The Book of Job
ଆୟୁବ ପୁସ୍ତକ
1ଶୟତାନ ଦ୍ୱାରା ଆୟୁବ ପରୀକ୍ଷିତ
1ଊଷ୍ ଦେଶରେ ଆୟୁବ ନାମକ ଏକ ବ୍ୟକ୍ତି ଥିଲା; ଆଉ ସେ ସିଦ୍ଧ, ସରଳ, ପରମେଶ୍ୱର-ଭୟକାରୀ ଓ କୁକ୍ରିୟାତ୍ୟାଗୀ ଥିଲା। 2ପୁଣି, ତାହାର ସାତ ପୁତ୍ର ଓ ତିନି କନ୍ୟା ଜନ୍ମିଥିଲେ। 3ମଧ୍ୟ ତାହାର ସମ୍ପତ୍ତି ସାତ ହଜାର ମେଷ, ତିନି ହଜାର ଉଷ୍ଟ୍ର, ପାଞ୍ଚ ଶହ ହଳ ବଳଦ, ପାଞ୍ଚ ଶହ ଗର୍ଦ୍ଦଭୀ ଓ ଅନେକ ଦାସ ଦାସୀ ଥିଲେ। ତେଣୁ ସେ ପୂର୍ବଦେଶୀୟ ସମସ୍ତ ଲୋକଙ୍କ ଅପେକ୍ଷା ମହାନ୍ ହୋଇଥିଲା। 4ଆଉ, ତାହାର ପୁତ୍ରମାନେ ଯାଇ ପ୍ରତ୍ୟେକେ ଆପଣା ଆପଣା ଦିନରେ ଆପଣା ଆପଣା ଗୃହରେ ଭୋଜ କଲେ; ପୁଣି ସେମାନେ ଲୋକ ପଠାଇ ଆପଣାମାନଙ୍କ ସଙ୍ଗେ ଭୋଜନ ଓ ପାନ କରିବା ପାଇଁ ଆପଣାମାନଙ୍କ ତିନି ଭଗିନୀଙ୍କୁ ନିମନ୍ତ୍ରଣ କଲେ। 5ପୁଣି, ପାଳିକ୍ରମେ ସେମାନଙ୍କ ଭୋଜର ଦିନ ଗତ ହୁଅନ୍ତେ, ଆୟୁବ ସେମାନଙ୍କୁ ଡକାଇ ପବିତ୍ର କଲା ଓ ଅତି ପ୍ରଭାତରେ ଉଠି ସେ ସମସ୍ତଙ୍କ ପାଇଁ ହୋମବଳି ଉତ୍ସର୍ଗ କଲା; କାରଣ ଆୟୁବ କହିଲା, ହୋଇପାରେ, ଆମ୍ଭର ପିଲାମାନେ ପାପ କରିଥିବେ ଓ ମନେ ମନେ ପରମେଶ୍ୱରଙ୍କୁ ଅଭିଶାପ କରିଥିବେ। ଏହିରୂପେ ଆୟୁବ ସର୍ବଦା କଲା। 6ଦିନକରେ ପରମେଶ୍ୱରଙ୍କ ଦୂତଗଣ ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ ହେବାକୁ ଆସନ୍ତେ, ଶୟତାନ ମଧ୍ୟ ସେମାନଙ୍କ ମଧ୍ୟରେ ଉପସ୍ଥିତ ହେଲା। 7ଏଥିରେ ସଦାପ୍ରଭୁ ଶୟତାନକୁ ପଚାରିଲେ, ତୁମ୍ଭେ କେଉଁଠାରୁ ଆସିଲ ? ତହିଁରେ ଶୟତାନ ସଦାପ୍ରଭୁଙ୍କୁ ଉତ୍ତର କରି କହିଲା, ପୃଥିବୀରେ ଏଣେତେଣେ ଭ୍ରମଣ ଓ ତହିଁ ମଧ୍ୟରେ ଗମନାଗମନ କରି କରି ଆସିଲି। 8ତହୁଁ ସଦାପ୍ରଭୁ ଶୟତାନକୁ ପଚାରିଲେ, ତୁମ୍ଭେ କି ଆମ୍ଭ ଦାସ ଆୟୁବ ପ୍ରତି ଧ୍ୟାନ ଦେଇଅଛ ? କାରଣ ତାହାର ସମାନ ସିଦ୍ଧ ଓ ସରଳ, ପରମେଶ୍ୱର-ଭୟକାରୀ ଓ କୁକ୍ରିୟାତ୍ୟାଗୀ ଲୋକ ପୃଥିବୀରେ କେହି ନାହିଁ ? 9ତେବେ ଶୟତାନ ସଦାପ୍ରଭୁଙ୍କୁ ଉତ୍ତର କରି କହିଲା, ଆୟୁବ କ’ଣ ଅକାରଣରେ ପରମେଶ୍ୱରଙ୍କୁ ଭୟ କରୁଅଛି ? 10ତୁମ୍ଭେ କ’ଣ ତାହାର ଚତୁର୍ଦ୍ଦିଗରେ, ପୁଣି ତାହାର ଗୃହର ଓ ତାହାର ସର୍ବସ୍ୱର ଚତୁର୍ଦ୍ଦିଗରେ ବାଡ଼ ଦେଇ ନାହଁ ? ତୁମ୍ଭେ ତାହାର ହସ୍ତକୃତ କାର୍ଯ୍ୟରେ ଆଶୀର୍ବାଦ ଦେଇଅଛ ଓ ଦେଶରେ ତାହାର ସମ୍ପତ୍ତି ବୃଦ୍ଧି ପାଇଅଛି। 11ମାତ୍ର ଏବେ ଆପଣା ହସ୍ତ ବିସ୍ତାର କରି ତାହାର ସର୍ବସ୍ୱ ସ୍ପର୍ଶ କର, ତହିଁରେ ସେ ତୁମ୍ଭକୁ ତୁମ୍ଭ ମୁଖ ଆଗରେ ପରିତ୍ୟାଗ କରିବ। 12ତହୁଁ ସଦାପ୍ରଭୁ ଶୟତାନକୁ କହିଲେ, “ଦେଖ, ତାହାର ସର୍ବସ୍ୱରେ ତୁମ୍ଭର କ୍ଷମତା ଅଛି; କେବଳ ତାହାରି ଉପରେ ତୁମ୍ଭେ ହସ୍ତ ନ ଦିଅ।” ତହିଁରେ ଶୟତାନ ସଦାପ୍ରଭୁଙ୍କ ସାକ୍ଷାତରୁ ବାହାରି ଗଲା।
ଆୟୁବଙ୍କ ସନ୍ତାନ ଓ ସମ୍ପଦର ବିନାଶ
13ଆଉ, ଦିନେ ତାହାର ପୁତ୍ର ଓ କନ୍ୟାଗଣ ଆପଣାମାନଙ୍କ ଜ୍ୟେଷ୍ଠ ଭ୍ରାତାର ଗୃହରେ ଭୋଜନ ଓ ଦ୍ରାକ୍ଷାରସ ପାନ କରୁଥିଲେ, 14ଏପରି ସମୟରେ ଆୟୁବ ନିକଟକୁ ଏକ ଦୂତ ଆସି କହିଲା, ବଳଦମାନେ ହଳ ବୁଲାଉଥିଲେ ଓ ସେମାନଙ୍କ ନିକଟରେ ଗର୍ଦ୍ଦଭୀମାନେ ଚରୁଥିଲେ; 15ଏଥି ମଧ୍ୟରେ ଶିବାୟୀୟମାନେ ଆକ୍ରମଣ କରି ସେମାନଙ୍କୁ ନେଇଗଲେ; ଆହୁରି, ସେମାନେ ଖଡ୍ଗଧାରରେ ଦାସମାନଙ୍କୁ ବଧ କଲେ; ପୁଣି, ଆପଣଙ୍କୁ ସମ୍ବାଦ ଦେବା ପାଇଁ କେବଳ ମୁଁ ଏକା ରକ୍ଷା ପାଇଅଛି। 16ସେ କହିବା ବେଳେ ଆଉ ଜଣେ ମଧ୍ୟ ଆସି କହିଲା, “ଆକାଶରୁ ପରମେଶ୍ୱରଙ୍କ ଅଗ୍ନି ପଡ଼ି ମେଷପଲ ଓ ଦାସମାନଙ୍କୁ ଦଗ୍ଧ କରି ଗ୍ରାସ କରିଅଛି; ପୁଣି, ଆପଣଙ୍କୁ ସମ୍ବାଦ ଦେବା ପାଇଁ କେବଳ ମୁଁ ଏକା ରକ୍ଷା ପାଇଅଛି।” 17ସେ କହିବା ବେଳେ ଆଉ ଜଣେ ମଧ୍ୟ ଆସି କହିଲା, “କଲ୍ଦୀୟମାନେ ତିନି ଦଳ ହୋଇ ଉଷ୍ଟ୍ରପଲ ଆକ୍ରମଣ କରି ସେମାନଙ୍କୁ ନେଇଗଲେ, ଆହୁରି ଖଡ୍ଗଧାରରେ ଦାସମାନଙ୍କୁ ବଧ କଲେ; ପୁଣି ଆପଣଙ୍କୁ ସମ୍ବାଦ ଦେବା ପାଇଁ କେବଳ ମୁଁ ଏକା ରକ୍ଷା ପାଇଅଛି।” 18ସେ କହିବା ବେଳେ ଆଉ ଜଣେ ମଧ୍ୟ ଆସି କହିଲା, “ଆପଣଙ୍କ ପୁତ୍ର ଓ କନ୍ୟାଗଣ ସେମାନଙ୍କ ଜ୍ୟେଷ୍ଠ ଭ୍ରାତାର ଗୃହରେ ଭୋଜନ ଓ ଦ୍ରାକ୍ଷାରସ ପାନ କରୁଥିଲେ; 19ଏଥି ମଧ୍ୟରେ, ଦେଖନ୍ତୁ, ପ୍ରାନ୍ତର ଆଡ଼ୁ ପ୍ରବଳ ବାୟୁ ଆସି ଗୃହର ଚାରି କୋଣରେ ଲାଗନ୍ତେ, ତାହା ଯୁବକମାନଙ୍କ ଉପରେ ପଡ଼ିଲା, ତହିଁରେ ସେମାନେ ମଲେ; ପୁଣି, ଆପଣଙ୍କୁ ସମ୍ବାଦ ଦେବା ପାଇଁ କେବଳ ମୁଁ ଏକା ରକ୍ଷା ପାଇଅଛି। 20ସେତେବେଳେ ଆୟୁବ ଉଠି ଆପଣା ବସ୍ତ୍ର ଚିରିଲା ଓ ଆପଣା ମସ୍ତକ କ୍ଷୌର କଲା ଓ ଭୂମିରେ ପଡ଼ି ଉପାସନା କଲା; 21ଆଉ, ସେ କହିଲା, “ମୁଁ ମାତାର ଗର୍ଭରୁ ଉଲଙ୍ଗ ଆସିଅଛି ଓ ମୁଁ ଉଲଙ୍ଗ ହୋଇ ସେଠାକୁ ଫେରିଯିବି; ସଦାପ୍ରଭୁ ଦେଲେ ଓ ସଦାପ୍ରଭୁ ନେଇଅଛନ୍ତି; ସଦାପ୍ରଭୁଙ୍କ ନାମ ଧନ୍ୟ ହେଉ।” 22ଏହିସବୁରେ ଆୟୁବ ପାପ କଲା ନାହିଁ, ଅବା ପରମେଶ୍ୱରଙ୍କ ଉପରେ ଅବିବେଚନାର ଦୋଷାରୋପ କଲା ନାହିଁ।
2ଆୟୁବଙ୍କ ସ୍ୱାସ୍ଥ୍ୟରେ ଶୟତାନର ଆକ୍ରମଣ
1ପୁନର୍ବାର ଦିନକରେ ପରମେଶ୍ୱରଙ୍କ ସନ୍ତାନଗଣ ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ ହେବାକୁ ଆସନ୍ତେ, ଶୟତାନ ମଧ୍ୟ ସେମାନଙ୍କ ମଧ୍ୟରେ ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ ହେବା ପାଇଁ ଆସିଲା। 2ଏଥିରେ ସଦାପ୍ରଭୁ ଶୟତାନକୁ ପଚାରିଲେ, “ତୁମ୍ଭେ କେଉଁଠାରୁ ଆସିଲ ?” ତହିଁରେ ଶୟତାନ ସଦାପ୍ରଭୁଙ୍କୁ ଉତ୍ତର କରି କହିଲା, “ପୃଥିବୀରେ ଏଣେତେଣେ ଭ୍ରମଣ ଓ ତହିଁ ମଧ୍ୟରେ ଗମନାଗମନ କରି କରି ଆସିଲି।” 3ତହୁଁ ସଦାପ୍ରଭୁ ଶୟତାନଙ୍କୁ ପଚାରିଲେ, “ତୁମ୍ଭେ କି ଆମ୍ଭ ଦାସ ଆୟୁବ ପ୍ରତି ଧ୍ୟାନ ଦେଇଅଛ ? କାରଣ ତାହାର ସମାନ ସିଦ୍ଧ ଓ ସରଳ, ପରମେଶ୍ୱର-ଭୟକାରୀ ଓ କୁକ୍ରିୟାତ୍ୟାଗୀ ଲୋକ ପୃଥିବୀରେ କେହି ନାହିଁ; ପୁଣି, ଅକାରଣରେ ତାହାକୁ ନାଶ କରିବା ପାଇଁ ତୁମ୍ଭେ ତାହା ବିରୁଦ୍ଧରେ ଆମ୍ଭକୁ ପ୍ରବର୍ତ୍ତାଇଲେ ହେଁ ସେ ଏ ପର୍ଯ୍ୟନ୍ତ ଆପଣା ସରଳତା ଦୃଢ଼ କରି ଧରିଅଛି।” 4ତହିଁରେ ଶୟତାନ ସଦାପ୍ରଭୁଙ୍କୁ ଉତ୍ତର କରି କହିଲା, “ଚର୍ମ ନିମନ୍ତେ ଚର୍ମ, ଆପଣା ପ୍ରାଣ ନିମନ୍ତେ ମନୁଷ୍ୟ ସର୍ବସ୍ୱ ଦେବ।” 5ମାତ୍ର ତୁମ୍ଭେ ଏବେ ହସ୍ତ ବଢ଼ାଇ ତାହାର ଅସ୍ଥି ଓ ମାଂସକୁ ଆଘାତ କର, ତହିଁରେ ସେ ତୁମ୍ଭ ମୁଖ ଆଗରେ ତୁମ୍ଭକୁ ପରିତ୍ୟାଗ କରିବ। 6ତହିଁରେ ସଦାପ୍ରଭୁ ଶୟତାନଙ୍କୁ କହିଲେ, “ଦେଖ, ସେ ତୁମ୍ଭର ହସ୍ତଗତ, କେବଳ ତାହାର ପ୍ରାଣ ରକ୍ଷା କର।” 7ଏଉତ୍ତାରେ ଶୟତାନ ସଦାପ୍ରଭୁଙ୍କ ଛାମୁରୁ ବାହାରି ଯାଇ ଆୟୁବର ତଳିପାରୁ ମସ୍ତକ ପର୍ଯ୍ୟନ୍ତ ଯନ୍ତ୍ରଣାଦାୟକ ଘାଆରେ ତାହାକୁ ଆଘାତ କଲା। 8ଏଣୁ ସେ ସର୍ବାଙ୍ଗ କୁଣ୍ଡାଇବା ପାଇଁ ଖଣ୍ଡେ ଖପରା ନେଲା ଓ ସେ ଭସ୍ମ ମଧ୍ୟରେ ବସିଲା2:8 ଭସ୍ମ ମଧ୍ୟରେ ବସିଲା ଏହିପରି ସ୍ଥାନରେ ବସିବା ଗମ୍ଭିର ଶୋକର ଚିହ୍ନ ଅଟେ। 9ତହିଁରେ ତାହାର ଭାର୍ଯ୍ୟା ତାହାକୁ କହିଲା, “ତୁମ୍ଭେ କି ଏ ପର୍ଯ୍ୟନ୍ତ ଆପଣାର ସରଳତା ଦୃଢ଼ କରି ଧରୁଅଛ ? ପରମେଶ୍ୱରଙ୍କୁ ପରିତ୍ୟାଗ କରି ମର।” 10ସେ ତାହାକୁ କହିଲା, “ତୁମ୍ଭେ ଏକ ମୂଢ଼ା ସ୍ତ୍ରୀ ପରି କଥା କହୁଅଛ, ଆମ୍ଭେମାନେ କି ପରମେଶ୍ୱରଙ୍କ ହସ୍ତରୁ ମଙ୍ଗଳ ଗ୍ରହଣ କରିବା ଆଉ, ଅମଙ୍ଗଳ କ’ଣ ଗ୍ରହଣ କରିବା ନାହିଁ ?” ଏହିସବୁରେ ଆୟୁବ ଆପଣା ଓଷ୍ଠରେ ପାପ କଲା ନାହିଁ।
ଆୟୁବଙ୍କ ତିନି ବନ୍ଧୁଗଣ
11ଆୟୁବ ପ୍ରତି ଘଟିତ ଏହିସବୁ ବିପଦର କଥା ତୈମନୀୟ ଇଲୀଫସ୍ ଓ ଶୂହୀୟ ବିଲ୍ଦଦ୍ ଓ ନାମାଥୀୟ ସୋଫର ନାମରେ ତାହାର ଏହି ତିନି ମିତ୍ର ଶୁଣି ସ୍ୱ ସ୍ୱ ସ୍ଥାନରୁ ଆସିଲେ; ପୁଣି, ସେମାନେ ତାହା ସଙ୍ଗେ ଶୋକ କରିବା ପାଇଁ ଓ ତାହାକୁ ସାନ୍ତ୍ୱନା କରିବା ପାଇଁ ଆସିବାକୁ ଏକତ୍ର ସ୍ଥିର କଲେ। 12ଏଉତ୍ତାରେ ସେମାନେ ଦୂରରୁ ଅନାଇ ତାହାକୁ ଚିହ୍ନି ନ ପାରି ଉଚ୍ଚୈଃସ୍ୱରରେ ରୋଦନ କଲେ; ଆଉ, ସେମାନେ ପ୍ରତ୍ୟେକେ ଆପଣା ଆପଣା ବସ୍ତ୍ର ଚିରି ଆକାଶ ଆଡ଼େ ଆପଣା ଆପଣା ମସ୍ତକ ଉପରେ ଧୂଳି ବିଞ୍ଚିଲେ। 13ତହୁଁ ସେମାନେ ସାତ ଦିନ ଓ ସାତ ରାତ୍ରି ତାହା ସଙ୍ଗେ ଭୂମିରେ ବସିଲେ, କେହି ତାହାକୁ କିଛି କହିଲେ ନାହିଁ; କାରଣ ସେମାନେ ତାହାର ଯାତନା ଅତି ବଡ଼ ବୋଲି ଦେଖିଲେ।
3ଆୟୁବଙ୍କ ଜନ୍ମକୁ ଅଭିଶାପ
1ଏଥିଉତ୍ତାରେ ଆୟୁବ ମୁଖ ଫିଟାଇ ଆପଣା ଜନ୍ମଦିନକୁ ଅଭିଶାପ ଦେଲା। 2ପୁଣି, ଆୟୁବ ଉତ୍ତର କରି କହିଲା; 3“ଯେଉଁ ଦିନ ମୁଁ ଜାତ ହେଲି ଓ ପୁତ୍ର ସନ୍ତାନ ଗର୍ଭସ୍ଥ ହେଲା ବୋଲି ଯେଉଁ ରାତ୍ରି କହିଲା, ତାହା ଲୁପ୍ତ ହେଉ; 4ସେ ଦିନ ଅନ୍ଧକାରମୟ ହେଉ; ପରମେଶ୍ୱର ଊର୍ଦ୍ଧ୍ୱରୁ ତହିଁର ତତ୍ତ୍ୱ ନ କରନ୍ତୁ, କିଅବା ତହିଁ ଉପରେ ଦୀପ୍ତି ପ୍ରକାଶ ନ ପାଉ। 5ଅନ୍ଧକାର ଓ ମୃତ୍ୟୁୁଚ୍ଛାୟା ତାହାକୁ ଆପଣାର ବୋଲି ଦାବି କରନ୍ତୁ; ମେଘ ତହିଁ ଉପରେ ଅବସ୍ଥାନ କରୁ; ଦିବସ ଅନ୍ଧକାରକାରୀ ସମସ୍ତେ ତାହାର ତ୍ରାସ ଜନ୍ମାଉନ୍ତୁ। 6ନିବିଡ଼ ଅନ୍ଧକାର ସେହି ରାତ୍ରିକୁ ଆକ୍ରମଣ କରୁ; ତାହା ବର୍ଷର ଦିବସଶ୍ରେଣୀ ମଧ୍ୟରେ ଆନନ୍ଦ ନ କରୁ; ତାହା ମାସ ସଂଖ୍ୟା ମଧ୍ୟରେ ନ ଆସୁ। 7ଦେଖ, ସେହି ରାତ୍ରି ବନ୍ଧ୍ୟା ହେଉ; ତହିଁ ମଧ୍ୟରେ କୌଣସି ଆନନ୍ଦର ସ୍ୱର ପ୍ରବେଶ ନ କରୁ। 8ଯେଉଁମାନେ ଦିବସକୁ ଅଭିଶାପ ଦିଅନ୍ତି, ଯେଉଁମାନେ ଲିବିୟାଥନକୁ ଜଗାଇବାକୁ ନିପୁଣ, ସେମାନେ ତାହାକୁ ଅଭିଶାପ ଦେଉନ୍ତୁ। 9ତହିଁର ସନ୍ଧ୍ୟାକାଳୀନ ନକ୍ଷତ୍ରଗଣ ଅନ୍ଧକାରମୟ ହେଉ; ସେ ଦୀପ୍ତିର ଅପେକ୍ଷା କରୁ, ମାତ୍ର କିଛି ନ ପାଉ; କିଅବା ସେ ଅରୁଣର ନେତ୍ରପଲକ ଦର୍ଶନ ନ କରୁ; 10କାରଣ ସେ ମୋ’ ମାତୃଗର୍ଭର କବାଟ ରୁଦ୍ଧ କଲା ନାହିଁ, କିଅବା ଦୁଃଖକୁ ମୋର ଦୃଷ୍ଟିରୁ ଗୁପ୍ତ କଲା ନାହିଁ। 11ମୁଁ କାହିଁକି ଗର୍ଭରୁ ମଲି ନାହିଁ ? ଉଦରରୁ ପଡ଼ିବା ମାତ୍ର କାହିଁକି ମୁଁ ପ୍ରାଣତ୍ୟାଗ କଲି ନାହିଁ ? 12ଜାନୁଯୁଗଳ କାହିଁକି ମୋତେ ଗ୍ରହଣ କଲା ? ଅବା ମୋହର ପାନ ନିମନ୍ତେ ସ୍ତନ୍ୟ କାହିଁକି ପ୍ରସ୍ତୁତ ଥିଲା ? 13ତାହା ହୋଇ ନ ଥିଲେ, ମୁଁ ଏବେ ଶୟନ କରି ଶାନ୍ତିରେ ଥା’ନ୍ତି ମୁଁ ନିଦ୍ରିତ ହୋଇ ବିଶ୍ରାମରେ ଥା’ନ୍ତି; 14ଯେଉଁମାନେ ଆପଣାମାନଙ୍କ ନିମନ୍ତେ ଉଜାଡ଼ ସ୍ଥାନ ନିର୍ମାଣ କରିଥିଲେ, ଏପରି ରାଜା ଓ ପୃଥିବୀର ମନ୍ତ୍ରୀଗଣ ସହିତ ଥା’ନ୍ତି; 15ଯେଉଁମାନେ ରୂପାରେ ଆପଣାମାନଙ୍କ ଗୃହ ପରିପୂର୍ଣ୍ଣ କରିଥିଲେ, ଏପରି ସ୍ୱର୍ଣ୍ଣାଧିକାରୀ ଅଧିପତିମାନଙ୍କ ସଙ୍ଗେ ଥା’ନ୍ତି;3:15 ସଙ୍ଗେ ଥା’ନ୍ତି; ଅର୍ଥାତ୍ ମରିଯାଇଥାନ୍ତି16ଅବା ମୁଁ ଗୁପ୍ତ ଗର୍ଭସ୍ରାବ ତୁଲ୍ୟ ପ୍ରାଣହୀନ ହୋଇ ଥା’ନ୍ତି; ଯେଉଁମାନେ କେବେ ଆଲୁଅ ଦର୍ଶନ କଲେ ନାହିଁ, ଏପରି ଶିଶୁ ତୁଲ୍ୟ ହୋଇଥା’ନ୍ତି। 17ସେହି ସ୍ଥାନରେ ଦୁଷ୍ଟଗଣ କ୍ଳେଶ ଦେବାରୁ ନିବୃତ୍ତ ଓ ସେହି ସ୍ଥାନରେ ପରିଶ୍ରାନ୍ତ ବିଶ୍ରାମପ୍ରାପ୍ତ। 18ସେହି ସ୍ଥାନରେ ବନ୍ଦୀଗଣ ଏକତ୍ର ଆରାମରେ ଅଛନ୍ତି; ସେମାନେ କାର୍ଯ୍ୟଶାସକର ରବ ଶୁଣନ୍ତି ନାହିଁ। 19ସେଠାରେ ସାନ ଓ ବଡ଼ ଅଛନ୍ତି; ପୁଣି, ଦାସ ଆପଣା କର୍ତ୍ତାଠାରୁ ମୁକ୍ତ ଅଟେ। 20ଦୁଃଖଗ୍ରସ୍ତ ଲୋକକୁ କାହିଁକି ଦୀପ୍ତି ଦିଆଯାଏ ଓ ତିକ୍ତପ୍ରାଣକୁ କାହିଁକି ଜୀବନ ଦିଆଯାଏ; 21ସେମାନେ ମରଣ ଇଚ୍ଛା କରନ୍ତି, ମାତ୍ର ତାହା ଆସେ ନାହିଁ; ସେମାନେ ପୋତା-ଧନ ଅପେକ୍ଷା ତହିଁ ପାଇଁ ଅଧିକ ଖୋଳନ୍ତି; 22ସେମାନେ କବର ପାଇ ପାରିଲେ ଆହ୍ଲାଦ କରନ୍ତି, ମହାନନ୍ଦରେ ଉଲ୍ଲସିତ ହୁଅନ୍ତି ? 23ଯାହାର ପଥ ଗୁପ୍ତ ଓ ଯାହାର ଚତୁର୍ଦ୍ଦିଗରେ ପରମେଶ୍ୱର ବାଡ଼ ଦେଇଅଛନ୍ତି, ଏପରି ଲୋକକୁ କାହିଁକି ଦୀପ୍ତି ଦିଆଯାଏ ? 24କାରଣ ମୁଁ ଭୋଜନ କରିବା ପୂର୍ବେ ମୋହର ହାହାକାର ଆସେ, ମୋହର ଗର୍ଜ୍ଜନ ଜଳ ତୁଲ୍ୟ ଢଳାଯାଏ। 25ଯେଣୁ ମୁଁ ଯାହା ଭୟ କରେ, ତାହା ହିଁ ମୋ’ ପ୍ରତି ଘଟେ, ଆଉ ମୁଁ ଯହିଁ ବିଷୟରେ ଭୀତ, ତାହା ହିଁ ମୋ’ ନିକଟରେ ଉପସ୍ଥିତ ହୁଏ। 26ମୁଁ ଆରାମରେ କି ଶାନ୍ତିରେ ନାହିଁ, କିଅବା ମୋହର ବିଶ୍ରାମ ନାହିଁ; କେବଳ କ୍ଳେଶ ଘଟୁଅଛି।”
