା ଓ ସୁନା ସହିତ ସେମାନଙ୍କୁ ବାହାର କରି ଆଣିଲେ

ଓ ତାହାଙ୍କର ଗୋଷ୍ଠୀ ମଧ୍ୟରେ ଜଣେ ଦୁର୍ବଳ ଲୋକ ନ ଥିଲା।

38ସେମାନେ ପ୍ରସ୍ଥାନ କରନ୍ତେ, ମିସର ଆନନ୍ଦିତ ହେଲା;

କାରଣ ସେମାନଙ୍କ ବିଷୟକ ଭୟ ସେମାନଙ୍କ ଉପରେ ପଡ଼ିଥିଲା।

39ସେ ଚନ୍ଦ୍ରାତପ ନିମନ୍ତେ ମେଘ ବିସ୍ତାର କଲେ

ଓ ରାତ୍ରି ରେ ଆଲୁଅ ଦେବା ପାଇଁ ଅଗ୍ନି ଦେଲେ।

40ସେମାନେ ମାଗନ୍ତେ, ସେ ଭାଟୋଇ ପକ୍ଷୀମାନଙ୍କୁ ଆଣିଲେ

ଓ ସ୍ୱର୍ଗୀୟ ଭକ୍ଷ୍ୟରେ ସେମାନଙ୍କୁ ପରିତୃପ୍ତ କଲେ।

41ସେ ଶୈଳକୁ ଆଘାତ କରନ୍ତେ, ଜଳ ନିର୍ଗତ ହେଲା;

ତାହା ଶୁଷ୍କ ଭୂମିରେ ନଦୀ ତୁଲ୍ୟ ପ୍ରବାହିତ ହେଲା।

42କାରଣ ସେ ଆପଣା ପବିତ୍ର ବାକ୍ୟ ଓ

ଆପଣା ଦାସ ଅବ୍ରହାମକୁ ସ୍ମରଣ କଲେ।

43ପୁଣି, ସେ ଆପଣା ଲୋକମାନଙ୍କୁ ଆନନ୍ଦ ସହିତ

ଓ ଆପଣା ମନୋନୀତମାନଙ୍କୁ ଗାୟନ ସହିତ ବାହାର କରି ଆଣିଲେ।

44ଯେପରି ସେମାନେ ତାହାଙ୍କ ବିଧିସବୁ ରକ୍ଷା କରିବେ

ଓ ତାହାଙ୍କର ବ୍ୟବସ୍ଥାସବୁ ପାଳନ କରିବେ,

45ଏଥିପାଇଁ ସେ ଗୋଷ୍ଠୀୟବର୍ଗର ଦେଶସବୁ ସେମାନଙ୍କୁ ଦେଲେ

ଓ ସେମାନେ ଜନବୃନ୍ଦର ପରିଶ୍ରମର ଫଳାଧିକାରୀ ହେଲେ;

ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।

106

ମଙ୍ଗଳମୟ ପରମେଶ୍ୱର

1ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।

ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ; କାରଣ ସେ ମଙ୍ଗଳମୟ।

ତାହାଙ୍କର ଦୟା ଅନନ୍ତକାଳସ୍ଥାୟୀ।

2ସଦାପ୍ରଭୁଙ୍କ ବିକ୍ରମର କାର୍ଯ୍ୟସବୁ କିଏ ବର୍ଣ୍ଣନା କରିପାରେ ?

ଓ ତାହାଙ୍କ ପ୍ରଶଂସାସବୁ କିଏ ପ୍ରକାଶ କରିପାରେ ?

3ଯେଉଁମାନେ ନ୍ୟାୟ ରକ୍ଷା କରନ୍ତି, ସେମାନେ ଧନ୍ୟ

ଓ ଯେ ସବୁବେଳେ ଧର୍ମାଚରଣ କରେ, ସେ ଧନ୍ୟ।

4ହେ ସଦାପ୍ରଭୁ, ତୁମ୍ଭେ ଆପଣା ଲୋକମାନଙ୍କ ପ୍ରତି

ଯେଉଁ ଅନୁଗ୍ରହ ବହିଥାଅ, ତଦନୁସାରେ ମୋତେ ସ୍ମରଣ କର;

ତୁମ୍ଭେ ଆପଣା ପରିତ୍ରାଣ ଘେନି ମୋହର ତତ୍ତ୍ୱ ନିଅ;

5ତହିଁରେ ମୁଁ ତୁମ୍ଭ ମନୋନୀତ ଲୋକଙ୍କର ସମୃଦ୍ଧି ଦେଖିବି,

ତୁମ୍ଭ ଲୋକମାନଙ୍କ ଆନନ୍ଦରେ ଆନନ୍ଦ କରିବି,

ତୁମ୍ଭ ଅଧିକାର ସହିତ ଦର୍ପ କରିବି।

6ଆମ୍ଭେମାନେ ଆପଣାମାନଙ୍କ ପୂର୍ବପୁରୁଷଗଣ ତୁଲ୍ୟ ପାପ କରିଅଛୁ,

ଆମ୍ଭେମାନେ ଅପରାଧ କରିଅଛୁ, ଆମ୍ଭେମାନେ ଅଧର୍ମ କରିଅଛୁ।

7ଆମ୍ଭମାନଙ୍କ ପିତୃପୁରୁଷମାନେ ମିସରରେ ତୁମ୍ଭର ଆଶ୍ଚର୍ଯ୍ୟକ୍ରିୟାସବୁ ବୁଝିଲେ ନାହିଁ;

ସେମାନେ ତୁମ୍ଭ ଦୟାର ବାହୁଲ୍ୟ ସ୍ମରଣ କଲେ ନାହିଁ;

ମାତ୍ର ସମୁଦ୍ର ନିକଟରେ, ସୂଫ ସାଗର ନିକଟରେ ହେଁ ବିଦ୍ରୋହାଚରଣ କଲେ।

8ତେବେ ହେଁ ସେ ଆପଣା ମହାପରାକ୍ରମର ପରିଚୟ ଦେବା ନିମନ୍ତେ

ଆପଣା ନାମ ସକାଶୁ ସେମାନଙ୍କୁ ପରିତ୍ରାଣ କଲେ।

9ଆହୁରି, ସେ ସୂଫ ସାଗରକୁ ଧମକାନ୍ତେ, ତାହା ଶୁଷ୍କ ହେଲା;

ତହିଁରେ ପ୍ରାନ୍ତର ଦେଇ ଘେନିଗଲା ପରି ସେ ସେମାନଙ୍କୁ ଗଭୀର ଜଳ ଦେଇ ଘେନିଗଲେ।

10ଆଉ, ସେ ସେମାନଙ୍କ ଘୃଣାକାରୀ ଲୋକର ହସ୍ତରୁ ସେମାନଙ୍କୁ ପରିତ୍ରାଣ କଲେ

ଓ ସେମାନଙ୍କ ଶତ୍ରୁର ହସ୍ତରୁ ସେ ସେମାନଙ୍କୁ ମୁକ୍ତ କଲେ।

11ପୁଣି, ଜଳରାଶି ସେମାନଙ୍କ ବିପକ୍ଷଗଣକୁ ଆଚ୍ଛାଦନ କଲା;

ସେମାନଙ୍କ ମଧ୍ୟରୁ ଜଣେ ଅବଶିଷ୍ଟ ରହିଲା ନାହିଁ।

12ସେତେବେଳେ ତାହାଙ୍କ ଲୋକମାନେ ତାହାଙ୍କ ବାକ୍ୟରେ ବିଶ୍ୱାସ କଲେ;

ସେମାନେ ତାହାଙ୍କର ପ୍ରଶଂସା ଗାନ କଲେ।

13ସେମାନେ ତାହାଙ୍କ କର୍ମସକଳ ଶୀଘ୍ର ପାସୋରି ଗଲେ;

ସେମାନେ ତାହାଙ୍କ ମନ୍ତ୍ରଣାର ଅପେକ୍ଷା କଲେ ନାହିଁ;

14ମାତ୍ର ପ୍ରାନ୍ତରରେ ଅତିଶୟ ଲୋଭାକ୍ରାନ୍ତ ହେଲେ

ଓ ମରୁଭୂମିରେ ପରମେଶ୍ୱରଙ୍କୁ ପରୀକ୍ଷା କଲେ।

15ତହିଁରେ ସେ ସେମାନଙ୍କ ପ୍ରାର୍ଥିତ ବିଷୟ ଦେଲେ;

ମାତ୍ର ସେମାନଙ୍କ ପ୍ରାଣରେ କ୍ଷୀଣତା ପ୍ରେରଣ କଲେ।

16ଆହୁରି, ସେମାନେ ଛାଉଣିରେ ମୋଶାଙ୍କ ପ୍ରତି ଓ

ସଦାପ୍ରଭୁଙ୍କର ସଦ୍‍ଭକ୍ତ ହାରୋଣଙ୍କ ପ୍ରତି ଈର୍ଷାଭାବ ବହିଲେ।

17ପୃଥିବୀ ଫାଟିଯାଇ ଦାଥନକୁ ଗ୍ରାସ କଲା

ଓ ଅବୀରାମ୍‍ର ଦଳକୁ ଆଚ୍ଛାଦନ କଲା।

18ପୁଣି, ସେମାନଙ୍କ ଦଳ ମଧ୍ୟରେ ଅଗ୍ନି ପ୍ରଜ୍ୱଳିତ ହେଲା;

ଅଗ୍ନିଶିଖା ଦୁଷ୍ଟମାନଙ୍କୁ ଦଗ୍ଧ କଲା।

19ସେମାନେ ହୋରେବରେ ଗୋଟିଏ ଗୋବତ୍ସ ନିର୍ମାଣ କଲେ

ଓ ଛାଞ୍ଚରେ ଢଳା ପ୍ରତିମାକୁ ପ୍ରଣାମ କଲେ।

20ଏହିରୂପେ, ସେମାନେ ତୃଣଭକ୍ଷକ ଗୋରୁର ପ୍ରତିମା

ସହିତ ଆପଣାମାନଙ୍କ ଗୌରବସ୍ୱରୂପଙ୍କୁ ପରିବର୍ତ୍ତନ କଲେ।

21ଯେ ମିସରରେ ବିବିଧ ମହତ କର୍ମ, ହାମ୍‍ ଦେଶରେ ନାନା ଆଶ୍ଚର୍ଯ୍ୟକର୍ମ

ଓ ସୂଫ ସାଗର ନିକଟରେ ଭୟଙ୍କର କର୍ମ ସାଧନ କରିଥିଲେ;

22ସେମାନେ ଆପଣାମାନଙ୍କ ସେହି ତ୍ରାଣକର୍ତ୍ତା ପରମେଶ୍ୱରଙ୍କୁ ପାସୋରିଲେ।

23ଏହେତୁ ସେ ସେମାନଙ୍କୁ ସଂହାର କରିବେ ବୋଲି କହିଲେ,

ମାତ୍ର ସେ ଯେପରି ସେମାନଙ୍କୁ ସଂହାର ନ କରିବେ,

ଏଥିପାଇଁ ତାହାଙ୍କ କୋପ ଫେରାଇବା ନିମନ୍ତେ ତାହାଙ୍କ ମନୋନୀତ ମୋଶା ଭଗ୍ନସ୍ଥାନରେ ତାହାଙ୍କ ସମ୍ମୁଖରେ ଠିଆ ହେଲେ।

24ଆହୁରି, ସେମାନେ ମନୋରମ ଦେଶକୁ ତୁଚ୍ଛ କଲେ,

ସେମାନେ ତାହାଙ୍କ ବାକ୍ୟରେ ବିଶ୍ୱାସ କଲେ ନାହିଁ।

25ମାତ୍ର ଆପଣା ଆପଣା ତମ୍ବୁରେ ବଚସା କଲେ,

ଆଉ ସଦାପ୍ରଭୁଙ୍କ ରବରେ ମନୋଯୋଗ କଲେ ନାହିଁ।

26ଏହେତୁ ସେ ପ୍ରାନ୍ତରରେ ସେମାନଙ୍କୁ ନିପାତ କରିବା ପାଇଁ

ଓ ନାନା ଗୋଷ୍ଠୀ ମଧ୍ୟରେ ସେମାନଙ୍କ ବଂଶକୁ ନିପାତ କରିବା ପାଇଁ

27ଓ ନାନା ଦେଶରେ ସେମାନଙ୍କୁ ଛିନ୍ନଭିନ୍ନ କରିବା

ପାଇଁ ସେମାନଙ୍କ ପ୍ରତି ଆପଣା ହସ୍ତ ଉଠାଇଲେ।

28ଆହୁରି, ସେମାନେ ବାଲ୍‍-ପିୟୋର ପ୍ରତି ଆସକ୍ତ ହେଲେ

ଓ ମୃତମାନଙ୍କର ବଳି ଭୋଜନ କଲେ।

29ଏହିରୂପେ ସେମାନେ ଆପଣା ଆପଣା କ୍ରିୟା ଦ୍ୱାରା ତାହାଙ୍କୁ ବିରକ୍ତ କଲେ;

ତହୁଁ ସେମାନଙ୍କ ମଧ୍ୟରେ ମହାମାରୀ ପ୍ରକାଶିତ ହେଲା।

30ସେତେବେଳେ ପୀନହସ୍‍ ଠିଆ ହୋଇ ଦଣ୍ଡାଜ୍ଞା ସାଧନ କଲା;

ତହିଁରେ ମହାମାରୀ ନିବୃତ୍ତ ହେଲା।

31ଏଣୁ ତାହା ପୁରୁଷାନୁକ୍ରମେ ଅନନ୍ତକାଳ ପର୍ଯ୍ୟନ୍ତ

ତାହା ପକ୍ଷରେ ଧାର୍ମିକତା ବୋଲି ଗଣିତ ହେଲା।

32ଆହୁରି, ସେମାନେ ମିରୀବାଃ ଜଳ ନିକଟରେ ତାହାଙ୍କୁ କ୍ରୁଦ୍ଧ କଲେ,

ତେଣୁ ସେମାନଙ୍କ ସକାଶୁ ମୋଶାଙ୍କର ବିପଦ ଘଟିଲା,

33ଯେହେତୁ ସେମାନେ ମୋଶାଙ୍କ ଆତ୍ମା106:33 ମୋଶାଙ୍କ ଆତ୍ମା ପରମେଶ୍ଵରଙ୍କ ଆତ୍ମା ପ୍ରତିକୂଳରେ ବିଦ୍ରୋହୀ ହୁଅନ୍ତେ,

ସେ106:33 ସେ ମୋଶା ଆପଣା ଓଷ୍ଠାଧରରେ ଅବିବେଚନାର କଥା କହିଲେ।

34ସେମାନେ ସଦାପ୍ରଭୁଙ୍କ ଆଜ୍ଞା ପ୍ରମାଣେ

ଗୋଷ୍ଠୀବର୍ଗକୁ ବିନାଶ କଲେ ନାହିଁ।

35ମାତ୍ର ଅନ୍ୟ ଦେଶୀୟମାନଙ୍କ ସଙ୍ଗେ ମିଶ୍ରିତ ହେଲେ

ଓ ସେମାନଙ୍କ କ୍ରିୟାସବୁ ଶିଖିଲେ।

36ଆଉ, ସେମାନଙ୍କ ଦେବତାଗଣର ସେବା କଲେ;

ତାହା ସେମାନଙ୍କ ପ୍ରତି ଫାନ୍ଦ ସ୍ୱରୂପ ହେଲା।

37ହଁ, ସେମାନେ ଭୂତଗଣ ଉଦ୍ଦେଶ୍ୟରେ ଆପଣା ଆପଣା ପୁତ୍ରକନ୍ୟାମାନଙ୍କୁ ବଳିଦାନ କଲେ।

38ପୁଣି, ସେମାନେ କିଣାନ ଦେଶର ଦେବତାଗଣ ଉଦ୍ଦେଶ୍ୟରେ ବଳିଦାନ କରି ନିର୍ଦ୍ଦୋଷ ରକ୍ତ,

ଅର୍ଥାତ୍‍, ଆପଣା ଆପଣା ପୁତ୍ରକନ୍ୟାଗଣର ରକ୍ତପାତ କଲେ;

ତହିଁରେ ଦେଶ ରକ୍ତରେ ଅଶୁଚି ହେଲା।

39ଏହିରୂପେ ସେମାନେ ଆପଣା ଆପଣା କାର୍ଯ୍ୟ ଦ୍ୱାରା ଅପବିତ୍ର ହେଲେ

ଓ ବ୍ୟବହାରରେ ବ୍ୟଭିଚାର କଲେ।

40ଏହେତୁ ଲୋକମାନଙ୍କ ବିରୁଦ୍ଧରେ ସଦାପ୍ରଭୁଙ୍କ କୋପ ପ୍ରଜ୍ୱଳିତ ହେଲା,

ପୁଣି, ସେ ଆପଣା ଅଧିକାରକୁ ଘୃଣା କଲେ।

41ଆଉ, ସେ ସେମାନଙ୍କୁ ଅନ୍ୟ ଦେଶୀୟମାନଙ୍କ ହସ୍ତରେ ସମର୍ପଣ କଲେ

ଓ ସେମାନଙ୍କ ଘୃଣାକାରୀମାନେ ସେମାନଙ୍କ ଉପରେ କର୍ତ୍ତୃତ୍ୱ କଲେ;

42ସେମାନଙ୍କ ଶତ୍ରୁଗଣ ମଧ୍ୟ ସେମାନଙ୍କ ପ୍ରତି ଉପଦ୍ରବ କଲେ,

ପୁଣି, ସେମାନେ ସେମାନଙ୍କ ହସ୍ତ ତଳେ ବଶୀଭୂତ ହେଲେ।

43ଅନେକ ଥର ସେ ସେମାନଙ୍କୁ ଉଦ୍ଧାର କଲେ;

ମାତ୍ର ସେମାନେ ଆପଣା ଆପଣା ମନ୍ତ୍ରଣାରେ ବିଦ୍ରୋହୀ ହେଲେ

ଓ ଆପଣା ଆପଣା ଅଧର୍ମରେ କ୍ଷୀଣ ହେଲେ।

44ତଥାପି ସେ ସେମାନଙ୍କ କାକୂକ୍ତି ଶୁଣି ସେମାନଙ୍କ ଦୁର୍ଦ୍ଦଶାରେ ମନୋଯୋଗ କଲେ।

45ପୁଣି, ସେମାନଙ୍କ ପକ୍ଷରେ ସେ ଆପଣା ନିୟମ ସ୍ମରଣ କଲେ

ଓ ନିଜର ଦୟାର ବାହୁଲ୍ୟ ଅନୁସାରେ ସେମାନଙ୍କ ପ୍ରତି କୃପା କଲେ।

46ଆହୁରି, ଯେଉଁମାନେ ସେମାନଙ୍କୁ ବନ୍ଦୀ କରି ନେଇଗଲେ,

ସେ ସେମାନଙ୍କ ମନରେ ଦୟା ଜନ୍ମାଇଲେ।

47ହେ ସଦାପ୍ରଭୁ, ଆମ୍ଭମାନଙ୍କ ପରମେଶ୍ୱର,

ତୁମ୍ଭ ପବିତ୍ର ନାମକୁ ଧନ୍ୟବାଦ ଦେବା ପାଇଁ,

ତୁମ୍ଭ ପ୍ରଶଂସାରେ ଦର୍ପ କରିବା ପାଇଁ ଆମ୍ଭମାନଙ୍କୁ ପରିତ୍ରାଣ କର

ଓ ଅନ୍ୟ ଦେଶୀୟମାନଙ୍କ ମଧ୍ୟରୁ ଆମ୍ଭମାନଙ୍କୁ ସଂଗ୍ରହ କର।

48ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଅନାଦିକାଳରୁ

ଅନନ୍ତକାଳ ପର୍ଯ୍ୟନ୍ତ ଧନ୍ୟ ହେଉନ୍ତୁ।

ପୁଣି, ସମୁଦାୟ ଲୋକ ଆମେନ୍‍ କୁହନ୍ତୁ।

ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।

107

5 ପଞ୍ଚମ ଖଣ୍ଡ

ମଙ୍ଗଳମୟ ସଦାପ୍ରଭୁଙ୍କର ସ୍ତୁତି

1ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ; କାରଣ ସେ ମଙ୍ଗଳମୟ;

ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।

2ସେ ଯେଉଁମାନଙ୍କୁ ବିପକ୍ଷର ହସ୍ତରୁ ମୁକ୍ତ କରିଅଛନ୍ତି

ଓ ନାନା ଦେଶରୁ, ପୂର୍ବ ଓ ପଶ୍ଚିମରୁ,

3ଉତ୍ତର ଓ ଦକ୍ଷିଣରୁ ସଂଗ୍ରହ କରିଅଛନ୍ତି,

ସଦାପ୍ରଭୁଙ୍କ ସେହି ମୁକ୍ତ ଲୋକମାନେ ତାହା କହନ୍ତୁ।

4ସେମାନେ ପ୍ରାନ୍ତରରେ ନିର୍ଜ୍ଜନ ପଥରେ ଭ୍ରମଣ କଲେ;

ସେମାନେ କୌଣସି ବସତି-ନଗର ପାଇଲେ ନାହିଁ।

5କ୍ଷୁଧିତ ଓ ତୃଷିତ ହୋଇ

ସେମାନଙ୍କର ପ୍ରାଣ ସେମାନଙ୍କ ଅନ୍ତରରେ ମୂର୍ଚ୍ଛିତ ହେଲା।

6ତେବେ ସେମାନେ ଆପଣାମାନଙ୍କ ସଙ୍କଟ ସମୟରେ ସଦାପ୍ରଭୁଙ୍କ ନିକଟରେ କାକୂକ୍ତି କଲେ,

ତହିଁରେ ସେ ସେମାନଙ୍କ ଦୁର୍ଦ୍ଦଶାରୁ ସେମାନଙ୍କୁ ଉଦ୍ଧାର କଲେ।

7ଆହୁରି, ସେମାନେ ଯେପରି ବସତି-ନଗରକୁ ଯାଇ ପାରିବେ,

ଏଥିପାଇଁ ସେ ସେମାନଙ୍କୁ ସଳଖ ପଥରେ ଘେନି ଗଲେ।

8ଆଃ, ଲୋକମାନେ ସଦାପ୍ରଭୁଙ୍କ ମଙ୍ଗଳଦାନ ଓ

ମନୁଷ୍ୟ-ସନ୍ତାନଗଣ ପ୍ରତି ତାହାଙ୍କ ଆଶ୍ଚର୍ଯ୍ୟକ୍ରିୟା ସକାଶୁ ତାହାଙ୍କର ପ୍ରଶଂସା କରନ୍ତୁ।

9ଯେହେତୁ ସେ ତୃଷିତ ପ୍ରାଣକୁ ପରିତୃପ୍ତ କରନ୍ତି

ଓ କ୍ଷୁଧିତ ପ୍ରାଣକୁ ଉତ୍ତମ ଦ୍ରବ୍ୟରେ ପୂର୍ଣ୍ଣ କରନ୍ତି।

10କେହି କେହି ପରମେଶ୍ୱରଙ୍କ ବାକ୍ୟର ବିରୁଦ୍ଧାଚରଣ

ଓ ସର୍ବୋପରିସ୍ଥଙ୍କ ମନ୍ତ୍ରଣା ତୁଚ୍ଛ କରିବା ସକାଶୁ,

11ସେମାନେ ଦୁଃଖ ଓ ଲୌହ ଶୃଙ୍ଖଳରେ ବଦ୍ଧ ହୋଇ ଅନ୍ଧକାରରେ ଓ ମୃତ୍ୟୁୁଛାୟାରେ ବସିଲେ;

12ସେ ସେମାନଙ୍କ ହୃଦୟକୁ କ୍ଳେଶରେ ଅବନତ କଲେ;

ସେମାନେ ପତିତ ହେଲେ ଓ ସାହାଯ୍ୟ କରିବାକୁ କେହି ନ ଥିଲା।

13ତେବେ ସେମାନେ ଆପଣାମାନଙ୍କ ସଙ୍କଟ ସମୟରେ ସଦାପ୍ରଭୁଙ୍କ ନିକଟରେ କାକୂକ୍ତି କଲେ,

ତହିଁରେ ସେ ସେମାନଙ୍କ ଦୁର୍ଦ୍ଦଶାରୁ ସେମାନଙ୍କୁ ତ୍ରାଣ କଲେ।

14ସେ ଅନ୍ଧକାର ଓ ମୃତ୍ୟୁୁଚ୍ଛାୟାରୁ ସେମାନଙ୍କୁ ବାହାର କରି ଆଣିଲେ

ଓ ସେମାନଙ୍କ ବନ୍ଧନ ଛେଦନ କଲେ।

15ଆଃ, ଲୋକମାନେ ସଦାପ୍ରଭୁଙ୍କ ମଙ୍ଗଳଦାନ ଓ

ମନୁଷ୍ୟ-ସନ୍ତାନଗଣ ପ୍ରତି ତାହାଙ୍କ ଆଶ୍ଚର୍ଯ୍ୟକ୍ରିୟା ସକାଶୁ ତାହାଙ୍କର ପ୍ରଶଂସା କରନ୍ତୁ !

16ଯେହେତୁ ସେ ପିତ୍ତଳ-ଦ୍ୱାର ଭାଙ୍ଗିଅଛନ୍ତି

ଓ ଲୌହ-ଅର୍ଗଳ କାଟି ପକାଇଅଛନ୍ତି।

17ମୂର୍ଖମାନେ ଆପଣା ଆପଣା ଅପରାଧ ଓ

ଅଧର୍ମାଚରଣ ସକାଶୁ କ୍ଳେଶ ପାଆନ୍ତି।

18ସେମାନଙ୍କ ପ୍ରାଣ ସର୍ବପ୍ରକାର ଖାଦ୍ୟଦ୍ରବ୍ୟ ଘୃଣା କରଇ

ଓ ସେମାନେ ମୃତ୍ୟୁୁଦ୍ୱାରର ନିକଟବର୍ତ୍ତୀ ହୁଅନ୍ତି।

19ତେବେ ସେମାନେ ଆପଣା ଆପଣା ସଙ୍କଟ

ସମୟରେ ସଦାପ୍ରଭୁଙ୍କ ନିକଟରେ କାକୂକ୍ତି କରନ୍ତି,

ତହିଁରେ ସେ ସେମାନଙ୍କ ଦୁର୍ଦ୍ଦଶାରୁ ସେମାନଙ୍କୁ ତ୍ରାଣ କରନ୍ତି।

20ସେ ଆପଣା ବାକ୍ୟ ପଠାଇ ସେମାନଙ୍କୁ ସୁସ୍ଥ କରନ୍ତି,

ପୁଣି, ବିନାଶରୁ ସେମାନଙ୍କୁ ଉଦ୍ଧାର କରନ୍ତି।

21ଆଃ, ଲୋକମାନେ ସଦାପ୍ରଭୁଙ୍କ ମଙ୍ଗଳଦାନ ଓ

ମନୁଷ୍ୟ-ସନ୍ତାନଗଣ ପ୍ରତି ତାହାଙ୍କ ଆଶ୍ଚର୍ଯ୍ୟକ୍ରିୟା ସକାଶୁ ତାହାଙ୍କର ପ୍ରଶଂସା କରନ୍ତୁ।

22ସେମାନେ ଧନ୍ୟବାଦରୂପ ବଳି ଉତ୍ସର୍ଗ କରନ୍ତୁ

ଓ ଗାନ କରି ତାହାଙ୍କ କର୍ମସକଳ ବର୍ଣ୍ଣନା କରନ୍ତୁ।

23ଯେଉଁମାନେ ଜାହାଜ ଚଢ଼ି ସମୁଦ୍ରଯାତ୍ରା କରନ୍ତି,

ଯେଉଁମାନେ ମହାଜଳରାଶିରେ କାରବାର କରନ୍ତି,

24ସେମାନେ ସଦାପ୍ରଭୁଙ୍କ କାର୍ଯ୍ୟ ଓ

ଗଭୀର ଜଳରେ ତାହାଙ୍କର ଅଦ୍ଭୁତ ବ୍ୟାପାର ଦେଖନ୍ତି।

25ଯେହେତୁ ସେ ଆଜ୍ଞା ଦେଲେ, ପ୍ରଚଣ୍ଡ ବାୟୁ ଉଠଇ,

ତଦ୍ଦ୍ୱାରା ସମୁଦ୍ରର ତରଙ୍ଗମାଳା ଉଠେ।

26ସେମାନେ ଆକାଶକୁ ଉଠନ୍ତି, ପୁନର୍ବାର ସେମାନେ ଗଭୀର ଜଳକୁ ଉତ୍ତରନ୍ତି;

ବିପଦ ସକାଶୁ ଲୋକମାନଙ୍କ107:26 ଲୋକମାନଙ୍କ ଅର୍ଥାତ୍ ନାବିକମାନଙ୍କ ପ୍ରାଣ ତରଳି ଯାଏ।

27ସେମାନେ ମତ୍ତଲୋକ ପରି ଏଣେତେଣେ ଦୋହଲି ଢଳି ପଡ଼ନ୍ତି

ଓ ସେମାନଙ୍କ ବୁଦ୍ଧି ହଜିଯାଏ।

28ତେବେ ସେମାନେ ଆପଣା ଆପଣା ସଙ୍କଟ ସମୟରେ ସଦାପ୍ରଭୁଙ୍କ ନିକଟରେ କାକୂକ୍ତି କରନ୍ତି,

ତହିଁରେ ସେ ସେମାନଙ୍କ ଦୁର୍ଦ୍ଦଶାରୁ ସେମାନଙ୍କୁ ଉଦ୍ଧାର କରନ୍ତି।

29ସେ ବତାସକୁ ସୁସ୍ଥିର କରନ୍ତି,

ତହୁଁ ସମୁଦ୍ରର ତରଙ୍ଗମାଳା ନିରସ୍ତ ହୁଏ।

30ତେବେ ସେସବୁ ନିବୃତ୍ତ ହେବା ସକାଶୁ ସେମାନେ ଆନନ୍ଦ କରନ୍ତି;

ଏହିରୂପେ ସେ ସେମାନଙ୍କୁ ବାଞ୍ଛିତ ବନ୍ଦରରେ ପ୍ରବେଶ କରାନ୍ତି।

31ଆଃ, ଲୋକମାନେ ସଦାପ୍ରଭୁଙ୍କ ମଙ୍ଗଳଦାନ ଓ

ମନୁଷ୍ୟ-ସନ୍ତାନଗଣ ପ୍ରତି ତାହାଙ୍କ ଆଶ୍ଚର୍ଯ୍ୟକ୍ରିୟା ସକାଶୁ ତାହାଙ୍କର ପ୍ରଶଂସା କରନ୍ତୁ !

32ଆହୁରି, ସେମାନେ ଲୋକମାନଙ୍କ ସମାଜରେ ତାହାଙ୍କର ପ୍ରତିଷ୍ଠା କରନ୍ତୁ

ଓ ପ୍ରାଚୀନମାନଙ୍କ ସଭାରେ ତାହାଙ୍କର ପ୍ରଶଂସା କରନ୍ତୁ।

33ସେ ନଦନଦୀକୁ ପ୍ରାନ୍ତର ଓ ନିର୍ଝରସକଳକୁ ଶୁଷ୍କ ଭୂମି କରନ୍ତି।

34ସେ ଦେଶନିବାସୀମାନଙ୍କ ଦୁଷ୍ଟତା ସକାଶୁ

ଉର୍ବରା ଦେଶକୁ ଲବଣ-ପ୍ରାନ୍ତର କରନ୍ତି।

35ସେ ପ୍ରାନ୍ତରକୁ ଜଳାଶୟ ଓ

ଶୁଷ୍କ ଭୂମିକୁ ଝରମୟ କରନ୍ତି।

36ପୁଣି, କ୍ଷୁଧିତ ଲୋକମାନେ ଯେପରି ବସତି-ନଗର ନିର୍ମାଣ କରିବେ

ଓ କ୍ଷେତ୍ରରେ ବୀଜ ବପନ ଓ ଦ୍ରାକ୍ଷାଲତା ରୋପଣ କରିବେ

37ଓ ତଦୁତ୍ପନ୍ନ ଫଳ ପ୍ରାପ୍ତ ହେବେ,

ଏଥିପାଇଁ ସେସ୍ଥାନରେ ସେ ସେମାନଙ୍କୁ ବାସ କରାନ୍ତି।

38ଆହୁରି, ସେ ସେମାନଙ୍କୁ ଆଶୀର୍ବାଦ କରନ୍ତି,

ତହିଁରେ ସେମାନେ ଅତିଶୟ ବୃଦ୍ଧି ପାଆନ୍ତି;

ପୁଣି, ସେ ସେମାନଙ୍କ ପଶୁପଲ ଊଣା ହେବାକୁ ଦିଅନ୍ତି ନାହିଁ।

39ପୁନର୍ବାର ସେମାନେ ଉପଦ୍ରବ, ବିପଦ ଓ ଶୋକ ଦ୍ୱାରା

ନ୍ୟୁନୀକୃତ ଓ ଅବନତ ହୁଅନ୍ତି।

40ସେ ଅଧିପତିମାନଙ୍କ ଉପରେ ତୁଚ୍ଛତା ଢାଳି ଦିଅନ୍ତି,

ପୁଣି, ସେମାନଙ୍କୁ ପଥହୀନ ମରୁଭୂମିରେ ଭ୍ରମଣ କରାନ୍ତି।

41ତଥାପି ସେ ଦୀନହୀନକୁ ଦୁଃଖରୁ ଉଚ୍ଚରେ ସ୍ଥାପନ କରନ୍ତି

ଓ ମେଷପଲ ତୁଲ୍ୟ ତାହାକୁ ପରିବାର ଦିଅନ୍ତି।

42ସରଳ ଲୋକମାନେ ତାହା ଦେଖି ଆନନ୍ଦିତ ହେବେ;

ପୁଣି, ସବୁ ଅଧର୍ମ ଆପଣା ମୁଖ ବନ୍ଦ କରିବ।

43ଯେ ଜ୍ଞାନବାନ, ସେ ଏହିସବୁ ବିଷୟରେ ମନୋଯୋଗ କରିବ,

ପୁଣି, ସେମାନେ ସଦାପ୍ରଭୁଙ୍କ ବିବିଧ ଦୟା ବିବେଚନା କରିବେ।

108

ଶତ୍ରୁ କବଳରୁ ରକ୍ଷା ନିମିତ୍ତ ପ୍ରାର୍ଥନା

ଦାଉଦଙ୍କର ଗାନାର୍ଥକ ଗୀତ।

1ହେ ପରମେଶ୍ୱର, ମୋହର ଚିତ୍ତ ସୁସ୍ଥିର ଅଛି;

ମୁଁ ଗାନ କରିବି, ହଁ, ମୁଁ ଆପଣା ଗୌରବ ସହିତ ପ୍ରଶଂସା ଗାନ କରିବି।

2ହେ ନେବଲ ଓ ବୀଣେ, ଜାଗ;

ମୁଁ ନିଜେ ଅତି ପ୍ରଭାତରେ ଜାଗିବି।

3ହେ ସଦାପ୍ରଭୁ, ମୁଁ ଗୋଷ୍ଠୀବର୍ଗ ମଧ୍ୟରେ ତୁମ୍ଭଙ୍କୁ ଧନ୍ୟବାଦ ଦେବି

ଓ ମୁଁ ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ ତୁମ୍ଭର ପ୍ରଶଂସା ଗାନ କରିବି।

4ଯେହେତୁ ତୁମ୍ଭର ଦୟା ଆକାଶ ଅପେକ୍ଷା ମହତ

ଓ ତୁମ୍ଭର ସତ୍ୟତା ଗଗନସ୍ପର୍ଶୀ;

5ହେ ପରମେଶ୍ୱର, ତୁମ୍ଭେ ଆକାଶମଣ୍ଡଳ ଉପରେ ଉନ୍ନତ ହୁଅ

ଓ ତୁମ୍ଭର ଗୌରବ ସମୁଦାୟ ପୃଥିବୀରେ ଉନ୍ନତ ହେଉ।

6ଯେପରି ତୁମ୍ଭର ପ୍ରିୟତମ ଉଦ୍ଧାର ପାଇବ, ଏଥିପାଇଁ

ତୁମ୍ଭେ ଆପଣା ଦକ୍ଷିଣ ହସ୍ତରେ ପରିତ୍ରାଣ କରି ଆମ୍ଭମାନଙ୍କୁ ଉତ୍ତର ଦିଅ।

7ପରମେଶ୍ୱର ଆପଣା ପବିତ୍ରତାରେ108:7 ପବିତ୍ରତାରେ କିମ୍ବା ପବିତ୍ର ସ୍ଥାନରୁ କହିଅଛନ୍ତି; “ଆମ୍ଭେ ଉଲ୍ଲାସ କରିବା;

ମୁଁ ଶିଖିମକୁ ବିଭାଗ କରିବି ଓ ସୁକ୍‍କୋତ ଉପତ୍ୟକା ମାପିବି।

8ଗିଲୀୟଦ ମୋହର; ମନଃଶି ମୋହର;

ଇଫ୍ରୟିମ ମଧ୍ୟ ମୋ’ ମସ୍ତକର ଆଶ୍ରୟ;

ଯିହୁଦା ମୋହର ରାଜଦଣ୍ଡ।

9ମୋୟାବ ମୋ’ ପ୍ରକ୍ଷାଳନ-ପାତ୍ର;

ଇଦୋମ ଉପରେ ମୁଁ ଆପଣା ପାଦୁକା ପକାଇବି।

ପଲେଷ୍ଟୀୟ ଉପରେ ଜୟଧ୍ୱନି କରିବି।

10କିଏ ମୋତେ ଦୃଢ଼ ନଗରକୁ ଆଣିବ ?

କିଏ ମୋତେ ଇଦୋମ ପର୍ଯ୍ୟନ୍ତ କଢ଼ାଇ ଆଣିଅଛି ?”

11ହେ ପରମେଶ୍ୱର, ତୁମ୍ଭେ କି ଆମ୍ଭମାନଙ୍କୁ ଦୂର କରି ନାହଁ ?

ପୁଣି, ହେ ପରମେଶ୍ୱର, ତୁମ୍ଭେ ଆମ୍ଭମାନଙ୍କ ସୈନ୍ୟ ସଙ୍ଗେ ଗମନ କରୁ ନାହଁ।

12ବିପକ୍ଷର ପ୍ରତିକୂଳରେ ଆମ୍ଭମାନଙ୍କୁ ସାହାଯ୍ୟ ଦାନ କର;

କାରଣ ମନୁଷ୍ୟର ସାହାଯ୍ୟ ବୃଥା।

13ପରମେଶ୍ୱରଙ୍କ ଦ୍ୱାରା ଆମ୍ଭେମାନେ ବୀରର କର୍ମ କରିବା;

ଯେହେତୁ ସେ ଆମ୍ଭମାନଙ୍କ ବିପକ୍ଷଗଣକୁ ଦଳି ପକାଇବେ।

109

ଦୁର୍ଦ୍ଦଶାଗ୍ରସ୍ତ ଲୋକର ଅଭିଯୋଗ

ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।

1ହେ ମୋହର ପ୍ରଶଂସାପାତ୍ର ପରମେଶ୍ୱର, ନୀରବ ହୁଅ ନାହିଁ;

2କାରଣ ଲୋକମାନେ ମୋ’ ବିରୁଦ୍ଧରେ ଦୁଷ୍ଟତାରୂପ ମୁଖ

ଓ ପ୍ରବଞ୍ଚନାରୂପ ମୁଖ ଫିଟାଇ ଅଛନ୍ତି।

ସେମାନେ ମିଥ୍ୟାବାଦୀ ଜିହ୍ୱାରେ ମୋ’ ସଙ୍ଗେ କଥା କହିଅଛନ୍ତି।

3ଆହୁରି, ସେମାନେ ଦ୍ୱେଷ ବାକ୍ୟରେ ମୋତେ ଘେରିଅଛନ୍ତି

ଓ ବିନା କାରଣରେ ମୋ’ ସଙ୍ଗେ ଯୁଦ୍ଧ କରିଅଛନ୍ତି।

4ମୋ’ ପ୍ରେମ ପାଲଟେ ସେମାନେ ମୋହର ବିପକ୍ଷ ହୋଇଅଛନ୍ତି;

ମାତ୍ର ମୁଁ ପ୍ରାର୍ଥନାରେ ପ୍ରବୃତ୍ତ।

5ଆଉ, ସେମାନେ ମୋତେ ମଙ୍ଗଳ ପାଲଟେ ଅମଙ୍ଗଳ

ଓ ପ୍ରେମ ପାଲଟେ ଘୃଣା ପ୍ରତିଦାନ କରିଅଛନ୍ତି।

6ତୁମ୍ଭେ ତାହା ଉପରେ ଏକ ଦୁଷ୍ଟ ଲୋକ ନିଯୁକ୍ତ କର;

ପୁଣି, ଜଣେ ବିପକ୍ଷ ତାହାର ଦକ୍ଷିଣ ପାର୍ଶ୍ୱରେ ଠିଆ ହେଉ।

7ସେ ବିଚାରିତ ହେବା ସମୟରେ ଦୋଷୀକୃତ ହେଉ;

ପୁଣି, ତାହାର ପ୍ରାର୍ଥନା ପାପ ରୂପେ ଗଣିତ ହେଉ।

8ତାହାର ଆୟୁ ଅଳ୍ପ ହେଉ

ଓ ଅନ୍ୟ ଲୋକ ତାହାର ପଦ ପ୍ରାପ୍ତ ହେଉ।

9ତାହାର ସନ୍ତାନମାନେ ପିତୃହୀନ ହେଉନ୍ତୁ

ଓ ତାହାର ଭାର୍ଯ୍ୟା ବିଧବା ହେଉ।

10ତାହାର ସନ୍ତାନଗଣ ବାରବୁଲା ହୋଇ ଭିକ୍ଷା କରନ୍ତୁ

ଓ ସେମାନେ ଆପଣା ଆପଣା ଉଜାଡ଼ ସ୍ଥାନରୁ ଆହାର ଅନ୍ୱେଷଣ କରନ୍ତୁ।

11ମହାଜନ ତାହାର ସର୍ବସ୍ୱ ଧରୁ;

ଆଉ, ବିଦେଶୀମାନେ ତାହାର ଶ୍ରମର ଫଳ ଲୁଟ କରନ୍ତୁ।

12ତାହା ପ୍ରତି କୃପା ପ୍ରକାଶ କରିବାକୁ କେହି ନ ଥାଉ,

କିଅବା ତାହାର ପିତୃହୀନ ସନ୍ତାନଗଣକୁ କେହି ଦୟା କରିବାକୁ ନ ରହୁ।

13ତାହାର ବଂଶ ଉଚ୍ଛିନ୍ନ ହେଉ;

ଆସନ୍ତା ପୁରୁଷରେ ତାହାଙ୍କ109:13 ତାହାଙ୍କ ସେମାନଙ୍କ ନାମ ଲୁପ୍ତ ହେଉ।

14ତାହାର ପିତୃପୁରୁଷଙ୍କ ଅପରାଧ ସଦାପ୍ରଭୁଙ୍କ ସ୍ମରଣରେ ଥାଉ

ଓ ତାହାର ମାତାର ପାପ ଲୁପ୍ତ ନ ହେଉ।

15ସଦାପ୍ରଭୁ ଯେପରି ସେମାନଙ୍କ ସ୍ମରଣ ପୃଥିବୀରୁ ଉଚ୍ଛିନ୍ନ କରିବେ,

ଏଥିପାଇଁ ସେମାନେ ତାହାଙ୍କ ସାକ୍ଷାତରେ ସର୍ବଦା ଥାଉନ୍ତୁ।

16ସେ ଦୟା ପ୍ରକାଶ କରିବାକୁ ସ୍ମରଣ କଲା ନାହିଁ।

ମାତ୍ର ଦୁଃଖୀ, ଦୀନହୀନ ଓ

ଭଗ୍ନାନ୍ତଃକରଣ ଲୋକଙ୍କୁ ବଧ କରିବା ପାଇଁ ତାଡ଼ନା କଲା।

17ଆହୁରି, ସେ ଅଭିଶାପ ଭଲ ପାଇଲା ଓ ତାହା ତାହା ପ୍ରତି ଘଟିଲା;

ଆଉ, ସେ ଆଶୀର୍ବାଦରେ ସନ୍ତୁଷ୍ଟ ହେଲା ନାହିଁ, ଏଣୁ ତାହା ତାହାଠାରୁ ଦୂର ହେଲା।

18ମଧ୍ୟ ସେ ବସ୍ତ୍ର ପରି ଅଭିଶାପ ପରିଧାନ କଲା,

ପୁଣି, ତାହା ଜଳ ପରି ତାହାର ଅନ୍ତରରେ ଓ

ତୈଳ ପରି ତାହାର ଅସ୍ଥିରେ ପ୍ରବିଷ୍ଟ ହେଲା।

19ଏଣୁ ତାହା ତାହାର ପରିଧେୟ ବସ୍ତ୍ର ପରି

ଓ ତାହାର ନିତ୍ୟ କଟିବନ୍ଧନ ପରି ହେଉ।

20ସଦାପ୍ରଭୁଙ୍କଠାରୁ ଆମ୍ଭ ବିପକ୍ଷଗଣର ଓ

ଆମ୍ଭ ପ୍ରାଣ ବିରୁଦ୍ଧରେ ଦୁର୍ବାକ୍ୟବାଦୀମାନଙ୍କର ଏହି ଫଳ।

21ମାତ୍ର ହେ ପ୍ରଭୁ, ସଦାପ୍ରଭୁ, ତୁମ୍ଭେ ଆପଣା ନାମ ସକାଶୁ ମୋ’ ପ୍ରତି ବ୍ୟବହାର କର;

ତୁମ୍ଭର ଦୟା ମଙ୍ଗଳମୟ, ଏଣୁ ମୋତେ ଉଦ୍ଧାର କର।

22କାରଣ ମୁଁ ଦୁଃଖୀ ଓ ଦୀନହୀନ ଅଟେ,

ଓ ମୋ’ ଅନ୍ତରରେ ମୋ’ ହୃଦୟ କ୍ଷତବିକ୍ଷତ ହୋଇଅଛି।

23ମୁଁ ଅପରାହ୍ନର ଛାୟା ତୁଲ୍ୟ ଅତୀତ;

ମୁଁ ପଙ୍ଗପାଳ ନ୍ୟାୟ ଚାଳିତ ହେଉଅଛି।

24ଉପବାସରେ ମୋ’ ଆଣ୍ଠୁ ଦୁର୍ବଳ ଅଛି ଓ

ମେଦର ଅଭାବରୁ ମୋ’ ମାଂସ କ୍ଷୀଣ ହୁଏ।

25ଆହୁରି, ମୁଁ ସେମାନଙ୍କ ନିକଟରେ ନିନ୍ଦାପାତ୍ର ହୋଇଅଛି;

ସେମାନେ ମୋତେ ଦେଖିଲେ ମୁଣ୍ଡ ହଲାନ୍ତି।

26ହେ ସଦାପ୍ରଭୁ, ମୋହର ପରମେଶ୍ୱର, ମୋହର ସାହାଯ୍ୟ କର;

ତୁମ୍ଭ ଦୟାନୁସାରେ ମୋହର ପରିତ୍ରାଣ କର।

27ତହିଁରେ ଏହି ତୁମ୍ଭର ହସ୍ତ ବୋଲି ଓ

ତୁମ୍ଭେ ସଦାପ୍ରଭୁ ଏହା କରିଅଛ ବୋଲି ସେମାନେ ଜାଣିବେ।

28ସେମାନେ ଅଭିଶାପ ଦେଉନ୍ତୁ, ମାତ୍ର ତୁମ୍ଭେ ଆଶୀର୍ବାଦ କର;

ସେମାନେ ଉଠିଲେ ଲଜ୍ଜିତ ହେବେ, ମାତ୍ର ତୁମ୍ଭର ଦାସ ଆନନ୍ଦ କରିବ।

29ମୋ’ ବିପକ୍ଷମାନେ ଅପମାନରେ ବସ୍ତ୍ରାନ୍ୱିତ ହେବେ,

ପୁଣି, ସେମାନେ ଉତ୍ତରୀୟ ବସ୍ତ୍ର ତୁଲ୍ୟ ନିଜ ଲଜ୍ଜାରେ ଆଚ୍ଛନ୍ନ ହେଉନ୍ତୁ।

30ମୁଁ ନିଜ ମୁଖରେ ସଦାପ୍ରଭୁଙ୍କୁ ଅତିଶୟ ଧନ୍ୟବାଦ ଦେବି;

ପୁଣି, ଲୋକସମୂହ ମଧ୍ୟରେ ତାହାଙ୍କର ପ୍ରଶଂସା କରିବି।

31କାରଣ ସେ ଦୀନହୀନକୁ ତାହାର ପ୍ରାଣର

ବିଚାରକାରୀମାନଙ୍କଠାରୁ ତ୍ରାଣ କରିବା ନିମନ୍ତେ ତାହାର ଡାହାଣରେ ଠିଆ ହେବେ।109:31 ତାହାର ଡାହାଣରେ ଠିଆ ହେବେ। ଅର୍ଥାତ୍ ତାହାର ସାହାଯ୍ୟ କରିବେ

110

ପରମେଶ୍ୱର ଓ ତାହାଙ୍କ ମନୋନୀତ ରାଜା

ଦାଉଦଙ୍କର ଗୀତ।

1ସଦାପ୍ରଭୁ ମୋ’ ପ୍ରଭୁଙ୍କୁ କହନ୍ତି,

“ଆମ୍ଭେ ତୁମ୍ଭ ଶତ୍ରୁଗଣକୁ ତୁମ୍ଭର ପାଦପୀଠ ନ କରିବା ପର୍ଯ୍ୟନ୍ତ ତୁମ୍ଭେ ଆମ୍ଭ ଦକ୍ଷିଣରେ ବସ।”

2“ସଦାପ୍ରଭୁ ସିୟୋନଠାରୁ ତୁମ୍ଭ ପରାକ୍ରମ-ଦଣ୍ଡ ପ୍ରେରଣ କରିବେ;

ତୁମ୍ଭେ ଆପଣା ଶତ୍ରୁଗଣ ମଧ୍ୟରେ କର୍ତ୍ତୃତ୍ୱ କର।

3ତୁମ୍ଭ ପରାକ୍ରମର ଦିନରେ ତୁମ୍ଭ ଲୋକମାନେ ସ୍ୱେଚ୍ଛାରେ ଆପଣାମାନଙ୍କୁ ଉତ୍ସର୍ଗ କରନ୍ତି;

ପବିତ୍ରତାର ସୌନ୍ଦର୍ଯ୍ୟରେ ଅରୁଣର ଗର୍ଭରୁ ତୁମ୍ଭର ଯୁବକଗଣ ଶିଶିର ତୁଲ୍ୟ ଉତ୍ପନ୍ନ।”

4ସଦାପ୍ରଭୁ ଶପଥ କରିଅଛନ୍ତି ଓ ଅନ୍ୟଥା କରିବେ ନାହିଁ,

“ମଲ୍‍କୀଷେଦକଙ୍କ ରୀତି ଅନୁସାରେ ତୁମ୍ଭେ ଅନନ୍ତକାଳୀନ ଯାଜକ ଅଟ।”110:4 ଦେଖନ୍ତୁ ଏବ୍ରୀ. ୫:୬; ୬:୨୦; ୭:୧୭,୨୧

5ତୁମ୍ଭ ଦକ୍ଷିଣରେ ସ୍ଥିତ ପ୍ରଭୁ

ଆପଣା କୋପର ଦିନରେ ରାଜାଗଣକୁ ଚୂର୍ଣ୍ଣ କରିବେ।

6ସେ ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ ବିଚାର କରିବେ,

ସେ ଶବରେ ସ୍ଥାନସବୁ ପୂର୍ଣ୍ଣ କରିବେ;

ସେ ଅନେକ ଦେଶରେ ମସ୍ତକ ଚୂର୍ଣ୍ଣ କରିବେ।

7ସେ ପଥ ମଧ୍ୟରେ ସ୍ରୋତଜଳ ପାନ କରିବେ;

ଏହେତୁ ସେ ଆପଣା ମସ୍ତକ ଉଠାଇବେ।

111

ପରମେଶ୍ୱରଙ୍କ ସ୍ତୁତି

1ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।

ସରଳ ଲୋକଙ୍କ ସଭାରେ ଓ ମଣ୍ଡଳୀ ମଧ୍ୟରେ

ମୁଁ ସର୍ବାନ୍ତଃକରଣ ସହିତ ସଦାପ୍ରଭୁଙ୍କୁ ଧନ୍ୟବାଦ ଦେବି।

2ସଦାପ୍ରଭୁଙ୍କ କାର୍ଯ୍ୟସକଳ ମହତ,

ଯେଉଁମାନେ ତହିଁରେ ସନ୍ତୁଷ୍ଟ, ସେମାନେ ତାହାସବୁ ଅନୁସନ୍ଧାନ କରନ୍ତି।

3ତାହାଙ୍କର କ୍ରିୟା, ସମ୍ଭ୍ରମ ଓ ଗୌରବ ସ୍ୱରୂପ;

ଓ ତାହାଙ୍କର ଧର୍ମ ଅନନ୍ତକାଳସ୍ଥାୟୀ।

4ସେ ଆପଣାର ଆଶ୍ଚର୍ଯ୍ୟକର୍ମସବୁ ସ୍ମରଣ କରାଇ ଅଛନ୍ତି;

ସଦାପ୍ରଭୁ କୃପାମୟ ଓ ସ୍ନେହଶୀଳ।

5ସେ ଆପଣା ଭୟକାରୀମାନଙ୍କୁ ଆହାର ଦେଇଅଛନ୍ତି;

ସେ ସଦାକାଳ ଆପଣା ନିୟମ ସ୍ମରଣ କରିବେ।

6ସେ ନିଜ ଲୋକମାନଙ୍କୁ ଅନ୍ୟ ଦେଶୀୟମାନଙ୍କ

ଅଧିକାର ଦେଇ ଆପଣା କର୍ମର ପ୍ରଭାବ ସେମାନଙ୍କୁ ଦେଖାଇ ଅଛନ୍ତି।

7ତାହାଙ୍କ ହସ୍ତର କର୍ମସକଳ ସତ୍ୟ ଓ ନ୍ୟାଯ୍ୟ,

ତାହାଙ୍କ ବିଧିସକଳ ଅଟଳ।

8ତାହାସବୁ ଅନନ୍ତକାଳ ନିମନ୍ତେ ସ୍ଥିରୀକୃତ;

ତାହାସବୁ ସତ୍ୟତା ଓ ସରଳତାରେ ସାଧିତ।

9ସେ ଆପଣା ଲୋକମାନଙ୍କ ନିକଟକୁ ମୁକ୍ତି ପଠାଇ ଅଛନ୍ତି;

ସେ ଅନନ୍ତକାଳ ନିମନ୍ତେ ଆପଣା ନିୟମ ଆଜ୍ଞା କରିଅଛନ୍ତି;

ତାହାଙ୍କ ନାମ ପବିତ୍ର ଓ ଆଦରଣୀୟ।

10ସଦାପ୍ରଭୁ-ବିଷୟକ ଭୟ ଜ୍ଞାନର ଆରମ୍ଭ;

ଯେଉଁମାନେ ତଦନୁଯାୟୀ କର୍ମ କରନ୍ତି, ସେସମସ୍ତଙ୍କର ସୁବୁଦ୍ଧି ହୁଏ;

ତାହାଙ୍କର ପ୍ରଶଂସା ସଦାକାଳସ୍ଥାୟୀ।

112

ସଜ୍ଜନର ଆନନ୍ଦ

1ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର,

ଯେଉଁ ଜନ ସଦାପ୍ରଭୁଙ୍କୁ ଭୟ କରେ,

ଯେ ତାହାଙ୍କ ଆଜ୍ଞାସବୁରେ ଅତିଶୟ ସନ୍ତୁଷ୍ଟ ହୁଏ, ସେ ଧନ୍ୟ।

2ତାହାର ବଂଶ ପୃଥିବୀରେ ବିକ୍ରମଶାଳୀ ହେବେ

ସରଳ ଲୋକର ବଂଶ ଆଶୀର୍ବାଦପ୍ରାପ୍ତ ହେବେ।

3ତାହାର ଗୃହରେ ଧନ ସମ୍ପତ୍ତି ଥାଏ

ଓ ତାହାର ଧର୍ମ ସଦାକାଳସ୍ଥାୟୀ

4ସରଳ ଲୋକଙ୍କ ପ୍ରତି ଅନ୍ଧକାରରେ ଦୀପ୍ତି ଉଦିତ ହୁଏ;

ସେ112:4 ସେ କିଅବା ସଦାପ୍ରଭୁ କୃପାମୟ ଓ ସ୍ନେହଶୀଳ ଓ ଧାର୍ମିକ।

5ଯେଉଁ ଜନ କୃପା କରେ ଓ ଋଣ ଦିଏ, ତାହାର ମଙ୍ଗଳ ହୁଏ;

ସେ ସୁବିଚାରରେ ଆପଣା କଥା ନିଷ୍ପନ୍ନ କରିବ।

6କାରଣ ସେ କଦାପି ବିଚଳିତ ନୋହିବ;

ଧାର୍ମିକ ଲୋକ ଅନନ୍ତକାଳ ସ୍ମରଣରେ ରହିବ।

7ସେ କୁସମ୍ବାଦ ଶୁଣି ଭୀତ ହେବ ନାହିଁ।

ତାହାର ଚିତ୍ତ ସଦାପ୍ରଭୁଙ୍କଠାରେ ନିର୍ଭର ରଖି ସ୍ଥିର ଥାଏ।

8ସେ ଆପଣା ବିପକ୍ଷଗଣ ଉପରେ ନିଜ ବାଞ୍ଛାର ସିଦ୍ଧି ଦେଖିବା ପର୍ଯ୍ୟନ୍ତ,

ତାହାର ଚିତ୍ତ ସୁସ୍ଥିର ଥାଏ, ସେ ଭୀତ ହେବ ନାହିଁ।

9ସେ ବିତରଣ କରିଅଛି, ସେ ଦୀନହୀନମାନଙ୍କୁ ଦାନ କରିଅଛି;

ତାହାର ଧର୍ମ ସଦାକାଳସ୍ଥାୟୀ;

ସମ୍ଭ୍ରମରେ ତାହାର ଶୃଙ୍ଗ112:9 ଶୃଙ୍ଗ ଅର୍ଥାତ୍ ବଳ ଉନ୍ନତ ହେବ।

10ଦୁଷ୍ଟ ଲୋକ ତାହା ଦେଖିବ ଓ ବିରକ୍ତ ହେବ;

ସେ ଆପଣା ଦନ୍ତ ଘର୍ଷଣ କରିବ ଓ ତରଳିଯିବ;

ଦୁଷ୍ଟମାନଙ୍କର ବାଞ୍ଛା ବିନଷ୍ଟ ହେବ।

113

ମଙ୍ଗଳମୟ ପରମେଶ୍ୱରଙ୍କ ସ୍ତୁତି

1ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର,

ହେ ସଦାପ୍ରଭୁଙ୍କ ଦାସଗଣ, ତୁମ୍ଭେମାନେ ପ୍ରଶଂସା କର,

ସଦାପ୍ରଭୁଙ୍କ ନାମର ପ୍ରଶଂସା କର।

2ଆଜିଠାରୁ ଅନନ୍ତକାଳ ସଦାପ୍ରଭୁଙ୍କ ନାମ ଧନ୍ୟ ହେଉ।

3ସୂର୍ଯ୍ୟର ଉଦୟ-ସ୍ଥାନଠାରୁ ତହିଁର ଅସ୍ତ-ସ୍ଥାନ ପର୍ଯ୍ୟନ୍ତ

ସଦାପ୍ରଭୁଙ୍କ ନାମ ପ୍ରଶଂସନୀୟ।

4ସଦାପ୍ରଭୁ ସମୁଦାୟ ଗୋଷ୍ଠୀ ଉପରେ ଓ

ତାହାଙ୍କ ଗୌରବ ଆକାଶମଣ୍ଡଳ ଉପରେ ଉଚ୍ଚୀକୃତ।

ଯାହାଙ୍କର ଆସନ ଊର୍ଦ୍ଧ୍ୱରେ,

5ଯେ ଆକାଶ ଓ ପୃଥିବୀକୁ ଦେଖିବା ପାଇଁ ଆପଣାକୁ ନତ କରନ୍ତି,

6ସେହି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ତୁଲ୍ୟ କିଏ ?

7ସେ ଅଧିପତିମାନଙ୍କ ସଙ୍ଗେ, ନିଜ ଲୋକଙ୍କ ଅଧିପତିଗଣ ସଙ୍ଗେ ବସାଇବା ପାଇଁ,

8ଦରିଦ୍ରକୁ ଧୂଳିରୁ ଉଠାନ୍ତି ଓ ଦୀନହୀନକୁ ଖତରାଶିରୁ ଉତ୍ତୋଳନ କରନ୍ତି।

9ସେ ବନ୍ଧ୍ୟା ସ୍ତ୍ରୀକୁ ଗୃହିଣୀ ଓ

ସନ୍ତାନଗଣର ଆନନ୍ଦମୟୀ ମାତା କରନ୍ତି।

ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।

114

ନିସ୍ତାର ପର୍ବ ସଙ୍ଗୀତ

1ଯେତେବେଳେ ଇସ୍ରାଏଲ ମିସରରୁ

ଓ ଯାକୁବ-ବଂଶ ଅନ୍ୟ ଭାଷାବାଦୀ ଲୋକଙ୍କ ମଧ୍ୟରୁ ବାହାରିଲେ;

2ସେତେବେଳେ ଯିହୁଦା ତାହାଙ୍କ ଧର୍ମଧାମ ଓ

ଇସ୍ରାଏଲ ତାହାଙ୍କ ରାଜ୍ୟ ହେଲା,

3ସମୁଦ୍ର ତାହା ଦେଖି ପଳାଇଲା;

ଯର୍ଦ୍ଦନ ଉଜାଣି ବହିଲା।

4ପର୍ବତଗଣ ମେଷ ପରି ଓ

ଉପପର୍ବତଗଣ ମେଷଶାବକ ପରି ଡିଆଁ ମାରିଲେ।

5ତୁମ୍ଭର କ’ଣ ହେଲା ଯେ, ହେ ସମୁଦ୍ର, ତୁମ୍ଭେ ପଳାଉଅଛ ?

ହେ ଯର୍ଦ୍ଦନ, ତୁମ୍ଭେ ଉଜାଣି ବହୁଅଛ ?

6ହେ ପର୍ବତଗଣ, ତୁମ୍ଭେମାନେ ମେଷ ପରି,

ହେ ଉପପର୍ବତଗଣ, ତୁମ୍ଭେମାନେ ମେଷଶାବକ ପରି ଡିଆଁ ମାରୁଅଛ ?

7ହେ ପୃଥିବୀ, ତୁମ୍ଭେ ପ୍ରଭୁଙ୍କ ଛାମୁରେ,

ଯାକୁବର ପରମେଶ୍ୱରଙ୍କ ଛାମୁରେ କମ୍ପିତ ହୁଅ;

8ସେ ଶୈଳକୁ ଜଳାଶୟ,

ଚକ୍‍ମକି ପ୍ରସ୍ତରକୁ ନିର୍ଝର କଲେ।

115

ଏକମାତ୍ର ସତ୍ୟ ପରମେଶ୍ୱର

1ହେ ସଦାପ୍ରଭୁ, ଆମ୍ଭମାନଙ୍କୁ ନୁହେଁ, ଆମ୍ଭମାନଙ୍କୁ ନୁହେଁ,

ମାତ୍ର ତୁମ୍ଭ ଦୟା ଓ ତୁମ୍ଭ ସତ୍ୟତା ସକାଶେ

ଆପଣା ନାମକୁ ଗୌରବାନ୍ୱିତ କର।

2“ଏବେ ସେମାନଙ୍କର ପରମେଶ୍ୱର କାହାନ୍ତି,” ଏହା

ଅନ୍ୟ ଦେଶୀୟମାନେ କାହିଁକି କହିବେ ?