4ଇଲୀଫସ୍ - ନିର୍ଦ୍ଦୋଷର ସମୃଦ୍ଧି
1ଏଥିରେ ତୈମନୀୟ ଇଲୀଫସ୍ ଉତ୍ତର କରି କହିଲା, 2“କେହି ତୁମ୍ଭ ସଙ୍ଗେ କଥାବାର୍ତ୍ତା କରିବାକୁ ଚେଷ୍ଟା କଲେ ତୁମ୍ଭେ କ’ଣ ଦୁଃଖିତ ହେବ ? ମାତ୍ର କଥା କହିବାରୁ କିଏ ଆପଣାକୁ କ୍ଷାନ୍ତ କରିପାରେ ?” 3ଦେଖ, ତୁମ୍ଭେ ଅନେକଙ୍କୁ ଶିକ୍ଷା ଦେଇଅଛ ଓ ତୁମ୍ଭେ ଦୁର୍ବଳହସ୍ତ ସବଳ କରିଅଛ। 4ତୁମ୍ଭର ବାକ୍ୟ ପଡୁଥିବା ଲୋକକୁ ଧରି ରଖିଅଛି ଓ ତୁମ୍ଭେ ଦୁର୍ବଳ ଆଣ୍ଠୁକୁ ଦୃଢ଼ କରିଅଛ। 5ମାତ୍ର ଏବେ ତାହା ତୁମ୍ଭ ପ୍ରତି ଘଟିଅଛି, ଆଉ ତୁମ୍ଭେ କ୍ଳାନ୍ତ ହେଉଅଛ; ତାହା ତୁମ୍ଭକୁ ସ୍ପର୍ଶ କରୁଅଛି, ଆଉ ତୁମ୍ଭେ ବ୍ୟାକୁଳ ହେଉଅଛ। 6ପରମେଶ୍ୱର ବିଷୟକ ତୁମ୍ଭର ଭୟ ତୁମ୍ଭର ବିଶ୍ୱାସ ଭୂମି ନୁହେଁ କି ? ଓ ତୁମ୍ଭ ମାର୍ଗର ସରଳତା ତୁମ୍ଭର ଆଶାଭୂମି ନୁହେଁ କି ? 7ମୁଁ ବିନୟ କରୁଅଛି, ସ୍ମରଣ କର, ନିର୍ଦ୍ଦୋଷ ଥାଇ କିଏ ବିନଷ୍ଟ ହୋଇଅଛି କି ? ଅବା ସରଳାଚାରୀମାନେ କେଉଁଠାରେ ଉଚ୍ଛିନ୍ନ ହୋଇଅଛନ୍ତି କି ? 8ମୋହର ଦେଖିଲା ପ୍ରମାଣେ, ଯେଉଁମାନେ ଅଧର୍ମ ଚଷନ୍ତି ଓ ଦୁଃଖରୂପ ବୀଜ ବୁଣନ୍ତି, ସେମାନେ ତାହା ହିଁ କାଟନ୍ତି। 9ସେମାନେ ପରମେଶ୍ୱରଙ୍କ ନିଶ୍ୱାସ ଦ୍ୱାରା ବିନଷ୍ଟ ହୁଅନ୍ତି ଓ ତାହାଙ୍କର କ୍ରୋଧରୂପ ଫୁତ୍କାର ଦ୍ୱାରା ସଂହାରିତ ହୁଅନ୍ତି। 10ସିଂହର ଗର୍ଜ୍ଜନ ଓ ଭୟାନକ ସିଂହର ହୁଙ୍କାର ଓ ଯୁବା ସିଂହର ଦନ୍ତ ଭଗ୍ନ ହୁଏ। 11ବୃଦ୍ଧ ସିଂହ ଶିକାର ଅଭାବରେ ବିନଷ୍ଟ ହୁଏ ଏବଂ ସିଂହୀର ଶାବକଗଣ ଛିନ୍ନଭିନ୍ନ ହୋଇଯା’ନ୍ତି। 12କଥା ଗୋଟିଏ ଗୁପ୍ତରେ ମୋ’ ନିକଟରେ ପହଞ୍ଚିଲା ଓ ମୋ’ କର୍ଣ୍ଣ ତହିଁର ଈଷତ୍ ଶବ୍ଦ ପାଇଲା। 13ଯେତେବେଳେ ଲୋକେ ଘୋର ନିଦ୍ରାଗ୍ରସ୍ତ ହୁଅନ୍ତି, ଏପରି ରାତ୍ରିର ସ୍ୱପ୍ନଦର୍ଶନରୁ ଜାତ ଭାବନା ସମୟରେ, 14ମୋହର ଭୟ ଓ କମ୍ପ ହେଲା, ତଦ୍ଦ୍ୱାରା ମୋହର ଅସ୍ଥିସବୁ ଥରହର ହେଲା। 15ତହିଁରେ ମୋ’ ସମ୍ମୁଖରେ ଏକ ଆତ୍ମା ଚାଲିଗଲା; ମୋ’ ଶରୀର ରୋମାଞ୍ଚିତ ହୋଇ ଉଠିଲା। 16ତାହା ଠିଆ ହୋଇ ରହିଲା, ମାତ୍ର ମୁଁ ତହିଁର ଆକାର ନିର୍ଣ୍ଣୟ କରି ପାରିଲି ନାହିଁ; ମୋ’ ଚକ୍ଷୁ ଆଗରେ ଏକ ମୂର୍ତ୍ତି ଥିଲା; ସବୁ ନିଃଶବ୍ଦ ଥିଲା, ତହୁଁ ମୁଁ ଏହି ରବ ଶୁଣିଲି, 17ମର୍ତ୍ତ୍ୟର ମନୁଷ୍ୟ କ’ଣ ପରମେଶ୍ୱରଙ୍କ ଅପେକ୍ଷା ଅଧିକ ଧାର୍ମିକ ହେବ ? ନିଜ ସୃଷ୍ଟିକର୍ତ୍ତା ଅପେକ୍ଷା ମନୁଷ୍ୟ କ’ଣ ଅଧିକ ଶୁଚି ହେବ ? 18ଦେଖ, ସେ ଆପଣା ଦାସଗଣକୁ ବିଶ୍ୱାସ କରନ୍ତି ନାହିଁ ଓ ସେ ଆପଣା ଦୂତଗଣ ପ୍ରତି ତ୍ରୁଟିର ଦୋଷାରୋପ କରନ୍ତି; 19ତେବେ ଯେଉଁମାନେ ମୃତ୍ତିକା-ନିର୍ମିତ ଗୃହରେ ବାସ କରନ୍ତି, ସେମାନେ କଅଣ ? ସେମାନଙ୍କ ଭିତ୍ତିମୂଳ ଧୂଳିରେ ସ୍ଥାପିତ, ସେମାନେ କୀଟ ତୁଲ୍ୟ ମର୍ଦ୍ଦିତ ହୁଅନ୍ତି। 20ସେମାନେ ପ୍ରଭାତ ଓ ସାୟଂକାଳ ମଧ୍ୟରେ ବିନଷ୍ଟ ହୁଅନ୍ତି; ସେମାନେ ଚିରକାଳ ନଷ୍ଟ ହୁଅନ୍ତି, କେହି ଚିନ୍ତା କରେ ନାହିଁ। 21ସେମାନଙ୍କ ତମ୍ବୁ-ରଜ୍ଜୁ କ’ଣ ସେମାନଙ୍କ ଅନ୍ତରରେ ଛିଣ୍ଡା ନ ଯାଏ ? ସେମାନେ ଜ୍ଞାନରହିତ ହୋଇ ମରନ୍ତି।
51ଏବେ ଡାକ, ତୁମ୍ଭକୁ ଉତ୍ତର ଦେବାକୁ କ’ଣ କେହି ଅଛି ? ପୁଣି, ପବିତ୍ରଗଣ ମଧ୍ୟରୁ ତୁମ୍ଭେ କାହାର ଅନୁସରଣ କରିବ ? 2କାରଣ ବିରକ୍ତି ଅଜ୍ଞାନକୁ ନାଶ କରେ ଓ ଅନ୍ତର୍ଜ୍ୱାଳା ନିର୍ବୋଧକୁ ବଧ କରେ। 3ଅଜ୍ଞାନର ଚେର ମାଡ଼ିବାର ମୁଁ ଦେଖିଅଛି; ମାତ୍ର ହଠାତ୍ ତାହାର ବାସସ୍ଥାନକୁ ମୁଁ ଅଭିଶାପ ଦେଲି। 4ତାହାର ସନ୍ତାନଗଣ ସୁରକ୍ଷାଠାରୁ ଦୂରରେ ଅଛନ୍ତି ଓ ସେମାନେ ନଗରଦ୍ୱାରରେ ମର୍ଦ୍ଦିତ ହୁଅନ୍ତି, ଅବା ସେମାନଙ୍କୁ ଉଦ୍ଧାର କରିବାକୁ କେହି ନ ଥାଏ। 5କ୍ଷୁଧିତ ଲୋକ ସେମାନଙ୍କର ଶସ୍ୟ ଖାଇଯା’ନ୍ତି ଓ କଣ୍ଟା ମଧ୍ୟରୁ ହିଁ ତାହା ନେଇଯା’ନ୍ତି, ଆଉ ଜାଲ ସେମାନଙ୍କ ସମ୍ପତ୍ତିକୁ ଚାହିଁକରି ଥାଏ। 6କାରଣ କ୍ଳେଶ ଧୂଳିରୁ ଉତ୍ପନ୍ନ ହୁଏ ନାହିଁ, କିଅବା ଦୁଃଖ ଭୂମିରୁ ଅଙ୍କୁରିତ ହୁଏ ନାହିଁ; 7ମାତ୍ର ଅଗ୍ନିକଣିକା ଯେପରି ଉପରକୁ ଉଠେ, ସେହିପରି ମନୁଷ୍ୟ ଦୁଃଖ ନିମନ୍ତେ ଜାତ ଅଟେ। 8ମାତ୍ର ମୁଁ ପରମେଶ୍ୱରଙ୍କର ଅନ୍ଵେଷଣ କରିବି ଓ ମୁଁ ଆପଣା ବିଷୟ ପରମେଶ୍ୱରଙ୍କଠାରେ ସମର୍ପଣ କରିବି। 9ପରମେଶ୍ୱର ମହାନ, ଅନନୁସନ୍ଧେୟ ଏବଂ ଅସଂଖ୍ୟ ଆଶ୍ଚର୍ଯ୍ୟ କର୍ମ କରନ୍ତି; 10ସେ ପୃଥିବୀରେ ବୃଷ୍ଟି ପ୍ରଦାନ କରନ୍ତି ଓ କ୍ଷେତ୍ରକୁ ଜଳ ପଠାନ୍ତି। 11ଏହିରୂପେ ସେ ନୀଚ ଲୋକକୁ ଉଚ୍ଚରେ ସ୍ଥାପନ କରନ୍ତି ଓ ଶୋକାର୍ତ୍ତମାନଙ୍କୁ ରକ୍ଷା କରି ଉନ୍ନତ କରନ୍ତି। 12ସେ ଧୂର୍ତ୍ତମାନଙ୍କର କଳ୍ପନା ବ୍ୟର୍ଥ କରନ୍ତି, ତେଣୁ ସେମାନଙ୍କ ହସ୍ତ ସେମାନଙ୍କ କାର୍ଯ୍ୟ ସାଧନ କରି ପାରେ ନାହିଁ। 13ସେ ବୁଦ୍ଧିମାନ ଲୋକଙ୍କୁ ସେମାନଙ୍କ ଧୂର୍ତ୍ତତାରେ ଧରନ୍ତି ଓ କୁଟିଳମନାମାନଙ୍କ ମନ୍ତ୍ରଣା ଶୀଘ୍ର ବିଫଳ ହୁଏ। 14ସେମାନେ ଦିନ ବେଳେ ଅନ୍ଧକାରଗ୍ରସ୍ତ ହୁଅନ୍ତି, ପୁଣି ମଧ୍ୟାହ୍ନରେ ରାତ୍ରିକାଳର ନ୍ୟାୟ ଦରାଣ୍ଡି ହୁଅନ୍ତି। 15ମାତ୍ର ସେ ଦୀନହୀନକୁ ସେମାନଙ୍କ ଖଡ୍ଗରୂପ ମୁଖରୁ ଓ ପରାକ୍ରମୀମାନଙ୍କ ହସ୍ତରୁ ଉଦ୍ଧାର କରନ୍ତି। 16ଏହେତୁ ଦରିଦ୍ର ଭରସା ପାଏ ଓ ଅଧର୍ମ ନିଜ ମୁଖ ବନ୍ଦ କରେ। 17ଦେଖ, ପରମେଶ୍ୱର ଯାହାକୁ ଶାସନ କରନ୍ତି, ସେ ମନୁଷ୍ୟ ଧନ୍ୟ; ଏହେତୁ ତୁମ୍ଭେ ସର୍ବଶକ୍ତିମାନଙ୍କର ଶାସ୍ତି ତୁଚ୍ଛ ନ କର। 18କାରଣ ସେ କ୍ଷତ କରନ୍ତି ଓ ବାନ୍ଧନ୍ତି; ସେ ଆଘାତ କରନ୍ତି ଓ ତାହାଙ୍କ ହସ୍ତ ସୁସ୍ଥ କରଇ; 19ସେ ଛଅଗୋଟି ସଙ୍କଟରୁ ତୁମ୍ଭକୁ ଉଦ୍ଧାର କରିବେ; ଆହୁରି, ସାତ ସଂକଟରୁ ତୁମ୍ଭକୁ କୌଣସି ଅମଙ୍ଗଳ ସ୍ପର୍ଶ କରିବ ନାହିଁ। 20ଦୁର୍ଭିକ୍ଷ ସମୟରେ ସେ ତୁମ୍ଭକୁ ମୃତ୍ୟୁୁରୁ ଓ ଯୁଦ୍ଧରେ ଖଡ୍ଗର ବଳରୁ ମୁକ୍ତ କରିବେ। 21ଜିହ୍ୱାର କୋରଡ଼ା-ପ୍ରହାରରୁ ତୁମ୍ଭେ ଗୋପନରେ ରଖାଯିବ; କିଅବା ବିନାଶ ଉପସ୍ଥିତ ହେଲେ ତୁମ୍ଭେ ଭୀତ ନୋହିବ। 22ତୁମ୍ଭେ ବିନାଶ ଓ ଦୁର୍ଭିକ୍ଷ ପ୍ରତି ହସିବ; ଅଥବା ପୃଥିବୀର ପଶୁଗଣ ବିଷୟରେ ଭୟଗ୍ରସ୍ତ ନୋହିବ। 23କାରଣ ପଦାର ପଥର ସଙ୍ଗେ ତୁମ୍ଭର ଚୁକ୍ତି ହେବ ଓ ପଦାର ପଶୁଗଣ ତୁମ୍ଭ ସଙ୍ଗେ ଶାନ୍ତିରେ ରହିବେ। 24ପୁଣି, ତୁମ୍ଭର ତମ୍ବୁ ଶାନ୍ତିରେ ଅଛି, ଏହା ତୁମ୍ଭେ ଜାଣିବ ଓ ତୁମ୍ଭେ ଆପଣା ପଶୁଶାଳାକୁ ଗଲେ କିଛି ହଜି ନ ଥିବାର ଦେଖିବ। 25ମଧ୍ୟ ତୁମ୍ଭର ବଂଶ ବହୁସଂଖ୍ୟକ ଓ ତୁମ୍ଭର ସନ୍ତାନସନ୍ତତି ଭୂମିର ତୃଣ ପରି ହେବାର ଜାଣିବ। 26ତୁମ୍ଭେ ଯଥା ସମୟରେ ଆନୀତ ଶସ୍ୟବିଡ଼ା ତୁଲ୍ୟ ପୂର୍ଣ୍ଣାୟୁ ହୋଇ ଆପଣା କବରକୁ ଆସିବ। 27ଦେଖ, ଆମ୍ଭେମାନେ ତାହା ଅନୁସନ୍ଧାନ କରିଅଛୁ, ତାହା ସେପରି ଅଟେ; ତାହା ଶୁଣ ଓ ଆପଣା ମଙ୍ଗଳ ନିମନ୍ତେ ତାହା ଜ୍ଞାତ ହୁଅ।
6ଆୟୁବଙ୍କ ଉତ୍ତର - ମୋର ଅଭିଯୋଗ ସତ୍ୟ
1ଏଥିରେ ଆୟୁବ ଉତ୍ତର କରି କହିଲା, 2“ଆହା, ଯଦି ମୋହର ଦୁଃଖ ତୌଲା ଯାଇଥା’ନ୍ତା ଓ ମୋହର ଦୁର୍ଗତି ତରାଜୁରେ ଏକତ୍ର ରଖା ଯାଇଥା’ନ୍ତା ! 3ତେବେ ତାହା ଏତେବେଳେ ସମୁଦ୍ର ବାଲିଠାରୁ ଭାରୀ ହୁଅନ୍ତା; ଏଣୁ ମୋହର ବାକ୍ୟ ଅବିବେଚନାଯୁକ୍ତ ହୋଇଅଛି। 4କାରଣ ସର୍ବଶକ୍ତିମାନଙ୍କ ତୀରସବୁ ମୋର ଅନ୍ତରରେ ଅଛି, ମୋହର ପ୍ରାଣ ତହିଁର ବିଷ ପାନ କରୁଅଛି; ପରମେଶ୍ୱରଙ୍କ ଭୟରୂପ ସୈନ୍ୟ ମୋ’ ପ୍ରତିକୂଳରେ ଶ୍ରେଣୀବଦ୍ଧ ହୁଅନ୍ତି। 5ଘାସ ଥିଲେ କ’ଣ ବନ୍ୟଗର୍ଦ୍ଦଭ ବୋବାଏ ? ଆହାର ପାଖରେ କ’ଣ ଗୋରୁ ହମାଳେ ? 6ଅସ୍ୱାଦ ଦ୍ରବ୍ୟ କ’ଣ ଲବଣ ବିନା ଭୋଜନ କରାଯାଇପାରେ ? ଅବା ଡିମ୍ବର ଲାଳରେ କି କିଛି ସ୍ୱାଦ ଅଛି ? 7ମୋହର ପ୍ରାଣ ତାହା ସ୍ପର୍ଶ କରିବାକୁ ଅସମ୍ମତ; ତାହାସବୁ ମୋ’ ପ୍ରତି ଘୃଣିତ ଭକ୍ଷ୍ୟ ସ୍ୱରୂପ। 8ଆହା, ଯେବେ ମୁଁ ଆପଣା ବାଞ୍ଛିତ ବିଷୟ ପ୍ରାପ୍ତ ହୁଅନ୍ତି; ଯାହା ମୁଁ ଅପେକ୍ଷା କରେ, ତାହା ଯେବେ ପରମେଶ୍ୱର ମୋତେ ଦିଅନ୍ତେ। 9ହଁ, ଯେବେ ପରମେଶ୍ୱର ଅନୁଗ୍ରହ କରି ମୋତେ ଚୂର୍ଣ୍ଣ କରନ୍ତେ;6:9 ଚୂର୍ଣ୍ଣ କରନ୍ତେ; ଅର୍ଥାତ୍ ମରିବାକୁ ଦିଅନ୍ତେ ଯେବେ ସେ ଆପଣା ହସ୍ତ ମୁକୁଳା କରି ମୋତେ ଛେଦନ କରି ପକାନ୍ତେ ! 10ତାହାହେଲେ, ଏବେ ହେଁ ମୁଁ ସାନ୍ତ୍ୱନାପ୍ରାପ୍ତ ହୁଅନ୍ତି; ହଁ, ମୁଁ ନିର୍ଦ୍ଦୟ ଯାତନା ମଧ୍ୟରେ ହେଁ ଅତ୍ୟନ୍ତ ଆନନ୍ଦ କରନ୍ତି; କାରଣ ମୁଁ ଧର୍ମମୟଙ୍କର ବାକ୍ୟସବୁ ଅସ୍ୱୀକାର କରି ନାହିଁ। 11ମୋହର ବଳ କଅଣ ଯେ, ମୁଁ ଅପେକ୍ଷା କରିବି ? ମୋହର ପରିଣାମ କଅଣ ଯେ, ମୁଁ ସହିଷ୍ଣୁ ହେବି ? 12ମୋହର ବଳ କ’ଣ ପ୍ରସ୍ତରମାନଙ୍କର ବଳ ? ଅବା ମୋହର ମାଂସ କ’ଣ ପିତ୍ତଳ ? 13ମୋ’ ଦ୍ୱାରା ମୋହର କିଛି ଉପକାର ନାହିଁ ଓ ଫଳଦାୟକ କର୍ମଣ୍ୟତା ମୋ’ଠାରୁ ସମ୍ପୂର୍ଣ୍ଣ ଦୂରୀକୃତ ହୋଇଅଛି, ଏହା କ’ଣ ସତ୍ୟ ନୁହେଁ ? 14କ୍ଷୀଣ ହେବାକୁ ଉଦ୍ୟତ ଲୋକ ପ୍ରତି, ମଧ୍ୟ ସର୍ବଶକ୍ତିମାନଙ୍କ ଭୟତ୍ୟାଗୀ ଲୋକ ପ୍ରତି ବନ୍ଧୁଠାରୁ ଦୟା ପ୍ରକାଶିତ ହେବା ଉଚିତ। 15ମୋହର ଭ୍ରାତୃଗଣ ନଦୀ ତୁଲ୍ୟ, ପ୍ରବାହିତ ନଦୀସ୍ରୋତ ତୁଲ୍ୟ ପ୍ରବଞ୍ଚନା କରିଅଛନ୍ତି 16ତାହାସବୁ ହିମ ସକାଶୁ କୃଷ୍ଣବର୍ଣ୍ଣ ଓ ତହିଁ ମଧ୍ୟରେ ତୁଷାର ଲୀନ ହୁଏ; 17ନଦୀ ଉତ୍ତପ୍ତ ହେଲେ, ତାହା ଲୁପ୍ତ ହୁଏ; ଗ୍ରୀଷ୍ମ ପାଇଲେ ସ୍ୱସ୍ଥାନରୁ ଅନ୍ତର୍ହିତ ହୁଏ। 18ପଥିକ ଦଳ ତହିଁ ନିକଟ ଦେଇ ଯାତ୍ରା କରିବା ବେଳେ ପଥ ଛାଡ଼ନ୍ତି; ସେମାନେ ମରୁଭୂମିକୁ ଯାଇ ବିନଷ୍ଟ ହୁଅନ୍ତି। 19ତେମାର ପଥିକ ଦଳ ଅନ୍ଵେଷଣ କଲେ, ଶିବାର ଯାତ୍ରୀ ଦଳ ତହିଁ ପାଇଁ ଅପେକ୍ଷା କଲେ। 20ସେମାନେ ପ୍ରତ୍ୟାଶା କରିଥିବା ସକାଶୁ ଲଜ୍ଜିତ ହେଲେ; ସେମାନେ ସେଠାରେ ଉପସ୍ଥିତ ହୋଇ ଘାବରା ହେଲେ। 21ଦେଖ, ଏବେ ତୁମ୍ଭେମାନେ କିଛି ନୁହଁ; ତୁମ୍ଭେମାନେ ବିପତ୍ତି ଦେଖି ଭୀତ ହେଉଅଛ। 22ମୋତେ କିଛି ଦିଅ, ଅବା ତୁମ୍ଭମାନଙ୍କ ସମ୍ପତ୍ତିରୁ ମୋ’ ପାଇଁ ଉପହାର ଯାଚ। 23କିଅବା ବିପକ୍ଷ ହସ୍ତରୁ ମୋତେ ଉଦ୍ଧାର କର, ଅଥବା ଉପଦ୍ରବୀମାନଙ୍କ ହସ୍ତରୁ ମୋତେ ମୁକ୍ତ କର, ଏହା କି ମୁଁ କହିଲି ? 24ମୋତେ ଶିକ୍ଷା ଦିଅ, ତହିଁରେ ମୁଁ ନୀରବ ହେବି ଓ ମୁଁ କେଉଁ ବିଷୟରେ ଭୁଲିଗଲି, ତାହା ମୋତେ ବୁଝାଇ ଦିଅ। 25ସରଳ ବାକ୍ୟ କିପରି ପ୍ରବଳ ! ମାତ୍ର ତୁମ୍ଭମାନଙ୍କ ତର୍କ କେଉଁ ଦୋଷ ବ୍ୟକ୍ତ କରେ ? 26ତୁମ୍ଭେମାନେ କ’ଣ ଶବ୍ଦର ଦୋଷ ଧରିବାକୁ କଳ୍ପନା କରୁଅଛ ? କାରଣ ନିରାଶ ଲୋକର ବାକ୍ୟ ବାୟୁ ତୁଲ୍ୟ। 27ହଁ, ତୁମ୍ଭେମାନେ ପିତୃହୀନ ପାଇଁ ଗୁଲିବାଣ୍ଟ କରିବ ଓ ଆପଣା ବନ୍ଧୁକୁ ବାଣିଜ୍ୟ ଦ୍ରବ୍ୟ କରିବ। 28ଏହେତୁ ଏବେ ଅନୁଗ୍ରହ କରି ମୋ’ ପ୍ରତି ଦୃଷ୍ଟି କର; କାରଣ ମୁଁ ନିଶ୍ଚୟ ତୁମ୍ଭ ମୁଖ ଆଗରେ ମିଥ୍ୟା କହିବି ନାହିଁ। 29ମୁଁ ବିନୟ କରୁଅଛି, ଫେର, କୌଣସି ଅନ୍ୟାୟ ନ ହେଉ; ହଁ, ପୁନର୍ବାର ଫେର, ମୋହର ଗୁହାରି ଯଥାର୍ଥ। 30ମୋ’ ଜିହ୍ୱାରେ କ’ଣ ଅନ୍ୟାୟ ଅଛି ? ମୋହର ରସନେନ୍ଦ୍ରିୟ କ’ଣ ଅନିଷ୍ଟ ବିଷୟ ବାରି ନ ପାରେ ?
7ଆୟୁବ - ମୋର ଜୀବନରେ ଭରସା ନାହିଁ
1ପୃଥିବୀରେ କ’ଣ ମନୁଷ୍ୟର ଯୁଦ୍ଧ ହୁଏ ନାହିଁ ? ଓ ତାହାର ଦିନସମୂହ କ’ଣ ବେତନଜୀବୀର ଦିନ ତୁଲ୍ୟ ନୁହେଁ ? 2ଦାସ ଯେପରି ଛାୟାର ଆକାଂକ୍ଷା କରେ, ବେତନଜୀବୀ ଯେପରି ଆପଣା ବେତନର ଅପେକ୍ଷା କରେ; 3ମୁଁ ସେପରି ଅସାରତାବିଶିଷ୍ଟ ମାସମାନର ଅଧିକାରୀ କରା ଯାଇଅଛି ଓ କ୍ଳାନ୍ତିଜନକ ରାତ୍ରିମାନ ମୋ’ ପାଇଁ ନିରୂପିତ ହୋଇଅଛି। 4ମୁଁ ଶୟନ କାଳରେ କହେ, କେବେ ମୁଁ ଉଠିବି ? ମାତ୍ର ରାତ୍ରି ଦୀର୍ଘ ହୁଏ; ଆଉ, ମୁଁ ପ୍ରଭାତ ପର୍ଯ୍ୟନ୍ତ ନିରନ୍ତର ଛଟପଟ ହେଉଥାଏ। 5ମୋହର ମାଂସ କୀଟ ଓ ଧୂଳିଟେଳା ପରିହିତ; ମୋହର ଚର୍ମ ମିଶିଯାଏ ଓ ପୁନର୍ବାର ଫାଟିଯାଏ। 6ମୋହର ଦିନ ତନ୍ତୀର ନଳୀଠାରୁ ଶୀଘ୍ରଗାମୀ ଓ ଭରସା ବିନା ବ୍ୟୟ ହୋଇଯାଏ। 7ଆହେ, ମୋହର ପ୍ରାଣ ବାୟୁ ମାତ୍ର ବୋଲି ସ୍ମରଣ କର; ମୋହର ଚକ୍ଷୁ ଆଉ ମଙ୍ଗଳ ଦେଖିବ ନାହିଁ। 8ଯାହାର ଚକ୍ଷୁ ମୋତେ ଦେଖେ, ସେ ଆଉ ମୋତେ ଦେଖିବ ନାହିଁ; ମୋ’ ପ୍ରତି ତୁମ୍ଭର ଦୃଷ୍ଟି ପଡ଼ିବ, ମାତ୍ର ମୁଁ ନ ଥିବି। 9ମେଘ ଯେପରି କ୍ଷୟ ପାଇ ଅନ୍ତର୍ହିତ ହୁଏ, ସେପରି ଯେ ପାତାଳକୁ ଓହ୍ଲାଇଯାଏ, ସେ ଆଉ ଉଠି ଆସିବ ନାହିଁ। 10ସେ ଆଉ ଆପଣା ଗୃହକୁ ଫେରି ଆସିବ ନାହିଁ, କିଅବା ତାହାର ବାସସ୍ଥାନ ତାହାକୁ ଆଉ ଚିହ୍ନିବ ନାହିଁ। 11ଏହେତୁ ମୁଁ ଆପଣା ମୁଖ ବନ୍ଦ କରିବି ନାହିଁ; ମୁଁ ଆପଣା ମନର ବେଦନାରେ କଥା କହିବି; ମୁଁ ଆପଣା ପ୍ରାଣର ତିକ୍ତତାରେ ବିଳାପ କରିବି। 12ମୁଁ କ’ଣ ସମୁଦ୍ର ଅବା ତିମିମତ୍ସ୍ୟ ଯେ, ତୁମ୍ଭେ ମୋ’ ଉପରେ ପ୍ରହରୀ ରଖୁଅଛ ? 13ମୋ’ ପଲଙ୍କ ମୋତେ ସାନ୍ତ୍ୱନା ଦେବ, ମୋହର ଶଯ୍ୟା ମୋର ଦୁଃଖ ଉପଶମ କରିବ ବୋଲି କହିଲା ବେଳେ, 14ତୁମ୍ଭେ ସ୍ୱପ୍ନରେ ମୋତେ ଭୟ ଦେଖାଉଅଛ ଓ ନାନା ଦର୍ଶନ ଦ୍ୱାରା ମୋତେ ତ୍ରାସଯୁକ୍ତ କରୁଅଛ। 15ତେଣୁ ମୋହର ପ୍ରାଣ ମୋହର ଏହି ଅସ୍ଥି ଅପେକ୍ଷା ଶ୍ୱାସରୋଧ ଓ ମରଣ ପସନ୍ଦ କରେ। 16ମୁଁ ଆପଣା ପ୍ରାଣକୁ ଘୃଣା କରେ, ମୁଁ ସର୍ବଦା ବଞ୍ଚିବାକୁ ଇଚ୍ଛା କରେ ନାହିଁ; ମୋତେ ଛାଡ଼; କାରଣ ମୋହର ଆୟୁ ଅସାର। 17ମନୁଷ୍ୟ କିଏ ଯେ, ତୁମ୍ଭେ ତାହା ପ୍ରତି ମନୋଯୋଗ କରିବ ଓ ତାହା ପ୍ରତି ଆପଣା ହୃଦୟ ରଖିବ, 18ଆଉ, ପ୍ରତି ପ୍ରଭାତରେ ତାହାର ତତ୍ତ୍ୱ ନେବ ଓ ପ୍ରତି ନିମିଷରେ ତାହାର ପରୀକ୍ଷା କରିବ ? 19ତୁମ୍ଭେ କେତେ କାଳ ମୋ’ଠାରୁ ଆପଣା ଦୃଷ୍ଟି ଫେରାଇବ ନାହିଁ, କିଅବା ମୁଁ ଆପଣା ଛେପ ଢୋକିବା ପର୍ଯ୍ୟନ୍ତ ମୋତେ ଛାଡ଼ି ଦେବ ନାହିଁ ? 20ହେ ମନୁଷ୍ୟ-ପ୍ରହରୀ, ମୁଁ ପାପ କଲେ ତୁମ୍ଭର କ’ଣ କରେ ? କାହିଁକି ତୁମ୍ଭେ ମୋତେ ଆପଣା ଲକ୍ଷ୍ୟ ରୂପେ ରଖିଅଛ ? ତେଣୁ ମୁଁ ଆପଣା ପ୍ରତି ଭାର ସ୍ୱରୂପ ହେଉଅଛି ? 21ପୁଣି, ତୁମ୍ଭେ କାହିଁକି ମୋହର ଅପରାଧ କ୍ଷମା କରୁ ନାହଁ ଓ ମୋହର ଅଧର୍ମ ଦୂର କରୁ ନାହଁ ? କାରଣ ଏବେ ମୁଁ ଧୂଳିରେ ଶୟନ କରିବି; ପୁଣି, ତୁମ୍ଭେ ଯତ୍ନପୂର୍ବକ ମୋହର ଅନ୍ଵେଷଣ କରିବ, ମାତ୍ର ମୁଁ ନ ଥିବି।
8ବିଲ୍ଦଦ୍ - ଆୟୁବର ଅନୁତାପ ଆବଶ୍ୟକ
1ଏଉତ୍ତାରେ ଶୂହୀୟ ବିଲ୍ଦଦ୍ ଉତ୍ତର କରି କହିଲା, 2“ତୁମ୍ଭେ କେତେ କାଳ ଏହିସବୁ କଥା କହିବ ? ଓ ତୁମ୍ଭ ମୁଖର ବାକ୍ୟ କେତେ କାଳ ପ୍ରବଳ ବାୟୁ ତୁଲ୍ୟ ହେବ ? 3ପରମେଶ୍ୱର କ’ଣ ବିଚାର ବିପରୀତ କରନ୍ତି ? ଅଥବା ସର୍ବଶକ୍ତିମାନ କ’ଣ ନ୍ୟାୟ ବିପରୀତ କରନ୍ତି ? 4ଯେବେ ତୁମ୍ଭର ସନ୍ତାନଗଣ ତାହାଙ୍କ ବିରୁଦ୍ଧରେ ପାପ କରିଅଛନ୍ତି ଓ ସେ ସେମାନଙ୍କୁ ସେମାନଙ୍କ ଅଧର୍ମର ହସ୍ତରେ ସମର୍ପଣ କରିଅଛନ୍ତି; 5ଯଦି ତୁମ୍ଭେ ଯତ୍ନପୂର୍ବକ ପରମେଶ୍ୱରଙ୍କର ଅନ୍ଵେଷଣ କର; ଓ ସର୍ବଶକ୍ତିମାନଙ୍କ ନିକଟରେ ଆପଣା ନିବେଦନ ଜଣାନ୍ତ; 6ଯଦି ତୁମ୍ଭେ ନିର୍ମଳ ଓ ସରଳ ଥା’ନ୍ତ, ତେବେ ସେ ନିଶ୍ଚୟ ଏକ୍ଷଣେ ତୁମ୍ଭ ପକ୍ଷରେ ଜାଗ୍ରତ ହୁଅନ୍ତେ, ଆଉ ତୁମ୍ଭର ଧର୍ମନିବାସକୁ ସମୃଦ୍ଧିଶାଳୀ କରନ୍ତେ। 7ଆଉ, ତୁମ୍ଭର ପ୍ରଥମାବସ୍ଥା କ୍ଷୁଦ୍ର ହେଲେ ହେଁ ତୁମ୍ଭର ଶେଷାବସ୍ଥା ଅତିଶୟ ଉନ୍ନତ ହୁଅନ୍ତା। 8କାରଣ ବିନୟ କରୁଅଛି, ପୂର୍ବକାଳୀନ ଲୋକଙ୍କୁ ପଚାର ଓ ସେମାନଙ୍କ ପିତୃଗଣ ଅନୁସନ୍ଧାନ କରି ଯାହା ପାଇଅଛନ୍ତି, ତହିଁରେ ମନୋଯୋଗ କର; 9କାରଣ ଆମ୍ଭେମାନେ ତ କାଲିର ଲୋକ ଓ କିଛି ଜାଣୁ ନାହୁଁ, ଯେଣୁ ପୃଥିବୀରେ ଆମ୍ଭମାନଙ୍କ ଦିନ ଛାୟା ସ୍ୱରୂପ; 10ସେମାନେ କ’ଣ ତୁମ୍ଭକୁ ଶିକ୍ଷା ଦେବେ ନାହିଁ ଓ ଜଣାଇବେ ନାହିଁ, ପୁଣି ଆପଣା ଆପଣା ଅନ୍ତଃକରଣରୁ କ’ଣ ବାକ୍ୟ ଉଚ୍ଚାରଣ କରିବେ ନାହିଁ ? 11ପଙ୍କ ବିନା କ’ଣ ନଳ ବଢ଼ିପାରେ ? ଜଳ ବିନା କ’ଣ ସନ୍ତରା ବଢ଼ିପାରେ ? 12ତାହା ସତେଜ ଥାଉ ଥାଉ ଓ କଟା ନୋହୁଣୁ ଅନ୍ୟାନ୍ୟ ତୃଣ ପୂର୍ବରୁ ଶୁଷ୍କ ହୁଏ। 13ଯେଉଁମାନେ ପରମେଶ୍ୱରଙ୍କୁ ପାସୋରନ୍ତି, ସେସମସ୍ତଙ୍କର ପଥ ଏହି ପ୍ରକାର ଓ ଧର୍ମହୀନ ଲୋକର ଭରସା ବିନଷ୍ଟ ହେବ, 14ତାହାର ପ୍ରତ୍ୟାଶା ଉଚ୍ଛିନ୍ନ ହେବ, ଯେଣୁ ତାହାର ଆଶ୍ରୟ ମାକଡ଼ସାର ଜାଲ ସ୍ୱରୂପ। 15ସେ ଆପଣା ଗୃହ ଉପରେ ଆଉଜିବ, ମାତ୍ର ତାହା ସ୍ଥିର ରହିବ ନାହିଁ; ସେ ତାହା ଦୃଢ଼ କରି ଅବଲମ୍ବନ କରିବ, ମାତ୍ର ତାହା ରହିବ ନାହିଁ। 16ସେ ସୂର୍ଯ୍ୟ ସାକ୍ଷାତରେ ସତେଜ ହୁଏ, ତାହାର କୋମଳ ଶାଖା ତାହାର ଉଦ୍ୟାନରେ ମାଡ଼ିଯାଏ। 17ତାହାର ଚେର ପ୍ରସ୍ତରରାଶିରେ ଜଡ଼ିତ ହୁଏ, ସେ ପ୍ରସ୍ତରର ସ୍ଥଳ ଦେଖେ। 18ଯଦି ସେ ଆପଣା ସ୍ଥାନରୁ ବିନଷ୍ଟ ହେବ, ତେବେ ସେହି ସ୍ଥାନ ତାହାକୁ ଅସ୍ୱୀକାର କରି କହିବ, ମୁଁ ତୁମ୍ଭକୁ ଦେଖି ନାହିଁ। 19ଦେଖ, ଏହି ତାହାର ଗତିର ଆମୋଦ, ଏଉତ୍ତାରେ ଭୂମିରୁ ଅନ୍ୟମାନେ ଉଠିବେ। 20ଦେଖ, ପରମେଶ୍ୱର ସିଦ୍ଧ ଲୋକକୁ ଦୂର କରିବେ ନାହିଁ, କିଅବା ସେ ଦୁଷ୍କର୍ମକାରୀମାନଙ୍କୁ ଧରି ରଖିବେ ନାହିଁ। 21ତେବେ ହେଁ ସେ ତୁମ୍ଭ ମୁଖକୁ ହାସ୍ୟରେ ଓ ତୁମ୍ଭ ଓଷ୍ଠାଧରକୁ ଆନନ୍ଦଧ୍ୱନିରେ ପୂର୍ଣ୍ଣ କରିବେ। 22ତୁମ୍ଭର ଘୃଣାକାରୀମାନେ ଲଜ୍ଜା ପରିହିତ ହେବେ ଓ ଦୁଷ୍ଟର ତମ୍ବୁ ଆଉ ରହିବ ନାହିଁ।
9ଆୟୁବ - ନିଷ୍ପତ୍ତିକାରୀ କେହି ନାହାନ୍ତି
1ଏଥିରେ ଆୟୁବ ଉତ୍ତର କରି କହିଲା, 2“ଏହା ସତ୍ୟ ବୋଲି ମୁଁ ନିଶ୍ଚୟ ଜାଣେ; ମାତ୍ର କିପରି ମନୁଷ୍ୟ ପରମେଶ୍ୱରଙ୍କ ନିକଟରେ ଧାର୍ମିକ ହୋଇପାରେ ? 3ସେ ତାହା ସଙ୍ଗେ ବାଦାନୁବାଦ କରିବାକୁ ଇଚ୍ଛା କଲେ, ମନୁଷ୍ୟ ତାହାଙ୍କୁ ସହସ୍ର କଥା ମଧ୍ୟରୁ ଗୋଟିକର ଉତ୍ତର ଦେଇ ପାରିବ ନାହିଁ। 4ସେ ମନରେ ଜ୍ଞାନବାନ ଓ ବଳରେ ପରାକ୍ରାନ୍ତ; କିଏ ତାହାଙ୍କ ବିରୁଦ୍ଧରେ ଆପଣାକୁ ପ୍ରବଳ କରି ମଙ୍ଗଳ ପାଇଅଛି ? 5ସେ ପର୍ବତଗଣକୁ ସ୍ଥାନାନ୍ତର କରନ୍ତି, ସେ ଆପଣା କ୍ରୋଧରେ ସେମାନଙ୍କୁ ଓଲଟାଇ ପକାଇବା ବେଳେ ସେମାନେ ତାହା ଜାଣନ୍ତି ନାହିଁ। 6ସେ ପୃଥିବୀକୁ ସ୍ୱସ୍ଥାନରୁ ହଲାଇ ଦିଅନ୍ତି ଓ ତହିଁର ସ୍ତମ୍ଭମାନ ଟଳଟଳ ହୁଏ। 7ସେ ବାରଣ କଲେ, ସୂର୍ଯ୍ୟ ଉଦିତ ହୁଏ ନାହିଁ ଓ ସେ ତାରାଗଣକୁ ବନ୍ଦ କରି ମୁଦ୍ରାଙ୍କିତ କରନ୍ତି। 8ସେ ଏକାକୀ ଆକାଶମଣ୍ଡଳ ପ୍ରସାରନ୍ତି ଓ ସମୁଦ୍ରର ତରଙ୍ଗ ଉପରେ ଗମନ କରନ୍ତି। 9ସେ ସପ୍ତର୍ଷି, ମୃଗଶୀର୍ଷ ଓ କୃତ୍ତିକା ଓ ଦକ୍ଷିଣସ୍ଥ ମଣ୍ଡଳ ସୃଷ୍ଟି କରନ୍ତି। 10ସେ ଅନୁଦ୍ଦେଶ୍ୟ ମହାକାର୍ଯ୍ୟ ଓ ଅସଂଖ୍ୟ ଆଶ୍ଚର୍ଯ୍ୟ କ୍ରିୟା କରନ୍ତି। 11ଦେଖ, ସେ ମୋ’ ନିକଟରେ ଗମନ କରନ୍ତି, ମାତ୍ର ମୁଁ ତାହାଙ୍କୁ ଦେଖେ ନାହିଁ; ମଧ୍ୟ ସେ ଚାଲିଗଲେ, ମୁଁ ତାହାଙ୍କୁ ଚିହ୍ନେ ନାହିଁ। 12ଦେଖ, ସେ ଶିକାର ଧରିଲେ, କିଏ ତାହାଙ୍କୁ ନିବାରଣ କରି ପାରେ ? ତୁମ୍ଭେ କଅଣ କରୁଅଛ, ଏହା କିଏ ତାହାଙ୍କୁ କହିବ ? 13ପରମେଶ୍ୱର ଆପଣା କ୍ରୋଧ ପ୍ରତ୍ୟାହାର କରିବେ ନାହିଁ; ରାହବର ସହାୟଗଣ ତାହାଙ୍କ ପାଦ ତଳେ ନତ ହୁଅନ୍ତି। 14ତେବେ ମୁଁ ତାହାଙ୍କୁ କେତେ ଅଳ୍ପ ଉତ୍ତର ଦେବି ? ଓ ତାହାଙ୍କ ସଙ୍ଗେ ଯୁକ୍ତି କରିବାକୁ ଆପଣା କଥା ବାଛିବି ? 15ମୁଁ ଧାର୍ମିକ ହେଲେ ହେଁ ତାହାଙ୍କୁ ଉତ୍ତର ଦିଅନ୍ତି ନାହିଁ; ମୁଁ ଆପଣା ବିପକ୍ଷ ନିକଟରେ ବିନତି କରନ୍ତି। 16ଯଦି ମୁଁ ଡାକିଥା’ନ୍ତି ଓ ସେ ମୋତେ ଉତ୍ତର ଦେଇଥା’ନ୍ତେ, ତେବେ ହେଁ ସେ ମୋ’ ରବରେ ମନୋଯୋଗ କଲେ ବୋଲି ମୁଁ ବିଶ୍ୱାସ କରନ୍ତି ନାହିଁ। 17କାରଣ ସେ ବତାସରେ ମୋତେ ଭାଙ୍ଗି ପକାନ୍ତି ଓ ଅକାରଣରେ ମୋହର କ୍ଷତ ବୃଦ୍ଧି କରନ୍ତି। 18ସେ ମୋତେ ନିଶ୍ୱାସ ମାରିବାକୁ ଦିଅନ୍ତି ନାହିଁ, ମାତ୍ର ମୋତେ ତିକ୍ତତାରେ ପୂର୍ଣ୍ଣ କରନ୍ତି। 19ଆମ୍ଭେମାନେ ବିକ୍ରମୀର ବଳର କଥା କହିଲେ, ଦେଖ, ସେ ଅଛନ୍ତି ! ଓ ବିଚାରର କଥା କହିଲେ, କିଏ ମୋ’ ପାଇଁ ସମୟ ନିରୂପଣ କରିବ ? 20ମୁଁ ଧାର୍ମିକ ହେଲେ ହେଁ ମୋର ନିଜ ମୁଖ ମୋତେ ଦୋଷୀ କରିବ। ମୁଁ ସିଦ୍ଧ ହେଲେ ହେଁ ମୋତେ କୁଟିଳ ବୋଲି ତାହା ପ୍ରମାଣ କରିବ। 21ମୁଁ ସିଦ୍ଧ, ମୁଁ ଆପଣାକୁ ମାନ୍ୟ କରେ ନାହିଁ; ମୁଁ ଆପଣା ଜୀବନକୁ ତୁଚ୍ଛ କରେ। 22ସବୁ ତ ସମାନ; ଏଥିପାଇଁ ମୁଁ କହେ, ସେ ସିଦ୍ଧ ଓ ଦୁଷ୍ଟକୁ ସଂହାର କରନ୍ତି। 23ଯଦି କୋରଡ଼ା ହଠାତ୍ ମାରିପକାଏ, ସେ ନିର୍ଦ୍ଦୋଷର ପରୀକ୍ଷାରେ ହସିବେ। 24ପୃଥିବୀ ଦୁଷ୍ଟମାନଙ୍କ ହସ୍ତରେ ସମର୍ପିତ ହୋଇଅଛି; ସେ ତହିଁର ବିଚାରକର୍ତ୍ତୃଗଣର ମୁଖ ଆଚ୍ଛାଦନ କରନ୍ତି; ଯଦି ସେ ନ କରନ୍ତି, ତେବେ ଆଉ କିଏ ? 25ମୋହର ଦିନସବୁ ଡାକ9:25 ଡାକ କିମ୍ବା ଦୌଡ଼ାଳି ଅପେକ୍ଷା ଶୀଘ୍ରଗାମୀ; ତାହାସବୁ ପଳାଇଯାଏ, କୌଣସି ମଙ୍ଗଳର ଦର୍ଶନ ପାଏ ନାହିଁ। 26ତାହାସବୁ ବେଗଗାମୀ ଜାହାଜ ପରି ଓ ଶିକାର ଉପରେ ଝାମ୍ପ ମାରିବା ଉତ୍କ୍ରୋଶ ପକ୍ଷୀ ପରି ଚାଲିଯାଏ। 27ଯଦି ମୁଁ କହେ, ମୁଁ ଆପଣା ବିଳାପ ଭୁଲିଯିବି, ମୁଁ ଆପଣା ବିଷଣ୍ଣ ମୁଖ ଦୂର କରି ହୃଷ୍ଟଚିତ୍ତ ହେବି; 28ମୁଁ ଆପଣା ସକଳ ଦୁଃଖ ବିଷୟରେ ଭୀତ ହୁଏ, ମୁଁ ଜାଣେ, ତୁମ୍ଭେ ମୋତେ ନିର୍ଦ୍ଦୋଷ ଜ୍ଞାନ କରିବ ନାହିଁ। 29ମୁଁ ଦୋଷୀକୃତ ହେବି; ତେବେ ମୁଁ କାହିଁକି ବୃଥା ପରିଶ୍ରମ କରୁଅଛି ? 30ଯଦି ମୁଁ ହିମଜଳରେ ଆପଣାକୁ ଧୌତ କରେ ଓ ଆପଣା ହସ୍ତ ଅତିଶୟ ପରିଷ୍କାର କରେ, 31ତେବେ ହେଁ ତୁମ୍ଭେ ମୋତେ ଗର୍ତ୍ତରେ ମଗ୍ନ କରିବ ଓ ମୋହର ନିଜ ବସ୍ତ୍ର ମୋତେ ଘୃଣା କରିବ। 32କାରଣ ସେ ମୋ’ ପରି ମନୁଷ୍ୟ ନୁହନ୍ତି ଯେ, ମୁଁ ତାହାଙ୍କୁ ଉତ୍ତର ଦେବି ଓ ଆମ୍ଭେମାନେ ଏକତ୍ର ବିଚାର ସ୍ଥାନକୁ ଆସିବା। 33ଆମ୍ଭ ଦୁହିଁଙ୍କ ଉପରେ ହସ୍ତାର୍ପଣ କରିବାକୁ ସମର୍ଥ କୌଣସି ମଧ୍ୟସ୍ଥ ଆମ୍ଭମାନଙ୍କ ମଧ୍ୟରେ ନାହିଁ। 34ସେ ମୋ’ଠାରୁ ଆପଣା ଯଷ୍ଟି ଦୂର କରନ୍ତୁ ଓ ତାହାଙ୍କ ଭୟଙ୍କରତା ମୋତେ ଭୀତ ନ କରୁ; 35ତେବେ ମୁଁ ତାହାଙ୍କୁ ଭୟ ନ କରି କଥା କହିବି; କାରଣ ମୁଁ ନିଜେ ସେହିପରି ନୁହେଁ।
10ଆୟୁବ - ଈଶ୍ୱରଙ୍କୁ ବିନତି
1ମୋ’ ପ୍ରାଣ ମୋ’ ଜୀବନ ବିଷୟରେ କ୍ଳାନ୍ତ ହୋଇଅଛି, ମୁଁ ଆପଣା ଦୁଃଖ ସ୍ୱଚ୍ଛନ୍ଦରେ କହିବି; ମୁଁ ଆପଣା ପ୍ରାଣର ତିକ୍ତତାରେ କହିବି। 2ମୁଁ ପରମେଶ୍ୱରଙ୍କୁ କହିବି, “ମୋତେ ଦୋଷୀ କର ନାହିଁ; କାହିଁକି ମୋ’ ସଙ୍ଗେ ବିରୋଧ କରୁଅଛ, ତାହା ମୋତେ ଜଣାଅ। 3ତୁମ୍ଭେ ଯେ ଉପଦ୍ରବ କରିବ, ତୁମ୍ଭେ ଯେ ଆପଣା ହସ୍ତର କର୍ମ ତୁଚ୍ଛ କରିବ ଓ ଦୁଷ୍ଟର ମନ୍ତ୍ରଣାରେ ପ୍ରସନ୍ନ ହେବ, ଏହା କ’ଣ ତୁମ୍ଭ ପ୍ରତି ଭଲ ? 4ତୁମ୍ଭର କ’ଣ ଚର୍ମର ଚକ୍ଷୁ ଅଛି ? ଅବା ମନୁଷ୍ୟ ଯେପରି ଦେଖେ, ତୁମ୍ଭେ କ’ଣ ସେପରି ଦେଖୁଅଛ ? 5ତୁମ୍ଭର ଆୟୁ କ’ଣ ମନୁଷ୍ୟର ଆୟୁ ତୁଲ୍ୟ, ଅବା ତୁମ୍ଭର ବର୍ଷସମୂହ କ’ଣ ମନୁଷ୍ୟର ଦିନସମୂହ ତୁଲ୍ୟ 6ଯେ, ତୁମ୍ଭେ ମୋହର ଅଧର୍ମ ଅନୁସନ୍ଧାନ କରୁଅଛ ଓ ମୋହର ପାପ ଅନ୍ଵେଷଣ କରୁଅଛ ? 7ତୁମ୍ଭେ ତ ଜାଣ, ମୁଁ ଦୁଷ୍ଟ ନୁହେଁ ଓ ତୁମ୍ଭ ହସ୍ତରୁ ଉଦ୍ଧାର କରିବାକୁ କେହି ସମର୍ଥ ନୁହେଁ। 8ତୁମ୍ଭର ହସ୍ତ ମୋତେ ଗଢ଼ିଅଛି ଓ ସର୍ବାଙ୍ଗ ସୁସଂଯୁକ୍ତ କରି ମୋତେ ନିର୍ମାଣ କରିଅଛି; ତଥାପି ତୁମ୍ଭେ ମୋତେ ସଂହାର କରୁଅଛ। 9ମୁଁ ବିନୟ କରୁଅଛି, ସ୍ମରଣ କର, ତୁମ୍ଭେ ମୋତେ ମୃତ୍ତିକା ତୁଲ୍ୟ ଗଢ଼ିଅଛ ଓ ତୁମ୍ଭେ କ’ଣ ମୋତେ ପୁନର୍ବାର ଧୂଳି କରିବ ? 10ତୁମ୍ଭେ କ’ଣ ଦୁଗ୍ଧ ନ୍ୟାୟ ମୋତେ ଢାଳି ନାହଁ ଓ ଛେନା ତୁଲ୍ୟ ମୋତେ ଶକ୍ତ କରି ନାହଁ ? 11ତୁମ୍ଭେ ମୋତେ ଚର୍ମ ଓ ମାଂସରେ ବସ୍ତ୍ରାନ୍ୱିତ କରିଅଛ, ପୁଣି ଅସ୍ଥି ଓ ଶିରାରେ ମୋତେ ଏକତ୍ର ବୁଣିଅଛ। 12ତୁମ୍ଭେ ମୋତେ ଜୀବନ ଓ ଅନୁଗ୍ରହ ଦାନ କରିଅଛ ଓ ତୁମ୍ଭର ତତ୍ତ୍ୱାବଧାରଣ ମୋର ଆତ୍ମାକୁ ରକ୍ଷା କରିଅଛି। 13ତଥାପି ତୁମ୍ଭେ ଏହିସବୁ ବିଷୟ ଆପଣା ମନରେ ଗୁପ୍ତ କରି ରଖିଅଛ; ମୁଁ ଜାଣେ, ଏହା ହିଁ ତୁମ୍ଭର ବିଚାର; 14ମୁଁ ପାପ କଲେ, ତୁମ୍ଭେ ମୋତେ ଲକ୍ଷ୍ୟ କରୁଅଛ ଓ ତୁମ୍ଭେ ମୋର ଅଧର୍ମରୁ ମୋତେ ମୁକ୍ତ କରିବ ନାହିଁ। 15ମୁଁ ଦୁଷ୍ଟ ହେଲେ, ମୋର ସନ୍ତାପ ହେବ, ପୁଣି ମୁଁ ଧାର୍ମିକ ହେଲେ ହେଁ ଅବମାନନାରେ ପୂର୍ଣ୍ଣ ହେବାରୁ ଓ ଆପଣା କ୍ଳେଶ ପ୍ରତି ଅନାଇବାରୁ ଆପଣା ମସ୍ତକ ଟେକି ପାରୁ ନାହିଁ। 16ମାତ୍ର ମୋର ମସ୍ତକ ଆପେ ଟେକି ହେଲେ, ତୁମ୍ଭେ ସିଂହ ପରି ମୋତେ ମୃଗୟା କରୁଅଛ ଓ ତୁମ୍ଭେ ପୁନର୍ବାର ମୋ’ ପ୍ରତି ଆପଣାକୁ ଅଦ୍ଭୁତ ଦେଖାଉଅଛ। 17ତୁମ୍ଭେ ମୋ’ ବିରୁଦ୍ଧରେ ନୂଆ ନୂଆ ସାକ୍ଷୀ ଆଣୁଅଛ ଓ ତୁମ୍ଭେ ମୋ’ ଉପରେ ଆପଣା କ୍ରୋଧ ବୃଦ୍ଧି କରୁଅଛ; ନୂତନ ନୂତନ ସୈନ୍ୟଦଳ ମୋହର ପ୍ରତିକୂଳ। 18ତେବେ ତୁମ୍ଭେ କାହିଁକି ମୋତେ ଗର୍ଭରୁ ବାହାର କରି ଆଣିଅଛ ? ମୁଁ ପ୍ରାଣତ୍ୟାଗ କରିଥା’ନ୍ତି ଓ କୌଣସି ଚକ୍ଷୁ ମୋତେ ଦେଖି ନ ଥା’ନ୍ତା, 19ମୁଁ ଅଜାତର ତୁଲ୍ୟ ହୋଇଥା’ନ୍ତି; ମୁଁ ଗର୍ଭରୁ କବରକୁ ଘେନା ଯାଇଥା’ନ୍ତି। 20ମୋହର ଦିନ କ’ଣ ଅଳ୍ପ ନୁହେଁ ? ତେବେ କ୍ଷାନ୍ତ ହୁଅ, 21ମୋତେ ଛାଡ଼ି ଦିଅ, ତହିଁରେ ମୁଁ ଯେଉଁ ସ୍ଥାନରୁ ଫେରି ଆସିବି ନାହିଁ, ଏପରି ଅନ୍ଧକାର ଓ ମୃତ୍ୟୁୁଚ୍ଛାୟାରୂପ ଦେଶକୁ ଯିବା ପୂର୍ବେ ମୁଁ କ୍ଷଣକାଳ ସାନ୍ତ୍ୱନା ପାଇବି; 22ସେ ଦେଶ ଅନ୍ଧକାର ତୁଲ୍ୟ ନିବିଡ଼ ଅନ୍ଧକାରମୟ; ସେ ଦେଶ ମୃତ୍ୟୁୁଚ୍ଛାୟାମୟ, ସୁଧାରାବିହୀନ ଓ ସେଠାରେ ଦୀପ୍ତି ଅନ୍ଧକାରର ସମାନ।”