3ମାତ୍ର ଆମ୍ଭମାନଙ୍କ ପରମେଶ୍ୱର ସ୍ୱର୍ଗରେ ଅଛନ୍ତି;

ଯାହା ତାହାଙ୍କର ଇଚ୍ଛା, ତାହା ସେ କରିଅଛନ୍ତି।

4ସେମାନଙ୍କର ପ୍ରତିମାସବୁ ରୂପା ଓ ସୁନା,

ମନୁଷ୍ୟର ହସ୍ତକୃତ କର୍ମ ଅଟେ।

5ସେମାନଙ୍କର ମୁଖ ଅଛି, ମାତ୍ର ସେମାନେ କଥା କହନ୍ତି ନାହିଁ;

ଚକ୍ଷୁ ସେମାନଙ୍କର ଅଛି, ମାତ୍ର ସେମାନେ ଦେଖନ୍ତି ନାହିଁ।

6ସେମାନଙ୍କର କର୍ଣ୍ଣ ଅଛି, ମାତ୍ର ସେମାନେ ଶୁଣନ୍ତି ନାହିଁ;

ନାସିକା ସେମାନଙ୍କର ଅଛି, ମାତ୍ର ସେମାନେ ଆଘ୍ରାଣ କରନ୍ତି ନାହିଁ;

7ସେମାନଙ୍କର ହସ୍ତ ଅଛି, ମାତ୍ର ସେମାନେ ସ୍ପର୍ଶ କରନ୍ତି ନାହିଁ;

ଚରଣ ସେମାନଙ୍କର ଅଛି, ମାତ୍ର ସେମାନେ ଗମନ କରନ୍ତି ନାହିଁ;

କିଅବା କଣ୍ଠରେ ସେମାନେ କଥା କହନ୍ତି ନାହିଁ।

8ସେମାନଙ୍କର ନିର୍ମାଣକାରୀମାନେ ଓ

ସେମାନଙ୍କଠାରେ ନିର୍ଭରକାରୀମାନେ ସେମାନଙ୍କ ତୁଲ୍ୟ ହେବେ।

9ହେ ଇସ୍ରାଏଲ, ତୁମ୍ଭେ ସଦାପ୍ରଭୁଙ୍କଠାରେ ନିର୍ଭର କର;

ସେ ସେମାନଙ୍କର ସହାୟ ଓ ସେମାନଙ୍କର ଢାଲ।

10ହେ ହାରୋଣ-ବଂଶ, ତୁମ୍ଭେମାନେ ସଦାପ୍ରଭୁଙ୍କଠାରେ ନିର୍ଭର କର;

ସେ ସେମାନଙ୍କର ସହାୟ ଓ ସେମାନଙ୍କର ଢାଲ।

11ହେ ସଦାପ୍ରଭୁଙ୍କ ଭୟକାରୀଗଣ, ତୁମ୍ଭେମାନେ ସଦାପ୍ରଭୁଙ୍କଠାରେ ନିର୍ଭର କର;

ସେ ସେମାନଙ୍କର ସହାୟ ଓ ସେମାନଙ୍କର ଢାଲ।

12ସଦାପ୍ରଭୁ ଆମ୍ଭମାନଙ୍କ ବିଷୟରେ ମନୋଯୋଗୀ ହୋଇଅଛନ୍ତି; ସେ ଆମ୍ଭମାନଙ୍କୁ ଆଶୀର୍ବାଦ କରିବେ;

ସେ ଇସ୍ରାଏଲ-ବଂଶକୁ ଆଶୀର୍ବାଦ କରିବେ;

ସେ ହାରୋଣ-ବଂଶକୁ ଆଶୀର୍ବାଦ କରିବେ।

13ସେ ସଦାପ୍ରଭୁଙ୍କ ଭୟକାରୀ

ସାନ ଓ ବଡ଼ ସମସ୍ତଙ୍କୁ ଆଶୀର୍ବାଦ କରିବେ।

14ସଦାପ୍ରଭୁ ତୁମ୍ଭମାନଙ୍କୁ,

ତୁମ୍ଭମାନଙ୍କୁ ଓ ତୁମ୍ଭମାନଙ୍କ ସନ୍ତାନଗଣକୁ ଆହୁରି ଆହୁରି ବୃଦ୍ଧି କରନ୍ତୁ।

15ତୁମ୍ଭେମାନେ ସ୍ୱର୍ଗ ଓ ପୃଥିବୀର ସୃଷ୍ଟିକର୍ତ୍ତା

ସଦାପ୍ରଭୁଙ୍କର ଆଶୀର୍ବାଦପାତ୍ର ଅଟ।

16ସ୍ୱର୍ଗ ସଦାପ୍ରଭୁଙ୍କର ସ୍ୱର୍ଗ;

ମାତ୍ର ସେ ମନୁଷ୍ୟ-ସନ୍ତାନଗଣକୁ ପୃଥିବୀ ଦେଇଅଛନ୍ତି।

17ମୃତମାନେ, କିଅବା ଯେଉଁମାନେ ନୀରବ ସ୍ଥାନରେ ଅବରୋହଣ କରନ୍ତି,

ସେମାନେ ସଦାପ୍ରଭୁଙ୍କର ପ୍ରଶଂସା କରନ୍ତି ନାହିଁ;

18ମାତ୍ର ଆମ୍ଭେମାନେ ଆଜିଠାରୁ ଅନନ୍ତକାଳ ପର୍ଯ୍ୟନ୍ତ

ସଦାପ୍ରଭୁଙ୍କର ଧନ୍ୟବାଦ କରିବା।

ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।

116

ମୃତ୍ୟୁୁରୁ ରକ୍ଷା ପାଇଥିବା ବ୍ୟକ୍ତିର ସଦାପ୍ରଭୁଙ୍କ ପ୍ରଶଂସା

1ମୁଁ ସଦାପ୍ରଭୁଙ୍କୁ ପ୍ରେମ କରେ,

କାରଣ ସେ ମୋ’ ରବ ଓ ବିନତି ଶୁଣିଅଛନ୍ତି।

2ସେ ମୋ’ ପ୍ରତି କର୍ଣ୍ଣପାତ କରିଅଛନ୍ତି,

ଏଥିପାଇଁ ମୁଁ ବଞ୍ଚିଥିବାଯାଏ, ତାହାଙ୍କ ନିକଟରେ ପ୍ରାର୍ଥନା କରିବି।

3ମୃତ୍ୟୁୁର ରଜ୍ଜୁ ମୋତେ ଘେରିଲା,

ପାତାଳର ଯନ୍ତ୍ରଣା ମୋତେ ଧରିଲା;

ମୁଁ ସଙ୍କଟ ଓ ଦୁଃଖରେ ପଡ଼ିଲି।

4ସେତେବେଳେ ମୁଁ ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କଲି;

“ହେ ସଦାପ୍ରଭୁ, ମୁଁ ବିନୟ କରୁଅଛି, ମୋ’ ପ୍ରାଣକୁ ଉଦ୍ଧାର କର।”

5ସଦାପ୍ରଭୁ କୃପାବାନ ଓ ଧର୍ମମୟ;

ହଁ, ଆମ୍ଭମାନଙ୍କ ପରମେଶ୍ୱର ସ୍ନେହଶୀଳ ଅଟନ୍ତି।

6ସଦାପ୍ରଭୁ ସରଳ ଲୋକଙ୍କୁ ରକ୍ଷା କରନ୍ତି;

ମୁଁ ଦୀନହୀନ ହେଲେ ହେଁ ସେ ମୋର ପରିତ୍ରାଣ କଲେ।

7ହେ ମୋହର ପ୍ରାଣ, ଆପଣା ବିଶ୍ରାମ-ସ୍ଥାନକୁ ନେଉଟି ଯାଅ;

କାରଣ ସଦାପ୍ରଭୁ ତୁମ୍ଭର ପ୍ରଚୁର ମଙ୍ଗଳ କରିଅଛନ୍ତି।

8ତୁମ୍ଭେ ମୃତ୍ୟୁୁରୁ ମୋହର ପ୍ରାଣ ଓ

ଲୋତକରୁ ମୋହର ଚକ୍ଷୁ ଓ

ଝୁଣ୍ଟିପଡ଼ିବାରୁ ମୋହର ଚରଣ ଉଦ୍ଧାର କରିଅଛ।

9ମୁଁ ସଦାପ୍ରଭୁଙ୍କ ସାକ୍ଷାତରେ

ଜୀବିତମାନଙ୍କ ଦେଶରେ ଗମନାଗମନ କରିବି।

10ମୁଁ ସଦାପ୍ରଭୁଙ୍କଠାରେ ବିଶ୍ୱାସ କରୁଅଛି, ଏଣୁ ମୁଁ କହିବି;

“ମୁଁ ନିତାନ୍ତ ଦୁଃଖଗ୍ରସ୍ତ ଥିଲି,”

11ମୁଁ ଚଞ୍ଚଳ ଭାବରେ କହିଲି,

“ମନୁଷ୍ୟ ମାତ୍ରେ ହିଁ ମିଥ୍ୟା।”

12ମୋ’ ପ୍ରତି ସଦାପ୍ରଭୁଙ୍କର ସବୁ ମଙ୍ଗଳଦାନ ପାଲଟେ

ମୁଁ ତାହାଙ୍କୁ କି ପ୍ରତିଦାନ କରିବି ?

13ମୁଁ ପରିତ୍ରାଣର ପାତ୍ର116:13 ପରିତ୍ରାଣର ପାତ୍ର ଅର୍ଥାତ୍ ପେୟ ନୈବେଦ୍ୟ ଉତ୍ସର୍ଗ କରିବି ଗ୍ରହଣ କରିବି ଓ

ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବି।

14ମୁଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଓ

ତାହାଙ୍କ ଲୋକମାନଙ୍କ ସାକ୍ଷାତରେ ଆପଣା ମାନତ ପୂର୍ଣ୍ଣ କରିବି।

15ସଦାପ୍ରଭୁଙ୍କ ଦୃଷ୍ଟିରେ ତାହାଙ୍କ

ସଦ୍‍ଭକ୍ତମାନଙ୍କ ମରଣ ବହୁମୂଲ୍ୟ ଅଟେ।

16ହେ ସଦାପ୍ରଭୁ, ମୁଁ ନିତାନ୍ତ ତୁମ୍ଭର ଦାସ;

ମୁଁ ତୁମ୍ଭର ଦାସ, ତୁମ୍ଭ ଦାସୀର ପୁତ୍ର;

ତୁମ୍ଭେ ମୋହର ବନ୍ଧନସବୁ ମୁକୁଳାଇଅଛ।

17ମୁଁ ତୁମ୍ଭ ନିକଟରେ ଧନ୍ୟବାଦାର୍ଥକ ବଳି ଉତ୍ସର୍ଗ କରିବି,

ମୁଁ ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବି।

18ମୁଁ ତାହାଙ୍କ ଲୋକମାନଙ୍କ ସାକ୍ଷାତରେ,

ସଦାପ୍ରଭୁଙ୍କ ଗୃହର ପ୍ରାଙ୍ଗଣରେ,

19ହେ ଯିରୂଶାଲମ, ତୁମ୍ଭ ମଧ୍ୟରେ, ସଦାପ୍ରଭୁଙ୍କ

ଉଦ୍ଦେଶ୍ୟରେ ଆପଣା ମାନତ ପୂର୍ଣ୍ଣ କରିବି।

ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।

117

ସଦାପ୍ରଭୁଙ୍କ ସ୍ତବଗାନ

1ହେ ସର୍ବଦେଶୀୟମାନେ, ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର;

ହେ ସମସ୍ତ ଲୋକ, ତାହାଙ୍କର ସ୍ତୁତି କର।

2କାରଣ ଆମ୍ଭମାନଙ୍କ ପ୍ରତି ତାହାଙ୍କ ଦୟା ଅତିଶୟ

ଓ ସଦାପ୍ରଭୁଙ୍କ ସତ୍ୟତା ଅନନ୍ତକାଳସ୍ଥାୟୀ।

ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।

118

ବିଜୟ ପାଇଁ ଧନ୍ୟବାଦ ପ୍ରାର୍ଥନା

1ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ, କାରଣ ସେ ମଙ୍ଗଳମୟ;

ହଁ; ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।

2ଇସ୍ରାଏଲ ଏବେ କହନ୍ତୁ ଯେ,

“ତାହାଙ୍କ କରୁଣା ଅନନ୍ତକାଳସ୍ଥାୟୀ।”

3ହାରୋଣ-ବଂଶ ଏବେ କହନ୍ତୁ ଯେ,

“ତାହାଙ୍କ କରୁଣା ଅନନ୍ତକାଳସ୍ଥାୟୀ।”

4ଏବେ ସଦାପ୍ରଭୁଙ୍କର ଭୟକାରୀମାନେ କହନ୍ତୁ ଯେ,

“ତାହାଙ୍କ କରୁଣା ଅନନ୍ତକାଳସ୍ଥାୟୀ।”

5ମୁଁ ସଙ୍କଟ କାଳରେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲି;

ସଦାପ୍ରଭୁ ମୋତେ ଉତ୍ତର ଦେଇ ପ୍ରଶସ୍ତ ସ୍ଥାନରେ ସ୍ଥାପନ କଲେ।

6ସଦାପ୍ରଭୁ ମୋହର ସପକ୍ଷ; ମୁଁ ଭୟ କରିବି ନାହିଁ;

ମନୁଷ୍ୟ ମୋହର କଅଣ କରି ପାରେ ?

7ମୋହର ସହାୟମାନଙ୍କ ସହିତ ସଦାପ୍ରଭୁ ମୋହର ସପକ୍ଷ;

ଏହେତୁ ମୁଁ ଆପଣା ଘୃଣାକାରୀମାନଙ୍କ ଉପରେ ଆପଣା ବାଞ୍ଛାର ସିଦ୍ଧି ଦେଖିବି।

8ମନୁଷ୍ୟ ଉପରେ ନିର୍ଭର ରଖିବା ଅପେକ୍ଷା

ସଦାପ୍ରଭୁଙ୍କର ଶରଣାଗତ ହେବା ଉତ୍ତମ।

9ଅଧିପତିମାନଙ୍କ ଉପରେ ନିର୍ଭର ରଖିବା ଅପେକ୍ଷା

ସଦାପ୍ରଭୁଙ୍କର ଶରଣାଗତ ହେବା ଉତ୍ତମ।

10ସମୁଦାୟ ଗୋଷ୍ଠୀବର୍ଗ ମୋତେ ଚାରିଆଡ଼େ ଘେରିଲେ;

ସଦାପ୍ରଭୁଙ୍କ ନାମରେ118:10 ନାମରେ ଅର୍ଥାତ୍ ବଳରେ ମୁଁ ସେମାନଙ୍କୁ ଉଚ୍ଛିନ୍ନ କରିବି।

11ସେମାନେ ମୋତେ ଚାରିଆଡ଼େ ଘେରିଲେ; ହଁ, ସେମାନେ ମୋତେ ଚାରିଆଡ଼େ ଘେରିଲେ;

ସଦାପ୍ରଭୁଙ୍କ ନାମରେ ମୁଁ ସେମାନଙ୍କୁ ଉଚ୍ଛିନ୍ନ କରିବି।

12ସେମାନେ ମହୁମାଛି ପରି ମୋତେ ଚାରିଆଡ଼େ ଘେରିଲେ;

ସେମାନେ କଣ୍ଟା ନିଆଁ ପରି ନିଭି ଯାଇଅଛନ୍ତି;

ସଦାପ୍ରଭୁଙ୍କ ନାମରେ ମୁଁ ସେମାନଙ୍କୁ ଉଚ୍ଛିନ୍ନ କରିବି।

13ମୁଁ ଯେପରି ନିପତିତ ହେବି, ଏଥିପାଇଁ ତୁମ୍ଭେ ମୋତେ ଭାରୀ ଧକ୍‍କା ଦେଲ;

ମାତ୍ର ସଦାପ୍ରଭୁ ମୋହର ସାହାଯ୍ୟ କଲେ।

14ସଦାପ୍ରଭୁ ମୋହର ବଳ ଓ ଗାନ;

ପୁଣି, ସେ ମୋହର ପରିତ୍ରାଣ ହୋଇଅଛନ୍ତି।

15ଧାର୍ମିକମାନଙ୍କ ତମ୍ବୁରେ ଆନନ୍ଦ ଓ ପରିତ୍ରାଣର ଧ୍ୱନି ଥାଏ;

ସଦାପ୍ରଭୁଙ୍କ ଦକ୍ଷିଣ ହସ୍ତ ବୀରର କର୍ମ କରେ।

16ସଦାପ୍ରଭୁଙ୍କ ଦକ୍ଷିଣ ହସ୍ତ ଉନ୍ନତ;

ସଦାପ୍ରଭୁଙ୍କ ଦକ୍ଷିଣ ହସ୍ତ ବୀରର କର୍ମ କରେ।

17ମୁଁ ମରିବି ନାହିଁ, ମାତ୍ର ବଞ୍ଚିବି

ଓ ସଦାପ୍ରଭୁଙ୍କ କର୍ମସବୁ ବର୍ଣ୍ଣନା କରିବି।

18ସଦାପ୍ରଭୁ ମୋତେ ଭାରୀ ଶାସ୍ତି ଦେଇଅଛନ୍ତି;

ମାତ୍ର ସେ ମୃତ୍ୟୁୁ ହସ୍ତରେ ମୋତେ ସମର୍ପି ଦେଇ ନାହାନ୍ତି।

19ମୋ’ ପାଇଁ ଦ୍ୱାରସବୁ ଫିଟାଅ ଯଦ୍ଵାରା ଧାର୍ମିକମାନେ ପ୍ରବେଶ କରନ୍ତି;

ମୁଁ ତହିଁ ମଧ୍ୟରେ ପ୍ରବେଶ କରି ସଦାପ୍ରଭୁଙ୍କୁ ଧନ୍ୟବାଦ ଦେବି।

20ଏହି ସଦାପ୍ରଭୁଙ୍କ ଦ୍ୱାର;

ଧାର୍ମିକ ଲୋକମାନେ ତହିଁରେ ପ୍ରବେଶ କରିବେ।

21ମୁଁ ତୁମ୍ଭଙ୍କୁ ଧନ୍ୟବାଦ ଦେବି, କାରଣ ତୁମ୍ଭେ ମୋତେ ଉତ୍ତର ଦେଇଅଛ

ଓ ମୋହର ପରିତ୍ରାଣ ହୋଇଅଛି।

22ଗାନ୍ଥକମାନେ ଯେଉଁ ପଥର ଅଗ୍ରାହ୍ୟ କଲେ,

ତାହା କୋଣର ପ୍ରଧାନ ପଥର ହୋଇଅଛି।

23ଏହା ସଦାପ୍ରଭୁଙ୍କ କର୍ମ;

ଏହା ଆମ୍ଭମାନଙ୍କ ଦୃଷ୍ଟିରେ ଆଶ୍ଚର୍ଯ୍ୟ।

24ଏହା ସଦାପ୍ରଭୁଙ୍କ କୃତ ଦିନ;

ଆମ୍ଭେମାନେ ଏଥିରେ ଆନନ୍ଦ ଓ ଉଲ୍ଲାସ କରିବା।

25ହେ ସଦାପ୍ରଭୁ, ଆମ୍ଭେମାନେ ବିନୟ କରୁଅଛୁ, ଏବେ ପରିତ୍ରାଣ କର;

ହେ ସଦାପ୍ରଭୁ, ଆମ୍ଭେମାନେ ବିନୟ କରୁଅଛୁ, ଏବେ ସଫଳତା ଆଜ୍ଞା କର।

26ସଦାପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି, ସେ ଧନ୍ୟ;

ଆମ୍ଭେମାନେ ସଦାପ୍ରଭୁଙ୍କ ଗୃହରୁ ତୁମ୍ଭକୁ ଆଶୀର୍ବାଦ କରିଅଛୁ।

27ସଦାପ୍ରଭୁ ପରମେଶ୍ୱର ଅଟନ୍ତି ଓ ସେ ଆମ୍ଭମାନଙ୍କୁ ଦୀପ୍ତି ଦେଇଅଛନ୍ତି;

ବେଦିର ଶୃଙ୍ଗରେ ରଜ୍ଜୁ ଦ୍ୱାରା ବଳିକୁ ବାନ୍ଧ।

28ତୁମ୍ଭେ ମୋହର ପରମେଶ୍ୱର, ମୁଁ ତୁମ୍ଭଙ୍କୁ ଧନ୍ୟବାଦ ଦେବି;

ତୁମ୍ଭେ ମୋହର ପରମେଶ୍ୱର, ମୁଁ ତୁମ୍ଭର ପ୍ରତିଷ୍ଠା କରିବି।

29ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ; କାରଣ ସେ ମଙ୍ଗଳମୟ;

ହଁ, ତାହାଙ୍କର କରୁଣା ଅନନ୍ତକାଳସ୍ଥାୟୀ।

119

ପରମେଶ୍ୱରଙ୍କ ବ୍ୟବସ୍ଥା

ଆଲେଫ୍‍।

1ଯେଉଁମାନେ ଆଚରଣରେ ସିଦ୍ଧ,

ଯେଉଁମାନେ ସଦାପ୍ରଭୁଙ୍କ ବ୍ୟବସ୍ଥାନୁସାରେ ଚାଲନ୍ତି, ସେମାନେ ଧନ୍ୟ।

2ଯେଉଁମାନେ ତାହାଙ୍କ ପ୍ରମାଣ-ବାକ୍ୟସବୁ ପାଳନ କରନ୍ତି,

ଯେଉଁମାନେ ସର୍ବାନ୍ତଃକରଣରେ ତାହାଙ୍କୁ ଖୋଜନ୍ତି, ସେମାନେ ଧନ୍ୟ।

3ସେମାନେ କୌଣସି ଅଧର୍ମ କରନ୍ତି ନାହିଁ;

ସେମାନେ ତାହାଙ୍କ ପଥରେ ଗମନ କରନ୍ତି।

4ଆମ୍ଭେମାନେ ଯତ୍ନପୂର୍ବକ ଯେପରି ତୁମ୍ଭର ବିଧାନସବୁ ପାଳନ କରିବା,

ଏଥିପାଇଁ ତୁମ୍ଭେ ତାହାସବୁ ଆଜ୍ଞା କରିଅଛ।

5ଆହା, ତୁମ୍ଭର ବିଧିସକଳ ପାଳନ କରିବା ପାଇଁ ଯଦି

ମୋହର ଗତି ସୁସ୍ଥିର ହୁଅନ୍ତା !

6ତୁମ୍ଭର ସକଳ ଆଜ୍ଞା ପ୍ରତି ଦୃଷ୍ଟି ରଖିବା ବେଳେ

ମୁଁ ଲଜ୍ଜିତ ହେବି ନାହିଁ।

7ତୁମ୍ଭର ଧର୍ମମୟ ଶାସନସକଳ ଶିଖିବା ବେଳେ

ମୁଁ ଅନ୍ତଃକରଣର ସରଳତାରେ ତୁମ୍ଭଙ୍କୁ ଧନ୍ୟବାଦ ଦେବି।

8ମୁଁ ତୁମ୍ଭର ବିଧିସବୁ ପାଳନ କରିବି;

ମୋତେ ନିତାନ୍ତ ପରିତ୍ୟାଗ କର ନାହିଁ।

ପରମେଶ୍ୱରଙ୍କ ବ୍ୟବସ୍ଥା ପାଳନ

ବୈତ୍‍।

9ଯୁବା ମନୁଷ୍ୟ କିପ୍ରକାରେ ଆପଣା ପଥ ପରିଷ୍କାର119:9 ପଥ ପରିଷ୍କାର ଅର୍ଥାତ୍ ଆଚରଣ ଶୁଦ୍ଧ କରିବ ?

ତୁମ୍ଭ ବାକ୍ୟାନୁଯାୟୀ ତହିଁ ବିଷୟରେ ସାବଧାନ ହେଲେ କରିବ।

10ମୁଁ ସର୍ବାନ୍ତଃକରଣରେ ତୁମ୍ଭଙ୍କୁ ଖୋଜିଅଛି;

ମୋତେ ତୁମ୍ଭ ଆଜ୍ଞା-ପଥରୁ ଭ୍ରମିବାକୁ ଦିଅ ନାହିଁ।

11ମୁଁ ଯେପରି ତୁମ୍ଭ ବିରୁଦ୍ଧରେ ପାପ ନ କରେ,

ଏଥିପାଇଁ ମୁଁ ଆପଣା ହୃଦୟ ମଧ୍ୟରେ ତୁମ୍ଭର ବାକ୍ୟ ସଞ୍ଚୟ କରି ରଖିଅଛି।

12ହେ ସଦାପ୍ରଭୁ, ତୁମ୍ଭେ ଧନ୍ୟ;

ତୁମ୍ଭର ବିଧିସବୁ ମୋତେ ଶିଖାଅ।

13ମୁଁ ତୁମ୍ଭ ମୁଖନିର୍ଗତ ଶାସନସକଳ

ଆପଣା ଓଷ୍ଠାଧରରେ ବର୍ଣ୍ଣନା କରିଅଛି।

14ଯେପରି ସମୁଦାୟ ଧନରେ,

ସେପରି ମୁଁ ତୁମ୍ଭ ପ୍ରମାଣ-ବାକ୍ୟରୂପ ପଥରେ ଆମୋଦ କରିଅଛି।

15ମୁଁ ତୁମ୍ଭର ବିଧାନସବୁ ଧ୍ୟାନ କରିବି

ଓ ତୁମ୍ଭ ପଥ ପ୍ରତି ଦୃଷ୍ଟି ରଖିବି।

16ମୁଁ ତୁମ୍ଭ ବିଧିସବୁରେ ଆନନ୍ଦ କରିବି;

ମୁଁ ତୁମ୍ଭର ବାକ୍ୟ ପାସୋରିବି ନାହିଁ।

ପରମେଶ୍ୱରଙ୍କ ବ୍ୟବସ୍ଥା ସୁଖକର

ଗିମେଲ୍‍।

17ମୁଁ ଯେପରି ବଞ୍ଚିବି, ଏଥିପାଇଁ ତୁମ୍ଭେ ଆପଣା ଦାସର ମଙ୍ଗଳ କର;

ତହୁଁ ମୁଁ ତୁମ୍ଭ ବାକ୍ୟ ପାଳନ କରିବି।

18ତୁମ୍ଭେ ମୋହର ଚକ୍ଷୁ ପ୍ରସନ୍ନ କର,

ତହିଁରେ ମୁଁ ତୁମ୍ଭ ବ୍ୟବସ୍ଥାରୁ ଆଶ୍ଚର୍ଯ୍ୟ ବିଷୟମାନ ଦେଖି ପାରିବି।

19ମୁଁ ପୃଥିବୀରେ ପ୍ରବାସୀ;

ତୁମ୍ଭର ଆଜ୍ଞାସବୁ ମୋ’ଠାରୁ ଲୁଚାଅ ନାହିଁ।

20ସର୍ବଦା ତୁମ୍ଭ ଶାସନସକଳ ଆକାଂକ୍ଷା କରିବା ସକାଶୁ

ମୋ’ ପ୍ରାଣ କ୍ଷୀଣ ହୁଏ।

21ଯେଉଁ ଅଭିଶପ୍ତ ଅହଙ୍କାରୀମାନେ ତୁମ୍ଭ ଆଜ୍ଞା-ପଥରୁ ଭ୍ରମନ୍ତି,

ତୁମ୍ଭେ ସେମାନଙ୍କୁ ଧମକାଇଅଛ।

22ମୋ’ଠାରୁ ନିନ୍ଦା ଓ ଅପମାନ ଦୂର କର;

କାରଣ ମୁଁ ତୁମ୍ଭର ପ୍ରମାଣ-ବାକ୍ୟସବୁ ପାଳନ କରିଅଛି।

23ଅଧିପତିମାନେ ମଧ୍ୟ ବସି ମୋ’ ବିରୁଦ୍ଧରେ କଥା କହିଲେ;

ମାତ୍ର ତୁମ୍ଭର ଦାସ ତୁମ୍ଭ ବିଧିସକଳ ଧ୍ୟାନ କଲା।

24ତୁମ୍ଭର ସକଳ ପ୍ରମାଣ-ବାକ୍ୟ ମଧ୍ୟ

ମୋହର ଆନନ୍ଦଜନକ ଓ ମନ୍ତ୍ରଣାଦାୟକ।

ପରମେଶ୍ୱରଙ୍କ ବ୍ୟବସ୍ଥା ମାନିବାକୁ ଦୃଢ ସଂକଳ୍ପ

ଦାଲତ୍‍।

25ମୋହର ପ୍ରାଣ ଧୂଳିରେ ଲାଗୁଅଛି;

ତୁମ୍ଭେ ନିଜ ବାକ୍ୟାନୁସାରେ ମୋତେ ସଚେତ କର।

26ମୁଁ ଆପଣାର ସକଳ ଗତି ବର୍ଣ୍ଣନା କରନ୍ତେ, ତୁମ୍ଭେ ମୋତେ ଉତ୍ତର ଦେଲ;

ତୁମ୍ଭର ବିଧିସବୁ ମୋତେ ଶିଖାଅ।

27ତୁମ୍ଭେ ଆପଣା ଆଜ୍ଞା-ପଥସବୁ ମୋତେ ବୁଝାଇ ଦିଅ;

ତହିଁରେ ମୁଁ ତୁମ୍ଭର ଆଶ୍ଚର୍ଯ୍ୟଶିକ୍ଷାସବୁ119:27 ଆଶ୍ଚର୍ଯ୍ୟ ଶିକ୍ଷାସବୁ ଆଶ୍ଚର୍ଯ୍ୟକର୍ମସବୁ ଧ୍ୟାନ କରିବି।

28ଶୋକ ସକାଶୁ ମୋ’ ପ୍ରାଣ ତରଳି ଯାଏ;

ତୁମ୍ଭେ ଆପଣା ବାକ୍ୟାନୁସାରେ ମୋତେ ସବଳ କର।

29ମୋ’ଠାରୁ ମିଥ୍ୟାମାର୍ଗ ଅନ୍ତର କର

ଓ ଅନୁଗ୍ରହ କରି ମୋତେ ତୁମ୍ଭର ବ୍ୟବସ୍ଥା ପ୍ରଦାନ କର।

30ମୁଁ ବିଶ୍ୱସ୍ତତାରୂପ ପଥ ମନୋନୀତ କରିଅଛି;

ମୁଁ ଆପଣା ସମ୍ମୁଖରେ ତୁମ୍ଭର ଶାସନସବୁ ରଖିଅଛି।

31ମୁଁ ତୁମ୍ଭ ପ୍ରମାଣ-ବାକ୍ୟସବୁରେ ଆସକ୍ତ;

ହେ ସଦାପ୍ରଭୁ, ମୋତେ ଲଜ୍ଜିତ କର ନାହିଁ।

32ତୁମ୍ଭେ ମୋହର ହୃଦୟ ପ୍ରଶସ୍ତ କରିବା ବେଳେ

ମୁଁ ତୁମ୍ଭ ଆଜ୍ଞା-ପଥରେ ଧାବମାନ ହେବି।

ବୋଧଶକ୍ତି ପାଇଁ ପ୍ରାର୍ଥନା

ହେ।

33ହେ ସଦାପ୍ରଭୁ, ତୁମ୍ଭର ବିଧିରୂପ ପଥ ମୋତେ ଶିଖାଅ;

ତହିଁରେ ମୁଁ ଶେଷ ପର୍ଯ୍ୟନ୍ତ ତାହା ପାଳନ କରିବି।

34ମୋତେ ବୁଦ୍ଧି ପ୍ରଦାନ କର, ତହିଁରେ ମୁଁ ତୁମ୍ଭର ବ୍ୟବସ୍ଥା ମାନିବି;

ଆହୁରି, ମୁଁ ଆପଣା ସର୍ବାନ୍ତଃକରଣରେ ତାହା ପାଳନ କରିବି।

35ତୁମ୍ଭ ଆଜ୍ଞା-ପଥରେ ମୋତେ ଗମନ କରାଅ;

କାରଣ ତହିଁରେ ମୁଁ ଆନନ୍ଦ କରେ।

36ଲୋଭ ପ୍ରତି ନୁହେଁ, ମାତ୍ର ତୁମ୍ଭ ପ୍ରମାଣ-ବାକ୍ୟ

ପ୍ରତି ମୋ’ ଚିତ୍ତର ସ୍ନେହ ଜନ୍ମାଅ।

37ଅସାର ଦର୍ଶନରୁ ମୋହର ଚକ୍ଷୁ ଫେରାଅ

ଓ ତୁମ୍ଭ ପଥରେ ମୋତେ ସଚେତ କର।

38ତୁମ୍ଭ ଦାସ ପକ୍ଷରେ ତୁମ୍ଭର ବାକ୍ୟ ସ୍ଥିର କର,

ତାହା ତୁମ୍ଭ ବିଷୟକ ଭୟ-ସଂଯୁକ୍ତ।

39ମୋହର ଭୟଜନକ ନିନ୍ଦା ଦୂର କର;