11ସୋଫର - ଅଧିକ ମନ୍ଦ ଆବଶ୍ୟକ
1ଏଥିରେ ନାମାଥୀୟ ସୋଫର ଉତ୍ତର କରି କହିଲା, 2“ଏତେ କଥାର କି କିଛି ଉତ୍ତର ଦିଆଯିବ ନାହିଁ ? ଓ ବକୁଆ ଲୋକ କ’ଣ ନିର୍ଦ୍ଦୋଷ ଗଣାଯିବ ? 3ତୁମ୍ଭର ଦର୍ପ କ’ଣ ଲୋକମାନଙ୍କୁ ନୀରବ କରିବ ? ଓ ତୁମ୍ଭେ ପରିହାସ କଲେ, କେହି କ’ଣ ତୁମ୍ଭକୁ ଲଜ୍ଜିତ କରିବ ନାହିଁ ? 4କାରଣ ତୁମ୍ଭେ କହୁଅଛ, ମୋହର ବାକ୍ୟ ଶୁଦ୍ଧ, ମୁଁ ତୁମ୍ଭ ଦୃଷ୍ଟିରେ ଶୁଚି। 5ମାତ୍ର ଆହା, ଯେବେ ପରମେଶ୍ୱର କଥା କହନ୍ତେ ଓ ତୁମ୍ଭ ପ୍ରତିକୂଳରେ ଆପଣା ଓଷ୍ଠାଧର ଫିଟାନ୍ତେ; 6ପୁଣି, ଜ୍ଞାନର ନିଗୂଢ଼ ତତ୍ତ୍ୱ, ଅର୍ଥାତ୍, ତହିଁର ବହୁବିଧ ଫଳଦାୟକ କର୍ମଣ୍ୟତା ତୁମ୍ଭକୁ ଜ୍ଞାତ କରାନ୍ତେ ! ଏହେତୁ ଜାଣ ଯେ, ପରମେଶ୍ୱର ତୁମ୍ଭ ଅପରାଧ ଅପେକ୍ଷା ଊଣା ପରିଶୋଧ ତୁମ୍ଭଠାରୁ ନେଉଅଛନ୍ତି। 7ତୁମ୍ଭେ କ’ଣ ଅନୁସନ୍ଧାନ ଦ୍ୱାରା ପରମେଶ୍ୱରଙ୍କୁ ପାଇପାର ? ତୁମ୍ଭେ କ’ଣ ସର୍ବଶକ୍ତିମାନଙ୍କର ସମ୍ପୂର୍ଣ୍ଣ ତତ୍ତ୍ୱ ପାଇପାର ? 8ତାହା ଆକାଶ ତୁଲ୍ୟ ଉଚ୍ଚ; ତୁମ୍ଭେ କଅଣ କରିପାର ? ପାତାଳଠାରୁ ଗଭୀର; ତୁମ୍ଭେ କଅଣ ଜାଣିପାର ? 9ତହିଁର ପରିମାଣ ପୃଥିବୀ ଅପେକ୍ଷା ଦୀର୍ଘ ଓ ସମୁଦ୍ର ଅପେକ୍ଷା ପ୍ରଶସ୍ତ। 10ଯଦି ପରମେଶ୍ୱର ଚାଲିଯା’ନ୍ତି ଓ ବନ୍ଦ କରନ୍ତି ଓ ବିଚାର ସଭାକୁ ଡାକନ୍ତି, ତେବେ କିଏ ତାହାଙ୍କୁ ବାରଣ କରିପାରେ ? 11କାରଣ ସେ ଅସାର ଲୋକଙ୍କୁ ଜାଣନ୍ତି; ସେ ଆଲୋଚନା ନ କରି ହିଁ ଅଧର୍ମ ଦେଖନ୍ତି। 12ଜଣେ ଅସାର ମନୁଷ୍ୟ ବୁଦ୍ଧିବାନ ହୋଇ ପାରିବ, କିନ୍ତୁ ଯେବେ ବନ୍ୟ ଗର୍ଦ୍ଦଭଶାବକ ମନୁଷ୍ୟକୁ ଜାତ କରିବ। 13ଯଦି ତୁମ୍ଭେ ଯଥାର୍ଥ ରୂପେ ଆପଣା ଅନ୍ତଃକରଣ ସୁସ୍ଥିର କରି ତାହାଙ୍କ ଆଡ଼େ ଆପଣା ହସ୍ତ ବିସ୍ତାର କର; 14ଯଦି ତୁମ୍ଭ ହସ୍ତରେ ଅଧର୍ମ ଥାଏ, ତାହା ଦୂର କରି ଦିଅ ଓ ଅଧର୍ମକୁ ତୁମ୍ଭ ତମ୍ବୁରେ ବାସ କରିବାକୁ ନ ଦିଅ; 15ତେବେ ତୁମ୍ଭେ ନିଶ୍ଚୟ କଳଙ୍କରହିତ ହୋଇ ଆପଣା ମୁଖ ଟେକିବ; ଆହୁରି, ତୁମ୍ଭେ ସୁସ୍ଥିର ହେବ ଓ ଭୟ କରିବ ନାହିଁ; 16ତୁମ୍ଭେ ଆପଣା ଦୁଃଖ ପାସୋରି ପକାଇବ; ବହିଗଲା ଜଳ ତୁଲ୍ୟ ତାହା ସ୍ମରଣ କରିବ; 17ତୁମ୍ଭର ଜୀବନ ମଧ୍ୟାହ୍ନ ଅପେକ୍ଷା ନିର୍ମଳ ହେବ; ଅନ୍ଧକାର ଥିଲେ ହେଁ ତାହା ପ୍ରଭାତ ତୁଲ୍ୟ ହେବ। 18ପୁଣି, ଭରସା ଥିବାରୁ ତୁମ୍ଭେ ନିର୍ବିଘ୍ନରେ ରହିବ; ଆହୁରି, ତୁମ୍ଭେ ଆପଣା ଚତୁର୍ଦ୍ଦିଗ ଅନ୍ଵେଷଣ କରି ନିରାପଦରେ ବିଶ୍ରାମ କରିବ। 19ମଧ୍ୟ ତୁମ୍ଭେ ଶୟନ କଲେ, କେହି ତୁମ୍ଭକୁ ଭୀତ କରିବ ନାହିଁ; ବରଞ୍ଚ ଅନେକେ ତୁମ୍ଭ ନିକଟରେ ନିବେଦନ କରିବେ। 20ମାତ୍ର ଦୁଷ୍ଟମାନଙ୍କର ଚକ୍ଷୁ ନିସ୍ତେଜ ହେବ ଓ ସେମାନଙ୍କର ପଳାଇବାର ବାଟ ରହିବ ନାହିଁ, ଆଉ ସେମାନଙ୍କର ଭରସା ପ୍ରାଣତ୍ୟାଗରେ ପରିଣତ ହେବ।”
12ଆୟୁବ - ଈଶ୍ୱର ତାହା କରିଅଛନ୍ତି
1ତହୁଁ ଆୟୁବ ଉତ୍ତର କରି କହିଲା, 2“ତୁମ୍ଭେମାନେ ତ ଲୋକ, ସନ୍ଦେହ ନାହିଁ, ତୁମ୍ଭମାନଙ୍କ ସଙ୍ଗେ ସଙ୍ଗେ ଜ୍ଞାନ ମରିଯିବ। 3ମାତ୍ର ତୁମ୍ଭମାନଙ୍କ ପରି ଆମ୍ଭର ବୁଦ୍ଧି ଅଛି; ମୁଁ ତୁମ୍ଭମାନଙ୍କଠାରୁ ଊଣା ନୁହେଁ; ହଁ, ଏପରି କଥାସବୁ କିଏ ନ ଜାଣେ ? 4ମୁଁ ମୋହର ବନ୍ଧୁମାନଙ୍କ ନିମନ୍ତେ ହାସ୍ୟାସ୍ପଦ ଲୋକ ତୁଲ୍ୟ ହୋଇଅଛି, ମୁଁ ପରମେଶ୍ୱରଙ୍କୁ ଡାକନ୍ତେ, ସେ ମୋତେ ଉତ୍ତର ଦେଲେ; ଧାର୍ମିକ, ସିଦ୍ଧ ଲୋକ ହାସ୍ୟାସ୍ପଦ ହୋଇଅଛି। 5ସୁଖରେ ଥିବା ଲୋକର ବୋଧରେ ବିପଦ ତୁଚ୍ଛନୀୟ; ଯେଉଁମାନଙ୍କର ପାଦ ଖସିଯାଏ, ସେମାନଙ୍କ ନିମନ୍ତେ ତାହା ପ୍ରସ୍ତୁତ। 6ଡକାୟତମାନଙ୍କର ତମ୍ବୁ ନିରାପଦ ହୁଏ ଓ ପରମେଶ୍ୱରଙ୍କୁ ବିରକ୍ତ କରିବା ଲୋକେ ନିର୍ବିଘ୍ନରେ ରହନ୍ତି; ପରମେଶ୍ୱର ସେମାନଙ୍କ ହସ୍ତରେ ବହୁତ ଦିଅନ୍ତି। 7ମାତ୍ର ଏବେ ପଶୁମାନଙ୍କୁ ପଚାର, ସେମାନେ ତୁମ୍ଭକୁ ଶିକ୍ଷା ଦେବେ ଓ ଆକାଶର ପକ୍ଷୀମାନଙ୍କୁ ପଚାର, ସେମାନେ ତୁମ୍ଭକୁ ଜଣାଇବେ; 8ଅବା ପୃଥିବୀକୁ ବୋଲ, ସେ ତୁମ୍ଭକୁ ଶିକ୍ଷା ଦେବ ଓ ସମୁଦ୍ରର ମତ୍ସ୍ୟମାନେ ତୁମ୍ଭ ପ୍ରତି ପ୍ରକାଶ କରିବେ। 9ସଦାପ୍ରଭୁଙ୍କ ହସ୍ତ ଯେ ଏହା କରିଅଛି, ଏସକଳ ଦ୍ୱାରା କିଏ ନ ଜାଣେ ? 10ତାହାଙ୍କ ହସ୍ତରେ ପ୍ରତ୍ୟେକ ଜୀବର ପ୍ରାଣ ଓ ସମୁଦାୟ ନରବଂଶର ଶ୍ୱାସବାୟୁ ଅଛି। 11ଯେପରି ରସନା ଖାଦ୍ୟର ଆସ୍ୱାଦ ପାଏ, ସେପରି କର୍ଣ୍ଣ କ’ଣ କଥାର ପରୀକ୍ଷା ନ କରେ ? 12ପ୍ରାଚୀନମାନଙ୍କଠାରେ ଜ୍ଞାନ ଅଛି ଓ ଦୀର୍ଘାୟୁରେ ବୁଦ୍ଧି ଥାଏ। 13ତାହାଙ୍କଠାରେ ଜ୍ଞାନ ଓ ପରାକ୍ରମ ଥାଏ; ତାହାଙ୍କର ମନ୍ତ୍ରଣା ଓ ବୁଦ୍ଧି ଅଛି। 14ଦେଖ, ସେ ଭାଙ୍ଗି ପକାନ୍ତି, ଆଉ ତାହା ପୁନଃର୍ନିର୍ମିତ ହୋଇ ନ ପାରେ; ସେ ମନୁଷ୍ୟକୁ ରୁଦ୍ଧ କଲେ, ଆଉ ମୁକୁଳା ହୋଇ ନ ପାରେ। 15ଦେଖ, ସେ ଜଳରାଶିକି ଅଟକାଇଲେ, ତାହାସବୁ ଶୁଷ୍କ ହୋଇଯାଏ; ପୁନର୍ବାର ସେ ତାହା ପଠାଇ ଦେଲେ, ତାହା ପୃଥିବୀକୁ ଓଲଟପାଲଟ କରି ପକାଏ। 16ତାହାଙ୍କଠାରେ ବଳ ଓ ଫଳଦାୟକ କର୍ମଣ୍ୟତା ଥାଏ; ଭ୍ରାନ୍ତ ଓ ଭ୍ରାମକ ତାହାଙ୍କର। 17ସେ ମନ୍ତ୍ରୀମାନଙ୍କୁ ଲୁଟିତ କରି ନେଇଯା’ନ୍ତି ଓ ବିଚାରକର୍ତ୍ତୃଗଣକୁ ସେ ନିର୍ବୋଧ କରନ୍ତି। 18ସେ ରାଜାମାନଙ୍କର ବନ୍ଧନ ମୁକ୍ତ କରନ୍ତି ଓ କଟିବନ୍ଧନୀରେ ସେମାନଙ୍କ କଟି ବାନ୍ଧନ୍ତି। 19ସେ ଯାଜକମାନଙ୍କୁ ଲୁଟିତ କରି ନେଇଯା’ନ୍ତି ଓ ବିକ୍ରମୀମାନଙ୍କୁ ପରାସ୍ତ କରନ୍ତି। 20ସେ ବିଶ୍ୱସ୍ତମାନଙ୍କ ବଚନ ଅନ୍ୟଥା କରନ୍ତି ଓ ପ୍ରାଚୀନମାନଙ୍କ ବୁଦ୍ଧିକୁ ହରଣ କରି ନିଅନ୍ତି। 21ସେ ଅଧିକାରୀମାନଙ୍କ ଉପରେ ତୁଚ୍ଛତା ଢାଳନ୍ତି; ଓ ବଳବାନର ପଟୁକା ଫିଟାଇ ପକାନ୍ତି। 22ସେ ଅନ୍ଧକାରରୁ ନିଗୂଢ଼ ବିଷୟ ପ୍ରକାଶ କରନ୍ତି ଓ ମୃତ୍ୟୁୁଚ୍ଛାୟାକୁ ଆଲୁଅକୁ ଆଣନ୍ତି। 23ସେ ଗୋଷ୍ଠୀୟମାନଙ୍କୁ ବୃଦ୍ଧି କରନ୍ତି ଓ ସେମାନଙ୍କୁ ବିନାଶ କରନ୍ତି; ସେ ଗୋଷ୍ଠୀୟମାନଙ୍କୁ ବାହାରେ ବିସ୍ତୀର୍ଣ୍ଣ କରନ୍ତି ଓ ସେମାନଙ୍କୁ ଭିତରେ ଆଣନ୍ତି। 24ସେ ପୃଥିବୀସ୍ଥ ଲୋକମାନଙ୍କ ପ୍ରଧାନବର୍ଗର ହୃଦୟ ହରଣ କରନ୍ତି ଓ ସେ ସେମାନଙ୍କୁ ପଥହୀନ ମରୁଭୂମିରେ ଭ୍ରମଣ କରାନ୍ତି। 25ସେମାନେ ଆଲୁଅରହିତ ହୋଇ ଅନ୍ଧକାରରେ ଦରାଣ୍ଡି ହୁଅନ୍ତି, ସେ ସେମାନଙ୍କୁ ମତ୍ତ ଲୋକ ପରି ଟଳମଳ କରାନ୍ତି।
13ଆୟୁବ - ତଥାପି ଈଶ୍ୱରଙ୍କଠାରେ ମୋହର ଭରସା
1ଦେଖ, ମୋହର ଚକ୍ଷୁ ଏହିସବୁ ଦେଖିଅଛି, ମୋହର କର୍ଣ୍ଣ ଏହା ଶୁଣି ବୁଝିଅଛି। 2ଯାହା ତୁମ୍ଭେମାନେ ଜାଣ, ତାହା ମୁଁ ଜାଣେ; ମୁଁ ତୁମ୍ଭମାନଙ୍କଠାରୁ ଊଣା ନୁହେଁ। 3ନିଶ୍ଚୟ ମୁଁ ସର୍ବଶକ୍ତିମାନଙ୍କୁ କହିବାକୁ ଇଚ୍ଛା କରେ ଓ ମୁଁ ପରମେଶ୍ୱରଙ୍କ ସହିତ ଯୁକ୍ତି କରିବାକୁ ବାଞ୍ଛା କରେ। 4ମାତ୍ର ତୁମ୍ଭେମାନେ ମିଥ୍ୟାବାକ୍ୟରଚକ, ତୁମ୍ଭେ ସମସ୍ତେ ମୂଲ୍ୟହୀନ ବୈଦ୍ୟ। 5ଆଃ, ତୁମ୍ଭେମାନେ ଯେବେ ସମ୍ପୂର୍ଣ୍ଣ ନୀରବ ହୋଇ ରହନ୍ତ ! ତାହା ତୁମ୍ଭମାନଙ୍କର ଜ୍ଞାନସୂଚକ ହୁଅନ୍ତା। 6ଏବେ ମୋହର ଯୁକ୍ତି ଶୁଣ ଓ ମୋର ଓଷ୍ଠାଧରର ପ୍ରତିବାଦରେ କର୍ଣ୍ଣପାତ କର। 7ତୁମ୍ଭେମାନେ କ’ଣ ପରମେଶ୍ୱରଙ୍କ ପକ୍ଷରେ ଅନ୍ୟାୟ କଥା କହିବ ଓ ତାହାଙ୍କ ପକ୍ଷରେ ପ୍ରବଞ୍ଚନା-ବାକ୍ୟ କହିବ ? 8ତୁମ୍ଭେମାନେ କ’ଣ ତାହାଙ୍କର ମୁଖାପେକ୍ଷା କରିବ, ତୁମ୍ଭେମାନେ କ’ଣ ପରମେଶ୍ୱରଙ୍କ ପକ୍ଷରେ ବିରୋଧ କରିବ ? 9ସେ ଯେ ତୁମ୍ଭମାନଙ୍କୁ ପରୀକ୍ଷା କରିବେ, ଏହା କି ଭଲ ? କିଅବା କେହି ଯେପରି ମନୁଷ୍ୟକୁ ଭୁଲାଏ, ସେପରି ତୁମ୍ଭେମାନେ କ’ଣ ତାହାଙ୍କୁ ଭୁଲାଇବ ? 10ତୁମ୍ଭେମାନେ ଗୋପନରେ ମୁଖାପେକ୍ଷା କଲେ, ସେ ଅବଶ୍ୟ ତୁମ୍ଭମାନଙ୍କୁ ଅନୁଯୋଗ କରିବେ। 11ତାହାଙ୍କର ମହତ୍ତ୍ୱ କ’ଣ ତୁମ୍ଭମାନଙ୍କୁ ଭୀତ କରିବ ନାହିଁ ଓ ତାହାଙ୍କର ଭୟଙ୍କରତା କ’ଣ ତୁମ୍ଭମାନଙ୍କ ଉପରେ ପଡ଼ିବ ନାହିଁ ? 12ତୁମ୍ଭମାନଙ୍କ ସ୍ମରଣୀୟ ବଚନମାଳା ଭସ୍ମରୂପ ପ୍ରବାଦ ଅଟେ, ତୁମ୍ଭମାନଙ୍କର ଦୁର୍ଗସବୁ କର୍ଦ୍ଦମର ଦୁର୍ଗ ଅଟେ। 13ତୁମ୍ଭେମାନେ ନୀରବ ହୁଅ, ମୋତେ ଛାଡ଼, ମୁଁ କଥା କହିବି, ତହିଁରେ ମୋହର ଯାହା ହେବ, ହେଉ। 14ମୁଁ କାହିଁକି ଆପଣା ଦନ୍ତରେ ଆପଣା ମାଂସ ଧରିବି ଓ ଆପଣା ହସ୍ତରେ ଆପଣା ପ୍ରାଣ ରଖିବି ? 15ସେ ମୋତେ ବଧ କଲେ ହେଁ ମୁଁ ତାହାଙ୍କ ପାଇଁ ଅପେକ୍ଷା କରିବି; ତଥାପି ମୁଁ ତାହାଙ୍କ ଛାମୁରେ ଆପଣା ପଥ ସମର୍ଥନ କରିବି। 16ଏହା ହିଁ ମୋହର ମୁକ୍ତି ସ୍ୱରୂପ ହେବ; କାରଣ ଅଧାର୍ମିକ ଲୋକ ତାହାଙ୍କ ଛାମୁକୁ ଆସିବ ନାହିଁ। 17ମନୋଯୋଗ କରି ମୋହର କଥା ଶୁଣ ଓ ମୋହର ନିବେଦନ ତୁମ୍ଭମାନଙ୍କର କର୍ଣ୍ଣଗୋଚରରେ ଥାଉ। 18ଏବେ ଦେଖ, ମୁଁ ଆପଣା ବିଚାରର କଥା ପ୍ରସ୍ତୁତ କରିଅଛି; ମୁଁ ଜାଣେ, ମୁଁ ନିର୍ଦ୍ଦୋଷ ହେବି। 19ମୋ’ ସଙ୍ଗେ ଯେ ବିବାଦ କରିବ, ସେ କିଏ ? କାରଣ (କେହି ଥିଲେ) ମୁଁ ନୀରବ ହୋଇ ପ୍ରାଣତ୍ୟାଗ କରିବି। 20କେବଳ ଦୁଇ କଥା ମୋ’ ପ୍ରତି କର ନାହିଁ, ତହିଁରେ ମୁଁ ତୁମ୍ଭ ସମ୍ମୁଖରୁ ଆପଣାକୁ ଲୁଚାଇବି ନାହିଁ। 21ତୁମ୍ଭ ହସ୍ତ ମୋ’ଠାରୁ ଦୂରକୁ କାଢ଼ି ନିଅ ଓ ତୁମ୍ଭର ଭୟାନକତା ମୋତେ ଭୀତ ନ କରୁ। 22ତେବେ ତୁମ୍ଭେ ଡାକ, ମୁଁ ଉତ୍ତର ଦେବି; ଅବା ମୁଁ କହେ, ତୁମ୍ଭେ ମୋତେ ଉତ୍ତର ଦିଅ। 23ମୋହର ଅପରାଧ ଓ ପାପ କେତେ ? ମୋହର ଅଧର୍ମ ଓ ପାପ ମୋତେ ଜଣାଅ। 24ତୁମ୍ଭେ କାହିଁକି ଆପଣା ମୁଖ ଲୁଚାଉଅଛ ? ଓ ମୋତେ ତୁମ୍ଭର ଶତ୍ରୁ ବୋଲି ଜ୍ଞାନ କରୁଅଛ ? 25ତୁମ୍ଭେ କ’ଣ ଉଡ଼ନ୍ତା ପତ୍ରକୁ ଡରାଇବ ? ଓ ତୁମ୍ଭେ କ’ଣ ଶୁଖିଲା କୁଟା ପଛେ ପଛେ ଗୋଡ଼ାଇବ ? 26କାରଣ ତୁମ୍ଭେ ମୋ’ ବିରୁଦ୍ଧରେ ତିକ୍ତ କଥା ଲେଖୁ ଅଛ ଓ ମୋ’ ଯୌବନ-କାଳର ଅପରାଧ ଭୋଗ କରାଉଅଛ; 27ତୁମ୍ଭେ ଯନ୍ତାରେ ମଧ୍ୟ ମୋହର ଚରଣ ରଖୁଅଛ ଓ ମୋହର ସବୁ ଗତି ଲକ୍ଷ୍ୟ କରୁଅଛ; ତୁମ୍ଭେ ମୋ’ ଚରଣର ଚତୁର୍ଦ୍ଦିଗରେ ଆପଣା ପାଇଁ ରେଖା ଟାଣୁଅଛ; 28ତଥାପି ମୁଁ କ୍ଷୟ ପାଉଥିବା ଜୀର୍ଣ୍ଣ-ପଦାର୍ଥ ତୁଲ୍ୟ ଓ କୀଟ-ଭକ୍ଷିତ ବସ୍ତ୍ର ତୁଲ୍ୟ ଅଟେ।
14ଆୟୁବ - ମୃତ୍ୟୁୁ ସମସ୍ତଙ୍କ ପ୍ରତି ଶୀଘ୍ର ଆସେ
1ସ୍ତ୍ରୀଜାତ ମନୁଷ୍ୟ ଅଳ୍ପାୟୁ ଓ ଦୁଃଖରେ ପରିପୂର୍ଣ୍ଣ। 2ସେ ପୁଷ୍ପ ତୁଲ୍ୟ ପ୍ରସ୍ପୁଟିତ ହୋଇ କଟାଯାଏ; ମଧ୍ୟ ସେ ଛାୟା ତୁଲ୍ୟ ବହିଯାଇ ସ୍ଥିର ନ ଥାଏ। 3ଆଉ, ତୁମ୍ଭେ ଏପରି ଜଣକ ଉପରେ କ’ଣ ଆପଣା ଦୃଷ୍ଟି ରଖୁଅଛ ଓ ଆପଣା ନିକଟକୁ ବିଚାରାର୍ଥେ କ’ଣ ମୋତେ ଆଣୁଅଛ ? 4ଅଶୁଚି ବସ୍ତୁରୁ ଶୁଚି ବସ୍ତୁ କିଏ ଉତ୍ପନ୍ନ କରିପାରେ ? ଜଣେ ନାହିଁ। 5ତାହାର ଦିନସବୁ ନିର୍ଣ୍ଣୀତ, ତାହାର ମାସ-ସଂଖ୍ୟା ତୁମ୍ଭଠାରେ ଅଛି ଓ ତୁମ୍ଭେ ତାହାର ସୀମା ନିରୂପଣ କରିଅଛ, ଏଣୁ ସେ ତାହା ଲଙ୍ଘନ କରିପାରେ ନାହିଁ ? 6ଏହେତୁ ସେ ଯେପରି ବେତନଜୀବୀ ତୁଲ୍ୟ ଆପଣା ଦିନ ଭୋଗ କରିବା ପର୍ଯ୍ୟନ୍ତ ବିଶ୍ରାମ ପାଇ ପାରିବ, ଏଥିପାଇଁ ତାହାଠାରୁ ଦୃଷ୍ଟି ଫେରାଅ। 7କାରଣ ବୃକ୍ଷ ବିଷୟରେ ଆଶା ଥାଏ, ତାହା କଟାଗଲେ ପୁନର୍ବାର ପଲ୍ଲବିତ ହେବ ଓ ତହିଁର କୋମଳ ଶାଖାର ଅଭାବ ହେବ ନାହିଁ। 8ଯଦ୍ୟପି ତହିଁର ମୂଳ ମୃତ୍ତିକାରେ ପୁରୁଣା ହୋଇଯାଏ ଓ ତହିଁର ଗଣ୍ଡି ଭୂମିରେ ମରିଯାଏ; 9ତଥାପି ଜଳର ଗନ୍ଧ ପାଇଲେ, ତାହା ପଲ୍ଲବିତ ହେବ ଓ ରୋପିତ ବୃକ୍ଷ ତୁଲ୍ୟ ଶାଖାବିଶିଷ୍ଟ ହେବ। 10ମାତ୍ର ମନୁଷ୍ୟ ମରେ ଓ କ୍ଷୟ ପାଏ; ହଁ, ମନୁଷ୍ୟ ପ୍ରାଣତ୍ୟାଗ କରେ, ପୁଣି ସେ କେଉଁଠାରେ ଥାଏ ? 11ଯେପରି ସମୁଦ୍ରରୁ ଜଳ ବାହାରି ଯାଏ ଓ ନଦୀ କ୍ଷୟପ୍ରାପ୍ତ ଓ ଶୁଷ୍କ ହୁଏ; 12ସେପରି ମନୁଷ୍ୟ ଶୟନ କଲେ ଆଉ ଉଠେ ନାହିଁ; ଆକାଶମଣ୍ଡଳ ଲୋପ ନ ପାଇବା ପର୍ଯ୍ୟନ୍ତ ସେମାନେ ଜାଗ୍ରତ ହେବେ ନାହିଁ, କିଅବା ନିଦ୍ରାରୁ ଉତ୍ଥାପିତ ହେବେ ନାହିଁ। 13ଆଃ, ତୁମ୍ଭେ ଯେବେ ପାତାଳରେ ମୋତେ ଲୁଚାଇ ରଖନ୍ତ, ତୁମ୍ଭର କୋପ ଅତୀତ ହେବା ପର୍ଯ୍ୟନ୍ତ ଯେବେ ମୋତେ ଗୋପନରେ ରଖନ୍ତ, ଯେବେ ମୋ’ ପାଇଁ ସମୟ ନିରୂପଣ କରି ମୋତେ ସ୍ମରଣ କରନ୍ତ ! 14ଯଦି ମନୁଷ୍ୟର ମୃତ୍ୟୁ ହୁଏ ତେବେ କ’ଣ ସେ ପୁନର୍ବାର ବଞ୍ଚିବ ? ମୋହର ମୁକ୍ତି ଉପସ୍ଥିତ ନୋହିବା ପର୍ଯ୍ୟନ୍ତ ମୁଁ ଆପଣା ଯୁଦ୍ଧର ସମସ୍ତ ଦିନ ଅପେକ୍ଷା କରିବି। 15ତେବେ ତୁମ୍ଭେ ଡାକିବ ଓ ମୁଁ ତୁମ୍ଭକୁ ଉତ୍ତର ଦେବି; ତୁମ୍ଭେ ଆପଣା ହସ୍ତକୃତ କର୍ମ ପ୍ରତି କରୁଣା କରିବ। 16ମାତ୍ର ଏବେ ତୁମ୍ଭେ ମୋ’ ପାଦଗତି ଗଣନା କରୁଅଛ; ତୁମ୍ଭେ କ’ଣ ମୋ’ ପାପ ପ୍ରତି ନିରୀକ୍ଷଣ କରୁନାହଁ ? 17ମୋହର ଅପରାଧ ଥଳୀରେ ମୋହରାଙ୍କିତ ହୋଇଅଛି ଓ ତୁମ୍ଭେ ମୋ’ ଅଧର୍ମ ବାନ୍ଧି ରଖୁଅଛ। 18ଆଉ, ପର୍ବତ ପଡ଼ିଲେ ନିଶ୍ଚୟ ଲୁପ୍ତ ହୁଏ ଓ ଶୈଳ ଆପଣା ସ୍ଥାନରୁ ଅନ୍ତରିତ ହୁଏ; 19ଜଳ ପ୍ରସ୍ତରକୁ କ୍ଷୟ କରେ; ଜଳର ପ୍ଳାବନ ପୃଥିବୀର ଧୂଳି ଧୋଇନିଏ ଓ ତୁମ୍ଭେ ମନୁଷ୍ୟର ଆଶା ନାଶ କରୁଅଛ। 20ତୁମ୍ଭେ ସଦାକାଳ ତାହା ଉପରେ ଜୟଯୁକ୍ତ ହେଉଅଛ, ତେଣୁ ସେ ଚାଲିଯାଏ;14:20 ଚାଲିଯାଏ; ମରିଯାଏ ତୁମ୍ଭେ ତାହାର ମୁଖ ପରିବର୍ତ୍ତନ କରି ତାହାକୁ ଦୂର କରି ଦେଉଅଛ। 21ତାହାର ସନ୍ତାନଗଣ ସମ୍ଭ୍ରମପ୍ରାପ୍ତ ହେଲେ, ସେ ତାହା ଜାଣେ ନାହିଁ; ପୁଣି, ସେମାନେ ଅବନତ ହେଲେ, ସେ ସେମାନଙ୍କ ବିଷୟ ବୋଧ ପାଏ ନାହିଁ। 22ମାତ୍ର ତାହାର ନିଜ ମାଂସ ବ୍ୟଥା ଭୋଗ କରେ ଓ ତାହାର ପ୍ରାଣ ଅନ୍ତରେ ବ୍ୟାକୁଳ ହୁଏ।