କାରଣ ତୁମ୍ଭର ଶାସନସକଳ ଉତ୍ତମ।

40ଦେଖ, ମୁଁ ତୁମ୍ଭ ବିଧାନସକଳର ଆକାଂକ୍ଷା କରିଅଛି;

ତୁମ୍ଭ ଧର୍ମରେ ମୋତେ ସଚେତ କର।

ପରମେଶ୍ୱରଙ୍କ ବ୍ୟବସ୍ଥା ଉପରେ ନିର୍ଭର

ବୌ।

41ହେ ସଦାପ୍ରଭୁ, ତୁମ୍ଭ ଦୟା, ଅର୍ଥାତ୍‍, ତୁମ୍ଭ

ବାକ୍ୟାନୁସାରେ ତୁମ୍ଭ ପରିତ୍ରାଣ ମୋ’ ପ୍ରତି ବର୍ତ୍ତୁ।

42ତହିଁରେ ମୁଁ ଆପଣା ନିନ୍ଦକକୁ ଉତ୍ତର ଦେବି;

କାରଣ ମୁଁ ତୁମ୍ଭ ବାକ୍ୟରେ ନିର୍ଭର ରଖେ।

43ପୁଣି, ମୋ’ ମୁଖରୁ ସତ୍ୟତାର ବାକ୍ୟ କଦାପି ନିଅ ନାହିଁ;

କାରଣ ମୁଁ ତୁମ୍ଭ ଶାସନରେ ଭରସା ରଖିଅଛି।

44ତହିଁରେ ମୁଁ ଅନନ୍ତକାଳ ପର୍ଯ୍ୟନ୍ତ ନିରନ୍ତର

ତୁମ୍ଭର ବ୍ୟବସ୍ଥା ପାଳନ କରିବି।

45ଆଉ, ମୁଁ ସ୍ୱଚ୍ଛନ୍ଦରେ ଗମନାଗମନ କରିବି;

କାରଣ ମୁଁ ତୁମ୍ଭର ବିଧାନସବୁ ଖୋଜିଅଛି।

46ଆହୁରି, ମୁଁ ରାଜାମାନଙ୍କ ସାକ୍ଷାତରେ ତୁମ୍ଭର ପ୍ରମାଣ-ବାକ୍ୟ ବିଷୟ କହିବି ଓ

ଲଜ୍ଜିତ ନୋହିବି।

47ପୁଣି, ମୁଁ ତୁମ୍ଭର ଯେଉଁ ଆଜ୍ଞାସମୂହ ସ୍ନେହ କରିଅଛି,

ତହିଁରେ ଆପଣାକୁ ଆନନ୍ଦିତ କରିବି।

48ଆହୁରି, ମୁଁ ତୁମ୍ଭର ଯେଉଁ ଆଜ୍ଞାସମୂହ ସ୍ନେହ କରିଅଛି,

ତହିଁ ନିକଟରେ କୃତାଞ୍ଜଳି ହେବି;

ପୁଣି, ମୁଁ ତୁମ୍ଭର ବିଧିସବୁ ଧ୍ୟାନ କରିବି।

ପରମେଶ୍ୱରଙ୍କ ବ୍ୟବସ୍ଥାରେ ବିଶ୍ୱାସ

ସୟିନ୍‍।

49ତୁମ୍ଭେ ମୋତେ ଭରସାଯୁକ୍ତ କରିଅଛ, ଏଣୁ ତୁମ୍ଭେ

ଆପଣା ଦାସ ପକ୍ଷରେ ବାକ୍ୟ ସ୍ମରଣ କର।

50ଦୁଃଖ ସମୟରେ ଏହା ହିଁ ମୋହର ସାନ୍ତ୍ୱନା;

କାରଣ ତୁମ୍ଭର ବାକ୍ୟ ମୋତେ ସଚେତ କରିଅଛି।

51ଅହଙ୍କାରୀମାନେ ମୋତେ ଅତିଶୟ ପରିହାସ କରିଅଛନ୍ତି,

ତଥାପି ମୁଁ ତୁମ୍ଭ ବ୍ୟବସ୍ଥାରୁ ବିମୁଖ ହୋଇ ନାହିଁ।

52ହେ ସଦାପ୍ରଭୁ, ମୁଁ ପୂର୍ବକାଳୀନ ତୁମ୍ଭ ଶାସନସବୁ ସ୍ମରଣ କରି

ଆପଣାକୁ ସାନ୍ତ୍ୱନାଯୁକ୍ତ କରିଅଛି।

53ଦୁଷ୍ଟମାନେ ତୁମ୍ଭ ବ୍ୟବସ୍ଥା ପରିତ୍ୟାଗ କରିବାରୁ

ପ୍ରଚଣ୍ଡ କ୍ରୋଧ ମୋତେ ଆକ୍ରମଣ କରିଅଛି।

54ମୋ’ ପ୍ରବାସ-ଗୃହରେ

ତୁମ୍ଭର ବିଧିସବୁ ମୋହର ଗାୟନ ହୋଇଅଛି।

55ହେ ସଦାପ୍ରଭୁ, ମୁଁ ରାତ୍ରିକାଳରେ ତୁମ୍ଭର ନାମ ସ୍ମରଣ କରିଅଛି

ଓ ତୁମ୍ଭର ବ୍ୟବସ୍ଥା ପାଳନ କରିଅଛି।

56ତୁମ୍ଭର ବିଧାନସବୁ ପାଳନ କରିବା ସକାଶୁ

ମୁଁ ଏହି ଫଳ ପ୍ରାପ୍ତ ହୋଇଅଛି।

ପରମେଶ୍ୱରଙ୍କ ବ୍ୟବସ୍ଥାରେ ନିଷ୍ଠାପରତା

ହେତ୍‍।

57ସଦାପ୍ରଭୁ ମୋହର ଅଂଶ;

ମୁଁ ତୁମ୍ଭର ବାକ୍ୟସବୁ ପାଳନ କରିବି ବୋଲି କହିଅଛି।

58ମୁଁ ସର୍ବାନ୍ତଃକରଣରେ ତୁମ୍ଭର ଅନୁଗ୍ରହ ପ୍ରାର୍ଥନା କଲି;

ଆପଣା ବାକ୍ୟାନୁସାରେ ମୋ’ ପ୍ରତି ଦୟାଳୁ ହୁଅ।

59ମୁଁ ଆପଣା ଗତିସବୁ ବିବେଚନା କଲି

ଓ ତୁମ୍ଭ ପ୍ରମାଣ-ବାକ୍ୟ ଆଡ଼େ ଆପଣା ପାଦ ଫେରାଇଲି।

60ତୁମ୍ଭର ଆଜ୍ଞାସବୁ ପାଳିବାକୁ

ସତ୍ୱର ହେଲି ଓ ବିଳମ୍ବ କଲି ନାହିଁ।

61ଦୁଷ୍ଟମାନଙ୍କର ରଜ୍ଜୁ ମୋ’ ଚାରିଆଡ଼େ ଜଡ଼ିତ ହେଲା;

ମାତ୍ର ମୁଁ ତୁମ୍ଭର ବ୍ୟବସ୍ଥା ପାସୋରି ନାହିଁ।

62ତୁମ୍ଭର ଧର୍ମମୟ ଶାସନ ସକାଶୁ ତୁମ୍ଭଙ୍କୁ ଧନ୍ୟବାଦ

ଦେବା ପାଇଁ ମୁଁ ଅର୍ଦ୍ଧରାତ୍ରରେ ଉଠିବି।

63ଯେଉଁମାନେ ତୁମ୍ଭଙ୍କୁ ଭୟ କରନ୍ତି ଓ ତୁମ୍ଭ ବିଧାନସବୁ

ପାଳନ୍ତି, ମୁଁ ସେହି ସମସ୍ତଙ୍କର ସଙ୍ଗୀ।

64ହେ ସଦାପ୍ରଭୁ, ପୃଥିବୀ ତୁମ୍ଭ ଦୟାରେ ପରିପୂର୍ଣ୍ଣ;

ତୁମ୍ଭ ବିଧିସବୁ ମୋତେ ଶିଖାଅ।

ପରମେଶ୍ୱରଙ୍କ ବ୍ୟବସ୍ଥାର ମୂଲ୍ୟ

ଟେଟ୍‍।

65ହେ ସଦାପ୍ରଭୁ, ତୁମ୍ଭେ ଆପଣା ବାକ୍ୟାନୁସାରେ

ନିଜ ଦାସ ପ୍ରତି ମଙ୍ଗଳ ବ୍ୟବହାର କରିଅଛ।

66ମୋତେ ଉତ୍ତମ ବିଚାର ଓ ଜ୍ଞାନ ଶିଖାଅ।

କାରଣ ମୁଁ ତୁମ୍ଭ ଆଜ୍ଞାସମୂହରେ ବିଶ୍ୱାସ କରିଅଛି।

67ଦୁଃଖଗ୍ରସ୍ତ ହେବା ପୂର୍ବରେ ମୁଁ ବିପଥରେ ଗଲି;

ମାତ୍ର ଏବେ ମୁଁ ତୁମ୍ଭ ବାକ୍ୟ ପାଳନ କରେ।

68ତୁମ୍ଭେ ମଙ୍ଗଳମୟ ଓ ମଙ୍ଗଳକାରୀ;

ମୋତେ ତୁମ୍ଭ ବିଧିସବୁ ଶିଖାଅ।

69ଅହଙ୍କାରୀମାନେ ମୋ’ ବିରୁଦ୍ଧରେ ମିଥ୍ୟାକଥା କଳ୍ପନା କରିଅଛନ୍ତି;

ମୁଁ ସର୍ବାନ୍ତଃକରଣରେ ତୁମ୍ଭର ବିଧାନସବୁ ପାଳନ କରିବି।

70ସେମାନଙ୍କ ଅନ୍ତଃକରଣ ମେଦ ପରି ସ୍ଥୂଳ119:70 ମେଦ ପରି ସ୍ଥୂଳ ଅର୍ଥାତ୍ ସେମାନଙ୍କ ଅନ୍ତଃକରଣରେ କୌଣସି ସତ୍ୟତା ନାହିଁ

ମାତ୍ର ମୁଁ ତୁମ୍ଭ ବ୍ୟବସ୍ଥାରେ ଆମୋଦ କରେ।

71ମୁଁ ଯେପରି ତୁମ୍ଭର ବିଧିସବୁ ଶିଖିବି,

ଏଥିପାଇଁ ମୁଁ ଯେ ଦୁଃଖଗ୍ରସ୍ତ ହେଲି, ଏହା ମୋ’ ପକ୍ଷରେ ଭଲ ହେଲା।

72ହଜାର ହଜାର ସୁନା ଓ ରୂପା ଅପେକ୍ଷା

ତୁମ୍ଭ ମୁଖର ବ୍ୟବସ୍ଥା ମୋ’ ପ୍ରତି ଉତ୍ତମ।

ପରମେଶ୍ୱରଙ୍କ ନ୍ୟାୟୋଚିତ ବ୍ୟବସ୍ଥା

ଇୟୂଦ୍‍।

73ତୁମ୍ଭ ହସ୍ତ ମୋତେ ନିର୍ମାଣ ଓ ମୂର୍ତ୍ତିମାନ କରିଅଛି;

ମୁଁ ଯେପରି ତୁମ୍ଭର ଆଜ୍ଞାସବୁ ପାଳନ କରିବି, ଏଥିପାଇଁ ମୋତେ ସୁବିବେଚନା ପ୍ରଦାନ କର।

74ଯେଉଁମାନେ ତୁମ୍ଭଙ୍କୁ ଭୟ କରନ୍ତି, ସେମାନେ ମୋତେ ଦେଖି ଆନନ୍ଦିତ ହେବେ;

କାରଣ ମୁଁ ତୁମ୍ଭ ବାକ୍ୟରେ ଭରସା ରଖିଅଛି।

75ହେ ସଦାପ୍ରଭୁ, ମୁଁ ଜାଣେ, ତୁମ୍ଭ ଶାସନସକଳ ଧର୍ମମୟ,

ପୁଣି, ତୁମ୍ଭେ ବିଶ୍ୱସ୍ତ ଭାବରେ ମୋତେ ଦୁଃଖ ଦେଇଅଛ।

76ମୁଁ ପ୍ରାର୍ଥନା କରୁଅଛି, ତୁମ୍ଭ ଦାସ ପ୍ରତି ତୁମ୍ଭ

ବାକ୍ୟାନୁସାରେ ତୁମ୍ଭ ସ୍ନେହପୂର୍ଣ୍ଣ କରୁଣା ମୋହର ସାନ୍ତ୍ୱନାଜନକ ହେଉ।

77ମୁଁ ଯେପରି ବଞ୍ଚିବି, ଏଥିପାଇଁ ମୋ’ ପ୍ରତି ତୁମ୍ଭର କରୁଣା ବର୍ତ୍ତୁ;

କାରଣ ତୁମ୍ଭର ବ୍ୟବସ୍ଥା ମୋହର ଆନନ୍ଦଜନକ।

78ଅହଙ୍କାରୀମାନେ ଲଜ୍ଜିତ ହେଉନ୍ତୁ;

କାରଣ ସେମାନେ ଅନ୍ୟାୟରେ ମୋହର ସର୍ବନାଶ କରିଅଛନ୍ତି;

ମାତ୍ର ମୁଁ ତୁମ୍ଭର ବିଧାନସବୁ ଧ୍ୟାନ କରିବି।

79ଯେଉଁମାନେ ତୁମ୍ଭଙ୍କୁ ଭୟ କରନ୍ତି, ସେମାନେ ମୋ’ କତିକି ଫେରନ୍ତୁ,

ତହିଁରେ ସେମାନେ ତୁମ୍ଭର ପ୍ରମାଣ-ବାକ୍ୟ ଜ୍ଞାତସାର ହେବେ।

80ମୁଁ ଯେପରି ଲଜ୍ଜିତ ନୋହିବି,

ଏଥିପାଇଁ ତୁମ୍ଭ ବିଧିସବୁରେ ମୋ’ ଅନ୍ତଃକରଣ ସିଦ୍ଧ ହେଉ।

ନିସ୍ତାର ପାଇଁ ପ୍ରାର୍ଥନା

କଫ୍‍।

81ତୁମ୍ଭ ପରିତ୍ରାଣ ପାଇଁ ମୋ’ ପ୍ରାଣ କ୍ଷୀଣ ହୁଏ;

ମାତ୍ର ମୁଁ ତୁମ୍ଭ ବାକ୍ୟରେ ଭରସା ରଖେ।

82ତୁମ୍ଭେ କେବେ ମୋତେ ସାନ୍ତ୍ୱନା କରିବ ?

ଏହା କହି କହି ତୁମ୍ଭ ବାକ୍ୟ ପାଇଁ ମୋହର ଚକ୍ଷୁ କ୍ଷୀଣ ହୁଏ।

83କାରଣ ମୁଁ ଧୂମସ୍ଥିତ କୁମ୍ପା ତୁଲ୍ୟ ହୋଇଅଛି।

ତଥାପି ମୁଁ ତୁମ୍ଭର ବିଧିସବୁ ପାସୋରୁ ନାହିଁ।

84ତୁମ୍ଭ ଦାସ କେତେ ଦିନ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ଅପେକ୍ଷା କରିବ ?

ତୁମ୍ଭେ କେବେ ମୋ’ ତାଡ଼ନାକାରୀମାନଙ୍କର ବିଚାର କରିବ ?

85ଅହଙ୍କାରୀମାନେ ମୋ’ ପାଇଁ ଗର୍ତ୍ତ ଖୋଳିଅଛନ୍ତି,

ସେମାନେ ତୁମ୍ଭ ବ୍ୟବସ୍ଥାର ଅନୁଗାମୀ ନୁହଁନ୍ତି।

86ତୁମ୍ଭର ଆଜ୍ଞାସବୁ ବିଶ୍ୱସନୀୟ;

ସେମାନେ ଅନ୍ୟାୟରେ ମୋତେ ତାଡ଼ନା କରନ୍ତି; ତୁମ୍ଭେ ମୋହର ସାହାଯ୍ୟ କର।

87ସେମାନେ ପୃଥିବୀରେ ମୋତେ ପ୍ରାୟ ବିନାଶ କରିଥିଲେ;119:87 ଅର୍ଥାତ୍ ପ୍ରାୟ ବଧ

ମାତ୍ର ମୁଁ ତୁମ୍ଭର ବିଧାନସବୁ ତ୍ୟାଗ କଲି ନାହିଁ।

88ତୁମ୍ଭର ସ୍ନେହପୂର୍ଣ୍ଣ କରୁଣାନୁସାରେ ମୋ’ ଜୀବନକୁ ରକ୍ଷା119:88 ରକ୍ଷା ସଚେତ କର;

ତହୁଁ ମୁଁ ତୁମ୍ଭ ମୁଖର ପ୍ରମାଣ-ବାକ୍ୟ ପାଳନ କରିବି।

ପରମେଶ୍ୱରଙ୍କ ବ୍ୟବସ୍ଥାରେ ବିଶ୍ୱାସ

ଲାମଦ୍‍।

89ହେ ସଦାପ୍ରଭୁ, ତୁମ୍ଭ ବାକ୍ୟ ଅନନ୍ତକାଳ

ନିମନ୍ତେ ସ୍ୱର୍ଗରେ ସଂସ୍ଥାପିତ ଅଛି।

90ତୁମ୍ଭର ବିଶ୍ୱସ୍ତତା ପୁରୁଷାନୁକ୍ରମରେ ସ୍ଥାୟୀ;

ତୁମ୍ଭେ ପୃଥିବୀକୁ ସଂସ୍ଥାପନ କରିଅଛ ଓ ତାହା ସୁସ୍ଥିର ଥାଏ।

91ତୁମ୍ଭ ଶାସନାନୁସାରେ ଅଦ୍ୟାପି ସକଳ ସୁସ୍ଥିର;

କାରଣ ସମସ୍ତେ ତୁମ୍ଭର ଦାସ।

92ତୁମ୍ଭର ବ୍ୟବସ୍ଥା ମୋହର ଆହ୍ଲାଦଜନକ ହୋଇ ନ ଥିଲେ,

ମୁଁ ଆପଣା ଦୁଃଖରେ ବିନଷ୍ଟ ହୋଇଥା’ନ୍ତି।

93ତୁମ୍ଭର ବିଧାନସବୁ ମୁଁ କେବେ ପାସୋରିବି ନାହିଁ;

କାରଣ ତଦ୍ଦ୍ୱାରା ତୁମ୍ଭେ ମୋତେ ସଚେତ କରିଅଛ।

94ମୋତେ ତ୍ରାଣ କର, ମୁଁ ତୁମ୍ଭର;

କାରଣ ମୁଁ ତୁମ୍ଭର ବିଧାନସବୁ ଅନ୍ୱେଷଣ କରିଅଛି।

95ଦୁଷ୍ଟମାନେ ମୋତେ ବିନାଶ କରିବା ପାଇଁ ଚାହିଁ ରହିଅଛନ୍ତି;

ମାତ୍ର ମୁଁ ତୁମ୍ଭର ପ୍ରମାଣ-ବାକ୍ୟ ବିବେଚନା କରିବି।

96ମୁଁ ସବୁ ସିଦ୍ଧିର ଅନ୍ତ ଦେଖିଅଛି;

ମାତ୍ର ତୁମ୍ଭର ଆଜ୍ଞା ସୀମାହୀନ।119:96 ସୀମାହୀନ। ଅତିଶୟ ପ୍ରଶସ୍ତ

ପରମେଶ୍ୱରଙ୍କ ବ୍ୟବସ୍ଥା ପ୍ରତି ଅନୁରାଗ

ମେମ୍‍।

97ମୁଁ ତୁମ୍ଭର ବ୍ୟବସ୍ଥାକୁ କିପରି ପ୍ରିୟ ମଣେ।

ତାହା ସାରାଦିନ ମୋହର ଧ୍ୟାନ।

98ତୁମ୍ଭ ଆଜ୍ଞାସବୁ ମୋତେ ମୋ’ ଶତ୍ରୁଗଣଠାରୁ ଅଧିକ ଜ୍ଞାନବାନ କରେ;

କାରଣ ତାହାସବୁ ନିରନ୍ତର ମୋ’ ସଙ୍ଗେ ଥାଏ।

99ମୋହର ସମସ୍ତ ଗୁରୁ ଅପେକ୍ଷା ମୋ’ ବୁଦ୍ଧି ଅଧିକ;

କାରଣ ତୁମ୍ଭର ପ୍ରମାଣ-ବାକ୍ୟସବୁ ମୋହର ଧ୍ୟାନ।

100ମୁଁ ପ୍ରାଚୀନମାନଙ୍କ ଅପେକ୍ଷା ଅଧିକ ବୁଝେ।

ଯେଣୁ ମୁଁ ତୁମ୍ଭର ବିଧାନସବୁ ପାଳନ କରିଅଛି।

101ମୁଁ ଯେପରି ତୁମ୍ଭର ବାକ୍ୟ ପାଳନ କରିବି,

ଏଥିପାଇଁ ପ୍ରତ୍ୟେକ କୁପଥରୁ ମୁଁ ଆପଣା ପାଦ ଅଟକାଇଅଛି।

102ମୁଁ ତୁମ୍ଭ ଶାସନରୁ ବିମୁଖ ହୋଇ ନାହିଁ;

କାରଣ ତୁମ୍ଭେ ମୋତେ ଶିକ୍ଷା ଦେଇଅଛ।

103ମୋ’ ତୁଣ୍ଡକୁ ତୁମ୍ଭ ବାକ୍ୟ କିପରି ମଧୁର !

ହଁ, ମୋ’ ମୁଖକୁ ତାହା ମଧୁ ଅପେକ୍ଷା ମଧୁର !

104ତୁମ୍ଭ ବିଧାନ ଦ୍ୱାରା ମୁଁ ବୁଦ୍ଧି ପ୍ରାପ୍ତ ହୁଏ;

ଏଥିପାଇଁ ମୁଁ ପ୍ରତ୍ୟେକ ମିଥ୍ୟାପଥ ଘୃଣା କରେ।

ପରମେଶ୍ୱରଙ୍କ ବ୍ୟବସ୍ଥାର ଆଲୋକ

ନୂନ୍‍।

105ତୁମ୍ଭ ବାକ୍ୟ ମୋ’ ଚରଣ ପାଇଁ ପ୍ରଦୀପ ଓ

ମୋ’ ପଥ ପାଇଁ ଆଲୁଅ ଅଟେ।

106ମୁଁ ତୁମ୍ଭର ଧର୍ମମୟ ଶାସନସବୁ ପାଳିବା ପାଇଁ

ଶପଥ କରିଅଛି ଓ ତାହା ସ୍ଥିର କରିଅଛି।

107ମୁଁ ଅତ୍ୟନ୍ତ ଦୁଃଖିତ ଅଛି;

ହେ ସଦାପ୍ରଭୁ, ତୁମ୍ଭ ବାକ୍ୟାନୁସାରେ ମୋତେ ସଚେତ କର।

108ହେ ସଦାପ୍ରଭୁ, ନିବେଦନ କରୁଅଛି, ମୋ’ ମୁଖର ସ୍ୱେଚ୍ଛାଦତ୍ତ ଉପହାର ଗ୍ରହଣ କର

ଓ ତୁମ୍ଭର ଶାସନସବୁ ମୋତେ ଶିଖାଅ।

109ମୋ’ ପ୍ରାଣ ନିରନ୍ତର ବିପଦରେ119:109 ହସ୍ତରେ ଅର୍ଥାତ୍ ହସ୍ତରେ ଥାଏ;

ତେବେ ହେଁ ମୁଁ ତୁମ୍ଭ ବ୍ୟବସ୍ଥା ପାସୋରୁ ନାହିଁ।

110ଦୁଷ୍ଟମାନେ ମୋ’ ପାଇଁ ଫାନ୍ଦ ପାତିଅଛନ୍ତି;

ତଥାପି ମୁଁ ତୁମ୍ଭ ବିଧାନରୁ ବିପଥଗାମୀ ହେଲି ନାହିଁ।

111ମୁଁ ତୁମ୍ଭ ପ୍ରମାଣ-ବାକ୍ୟସକଳକୁ ସଦାକାଳ

ଅଧିକାର ରୂପେ ଗ୍ରହଣ କରିଅଛି;

କାରଣ ତାହାସବୁ ମୋ’ ଚିତ୍ତର ଆହ୍ଲାଦଜନକ।

112ମୁଁ ଶେଷ ପର୍ଯ୍ୟନ୍ତ ସର୍ବଦା ତୁମ୍ଭର ବିଧିସବୁ ପାଳନ

କରିବା ପାଇଁ ଆପଣା ମନକୁ ପ୍ରବର୍ତ୍ତାଇଅଛି।

ପରମେଶ୍ୱରଙ୍କ ବ୍ୟବସ୍ଥାରେ ସୁରକ୍ଷା

ସାମକ୍‍।

113ମୁଁ ଦ୍ୱିମନାମାନଙ୍କୁ ଘୃଣା କରେ;

ମାତ୍ର ତୁମ୍ଭ ବ୍ୟବସ୍ଥାକୁ ପ୍ରିୟ ଜ୍ଞାନ କରେ।

114ତୁମ୍ଭେ ମୋ’ ଲୁଚିବାର ସ୍ଥାନ ଓ ମୋହର ଢାଲ;

ମୁଁ ତୁମ୍ଭ ବାକ୍ୟରେ ଭରସା କରେ।

115ହେ କୁକର୍ମକାରୀମାନେ, ମୁଁ ଯେପରି ଆପଣା

ପରମେଶ୍ୱରଙ୍କ ଆଜ୍ଞାସବୁ ପାଳି ପାରିବି, ଏଥିପାଇଁ ମୋ’ ନିକଟରୁ ଦୂର ହୁଅ।

116ମୁଁ ଯେପରି ବଞ୍ଚିବି, ଏଥିପାଇଁ ତୁମ୍ଭ ବାକ୍ୟାନୁସାରେ ମୋତେ ଧରି ରଖ

ଓ ମୋ’ ଭରସା ବିଷୟରେ ମୋତେ ଲଜ୍ଜିତ ହେବାକୁ ଦିଅ ନାହିଁ।

117ତୁମ୍ଭେ ମୋତେ ଧରି ରଖ, ତହିଁରେ ମୁଁ ଆପଦରହିତ ହେବି

ଓ ତୁମ୍ଭ ବିଧିସବୁ ସର୍ବଦା ମାନ୍ୟ କରିବି।

118ତୁମ୍ଭ ବିଧିରୁ ଭ୍ରାନ୍ତ ସମସ୍ତଙ୍କୁ ତୁମ୍ଭେ ତୁଚ୍ଛ ଜ୍ଞାନ କରିଅଛ;

କାରଣ ସେମାନଙ୍କ ପ୍ରବଞ୍ଚନା ମିଥ୍ୟା।

119ତୁମ୍ଭେ ପୃଥିବୀସ୍ଥ ଦୁଷ୍ଟସମସ୍ତଙ୍କୁ ଧାତୁର ଖାଦ ପରି ଦୂର କରିଥାଅ;

ଏଣୁ ମୁଁ ତୁମ୍ଭ ପ୍ରମାଣ-ବାକ୍ୟକୁ ସ୍ନେହ କରେ।

120ତୁମ୍ଭ ଭୟ ସକାଶୁ ମୋ’ ଶରୀର କମ୍ପିତ ହୁଏ

ଓ ତୁମ୍ଭ ଶାସନ ବିଷୟରେ ମୁଁ ଭୀତ ହୁଏ।

ପରମେଶ୍ୱରଙ୍କ ବ୍ୟବସ୍ଥା ପାଳନ

ଅଇନ୍‍।

121ମୁଁ ନ୍ୟାୟ ଓ ଧର୍ମାଚରଣ କରିଅଛି;

ମୋ’ ଉପଦ୍ରବୀମାନଙ୍କ ହସ୍ତରେ ମୋତେ ସମର୍ପଣ କର ନାହିଁ।

122ମଙ୍ଗଳ ନିମନ୍ତେ ଆପଣା ଦାସର ଲଗା ହୁଅ;

ଅହଙ୍କାରୀମାନଙ୍କୁ ମୋ’ ପ୍ରତି ଉପଦ୍ରବ କରିବାକୁ ଦିଅ ନାହିଁ।

123ତୁମ୍ଭର ପରିତ୍ରାଣ ଓ ତୁମ୍ଭର ଧର୍ମମୟ ବାକ୍ୟ ନିମନ୍ତେ

ମୋହର ଚକ୍ଷୁ କ୍ଷୀଣ ହେଉଅଛି।

124ତୁମ୍ଭ ଦୟାନୁସାରେ ଆପଣା ଦାସ ପ୍ରତି ବ୍ୟବହାର କର

ଓ ତୁମ୍ଭର ବିଧି ମୋତେ ଶିଖାଅ।

125ମୁଁ ତୁମ୍ଭର ଦାସ, ଯେପରି ମୁଁ ତୁମ୍ଭର

ପ୍ରମାଣ-ବାକ୍ୟସକଳ ଜ୍ଞାତ ହେବି, ଏଥିପାଇଁ ମୋତେ ବୁଦ୍ଧି ଦିଅ।

126ସଦାପ୍ରଭୁଙ୍କର କାର୍ଯ୍ୟ କରିବାର ସମୟ ଏହି;

କାରଣ ଲୋକମାନେ ତୁମ୍ଭ ବ୍ୟବସ୍ଥା ବ୍ୟର୍ଥ କରିଅଛନ୍ତି।

127ଏହେତୁ ମୁଁ ସୁବର୍ଣ୍ଣ ଓ ଶୁଦ୍ଧ ସୁବର୍ଣ୍ଣ ଅପେକ୍ଷା

ତୁମ୍ଭ ଆଜ୍ଞାସମୂହକୁ ସ୍ନେହ କରେ।

128ଏଣୁ ମୁଁ ସବୁ ବିଷୟରେ ତୁମ୍ଭର ସକଳ ବିଧାନ ଯଥାର୍ଥ ଜ୍ଞାନ କରେ

ଓ ପ୍ରତ୍ୟେକ ମିଥ୍ୟାପଥ ଘୃଣା କରେ।

ପରମେଶ୍ୱରଙ୍କ ବ୍ୟବସ୍ଥା ମାନିବାକୁ ସ୍ପୃହା

ପେ।

129ତୁମ୍ଭ ପ୍ରମାଣ-ବାକ୍ୟସକଳ ଆଶ୍ଚର୍ଯ୍ୟ;

ଏଥିପାଇଁ ମୋ’ ପ୍ରାଣ ତାହାସବୁ ପାଳନ କରେ।

130ତୁମ୍ଭ ବାକ୍ୟର ବିକାଶ ଆଲୁଅ ପ୍ରଦାନ କରେ;

ତାହା ନିର୍ବୋଧକୁ ବୋଧ ଦିଏ।

131ମୁଁ ତୁମ୍ଭ ଆଜ୍ଞାର ଆକାଂକ୍ଷାରେ

ଆପଣା ମୁଖ ଫର୍ଚା କରି ଫିଟାଇ ପକାଇଲି।

132ତୁମ୍ଭେ ଆପଣା ନାମର ପ୍ରେମକାରୀମାନଙ୍କ ପ୍ରତି

ଯେପରି କରିଥାଅ, ସେପରି ମୋ’ ପ୍ରତି ଫେର ଓ ମୋତେ ଦୟା କର।

133ତୁମ୍ଭ ବାକ୍ୟାନୁସାରେ ମୋ’ ପାଦଗତି ସଜାଡ଼

ଓ ମୋ’ ଉପରେ କୌଣସି ଅଧର୍ମକୁ ରାଜତ୍ୱ କରିବାକୁ ଦିଅ ନାହିଁ।

134ମନୁଷ୍ୟର ଉପଦ୍ରବରୁ ମୋତେ ମୁକ୍ତ କର;

ତହିଁରେ ମୁଁ ତୁମ୍ଭର ବିଧାନସବୁ ପାଳନ କରିବି।

135ତୁମ୍ଭ ଦାସ ପ୍ରତି ଆପଣା ମୁଖ ପ୍ରସନ୍ନ କର

ଓ ତୁମ୍ଭର ବିଧିସବୁ ମୋତେ ଶିଖାଅ।

136ଲୋକମାନେ ତୁମ୍ଭର ବ୍ୟବସ୍ଥା ପାଳନ ନ କରିବାରୁ

ମୋ’ ଚକ୍ଷୁରୁ ଜଳଧାରା ବହୁଅଛି।

ପରମେଶ୍ୱରଙ୍କ ନ୍ୟାୟୋଚିତ ବ୍ୟବସ୍ଥା

ସାଦେ।

137ହେ ସଦାପ୍ରଭୁ, ତୁମ୍ଭେ ଧର୍ମମୟ ଓ

ତୁମ୍ଭର ଶାସନସକଳ ସରଳ।

138ତୁମ୍ଭେ ଧର୍ମରେ ଓ ଅତି ବିଶ୍ୱସ୍ତତାରେ

ଆପଣା ପ୍ରମାଣ-ବାକ୍ୟସବୁ ଆଜ୍ଞା କରିଅଛ।

139ମୋହର ଉଦ୍‍ଯୋଗ ମୋତେ ଗ୍ରାସ କରିଅଛି,

କାରଣ ମୋହର ବିପକ୍ଷଗଣ ତୁମ୍ଭର ବାକ୍ୟସବୁ ପାସୋରି ଅଛନ୍ତି।

140ତୁମ୍ଭର ବାକ୍ୟ ଅତ୍ୟନ୍ତ ନିର୍ମଳ;

ତହିଁ ପାଇଁ ତୁମ୍ଭ ଦାସ ତାହା ସ୍ନେହ କରେ।

141ମୁଁ କ୍ଷୁଦ୍ର ଓ ତୁଚ୍ଛୀକୃତ;

ତଥାପି ମୁଁ ତୁମ୍ଭର ବିଧାନସବୁ ପାସୋରୁ ନାହିଁ।

142ତୁମ୍ଭର ଧର୍ମ ଅନନ୍ତକାଳସ୍ଥାୟୀ ଧର୍ମ

ଓ ତୁମ୍ଭର ବ୍ୟବସ୍ଥା ସତ୍ୟ।

143କ୍ଳେଶ ଓ ଯନ୍ତ୍ରଣା ମୋତେ ଆକ୍ରମଣ କରିଅଛି;

ତେବେ ହେଁ ତୁମ୍ଭର ଆଜ୍ଞାସମୂହ ମୋହର ଆହ୍ଲାଦଜନକ।

144ତୁମ୍ଭର ପ୍ରମାଣ-ବାକ୍ୟସକଳ ସଦାକାଳ ଧର୍ମମୟ;

ମୋତେ ବୁଦ୍ଧି ପ୍ରଦାନ କର, ତହିଁରେ ମୁଁ ବଞ୍ଚିବି।

ଉଦ୍ଧାର ପାଇବା ପାଇଁ ପ୍ରାର୍ଥନା

କଫ।

145ମୁଁ ସର୍ବାନ୍ତଃକରଣରେ ପ୍ରାର୍ଥନା କରିଅଛି; “ହେ ସଦାପ୍ରଭୁ, ମୋତେ ଉତ୍ତର ଦିଅ;

ମୁଁ ତୁମ୍ଭର ବିଧି ପାଳନ କରିବି।

146ମୁଁ ତୁମ୍ଭ ନିକଟରେ ପ୍ରାର୍ଥନା କରିଅଛି; ମୋତେ ତ୍ରାଣ କର,

ତହିଁରେ ମୁଁ ତୁମ୍ଭର ପ୍ରମାଣ-ବାକ୍ୟସବୁ ମାନିବି।”

147ମୁଁ ଅରୁଣୋଦୟ ପୂର୍ବେ ଆର୍ତ୍ତନାଦ କଲି;

ମୁଁ ତୁମ୍ଭ ବାକ୍ୟରେ ଭରସା ରଖିଲି।

148ମୁଁ ଯେପରି ତୁମ୍ଭ ବାକ୍ୟ ଧ୍ୟାନ କରିବି,

ଏଥିପାଇଁ ରାତ୍ରିର ପ୍ରତ୍ୟେକ ପ୍ରହର ପୂର୍ବେ ମୋହର ଚକ୍ଷୁ ପ୍ରସ୍ତୁତ ହେଲା।

149ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଅନୁସାରେ ମୋହର ରବ ଶୁଣ;

ହେ ସଦାପ୍ରଭୁ, ଆପଣା ଶାସନାନୁସାରେ ମୋତେ ସଚେତ କର।

150ଦୁଷ୍ଟତାର ଅନୁଗାମୀ ଲୋକମାନେ ନିକଟକୁ ଆସୁଅଛନ୍ତି;

ସେମାନେ ତୁମ୍ଭ ବ୍ୟବସ୍ଥାରୁ ଦୂରବର୍ତ୍ତୀ।

151ହେ ସଦାପ୍ରଭୁ, ତୁମ୍ଭେ ନିକଟବର୍ତ୍ତୀ

ଓ ତୁମ୍ଭ ଆଜ୍ଞାସକଳ ସତ୍ୟ।

152ମୁଁ ପୂର୍ବଠାରୁ ତୁମ୍ଭ ପ୍ରମାଣ-ବାକ୍ୟରୁ ଜାଣିଅଛି ଯେ,

ତୁମ୍ଭେ ସଦାକାଳ ନିମନ୍ତେ ତାହା ସ୍ଥାପନ କରିଅଛ।

ସହାୟତା ପାଇଁ ଅନୁନୟ

ରେଶ୍‍।

153ମୋର କ୍ଲେଶ ବିବେଚନା କର ଓ ମୋତେ ଉଦ୍ଧାର କର;

କାରଣ ମୁଁ ତୁମ୍ଭର ବ୍ୟବସ୍ଥା ପାସୋରୁ ନାହିଁ।

154ତୁମ୍ଭେ ମୋହର ବିବାଦ ନିଷ୍ପତ୍ତି କର ଓ ମୋତେ ମୁକ୍ତ କର;

ତୁମ୍ଭ ବାକ୍ୟାନୁସାରେ ମୋତେ ସଚେତ କର।

155ପରିତ୍ରାଣ ଦୁଷ୍ଟମାନଙ୍କଠାରୁ ଦୂରରେ ଥାଏ;

କାରଣ ସେମାନେ ତୁମ୍ଭର ବିଧିସବୁ ଅନୁସନ୍ଧାନ କରନ୍ତି ନାହିଁ।

156ହେ ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ବହୁବିଧ;

ତୁମ୍ଭର ଶାସନାନୁସାରେ ମୋତେ ସଚେତ କର।

157ମୋହର ତାଡ଼ନାକାରୀ ଓ ବିପକ୍ଷ ଅନେକ;

ତଥାପି ମୁଁ ତୁମ୍ଭ ପ୍ରମାଣ-ବାକ୍ୟରୁ ବିମୁଖ ହୋଇ ନାହିଁ।

158ମୁଁ ବିଶ୍ୱାସଘାତକମାନଙ୍କୁ ଦେଖି ଦୁଃଖିତ ହେଲି;

କାରଣ ସେମାନେ ତୁମ୍ଭର ବାକ୍ୟ ମାନନ୍ତି ନାହିଁ।

159ମୁଁ ତୁମ୍ଭ ବିଧାନସବୁ କିପରି ସ୍ନେହ କରେ,

ଏହା ବିବେଚନା କର; ହେ ସଦାପ୍ରଭୁ, ତୁମ୍ଭ ସ୍ନେହପୂର୍ଣ୍ଣ କରୁଣାରେ ମୋତେ ସଚେତ କର।

160ତୁମ୍ଭର ସମୁଦାୟ ବାକ୍ୟ ସତ୍ୟ ଓ

ତୁମ୍ଭର ଧର୍ମମୟ ପ୍ରତ୍ୟେକ ଶାସନ ନିତ୍ୟସ୍ଥାୟୀ।

ପରମେଶ୍ୱରଙ୍କ ବ୍ୟବସ୍ଥା ପ୍ରତି ନିଷ୍ଠା

ଶିନ୍‍।

161ଅଧିପତିମାନେ ଅକାରଣରେ ମୋତେ ତାଡ଼ନା କରିଅଛନ୍ତି;

ମାତ୍ର ମୋହର ମନ ତୁମ୍ଭ ବାକ୍ୟରେ ଭୀତ ଥାଏ।

162କେହି ପ୍ରଚୁର ଲୁଟଧନ ପାଇବା ପରି

ମୁଁ ତୁମ୍ଭ ବାକ୍ୟରେ ଆନନ୍ଦ କରେ।

163ମୁଁ ମିଥ୍ୟାକୁ ଘୃଣା ଓ ଅଶ୍ରଦ୍ଧା କରେ;

ମାତ୍ର ତୁମ୍ଭ ବ୍ୟବସ୍ଥାକୁ ମୁଁ ସ୍ନେହ କରେ।

164ତୁମ୍ଭର ଧର୍ମମୟ ଶାସନ ସକାଶୁ

ମୁଁ ଦିନ ମଧ୍ୟରେ ସାତ ଥର ତୁମ୍ଭର ପ୍ରଶଂସା କରେ।

165ତୁମ୍ଭ ବ୍ୟବସ୍ଥା ସ୍ନେହକାରୀମାନେ ମହାଶାନ୍ତି ପ୍ରାପ୍ତ ହୁଅନ୍ତି;

ପୁଣି, ସେମାନଙ୍କର ଝୁଣ୍ଟିବାର କୌଣସି କାରଣ ଘଟେ ନାହିଁ।

166ହେ ସଦାପ୍ରଭୁ, ମୁଁ ତୁମ୍ଭର ପରିତ୍ରାଣ ପାଇଁ ପ୍ରତ୍ୟାଶା କରିଅଛି,

ଓ ତୁମ୍ଭର ଆଜ୍ଞାସବୁ ପାଳନ କରିଅଛି।

167ମୋହର ପ୍ରାଣ ତୁମ୍ଭ ପ୍ରମାଣ-ବାକ୍ୟସବୁ ମାନିଅଛି

ଓ ମୁଁ ତାହାସବୁ ଅତିଶୟ ସ୍ନେହ କରେ।

168ମୁଁ ତୁମ୍ଭର ବିଧାନ ଓ ପ୍ରମାଣ-ବାକ୍ୟସବୁ ମାନିଅଛି।

କାରଣ ମୋହର ସବୁ ଗତି ତୁମ୍ଭ ସମ୍ମୁଖରେ ଅଛି।

ସହାୟତା ପାଇଁ ପ୍ରାର୍ଥନା

ତୌ।

169ହେ ସଦାପ୍ରଭୁ, ମୋହର କାକୂକ୍ତି ତୁମ୍ଭ ନିକଟରେ ଉପସ୍ଥିତ ହେଉ;

ତୁମ୍ଭ ବାକ୍ୟାନୁସାରେ ମୋତେ ବୁଦ୍ଧି ପ୍ରଦାନ କର।

170ମୋ’ ନିବେଦନ ତୁମ୍ଭ ସମ୍ମୁଖରେ ଉପସ୍ଥିତ ହେଉ;

ତୁମ୍ଭ ବାକ୍ୟାନୁସାରେ ମୋତେ ଉଦ୍ଧାର କର।

171ମୋହର ଓଷ୍ଠାଧର ପ୍ରଶଂସା ଉଚ୍ଚାରଣ କରୁ;

କାରଣ ତୁମ୍ଭେ ଆପଣା ବିଧି ମୋତେ ଶିଖାଉଅଛ।

172ମୋ’ ଜିହ୍ୱା ତୁମ୍ଭ ବାକ୍ୟ ବିଷୟ କୀର୍ତ୍ତନ କରୁ;

କାରଣ ତୁମ୍ଭର ଆଜ୍ଞାସକଳ ଧର୍ମମୟ।

173ମୋହର ସାହାଯ୍ୟାର୍ଥେ ତୁମ୍ଭର ହସ୍ତ ପ୍ରସ୍ତୁତ ହେଉ,

କାରଣ ମୁଁ ତୁମ୍ଭର ବିଧାନସବୁ ମନୋନୀତ କରିଅଛି।

174ହେ ସଦାପ୍ରଭୁ, ମୁଁ ତୁମ୍ଭ ପରିତ୍ରାଣର ଆକାଂକ୍ଷା କରିଅଛି;

ପୁଣି, ତୁମ୍ଭର ବ୍ୟବସ୍ଥା ମୋହର ଆହ୍ଲାଦଜନକ।

175ମୋତେ ଜୀବିତ ରଖ, ତହିଁରେ ମୁଁ ତୁମ୍ଭର ପ୍ରଶଂସା କରିବ

ଓ ତୁମ୍ଭର ଶାସନସକଳ ମୋହର ସାହାଯ୍ୟ କରୁ।

176ମୁଁ ହଜାମେଷ ପରି ବିପଥଗାମୀ ହୋଇଅଛି;

ଆପଣା ଦାସକୁ ଖୋଜ;

କାରଣ ମୁଁ ତୁମ୍ଭ ଆଜ୍ଞାସକଳ ପାସୋରୁ ନାହିଁ।

120

ସାହାଯ୍ୟ ପ୍ରାର୍ଥନା

ଆରୋହଣ ଗୀତ।

1ମୁଁ ଆପଣା ବିପଦରେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲି,

ତହିଁରେ ସେ ମୋତେ ଉତ୍ତର ଦେଲେ।

2ହେ ସଦାପ୍ରଭୁ, ମିଥ୍ୟାବାଦୀ ଓଷ୍ଠାଧରରୁ ଓ

ପ୍ରବଞ୍ଚକ ଜିହ୍ୱାରୁ ମୋ’ ପ୍ରାଣକୁ ଉଦ୍ଧାର କର।

3ହେ ପ୍ରବଞ୍ଚକ ଜିହ୍ୱେ,

ତୁମ୍ଭକୁ କଅଣ ଦିଆଯିବ ଓ ତୁମ୍ଭ ପ୍ରତି ଅଧିକ କଅଣ କରାଯିବ ?

4ବୀରର ତୀକ୍ଷ୍ଣ ତୀର ଓ ରେତମ କାଷ୍ଠର ଅଙ୍ଗାର ସହ ଦଣ୍ଡ ଦେବେ।

5ହାୟ, ହାୟ, ମୁଁ ମେଶକ୍‍ରେ ପ୍ରବାସ କରେ।

ମୁଁ କେଦାରର ତମ୍ବୁସମୂହ ମଧ୍ୟରେ ବାସ କରେ।

6ଶାନ୍ତି ଘୃଣାକାରୀ ଲୋକ ସହିତ

ମୋ’ ପ୍ରାଣ ଦୀର୍ଘ କାଳ ବାସ କରିଅଛି।

7ମୁଁ ଶାନ୍ତି ଚାହେଁ;

ମାତ୍ର ମୁଁ କଥା କହିଲେ, ସେମାନେ ଯୁଦ୍ଧ ଚାହାନ୍ତି।

121

ପରମେଶ୍ୱର ଆମ ରକ୍ଷକ

ଆରୋହଣ ଗୀତ।

1ମୁଁ ପର୍ବତଗଣ ଆଡ଼େ ଉର୍ଦ୍ଧ୍ୱଦୃଷ୍ଟି କରିବି;

କେଉଁଠାରୁ ମୋହର ସାହାଯ୍ୟ ଆସିବ ?

2ମୋହର ସାହାଯ୍ୟ ସଦାପ୍ରଭୁଙ୍କଠାରୁ ଆସେ,

ସେ ଆକାଶ ଓ ପୃଥିବୀ ନିର୍ମାଣ କଲେ।

3ସେ ତୁମ୍ଭ ଚରଣକୁ ବିଚଳିତ ହେବାକୁ ଦେବେ ନାହିଁ;

ଯେ ତୁମ୍ଭକୁ ରକ୍ଷା କରନ୍ତି, ସେ ଘୁମାଇବେ ନାହିଁ।

4ଦେଖ, ଯେ ଇସ୍ରାଏଲକୁ ରକ୍ଷା କରନ୍ତି,

ସେ ଘୁମାଇବେ ନାହିଁ କି ନିଦ୍ରା ଯିବେ ନାହିଁ।

5ସଦାପ୍ରଭୁ ତୁମ୍ଭର ରକ୍ଷକ;

ସଦାପ୍ରଭୁ ତୁମ୍ଭ ଦକ୍ଷିଣ ପାର୍ଶ୍ୱର ଛାୟା।

6ଦିବସରେ ସୂର୍ଯ୍ୟ, କିଅବା

ରାତ୍ରିରେ ଚନ୍ଦ୍ର ତୁମ୍ଭକୁ ଆଘାତ କରିବ ନାହିଁ।

7ସଦାପ୍ରଭୁ ସମସ୍ତ ଅମଙ୍ଗଳରୁ ତୁମ୍ଭକୁ ରକ୍ଷା କରିବେ;

ସେ ତୁମ୍ଭର ପ୍ରାଣକୁ ରକ୍ଷା କରିବେ।

8ଆଜିଠାରୁ ସଦାକାଳ ସଦାପ୍ରଭୁ ତୁମ୍ଭର ବାହାରେ ଯିବାର

ଓ ଭିତରେ ଆସିବାର ରକ୍ଷା କରିବେ।

122

ଯିରୂଶାଲମର ପ୍ରଶଂସା

ଆରୋହଣ ଗୀତ; ଦାଉଦଙ୍କ ରଚିତ।

1“ଆସ, ଆମ୍ଭେମାନେ ସଦାପ୍ରଭୁଙ୍କ ଗୃହକୁ ଯାଉ,”

ଏହି କଥା ଲୋକମାନେ ମୋତେ କହିବା ବେଳେ ମୁଁ ଆନନ୍ଦିତ ହେଲି।

2ହେ ଯିରୂଶାଲମ, ତୁମ୍ଭ ଦ୍ୱାର ଭିତରେ

ଆମ୍ଭମାନଙ୍କ ଚରଣ ଠିଆ ହେଉଅଛି;

3ହେ ଯିରୂଶାଲମ,

ତୁମ୍ଭେ ସୁସଂଯୁକ୍ତ ଏକ ନଗର ତୁଲ୍ୟ ନିର୍ମିତ ହୋଇଅଛ;

4ଗୋଷ୍ଠୀବର୍ଗ, ଅର୍ଥାତ୍‍, ସଦାପ୍ରଭୁଙ୍କ ଗୋଷ୍ଠୀବର୍ଗ

ଇସ୍ରାଏଲ ପ୍ରତି ସାକ୍ଷ୍ୟ ସ୍ୱରୂପେ ସଦାପ୍ରଭୁଙ୍କ ନାମକୁ ଧନ୍ୟବାଦ ଦେବା

ନିମନ୍ତେ ସେଠାରେ ଆରୋହଣ କରନ୍ତି।

5କାରଣ ସେଠାରେ ବିଚାରାର୍ଥକ ସିଂହାସନ,

ଦାଉଦ ବଂଶର ସିଂହାସନସବୁ ସ୍ଥାପିତ ଅଛି।

6ଯିରୂଶାଲମର ଶାନ୍ତି ପାଇଁ ପ୍ରାର୍ଥନା କର;

ଯେଉଁମାନେ ତୁମ୍ଭକୁ ସ୍ନେହ କରନ୍ତି, ସେମାନେ ଅଶେଷ ଉନ୍ନତି କରିବେ।

7ତୁମ୍ଭ ପ୍ରାଚୀର ମଧ୍ୟରେ ଶାନ୍ତି ବର୍ତ୍ତୁ

ଓ ତୁମ୍ଭ ଅଟ୍ଟାଳିକାସମୂହର ସୌଭାଗ୍ୟ ହେଉ।

8ମୋହର ଭ୍ରାତୃଗଣ ଓ ମିତ୍ରଗଣ ସକାଶେ ମୁଁ ଏବେ

କହିବି, “ତୁମ୍ଭ ମଧ୍ୟରେ ଶାନ୍ତି ବର୍ତ୍ତୁ।”

9ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହ ସକାଶେ

ମୁଁ ତୁମ୍ଭର ମଙ୍ଗଳ ନିମନ୍ତେ ପ୍ରାର୍ଥନା କରିବି।

123

କୃପା ଭିକ୍ଷାର ପ୍ରାର୍ଥନା

ଆରୋହଣ-ଗୀତ।

1ହେ ସ୍ୱର୍ଗୋପବିଷ୍ଟ ସଦାପ୍ରଭୁ,

ମୁଁ ତୁମ୍ଭ ଆଡ଼େ ଉର୍ଦ୍ଧ୍ୱ ଦୃଷ୍ଟି କରେ।

2ଦେଖ, ଯେପରି ଦାସମାନଙ୍କ ଚକ୍ଷୁ ସେମାନଙ୍କ କର୍ତ୍ତାର ହସ୍ତକୁ

ଓ ଦାସୀର ଚକ୍ଷୁ ଆପଣା କର୍ତ୍ତ୍ରୀର ହସ୍ତକୁ ଅନାଏ;

ସେପରି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର

ଆମ୍ଭମାନଙ୍କୁ ଦୟା କରିବା ପର୍ଯ୍ୟନ୍ତ ଆମ୍ଭମାନଙ୍କ ଚକ୍ଷୁ ତାହାଙ୍କୁ ଅନାଇଥାଏ।

3ହେ ସଦାପ୍ରଭୁ, ଆମ୍ଭମାନଙ୍କୁ ଦୟା କର, ଆମ୍ଭମାନଙ୍କୁ ଦୟା କର;

କାରଣ ଆମ୍ଭେମାନେ ଅବଜ୍ଞାରେ ଅତିଶୟ ପୂର୍ଣ୍ଣ ହୋଇଅଛୁ।

4ସୁଖଶାଳୀମାନଙ୍କ ଉପହାସରେ ଓ ଅହଙ୍କାରୀମାନଙ୍କ

ଅବଜ୍ଞାରେ ଆମ୍ଭମାନଙ୍କ ପ୍ରାଣ ଅତିଶୟ ପୂର୍ଣ୍ଣ ହୋଇଅଛି।

124

ସଦାପ୍ରଭୁ ତାହାଙ୍କ ଲୋକମାନଙ୍କର ରକ୍ଷାକର୍ତ୍ତା

ଆରୋହଣ-ଗୀତ; ଦାଉଦଙ୍କ ରଚିତ।

1“ସଦାପ୍ରଭୁ ଯଦି ଆମ୍ଭମାନଙ୍କର ସପକ୍ଷ ହୋଇ ନ ଥାଆନ୍ତେ,”

ଇସ୍ରାଏଲ ଏବେ କହୁନ୍ତୁ;

2“ଲୋକମାନେ ଆମ୍ଭମାନଙ୍କ ପ୍ରତିକୂଳରେ ଉଠିଲା ବେଳେ,

ସଦାପ୍ରଭୁ ଯଦି ଆମ୍ଭମାନଙ୍କର ସପକ୍ଷ ହୋଇ ନ ଥାଆନ୍ତେ;

3ତେବେ ଆମ୍ଭମାନଙ୍କ ବିରୁଦ୍ଧରେ ସେମାନଙ୍କ କୋପ ପ୍ରଜ୍ୱଳିତ ହେବା ବେଳେ

ସେମାନେ ଆମ୍ଭମାନଙ୍କୁ ସଜୀବ ଗ୍ରାସ କରିଥା’ନ୍ତେ;

4ତେବେ ଜଳରାଶି ଆମ୍ଭମାନଙ୍କୁ ମଗ୍ନ କରିଥା’ନ୍ତା,

ସ୍ରୋତ ଆମ୍ଭମାନଙ୍କର ପ୍ରାଣ ଉପର ଦେଇ ଯାଇଥା’ନ୍ତା

5ତେବେ ଗର୍ବିତ ଜଳରାଶି ଆମ୍ଭମାନଙ୍କ ପ୍ରାଣ ଉପର ଦେଇ ଯାଇଥା’ନ୍ତା।”

6ସଦାପ୍ରଭୁ ଧନ୍ୟ ହେଉନ୍ତୁ,

ସେ ଆମ୍ଭମାନଙ୍କୁ ଭକ୍ଷ୍ୟ ସ୍ୱରୂପ ହେବା ପାଇଁ ସେମାନଙ୍କ ଦନ୍ତକୁ ଦେଇ ନାହାନ୍ତି।

7ବ୍ୟାଧର ଫାନ୍ଦରୁ ପକ୍ଷୀ ପରି ଆମ୍ଭମାନଙ୍କ ପ୍ରାଣ ରକ୍ଷା ପାଇଅଛି;

ଫାନ୍ଦ ଛିଣ୍ଡିଗଲା, ଆମ୍ଭେମାନେ ରକ୍ଷା ପାଇଲୁ।

8ଆକାଶ ଓ ପୃଥିବୀର ନିର୍ମାଣକର୍ତ୍ତା ସଦାପ୍ରଭୁଙ୍କ ନାମରେ

ଆମ୍ଭମାନଙ୍କର ସାହାଯ୍ୟ ଥାଏ।

125

ସଦାପ୍ରଭୁଙ୍କ ଲୋକମାନଙ୍କର ନିରାପତ୍ତା

ଆରୋହଣ-ଗୀତ।

1ଯେଉଁମାନେ ସଦାପ୍ରଭୁଙ୍କଠାରେ ନିର୍ଭର ରଖନ୍ତି,

ସେମାନେ ଅଟଳ ଓ ନିତ୍ୟସ୍ଥାୟୀ ସିୟୋନ ପର୍ବତ ତୁଲ୍ୟ।

2ଯେପରି ଯିରୂଶାଲମର ଚତୁର୍ଦ୍ଦିଗରେ ପର୍ବତମାନ ଥାଏ,

ସେପରି ଆଜିଠାରୁ ସଦାକାଳ

ସଦାପ୍ରଭୁ ଆପଣା ଲୋକମାନଙ୍କର ଚତୁର୍ଦ୍ଦିଗରେ ଥାଆନ୍ତି।

3କାରଣ ଧାର୍ମିକମାନେ ଯେପରି ଅଧର୍ମ ପ୍ରତି ହସ୍ତ ନ ବଢ଼ାଇବେ,

ଏଥିପାଇଁ ଧାର୍ମିକମାନଙ୍କ ଅଧିକାରରେ ଦୁଷ୍ଟତାର ରାଜଦଣ୍ଡ ଅବସ୍ଥାନ କରିବ ନାହିଁ।

4ହେ ସଦାପ୍ରଭୁ, ଯେଉଁମାନେ ମଙ୍ଗଳ-ସ୍ୱଭାବବିଶିଷ୍ଟ

ଓ ଅନ୍ତଃକରଣରେ ସରଳ, ସେମାନଙ୍କର ମଙ୍ଗଳ କର।

5ମାତ୍ର ଯେଉଁମାନେ ଆପଣା ଆପଣା ବକ୍ରପଥରେ ବିପଥଗାମୀ ହୁଅନ୍ତି,

ସେମାନଙ୍କୁ ସଦାପ୍ରଭୁ ଅଧର୍ମାଚାରୀମାନଙ୍କ ସଙ୍ଗେ କଢ଼ାଇ ନେବେ।

ଇସ୍ରାଏଲ ଉପରେ ଶାନ୍ତି ବର୍ତ୍ତୁ।

126

ମୁକ୍ତିର ସଙ୍ଗୀତ

ଆରୋହଣ-ଗୀତ।

1ସଦାପ୍ରଭୁ ସିୟୋନର ଦାସତ୍ୱାବସ୍ଥା ପରିବର୍ତ୍ତନ କରିବା ବେଳେ126:1 ସିୟୋନର ଦାସତ୍ୱାବସ୍ଥା ପରିବର୍ତ୍ତନ କରିବା ବେଳେ କିମ୍ବା ଦାସତ୍ୱାବସ୍ଥାରୁ ସିୟୋନକୁ ଆଣିଲେ

ଆମ୍ଭେମାନେ ସ୍ୱପ୍ନଦର୍ଶକମାନଙ୍କ ପରି ଥିଲୁ।

2ସେତେବେଳେ ଆମ୍ଭମାନଙ୍କ ମୁଖ ହାସ୍ୟରେ ଓ

ଜିହ୍ୱା ଗାୟନରେ ପରିପୂର୍ଣ୍ଣ ହେଲା;

ସେତେବେଳେ ଗୋଷ୍ଠୀବର୍ଗ ମଧ୍ୟରେ ଲୋକମାନେ କହିଲେ,

“ସଦାପ୍ରଭୁ ଏମାନଙ୍କ ପାଇଁ ମହତ କର୍ମ କରିଅଛନ୍ତି।”

3ସଦାପ୍ରଭୁ ଆମ୍ଭମାନଙ୍କ ପାଇଁ ମହତ କର୍ମ କରିଅଛନ୍ତି;

ତହିଁ ସକାଶୁ ଆମ୍ଭେମାନେ ଆନନ୍ଦିତ ଅଛୁ।

4ହେ ସଦାପ୍ରଭୁ, ଦକ୍ଷିଣ ଦିଗର ସ୍ରୋତ ପରି

ଆମ୍ଭମାନଙ୍କ ଦାସତ୍ୱାବସ୍ଥା ପରିବର୍ତ୍ତନ କର।

5ଯେଉଁମାନେ କାନ୍ଦି କାନ୍ଦି ବିହନ ବୁଣନ୍ତି, ସେମାନେ ଆନନ୍ଦ କରୁ କରୁ ଶସ୍ୟ କାଟିବେ।

6ଯଦ୍ୟପି ସେ ବିହନ ବହି କାନ୍ଦି କାନ୍ଦି ଆପଣା ପଥରେ ଯାଏ,

ତଥାପି ସେ ବିଡ଼ା ଘେନି ଆନନ୍ଦ କରୁ କରୁ ନେଉଟି ଆସିବ।

127

ମଙ୍ଗଳମୟ ସଦାପ୍ରଭୁଙ୍କ ସ୍ତୁତି

ଆରୋହଣ-ଗୀତ; ଶଲୋମନଙ୍କ ରଚିତ।

1ସଦାପ୍ରଭୁ ଯଦି ଗୃହ ନିର୍ମାଣ ନ କରନ୍ତି,

ତେବେ ନିର୍ମାଣକାରୀମାନେ ବ୍ୟର୍ଥରେ ପରିଶ୍ରମ କରନ୍ତି;

ଯଦି ସଦାପ୍ରଭୁ ନଗର ରକ୍ଷା ନ କରନ୍ତି,

ତେବେ ପ୍ରହରୀ କେବଳ ବୃଥାରେ ଜାଗ୍ରତ ହୁଏ।

2ତୁମ୍ଭେମାନେ ଯେ ପ୍ରଭାତରେ ଉଠ ଓ

ଏତେ ବିଳମ୍ବରେ ବିଶ୍ରାମ କର,

ଆଉ ଶାନ୍ତିର ଖାଦ୍ୟ ଭୋଜନ କର, ଏହା ତୁମ୍ଭମାନଙ୍କ ପକ୍ଷରେ ବୃଥା।

କାରଣ ସେହି ପ୍ରକାରେ ସଦାପ୍ରଭୁ ଆପଣା ପ୍ରିୟତମକୁ ନିଦ୍ରା ଦିଅନ୍ତି।

3ଦେଖ, ସନ୍ତାନଗଣ ସଦାପ୍ରଭୁଙ୍କର ଦତ୍ତ ଅଧିକାର

ଓ ଗର୍ଭଜାତ ଫଳ ତାହାଙ୍କ ଦତ୍ତ ପୁରସ୍କାର127:3 ପୁରସ୍କାର ଅର୍ଥାତ୍ ଆଶୀର୍ବାଦ

4ଯୌବନର ସନ୍ତାନଗଣ ବୀର ପୁରୁଷର ହସ୍ତସ୍ଥିତ ତୀର ସଦୃଶ।

5ଯାହାର ତୂଣ ତାଦୃଶ ତୀରରେ ପୂର୍ଣ୍ଣ, ସେ ଜନ ସୁଖୀ;

ସେମାନେ ନଗର-ଦ୍ୱାରରେ ଶତ୍ରୁଗଣ ସଙ୍ଗେ କଥା କହିବା ବେଳେ

ଲଜ୍ଜିତ ହେବେ ନାହିଁ।

128

ବାଧ୍ୟତାର ପୁରସ୍କାର

ଆରୋହଣ-ଗୀତ।

1ଯେଉଁମାନେ ସଦାପ୍ରଭୁଙ୍କୁ ଭୟ କରନ୍ତି

ଓ ତାହାଙ୍କ ପଥରେ ଚାଲନ୍ତି, ସେମାନଙ୍କର ପ୍ରତ୍ୟେକ ଲୋକ ଧନ୍ୟ।

2କାରଣ ତୁମ୍ଭେ ଆପଣା ହସ୍ତକୃତ ପରିଶ୍ରମର ଫଳ ଭୋଜନ କରିବ;