15ଇଲୀଫସ୍ - ଆୟୁବଠାରେ ଈଶ୍ୱର ଭୟ ନାହିଁ
1ଏଥିଉତ୍ତାରେ ତୈମନୀୟ ଇଲୀଫସ୍ ଉତ୍ତର କରି କହିଲା, 2“ଜ୍ଞାନୀ ଲୋକ କ’ଣ ଅସାର ଜ୍ଞାନରେ ଉତ୍ତର ଦେବ ? ଓ ପୂର୍ବୀୟ ବାୟୁରେ ଆପଣା ଉଦର ପୂର୍ଣ୍ଣ କରିବ ? 3ସେ କ’ଣ ଅନର୍ଥକ କଥାରେ ଓ ନିଷ୍ଫଳ ବାକ୍ୟରେ ଯୁକ୍ତି କରିବ ? 4ହଁ, ତୁମ୍ଭେ ତ ଭୟ ଦୂର କରି ଦେଉଅଛ ଓ ପରମେଶ୍ୱରଙ୍କ ସାକ୍ଷାତରେ ଭକ୍ତି କ୍ଷୀଣ କରୁଅଛ। 5କାରଣ ତୁମ୍ଭର ଅପରାଧ ତୁମ୍ଭ ମୁଖକୁ ଶିଖାଉଅଛି ଓ ତୁମ୍ଭେ ଧୂର୍ତ୍ତର ଜିହ୍ୱା ପସନ୍ଦ କରୁଅଛ। 6ତୁମ୍ଭର ନିଜ ମୁଖ ତୁମ୍ଭକୁ ଦୋଷୀ କରୁଅଛି, ମୁଁ କରୁ ନାହିଁ; ଆହୁରି, ତୁମ୍ଭ ନିଜ ଓଷ୍ଠାଧର ତୁମ୍ଭ ବିରୁଦ୍ଧରେ ସାକ୍ଷ୍ୟ ଦେଉଅଛି। 7ମନୁଷ୍ୟମାନଙ୍କ ମଧ୍ୟରେ ତୁମ୍ଭେ କ’ଣ ପ୍ରଥମଜାତ ? ଅବା ପର୍ବତଗଣ ପୂର୍ବରୁ ତୁମ୍ଭେ କ’ଣ ଉତ୍ପନ୍ନ ହୋଇଥିଲ ? 8ତୁମ୍ଭେ କ’ଣ ପରମେଶ୍ୱରଙ୍କର ଗୁପ୍ତ ମନ୍ତ୍ରଣା ଶୁଣିଅଛ ? ଓ ତୁମ୍ଭେ କ’ଣ ଜ୍ଞାନ ଆତ୍ମସାତ୍ କରୁଅଛ ? 9ଆମ୍ଭମାନଙ୍କୁ ଅଜଣା କେଉଁ କଥା ତୁମ୍ଭେ ଜାଣୁଅଛ ? ଆମ୍ଭମାନଙ୍କର ଅବୁଝା କେଉଁ କଥା ତୁମ୍ଭେ ବୁଝୁଅଛ ? 10ପକ୍ୱକେଶ ବିଶିଷ୍ଟ ଓ ତୁମ୍ଭ ପିତା ଅପେକ୍ଷା ପ୍ରାଚୀନ ଅତି ବୃଦ୍ଧ ଲୋକେ ଆମ୍ଭମାନଙ୍କ ମଧ୍ୟରେ ଅଛନ୍ତି। 11ପରମେଶ୍ୱରଙ୍କ ସାନ୍ତ୍ୱନା-ବାକ୍ୟ ତୁମ୍ଭ ପ୍ରତି କି କ୍ଷୁଦ୍ର ବିଷୟ ଓ ତୁମ୍ଭ ସହିତ କୋମଳ ଆଳାପ କି ତଦ୍ରୁପ ? 12ତୁମ୍ଭ ମନ ତୁମ୍ଭକୁ କାହିଁକି ବିପଥରେ ନେଇଯାଏ ? ଓ ତୁମ୍ଭର ଚକ୍ଷୁ କାହିଁକି ମଟ୍ମଟ୍ କରେ 13ଯେ, ତୁମ୍ଭେ ପରମେଶ୍ୱରଙ୍କ ବିରୁଦ୍ଧରେ ଆପଣା ଆତ୍ମାକୁ ଉଠାଉଅଛ ଓ ଆପଣା ମୁଖରୁ ଏପରି କଥା ବାହାରିବାକୁ ଦେଉଅଛ ? 14ମନୁଷ୍ୟ କିଏ ଯେ, ସେ ଶୁଚି ହୋଇପାରେ ? ଓ ସ୍ତ୍ରୀଜାତ ମନୁଷ୍ୟ କିଏ ଯେ, ସେ ଧାର୍ମିକ ହୋଇପାରେ ? 15ଦେଖ, ସେ ଆପଣା ପବିତ୍ରଗଣଠାରେ ବିଶ୍ୱାସ କରନ୍ତି ନାହିଁ; ଆହୁରି, ତାହାଙ୍କ ଦୃଷ୍ଟିରେ ଆକାଶମଣ୍ଡଳ ନିର୍ମଳ ନୁହେଁ। 16ତେବେ ଘୃଣାର୍ହ ଓ ଭ୍ରଷ୍ଟ, ଅଧର୍ମକୁ ଜଳ ପରି ପାନକାରୀ ଯେ ମନୁଷ୍ୟ, ସେ କେଡ଼େ ନ୍ୟୂନ ! 17ମୁଁ ତୁମ୍ଭକୁ ଦେଖାଇବି, ମୋ’ କଥା ଶୁଣ; ମୁଁ ଯାହା ଦେଖିଅଛି, ତାହା ପ୍ରକାଶ କରିବି; 18ଜ୍ଞାନୀମାନେ ଆପଣା ଆପଣା ପିତୃଲୋକଙ୍କଠାରୁ ତାହା ପାଇ କହି ଅଛନ୍ତି ଓ ଗୁପ୍ତ କରି ନାହାନ୍ତି; 19କେବଳ ସେମାନଙ୍କୁ ଦେଶ ଦତ୍ତ ହୋଇଥିଲା ଓ କୌଣସି ବିଦେଶୀ ସେମାନଙ୍କ ମଧ୍ୟରେ ଗତାୟାତ କଲା ନାହିଁ; 20ଦୁଷ୍ଟ ଲୋକ ଆପଣାର ଯାବଜ୍ଜୀବନ, ଅର୍ଥାତ୍, ଉପଦ୍ରବ ପାଇଁ ନିରୂପିତ ବର୍ଷଯାଏ କ୍ଳେଶ ଭୋଗ କରେ। 21ତାହାର କର୍ଣ୍ଣରେ ତ୍ରାସଜନକ ଶବ୍ଦ ଥାଏ, ସୌଭାଗ୍ୟ ସମୟରେ ଲୁଣ୍ଠନକାରୀ ତାହାକୁ ଆକ୍ରମଣ କରିବ; 22ସେ ଅନ୍ଧକାରରୁ ଫେରି ଆସିବ ବୋଲି ବିଶ୍ୱାସ କରେ ନାହିଁ ଓ ସେ ଖଡ୍ଗ ନିମନ୍ତେ ଅପେକ୍ଷିତ; 23ସେ ଖାଦ୍ୟ ନିମନ୍ତେ ବାହାରେ ବୁଲି କହଇ, ତାହା କାହିଁ ? ଅନ୍ଧକାରର ଦିନ ତାହାର ସନ୍ନିକଟ ବୋଲି ସେ ଜାଣେ। 24ସଙ୍କଟ ଓ ମନସ୍ତାପ ତାହାକୁ ଭୀତ କରେ; ଯୁଦ୍ଧାର୍ଥେ ସସଜ୍ଜ ରାଜା ତୁଲ୍ୟ ତାହା ତାହାକୁ ପରାସ୍ତ କରେ; 25କାରଣ ସେ ପରମେଶ୍ୱରଙ୍କ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରିଅଛି ଓ ସର୍ବଶକ୍ତିମାନଙ୍କ ପ୍ରତିକୂଳରେ ଗର୍ବାଚରଣ କରୁଅଛି; 26ସେ ଶକ୍ତଗ୍ରୀବ ହୋଇ ଆପଣା ଢାଲର ସ୍ଥୂଳ ଅଂଶ ଦେଖାଇ ତାହାଙ୍କ ଉପରକୁ ଦୌଡ଼େ; 27ସେ ଆପଣା ମେଦରେ ଆପଣା ମୁଖ ଆଚ୍ଛାଦନ କଲା ଓ କଟିଦେଶ ହୃଷ୍ଟପୁଷ୍ଟ କଲା; 28ଆଉ, ସେ ଉଜାଡ଼-ନଗରରେ ନିବାସୀରହିତ ଓ ଢିପି ହେବାକୁ ଉଦ୍ୟତ ଗୃହରେ ବାସ କଲା। 29ଏଣୁ ସେ ଧନବାନ ହେବ ନାହିଁ, ଅବା ତାହାର ସମ୍ପତ୍ତି ସ୍ଥାୟୀ ହେବ ନାହିଁ; କିଅବା ସେମାନଙ୍କର ଉତ୍ପନ୍ନ ଫଳ ଭୂମିକି ଓହଳିବ ନାହିଁ। 30ସେ ଅନ୍ଧକାରରୁ ପ୍ରସ୍ଥାନ କରିବ ନାହିଁ, ଅଗ୍ନିଶିଖା ତାହାର ଶାଖା ଶୁଷ୍କ କରିବ ଓ ପରମେଶ୍ବରଙ୍କ ମୁଖର ନିଶ୍ୱାସରେ ସେ ଉଡ଼ିଯିବ।15:30 ସେ ଉଡ଼ିଯିବ। ଅର୍ଥାତ୍ ସେ ମରିଯିବ31ସେ ଆପଣାକୁ ଭ୍ରାନ୍ତ କରି ଅସାରତାରେ ବିଶ୍ୱାସ ନ କରୁ; କାରଣ ଅସାରତା ହିଁ ତାହାର ପୁରସ୍କାର ହେବ। 32ତାହା ଆପଣା ସମୟ ପୂର୍ବେ ଶେଷ ପାଇବ ଓ ତାହାର ଶାଖା ସତେଜ ହେବ ନାହିଁ। 33ସେ ଦ୍ରାକ୍ଷାଲତା ନ୍ୟାୟ ଆପଣା ଅପକ୍ୱ ଫଳ ଝାଡ଼ି ପକାଇବ ଓ ଜୀତବୃକ୍ଷ ନ୍ୟାୟ ଆପଣା ଫୁଲ ପକାଇ ଦେବ। 34କାରଣ ଅଧାର୍ମିକମାନଙ୍କ ସଙ୍ଗୀଦଳ ଅଫଳ ହେବେ ଓ ଅଗ୍ନି ଲାଞ୍ଚର ତମ୍ବୁସବୁ ଗ୍ରାସ କରିବ। 35ସେମାନେ ଅନିଷ୍ଟ ଗର୍ଭଧାରଣ କରି ଅଧର୍ମ ପ୍ରସବ କରନ୍ତି ଓ ସେମାନଙ୍କ ଉଦର ପ୍ରତାରଣା ପ୍ରସ୍ତୁତ କରେ।
16ଆୟୁବ - ତୁମ୍ଭେ ସବୁ ମିଥ୍ୟା ସାନ୍ତ୍ୱନାକାରୀ
1ଏଥିରେ ଆୟୁବ ଉତ୍ତର କରି କହିଲା, 2“ମୁଁ ଏପରି ଅନେକ କଥା ଶୁଣିଅଛି; ତୁମ୍ଭେ ସମସ୍ତେ ଦୁଃଖଦାୟକ ସାନ୍ତ୍ୱନାକାରୀ ଅଟ। 3ଅସାର କଥାରେ କି ଶେଷ ଥାଏ ? ଉତ୍ତର ଦେବା ପାଇଁ ତୁମ୍ଭକୁ କେଉଁ କଥା ଉତ୍ତେଜିତ କରୁଅଛି ? 4ମୁଁ ମଧ୍ୟ ତୁମ୍ଭମାନଙ୍କ ପରି କହି ପାରନ୍ତି; ଯଦି ତୁମ୍ଭମାନଙ୍କ ପ୍ରାଣ ମୋର ପ୍ରାଣର ଅବସ୍ଥାରେ ଥା’ନ୍ତା, ତେବେ ମୁଁ ତୁମ୍ଭମାନଙ୍କ ବିରୁଦ୍ଧରେ ବାକ୍ୟମାଳା ଏକତ୍ର ଖଞ୍ଜି ପାରନ୍ତି ଓ ତୁମ୍ଭମାନଙ୍କ ପ୍ରତି ଆପଣା ମୁଣ୍ଡ ହଲାଇ ପାରନ୍ତି। 5ମାତ୍ର ମୁଁ ଆପଣା ମୁଖରେ ତୁମ୍ଭମାନଙ୍କୁ ସବଳ କରନ୍ତି ଓ ମୋ’ ଓଷ୍ଠାଧରର ସାନ୍ତ୍ୱନା ତୁମ୍ଭମାନଙ୍କ ଦୁଃଖରେ ଉପଶମ କରନ୍ତା। 6ମୁଁ କଥା କହିଲେ ହେଁ ମୋ’ ଦୁଃଖର ଉପଶମ ହେଉ ନାହିଁ; ମୁଁ ନୀରବ ହେଲେ ହେଁ ମୋହର ଆରାମ ହୁଏ ନାହିଁ। 7ମାତ୍ର ସେ ଏବେ ମୋତେ କ୍ଳାନ୍ତ କରିଅଛନ୍ତି; ତୁମ୍ଭେ ମୋହର ସକଳ ସଙ୍ଗୀଦଳ ଶୂନ୍ୟ କରିଅଛ। 8ପୁଣି, ତୁମ୍ଭେ ମୋତେ ଦୃଢ଼ କରି ଧରିଅଛ, ଏହା ମୋର ପ୍ରତିକୂଳରେ ସାକ୍ଷୀ ହୁଏ; ଆଉ, ମୋ’ କ୍ଷୀଣତା ମୋ’ ପ୍ରତିକୂଳରେ ଉଠି ମୋ’ ମୁଖ ଆଗରେ ସାକ୍ଷ୍ୟ ଦିଏ। 9ସେ ନିଜ କୋପରେ ମୋତେ ବିଦୀର୍ଣ୍ଣ ଓ ତାଡ଼ନା କରିଅଛନ୍ତି; ସେ ମୋ’ ଉପରେ ଦନ୍ତ କଡ଼ମଡ଼ କରିଅଛନ୍ତି; ମୋହର ବିପକ୍ଷ ମୋ’ ଉପରେ ଆପଣା ଚକ୍ଷୁ ତୀବ୍ର କରିଅଛି। 10ସେମାନେ ମୋ’ ଉପରେ ଆପଣା ଆପଣା ମୁଖ ମେଲା କରିଅଛନ୍ତି; ସେମାନେ ଧିକ୍କାରପୂର୍ବକ ମୋ’ ଗାଲରେ ମାରିଅଛନ୍ତି; ସେମାନେ ମୋ’ ବିରୁଦ୍ଧରେ ଏକତ୍ରିତ ହୁଅନ୍ତି। 11ପରମେଶ୍ୱର ମୋତେ ଅଧାର୍ମିକମାନଙ୍କ ନିକଟରେ ସମର୍ପଣ କରନ୍ତି ଓ ମୋତେ ଦୁଷ୍ଟମାନଙ୍କ ହସ୍ତରେ ପକାଇ ଦିଅନ୍ତି। 12ମୁଁ ଆରାମରେ ଥିଲି, ସେ ମୋତେ ଭଗ୍ନ କଲେ; ହଁ, ମୋ’ ବେକ ଧରି ମୋତେ କଚାଡ଼ି ଖଣ୍ଡ ଖଣ୍ଡ କରିଅଛନ୍ତି; ମଧ୍ୟ ସେ ମୋତେ ଆପଣାର ଲକ୍ଷ୍ୟ ରୂପେ ସ୍ଥାପନ କରିଅଛନ୍ତି। 13ତାହାଙ୍କ ଧନୁର୍ଦ୍ଧରମାନେ ମୋତେ ଚାରିଆଡ଼େ ଘେରିଅଛନ୍ତି, ସେ ମୋହର ବୃକକ୍ ବିଦୀର୍ଣ୍ଣ କରନ୍ତି ଓ ଦୟା କରନ୍ତି ନାହିଁ; ସେ ମୋହର ପିତ୍ତ ଭୂମିରେ ଢାଳନ୍ତି। 14ସେ ମୋତେ ଭାଙ୍ଗିଭାଙ୍ଗି ଭାଙ୍ଗି ପକାନ୍ତି; ସେ ବୀର ପରି ମୋର ଉପରକୁ ଧାଇଁ ଆସନ୍ତି। 15ମୁଁ ଆପଣା ଚର୍ମ ଉପରେ ଅଖା ସିଁଇଅଛି ଓ ଆପଣା ଶୃଙ୍ଗ ଧୂଳିରେ ରଖିଅଛି। 16ରୋଦନରେ ମୋହର ମୁଖ ବିକୃତ ହୋଇଅଛି ଓ ମୃତ୍ୟୁଚ୍ଛାୟା ମୋ’ ଚକ୍ଷୁର ପତା ଉପରେ ଅଛି। 17ତଥାପି ମୋ’ ହସ୍ତରେ ଦୌରାତ୍ମ୍ୟ ନାହିଁ ଓ ମୋହର ପ୍ରାର୍ଥନା ନିର୍ମଳ। 18ଗୋ ପୃଥିବୀ, ମୋହର ରକ୍ତ ଆଚ୍ଛାଦନ କର ନାହିଁ ଓ ମୋହର କ୍ରନ୍ଦନ କୌଣସି ବିଶ୍ରାମସ୍ଥାନ ନ ପାଉ। 19ଏବେ ମଧ୍ୟ ଦେଖ, ମୋହର ସାକ୍ଷୀ ସ୍ୱର୍ଗରେ ଅଛନ୍ତି ଓ ମୋ’ ପକ୍ଷରେ ପ୍ରମାଣଦାତା ସ୍ୱର୍ଗରେ ଅଛନ୍ତି। 20ମୋ’ ମିତ୍ରଗଣ ମୋତେ ତୁଚ୍ଛ କରନ୍ତି; ମାତ୍ର ମୋହର ଚକ୍ଷୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଲୋତକ ଢାଳେ; 21ଯେପରି ସେ ପରମେଶ୍ୱରଙ୍କ ନିକଟରେ ମନୁଷ୍ୟର ଓ ପ୍ରତିବାସୀ ନିକଟରେ ମନୁଷ୍ୟପୁତ୍ରର ନ୍ୟାୟ ରକ୍ଷା କରିବେ। 22କାରଣ ଅଳ୍ପ ବର୍ଷ ଗତ ହେଲେ ଯେଉଁ ପଥରେ ଯାଇ ମୁଁ ଫେରି ଆସିବି ନାହିଁ, ସେହି ପଥରେ ମୁଁ ଯିବି।
17ଆୟୁବ - ମୋହର ଭରସା କାହିଁ ?
1ମୋହର ପ୍ରାଣ କ୍ଷୟ ପାଉଅଛି ଓ ମୋହର ଦିନ ଅବସାନ ହେଉଅଛି, ମୋ’ ନିମନ୍ତେ କବର ପ୍ରସ୍ତୁତ ଅଛି। 2ନିଶ୍ଚୟ ପରିହାସକମାନେ ମୋ’ ନିକଟରେ ଅଛନ୍ତି ଓ ସେମାନଙ୍କ ବିରୋଧ ମୋ’ ଚକ୍ଷୁଗୋଚରରେ ଅଛି। 3ହେ ପରମେଶ୍ଵର ବିନୟ କରୁଅଛି, ପ୍ରତିନିଧି ଦିଅ, ଆପଣା ନିକଟରେ ଆପେ ମୋ’ ପାଇଁ ଲଗା ହୁଏ; ଆଉ କିଏ ମୋ’ ହାତରେ ହାତ ଦେବ ? 4କାରଣ ତୁମ୍ଭେ ସେମାନଙ୍କ ଅନ୍ତଃକରଣକୁ ବୁଦ୍ଧିରୁ ଗୁପ୍ତ କରିଅଛ; ଏହେତୁ ତୁମ୍ଭେ ସେମାନଙ୍କୁ ଉନ୍ନତ କରିବ ନାହିଁ। 5ଯେ ଆପଣା ମିତ୍ରଗଣକୁ ଲୁଟ ରୂପେ ସମର୍ପଣ କରେ, ତାହାର ସନ୍ତାନଗଣର ଚକ୍ଷୁ ନିସ୍ତେଜ ହେବ। 6ମଧ୍ୟ ସେ ମୋତେ ଲୋକମାନଙ୍କର ହାସ୍ୟାସ୍ପଦ କରିଅଛନ୍ତି; ମୁଁ ପ୍ରକାଶରେ ଘୃଣାପାତ୍ର ହୋଇଅଛି। 7ଦୁଃଖ ସକାଶୁ ମଧ୍ୟ ମୋର ଚକ୍ଷୁ କ୍ଷୀଣ ହୋଇଅଛି ଓ ମୋହର ସର୍ବାଙ୍ଗ ଛାୟା ତୁଲ୍ୟ ହୋଇଅଛି। 8ସରଳ ଲୋକେ ଏଥିରେ ଚମତ୍କୃତ ହେବେ ଓ ନିର୍ଦ୍ଦୋଷ ଲୋକ ଅଧାର୍ମିକ ବିରୁଦ୍ଧରେ ଆପଣାକୁ ଉତ୍ତେଜିତ କରିବ। 9ତଥାପି ଧାର୍ମିକ ଆପଣା ମାର୍ଗ ଦୃଢ଼ କରି ଧରିବ ଓ ଶୁଚିହସ୍ତ ଲୋକ ଆହୁରି ଆହୁରି ବଳବାନ ହେବ। 10ମାତ୍ର ତୁମ୍ଭେ ସମସ୍ତେ ଏବେ ଫେରି ଆସ; ମୁଁ ତୁମ୍ଭମାନଙ୍କ ମଧ୍ୟରେ ଜ୍ଞାନବାନ ଲୋକ ପାଇବି ନାହିଁ। 11ମୋହର ବଞ୍ଚିବାର ଦିନସବୁ ଅତୀତ ହେଲା, ମୋହର ଅଭିପ୍ରାୟ, ଅର୍ଥାତ୍, ମୋର ମନର ସଂକଳ୍ପସବୁ ନିଷ୍ଫଳ ହେଲା। 12ସେମାନେ ରାତ୍ରିକୁ ଦିନ କରନ୍ତି; ସେମାନେ ଆଲୁଅକୁ ଅନ୍ଧକାରର ସନ୍ନିକଟ ବୋଲି କହନ୍ତି। 13ଯଦି ମୁଁ ପାତାଳକୁ ଆପଣାର ଗୃହ ବୋଲି ଅନାଏ; ଯଦି ମୁଁ ଅନ୍ଧକାରରେ ଆପଣା ଶଯ୍ୟା ବିଛାଇଅଛି; 14ଯଦି ମୁଁ କ୍ଷୟକୁ କହିଅଛି, ତୁମ୍ଭେ ମୋହର ପିତା; କୀଟକୁ କହିଅଛି, ତୁମ୍ଭେ ମୋହର ମାତା ଓ ଭଗିନୀ; 15ତେବେ ମୋହର ଭରସା କାହିଁ ? ଓ ମୋହର ଭରସା କିଏ ଦେଖିବ ? 16ତାହା ପାତାଳର ଅର୍ଗଳ ଆଡ଼କୁ ଓହ୍ଲାଇ ଯିବ, ତହିଁରେ ଏକାବେଳେ ମାଟିରେ ବିଶ୍ରାମ ହେବ।
18ବିଲ୍ଦଦ୍ - ଦୁଷ୍ଟ ପ୍ରତି ଈଶ୍ୱରଙ୍କ ପ୍ରହାର
1ଏଥିଉତ୍ତାରେ ଶୂହୀୟ ବିଲ୍ଦଦ୍ ଉତ୍ତର କରି କହିଲା, “ତୁମ୍ଭେମାନେ କେତେ କାଳ କଥା ଧରିବା ପାଇଁ ଜାଲ ପାତିବ ? 2ବିବେଚନା କର, ତହିଁ ଉତ୍ତାରେ ଆମ୍ଭେମାନେ କହିବା। 3ଆମ୍ଭେମାନେ କାହିଁକି ପଶୁ ପରି ଗଣା ଯାଉଅଛୁ ଓ ତୁମ୍ଭମାନଙ୍କ ଦୃଷ୍ଟିରେ ଅଶୁଚି ହୋଇଅଛୁ ? 4କ୍ରୋଧରେ ଆପଣାକୁ ବିଦୀର୍ଣ୍ଣ କରୁଅଛ ଯେ ତୁମ୍ଭେ, ତୁମ୍ଭ ପାଇଁ କ’ଣ ପୃଥିବୀ ପରିତ୍ୟକ୍ତ ହେବ ? ଅବା ଶୈଳ କ’ଣ ସ୍ୱସ୍ଥାନରୁ ଦୂରୀକୃତ ହେବ ? 5ହଁ, ଦୁଷ୍ଟର ଦୀପ୍ତି ନିଭାଯିବ ଓ ତାହାର ଅଗ୍ନିକଣା ନିସ୍ତେଜ ହେବ। 6ତାହାର ତମ୍ବୁରେ ଆଲୁଅ ଅନ୍ଧାର ହେବ ଓ ତାହାର ଉପରିସ୍ଥ ପ୍ରଦୀପ ନିଭାଯିବ। 7ତାହାର ସାମର୍ଥ୍ୟର ଗତି ସଙ୍କୁଚିତ ହେବ ଓ ତାହାର ନିଜ ମନ୍ତ୍ରଣା ତାହାକୁ ତଳେ ପକାଇବ। 8ସେ ଆପଣା ଚରଣ ଦ୍ୱାରା ଜାଲରେ ପଡ଼େ ଓ ସେ ଫାନ୍ଦ ଉପରେ ଗମନାଗମନ କରେ। 9ଫାଶ ତାହାର ଗୋଇଠିକି ଧରିବ ଓ ଜାଲ ତାହାକୁ ଧରିବ। 10ତାହା ପାଇଁ ଫାଶ ଭୂମିରେ ଗୁପ୍ତ ଅଛି ଓ ପଥରେ ତାହା ପାଇଁ ଯନ୍ତା ଅଛି। 11ଭୟଙ୍କରତା ତାହାକୁ ଚତୁର୍ଦ୍ଦିଗରେ ଭୀତ କରିବ ଓ ତାହାର ଗୋଡ଼େ ଗୋଡ଼େ ଗୋଡ଼ାଇବ। 12ତାହାର ବଳ କ୍ଷୁଧାରେ କ୍ଷୀଣ ହେବ ଓ ତାହାର ଶେଷ ସମୟକୁ ବିପଦ ପ୍ରସ୍ତୁତ ଥିବ। 13ତାହା ତାହାର ଶରୀରର ଅବୟବସବୁ ଗ୍ରାସ କରିବ, ହଁ, ମୃତ୍ୟୁୁର ପ୍ରଥମଜାତ ତାହାର ଅବୟବସବୁ ଗ୍ରାସ କରିବ। 14ସେ ଆପଣା ବିଶ୍ୱାସ-ସ୍ଥଳରୂପ ତମ୍ବୁରୁ ଉତ୍ପାଟିତ ହେବ ଓ ସେ ଭୟଙ୍କର ରାଜା ନିକଟକୁ ଅଣାଯିବ। 15ତାହାର ଅସମ୍ପର୍କୀୟ ଲୋକ ତାହାର ତମ୍ବୁରେ ବାସ କରିବ, ତାହାର ନିବାସ-ସ୍ଥାନ ଉପରେ ଗନ୍ଧକ ବିଞ୍ଚାଯିବ। 16ତଳେ ତାହାର ମୂଳ ଶୁଷ୍କ ହେବ ଓ ଉପରେ ତାହାର ଶାଖା ଉଚ୍ଛିନ୍ନ ହେବ। 17ପୃଥିବୀରୁ ତାହାର ସ୍ମୃତି ଲୁପ୍ତ ହେବ ଓ ପଥରେ କେହି ତାହାର ନାମ ଧରିବ ନାହିଁ। 18ସେ ଆଲୁଅରୁ ଅନ୍ଧାରକୁ ତଡ଼ାଯିବ ଓ ଜଗତରୁ ଘଉଡ଼ାଯିବ। 19ଆପଣା ଲୋକଙ୍କ ମଧ୍ୟରେ ତାହାର ପୁତ୍ର କି ପୌତ୍ର ରହିବେ ନାହିଁ, କିଅବା ତାହାର ପ୍ରବାସ-ସ୍ଥାନରେ କେହି ରହିବେ ନାହିଁ। 20ଯେପରି ପୂର୍ବବର୍ତ୍ତୀ ଲୋକମାନେ ତାହାର ବିନାଶର ଦିନ ଲାଗି ଭୀତ ହୋଇଥିଲେ, ସେପରି ପଶ୍ଚିମବର୍ତ୍ତୀ ଲୋକମାନେ ଚମତ୍କୃତ ହେବେ। 21ନିଶ୍ଚୟ ଅଧାର୍ମିକର ବସତି ଏହିପରି ଓ ପରମେଶ୍ୱରଙ୍କୁ ନ ଜାଣିବା ଲୋକର ସ୍ଥାନ ଏହି।”