ତୁମ୍ଭେ ସୁଖୀ ହେବ ଓ ତୁମ୍ଭର ମଙ୍ଗଳ ହେବ।

3ତୁମ୍ଭର ଭାର୍ଯ୍ୟା ତୁମ୍ଭ ଗୃହର ଅନ୍ତଃପୁରରେ ଫଳବତୀ ଦ୍ରାକ୍ଷାଲତା ତୁଲ୍ୟ ହେବ;

ତୁମ୍ଭର ସନ୍ତାନମାନେ ତୁମ୍ଭ ମେଜର ଚାରିଆଡ଼େ ଜୀତବୃକ୍ଷର ଚାରା ପରି ହେବେ।

4ଦେଖ, ସଦାପ୍ରଭୁଙ୍କୁ ଭୟ କରିବା ଲୋକ

ଏହି ପ୍ରକାର ଆଶୀର୍ବାଦ ପ୍ରାପ୍ତ ହେବ।

5ସଦାପ୍ରଭୁ ସିୟୋନରୁ ତୁମ୍ଭକୁ ଆଶୀର୍ବାଦ କରିବେ;

ଆଉ, ତୁମ୍ଭେ ଯାବଜ୍ଜୀବନ ଯିରୂଶାଲମର ମଙ୍ଗଳ ଦେଖିବ।

6ହଁ, ତୁମ୍ଭେ ଆପଣା ସନ୍ତାନଗଣର ସନ୍ତାନ ଦେଖିବ।

ଇସ୍ରାଏଲ ଉପରେ ଶାନ୍ତି ବର୍ତ୍ତୁ।

129

ଇସ୍ରାଏଲ ଉପରେ ଶାନ୍ତି ବର୍ତ୍ତୁ।

ଇସ୍ରାଏଲର ଶତ୍ରୁମାନଙ୍କ ବିରୁଦ୍ଧରେ ପ୍ରାର୍ଥନା

ଆରୋହଣ-ଗୀତ।

1“ମୋ’ ଯୌବନଠାରୁ ମୋ’ର ଶତ୍ରୁମାନେ ଅନେକ ଥର ମୋତେ କ୍ଳେଶ ଦେଇଅଛନ୍ତି,”

ଇସ୍ରାଏଲ ଏବେ କୁହନ୍ତୁ;

2“ମୋ’ ଯୌବନଠାରୁ ସେମାନେ ଅନେକ ଥର ମୋତେ କ୍ଳେଶ ଦେଇଅଛନ୍ତି;

ତଥାପି ସେମାନେ ମୋ’ ଉପରେ ଜୟୀ ହୋଇ ନାହାନ୍ତି।

3କୃଷକମାନେ ମୋ’ ପୃଷ୍ଠଦେଶରେ ହଳ ବୁଲାଇଲେ;

ସେମାନେ ଲମ୍ବ ଲମ୍ବ ଶିଆର କଲେ।

4ସଦାପ୍ରଭୁ ଧର୍ମମୟ;

ସେ ଦୁଷ୍ଟମାନଙ୍କ ଦାସତ୍ଵରୁ ମୋତେ ମୁକ୍ତ କରିଅଛନ୍ତି।”129:4 ସେ ଦୁଷ୍ଟମାନଙ୍କ ଦାସତ୍ଵରୁ ମୋତେ ମୁକ୍ତି କରିଅଛନ୍ତି।” ସେ ଦୁଷ୍ଟମାନଙ୍କ ରଜ୍ଜୁ ଛେଦନ କରିଅଛନ୍ତି।

5ସିୟୋନକୁ ଘୃଣା କରିବା

ଲୋକସମସ୍ତେ ଲଜ୍ଜିତ ହୋଇ ହଟି ଯାଉନ୍ତୁ।

6ସେମାନେ ଗୃହର ଛାତ ଉପରିସ୍ଥ ସେହି ତୃଣ ତୁଲ୍ୟ ହେଉନ୍ତୁ,

ଯାହା ବଢ଼ିବା ପୂର୍ବେ ଶୁଷ୍କ ହୁଏ;

7ଯଦ୍ଦ୍ୱାରା କଟାଳୀ ଆପଣା ହସ୍ତ,

ଅବା ବିଡ଼ାବନ୍ଧନକାରୀ ଆପଣା ଅଣ୍ଟି ପୂର୍ଣ୍ଣ କରେ ନାହିଁ।

8“କିଅବା ସଦାପ୍ରଭୁଙ୍କ ଆଶୀର୍ବାଦ ତୁମ୍ଭମାନଙ୍କ ଉପରେ ବର୍ତ୍ତୁ,

ଆମ୍ଭେମାନେ ସଦାପ୍ରଭୁଙ୍କ ନାମରେ ତୁମ୍ଭମାନଙ୍କୁ ଆଶୀର୍ବାଦ କରୁଅଛୁ,”

ଏହା ପଥିକମାନେ କହନ୍ତି ନାହିଁ।

130

ସହାୟତା ପାଇଁ ପ୍ରାର୍ଥନା

ଆରୋହଣ-ଗୀତ।

1ହେ ସଦାପ୍ରଭୁ, ମୁଁ ଗଭୀର ଜଳରେ ଥାଇ ତୁମ୍ଭ ନିକଟରେ ଡାକ ପକାଇଅଛି।

2ହେ ପ୍ରଭୁ, ମୋ’ ରବ ଶୁଣ;

ତୁମ୍ଭ କର୍ଣ୍ଣ ମୋ’ ବିନତି-ରବରେ ମନୋଯୋଗ କରୁ।

3ହେ ସଦାପ୍ରଭୁ, ତୁମ୍ଭେ ଯଦି ଅପରାଧସବୁ ଧରିବ,

ତେବେ ହେ ପ୍ରଭୁ, କିଏ ଠିଆ ହେବ ?

4ମାତ୍ର ତୁମ୍ଭଙ୍କୁ ଯେପରି ଭୟ କରାଯାଏ,

ଏଥିପାଇଁ ତୁମ୍ଭଠାରେ କ୍ଷମା ଅଛି।

5ମୁଁ ସଦାପ୍ରଭୁଙ୍କର ଅପେକ୍ଷା କରୁଅଛି, ମୋ’ ପ୍ରାଣ ଅପେକ୍ଷା କରୁଅଛି,

ପୁଣି, ମୁଁ ତାହାଙ୍କ ବାକ୍ୟରେ ଭରସା ରଖୁଅଛି।

6ପ୍ରହରୀମାନେ ପ୍ରଭାତ ପାଇଁ ଚାହିଁ ରହିବା ଅପେକ୍ଷା ମୋ’ ପ୍ରାଣ ପ୍ରଭୁଙ୍କ ପାଇଁ ଅଧିକ ଚାହିଁ ରହେ;

ହଁ, ପ୍ରହରୀମାନଙ୍କର ପ୍ରଭାତ ପାଇଁ ଚାହିଁ ରହିବା ଅପେକ୍ଷା ଅଧିକ।

7ହେ ଇସ୍ରାଏଲ, ସଦାପ୍ରଭୁଙ୍କଠାରେ ଭରସା ରଖ;

କାରଣ ସଦାପ୍ରଭୁଙ୍କଠାରେ ଦୟା ଅଛି

ଓ ତାହାଙ୍କଠାରେ ପ୍ରଚୁର ମୁକ୍ତି ଅଛି।

8ପୁଣି, ସେ ଇସ୍ରାଏଲକୁ

ତାହାର ସମସ୍ତ ଅପରାଧରୁ ମୁକ୍ତ କରିବେ।

131

ନିର୍ଭରଶୀଳ ହେବା ପାଇଁ ପ୍ରାର୍ଥନା

ଆରୋହଣ-ଗୀତ; ଦାଉଦଙ୍କ ରଚିତ।

1ହେ ସଦାପ୍ରଭୁ, ମୋ’ ଅନ୍ତଃକରଣ ଅହଙ୍କାରୀ ନୁହେଁ, ଅବା ମୋ’ ଦୃଷ୍ଟି ଗର୍ବୀ ନୁହେଁ;

କିଅବା ମୁଁ ମହତ୍‍ ମହତ୍‍ ବ୍ୟାପାରରେ,

ଅଥବା ମୋ’ ପ୍ରତି ବୋଧାତୀତ ଆଶ୍ଚର୍ଯ୍ୟ ବିଷୟମାନଙ୍କରେ ପ୍ରୟାସ କରୁ ନାହିଁ।

2ନିଶ୍ଚୟ ମୁଁ ଆପଣା ପ୍ରାଣକୁ ଶାନ୍ତ ଓ କ୍ଷାନ୍ତ କରିଅଛି,

ସ୍ତନ୍ୟତ୍ୟାଗୀ ଶିଶୁ ଆପଣା ମାତା ସଙ୍ଗେ ଥିବା ପରି;

ମୋ’ ପ୍ରାଣ ମୋ’ ସଙ୍ଗରେ ସ୍ତନ୍ୟତ୍ୟାଗୀ ଶିଶୁ ପରି ଅଛି।

3ହେ ଇସ୍ରାଏଲ, ଆଜିଠାରୁ ଅନନ୍ତକାଳ

ସଦାପ୍ରଭୁଙ୍କ ଠାରେ ଭରସା ରଖ।

132

ମନ୍ଦିରର ପ୍ରଶଂସା

ଆରୋହଣ-ଗୀତ।

1ହେ ସଦାପ୍ରଭୁ, ଦାଉଦ ପକ୍ଷରେ

ତାହାର ସକଳ କ୍ଳେଶ ସ୍ମରଣ କର;

2ସେ କିପ୍ରକାରେ ସଦାପ୍ରଭୁଙ୍କ ନିକଟରେ ଶପଥ କଲା,

ଆଉ ଯାକୁବର ବଳଦାତାଙ୍କ ନିକଟରେ ମାନତ କରି କହିଲା;

3“ମୁଁ ଯେପର୍ଯ୍ୟନ୍ତ ସଦାପ୍ରଭୁଙ୍କ ନିମନ୍ତେ ଏକ ସ୍ଥାନ ଓ

ଯାକୁବର ବଳଦାତାଙ୍କ ନିମନ୍ତେ ଏକ ଆବାସ ପ୍ରାପ୍ତ ନ ହୁଏ,

4ସେପର୍ଯ୍ୟନ୍ତ ମୁଁ ନିଶ୍ଚୟ ଆପଣା ଗୃହ-ତମ୍ବୁରେ ପ୍ରବେଶ କରିବି ନାହିଁ,

କିଅବା ଆପଣା ଶଯ୍ୟା ଉପରକୁ ଯିବି ନାହିଁ।

5ମୁଁ ଆପଣା ଚକ୍ଷୁକୁ ନିଦ୍ରା ଦେବି ନାହିଁ,

ଅବା ଆପଣା ଚକ୍ଷୁପତାକୁ ଘୁମାଇବାକୁ ଦେବି ନାହିଁ।”

6ଦେଖ, ଆମ୍ଭେମାନେ ଇଫ୍ରାଥାରେ ଏ ବିଷୟ ଶୁଣିଲୁ;

ଆମ୍ଭେମାନେ ବନସ୍ଥ କ୍ଷେତ୍ରରେ ତାହା ପ୍ରାପ୍ତ ହେଲୁ।

7ଆମ୍ଭେମାନେ ସଦାପ୍ରଭୁଙ୍କ ଆବାସକୁ ଯିବା;

ଆମ୍ଭେମାନେ ତାହାଙ୍କ ପାଦପୀଠରେ ପ୍ରଣାମ କରିବା।

8ହେ ସଦାପ୍ରଭୁ, ଉଠ, ତୁମ୍ଭେ ସ୍ୱପରାକ୍ରମର ସିନ୍ଦୁକ ସହିତ ଆପଣା ବିଶ୍ରାମ-ସ୍ଥାନକୁ ଗମନ କର।

9ତୁମ୍ଭର ଯାଜକମାନେ ଧର୍ମରୂପ ବସ୍ତ୍ର ପରିହିତ ହେଉନ୍ତୁ;

ପୁଣି, ତୁମ୍ଭ ସଦ୍‍ଭକ୍ତମାନେ ଆନନ୍ଦଧ୍ୱନି କରନ୍ତୁ।

10ତୁମ୍ଭ ଦାସ ଦାଉଦ ସକାଶୁ ଆପଣା ଅଭିଷିକ୍ତଙ୍କ

ମୁଖ ଫେରାଇ ଦିଅ ନାହିଁ।

11ସଦାପ୍ରଭୁ ଦାଉଦ ପ୍ରତି ସତ୍ୟରେ ଶପଥ କରିଅଛନ୍ତି;

ସେ ତହିଁରୁ ଫେରିବେ ନାହିଁ।

“ଆମ୍ଭେ ତୁମ୍ଭ ତନୁଜାତ ଫଳକୁ132:11 ଫଳକୁ ଅର୍ଥାତ୍ ପୁତ୍ରକୁ ତୁମ୍ଭ ସିଂହାସନରେ ବସାଇବା।

12ଯଦି ତୁମ୍ଭ ସନ୍ତାନଗଣ ଆମ୍ଭ ନିୟମ

ଓ ଆମ୍ଭେ ସେମାନଙ୍କୁ ଯେଉଁ ପ୍ରମାଣ-ବାକ୍ୟ ଶିଖାଇବା, ତାହା ପାଳନ କରିବେ,

ତେବେ ସେମାନଙ୍କ ସନ୍ତାନଗଣ ହିଁ ସଦାକାଳ ତୁମ୍ଭ ସିଂହାସନରେ ବସିବେ।”

13କାରଣ ସଦାପ୍ରଭୁ ସିୟୋନକୁ ମନୋନୀତ କରିଅଛନ୍ତି;

ସେ ଆପଣା ନିବାସ ନିମନ୍ତେ ତାହା ବାଞ୍ଛା କରିଅଛନ୍ତି।

14ଏହା ଚିରକାଳ ଆମ୍ଭର ବିଶ୍ରାମ-ସ୍ଥାନ ଅଟେ;

ଏଠାରେ ଆମ୍ଭେ ବାସ କରିବା; କାରଣ ଆମ୍ଭେ ତାହା ବାଞ୍ଛା କରିଅଛୁ।

15ଆମ୍ଭେ ତାହାର ଭକ୍ଷ୍ୟ ଉପରେ ବହୁଳ ରୂପେ ଆଶୀର୍ବାଦ କରିବା;

ଆମ୍ଭେ ତାହାର ଦରିଦ୍ରଗଣକୁ ଅନ୍ନ ଦେଇ ତୃପ୍ତ କରିବା।

16ଆମ୍ଭେ ତାହାର ଯାଜକଗଣକୁ ହିଁ ତ୍ରାଣରୂପ ବସ୍ତ୍ର ପିନ୍ଧାଇବା

ଓ ତାହାର ସଦ୍‍ଭକ୍ତମାନେ ଆନନ୍ଦରେ ଉଚ୍ଚଧ୍ୱନି କରିବେ।

17ସେଠାରେ ଆମ୍ଭେ ଦାଉଦର ଶୃଙ୍ଗ ଅଙ୍କୁରିତ କରିବା;

ଆମ୍ଭେ ଆପଣା ଅଭିଷିକ୍ତଙ୍କ ପାଇଁ ଏକ ପ୍ରଦୀପ ନିରୂପଣ କରିଅଛୁ।

18ତାହାଙ୍କ ଶତ୍ରୁଗଣକୁ ଆମ୍ଭେ ଲଜ୍ଜାରୂପ ବସ୍ତ୍ର ପିନ୍ଧାଇବା;

ମାତ୍ର ତାହାଙ୍କ ରାଜ୍ୟ ଉନ୍ନତି ହେବ।132:18 ତାହାଙ୍କ ରାଜ୍ୟ ଉନ୍ନତି ହେବ। ନିଜ ଉପରେ ତାହାଙ୍କ ମୁକୁଟ ଶୋଭା ପାଇବ

133

ଭ୍ରାତୃପ୍ରେମ

ଆରୋହଣ ଗୀତ, ଦାଉଦଙ୍କ ରଚିତ।

1ଦେଖ, ଭାଇମାନେ ମିଳନରେ ଏକତ୍ର ବାସ କରିବା

କିପରି ଉତ୍ତମ ଓ ମନୋହର !

2ତାହା ମସ୍ତକରେ ବହୁମୂଲ୍ୟ ତୈଳ ସ୍ୱରୂପ,

ଯାହା ଦାଢ଼ିରେ, ଅର୍ଥାତ୍‍, ହାରୋଣଙ୍କର ଦାଢ଼ିରେ ବହି

ତାଙ୍କ ବସ୍ତ୍ରାଞ୍ଚଳରେ ପଡ଼ିଲା।

3ତାହା ହର୍ମୋଣ ପାହାଡ଼ର ଶିଶିର ତୁଲ୍ୟ,

ଯାହା ସିୟୋନର ପର୍ବତଗଣ ଉପରେ କ୍ଷରି ପଡ଼େ।

କାରଣ ସଦାପ୍ରଭୁ ସେଠାରେ ଆଶୀର୍ବାଦ, ହଁ,

ଅନନ୍ତ ଜୀବନ ଆଜ୍ଞା କଲେ।

134

ସଦାପ୍ରଭୁଙ୍କ ସ୍ତୁତି ଗାନ

ଆରୋହଣ ଗୀତ।

1ଦେଖ, ହେ ସଦାପ୍ରଭୁଙ୍କ ଦାସସକଳ, ରାତ୍ରିକାଳରେ ସଦାପ୍ରଭୁଙ୍କ ଗୃହରେ ସେବା କରୁଥାଅ ଯେ ତୁମ୍ଭେମାନେ,

ତୁମ୍ଭେମାନେ ସଦାପ୍ରଭୁଙ୍କର ଧନ୍ୟବାଦ କର।

2ତୁମ୍ଭେମାନେ ଧର୍ମଧାମ ଆଡ଼େ ଆପଣା ଆପଣା ହସ୍ତ ଉଠାଅ

ଓ ସଦାପ୍ରଭୁଙ୍କର ଧନ୍ୟବାଦ କର।

3ଆକାଶ ଓ ପୃଥିବୀର ନିର୍ମାଣକର୍ତ୍ତା

ସଦାପ୍ରଭୁ ସିୟୋନରୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ।

135

ସ୍ତୁତି ବନ୍ଦନା

1ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।

ତୁମ୍ଭେମାନେ ସଦାପ୍ରଭୁଙ୍କ ନାମର ପ୍ରଶଂସା କର;

ହେ ସଦାପ୍ରଭୁଙ୍କ ଦାସମାନେ, ତାହାଙ୍କର ପ୍ରଶଂସା କର।

2ସଦାପ୍ରଭୁଙ୍କ ଗୃହରେ,

ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହ-ପ୍ରାଙ୍ଗଣରେ ସେବା କରୁଥାଅ ଯେ ତୁମ୍ଭେମାନେ

3ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର; କାରଣ ସଦାପ୍ରଭୁ ମଙ୍ଗଳମୟ;

ତାହାଙ୍କ ନାମ ଉଦ୍ଦେଶ୍ୟରେ ପ୍ରଶଂସାଗାନ କର; କାରଣ ତାହା ମନୋହର।

4ଯେହେତୁ ସଦାପ୍ରଭୁ ଆପଣା ନିମନ୍ତେ ଯାକୁବକୁ ଓ

ନିଜର ସଞ୍ଚିତ ଧନ ରୂପେ ଇସ୍ରାଏଲକୁ ମନୋନୀତ କରିଅଛନ୍ତି।

5କାରଣ ମୁଁ ଜାଣେ, ସଦାପ୍ରଭୁ ମହାନ ଓ

ଆମ୍ଭମାନଙ୍କ ପ୍ରଭୁ ସକଳ ଦେବତାଗଣ ଅପେକ୍ଷା ଶ୍ରେଷ୍ଠ।

6ଆକାଶରେ ଓ ପୃଥିବୀରେ, ସମୁଦ୍ରରେ ଓ ସମଗ୍ର ବାରିଧିରେ

ସଦାପ୍ରଭୁ ଯାହା ଇଚ୍ଛା କଲେ, ତାହା କରିଅଛନ୍ତି।

7ସେ ପୃଥିବୀର ପ୍ରାନ୍ତରୁ ବାଷ୍ପ ଉଠାନ୍ତି;

ସେ ବୃଷ୍ଟି ନିମନ୍ତେ ବିଜୁଳି ଉତ୍ପନ୍ନ କରନ୍ତି;

ସେ ଆପଣା ଭଣ୍ଡାରସମୂହରୁ ବାୟୁ ବାହାର କରି ଆଣନ୍ତି।

8ସେ ମିସରର ପ୍ରଥମଜାତ ମନୁଷ୍ୟ

ଓ ପଶୁ ଉଭୟକୁ ସଂହାର କଲେ।

9ହେ ମିସର, ସେ ତୁମ୍ଭ ମଧ୍ୟକୁ, ଫାରୋ ପ୍ରତିକୂଳରେ, ତାହାର ଦାସଗଣ ପ୍ରତିକୂଳରେ

ନାନା ଚିହ୍ନ ଓ ଅଦ୍ଭୁତ ଲକ୍ଷଣ ପ୍ରେରଣ କଲେ।

10ସେ ଅନେକ ଗୋଷ୍ଠୀଙ୍କୁ ସଂହାର କଲେ,

ପରାକ୍ରାନ୍ତ ରାଜାମାନଙ୍କୁ,

11ଇମୋରୀୟମାନଙ୍କ ରାଜା ସୀହୋନକୁ ଓ

ବାଶନର ରାଜା ଓଗ୍‍କୁ,

ଆଉ କିଣାନର ସକଳ ରାଜ୍ୟକୁ ବଧ କଲେ।

12ପୁଣି, ସେମାନଙ୍କର ଦେଶ ଅଧିକାର ନିମନ୍ତେ ଦେଲେ,

ଆପଣା ଲୋକ ଇସ୍ରାଏଲକୁ ଅଧିକାରାର୍ଥେ ଦେଲେ।

13ହେ ସଦାପ୍ରଭୁ, ତୁମ୍ଭ ନାମ ଅନନ୍ତକାଳସ୍ଥାୟୀ;

ହେ ସଦାପ୍ରଭୁ, ତୁମ୍ଭ ସ୍ମରଣ ପୁରୁଷ ପରମ୍ପରାରେ ଥାଏ।

14ଯେହେତୁ ସଦାପ୍ରଭୁ ଆପଣା ଲୋକମାନଙ୍କର ବିଚାର କରିବେ

ଓ ଆପଣା ଦାସମାନଙ୍କ ପ୍ରତି ସଦୟ ହେବେ।

15ଅନ୍ୟ ଦେଶୀୟମାନଙ୍କ ପ୍ରତିମାସବୁ ରୂପା ଓ ସୁନା,

ମନୁଷ୍ୟର ହସ୍ତକୃତ କର୍ମ ଅଟେ।

16ସେମାନଙ୍କର ମୁଖ ଅଛି, ମାତ୍ର ସେମାନେ କଥା କହନ୍ତି ନାହିଁ,

ସେମାନଙ୍କର ଚକ୍ଷୁ ଅଛି, ମାତ୍ର ସେମାନେ ଦେଖନ୍ତି ନାହିଁ;

17ସେମାନଙ୍କର କର୍ଣ୍ଣ ଅଛି, ମାତ୍ର ସେମାନେ ଶୁଣନ୍ତି ନାହିଁ;

କିଅବା ସେମାନଙ୍କ ମୁଖରେ ନିଶ୍ୱାସପ୍ରଶ୍ୱାସ ନାହିଁ।

18ସେମାନଙ୍କର ନିର୍ମାଣକାରୀମାନେ ଓ ସେମାନଙ୍କ ଠାରେ ନିର୍ଭରକାରୀ

ପ୍ରତ୍ୟେକେ ସେମାନଙ୍କ ତୁଲ୍ୟ ହେବେ।

19ହେ ଇସ୍ରାଏଲ-ବଂଶ, ତୁମ୍ଭେମାନେ ସଦାପ୍ରଭୁଙ୍କର ଧନ୍ୟବାଦ କର;

ହେ ହାରୋଣ-ବଂଶ, ତୁମ୍ଭେମାନେ ସଦାପ୍ରଭୁଙ୍କର ଧନ୍ୟବାଦ କର;

20ହେ ଲେବୀ-ବଂଶ, ତୁମ୍ଭେମାନେ ସଦାପ୍ରଭୁଙ୍କର ଧନ୍ୟବାଦ କର।

ହେ ସଦାପ୍ରଭୁଙ୍କ ଭୟକାରୀଗଣ, ତୁମ୍ଭେମାନେ ସଦାପ୍ରଭୁଙ୍କର ଧନ୍ୟବାଦ କର।

21ଯିରୂଶାଲମବାସୀ ସଦାପ୍ରଭୁ ସିୟୋନଠାରୁ ଧନ୍ୟ ହେଉନ୍ତୁ।

ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।

136

ଧନ୍ୟବାଦ ସ୍ତୁତି

1ସଦାପ୍ରଭୁଙ୍କର ଧନ୍ୟବାଦ କର; କାରଣ ସେ ମଙ୍ଗଳମୟ;

କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।

2ଦେବମାନଙ୍କ ଦେବଙ୍କର ଧନ୍ୟବାଦ କର;

କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।

3ପ୍ରଭୁମାନଙ୍କ ପ୍ରଭୁଙ୍କର ଧନ୍ୟବାଦ କର;

କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।

4ଯେ ମହତ୍‍ ମହତ୍‍ ଆଶ୍ଚର୍ଯ୍ୟକର୍ମ କରିବାରେ ଅଦ୍ୱିତୀୟ, ତାହାଙ୍କର (ଧନ୍ୟବାଦ କର;)

କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।

5ଯେ ବୁଦ୍ଧିରେ ଆକାଶମଣ୍ଡଳ ନିର୍ମାଣ କଲେ;

ତାହାଙ୍କର (ଧନ୍ୟବାଦ କର;)

କାରଣ ତାହାଙ୍କର ଦୟା ଅନନ୍ତକାଳସ୍ଥାୟୀ।

6ଯେ ଭୂମଣ୍ଡଳକୁ ଜଳରାଶି ଉପରେ ବିସ୍ତୀର୍ଣ୍ଣ କଲେ; ତାହାଙ୍କର (ଧନ୍ୟବାଦ କର;)

କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।

7ଯେ ମହାଜ୍ୟୋତିର୍ଗଣ ନିର୍ମାଣ କଲେ, ତାହାଙ୍କର (ଧନ୍ୟବାଦ କର;)

କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।

8ଦିବସରେ କର୍ତ୍ତୃତ୍ୱ କରିବା ପାଇଁ ସୂର୍ଯ୍ୟକୁ (ନିର୍ମାଣ କଲେ ସେ;)

କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।

9ରାତ୍ରିରେ କର୍ତ୍ତୃତ୍ୱ କରିବା ପାଇଁ ଚନ୍ଦ୍ର ଓ ତାରାଗଣ (ନିର୍ମାଣ କଲେ ସେ;)

କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।

10ପ୍ରଥମଜାତମାନଙ୍କୁ (ସଂହାର କରିବା ଦ୍ୱାରା) ମିସରକୁ ଆଘାତ କଲେ ସେ;

କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।

11ପୁଣି, ସେମାନଙ୍କ ମଧ୍ୟରୁ ଇସ୍ରାଏଲକୁ ବାହାର କରି ଆଣିଲେ ସେ;

କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।

12ବଳବାନ ହସ୍ତ ଓ ବିସ୍ତୃତ ବାହୁ ଦ୍ୱାରା ତାହା କଲେ ସେ;

କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।

13ଯେ ସୂଫ ସାଗରକୁ ବିଭକ୍ତ କଲେ, ତାହାଙ୍କର (ଧନ୍ୟବାଦ କର;)

କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।

14ତହିଁ ମଧ୍ୟ ଦେଇ ଇସ୍ରାଏଲକୁ ପାର କରାଇଲେ ସେ;

କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।

15ମାତ୍ର ଫାରୋ ଓ ତାହାର ସୈନ୍ୟଗଣକୁ ସୂଫ ସାଗରରେ ଠେଲି ଦେଲେ ସେ;

କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ;

16ଯେ ପ୍ରାନ୍ତର ଦେଇ ଆପଣା ଲୋକମାନଙ୍କୁ ଗମନ କରାଇଲେ, ତାହାଙ୍କର (ଧନ୍ୟବାଦ କର);

କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।

17ଯେ ମହାରାଜାଗଣକୁ ସଂହାର କଲେ, ତାହାଙ୍କର (ଧନ୍ୟବାଦ କର;)

କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ;

18ପରାକ୍ରାନ୍ତ ରାଜାମାନଙ୍କୁ ସଂହାର କଲେ ସେ;

କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ;

19ଇମୋରୀୟମାନଙ୍କ ରାଜା ସୀହୋନକୁ ବଧ କଲେ ସେ;

କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ;

20ପୁଣି, ବାଶନର ରାଜା ଓଗ୍‍କୁ ବଧ କଲେ ସେ;

କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ;

21ଆଉ, ସେମାନଙ୍କ ଦେଶ ଅଧିକାରାର୍ଥେ ଦେଲେ ସେ;

କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।

22ନିଜ ଦାସ ଇସ୍ରାଏଲର ଅଧିକାର ନିମନ୍ତେ ଦେଲେ ସେ;

କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ;

23ଆମ୍ଭମାନଙ୍କ ହୀନାବସ୍ଥା ସମୟରେ ଆମ୍ଭମାନଙ୍କୁ ସ୍ମରଣ କଲେ ସେ;

କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।

24ପୁଣି, ଆମ୍ଭମାନଙ୍କ ବିପକ୍ଷଗଣଠାରୁ ଆମ୍ଭମାନଙ୍କୁ ଉଦ୍ଧାର କରିଅଛନ୍ତି ସେ;

କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।

25ସବୁ ପ୍ରାଣୀକୁ ଆହାର ଦିଅନ୍ତି ସେ;

କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।

26ସ୍ୱର୍ଗର ପରମେଶ୍ୱରଙ୍କ ଧନ୍ୟବାଦ କର;

କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।

137

ନିର୍ବାସିତ ଇସ୍ରାଏଲୀୟମାନଙ୍କ ବିଳାପ

1ଆମ୍ଭେମାନେ ବାବିଲୀୟ ନଦୀମାନର

ନିକଟରେ ସିୟୋନକୁ ସ୍ମରଣ କଲା ବେଳେ

ସେଠାରେ ବସିଲୁ ଓ ରୋଦନ କଲୁ।

2ଆମ୍ଭେମାନେ ସେଠାସ୍ଥିତ ବାଇଶୀ ବୃକ୍ଷରେ ଆପଣା

ଆପଣା ବୀଣା ଟଙ୍ଗାଇ ରଖିଲୁ।

3କାରଣ ଆମ୍ଭମାନଙ୍କୁ ବନ୍ଦୀ କରି ଘେନି ଯାଇଥିବା ଲୋକେ ଆମ୍ଭମାନଙ୍କଠାରୁ ଗୀତ ଶୁଣିବାକୁ ଚାହିଁଲେ,

ପୁଣି, ଆମ୍ଭମାନଙ୍କ ଉପଦ୍ରବୀଗଣ ଆମ୍ଭମାନଙ୍କଠାରୁ ଆନନ୍ଦ-ସ୍ୱର ଶୁଣିବାକୁ ଇଚ୍ଛା କରି କହିଲେ,

“ଆମ୍ଭମାନଙ୍କ ନିକଟରେ ସିୟୋନର ଗୋଟିଏ ଗୀତ ଗାନ କର।”

4ଆମ୍ଭେମାନେ ବିଦେଶରେ

କିପରି କରି ସଦାପ୍ରଭୁଙ୍କ ଗୀତ ଗାନ କରିବା ?