19ଆୟୁବ - ମୋହର ମୁକ୍ତିକର୍ତ୍ତା ଜୀବିତ
1ଏଥିରେ ଆୟୁବ ଉତ୍ତର କରି କହିଲା, 2“ତୁମ୍ଭେମାନେ କେତେ କାଳ ମୋ’ ପ୍ରାଣକୁ ବିରକ୍ତ କରିବ ଓ କଥାରେ ମୋତେ ଖଣ୍ଡ ଖଣ୍ଡ କରି ଭାଙ୍ଗିବ ? 3ତୁମ୍ଭେମାନେ ଦଶ ଥର ମୋତେ ତିରସ୍କାର କରି ସାରିଲଣି, ମୋ’ ପ୍ରତି ନିଷ୍ଠୁର ବ୍ୟବହାର କରିବାରେ ତୁମ୍ଭେମାନେ ଲଜ୍ଜିତ ହେଉ ନାହଁ। 4ହେଉ, ମୁଁ ଭ୍ରମ କରିଅଛି, ମୋହର ଭ୍ରମ ମୋ’ ସଙ୍ଗେ ଥାଏ। 5ଯଦି ତୁମ୍ଭେମାନେ ନିତାନ୍ତ ମୋ’ ଉପରେ ଆପଣାମାନଙ୍କୁ ବଡ଼ କରିବ ଓ ମୋ’ ବିରୁଦ୍ଧରେ ମୋ’ ଗ୍ଳାନିର ପ୍ରତିବାଦ କରିବ; 6ତେବେ ଜାଣ ଯେ, ପରମେଶ୍ୱର ମୋ’ ବିଷୟରେ ବିପରୀତ କରିଅଛନ୍ତି ଓ ଆପଣା ଜାଲରେ ମୋତେ ଚାରିଆଡ଼େ ଘେରିଅଛନ୍ତି। 7ଦେଖ, ମୁଁ ଅନ୍ୟାୟପ୍ରଯୁକ୍ତ କ୍ରନ୍ଦନ କରେ, ମାତ୍ର ତାହା ଶୁଣାଯାଉ ନାହିଁ; ମୁଁ ସାହାଯ୍ୟ ନିମନ୍ତେ ଆର୍ତ୍ତନାଦ କରେ, ମାତ୍ର କିଛି ବିଚାର ହୁଏ ନାହିଁ। 8ସେ ମୋ’ ପଥ ରୁଦ୍ଧ କରିଅଛନ୍ତି, ତହୁଁ ମୁଁ ଯାଇ ନ ପାରେ ଓ ମୋହର ପଥ ଅନ୍ଧକାରମୟ କରିଅଛନ୍ତି। 9ସେ ମୋ’ ଗୌରବ-ବସ୍ତ୍ର କାଢ଼ି ପକାଇଅଛନ୍ତି ଓ ମୋ’ ମସ୍ତକରୁ ମୁକୁଟ ନେଇଅଛନ୍ତି। 10ସେ ଚାରିଆଡ଼େ ମୋତେ ଭାଙ୍ଗି ପକାଇଅଛନ୍ତି, ମୁଁ ସରିଗଲିଣି ଓ ସେ ମୋହର ଭରସା ବୃକ୍ଷ ପରି ଉତ୍ପାଟନ କରିଅଛନ୍ତି। 11ମଧ୍ୟ ସେ ମୋ’ ବିରୁଦ୍ଧରେ ଆପଣା କ୍ରୋଧ ପ୍ରଜ୍ୱଳିତ କରିଅଛନ୍ତି ଓ ସେ ମୋତେ ଆପଣାର ଜଣେ ବିପକ୍ଷ ପରି ଗଣନା କରନ୍ତି। 12ତାହାଙ୍କର ସୈନ୍ୟଗଣ ଏକତ୍ର ଆସନ୍ତି ଓ ମୋ’ ବିରୁଦ୍ଧରେ ଆପଣାମାନଙ୍କ ପଥ ପ୍ରସ୍ତୁତ କରନ୍ତି ଓ ମୋ’ ତମ୍ବୁ ଚାରିଆଡ଼େ ଛାଉଣି କରନ୍ତି। 13ସେ ମୋହର ଜ୍ଞାତିମାନଙ୍କୁ ମୋ’ଠାରୁ ଦୂର କରିଅଛନ୍ତି ଓ ମୋହର ପରିଚିତ ଲୋକମାନେ ସମ୍ପୂର୍ଣ୍ଣ ରୂପେ ଅପରିଚିତ ହୋଇଅଛନ୍ତି। 14ମୋ’ କୁଟୁମ୍ବବର୍ଗ ମୋତେ ତ୍ୟାଗ କରିଅଛନ୍ତି ଓ ଆତ୍ମୀୟ ମିତ୍ରଗଣ ମୋତେ ପାସୋରିଅଛନ୍ତି। 15ମୋ’ ଗୃହନିବାସୀମାନେ ଓ ମୋ’ ଦାସୀମାନେ ମୋତେ ଅଜଣା ଲୋକ କରି ଗଣନ୍ତି; ମୁଁ ସେମାନଙ୍କ ଦୃଷ୍ଟିରେ ବିଦେଶୀ ହୋଇଅଛି। 16ମୁଁ ଆପଣା ଦାସକୁ ଡାକିଲେ ଓ ନିଜ ମୁଖରେ ବିନତି କଲେ ହେଁ ସେ ମୋତେ ଉତ୍ତର ଦିଏ ନାହିଁ। 17ମୋ’ ନିଶ୍ୱାସ ମୋ’ ଭାର୍ଯ୍ୟା ପ୍ରତି ଓ ମୋ’ ନିବେଦନ ମୋ’ ସହୋଦର ପ୍ରତି ଘୃଣିତ। 18ବାଳକମାନେ ମଧ୍ୟ ମୋତେ ଅବଜ୍ଞା କରନ୍ତି; ମୁଁ ଉଠିଲେ, ସେମାନେ ମୋ’ ବିରୁଦ୍ଧରେ କଥା କହନ୍ତି। 19ମୋହର ସୁହୃଦମାନେ ମୋତେ ଘୃଣା କରନ୍ତି ଓ ଯେଉଁମାନଙ୍କୁ ମୁଁ ସ୍ନେହ କଲି, ସେମାନେ ମୋହର ବିରୁଦ୍ଧ ହୋଇଅଛନ୍ତି। 20ମୋ’ ମାଂସ ଓ ଚର୍ମରେ ମୋହର ଅସ୍ଥି ଲାଗି ଯାଇଅଛି ଓ ମୁଁ ଚର୍ମାବଶିଷ୍ଟଦନ୍ତ ହୋଇ ବଞ୍ଚିଅଛି। 21ହେ ମୋହର ମିତ୍ରମାନେ, ମୋ’ ପ୍ରତି ଦୟା କର, ମୋ’ ପ୍ରତି ଦୟା କର; କାରଣ ପରମେଶ୍ୱରଙ୍କ ହସ୍ତ ମୋତେ ସ୍ପର୍ଶ କରିଅଛି। 22ପରମେଶ୍ୱରଙ୍କ ପରି ତୁମ୍ଭେମାନେ କାହିଁକି ମୋତେ ତାଡ଼ନା କରୁଅଛ ଓ ମୋ’ ମାଂସରେ ତୃପ୍ତ ହେଉ ନାହଁ ? 23ଆହା, ଏବେ ମୋ’ କଥାସବୁ ଯେବେ ଲେଖା ଯା’ନ୍ତା ! ଆହା, ତାହାସବୁ ଯେବେ ପୁସ୍ତକରେ ଲିଖିତ ହୁଅନ୍ତା ! 24ଯେବେ ଲୌହ ଲେଖନୀ ଓ ସୀସା ଦ୍ୱାରା ସଦାକାଳ ପାଇଁ ତାହାସବୁ ପାଷାଣରେ ଖୋଦିତ ହୁଅନ୍ତା ! 25ମାତ୍ର ମୁଁ ଜାଣେ ଯେ, ମୋହର ମୁକ୍ତିକର୍ତ୍ତା ଜୀବିତ ଅଟନ୍ତି ଓ ଶେଷରେ ସେ ପୃଥିବୀ ଉପରେ ଠିଆ ହେବେ; 26ପୁଣି, ମୋହର ଚର୍ମ ଏହି ରୂପେ ବିନଷ୍ଟ ହେଲା ଉତ୍ତାରେ ହେଁ ମୁଁ ମାଂସବିହୀନ19:26 ମାଂସବିହୀନ କିମ୍ବା ମାଂସରେ ହୋଇ ପରମେଶ୍ୱରଙ୍କୁ ଦେଖିବି; 27ମୁଁ ତାହାଙ୍କୁ ଆପଣାର ସପକ୍ଷ ଦେଖିବି, ମୋହର ଚକ୍ଷୁ ତାହାଙ୍କୁ ଦେଖିବ, ଅନ୍ୟ ନୁହେଁ। ବକ୍ଷ ମଧ୍ୟରେ ମୋହର ହୃଦୟ କ୍ଷୀଣ ହେଉଅଛି। 28ମୋ’ଠାରେ ମୂଳକଥା ଦେଖାଯିବାରୁ ଯଦି ତୁମ୍ଭେମାନେ କୁହ, ଆମ୍ଭେମାନେ କିପରି ତାହାକୁ ତାଡ଼ନା କରିବା ? 29ତେବେ ତୁମ୍ଭେମାନେ ଖଡ୍ଗ ବିଷୟରେ ଭୀତ ହୁଅ; କାରଣ କୋପ ଖଡ୍ଗରୂପ ଶାସ୍ତି ଆଣିବ; ତହିଁରେ ବିଚାର ଯେ ଅଛି, ତାହା ତୁମ୍ଭେମାନେ ଜାଣି ପାରିବ।
20ସୋଫର - ଦୁଷ୍ଟ ଦୁଃଖଭୋଗ କରନ୍ତି
1ଏଥିଉତ୍ତାରେ ନାମାଥୀୟ ସୋଫର ଉତ୍ତର କରି କହିଲା, 2“ଏଥିପାଇଁ ମୋର ଅନ୍ତରସ୍ଥ ଚଞ୍ଚଳତା ସକାଶୁ ମୋହର ଚିନ୍ତା ମୋତେ ଉତ୍ତର ଦିଏ। 3ମୁଁ ଯେଉଁ ଅନୁଯୋଗ ଶୁଣିଲି, ତାହା ମୋତେ ଲଜ୍ଜିତ କରେ ଏବଂ ମୋହର ବୁଦ୍ଧିବିଶିଷ୍ଟ ଆତ୍ମା ମୋତେ ଉତ୍ତର ଦିଏ। 4ତୁମ୍ଭେ କ’ଣ ଏହା ଜାଣ ନାହିଁ ଯେ, ପୁରାତନ କାଳରୁ, ପୃଥିବୀରେ ମନୁଷ୍ୟର ସ୍ଥାପନଠାରୁ 5ଦୁଷ୍ଟର ଜୟଧ୍ୱନି ଅଳ୍ପ କାଳ ଓ ଅଧାର୍ମିକର ଆନନ୍ଦ କ୍ଷଣମାତ୍ର ସ୍ଥାୟୀ ? 6ଯଦ୍ୟପି ତାହାର ମହତ୍ତ୍ୱ ଆକାଶ ପର୍ଯ୍ୟନ୍ତ ଉଠେ ଓ ତାହାର ମସ୍ତକ ମେଘ ସ୍ପର୍ଶ କରେ; 7ତଥାପି ସେ ଆପଣା ମଳ ତୁଲ୍ୟ ଅନନ୍ତ କାଳ ନଷ୍ଟ ହେବ; ଯେଉଁମାନେ ତାହାକୁ ଦେଖିଥିଲେ, ସେମାନେ କହିବେ, ସେ କାହିଁ ? 8ସେ ସ୍ୱପ୍ନ ତୁଲ୍ୟ ଉଡ଼ିଯିବ, ଆଉ ଦେଖାଯିବ ନାହିଁ; ହଁ, ସେ ରାତ୍ରିକାଳୀନ ଦର୍ଶନ ତୁଲ୍ୟ ଦୂରୀକୃତ ହେବ। 9ଯେଉଁ ଚକ୍ଷୁ ତାହାକୁ ଦେଖିଲା, ଆଉ ତାହାକୁ ଦେଖିବ ନାହିଁ; କିଅବା ତାହାର ବାସସ୍ଥାନ ତାହାକୁ ଆଉ ଦେଖିବ ନାହିଁ। 10ତାହାର ସନ୍ତାନଗଣ ଦରିଦ୍ରମାନଙ୍କର ଅନୁଗ୍ରହ ଚେଷ୍ଟା କରିବେ ଓ ତାହାର ସନ୍ତାନଗଣ20:10 ତାହାର ସନ୍ତାନଗଣ କିମ୍ବା ତାହାର ହସ୍ତ ତାହାର ସମ୍ପତ୍ତି ଫେରାଇ ଦେବେ। 11ତାହାର ଅସ୍ଥି ତାହାର ଯୌବନରେ ପରିପୂର୍ଣ୍ଣ, ମାତ୍ର ତାହା ତାହା ସଙ୍ଗେ ଧୂଳିରେ ଶୟନ କରିବ। 12ଯଦ୍ୟପି ଦୁଷ୍ଟତା ତାହାର ମୁଖକୁ ସୁମିଷ୍ଟ ଲାଗେ, ଯଦ୍ୟପି ସେ ଆପଣା ଜିହ୍ୱା ତଳେ ତାହା ଲୁଚାଇ ରଖେ; 13ଯଦ୍ୟପି ସେ ତାହା ଯାକି ରଖି ନ ଛାଡ଼େ, ମାତ୍ର ଆପଣା ମୁଖ ମଧ୍ୟରେ ରଖିଥାଏ; 14ତଥାପି ତାହାର ଆହାର ଉଦରରେ ବିକୃତ ହୁଏ, ତାହା ତାହାର ଅନ୍ତରରେ କାଳସର୍ପର ଗରଳ ସ୍ୱରୂପ। 15ସେ ଧନ ଗ୍ରାସ କରିଅଛି ଓ ସେ ପୁନର୍ବାର ତାହା ଉଦ୍ଗାର କରିବ; ପରମେଶ୍ୱର ତାହାର ଉଦରରୁ ତାହାସବୁ ଦୂର କରିବେ। 16ସେ କାଳସର୍ପର ବିଷ ଚୁଷିବ; ବିଷଧରର ଜିହ୍ୱା ତାହାକୁ ବଧ କରିବ। 17ସେ ନଦୀମାନ, ଅର୍ଥାତ୍, ମଧୁ ଓ ନବନୀତ ପ୍ରବାହୀ ସ୍ରୋତମାନ ଦେଖିବ ନାହିଁ। 18ସେ ଯହିଁ ପାଇଁ ପରିଶ୍ରମ କଲା, ତାହା ଫେରାଇ ଦେବ ଓ ଗ୍ରାସ କରିବ ନାହିଁ; ସେ ଆପଣା ପ୍ରାପ୍ତ ସମ୍ପତ୍ତି ଅନୁସାରେ ଆନନ୍ଦ କରିବ ନାହିଁ। 19କାରଣ ସେ ଦରିଦ୍ରକୁ ଉପଦ୍ରବ ଓ ତ୍ୟାଗ କରିଅଛି; ସେ ଦୌରାତ୍ମ୍ୟପୂର୍ବକ ଗୃହ ଅପହରଣ କରିଅଛି; ଆଉ ତାହା ନିର୍ମାଣ କରିବ ନାହିଁ। 20ସେ ଆପଣା ଅନ୍ତରରେ କିଛି ଶାନ୍ତି ପାଇଲା ନାହିଁ, ଏଣୁ ସେ ଆପଣା ଇଷ୍ଟ ବସ୍ତୁରୁ କିଛି ହିଁ ରକ୍ଷା କରି ପାରିବ ନାହିଁ। 21ଯାହା ସେ ଗ୍ରାସ କଲା ନାହିଁ, ଏପରି କିଛି ନ ଥିଲା; ଏହେତୁ ତାହାର ସୁଦଶା ସ୍ଥାୟୀ ରହିବ ନାହିଁ। 22ସେ ଆପଣା ପ୍ରଚୁରତାର ପୂର୍ଣ୍ଣତାରେ କଷ୍ଟ ଭୋଗ କରିବ; ଦୁର୍ଦ୍ଦଶାଗ୍ରସ୍ତ ପ୍ରତ୍ୟେକର ହସ୍ତ ତାହାକୁ ଆକ୍ରମଣ କରିବ। 23ସେ ଆପଣା ଉଦର ପୂର୍ଣ୍ଣ କରିବାକୁ ଉଦ୍ୟତ ହେବା ସମୟରେ ପରମେଶ୍ୱର ତାହା ଉପରେ ଆପଣା କୋପର ପ୍ରଚଣ୍ଡତା ନିକ୍ଷେପ କରିବେ ଓ ସେ ଭୋଜନ କରୁଥିବା ସମୟରେ ତାହା ଉପରେ ତାହା ବୃଷ୍ଟି କରିବେ। 24ସେ ଲୌହ ଅସ୍ତ୍ର ନିକଟରୁ ପଳାଇବ, ଆଉ ପିତ୍ତଳଧନୁର ତୀର ତାହାକୁ ବିଦ୍ଧ କରିବ। 25ସେ ତାହା ଟାଣେ ଓ ତାହା ତାହାର ଶରୀରରୁ ବାହାରି ଆସେ; ହଁ, ତାହାର ପିତ୍ତସ୍ଥଳୀରୁ ତେଜସ୍କର ତୀରାଗ୍ର ନିର୍ଗତ ହୁଏ; ସେ ନାନା ଭୟରେ ଆକ୍ରାନ୍ତ। 26ସମୁଦାୟ ଅନ୍ଧକାର ତାହାର ଧନ ରୂପେ ସଞ୍ଚିତ ହୁଏ; ମନୁଷ୍ୟର ଅଫୁଙ୍କା ଅଗ୍ନି ତାହାକୁ ଗ୍ରାସ କରିବ; ତାହା ତାହାର ତମ୍ବୁରେ ଅବଶିଷ୍ଟସକଳ ଭସ୍ମ କରିବ। 27ଆକାଶମଣ୍ଡଳ ତାହାର ଅଧର୍ମ ପ୍ରକାଶ କରିବ ଓ ପୃଥିବୀ ତାହାର ବିପକ୍ଷରେ ଉଠିବ। 28ତାହାର ଗୃହର ସମ୍ପତ୍ତି ଉଡ଼ିଯିବ, ପରମେଶ୍ଵରଙ୍କ କ୍ରୋଧର ଦିନରେ ତାହାର ସର୍ବସ୍ୱ ବହିଯିବ। 29ପରମେଶ୍ୱରଙ୍କଠାରୁ ଦୁଷ୍ଟଲୋକର ଏହି ବାଣ୍ଟ ଓ ତାହା ପାଇଁ ଏହା ହିଁ ପରମେଶ୍ୱରଙ୍କ ନିରୂପିତ ଅଧିକାର।
21ଆୟୁବ - ଦୁଷ୍ଟ ସମୃଦ୍ଧ ହୁଅନ୍ତି
1ଏଥିରେ ଆୟୁବ ଉତ୍ତର କରି କହିଲା, 2“ମନୋଯୋଗ କରି ମୋ’ କଥା ଶୁଣ ଓ ତାହା ତୁମ୍ଭମାନଙ୍କର ସାନ୍ତ୍ୱନା ହେଉ। 3ମୋତେ ଅନୁମତି ଦିଅ, ମୁଁ ମଧ୍ୟ କଥା କହିବି ଓ ମୁଁ କହିସାରିଲା ଉତ୍ତାରେ ଉପହାସ କରୁଥାଅ। 4ମୋ’ ଗୁହାରି କ’ଣ ମନୁଷ୍ୟ ନିକଟରେ ? ତେବେ ମୁଁ କାହିଁକି ଅଧୈର୍ଯ୍ୟ ନୋହିବି ? 5ମୋତେ ନିରୀକ୍ଷଣ କରି ଚମତ୍କୃତ ହୁଅ ଓ ତୁମ୍ଭମାନଙ୍କ ମୁଖରେ ଆପଣା ଆପଣା ହାତ ଦିଅ। 6ମୁଁ ସ୍ମରଣ କଲେ ବ୍ୟାକୁଳ ହୁଏ ଓ ମୋ’ ଶରୀର କମ୍ପିତ ହୁଏ। 7ଦୁଷ୍ଟମାନେ କାହିଁକି ଜୀବିତ ଥା’ନ୍ତି, ବୃଦ୍ଧ ହୁଅନ୍ତି ଓ ପରାକ୍ରମରେ ବର୍ଦ୍ଧିଷ୍ଣୁ ହୁଅନ୍ତି ? 8ସେମାନଙ୍କ ବଂଶ ସେମାନଙ୍କ ସଙ୍ଗେ ସେମାନଙ୍କ ସାକ୍ଷାତରେ ଓ ସେମାନଙ୍କ ସନ୍ତାନସନ୍ତତି ସେମାନଙ୍କ ଦୃଷ୍ଟିଗୋଚରରେ ସ୍ଥିରୀକୃତ ହୁଅନ୍ତି। 9ସେମାନଙ୍କ ଗୃହ ଭୟରୁ ରକ୍ଷିତ ଥାଏ, କିଅବା ସେମାନଙ୍କ ଉପରେ ପରମେଶ୍ୱରଙ୍କର ଯଷ୍ଟି ନ ଥାଏ। 10ସେମାନଙ୍କ ବୃଷ ସଙ୍ଗମ କରି ନିଷ୍ଫଳ ହୁଏ ନାହିଁ; ସେମାନଙ୍କର ଗାଭୀ ପ୍ରସବ କରେ ଓ ଗର୍ଭପାତ କରେ ନାହିଁ। 11ସେମାନେ ଆପଣା ଆପଣା ବାଳକଗଣକୁ ପଲ ପରି ବାହାରେ ପଠାନ୍ତି ଓ ସେମାନଙ୍କ ସନ୍ତାନଗଣ ନୃତ୍ୟ କରନ୍ତି। 12ସେମାନେ ତବଲା ଓ ବୀଣା ବଜାଇ ଗାନ କରନ୍ତି ଓ ବଂଶୀଧ୍ୱନିରେ ଆନନ୍ଦ କରନ୍ତି। 13ସେହି ଦୁଷ୍ଟମାନେ ସମୃଦ୍ଧିରେ ଆପଣା ଆପଣା ଦିନ କ୍ଷେପଣ କରନ୍ତି ଓ ଏକ ନିମିଷରେ ପାତାଳକୁ21:13 ପ୍ରକୃତରେ ସିଓଲ୍ ଶବ୍ଦର ଅର୍ଥ ମୃତ୍ୟୁମାନଙ୍କର ସ୍ଥାନ କିଅବା କବରକୁ ଓହ୍ଲାଇ ଯା’ନ୍ତି। 14ତଥାପି ସେମାନେ ପରମେଶ୍ୱରଙ୍କୁ କହିଲେ, ‘ଆମ୍ଭମାନଙ୍କ ନିକଟରୁ ଦୂର ହୁଅ; କାରଣ ଆମ୍ଭେମାନେ ତୁମ୍ଭ ମାର୍ଗବିଷୟକ ଜ୍ଞାନ ବାଞ୍ଛା କରୁ ନାହୁଁ। 15ସର୍ବଶକ୍ତିମାନ କିଏ ଯେ, ଆମ୍ଭେମାନେ ତାହାଙ୍କର ସେବା କରିବା ? ଓ ତାହାଙ୍କ ନିକଟରେ ପ୍ରାର୍ଥନା କଲେ, ଆମ୍ଭେମାନେ କି ଲାଭ ପାଇବା ?’ 16ଦେଖ, ସେମାନଙ୍କର ସୁଖ ସମୃଦ୍ଧି ସେମାନଙ୍କ ହସ୍ତରେ ନାହିଁ; ଦୁଷ୍ଟମାନଙ୍କ ମନ୍ତ୍ରଣା ମୋ’ଠାରୁ ଦୂରରେ ଥାଏ। 17କେତେ ଥର ଦୁଷ୍ଟମାନଙ୍କର ପ୍ରଦୀପ ନିଭାଯାଏ ? ସେମାନଙ୍କ ବିପଦ ସେମାନଙ୍କ ଉପରେ ପଡ଼େ ? ଓ ପରମେଶ୍ୱର ଆପଣା କ୍ରୋଧରେ କ୍ଳେଶ ବିତରଣ କରନ୍ତି ? 18ସେମାନେ ବାୟୁ ଆଗରେ କୁଟା ପରି ଓ ବତାସରେ ଉଡ଼ନ୍ତା ତୁଷ ପରି ହୁଅନ୍ତି ? 19ତୁମ୍ଭେମାନେ କହୁଅଛ, ପରମେଶ୍ୱର ତାହାର ସନ୍ତାନଗଣ ନିମନ୍ତେ ତାହାର ଅଧର୍ମ ସଞ୍ଚୟ କରନ୍ତି। ସେ ତାହାକୁ ହିଁ ପ୍ରତିଫଳ ଦେଉନ୍ତୁ, ତହିଁରେ ସେ ତାହା ଜାଣିବ। 20ତାହାର ନିଜ ଚକ୍ଷୁ ତାହାର ବିନାଶ ଦେଖୁ ଓ ସେ ସର୍ବଶକ୍ତିମାନଙ୍କ କ୍ରୋଧ ପାନ କରୁ। 21କାରଣ ମଧ୍ୟଭାଗରୁ ତାହାର ମାସସଂଖ୍ୟା କଟା ଗଲେ,21:21 ଅର୍ଥାତ୍ ସେ ମଲେ ତାହାର ପଶ୍ଚାଦ୍ବର୍ତ୍ତୀ ବଂଶରେ କି ତାହାର କିଛି ସନ୍ତୋଷ ଥାଏ ? 22ପରମେଶ୍ୱର ଊର୍ଦ୍ଧ୍ୱବାସୀମାନଙ୍କର ଶାସନ କରନ୍ତି, ଏଣୁ କେହି କି ତାହାଙ୍କୁ ଜ୍ଞାନ ଶିଖାଇବ ? 23କେହି ସମ୍ପୂର୍ଣ୍ଣ ବିଶ୍ରାମ ଓ ଶାନ୍ତି ଭୋଗ କରି ବଳବିଶିଷ୍ଟ ହୋଇ ମରେ; 24ତାହାର ସ୍ତନ ଦୁଗ୍ଧରେ ପରିପୂର୍ଣ୍ଣ ଓ ତାହାର ଅସ୍ଥିର ମେଦ ସତେଜ ଥାଏ। 25ଆଉ, କେହି ପ୍ରାଣର ତିକ୍ତତାରେ ମରେ ଓ କେତେବେଳେ ମଙ୍ଗଳର ଆସ୍ୱାଦ ପାଏ ନାହିଁ। 26ଏମାନେ ଏକ ସମାନ ମାଟିରେ ଶୟନ କରନ୍ତି21:26 ଅର୍ଥାତ୍ ସେମାନେ ଉଭୟ ମରନ୍ତି ଓ କୀଟ ସେମାନଙ୍କୁ ଆଚ୍ଛାଦନ କରେ। 27ଦେଖ, ମୁଁ ତୁମ୍ଭମାନଙ୍କର ବିଚାରସବୁ ଓ ମୋ’ ବିରୁଦ୍ଧରେ ତୁମ୍ଭମାନଙ୍କର ଅନ୍ୟାୟକଳ୍ପିତ ସଂକଳ୍ପସବୁ ଜାଣେ। 28କାରଣ ତୁମ୍ଭେମାନେ କହୁଅଛ, ସେହି ଅଧିପତିର ଗୃହ କାହିଁ ? ଓ ସେହି ଦୁଷ୍ଟର ବସତି-ତମ୍ବୁ କାହିଁ ? 29ତୁମ୍ଭେମାନେ କ’ଣ ପଥିକମାନଙ୍କୁ ପଚାରି ନାହଁ ? ଓ ତୁମ୍ଭେମାନେ କ’ଣ ସେମାନଙ୍କ ଲକ୍ଷଣ ଜାଣ ନାହିଁ ଯେ, 30ଦୁଷ୍ଟଲୋକ ବିପଦର ଦିନ ପର୍ଯ୍ୟନ୍ତ ରକ୍ଷିତ ? ଓ ସେମାନେ କୋପର ଦିନ ପର୍ଯ୍ୟନ୍ତ ଘେନା ଯା’ନ୍ତି ? 31ତାହାର ସମ୍ମୁଖରେ କିଏ ତାହାର ପଥ ପ୍ରକାଶ କରିବ ? ଓ କିଏ ତାହାର କୃତକର୍ମର ଫଳ ତାହାକୁ ଦେବ ? 32ତଥାପି ସେ କବରକୁ ବହାଯିବ ଓ କବର ଉପରେ ପ୍ରହରୀ ରହିବ। 33ଉପତ୍ୟକାର ମୃତ୍ତିକା ତାହା ପ୍ରତି ମିଷ୍ଟ ହେବ, ଯେପରି ତାହା ପୂର୍ବରେ ଅସଂଖ୍ୟ ଲୋକ, ସେପରି ତାହାର ପଶ୍ଚାତ୍ ସମସ୍ତ ଲୋକ ଗମନ କରିବେ। 34ତେବେ କିପରି ତୁମ୍ଭେମାନେ ମୋତେ ବୃଥାରେ ସାନ୍ତ୍ୱନା ଦେଉଅଛ, ତୁମ୍ଭମାନଙ୍କ ଉତ୍ତରରେ ତ କେବଳ ମିଥ୍ୟା ଥାଏ।”
22ଇଲୀଫସ୍ - ଆୟୁବର ଦୁଷ୍ଟତା ଅଧିକ