5ହେ ଯିରୂଶାଲମ, ଯଦି ମୁଁ ତୁମ୍ଭକୁ ପାସୋରେ,

ତେବେ ମୋହର ଦକ୍ଷିଣ ହସ୍ତ ଆପଣା ବଜାଇବା କୌଶଳ ପାସୋରି ଯାଉ।

6ଯଦି ମୁଁ ତୁମ୍ଭଙ୍କୁ ସ୍ମରଣ ନ କରେ,

ଯଦି ମୁଁ ଯିରୂଶାଲମକୁ ଆପଣା ପରମାନନ୍ଦରୁ ଅଧିକ ଭଲ ନ ମଣେ,

ତେବେ ମୋହର ଜିହ୍ୱା ମୋ’ ମୁଖର ତାଳୁରେ ଲାଗି ରହୁ।137:6 ଜିହ୍ୱା ମୋ’ ମୁଖର ତାଳୁରେ ଲାଗି ରହୁ। ମୁଁ ଆହୁରି ସଂଗୀତ ମଧ୍ୟ ଗାନ କରିପାରିବି ନାହିଁ

7ହେ ସଦାପ୍ରଭୁ, ଇଦୋମୀୟ ସନ୍ତାନଗଣ ପ୍ରତିକୂଳରେ ଯିରୂଶାଲମର ଦିନ ସ୍ମରଣ କର;

ସେମାନେ କହିଲେ, “ଉତ୍ପାଟନ କର, ତହିଁର ମୂଳ ପର୍ଯ୍ୟନ୍ତ ଉତ୍ପାଟନ କର।”

8ଆଗୋ ବିନାଶ୍ୟ ବାବିଲୀୟ କନ୍ୟେ,

ତୁମ୍ଭେ ଆମ୍ଭମାନଙ୍କ ପ୍ରତି ଯେରୂପ କରିଅଛ,

ତୁମ୍ଭକୁ ସେହିରୂପ ପ୍ରତିଫଳ ଯେ ଦେବ, ସେ ଧନ୍ୟ।

9ଯେଉଁ ଜନ ତୁମ୍ଭ ଶିଶୁଗଣକୁ ଧରି

ଶୈଳ ଉପରେ କଚାଡ଼ିବ, ସେ ଧନ୍ୟ।

138

ଧନ୍ୟବାଦ ସ୍ତୁତି

ଦାଉଦଙ୍କର ଗୀତ।

1ହେ ସଦାପ୍ରଭୁ, ମୁଁ ଆପଣାର ସର୍ବାନ୍ତଃକରଣରେ ତୁମ୍ଭର ଧନ୍ୟବାଦ କରିବି;

ଦେବଗଣ ସାକ୍ଷାତରେ ମୁଁ ତୁମ୍ଭ ଉଦ୍ଦେଶ୍ୟରେ ପ୍ରଶଂସାଗାନ କରିବି।

2ମୁଁ ତୁମ୍ଭ ପବିତ୍ର ମନ୍ଦିର ଅଭିମୁଖରେ ତୁମ୍ଭର ଭଜନା କରିବି,

ପୁଣି, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଓ ତୁମ୍ଭର ସତ୍ୟତା ସକାଶେ ତୁମ୍ଭ ନାମର ଧନ୍ୟବାଦ କରିବି।

କାରଣ ତୁମ୍ଭେ ଆପଣାର ସକଳ ନାମ ଅପେକ୍ଷା ଆପଣାର ବାକ୍ୟ ମହତ କରିଅଛ।

3ମୁଁ ପ୍ରାର୍ଥନା କରିବା ଦିନ ତୁମ୍ଭେ ମୋତେ ଉତ୍ତର ଦେଲ,

ତୁମ୍ଭେ ମୋ’ ପ୍ରାଣକୁ ବଳ ଦେଇ ସାହସିକ କଲ।

4ହେ ସଦାପ୍ରଭୁ, ପୃଥିବୀସ୍ଥ ସମସ୍ତ ରାଜା ତୁମ୍ଭର ଧନ୍ୟବାଦ କରିବେ,

କାରଣ ସେମାନେ ତୁମ୍ଭ ମୁଖର ବାକ୍ୟ ଶୁଣିଅଛନ୍ତି।

5ହଁ, ସେମାନେ ସଦାପ୍ରଭୁଙ୍କ ପଥ ବିଷୟ ଗାନ କରିବେ;

କାରଣ ସଦାପ୍ରଭୁଙ୍କ ଗୌରବ ମହତ୍‍।

6ଯେହେତୁ ସଦାପ୍ରଭୁ ଉଚ୍ଚ ହେଲେ ହେଁ ନୀଚ ଲୋକଙ୍କ ପ୍ରତି ଦୃଷ୍ଟି କରନ୍ତି;

ମାତ୍ର ସେ ଗର୍ବୀକୁ ଦୂରରୁ ଚିହ୍ନନ୍ତି।

7ମୁଁ ସଙ୍କଟ ମଧ୍ୟରେ ଗମନ କଲେ ହେଁ ତୁମ୍ଭେ ମୋତେ ସୁରକ୍ଷିତ138:7 ସୁରକ୍ଷିତ ସଜୀବ ରଖିବ,

ତୁମ୍ଭେ ମୋ’ ଶତ୍ରୁଗଣର କୋପ ପ୍ରତିକୂଳରେ ଆପଣା ହସ୍ତ ବିସ୍ତାର କରିବ

ଓ ତୁମ୍ଭ ଦକ୍ଷିଣ ହସ୍ତ ମୋତେ ତ୍ରାଣ କରିବ।

8ସଦାପ୍ରଭୁ ମୋ’ ସମ୍ପର୍କୀୟ ବିଷୟ ସାଧନ କରିବେ;

ହେ ସଦାପ୍ରଭୁ, ତୁମ୍ଭ ଦୟା ଅନନ୍ତକାଳସ୍ଥାୟୀ;

ତୁମ୍ଭେ ଆପଣା ହସ୍ତକୃତ କର୍ମ ପରିତ୍ୟାଗ କର ନାହିଁ।

139

ସର୍ବଜ୍ଞାତା ମଙ୍ଗଳମୟ ସଦାପ୍ରଭୁ

ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।

1ହେ ସଦାପ୍ରଭୁ, ତୁମ୍ଭେ ମୋହର ଅନୁସନ୍ଧାନ କରିଅଛ

ଓ ମୋହର ପରିଚୟ ନେଇଅଛ।

2ତୁମ୍ଭେ ମୋହର ବସିବାର ଓ ଉଠିବାର ଜାଣୁଅଛ,

ତୁମ୍ଭେ ଦୂରରୁ ମୋହର ସଂକଳ୍ପ ବୁଝୁଅଛ।

3ତୁମ୍ଭେ ମୋହର ଗମନ ଓ ଶୟନ ଅନୁସନ୍ଧାନ କରୁଅଛ,

ଆଉ ମୋହର ସକଳ ଗତି ଜାଣୁଅଛ।

4କାରଣ ହେ ସଦାପ୍ରଭୁ, ଦେଖ, ଯାହା ତୁମ୍ଭଙ୍କୁ ସମ୍ପୂର୍ଣ୍ଣ ଗୋଚର ନୁହେଁ,

ଏପରି ଗୋଟିଏ କଥା ମୋ’ ଜିହ୍ୱାରେ ନାହିଁ।

5ତୁମ୍ଭେ ମୋତେ ପଛରେ ଓ ଆଗରେ ଘେରିଅଛ

ଓ ମୋ’ ଉପରେ ଆପଣା ହସ୍ତ ରଖିଅଛ।

6ଏହି ପ୍ରକାର ଜ୍ଞାନ ମୋ’ ପ୍ରତି ଅତି ଆଶ୍ଚର୍ଯ୍ୟ;

ତାହା ଉଚ୍ଚ, ମୋ’ ବୋଧର ଅଗମ୍ୟ।

7ତୁମ୍ଭ ଆତ୍ମାଠାରୁ ମୁଁ କେଉଁଠାକୁ ଯିବି ?

ଅବା ତୁମ୍ଭ ସାକ୍ଷାତରୁ ମୁଁ କେଉଁଠାକୁ ପଳାଇବି ?

8ଯଦି ମୁଁ ସ୍ୱର୍ଗକୁ ଆରୋହଣ କରେ, ତେବେ ତୁମ୍ଭେ ସେଠାରେ।

ଯଦି ମୁଁ ପାତାଳରେ ବିଛଣା କରେ, ତେବେ ଦେଖ, ତୁମ୍ଭେ ସେଠାରେ

9ଯଦି ମୁଁ ଅରୁଣର ପକ୍ଷ ଧରେ ଓ

ସମୁଦ୍ରର ପ୍ରାନ୍ତ ସୀମାରେ ବାସ କରେ;

10ସେଠାରେ ହେଁ ତୁମ୍ଭର ହସ୍ତ ମୋତେ ଚଳାଇବ ଓ

ତୁମ୍ଭର ଦକ୍ଷିଣ ହସ୍ତ ମୋତେ ଧରିବ।

11ଯଦି ମୁଁ କହେ, “ନିଶ୍ଚୟ ଅନ୍ଧକାର ମୋତେ ମଗ୍ନ କରିବ

ଓ ମୋ’ ଚତୁର୍ଦ୍ଦିଗସ୍ଥ ଆଲୁଅ ରାତ୍ରି ହେବ,”

12ତେବେ ଅନ୍ଧକାର ହିଁ ତୁମ୍ଭଠାରୁ ଲୁଚାଏ ନାହିଁ,

ବରଞ୍ଚ ରାତ୍ରି ଦିବସ ପରି ଦୀପ୍ତିମାନ ହୁଏ;

ତୁମ୍ଭ ପ୍ରତି ଅନ୍ଧାର ଓ ଆଲୁଅ ଦୁଇ ସମାନ।

13କାରଣ ତୁମ୍ଭେ ମୋହର ମର୍ମର କର୍ତ୍ତା;

ତୁମ୍ଭେ ମୋତେ ମାତୃଗର୍ଭରେ ଆଚ୍ଛାଦନ କରିଅଛ।

14ମୁଁ ତୁମ୍ଭଙ୍କୁ ଧନ୍ୟବାଦ ଦେବି; କାରଣ ମୁଁ ଭୟଙ୍କର ଓ ଆଶ୍ଚର୍ଯ୍ୟ ରୂପେ ନିର୍ମିତ;

ତୁମ୍ଭର କର୍ମସକଳ ଆଶ୍ଚର୍ଯ୍ୟ;

ଏହା ମୁଁ ଭଲ ରୂପେ ଜାଣେ।

15ମୁଁ ଗୋପନରେ ନିର୍ମିତ ଓ ପୃଥିବୀର ଅଧଃସ୍ଥାନରେ

ଶିଳ୍ପିତ ହେବା ସମୟରେ ମୋହର ଅସ୍ଥିପଞ୍ଜର ତୁମ୍ଭଠାରୁ ଗୁପ୍ତ ନ ଥିଲା।

16ତୁମ୍ଭ ଚକ୍ଷୁ ମୋହର ସେହି ଅସମ୍ପୂର୍ଣ୍ଣ ପିଣ୍ଡ ଦେଖିଲା

ଓ ମୋହର ଯେଉଁସବୁ ଅଙ୍ଗପ୍ରତ୍ୟଙ୍ଗ ଦିନକୁ ଦିନ ଗଠିତ ହେଲା,

ତନ୍ମଧ୍ୟରୁ ଗୋଟିଏ ହେଲେ ନ ହେଉଣୁ ତାହାସବୁ ତୁମ୍ଭ ପୁସ୍ତକରେ ଲିଖିତ ଥିଲା।

17ହେ ପରମେଶ୍ୱର, ଆହୁରି ତୁମ୍ଭର ସଂକଳ୍ପସକଳ ମୋ’ ପ୍ରତି କିପରି ବହୁମୂଲ୍ୟ !

ତହିଁର ସଂଖ୍ୟା କିପରି ଅଧିକ !

18ମୁଁ ସେସବୁ ଗଣନା କରିବାକୁ ଗଲେ, ତାହା ସଂଖ୍ୟାରେ ବାଲୁକା ଅପେକ୍ଷା ଅଧିକ;

ଯେତେବେଳେ ମୁଁ ଜାଗ୍ରତ ହୁଏ, ସେତେବେଳେ ହେଁ ମୁଁ ତୁମ୍ଭ ନିକଟରେ ଥାଏ।

19ହେ ପରମେଶ୍ୱର, ତୁମ୍ଭେ ନିଶ୍ଚୟ ଦୁଷ୍ଟମାନଙ୍କୁ ବଧ କରିବ;

ଏହେତୁ ହେ ହତ୍ୟାକାରୀ ଲୋକମାନେ, ତୁମ୍ଭେମାନେ ମୋ’ ନିକଟରୁ ଦୂର ହୁଅ।

20କାରଣ ସେମାନେ ଦୁଷ୍ଟ ଭାବରେ ତୁମ୍ଭ ବିରୁଦ୍ଧରେ କଥା କହନ୍ତି

ଓ ତୁମ୍ଭ ଶତ୍ରୁମାନେ ବ୍ୟର୍ଥରେ ତୁମ୍ଭ ନାମ ଧରନ୍ତି।

21ହେ ସଦାପ୍ରଭୁ, ତୁମ୍ଭ ଘୃଣାକାରୀମାନଙ୍କୁ ମୁଁ କ’ଣ ଘୃଣା କରୁ ନାହିଁ ?

ଓ ଯେଉଁମାନେ ତୁମ୍ଭ ବିରୁଦ୍ଧରେ ଉଠନ୍ତି, ସେମାନଙ୍କ ପ୍ରତି ମୁଁ କ’ଣ ବିରକ୍ତ ହେଉ ନାହିଁ ?

22ମୁଁ ସେମାନଙ୍କୁ ସମ୍ପୂର୍ଣ୍ଣ ଘୃଣାରେ ଘୃଣା କରେ;

ମୁଁ ସେମାନଙ୍କୁ ଆପଣାର ଶତ୍ରୁ ବୋଲି ଜ୍ଞାନ କରେ।

23ହେ ପରମେଶ୍ୱର, ମୋହର ଅନୁସନ୍ଧାନ କର ଓ ମୋ’ ଅନ୍ତଃକରଣର ପରିଚୟ ନିଅ;

ମୋତେ ପରୀକ୍ଷା କର ଓ ମୋହର ସଂକଳ୍ପସବୁ ଜ୍ଞାତ ହୁଅ;

24ଆଉ, ମୋ’ ଅନ୍ତରରେ ଦୁଷ୍ଟତାର କୌଣସି ଆଚରଣ ଅଛି କି ନାହିଁ, ଏହା ଦେଖ,

ପୁଣି, ଅନନ୍ତ ପଥରେ ମୋତେ ଗମନ କରାଅ।

140

ଆଶ୍ରୟ ଭିକ୍ଷା

ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।

1ହେ ସଦାପ୍ରଭୁ, ଦୁର୍ଜ୍ଜନଠାରୁ ମୋତେ ଉଦ୍ଧାର କର;

ଦୌରାତ୍ମ୍ୟକାରୀ ମନୁଷ୍ୟଠାରୁ ମୋତେ ରକ୍ଷା କର।

2ସେମାନେ ମନେ ମନେ କୁକଳ୍ପନା କରନ୍ତି;

ସେମାନେ ଯୁଦ୍ଧ କରିବାକୁ ପ୍ରତି ଦିନ ଏକତ୍ରିତ ହୁଅନ୍ତି।

3ସେମାନେ ସର୍ପ ପରି ଆପଣା ଆପଣା ଜିହ୍ୱା ତୀକ୍ଷ୍ଣ କରିଅଛନ୍ତି;

ସେମାନଙ୍କ ଓଷ୍ଠାଧର ତଳେ କାଳସର୍ପର ଗରଳ ଥାଏ। [ସେଲା]

4ହେ ସଦାପ୍ରଭୁ, ଦୁଷ୍ଟର ହସ୍ତରୁ ମୋତେ ରଖ;

ଦୌରାତ୍ମ୍ୟକାରୀ ମନୁଷ୍ୟଠାରୁ ମୋତେ ରକ୍ଷା କର;

ସେମାନେ ବିପଥକୁ ମୋ’ ଚରଣ ପେଲି ଦେବା ପାଇଁ କଳ୍ପନା କରିଅଛନ୍ତି।

5ଅହଙ୍କାରୀମାନେ ଗୋପନରେ ମୋ’ ପାଇଁ ଫାନ୍ଦ ଓ ଦଉଡ଼ି ପାତିଅଛନ୍ତି।

ସେମାନେ ପଥ ପାର୍ଶ୍ୱରେ ଜାଲ ପ୍ରସାରି ଅଛନ୍ତି;

ସେମାନେ ମୋ’ ପାଇଁ ଯନ୍ତା ବସାଇ ଅଛନ୍ତି। [ସେଲା]

6ମୁଁ ସଦାପ୍ରଭୁଙ୍କୁ କହିଲି, “ତୁମ୍ଭେ ମୋହର ପରମେଶ୍ୱର;

ହେ ସଦାପ୍ରଭୁ, ମୋ’ ନିବେଦନର ରବରେ କର୍ଣ୍ଣପାତ କର।”

7ହେ ମୋ’ ପରିତ୍ରାଣର ବଳ ସ୍ୱରୂପ ପ୍ରଭୁ, ସଦାପ୍ରଭୁ,

ତୁମ୍ଭେ ଯୁଦ୍ଧର ଦିନରେ ମୋ’ ମସ୍ତକ ରକ୍ଷା କରିଅଛ।

8ହେ ସଦାପ୍ରଭୁ, ଦୁଷ୍ଟର ବାଞ୍ଛା ପ୍ରଦାନ କର ନାହିଁ;

ତାହାର କୁକଳ୍ପନା ସିଦ୍ଧ କର ନାହିଁ; କେଜାଣି ସେମାନେ ଆପଣାମାନଙ୍କୁ ଗର୍ବିତ କରିବେ। [ସେଲା]

9ଯେଉଁମାନେ ମୋତେ ଘେରିଅଛନ୍ତି,

ସେମାନଙ୍କ ନିଜ ଓଷ୍ଠାଧରର ଦୌରାତ୍ମ୍ୟ ସେମାନଙ୍କ ମସ୍ତକ ଉପରେ ବର୍ତ୍ତୁ।

10ସେମାନଙ୍କ ଉପରେ ଜ୍ୱଳନ୍ତା ଅଙ୍ଗାର ପଡ଼ୁ।

ସେମାନେ ଅଗ୍ନିରେ ନିକ୍ଷିପ୍ତ ହେଉନ୍ତୁ;

ସେମାନେ ଯେପରି ଆଉ ଉଠି ନ ପାରିବେ, ଏଥିପାଇଁ ଗଭୀର ଗର୍ତ୍ତରେ ନିକ୍ଷିପ୍ତ ହେଉନ୍ତୁ।

11ଦୁର୍ମୁଖ ଲୋକ ପୃଥିବୀରେ ସ୍ଥିର ହେବ ନାହିଁ;

ଉପଦ୍ରବୀକୁ ନିପାତ କରିବା ପାଇଁ ଅମଙ୍ଗଳ ମୃଗୟା କରିବ।

12ସଦାପ୍ରଭୁ ଦୁଃଖୀର ବିବାଦ ଓ

ଦୀନହୀନର ବିଚାର ନିଷ୍ପନ୍ନ କରିବେ, ଏହା ମୁଁ ଜାଣେ।

13ଧାର୍ମିକମାନେ ଅବଶ୍ୟ ତୁମ୍ଭ ନାମର ଧନ୍ୟବାଦ କରିବେ;

ସରଳ ଲୋକମାନେ ତୁମ୍ଭ ଛାମୁରେ ବାସ କରିବେ।

141

ସନ୍ଧ୍ୟା ପ୍ରାର୍ଥନା

ଦାଉଦଙ୍କର ଗୀତ।

1ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ ପ୍ରାର୍ଥନା କରୁଅଛି; ମୋ’ ପକ୍ଷରେ ସତ୍ୱର ହୁଅ;

ମୁଁ ଡାକିବା ବେଳେ ମୋ’ ରବରେ କର୍ଣ୍ଣ ଦିଅ।

2ସୁଗନ୍ଧି ଧୂପ ପରି ମୋ’ ପ୍ରାର୍ଥନା,

ସନ୍ଧ୍ୟାକାଳୀନ ନୈବେଦ୍ୟ ପରି ମୋହର ହସ୍ତ ଉତ୍ତୋଳନ ତୁମ୍ଭ ଛାମୁରେ ଉପସ୍ଥିତ ହେଉ।

3ହେ ସଦାପ୍ରଭୁ, ମୋ’ ମୁଖ ଆଗରେ ପ୍ରହରୀ ନିଯୁକ୍ତ କର;

ମୋ’ ଓଷ୍ଠାଧରର କବାଟ ରକ୍ଷା କର।

4ଅଧର୍ମାଚାରୀ ଲୋକମାନଙ୍କ ସଙ୍ଗେ ଦୁଷ୍ଟ କ୍ରିୟାରେ

ନିଯୁକ୍ତ ହେବା ପାଇଁ କୌଣସି ମନ୍ଦ ବିଷୟରେ ମୋ’ ଚିତ୍ତକୁ ପ୍ରବର୍ତ୍ତାଅ ନାହିଁ

ଓ ସେମାନଙ୍କ ସୁସ୍ୱାଦୁ ଭକ୍ଷ୍ୟ ଭୋଜନ କରିବାକୁ ମୋତେ ଦିଅ ନାହିଁ।

5ଧାର୍ମିକ ଲୋକ ମୋତେ ପ୍ରହାର କରୁ, ତାହା ମୋ’ ପ୍ରତି ଦୟା ହେବ

ଓ ସେ ମୋତେ ଅନୁଯୋଗ କରୁ, ତାହା ମସ୍ତକରେ ତୈଳ ସ୍ୱରୂପ ହେବ;

ମୋ’ ମସ୍ତକ ତାହା ଅଗ୍ରାହ୍ୟ ନ କରୁ;

ସେମାନଙ୍କର ନାନା ଦୁଷ୍ଟତା ସମୟରେ ମୋହର ପ୍ରାର୍ଥନା ଚଳୁଥିବ।

6ସେମାନଙ୍କ ବିଚାରକର୍ତ୍ତାମାନେ ଶୈଳ ପାର୍ଶ୍ୱରେ ନିକ୍ଷିପ୍ତ ହୋଇଅଛନ୍ତି;

ମୋହର ବାକ୍ୟ ମଧୁର, ଏଣୁ ସେମାନେ ତାହା ଶୁଣିବେ।

7କେହି ଭୂମି ଚାଷ ଓ ବିଦୀର୍ଣ୍ଣ କରିବା ବେଳେ ଯେପରି,

ସେପରି କବର ମୁଖରେ ଆମ୍ଭମାନଙ୍କ ଅସ୍ଥିସବୁ ଛିନ୍ନଭିନ୍ନ ହୋଇଅଛି।

8କାରଣ ହେ ପ୍ରଭୁ, ସଦାପ୍ରଭୁ, ମୋ’ ଦୃଷ୍ଟି ତୁମ୍ଭ ଆଡ଼େ ଅଛି;

ମୁଁ ତୁମ୍ଭଠାରେ ଭରସା ରଖିଅଛି; ମୋ’ ପ୍ରାଣକୁ ଅନାଥ କରି ତ୍ୟାଗ କର ନାହିଁ।

9ମୋ’ ନିମନ୍ତେ ସେମାନଙ୍କ ପାତିତ ଫାନ୍ଦରୁ

ଓ ଅଧର୍ମାଚାରୀମାନଙ୍କ ଯନ୍ତାରୁ ମୋତେ ରକ୍ଷା କର।

10ଦୁଷ୍ଟମାନେ ନିଜ ନିଜ ଜାଲରେ ପଡ଼ନ୍ତୁ,

ସେହି ଅବସରରେ ମୁଁ ରକ୍ଷା ପାଏ।

142

ସହାୟତା ପାଇଁ ପ୍ରାର୍ଥନା

ଗୁମ୍ଫାରେ ଥିଲା ବେଳେ ଦାଉଦଙ୍କର ମସ୍କୀଲ୍‍; ପ୍ରାର୍ଥନା।

1ମୁଁ ନିଜ ରବରେ ସଦାପ୍ରଭୁଙ୍କ ନିକଟରେ କାକୂକ୍ତି କରେ;

ମୁଁ ନିଜ ରବରେ ସଦାପ୍ରଭୁଙ୍କ ନିକଟରେ ନିବେଦନ କରେ;

2ମୁଁ ତାହାଙ୍କ ଛାମୁରେ ନିଜ ଦୁଃଖର କଥା ଭାଙ୍ଗି କହେ;

ମୁଁ ତାହାଙ୍କ ଆଗରେ ଆପଣା ଦୁଃଖ ଜଣାଏ।

3ମୋହର ଆତ୍ମା ମୋ’ ଅନ୍ତରରେ ଉଦ୍‍ବିଗ୍ନ ହେବା ବେଳେ

ତୁମ୍ଭେ ମୋହର ମାର୍ଗ ଜାଣିଲ।

ମୋ’ ଗମନ ପଥରେ ସେମାନେ ମୋ’ ପାଇଁ

ଗୋପନରେ ଫାନ୍ଦ ପାତିଅଛନ୍ତି।

4ମୋ’ ଦକ୍ଷିଣ ପାର୍ଶ୍ୱ ନିରୀକ୍ଷଣ କରି ଦେଖ;

ମୋତେ ଜାଣିବା ଲୋକ କେହି ନାହିଁ;

ମୋହର ଆଶ୍ରୟ ବିନଷ୍ଟ ହୋଇଅଛି;

ମୋ’ ପ୍ରାଣ ପାଇଁ କେହି ଚିନ୍ତା କରେ ନାହିଁ।

5ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ କାକୂକ୍ତି କରେ;

ମୁଁ କହିଲି, “ତୁମ୍ଭେ ମୋହର ଆଶ୍ରୟ,

ଜୀବିତ ଲୋକଙ୍କ ଦେଶରେ ତୁମ୍ଭେ ମୋହର ବାଣ୍ଟ।

6ମୋ’ କାକୂକ୍ତିରେ ମନୋଯୋଗ କର;

କାରଣ ମୁଁ ଅତି ଅଧୋନତ ହୋଇଅଛି;

ମୋ’ ତାଡ଼ନାକାରୀମାନଙ୍କଠାରୁ ମୋତେ ଉଦ୍ଧାର କର;

କାରଣ ସେମାନେ ମୋ’ ଅପେକ୍ଷା ବଳବାନ।

7କାରାଗାରରୁ ମୋ’ ପ୍ରାଣ ଉଦ୍ଧାର କର,

ତହିଁରେ ମୁଁ ତୁମ୍ଭ ନାମକୁ ଧନ୍ୟବାଦ ଦେବି;

ଧାର୍ମିକମାନେ ମୋତେ ବେଷ୍ଟନ କରିବେ;

କାରଣ ତୁମ୍ଭେ ମୋହର ପ୍ରଚୁର ମଙ୍ଗଳ କରିବ।”

143

ସହାୟତା ପାଇଁ ପ୍ରାର୍ଥନା

ଦାଉଦଙ୍କର ଗୀତ।

1ହେ ସଦାପ୍ରଭୁ, ମୋହର ପ୍ରାର୍ଥନା ଶୁଣ; ମୋ’ ନିବେଦନରେ କର୍ଣ୍ଣପାତ କର;

ତୁମ୍ଭର ବିଶ୍ୱସ୍ତତା ଓ ଧର୍ମରେ ମୋତେ ଉତ୍ତର ଦିଅ।

2ନିଜ ଦାସକୁ ବିଚାରରେ ଆଣ ନାହିଁ;

କାରଣ ତୁମ୍ଭ ଦୃଷ୍ଟିରେ କୌଣସି ଜୀବିତ ମନୁଷ୍ୟ ଧାର୍ମିକ ହୋଇ ପାରିବ ନାହିଁ।

3ଶତ୍ରୁ ମୋ’ ପ୍ରାଣକୁ ତାଡ଼ନା କରିଅଛି;

ସେ ମୋ’ ଜୀବନକୁ ଭୂମିରେ ଚୂର୍ଣ୍ଣ କରିଅଛି;

ସେ ବହୁ କାଳରୁ ମୃତ ଲୋକମାନଙ୍କ ତୁଲ୍ୟ ମୋତେ ଅନ୍ଧକାର ସ୍ଥାନରେ ବାସ କରାଇ ଅଛି।

4ଏହେତୁ ମୋହର ଆତ୍ମା ମୋ’ ଅନ୍ତରରେ ଉଦ୍‍ବିଗ୍ନ ହୋଇଅଛି;

ମୋ’ ଅନ୍ତରରେ ମୋହର ଚିତ୍ତ ଶୂନ୍ୟ ହୋଇଅଛି।

5ମୁଁ ପୂର୍ବକାଳର ଦିନସବୁ ସ୍ମରଣ କରୁଅଛି;

ମୁଁ ତୁମ୍ଭର କର୍ମସବୁ ଧ୍ୟାନ କରୁଅଛି;

ମୁଁ ତୁମ୍ଭର ହସ୍ତକୃତ କର୍ମ ଚିନ୍ତା କରୁଅଛି।

6ମୁଁ ତୁମ୍ଭଆଡ଼େ ହସ୍ତ ପ୍ରସାରୁ ଅଛି;

ଶୁଷ୍କ ଭୂମି ତୁଲ୍ୟ ମୋ’ ପ୍ରାଣ ତୁମ୍ଭ ପାଇଁ ତୃଷିତ ହେଉଅଛି। [ସେଲା]

7ହେ ସଦାପ୍ରଭୁ, ମୋତେ ଉତ୍ତର ଦେବାକୁ ସତ୍ୱର ହୁଅ; ମୋହର ଆତ୍ମା କ୍ଷୀଣ ହେଉଅଛି;

ମୋ’ଠାରୁ ଆପଣା ମୁଖ ଲୁଚାଅ ନାହିଁ;

କେଜାଣି ମୁଁ ଗର୍ତ୍ତଗାମୀମାନଙ୍କ ତୁଲ୍ୟ ହେବି।

8ପ୍ରଭାତରେ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣାର କଥା ମୋତେ ଶୁଣାଅ;

କାରଣ ମୁଁ ତୁମ୍ଭଠାରେ ଭରସା ରଖେ;

ମୋହର ଗନ୍ତବ୍ୟ ପଥ ମୋତେ ଜଣାଅ;

କାରଣ ମୁଁ ତୁମ୍ଭଆଡ଼େ ଆପଣା ପ୍ରାଣ ଉଠାଏ।

9ହେ ସଦାପ୍ରଭୁ, ମୋ’ ଶତ୍ରୁଗଣଠାରୁ ମୋତେ ଉଦ୍ଧାର କର;

ମୁଁ ଲୁଚିବା ପାଇଁ ତୁମ୍ଭ ନିକଟକୁ ପଳାଏ।

10ତୁମ୍ଭର ଇଷ୍ଟ ସାଧନ କରିବାକୁ ମୋତେ ଶିକ୍ଷା ଦିଅ;

କାରଣ ତୁମ୍ଭେ ମୋହର ପରମେଶ୍ୱର;

ତୁମ୍ଭର ଆତ୍ମା ମଙ୍ଗଳମୟ; ମୋତେ ସରଳ ଭୂମିରେ ଗମନ କରାଅ।

11ହେ ସଦାପ୍ରଭୁ, ତୁମ୍ଭ ନାମ ସକାଶୁ ମୋତେ ସଜୀବ କର;

ତୁମ୍ଭ ଧର୍ମରେ ମୋ’ ପ୍ରାଣକୁ ସଙ୍କଟରୁ ବାହାର କରି ଆଣ।

12ପୁଣି, ତୁମ୍ଭ ସ୍ନେହପୂର୍ଣ୍ଣ କରୁଣାରେ ମୋ’ ଶତ୍ରୁମାନଙ୍କୁ ଉଚ୍ଛିନ୍ନ କର

ଓ ମୋ’ ପ୍ରାଣର କ୍ଳେଶଦାୟୀ ସମସ୍ତଙ୍କୁ ନାଶ କର;

କାରଣ ମୁଁ ତୁମ୍ଭର ଦାସ।

144

ରାଜାଙ୍କ ବିଜୟୋଲ୍ଲାସ ସ୍ତୁତି

ଦାଉଦଙ୍କର ଗୀତ।

1ମୋହର ଶୈଳ ସ୍ୱରୂପ ସଦାପ୍ରଭୁ ଧନ୍ୟ ହେଉନ୍ତୁ,

ସେ ମୋ’ ହସ୍ତକୁ ଯୁଦ୍ଧ ଶିଖାନ୍ତି

ଓ ମୋ’ ଅଙ୍ଗୁଳିକୁ ସଂଗ୍ରାମ ଶିଖାନ୍ତି।

2ସେ ମୋହର ସ୍ନେହପୂର୍ଣ୍ଣ କରୁଣା ଓ ମୋହର ଗଡ଼,

ମୋହର ଉଚ୍ଚ ଦୁର୍ଗ ଓ ମୋହର ଉଦ୍ଧାରକର୍ତ୍ତା,

ମୋହର ଢାଲ ଓ ସେ ମୋହର ଆଶ୍ରୟଭୂମି;

ସେ ଗୋଷ୍ଠୀସମୂହକୁ144:2 ଗୋଷ୍ଠୀସମୂହକୁ ମୋ’ ଲୋକମାନଙ୍କୁ ମୋ’ ପଦତଳେ ବଶୀଭୂତ କରନ୍ତି।

3ହେ ସଦାପ୍ରଭୁ, ମନୁଷ୍ୟ କିଏ ଯେ, ତୁମ୍ଭେ ତାହାର ପରିଚୟ ନିଅ ?

ସେ144:3 ସେ ମନୁଷ୍ୟ-ସନ୍ତାନ ଅବା କିଏ ଯେ, ତୁମ୍ଭେ ତାହାକୁ ଗଣ୍ୟ କର ?

4ମନୁଷ୍ୟ ଅସାର ବସ୍ତୁ ତୁଲ୍ୟ;

ତାହାର ଦିନସବୁ ବହିଯିବା ଛାୟା ତୁଲ୍ୟ।

5ହେ ସଦାପ୍ରଭୁ, ଆପଣା ଗଗନମଣ୍ଡଳ ନୁଆଁଇ ତଳକୁ ଆସ;

ପର୍ବତଗଣକୁ ସ୍ପର୍ଶ କର, ତହିଁରେ ସେମାନେ ଧୂମ ନିର୍ଗତ କରିବେ।

6ବିଜୁଳି ନିକ୍ଷେପ କରି ସେମାନଙ୍କୁ ଛିନ୍ନଭିନ୍ନ କର;

ଆପଣା ତୀର ମାରି ସେମାନଙ୍କୁ ପରାସ୍ତ କର।

7ଊର୍ଦ୍ଧ୍ୱରୁ ଆପଣା ହସ୍ତ ବଢ଼ାଅ;

ମୋତେ ରକ୍ଷା କର, ମହାଜଳରାଶିରୁ ମୋତେ ଉଦ୍ଧାର କର;

ପୁଣି, ଯେଉଁମାନଙ୍କ ମୁଖ ଅସାର କଥା କହଇ

8ଓ ଯେଉଁମାନଙ୍କ ଦକ୍ଷିଣ ହସ୍ତ ଅସତ୍ୟର ଦକ୍ଷିଣ ହସ୍ତ,

ଏପରି ବିଦେଶୀୟମାନଙ୍କ ହସ୍ତରୁ ମୋତେ ଉଦ୍ଧାର କର।

9ହେ ପରମେଶ୍ୱର, ମୁଁ ତୁମ୍ଭ ଉଦ୍ଦେଶ୍ୟରେ ନୂତନ ଗୀତ ଗାନ କରିବି;

ଦଶତାର-ଯନ୍ତ୍ରରେ ତୁମ୍ଭ ଉଦ୍ଦେଶ୍ୟରେ ମୁଁ ପ୍ରଶଂସା ଗାନ କରିବି।

10ସେ ରାଜାମାନଙ୍କୁ ପରିତ୍ରାଣ ପ୍ରଦାନ କରନ୍ତି;

ସେ ଆପଣା ଦାସ ଦାଉଦକୁ କ୍ଷତିକାରକ ଖଡ୍ଗରୁ ରକ୍ଷା କରନ୍ତି।

11ମୋତେ ରକ୍ଷା କର ଓ ଯେଉଁମାନଙ୍କର ମୁଖ ଅସାର କଥା କହଇ,

ପୁଣି, ଯେଉଁମାନଙ୍କ ଦକ୍ଷିଣ ହସ୍ତ ଅସତ୍ୟର ଦକ୍ଷିଣ ହସ୍ତ,

ଏପରି ବିଦେଶୀୟମାନଙ୍କ ହସ୍ତରୁ ମୋତେ ଉଦ୍ଧାର କର।

12ଯେତେବେଳେ ଆମ୍ଭମାନଙ୍କ ପୁତ୍ରଗଣ ଯୌବନାବସ୍ଥାରେ ବୃକ୍ଷର ଚାରା ତୁଲ୍ୟ ବର୍ଦ୍ଧନଶୀଳ ହେବେ

ଓ ଆମ୍ଭମାନଙ୍କ କନ୍ୟାଗଣ ଅଟ୍ଟାଳିକାର ଗଠନାନୁସାରେ ଖୋଦିତ କୋଣ-ପ୍ରସ୍ତର ତୁଲ୍ୟ ହେବେ;

13ଆମ୍ଭମାନଙ୍କ ଭଣ୍ଡାରସବୁ ପରିପୂର୍ଣ୍ଣ; ସର୍ବପ୍ରକାର ଦ୍ରବ୍ୟବିଶିଷ୍ଟ ହେବ;

ଆମ୍ଭମାନଙ୍କ ମେଷଗଣ ଆମ୍ଭମାନଙ୍କ କ୍ଷେତ୍ରରେ ସହସ୍ର ସହସ୍ର ଓ ଅୟୁତ ଅୟୁତ ଶାବକ ପ୍ରସବ କରିବେ;

14ଆମ୍ଭମାନଙ୍କ ବଳଦସବୁ ଉତ୍ତମ ରୂପେ ବୋଝାଇ ହେବେ;

କୌଣସି ଭଗ୍ନଦଶା ଓ ବହିର୍ଗମନ ଘଟିବ ନାହିଁ, ପୁଣି,

ଆମ୍ଭମାନଙ୍କ ଛକ ସ୍ଥାନରେ କୌଣସି କୋଳାହଳ ହେବ ନାହିଁ;

15ଏହିପରି ଅବସ୍ଥାପନ୍ନ ଗୋଷ୍ଠୀ ଧନ୍ୟ;

ହଁ, ସଦାପ୍ରଭୁ ଯେଉଁ ଗୋଷ୍ଠୀର ପରମେଶ୍ୱର, ସେ ଧନ୍ୟ !

145

ସ୍ତୁତିଗାନ

ପ୍ରଶଂସାର ଗୀତ; ଦାଉଦଙ୍କ ରଚିତ।

1ହେ ରାଜନ୍‍, ମୋହର ପରମେଶ୍ୱର, ମୁଁ ତୁମ୍ଭର ପ୍ରତିଷ୍ଠା କରିବି;

ମୁଁ ସଦାସର୍ବଦା ତୁମ୍ଭ ନାମର ଧନ୍ୟବାଦ କରିବି,

2ପ୍ରତି ଦିନ ମୁଁ ତୁମ୍ଭର ଧନ୍ୟବାଦ କରିବି;

ପୁଣି, ସଦାସର୍ବଦା ମୁଁ ତୁମ୍ଭ ନାମର ପ୍ରଶଂସା କରିବି।

3ସଦାପ୍ରଭୁ ମହାନ ଓ ଅତ୍ୟନ୍ତ ପ୍ରଶଂସନୀୟ;

ପୁଣି, ତାହାଙ୍କ ମାହାତ୍ମ୍ୟ ଅନନୁସନ୍ଧେୟ।

4ଲୋକମାନେ ପୁରୁଷାନୁକ୍ରମେ ତୁମ୍ଭ କ୍ରିୟାସକଳର ପ୍ରଶଂସା କରିବେ

ଓ ତୁମ୍ଭ ବିକ୍ରମର କର୍ମ ପ୍ରଚାର କରିବେ।

5ସେମାନେ ତୁମ୍ଭ ଗୌରବଯୁକ୍ତ ପ୍ରତାପର ଆଦରଣୀୟତା ବିଷୟ ପରସ୍ପର ମଧ୍ୟରେ କହିବେ ଓ

ମୁଁ ତୁମ୍ଭ ଆଶ୍ଚର୍ଯ୍ୟକ୍ରିୟାର ବିଷୟ ଧ୍ୟାନ କରିବି।

6ପୁଣି, ଲୋକମାନେ ତୁମ୍ଭ ଭୟାନକ କର୍ମର ପ୍ରଭାବ ବ୍ୟକ୍ତ କରିବେ;

ପୁଣି, ମୁଁ ତୁମ୍ଭର ମାହାତ୍ମ୍ୟ ପ୍ରଚାର କରିବି।

7ସେମାନେ ତୁମ୍ଭର ମହାମଙ୍ଗଳଭାବ ବର୍ଣ୍ଣନା କରିବେ

ଓ ତୁମ୍ଭ ଧର୍ମ ବିଷୟ ଗାନ କରିବେ।

8ସଦାପ୍ରଭୁ କୃପାବାନ ଓ ସ୍ନେହଶୀଳ;

କ୍ରୋଧରେ ଧୀର ଓ ଦୟାରେ ମହାନ।

9ସଦାପ୍ରଭୁ ସମସ୍ତଙ୍କ ପ୍ରତି ମଙ୍ଗଳମୟ;

ପୁଣି, ତାହାଙ୍କ ହସ୍ତକୃତ ସମସ୍ତ କର୍ମ ଉପରେ ତାହାଙ୍କର ଦୟା ଥାଏ।

10ହେ ସଦାପ୍ରଭୁ, ତୁମ୍ଭର ସମୁଦାୟ କର୍ମ ତୁମ୍ଭର ଧନ୍ୟବାଦ କରିବ;

ତୁମ୍ଭର ସଦ୍‍ଭକ୍ତମାନେ ତୁମ୍ଭର ଧନ୍ୟବାଦ କରିବେ;

11ସେମାନେ ତୁମ୍ଭ ରାଜ୍ୟର ଗୌରବ ବ୍ୟକ୍ତ କରି

ଓ ତୁମ୍ଭ ପରାକ୍ରମ ବିଷୟରେ କଥୋପକଥନ କରି,

12ମନୁଷ୍ୟ-ସନ୍ତାନଗଣକୁ ତାହାଙ୍କ ବିକ୍ରମର କାର୍ଯ୍ୟସବୁ

ଓ ତାହାଙ୍କ ରାଜ୍ୟର ଗୌରବଯୁକ୍ତ ପ୍ରଭାବ ଜଣାଇବେ।

13ତୁମ୍ଭର ରାଜ୍ୟ ଅନନ୍ତକାଳସ୍ଥାୟୀ ରାଜ୍ୟ

ଓ ତୁମ୍ଭର କର୍ତ୍ତୃତ୍ୱସକଳ ପୁରୁଷାନୁକ୍ରମସ୍ଥାୟୀ।

14ସଦାପ୍ରଭୁ ସମସ୍ତ ପଡ଼ିବା ଲୋକଙ୍କୁ ଧରି ରଖନ୍ତି

ଓ ନଇଁ ପଡ଼ିବା ଲୋକଙ୍କୁ ଉଠାନ୍ତି।

15ସମସ୍ତଙ୍କର ଚକ୍ଷୁ ତୁମ୍ଭ ଅପେକ୍ଷାରେ ଥାଏ;

ତୁମ୍ଭେ ଉପଯୁକ୍ତ ସମୟରେ ସେମାନଙ୍କୁ ଆହାର ଦେଉଅଛ।

16ତୁମ୍ଭେ ଆପଣା ହସ୍ତ ମେଲାଇ

ପ୍ରତ୍ୟେକ ପ୍ରାଣୀର କାମନା ପୂର୍ଣ୍ଣ କରୁଅଛ।

17ସଦାପ୍ରଭୁ ଆପଣାର ସକଳ ପଥରେ ଧର୍ମମୟ

ଓ ଆପଣାର ସମସ୍ତ କାର୍ଯ୍ୟରେ ଦୟାଳୁ ଅଟନ୍ତି,

18ସଦାପ୍ରଭୁ ଆପଣା ନିକଟରେ ପ୍ରାର୍ଥନାକାରୀ,

ସତ୍ୟ ଭାବରେ ପ୍ରାର୍ଥନାକାରୀ ସମସ୍ତଙ୍କର ନିକଟବର୍ତ୍ତୀ ଅଟନ୍ତି।

19ସେ ଆପଣା ଭୟକାରୀମାନଙ୍କର ବାଞ୍ଛା ପୂର୍ଣ୍ଣ କରିବେ;

ଆହୁରି, ସେ ସେମାନଙ୍କର କାକୂକ୍ତି ଶୁଣିବେ ଓ ସେମାନଙ୍କୁ ପରିତ୍ରାଣ କରିବେ।

20ସଦାପ୍ରଭୁ ଆପଣା ପ୍ରେମକାରୀ ସମସ୍ତଙ୍କୁ ରକ୍ଷା କରନ୍ତି;

ମାତ୍ର ଦୁଷ୍ଟ ସମସ୍ତଙ୍କୁ ସେ ସଂହାର କରିବେ।

21ଆମ୍ଭର ମୁଖ ସଦାପ୍ରଭୁଙ୍କର ପ୍ରଶଂସା ବ୍ୟକ୍ତ କରିବ

ଓ ସମୁଦାୟ ପ୍ରାଣୀ ଅନନ୍ତକାଳ ତାହାଙ୍କ ପବିତ୍ର ନାମର ଧନ୍ୟବାଦ କରନ୍ତୁ।

146

ତ୍ରାଣକର୍ତ୍ତା ପ୍ରଭୁଙ୍କ ସ୍ତୁତିଗାନ

1ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।

ହେ ମୋହର ମନ, ସଦାପ୍ରଭୁଙ୍କର ପ୍ରଶଂସା କର।

2ମୁଁ ବଞ୍ଚିଥିବାଯାଏ ସଦାପ୍ରଭୁଙ୍କର ପ୍ରଶଂସା କରିବି;

ଯେପର୍ଯ୍ୟନ୍ତ ମୋହର କୌଣସି ସତ୍ତା ଥାଏ, ସେପର୍ଯ୍ୟନ୍ତ ମୁଁ ଆପଣା ପରମେଶ୍ୱରଙ୍କର ପ୍ରଶଂସାଗାନ କରିବି।

3ତୁମ୍ଭେମାନେ ଅଧିପତିମାନଙ୍କ ଉପରେ,

କିଅବା ଯାହାଠାରେ କୌଣସି ସାହାଯ୍ୟ ନାହିଁ, ଏପରି ମନୁଷ୍ୟ ସନ୍ତାନ ଉପରେ ନିର୍ଭର କର ନାହିଁ।

4ତାହାର ନିଃଶ୍ୱାସ ବାହାରି ଯାଏ, ସେ ନିଜ ମୃତ୍ତିକାକୁ ଫେରିଯାଏ;

ସେହି ଦିନ ତାହାର ସଂକଳ୍ପସବୁ ନଷ୍ଟ ହୁଏ।

5ଯାକୁବର ପରମେଶ୍ୱର ଯାହାର ସାହାଯ୍ୟ ସ୍ୱରୂପ,

ସଦାପ୍ରଭୁ ଆପଣା ପରମେଶ୍ୱର ଯାହାର ଆଶାଭୂମି, ସେ ଲୋକ ଧନ୍ୟ;

6ସେ ଆକାଶମଣ୍ଡଳ ଓ ପୃଥିବୀ, ସମୁଦ୍ର

ଓ ତନ୍ମଧ୍ୟସ୍ଥସକଳ ନିର୍ମାଣ କଲେ;

ସେ ସଦାକାଳ ସତ୍ୟ ପାଳନ କରନ୍ତି;

7ସେ ଉପଦ୍ରବଗ୍ରସ୍ତ ଲୋକ ପକ୍ଷରେ ନ୍ୟାୟ ବିଚାର କରନ୍ତି;

ସେ କ୍ଷୁଧିତକୁ ଭକ୍ଷ୍ୟ ଦିଅନ୍ତି;

ସଦାପ୍ରଭୁ ବନ୍ଦୀଗଣକୁ ମୁକ୍ତ କରନ୍ତି।

8ସଦାପ୍ରଭୁ ଅନ୍ଧମାନଙ୍କର ଚକ୍ଷୁ ପ୍ରସନ୍ନ କରନ୍ତି;

ସଦାପ୍ରଭୁ ନଇଁ ପଡ଼ିବା ଲୋକମାନଙ୍କୁ ଉଠାନ୍ତି;

ସଦାପ୍ରଭୁ ଧାର୍ମିକମାନଙ୍କୁ ପ୍ରେମ କରନ୍ତି।

9ସଦାପ୍ରଭୁ ବିଦେଶୀମାନଙ୍କୁ ରକ୍ଷା କରନ୍ତି;

ସେ ପିତୃହୀନ ଓ ବିଧବାକୁ ଧରି ରଖନ୍ତି;

ମାତ୍ର ଦୁଷ୍ଟମାନଙ୍କର ଗତି ସେ ଓଲଟାଇ ପକାନ୍ତି।

10ସଦାପ୍ରଭୁ ଅନନ୍ତକାଳ ରାଜ୍ୟ କରିବେ,

ହେ ସିୟୋନ, ତୁମ୍ଭର ପରମେଶ୍ୱର ସକଳ ପୁରୁଷାନୁକ୍ରମରେ ରାଜ୍ୟ କରିବେ।

ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।

147

ସର୍ବଶକ୍ତିମାନ ପରମେଶ୍ୱରଙ୍କର ସ୍ତୁତିଗାନ

1ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।

କାରଣ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବାର ଉତ୍ତମ;

ଯେହେତୁ ତାହା ମନୋହର ଓ ପ୍ରଶଂସା ଶୋଭନୀୟ।

2ସଦାପ୍ରଭୁ ଯିରୂଶାଲମକୁ ଗଢ଼ନ୍ତି;

ସେ ଇସ୍ରାଏଲର ଦୂରୀକୃତ ଲୋକମାନଙ୍କୁ ସଂଗ୍ରହ କରନ୍ତି।

3ସେ ଭଗ୍ନାନ୍ତଃକରଣମାନଙ୍କୁ ସୁସ୍ଥ କରନ୍ତି

ଓ ସେମାନଙ୍କ କ୍ଷତସବୁ ବାନ୍ଧନ୍ତି।

4ସେ ତାରାଗଣର ସଂଖ୍ୟା କରନ୍ତି;

ସେ ସମସ୍ତଙ୍କୁ ସେମାନଙ୍କ ନାମ ଦିଅନ୍ତି।

5ଆମ୍ଭମାନଙ୍କର ପ୍ରଭୁ ମହାନ ଓ ଅତିଶୟ ଶକ୍ତିମାନ;

ତାହାଙ୍କର ବୁଦ୍ଧି ଅସୀମ।

6ସଦାପ୍ରଭୁ ନମ୍ର ଲୋକଙ୍କୁ ଧରି ରଖନ୍ତି;

ସେ ଦୁଷ୍ଟମାନଙ୍କୁ ଭୂମିସାତ୍‍ କରନ୍ତି।

7ଧନ୍ୟବାଦ କରି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କର;

ବୀଣା ଯନ୍ତ୍ରରେ ଆମ୍ଭମାନଙ୍କ ପରମେଶ୍ୱରଙ୍କର ପ୍ରଶଂସା ଗାନ କର;

8ସେ ଆକାଶକୁ ମେଘମାଳାରେ ଆଚ୍ଛନ୍ନ କରନ୍ତି,

ସେ ପୃଥିବୀ ନିମନ୍ତେ ବୃଷ୍ଟି ପ୍ରସ୍ତୁତ କରନ୍ତି,

ସେ ପର୍ବତଗଣରେ ତୃଣ ଉତ୍ପାଦନ କରନ୍ତି।

9ସେ ପଶୁକୁ ତାହାର ଆହାର ଦିଅନ୍ତି

ଓ ରାବନ୍ତା ଡାମରା କାଉ ଛୁଆମାନଙ୍କୁ ଆହାର ଦିଅନ୍ତି।

10ସେ ଅଶ୍ୱର ବଳରେ ସନ୍ତୁଷ୍ଟ ନୁହଁନ୍ତି;

ସେ ମନୁଷ୍ୟର ଚରଣରେ ତୁଷ୍ଟ ନୁହଁନ୍ତି।

11ସଦାପ୍ରଭୁ ଆପଣା ଭୟକାରୀମାନଙ୍କଠାରେ ଓ

ତାହାଙ୍କ ଦୟାରେ ଭରସାକାରୀମାନଙ୍କଠାରେ ତୁଷ୍ଟ ଅଟନ୍ତି।

12ହେ ଯିରୂଶାଲମ, ସଦାପ୍ରଭୁଙ୍କର ପ୍ରଶଂସା କର;

ହେ ସିୟୋନ, ତୁମ୍ଭ ପରମେଶ୍ୱରଙ୍କର ପ୍ରଶଂସା କର;

13କାରଣ ସେ ତୁମ୍ଭ ଦ୍ୱାରର ଅର୍ଗଳସବୁ ଦୃଢ଼ କରିଅଛନ୍ତି;

ସେ ତୁମ୍ଭ ମଧ୍ୟବର୍ତ୍ତୀ ତୁମ୍ଭ ସନ୍ତାନଗଣକୁ ଆଶୀର୍ବାଦ କରିଅଛନ୍ତି।

14ସେ ତୁମ୍ଭ ସୀମା ମଧ୍ୟରେ ଶାନ୍ତି ସ୍ଥାପନ କରନ୍ତି;

ସେ ସର୍ବୋତ୍ତମ ଗହମରେ ତୁମ୍ଭକୁ ତୃପ୍ତ କରନ୍ତି।

15ସେ ପୃଥିବୀରେ ଆପଣା ଆଜ୍ଞା ପ୍ରେରଣ କରନ୍ତି;

ତାହାଙ୍କ ବାକ୍ୟ ଅତି ଶୀଘ୍ର ଦୌଡ଼ଇ।

16ସେ ମେଷଲୋମ ପରି ତୁଷାର ଦିଅନ୍ତି;

ସେ ଭସ୍ମ ତୁଲ୍ୟ ନୀହାର ବିଞ୍ଚି ଦିଅନ୍ତି।

17ସେ ଖଣ୍ଡ ଖଣ୍ଡ ଆହାର ପରି ବରଫ ପକାଇ ଦିଅନ୍ତି;

ତାହାଙ୍କ ଶୀତ ଆଗରେ କିଏ ଠିଆ ହୋଇପାରେ ?

18ସେ ଆପଣା ବାକ୍ୟ ପଠାଇ ସେସବୁ ତରଳାଇ ପକାନ୍ତି;

ସେ ଆପଣା ବାୟୁ ବହାଇଲେ ଜଳ ପ୍ରବାହିତ ହୁଏ।

19ସେ ଯାକୁବ ପ୍ରତି ଆପଣା ବାକ୍ୟ, ଇସ୍ରାଏଲ ପ୍ରତି

ଆପଣା ବିଧି ଓ ଶାସନ ପ୍ରକାଶ କରନ୍ତି।

20ସେ କୌଣସି ଗୋଷ୍ଠୀ ପ୍ରତି ଏପରି ବ୍ୟବହାର କରି ନାହାନ୍ତି;

ତାହାଙ୍କ ଶାସନ ବିଷୟ କହିବାକୁ ଗଲେ, ସେମାନେ ତାହା ଜାଣି ନାହାନ୍ତି।

ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।

148

ସଦାପ୍ରଭୁଙ୍କ ସ୍ତୁତି ପାଇଁ ବିଶ୍ୱକୁ ଆହ୍ୱାନ

1ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।

ତୁମ୍ଭେମାନେ ଆକାଶମଣ୍ଡଳରୁ ତାହାଙ୍କର ପ୍ରଶଂସା କର;

ଊର୍ଦ୍ଧ୍ୱ ସ୍ଥାନରେ ତାହାଙ୍କର ପ୍ରଶଂସା କର।

2ହେ ତାହାଙ୍କର ଦୂତ ସମସ୍ତେ, ତୁମ୍ଭେମାନେ ତାହାଙ୍କର ପ୍ରଶଂସା କର;

ହେ ତାହାଙ୍କର ସୈନ୍ୟ ସମସ୍ତେ, ତୁମ୍ଭେମାନେ ତାହାଙ୍କର ପ୍ରଶଂସା କର।

3ହେ ସୂର୍ଯ୍ୟ ଓ ଚନ୍ଦ୍ର, ତୁମ୍ଭେମାନେ ତାହାଙ୍କର ପ୍ରଶଂସା କର।

ହେ ଦୀପ୍ତିମୟ ତାରା ସମସ୍ତେ, ତୁମ୍ଭେମାନେ ତାହାଙ୍କର ପ୍ରଶଂସା କର।

4ହେ ସ୍ୱର୍ଗର ସ୍ୱର୍ଗ ଓ ଗଗନୋପରିସ୍ଥ ଜଳସମୂହ,

ତୁମ୍ଭେମାନେ ତାହାଙ୍କର ପ୍ରଶଂସା କର।

5ଏମାନେ ସଦାପ୍ରଭୁଙ୍କ ନାମର ପ୍ରଶଂସା କରନ୍ତୁ;

କାରଣ ସେ ଆଜ୍ଞା କରନ୍ତେ, ଏମାନେ ସୃଷ୍ଟ ହେଲେ।

6ଆହୁରି, ସେ ସଦାକାଳ ପାଇଁ ଏମାନଙ୍କୁ ସ୍ଥାପନ କରିଅଛନ୍ତି;

ସେ ନିୟମ କରିଅଛନ୍ତି, ତାହା ଲୁପ୍ତ ହେବ ନାହିଁ।

7ପୃଥିବୀରୁ ସଦାପ୍ରଭୁଙ୍କର ପ୍ରଶଂସା କର,

ହେ ତିମିଙ୍ଗିଳ ଓ ସକଳ ବାରିଧି;

8ଅଗ୍ନି148:8 ଅଗ୍ନି ବିଜୁଳି ଓ ଶିଳା, ହିମ ଓ ବାଷ୍ପ;

ତାହାଙ୍କ ବାକ୍ୟସାଧକ ପ୍ରଚଣ୍ଡ ବାୟୁ;

9ପର୍ବତ ଓ ସକଳ ଉପପର୍ବତ;

ଫଳବାନ ବୃକ୍ଷ ଓ ସକଳ ଏରସ ବୃକ୍ଷ;

10ବନ୍ୟ ଓ ସକଳ ଗ୍ରାମ୍ୟ ପଶୁ;

ଉରୋଗାମୀ ଓ ଉଡ୍‍ଡୀୟମାନ ପକ୍ଷୀଗଣ;

11ପୃଥିବୀର ରାଜାଗଣ ଓ ସକଳ ଗୋଷ୍ଠୀ;

ଅଧିପତିଗଣ ଓ ପୃଥିବୀର ସକଳ ବିଚାରକର୍ତ୍ତା।

12ଯୁବକ ଓ ଯୁବତୀମାନେ;

ବୃଦ୍ଧ ଓ ବାଳକମାନେ;

13ସେସମସ୍ତେ ସଦାପ୍ରଭୁଙ୍କ ନାମର ପ୍ରଶଂସା କରନ୍ତୁ;

କାରଣ କେବଳ ତାହାଙ୍କ ନାମ ଉନ୍ନତ ଅଟେ;

ତାହାଙ୍କର ମହିମା ପୃଥିବୀ ଓ ସ୍ୱର୍ଗର ଉପରିସ୍ଥ।

14ସେ ଆପଣା ଲୋକମାନଙ୍କ ଶୃଙ୍ଗ ଉଠାଇ ଅଛନ୍ତି,

ତାହା ତାହାଙ୍କ ସଦ୍‍ଭକ୍ତମାନଙ୍କର ଓ

ତାହାଙ୍କ ନିକଟବର୍ତ୍ତୀ ଇସ୍ରାଏଲ ସନ୍ତାନଗଣର ପ୍ରଶଂସାର ବିଷୟ।

ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।

149

ସ୍ତୁତି ଭଜନ

1ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।

ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୂତନ ଗୀତ ଗାନ କର ଓ

ଭକ୍ତମାନଙ୍କ ସମାଜରେ ତାହାଙ୍କର ପ୍ରଶଂସା ଗାନ କର।

2ଇସ୍ରାଏଲ ଆପଣା ନିର୍ମାଣକର୍ତ୍ତାଙ୍କଠାରେ ଆନନ୍ଦ କରୁ;

ସିୟୋନର ସନ୍ତାନଗଣ ଆପଣାମାନଙ୍କ ରାଜାଙ୍କଠାରେ ଉଲ୍ଲସିତ ହେଉନ୍ତୁ।

3ସେମାନେ ନୃତ୍ୟ କରି ତାହାଙ୍କ ନାମର ପ୍ରଶଂସା କରନ୍ତୁ;

ସେମାନେ ଦାରା ଓ ବୀଣା ବଜାଇ ତାହାଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରନ୍ତୁ।

4କାରଣ ସଦାପ୍ରଭୁ ଆପଣା ଲୋକଙ୍କଠାରେ ସନ୍ତୋଷ ପାଆନ୍ତି;

ସେ ନମ୍ର ଲୋକମାନଙ୍କୁ ପରିତ୍ରାଣରେ ସୁଶୋଭିତ କରିବେ।

5ଭକ୍ତଗଣ ବିଜୟରେ149:5 ବିଜୟରେ ଗୌରବରେ ଉଲ୍ଲସିତ ହେଉନ୍ତୁ;

ସେମାନେ ଆନନ୍ଦ ହେତୁ ଆପଣା ଆପଣା ଶଯ୍ୟାରେ ଗାନ କରନ୍ତୁ।

ସେମାନଙ୍କ କଣ୍ଠରେ ପରମେଶ୍ୱରଙ୍କ ଉଚ୍ଚ ପ୍ରଶଂସା ଥାଉ;

6ପୁଣି, ସେମାନଙ୍କ ହସ୍ତରେ ଦ୍ୱିବିଧ ଖଡ୍ଗ ଥାଉ।

7ଗୋଷ୍ଠୀୟମାନଙ୍କୁ ପ୍ରତିଫଳ ଦେବା ପାଇଁ,

ଜନବୃନ୍ଦଙ୍କୁ ଶାସ୍ତି ଦେବା ପାଇଁ,

8ସେମାନଙ୍କ ରାଜାଗଣକୁ ଶିକୁଳିରେ

ଓ ସେମାନଙ୍କ ପ୍ରଧାନବର୍ଗକୁ ଲୌହବେଡ଼ିରେ ବାନ୍ଧିବା ପାଇଁ,

9ସେମାନଙ୍କ ପ୍ରତିକୂଳରେ ଲିଖିତ ବିଚାର ନିଷ୍ପନ୍ନ କରିବା ପାଇଁ,

ତାହାଙ୍କ ଭକ୍ତବୃନ୍ଦର ଏହି ମର୍ଯ୍ୟାଦା।

ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।

150

ପରମେଶ୍ୱରଙ୍କ ସ୍ତୁତିଗାନ

1ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।

ପରମେଶ୍ୱରଙ୍କ ପବିତ୍ର ସ୍ଥାନରେ ତାହାଙ୍କର ପ୍ରଶଂସା କର;

ତାହାଙ୍କ ପରାକ୍ରମରୁ ଉତ୍ପନ୍ନ ଶୂନ୍ୟମଣ୍ଡଳରେ ତାହାଙ୍କର ପ୍ରଶଂସା କର;

2ତାହାଙ୍କ ବିକ୍ରମୀ କାର୍ଯ୍ୟ ସକାଶୁ ତାହାଙ୍କର ପ୍ରଶଂସା କର।

ତାହାଙ୍କ ଶ୍ରେଷ୍ଠ ମହତ୍ତ୍ୱାନୁସାରେ ତାହାଙ୍କର ପ୍ରଶଂସା କର।

3ତୂରୀ ଧ୍ୱନିରେ ତାହାଙ୍କର ପ୍ରଶଂସା କର;

ନେବଲ ଓ ବୀଣା ଯନ୍ତ୍ରରେ ତାହାଙ୍କର ପ୍ରଶଂସା କର।

4ଦାରାବାଦ୍ୟ ଓ ନୃତ୍ୟ ଦ୍ୱାରା ତାହାଙ୍କର ପ୍ରଶଂସା କର।

ତାରଯୁକ୍ତ ଯନ୍ତ୍ର ଓ ବଂଶୀରେ ତାହାଙ୍କର ପ୍ରଶଂସା କର।

5ଉଚ୍ଚ କରତାଳରେ ତାହାଙ୍କର ପ୍ରଶଂସା କର;

ଉଚ୍ଚ କରତାଳ ଧ୍ୱନିରେ ତାହାଙ୍କର ପ୍ରଶଂସା କର;

6ନିଃଶ୍ୱାସପ୍ରଶ୍ୱାସଧାରୀ ପ୍ରତ୍ୟେକ ପ୍ରାଣୀ ସଦାପ୍ରଭୁଙ୍କର ପ୍ରଶଂସା କରୁ।

ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।