1ଏଥିଉତ୍ତାରେ ତୈମନୀୟ ଇଲୀଫସ୍ ଉତ୍ତର କରି କହିଲା, 2“ମନୁଷ୍ୟ କ’ଣ ପରମେଶ୍ୱରଙ୍କ ପ୍ରତି ଲାଭଜନକ ହୋଇପାରେ ? ଅବଶ୍ୟ ଜ୍ଞାନୀ ଲୋକ ଆପଣା ପ୍ରତି ଲାଭଜନକ ଅଟେ। 3ତୁମ୍ଭେ ଯେ ଧାର୍ମିକ ଅଟ, ଏହା କ’ଣ ସର୍ବଶକ୍ତିମାନଙ୍କ ସୁଖର କାରଣ ? ଅବା ତୁମ୍ଭେ ଯେ ଆପଣା ଆଚରଣ ସିଦ୍ଧ କରୁଅଛ, ଏହା କ’ଣ ତାହାଙ୍କ ପ୍ରତି ଲାଭଜନକ ? 4ତାହାଙ୍କ ପ୍ରତି ତୁମ୍ଭର ଭୟ ସକାଶୁ ସେ କ’ଣ ତୁମ୍ଭକୁ ଅନୁଯୋଗ କରନ୍ତି ଓ ତୁମ୍ଭ ସହିତ ବିଚାରରେ ଉପସ୍ଥିତ ହେଉଅଛନ୍ତି ? 5ତୁମ୍ଭର ଦୁଷ୍ଟତା କ’ଣ ବଡ଼ ନୁହେଁ ? ଓ ତୁମ୍ଭ ଅଧର୍ମର କିଛି ସୀମା ନାହିଁ। 6ଯେଣୁ ତୁମ୍ଭେ ଅକାରଣରେ ଆପଣା ଭାଇଠାରୁ ବନ୍ଧକ ନେଇଅଛ ଓ ତୁମ୍ଭେ ବସ୍ତ୍ରହୀନମାନଙ୍କଠାରୁ ବସ୍ତ୍ର କାଢ଼ି ନେଇଅଛ। 7ତୁମ୍ଭେ ପରିଶ୍ରାନ୍ତମାନଙ୍କୁ ପାନ କରିବା ପାଇଁ ଜଳ ଦେଇ ନାହଁ ଓ ତୁମ୍ଭେ କ୍ଷୁଧିତମାନଙ୍କୁ ଆହାର ଦେଇ ନାହଁ। 8ମାତ୍ର ବଳବାନ ଲୋକ ପୃଥିବୀ ଅଧିକାର କଲା ଓ ସମ୍ଭ୍ରାନ୍ତ ଲୋକ ତହିଁରେ ବାସ କଲା। 9ତୁମ୍ଭେ ବିଧବାମାନଙ୍କୁ ଖାଲି ହାତରେ ବିଦାୟ କରିଅଛ ଓ ପିତୃହୀନର ବାହୁ ଭଗ୍ନ ହୋଇଅଛି। 10ଏହେତୁ ତୁମ୍ଭ ଚାରିଆଡ଼େ ଫାନ୍ଦ ଅଛି ଓ ଆକସ୍ମିକ ଭୟ ତୁମ୍ଭକୁ ବ୍ୟାକୁଳ କରୁଅଛି। 11ଅବା ଅନ୍ଧକାର, ଯାହା ଲାଗି ତୁମ୍ଭେ ଦେଖି ନ ପାର ଓ ଜଳରାଶି ତୁମ୍ଭକୁ ଆଚ୍ଛନ୍ନ କରୁଅଛି। 12ପରମେଶ୍ୱର କ’ଣ ଉଚ୍ଚତମ ସ୍ୱର୍ଗରେ ନାହାନ୍ତି ? ଓ ତାରାଗଣର ଉଚ୍ଚତା ଦେଖ, ସେସବୁ କେଡ଼େ ଉଚ୍ଚ ! 13ପୁଣି, ତୁମ୍ଭେ କହୁଅଛ, ‘ପରମେଶ୍ୱର କ’ଣ ଜାଣନ୍ତି ?’ ସେ ନିବିଡ଼ ଅନ୍ଧକାର ଦେଇ କ’ଣ ବିଚାର କରିପାରନ୍ତି ? 14ନିବିଡ଼ ମେଘମାଳ ତାହାଙ୍କର ଆବରଣ, ଏଣୁ ସେ ଦେଖନ୍ତି ନାହିଁ ଓ ସେ ଆକାଶମଣ୍ଡଳରେ ଗମନାଗମନ କରନ୍ତି। 15ଯହିଁରେ ଦୁଷ୍ଟ ଲୋକେ ଗମନ କରିଅଛନ୍ତି, ତୁମ୍ଭେ କ’ଣ ସେହି ପୁରାତନ ପଥ ଧରିବ ? 16ସେମାନେ ଅକାଳରେ ଛିଣ୍ଡାଗଲେ, ସେମାନଙ୍କ ଭିତ୍ତିମୂଳ ସ୍ରୋତ ପରି ଢଳାଗଲା; 17ସେମାନେ ପରମେଶ୍ୱରଙ୍କୁ କହିଲେ, ‘ଆମ୍ଭମାନଙ୍କ ନିକଟରୁ ଦୂର ହୁଅ ଓ ସର୍ବଶକ୍ତିମାନ ପରମେଶ୍ଵର ଆମ୍ଭମାନଙ୍କ ପାଇଁ କ’ଣ କରି ପାରନ୍ତି ?’ 18ତଥାପି ସେ ନାନା ଉତ୍ତମ ଦ୍ରବ୍ୟରେ ସେମାନଙ୍କ ଗୃହ ପରିପୂର୍ଣ୍ଣ କଲେ; ମାତ୍ର ଦୁଷ୍ଟମାନଙ୍କ ମନ୍ତ୍ରଣା ଆମ୍ଭଠାରୁ ଦୂରରେ ଥାଏ। 19ଧାର୍ମିକମାନେ ତାହା ଦେଖି ଆନନ୍ଦିତ ହୁଅନ୍ତି ଓ ନିର୍ଦ୍ଦୋଷ ଲୋକ ସେମାନଙ୍କୁ ପରିହାସ କରି କହନ୍ତି, 20ଆମ୍ଭମାନଙ୍କ ବିରୁଦ୍ଧରେ ଉଠିବା ଲୋକେ ନିଶ୍ଚୟ ଉଚ୍ଛିନ୍ନ ହୋଇଅଛନ୍ତି ଓ ଅଗ୍ନି ସେମାନଙ୍କର ଅବଶିଷ୍ଟାଂଶ ଗ୍ରାସ କରିଅଛି। 21ଏବେ ତୁମ୍ଭେ ତାହାଙ୍କ ସହିତ ପରିଚିତ ହୁଅ, ତହିଁରେ ଶାନ୍ତି ହେବ; ତଦ୍ଦ୍ୱାରା ମଙ୍ଗଳ ତୁମ୍ଭ ନିକଟରେ ଉପସ୍ଥିତ ହେବ। 22ମୁଁ ବିନୟ କରୁଅଛି, ତାହାଙ୍କ ମୁଖନିର୍ଗତ ବ୍ୟବସ୍ଥା ଗ୍ରହଣ କର ଓ ତାହାଙ୍କ ବାକ୍ୟ ଆପଣା ହୃଦୟରେ ସଞ୍ଚୟ କର। 23ଯଦି ତୁମ୍ଭେ ସର୍ବଶକ୍ତିମାନ ପରମେଶ୍ଵରଙ୍କ ପ୍ରତି ଫେରିବ, ଯଦି ଆପଣା ତମ୍ବୁରୁ ଅଧର୍ମ ଦୂର କରିବ, ତେବେ ତୁମ୍ଭେ ଦୃଢ଼ କରାଯିବ। 24ପୁଣି, ତୁମ୍ଭେ ଧୂଳିରେ ଆପଣା ଧନ ଓ ନଦୀସ୍ଥିତ ପଥର ମଧ୍ୟରେ ଓଫୀରର ସୁବର୍ଣ୍ଣ ପକାଇ ଦିଅ; 25ତହିଁରେ ସର୍ବଶକ୍ତିମାନ ତୁମ୍ଭର ଧନ ସ୍ୱରୂପ ଓ ତୁମ୍ଭ ପ୍ରତି ବହୁମୂଲ୍ୟ ରୌପ୍ୟ ସ୍ୱରୂପ ହେବେ। 26କାରଣ ସେତେବେଳେ ତୁମ୍ଭେ ସର୍ବଶକ୍ତିମାନଙ୍କଠାରେ ଆନନ୍ଦ କରିବ ଓ ପରମେଶ୍ୱରଙ୍କ ଆଡ଼େ ଆପଣା ମୁଖ ଟେକିବ। 27ତୁମ୍ଭେ ତାହାଙ୍କ ନିକଟରେ ପ୍ରାର୍ଥନା କରିବ ଓ ସେ ତୁମ୍ଭ କଥା ଶୁଣିବେ ଓ ତୁମ୍ଭେ ଆପଣା ମାନତ ପରିଶୋଧ କରିବ। 28ମଧ୍ୟ ତୁମ୍ଭେ କୌଣସି ବିଷୟ ମନସ୍ଥ କଲେ, ତାହା ତୁମ୍ଭ ପକ୍ଷରେ ସଫଳ କରାଯିବ; ତୁମ୍ଭର ସକଳ ପଥରେ ଦୀପ୍ତି ପ୍ରକାଶିତ ହେବ। 29ସେମାନେ ତୁମ୍ଭକୁ ଅବନତ କଲେ ତୁମ୍ଭେ କହିବ, ଉନ୍ନତି ହେବ22:29 ସେମାନେ ତୁମ୍ଭକୁ ଅବନତ କଲେ ତୁମ୍ଭେ କହିବ, ଉନ୍ନତି ହେବ ଏବ୍ରୀ ଭାଷାରେ ଏହା ସ୍ପଷ୍ଟ ନୁହେଁ। କାରଣ ପରମେଶ୍ଵର ନମ୍ର ଲୋକକୁ ରକ୍ଷା କରିବେ। 30ଯେଉଁ ଲୋକ ନିର୍ଦ୍ଦୋଷ ନୁହେଁ, ତାହାକୁ ହିଁ ସେ ଉଦ୍ଧାର କରିବେ; ହଁ, ତୁମ୍ଭ ହସ୍ତର ଶୁଚିତା ଦ୍ୱାରା ସେ ଉଦ୍ଧାର ପାଇବ।”
23ଆୟୁବ - ଈଶ୍ୱର କାହାନ୍ତି ?
1ଏଥିରେ ଆୟୁବ ଉତ୍ତର କରି କହିଲା, “ଆଜି ମଧ୍ୟ ମୋହର ବିଳାପ ବିଦ୍ରୋହଭାବ-ବିଶିଷ୍ଟ; 2ମୋହର ଅଭିଯୋଗ ଅପେକ୍ଷା ମୋହର ପୀଡ଼ା ଭାରୀ। 3ଆହା, ମୁଁ କେଉଁଠାରେ ତାହାଙ୍କର ଉଦ୍ଦେଶ୍ୟ ପାଇବି, ଯେବେ ଏହା ଜାଣନ୍ତି, ଯେବେ ତାହାଙ୍କ ଆସନ ନିକଟରେ ଉପସ୍ଥିତ ହୋଇ ପାରନ୍ତି ! 4ତେବେ ମୁଁ ତାହାଙ୍କ ଛାମୁରେ ଆପଣା ଗୁହାରି ନିବେଦନ କରନ୍ତି ଓ ଯୁକ୍ତିରେ ଆପଣା ମୁଖ ପୂର୍ଣ୍ଣ କରନ୍ତି। 5ସେ ମୋତେ ଯେଉଁ କଥା ଉତ୍ତର ଦିଅନ୍ତେ, ତାହା ଜାଣନ୍ତି ଓ ସେ ଯାହା ମୋତେ କହନ୍ତେ, ତାହା ବୁଝନ୍ତି। 6ସେ କ’ଣ ଆପଣା ମହାପରାକ୍ରମରେ ମୋ’ ସଙ୍ଗେ ବିରୋଧ କରିବେ ? ନା; ମାତ୍ର ସେ ମୋ’ ପ୍ରତି ମନୋଯୋଗ କରିବେ। 7ସେଠାରେ ସରଳ ଲୋକ ତାହାଙ୍କ ସଙ୍ଗେ ଯୁକ୍ତି କରି ପାରିବ, ତହିଁରେ ମୁଁ ଆପଣା ବିଚାରକର୍ତ୍ତାଠାରୁ ଚିରକାଳ ଉଦ୍ଧାର ପାଇବି। 8ଦେଖ, ମୁଁ ପୂର୍ବ ଆଡକୁ ଯାଏ, ମାତ୍ର ସେ ସେଠାରେ ନାହାନ୍ତି ଓ ପଶ୍ଚିମ ଆଡକୁ ଯାଏ, ମାତ୍ର ତାହାଙ୍କୁ ଦେଖି ପାରେ ନାହିଁ; 9ସେ କାର୍ଯ୍ୟ କଲା ବେଳେ ଉତ୍ତର ଦିଗକୁ ଯାଏ, ମାତ୍ର ତାହାଙ୍କର ଦର୍ଶନ ପାଇ ନ ପାରେ; ସେ ଦକ୍ଷିଣ ଦିଗରେ ଆପଣାକୁ ଗୋପନ କରନ୍ତି, ତେଣୁ ତାହାଙ୍କୁ ଦେଖି ନ ପାରେ। 10ମାତ୍ର ମୁଁ ଯେଉଁ ପଥ ଅବଲମ୍ବନ କରେ, ସେ ତାହା ଜାଣନ୍ତି; ସେ ମୋହର ପରୀକ୍ଷା କଲା ଉତ୍ତାରେ ମୁଁ ସୁବର୍ଣ୍ଣ ପରି ଉତ୍ତୀର୍ଣ୍ଣ ହେବି। 11ମୋହର ପାଦ ତାହାଙ୍କର ପଦଚିହ୍ନ ଦୃଢ଼ ରୂପେ ଧରିଅଛି; ମୁଁ ତାହାଙ୍କ ପଥ ରକ୍ଷା କରିଅଛି ଓ ବିପଥଗାମୀ ହୋଇ ନାହିଁ। 12ମୁଁ ତାହାଙ୍କ ଓଷ୍ଠାଧର-ନିର୍ଗତ ଆଜ୍ଞାରୁ ବିମୁଖ ହୋଇ ନାହିଁ; ମୁଁ ଆପଣା ଆବଶ୍ୟକ ଆହାର ଅପେକ୍ଷା ଅଧିକ ତାହାଙ୍କ ମୁଖର ବାକ୍ୟ ସଞ୍ଚୟ କରିଅଛି। 13ମାତ୍ର ସେ ଏକମନା ହୋଇଅଛନ୍ତି, ଆଉ କିଏ ତାହାଙ୍କୁ ଫେରାଇ ପାରିବ ? ପୁଣି, ସେ ଯାହା ଇଚ୍ଛା କରନ୍ତି, ତାହା ହିଁ କରନ୍ତି। 14କାରଣ ମୋ’ ପାଇଁ ଯାହା ନିରୂପିତ, ତାହା ସେ ସଫଳ କରନ୍ତି ଓ ତାହାଙ୍କର ଏହି ପ୍ରକାର ଅନେକ କର୍ମ ଅଛି। 15ଏନିମନ୍ତେ ମୁଁ ତାହାଙ୍କ ସାକ୍ଷାତରେ ବ୍ୟାକୁଳ ହେଉଅଛି; ମୁଁ ବିବେଚନା କଲେ, ତାହାଙ୍କ ସକାଶେ ଭୀତ ହେଉଅଛି। 16କାରଣ ପରମେଶ୍ୱର ମୋ’ ହୃଦୟକୁ କ୍ଷୀଣ କରିଅଛନ୍ତି ଓ ସର୍ବଶକ୍ତିମାନ ମୋତେ ବ୍ୟାକୁଳ କରିଅଛନ୍ତି; 17ଯେଣୁ ମୁଁ ଅନ୍ଧକାର ପୂର୍ବରୁ ଉଚ୍ଛିନ୍ନ ନୋହିଲି, କିଅବା ସେ ମୋ’ ମୁଖରୁ ନିବିଡ଼ ଅନ୍ଧକାର ଆଚ୍ଛନ୍ନ କଲେ ନାହିଁ।
241କାହିଁକି ସର୍ବଶକ୍ତିମାନଙ୍କ ଦ୍ୱାରା ସମୟ ନିରୂପିତ ହୋଇ ନାହିଁ ଓ ତାହାଙ୍କୁ ଜାଣିବା ଲୋକମାନେ କାହିଁକି ତାହାଙ୍କ ଦିନ ଦେଖନ୍ତି ନାହିଁ ? 2କେହି କେହି ଭୂମିର ସୀମାଚିହ୍ନ ଘୁଞ୍ଚାନ୍ତି, ସେମାନେ ବଳରେ ମେଷପଲ ହରଣ କରି ଚରାନ୍ତି। 3ସେମାନେ ପିତୃହୀନର ଗର୍ଦ୍ଦଭ ଅଡ଼ାଇ ନିଅନ୍ତି, ବିଧବାର ଗୋରୁ ବନ୍ଧକ ରୂପେ ନିଅନ୍ତି। 4ସେମାନେ ଦୀନହୀନକୁ ବାଟରୁ ତଡ଼ି ଦିଅନ୍ତି; ଦେଶସ୍ଥ ଦରିଦ୍ରମାନେ ଏକତ୍ର ଲୁଚନ୍ତି। 5ଦେଖ, ସେମାନେ ପ୍ରାନ୍ତରସ୍ଥ ବନ୍ୟ ଗର୍ଦ୍ଦଭ ତୁଲ୍ୟ ଆପଣା ଆପଣା କାର୍ଯ୍ୟରେ ବାହାରି ଯତ୍ନପୂର୍ବକ ଆହାର ଅନ୍ଵେଷଣ କରନ୍ତି; ଅରଣ୍ୟ ସେମାନଙ୍କ ବାଳକଗଣ ନିମନ୍ତେ ଆହାର ଉତ୍ପନ୍ନ କରେ। 6ସେମାନେ କ୍ଷେତ୍ରରେ ଆପଣାମାନଙ୍କ ଖାଦ୍ୟ କାଟନ୍ତି ଓ ଦୁଷ୍ଟର ଦ୍ରାକ୍ଷାକ୍ଷେତ୍ରର ଅବଶିଷ୍ଟ ଫଳ ସାଉଣ୍ଟନ୍ତି। 7ସେମାନେ ସାରାରାତ୍ରି ବସ୍ତ୍ର ବିନା ଉଲଙ୍ଗ ହୋଇ ଶୟନ କରନ୍ତି ଓ ଶୀତକାଳରେ ସେମାନଙ୍କର ଆଚ୍ଛାଦନ ବସ୍ତ୍ର ନ ଥାଏ। 8ସେମାନେ ପର୍ବତରେ ବୃଷ୍ଟିରେ ତିନ୍ତନ୍ତି, ପୁଣି ଆଶ୍ରୟ ଅଭାବରୁ ଶୈଳରେ ଶରଣ ନିଅନ୍ତି। 9କେହି କେହି ପିତୃହୀନକୁ ମାତୃସ୍ତନରୁ ଛଡ଼ାଇ ନିଅନ୍ତି ଓ ଦରିଦ୍ରଠାରୁ ବନ୍ଧକ ନିଅନ୍ତି; 10ଏହେତୁ ସେମାନେ ବସ୍ତ୍ର ବିନା ଉଲଙ୍ଗ ହୋଇ ବୁଲନ୍ତି ଓ କ୍ଷୁଧିତ ହୋଇ ଶସ୍ୟବିଡ଼ା ବହନ୍ତି; 11ସେମାନେ ଏହି ଲୋକମାନଙ୍କ ପ୍ରାଚୀର ଭିତରେ ତୈଳ ପ୍ରସ୍ତୁତ କରନ୍ତି ଓ ସେମାନଙ୍କ ଦ୍ରାକ୍ଷାଯନ୍ତ୍ର ଦଳି ତୃଷିତ ହୁଅନ୍ତି। 12ଜନପୂର୍ଣ୍ଣ ନଗରରୁ ଲୋକେ କାତରୋକ୍ତି କରନ୍ତି, ଆହତ ଲୋକର ପ୍ରାଣ ଡାକ ପକାଏ; ତଥାପି ପରମେଶ୍ୱର ଏହା ଦୋଷ ରୂପେ ଗଣନା କରନ୍ତି ନାହିଁ। 13ସେମାନଙ୍କର କେହି କେହି ଆଲୁଅର ବିଦ୍ରୋହୀ; ତହିଁର ମାର୍ଗ ସେମାନେ ଜାଣନ୍ତି ନାହିଁ, ଅବା ତହିଁର ପଥରେ ରହନ୍ତି ନାହିଁ। 14ହତ୍ୟାକାରୀ ପ୍ରଭାତ ସମୟରେ ଉଠି ଦରିଦ୍ର ଓ ଦୀନହୀନକୁ ବଧ କରେ ଓ ରାତ୍ରିରେ ସେ ଚୋର ପରି ହୁଏ। 15ପାରଦାରିକର ଚକ୍ଷୁ ମଧ୍ୟ ସନ୍ଧ୍ୟାକାଳର ଅପେକ୍ଷା କରି କହେ, କେହି ମୋତେ ଦେଖିବ ନାହିଁ ଓ ସେ ଆପଣା ମୁଖ ଅନ୍ୟ ରୂପ କରେ। 16ସେମାନେ ଅନ୍ଧକାରରେ ଗୃହ ସିନ୍ଧି କରନ୍ତି; ସେମାନେ ଦିନ ବେଳେ ଲୁଚି ରହନ୍ତି, ସେମାନେ ଆଲୁଅ ଜାଣନ୍ତି ନାହିଁ। 17କାରଣ ସେସମସ୍ତଙ୍କ ପ୍ରତି ପ୍ରଭାତ ମୃତ୍ୟୁଚ୍ଛାୟା ପରି ଅଟେ; ସେମାନେ ମୃତ୍ୟୁୁଚ୍ଛାୟାର ଭୟାନକତା ଜାଣନ୍ତି। 18ସେ ଜଳ ଉପରେ ଶୀଘ୍ରଗାମୀ; ଦେଶରେ ସେମାନଙ୍କ ଅଧିକାର ଅଭିଶପ୍ତ ଅଟେ; ସେ ଦ୍ରାକ୍ଷାକ୍ଷେତ୍ରର ପଥ ଆଡ଼କୁ ଫେରେ ନାହିଁ। 19ଯେପରି ଅନାବୃଷ୍ଟି ଓ ଗ୍ରୀଷ୍ମ ହିମଜଳକୁ, ସେପରି ପାତାଳ ପାପୀମାନଙ୍କୁ ନଷ୍ଟ କରେ। 20ଗର୍ଭ ତାହାକୁ ପାସୋରି ଯିବ; କୀଟ ସୁସ୍ୱାଦୁ ଭକ୍ଷ୍ୟ ପରି ତାହାକୁ ଖାଇବ, ସେ ଆଉ ସ୍ମରଣ କରାଯିବ ନାହିଁ; ପୁଣି, ଅଧର୍ମ ବୃକ୍ଷ ପରି ଭଙ୍ଗା ଯିବ। 21ସେ ନିଃସନ୍ତାନା ବନ୍ଧ୍ୟାକୁ ଗ୍ରାସ କରେ ଓ ବିଧବାର ମଙ୍ଗଳ କରେ ନାହିଁ। 22ସେ ଆପଣା ଶକ୍ତିରେ ବିକ୍ରମୀ ଲୋକକୁ ମଧ୍ୟ ଟାଣି ପକାଏ, ସେ ଉଠିଲେ କାହାରି ଜୀବନର ସ୍ଥିରତା ନ ଥାଏ। 23ପରମେଶ୍ୱର ସେମାନଙ୍କୁ ନିରାପଦରେ ରହିବାକୁ ଦିଅନ୍ତି ଓ ସେମାନେ ତହିଁରେ ନିର୍ଭର ରଖନ୍ତି ଓ ତାହାଙ୍କ ଦୃଷ୍ଟି ସେମାନଙ୍କ ମାର୍ଗରେ ଥାଏ। 24ସେମାନେ ଉନ୍ନତ ହୁଅନ୍ତି; ତଥାପି ଅଳ୍ପ କାଳରେ ଅନ୍ତର୍ହିତ ହୁଅନ୍ତି; ହଁ, ସେମାନେ ଅବନତ ହୁଅନ୍ତି, ସେମାନେ ଅନ୍ୟ ସମସ୍ତଙ୍କ ପରି ପଥରୁ ଘେନାଯା’ନ୍ତି, ଆଉ ଶସ୍ୟଶିଁଷାର ଅଗ୍ରଭାଗ ପରି କଟାଯା’ନ୍ତି। 25ପୁଣି, ବର୍ତ୍ତମାନ ଯଦି ଏପରି ନ ହୁଏ, ତେବେ କିଏ ଆମ୍ଭକୁ ମିଥ୍ୟାବାଦୀ ବୋଲି ପ୍ରମାଣ କରିବ ଓ ଆମ୍ଭ କଥାକୁ ନିରର୍ଥକ କରିବ ?”
25ବିଲ୍ଦଦ୍ - ମନୁଷ୍ୟ ପକ୍ଷେ ଧାର୍ମିକ ଓ ଶୁଚି ଅସମ୍ଭବ
1ଏଥିରେ ଶୂହୀୟ ବିଲ୍ଦଦ୍ ଉତ୍ତର କରି କହିଲା, 2“ପ୍ରଭୁତ୍ୱ ଓ ଭୟ ତାହାଙ୍କଠାରେ ଥାଏ; ସେ ଆପଣା ଉଚ୍ଚସ୍ଥାନରେ ଶାନ୍ତି ସମ୍ପାଦନ କରନ୍ତି। 3ତାହାଙ୍କ ସୈନ୍ୟଦଳର କି କୌଣସି ସଂଖ୍ୟା ଅଛି ? କାହା ଉପରେ ତାହାଙ୍କ ଦୀପ୍ତି ଉଦିତ ନ ହୁଏ ? 4ତେବେ ମନୁଷ୍ୟ କିପରି ପରମେଶ୍ୱରଙ୍କ ଛାମୁରେ ଧାର୍ମିକ ହୋଇ ପାରିବ ? ଅବା ସ୍ତ୍ରୀଜାତ ଲୋକ କିପରି ଶୁଚି ହୋଇ ପାରିବ ? 5ଦେଖ, ତାହାଙ୍କ ଦୃଷ୍ଟିରେ ଚନ୍ଦ୍ର ହିଁ ନିସ୍ତେଜ ଅଟେ ଓ ତାରାଗଣ ନିର୍ମଳ ନୁହଁନ୍ତି; 6ତେବେ କୀଟମାତ୍ର ମନୁଷ୍ୟ କ’ଣ ! ଓ କୃମିମାତ୍ର ମନୁଷ୍ୟ-ସନ୍ତାନ କ’ଣ ?
26ଆୟୁବ - ଈଶ୍ୱରଙ୍କ ମହିମା ଅସୀମ
1ତହିଁରେ ଆୟୁବ ଉତ୍ତର କରି କହିଲା, 2“ତୁମ୍ଭେ କିପରି ବଳହୀନ ଲୋକର ସାହାଯ୍ୟ କରିଅଛ ! ତୁମ୍ଭେ କିପରି ଦୁର୍ବଳ ବାହୁକୁ ଉଦ୍ଧାର କରିଅଛ ! 3ତୁମ୍ଭେ କିପରି ଜ୍ଞାନହୀନ ଲୋକକୁ ପରାମର୍ଶ ଦେଇଅଛ ଓ ପ୍ରଚୁର ରୂପେ ବିଜ୍ଞତା ପ୍ରକାଶ କରିଅଛ !” 4ତୁମ୍ଭେ କାହାକୁ କଥା କହୁଅଛ ? ତୁମ୍ଭଠାରୁ କାହାର ଆତ୍ମା ନିର୍ଗତ ହେଲା ? 5ବିଲ୍ଦଦ୍ ଉତ୍ତର କରି କହିଲା, ପ୍ରେତଗଣ, ଜଳରାଶି ଓ ତନ୍ନିବାସୀଗଣ ତଳେ କମ୍ପିତ ହୁଅନ୍ତି। 6ତାହାଙ୍କ ସମ୍ମୁଖରେ ପାତାଳ ଅନାବୃତ ଓ ବିନାଶ ସ୍ଥାନର26:6 ବିନାଶ ସ୍ଥାନର ଏବ୍ରୀରେ ଅବଦ୍ଦୋନ୍ର କୌଣସି ଆବରଣ ନାହିଁ। 7ସେ ଶୂନ୍ୟ ଉପରେ ଉତ୍ତର-କେନ୍ଦ୍ର ପ୍ରସାରନ୍ତି ଓ ଅବସ୍ତୁ ଉପରେ ପୃଥିବୀକୁ ଝୁଲାନ୍ତି। 8ସେ ଆପଣା ନିବିଡ଼ ମେଘମାଳରେ ଜଳରାଶିକୁ ବାନ୍ଧନ୍ତି ଓ ତହିଁ ତଳେ ମେଘ ଚିରି ଯାଏ ନାହିଁ। 9ସେ ଆପଣା ସିଂହାସନର26:9 ସିଂହାସନର କିମ୍ବା ଚନ୍ଦ୍ରର ମୁଖ ବନ୍ଦ କରନ୍ତି ଓ ତହିଁ ଉପରେ ଆପଣା ମେଘ ବିସ୍ତୀର୍ଣ୍ଣ କରନ୍ତି। 10ସେ ଦୀପ୍ତି ଓ ଅନ୍ଧକାରର ପ୍ରାନ୍ତ ପର୍ଯ୍ୟନ୍ତ ଜଳରାଶି ଉପରେ ସୀମା ନିର୍ଣ୍ଣୟ କରିଅଛନ୍ତି। 11ଆକାଶମଣ୍ଡଳର ସ୍ତମ୍ଭସକଳ ତାହାଙ୍କ ଅନୁଯୋଗରେ କମ୍ପିତ ଓ ଚମତ୍କୃତ ହୁଅନ୍ତି। 12ସେ ଆପଣା ପରାକ୍ରମରେ ସମୁଦ୍ରକୁ ମନ୍ଥନ କରନ୍ତି ଓ ଆପଣା ବୁଦ୍ଧିରେ ରାହବକୁ ବିଦ୍ଧ କରନ୍ତି। 13ତାହାଙ୍କ ଶ୍ୱାସ ଦ୍ୱାରା ଆକାଶମଣ୍ଡଳ ସୁଶୋଭିତ ହୁଏ; ତାହାଙ୍କ ହସ୍ତ ଶୀଘ୍ରଗାମୀ ନାଗକୁ ବିଦ୍ଧ କରିଅଛି। 14ଦେଖ, ଏହିସବୁ ତାହାଙ୍କ ମାର୍ଗର ପ୍ରାନ୍ତଭାଗ ମାତ୍ର; ଆଉ, ତାହାଙ୍କ ବିଷୟରେ ଆମ୍ଭେମାନେ କେଡ଼େ ଈଷତ୍ କ୍ଷୀଣ ସ୍ୱର ଶୁଣୁଥାଉ ! ମାତ୍ର ତାହାଙ୍କ ପରାକ୍ରମର ଗର୍ଜ୍ଜନ କିଏ ବୁଝିପାରେ ?”
27ଆୟୁବ - ମୋହର ସତ୍ୟତା ରଖିବି
1ଏଥିଉତ୍ତାରେ ଆୟୁବ ପୁନର୍ବାର ଆପଣା ପ୍ରସଙ୍ଗ ଧରି କହିଲା, 2“ପରମେଶ୍ୱର, ଯେ ମୋହର ସ୍ୱତ୍ୱ ହରଣ କରିଅଛନ୍ତି; ସର୍ବଶକ୍ତିମାନ, ଯେ ମୋହର ପ୍ରାଣକୁ ତିକ୍ତ କରିଅଛନ୍ତି; 3(କାରଣ ଏବେ ହେଁ ମୋର ଜୀବନ ମୋ’ ମଧ୍ୟରେ ସୁସ୍ଥ ଅଛି ଓ ମୋ’ ନାସିକାରେ ପରମେଶ୍ୱର ଦତ୍ତ ନିଶ୍ୱାସ ଅଛି;) ସେ ଜୀବିତ ଥିବା ପ୍ରମାଣେ, 4ନିଶ୍ଚୟ ମୋ’ ଓଷ୍ଠାଧର ଅଧର୍ମର କଥା କହିବ ନାହିଁ ଓ ମୋହର ଜିହ୍ୱା ପ୍ରତାରଣାର କଥା ଉଚ୍ଚାରଣ କରିବ ନାହିଁ। 5ମୁଁ ଯେ ତୁମ୍ଭମାନଙ୍କୁ ନିର୍ଦ୍ଦୋଷ କରିବି, ଏହା କଦାପି ନ ହେଉ; ମୁଁ ମରଣ ପର୍ଯ୍ୟନ୍ତ ମୋହର ସରଳତା ଆପଣାଠାରୁ ଦୂର କରିବି ନାହିଁ। 6ମୁଁ ଆପଣା ଧାର୍ମିକତା ଦୃଢ଼ କରି ଧରୁଅଛି, ଆଉ ତାହା ଛାଡ଼ିବି ନାହିଁ; ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ମୋ’ ଅନ୍ତଃକରଣ ମୋତେ ନିନ୍ଦା କରିବ ନାହିଁ। 7ମୋହର ଶତ୍ରୁ ଦୁଷ୍ଟର ପରି ହେଉ ଓ ମୋ’ ପ୍ରତିକୂଳରେ ଉଠିବା ଲୋକ ଅଧାର୍ମିକ ତୁଲ୍ୟ ହେଉ। 8କାରଣ ଭକ୍ତିହୀନ ଲାଭ ପ୍ରାପ୍ତ ହେଲେ ହେଁ, ପରମେଶ୍ୱର ତାହାର ପ୍ରାଣ ହରଣ କଲେ, ତାହାର ପ୍ରତ୍ୟାଶା କଅଣ ? 9ତାହା ଉପରେ ଦୁଃଖ ଉପସ୍ଥିତ ହେଲେ କି ପରମେଶ୍ୱର ତାହାର କ୍ରନ୍ଦନ ଶୁଣିବେ ? 10ସେ କି ସର୍ବଶକ୍ତିମାନ ପରମେଶ୍ଵରଙ୍କଠାରେ ଆନନ୍ଦ କରିବ ଓ ସବୁ ସମୟରେ ପରମେଶ୍ୱରଙ୍କୁ ଡାକିବ ? 11ମୁଁ ପରମେଶ୍ୱରଙ୍କ ହସ୍ତ ବିଷୟରେ ତୁମ୍ଭମାନଙ୍କୁ ଶିକ୍ଷା ଦେବି; ଯାହା ସର୍ବଶକ୍ତିମାନଙ୍କଠାରେ ଅଛି, ତାହା ମୁଁ ଗୋପନ କରିବି ନାହିଁ। 12ଦେଖ, ତୁମ୍ଭେ ସମସ୍ତେ ନିଜେ ତାହା ଦେଖିଅଛ; ତେବେ କାହିଁକି ତୁମ୍ଭେମାନେ ସମ୍ପୂର୍ଣ୍ଣ ଅସାର ହୋଇଅଛ ? 13ପରମେଶ୍ୱରଙ୍କ ନିକଟରେ ଦୁଷ୍ଟଲୋକର ଏହି ବାଣ୍ଟ ଓ ଉପଦ୍ରବୀମାନେ ସର୍ବଶକ୍ତିମାନଙ୍କଠାରୁ ଏହି ଅଧିକାର ପ୍ରାପ୍ତ ହୁଅନ୍ତି। 14ଯେବେ ତାହାର ସନ୍ତାନଗଣ ବୃଦ୍ଧି ପାଆନ୍ତି, ତେବେ ଖଡ୍ଗ ନିମନ୍ତେ ଓ ତାହାର ସନ୍ତାନସନ୍ତତି ଭକ୍ଷ୍ୟରେ ତୃପ୍ତ ହେବେ ନାହିଁ। 15ତାହାର ଅବଶିଷ୍ଟ ଲୋକମାନେ ମୃତ୍ୟୁୁରେ କବରସ୍ଥ ହେବେ ଓ ସେମାନଙ୍କର27:15 ସେମାନଙ୍କର କିମ୍ବା ତାହାର ବିଧବାମାନେ କିଛି ବିଳାପ କରିବେ ନାହିଁ। 16ଯଦ୍ୟପି ସେ ଧୂଳି ପରି ରୂପା ଗଦା କରେ ଓ କର୍ଦ୍ଦମ ପରି ବସ୍ତ୍ର ପ୍ରସ୍ତୁତ କରେ, 17ସେ ତାହା କରିପାରେ, ତଥାପି ଧାର୍ମିକ ଲୋକେ ତାହା ପରିଧାନ କରିବେ ଓ ନିର୍ଦ୍ଦୋଷ ଲୋକେ ରୂପା ବିଭାଗ କରି ନେବେ। 18ସେ କୀଟ ପରି ଓ ଜଗୁଆଳିର କୃତ କୁଟୀର ପରି ଆପଣା ଗୃହ ନିର୍ମାଣ କରେ। 19ସେ ଧନୀ ହୋଇ ଶୟନ କରେ, ମାତ୍ର ସେ ସଂଗୃହୀତ ହେବ ନାହିଁ; ସେ ଆପଣା ଚକ୍ଷୁ ଫିଟାଏ, ଆଉ ସେ ନ ଥାଏ। 20ଜଳରାଶି ପରି ତାହାକୁ ଭୟ ଆକ୍ରମଣ କରେ; ରାତ୍ରିରେ ତୋଫାନ ତାହାକୁ ଅପହରଣ କରି ନିଏ। 21ପୂର୍ବୀୟ ବାୟୁ ତାହାକୁ ଉଡ଼ାଇ ନିଏ ଓ ସେ ଚାଲିଯାଏ ଓ ସେ ତାହାକୁ ସ୍ୱସ୍ଥାନରୁ ଝାଡ଼ି ନିଏ। 22କାରଣ ପରମେଶ୍ୱର ଦୟା ନ କରି ତାହା ପ୍ରତି ତୀର ନିକ୍ଷେପ କରିବେ; ସେ ତାହାଙ୍କ ହସ୍ତରୁ ପଳାଇବାକୁ ଇଚ୍ଛା କରିବ। 23ଲୋକମାନେ ତାହା ପ୍ରତି ହାତତାଳି ମାରିବେ ଓ ଶୀଷ୍ ମାରି ତାହାକୁ ସ୍ୱସ୍ଥାନରୁ ଦୂର କରିବେ।
28ଆୟୁବ - ଜ୍ଞାନର ଅବସ୍ଥିତି କେଉଁଠାରେ ?
1ନିଶ୍ଚୟ ରୂପାର ଆକର ଅଛି ଓ ଲୋକମାନେ ଯେଉଁ ସୁବର୍ଣ୍ଣ ପରିଷ୍କାର କରନ୍ତି, ତହିଁର ସ୍ଥାନ ଅଛି। 2ମୃତ୍ତିକାରୁ ଲୁହା କଢ଼ାଯାଏ ଓ ଧାତୁ ପ୍ରସ୍ତରରୁ ପିତ୍ତଳ ତରଳାଯାଏ। 3ମନୁଷ୍ୟ ଅନ୍ଧକାରର ସୀମା ନିର୍ଣ୍ଣୟ କରେ ଓ ପ୍ରାନ୍ତସୀମା ପର୍ଯ୍ୟନ୍ତ ନିବିଡ଼ ଅନ୍ଧକାର ଓ ମୃତ୍ୟୁୁଚ୍ଛାୟାସ୍ଥିତ ପ୍ରସ୍ତରସବୁ ଅନୁସନ୍ଧାନ କରେ। 4ସେ ମନୁଷ୍ୟମାନଙ୍କ ପ୍ରବାସ-ସ୍ଥାନରୁ ଦୂରରେ ସୁଡ଼ଙ୍ଗ ଖୋଳେ; ସେମାନେ ନିକଟଗାମୀ ଚରଣ ଦ୍ୱାରା ବିସ୍ମୃତ ହୁଅନ୍ତି; ସେମାନେ ମନୁଷ୍ୟମାନଙ୍କଠାରୁ ଦୂରରେ ଝୁଲନ୍ତି, ସେମାନେ ଏଣେତେଣେ ଦୋହଲନ୍ତି। 5ମୃତ୍ତିକାରୁ ଖାଦ୍ୟ ଉତ୍ପନ୍ନ ହୁଏ ଓ ତହିଁର ଅଧୋଭାଗ ଅଗ୍ନି ଦ୍ୱାରା ଲଣ୍ଡଭଣ୍ଡ ହେଲା ପରି ହୁଏ। 6ତହିଁର ପ୍ରସ୍ତର ନୀଳକାନ୍ତ ମଣିର ସ୍ଥାନ ଓ ତହିଁରେ ସୁବର୍ଣ୍ଣ ରେଣୁ ଥାଏ। 7କୌଣସି ଶିକାରୀ ପକ୍ଷୀ ସେହି ପଥ ଜାଣେ ନାହିଁ, କିଅବା ବାଜପକ୍ଷୀର ଚକ୍ଷୁ ହିଁ ତାହା ଦେଖି ନାହିଁ; 8ଦର୍ପୀ ପଶୁଗଣ ତହିଁରେ ଗତାୟାତ କରି ନାହାନ୍ତି, ଅବା ଭୟାନକ ସିଂହ ତହିଁ ନିକଟ ଦେଇ ଯାଇ ନାହିଁ। 9ମନୁଷ୍ୟ ଦୃଢ଼ ଶୈଳ ଉପରେ ଆପଣା ହାତ ଦିଏ; ସେ ପର୍ବତଗଣକୁ ସମୂଳେ ଓଲ୍ଟାଇ ପକାଏ। 10ସେ ଶୈଳ ମଧ୍ୟରେ ନାଳ କାଟେ ଓ ତାହାର ଚକ୍ଷୁ ସର୍ବପ୍ରକାର ବହୁମୂଲ୍ୟ ଦ୍ରବ୍ୟ ଦେଖେ। 11ନ ଝରିବା ପାଇଁ ସେ ଜଳସ୍ରୋତ ବନ୍ଦ କରେ; ଆଉ, ସେ ଆଲୁଅକୁ ଗୁପ୍ତ ଦ୍ରବ୍ୟ ଆଣେ। 12ମାତ୍ର ଜ୍ଞାନ କେଉଁଠାରେ ପ୍ରାପ୍ତ ହୁଏ ? ଓ ବୁଦ୍ଧିର ସ୍ଥାନ କାହିଁ ? 13ମନୁଷ୍ୟ ତହିଁର ମୂଲ୍ୟ ଜାଣେ ନାହିଁ; କିଅବା ଜୀବିତମାନଙ୍କ ଦେଶରେ ତାହା ମିଳେ ନାହିଁ। 14ବାରିଧି କହେ, ତାହା ମୋ’ଠାରେ ନାହିଁ; ପୁଣି, ସମୁଦ୍ର କହେ, ତାହା ମୋ’ଠାରେ ନାହିଁ। 15ସୁବର୍ଣ୍ଣ ଦ୍ୱାରା ତାହା ପ୍ରାପ୍ତ ହୋଇ ନ ପାରେ, କିଅବା ତହିଁର ମୂଲ୍ୟାର୍ଥେ ରୂପା ତୌଲା ଯିବ ନାହିଁ। 16ଓଫୀରର ସୁବର୍ଣ୍ଣ ଦ୍ୱାରା ତହିଁର ମୂଲ୍ୟ କରାଯାଇ ନ ପାରେ, ବହୁମୂଲ୍ୟ ଗୋମେଦକ ଅବା ନୀଳକାନ୍ତ ମଣି ଦ୍ୱାରା ନୁହେଁ। 17ସ୍ୱର୍ଣ୍ଣ ଓ କାଚ ତହିଁର ସମାନ ହୋଇ ନ ପାରେ; କିଅବା ଶୁଦ୍ଧ ସ୍ୱର୍ଣ୍ଣାଭରଣ ତହିଁର ପରିବର୍ତ୍ତ ହେବ ନାହିଁ। 18ତହିଁ ନିକଟରେ ପ୍ରବାଳ ଓ ସ୍ପଟିକର କଥା କୁହାଯାଏ ନାହିଁ; କାରଣ ପଦ୍ମରାଗ ମଣି ଅପେକ୍ଷା ଜ୍ଞାନର ମୂଲ୍ୟ ଅଧିକ। 19କୂଶଦେଶୀୟ ପୀତମଣି ତହିଁର ସମାନ ହେବ ନାହିଁ, କିଅବା ନିର୍ମଳ ସୁବର୍ଣ୍ଣରେ ତହିଁର ମୂଲ୍ୟ କରାଯିବ ନାହିଁ। 20ତେବେ ଜ୍ଞାନ କେଉଁଠାରୁ ଆସେ ? ଓ ବୁଦ୍ଧିର ସ୍ଥାନ କାହିଁ ? 21ତାହା ତ ସମସ୍ତ ପ୍ରାଣୀଙ୍କ ଚକ୍ଷୁରୁ ଗୁପ୍ତ ଓ ଆକାଶର ପକ୍ଷୀମାନଙ୍କଠାରୁ ଆବୃତ କରାଯାଇଅଛି। 22ବିନାଶ ଓ ମୃତ୍ୟୁୁ କହନ୍ତି, ଆମ୍ଭେମାନେ ସ୍ୱକର୍ଣ୍ଣରେ ତହିଁର ଜନରବ ଶୁଣିଅଛୁ। 23ପରମେଶ୍ୱର ତହିଁର ପଥ ଜାଣନ୍ତି ଓ ସେ ତହିଁର ସ୍ଥାନ ଜ୍ଞାତ ଅଛନ୍ତି। 24କାରଣ ସେ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଅନାଇ ଓ ସମୁଦାୟ ଆକାଶମଣ୍ଡଳର ଅଧଃସ୍ଥାନ ଦେଖି 25ବାୟୁର ଓଜନ ନିରୂପଣ କରନ୍ତି ଓ ପରିମାଣ ଦ୍ୱାରା ଜଳ ପରିମିତ କରନ୍ତି। 26ଯେତେବେଳେ ସେ ବୃଷ୍ଟିର ନିୟମ ନିରୂପଣ କଲେ ଓ ମେଘଗର୍ଜ୍ଜନର ବିଦ୍ୟୁତ ପାଇଁ ପଥ ସ୍ଥିର କଲେ; 27ସେତେବେଳେ ସେ ତାହା ଦେଖିଲେ ଓ ତାହା ପ୍ରଚାର କଲେ; ସେ ତାହା ସ୍ଥାପନ କଲେ, ଆଉ ତହିଁର ତଦନ୍ତ କଲେ। 28ପୁଣି, ସେ ମନୁଷ୍ୟକୁ କହିଲେ, ‘ଦେଖ, ପ୍ରଭୁ ବିଷୟକ ଭୟ ହିଁ ଜ୍ଞାନ ଓ କୁକ୍ରିୟା ତ୍ୟାଗ ହିଁ ବୁଦ୍ଧି।’”
29ଆୟୁବଙ୍କ ଶେଷ ଅଭିଯୋଗ
1ଏଥିଉତ୍ତାରେ ଆୟୁବ ପୁନର୍ବାର ଆପଣା ପ୍ରସଙ୍ଗ ଧରି କହିଲା, 2“ଆହା, ମୁଁ ପୂର୍ବବର୍ତ୍ତୀ ମାସସବୁରେ, ପରମେଶ୍ୱର ମୋତେ ଜଗି ରଖିଥିବା ଦିନସମୂହରେ ଯେପରି ଥିଲି, ସେପରି ଯେବେ ଥା’ନ୍ତି; 3ସେତେବେଳେ ତାହାଙ୍କ ପ୍ରଦୀପ ମୋ’ ମସ୍ତକ ଉପରେ ଆଲୁଅ ଦେଲା ଓ ମୁଁ ତାହାଙ୍କ ଦୀପ୍ତିରେ ଅନ୍ଧକାର ଦେଇ ଗମନ କଲି; 4ମୁଁ ଉତ୍ତମ ଅବସ୍ଥାରେ ଥିଲି, ସେତେବେଳେ ମୋ’ ତମ୍ବୁ ଉପରେ ପରମେଶ୍ୱରଙ୍କର ଗୁପ୍ତ ବିଷୟ ଥିଲା; 5ସେତେବେଳେ ସର୍ବଶକ୍ତିମାନ ପରମେଶ୍ଵର ମୋ’ ସଙ୍ଗରେ ଥିଲେ ଓ ମୋହର ସନ୍ତାନଗଣ ମୋ’ ଚତୁଃପାର୍ଶ୍ୱରେ ଥିଲେ; 6ସେତେବେଳେ ମୋହର ଚରଣ ଦୁଗ୍ଧରେ ଧୌତ ହେଲା ଓ ଶୈଳ ମୋ’ ପାଇଁ ତୈଳ-ନଦୀ ବହାଇଲା। 7ମୁଁ ନଗର-ଦ୍ୱାରକୁ ଯାଇ ଛକସ୍ଥାନରେ ଆପଣା ଆସନ ପ୍ରସ୍ତୁତ କଲେ, 8ଯୁବା ଲୋକମାନେ ମୋତେ ଦେଖି ଲୁଚିଲେ ଓ ବୃଦ୍ଧ ଲୋକମାନେ ଉଠି ଠିଆ ହେଲେ। 9ଅଧିପତିମାନେ କଥାବାର୍ତ୍ତା କରିବାରୁ ନିବୃତ୍ତ ହେଲେ ଓ ଆପଣା ଆପଣା ମୁଖରେ ହାତ ଦେଲେ; 10କୁଳୀନମାନଙ୍କ ରବ ନିରସ୍ତ ହେଲା ଓ ସେମାନଙ୍କ ଜିହ୍ୱା ସେମାନଙ୍କ ମୁଖର ତାଳୁକାରେ ଲାଗି ରହିଲା। 11କାରଣ କର୍ଣ୍ଣ ମୋ’ କଥା ଶୁଣନ୍ତେ, ମୋତେ କଲ୍ୟାଣ କଲା ଓ ଚକ୍ଷୁ ମୋତେ ଦେଖନ୍ତେ, ମୋ’ ପକ୍ଷରେ ସାକ୍ଷ୍ୟ ଦେଲା; 12ଯେହେତୁ ମୁଁ ଆର୍ତ୍ତନାଦକାରୀ ଦରିଦ୍ରକୁ, ମଧ୍ୟ ଅସହାୟ ପିତୃହୀନକୁ ଉଦ୍ଧାର କଲି। 13ନଷ୍ଟକଳ୍ପ ଲୋକର କଲ୍ୟାଣ ମୋ’ ଉପରେ ବର୍ତ୍ତିଲା ଓ ମୁଁ ବିଧବାର ହୃଦୟକୁ ଆନନ୍ଦରେ ଗାନ କରାଇଲି। 14ମୁଁ ଧାର୍ମିକତା ପରିଧାନ କଲି ଓ ତାହା ମୋତେ ପରିଧାନ କଲା; ମୋହର ନ୍ୟାୟ ଆବରଣ-ବସ୍ତ୍ର ଓ ମୁକୁଟ ସ୍ୱରୂପ ଥିଲା। 15ମୁଁ ଅନ୍ଧ ପ୍ରତି ଚକ୍ଷୁ ସ୍ୱରୂପ ଓ ଛୋଟା ପ୍ରତି ଚରଣ ସ୍ୱରୂପ ଥିଲି। 16ମୁଁ ଦୀନହୀନ ପ୍ରତି ପିତା ସ୍ୱରୂପ ଥିଲି ଓ ମୋ’ ଅଜ୍ଞାତ ଲୋକର ଗୁହାରି ମୁଁ ତଦନ୍ତ କଲି। 17ଆଉ, ମୁଁ ଅଧାର୍ମିକର କଳପାଟି ଭାଙ୍ଗି ପକାଇଲି ଓ ତାହାର ଦନ୍ତରୁ ଶିକାର ଛଡ଼ାଇ ନେଲି। 18ସେହି ସମୟରେ ମୁଁ କହିଲି, ମୁଁ ଆପଣା ବସାରେ ମରିବି ଓ ମୁଁ ବାଲୁକା ପରି ଆପଣା ଦିନ ବୃଦ୍ଧି କରିବି; 19ମୋହର ଚେର ଜଳ ପର୍ଯ୍ୟନ୍ତ ପ୍ରସାରିତ ହୋଇଅଛି ଓ ମୋହର ଶାଖା ଉପରେ ରାତ୍ରିସାରା କାକର ଥାଏ; 20ମୋହର ଗୌରବ ମୋ’ଠାରେ ସତେଜ ଥାଏ ଓ ମୋ’ ଧନୁ ମୋ’ ହସ୍ତରେ ନୂତନୀକୃତ ହୁଏ। 21ଲୋକମାନେ ମୋ’ ଆଡ଼େ କର୍ଣ୍ଣ ଦେଇ ଅପେକ୍ଷା କଲେ ଓ ମୋହର ପରାମର୍ଶ ପାଇଁ ନୀରବ ରହିଲେ। 22ମୋ’ କଥା ଉତ୍ତାରେ ସେମାନେ ଆଉ କଥା କହିଲେ ନାହିଁ; ପୁଣି, ମୋ’ କଥା ସେମାନଙ୍କ ଉପରେ ଟୋପା ଟୋପା ହୋଇ ପଡ଼ିଲା। 23ଆଉ, ଯେପରି ବୃଷ୍ଟି ପାଇଁ, ସେପରି ସେମାନେ ମୋ’ ପାଇଁ ଅପେକ୍ଷା କଲେ ଓ ଯେପରି ଶେଷବୃଷ୍ଟି ପାଇଁ, ସେପରି ସେମାନେ ଆପଣା ଆପଣା ମୁଖ ପ୍ରଶସ୍ତ କରି ମେଲା କଲେ। 24ମୁଁ ସେମାନଙ୍କ ପ୍ରତି ହସିଲେ ସେମାନେ ବିଶ୍ୱାସ କଲେ ନାହିଁ ଓ ମୋ’ ମୁଖର ତେଜ ନିସ୍ତେଜ କଲେ ନାହିଁ। 25ମୁଁ ସେମାନଙ୍କ ପଥ ମନୋନୀତ କରି ପ୍ରଧାନ ହୋଇ ବସିଲି ଓ ସୈନ୍ୟଦଳ ମଧ୍ୟରେ ରାଜା ପରି ଓ ଶୋକାର୍ତ୍ତମାନଙ୍କର ସାନ୍ତ୍ୱନାକାରୀ ପରି ବାସ କଲି।
30ମାତ୍ର ଏବେ ମୋ’ ଅପେକ୍ଷା ଅଳ୍ପବୟସ୍କ
1ଲୋକମାନେ ମୋତେ ପରିହାସ କରନ୍ତି, ସେମାନଙ୍କ ପିତୃଗଣକୁ ମୁଁ ଆପଣା ପଲରକ୍ଷକ କୁକ୍କୁରମାନଙ୍କ ସଙ୍ଗେ ରଖିବାକୁ ତୁଚ୍ଛ କଲି। 2ସେମାନଙ୍କ ବାହୁବଳରେ ମୋହର କି ଲାଭ ହୋଇ ପାରେ ? ସେମାନଙ୍କର ଯୌବନାବସ୍ଥା ନଷ୍ଟ ହୋଇଅଛି। 3ସେମାନେ ଦରିଦ୍ରତା ଓ ଦୁର୍ଭିକ୍ଷ ସକାଶୁ କ୍ଷୀଣ ହୋଇଅଛନ୍ତି; ସେମାନେ ଘୋର ଉତ୍ସନ୍ନତା ଓ ଶୂନ୍ୟତାରେ ଶୁଷ୍କ ଭୂମି ଚର୍ବଣ କରନ୍ତି। 4ସେମାନେ ବୁଦା ନିକଟରୁ ବିସ୍ୱାଦୁ ଶାକ ଛିଣ୍ଡାନ୍ତି ଓ ରେତମବୃକ୍ଷର ମୂଳ ସେମାନଙ୍କର ଆହାର। 5ସେମାନେ ମନୁଷ୍ୟମାନଙ୍କ ମଧ୍ୟରୁ ତାଡ଼ିତ ହୋଇଅଛନ୍ତି; ଲୋକେ ଯେପରି ଚୋର ପଛରେ, ସେହିପରି ସେମାନଙ୍କ ପଛରେ ଡାକ ପକାନ୍ତି। 6ସେମାନେ ଉପତ୍ୟକାର ବିଦୀର୍ଣ୍ଣ ସ୍ଥାନରେ, ପୃଥିବୀର ଓ ଶୈଳର ଗର୍ତ୍ତରେ ବାସ କରିବେ। 7ସେମାନେ ବୁଦା ମଧ୍ୟରେ ଗଧ ପରି ବୋବାନ୍ତି; ସେମାନେ ବିଛୁଆତି ବନରେ ରୁଣ୍ଡ ହୁଅନ୍ତି। 8ସେମାନେ ମୂର୍ଖମାନଙ୍କର ସନ୍ତାନ, ସେମାନେ ଇତର ଲୋକଙ୍କ ସନ୍ତାନ; ସେମାନେ କୋରଡ଼ା ଖାଇ ଦେଶରୁ ତଡ଼ା ଯାଇଥିଲେ। 9ମାତ୍ର ଏବେ ମୁଁ ସେମାନଙ୍କର ଗୀତ ସ୍ୱରୂପ ହୋଇଅଛି; ହଁ, ମୁଁ ସେମାନଙ୍କର ଗଳ୍ପ ସ୍ୱରୂପ ହୋଇଅଛି। 10ସେମାନେ ମୋତେ ଘୃଣା କରନ୍ତି, ସେମାନେ ମୋ’ଠାରୁ ଦୂରରେ ଠିଆ ହୁଅନ୍ତି ଓ ମୋ’ ମୁଖରେ ଛେପ ପକାଇବାକୁ ଡରନ୍ତି ନାହିଁ। 11କାରଣ ସେ ଆପଣା ରଜ୍ଜୁ ଫିଟାଇ ମୋତେ କ୍ଳେଶ ଦେଇଅଛନ୍ତି, ଏଣୁ ସେମାନେ ମୋ’ ସାକ୍ଷାତରେ ଲଗାମ ପକାଇ ଦେଇଅଛନ୍ତି। 12ଇତର ଲୋକମାନେ ମୋ’ ଡାହାଣରେ ଉଠନ୍ତି; ସେମାନେ ମୋ’ ଚରଣ ଘୁଞ୍ଚାଇ ଦିଅନ୍ତି ଓ ସେମାନେ ମୋ’ ବିରୁଦ୍ଧରେ ବିନାଶର ମାର୍ଗ ପ୍ରସ୍ତୁତ କରନ୍ତି। 13ସେମାନେ ମୋର ପଥ ବିଗାଡ଼ନ୍ତି, ସେମାନେ ମୋ’ ବିପଦକୁ ଅଗ୍ରସର କରନ୍ତି, ଅନ୍ୟର ସହାୟ ବିନା ହିଁ ସେମାନେ ତାହା କରନ୍ତି। 14ସେମାନେ ପ୍ରଶସ୍ତ ଭଗ୍ନ-ସ୍ଥାନ ଦେଇ ଆସିଲା ପରି ଆସନ୍ତି; ଉଜାଡ଼ ମଧ୍ୟରେ ସେମାନେ ମୋ’ ଉପରେ ଗଡ଼ନ୍ତି। 15ନାନା ପ୍ରକାର ତ୍ରାସ ମୋତେ ଆକ୍ରମଣ କରିଅଛି, ତାହାସବୁ ବାୟୁ ପରି ମୋହର ସମ୍ଭ୍ରମ ଘଉଡ଼ାନ୍ତି ଓ ମୋହର ମଙ୍ଗଳ ମେଘ ପରି ବହି ଯାଇଅଛି। 16ପୁଣି, ଏବେ ମୋର ପ୍ରାଣ ମୋ’ ଅନ୍ତରରେ ତରଳିଯାଏ; କ୍ଳେଶର ଦିନସବୁ ମୋତେ ଆକ୍ରାନ୍ତ କରିଅଛି। 17ରାତ୍ରିକାଳରେ ମୋହର ଅସ୍ଥିସବୁ ମୋ’ ଭିତରେ ବିଦ୍ଧ ହୁଏ ଓ ମୋତେ କାମୁଡ଼ିବା ବେଦନାସବୁ ବିଶ୍ରାମ ନିଅନ୍ତି ନାହିଁ। 18ମୋ’ ରୋଗର ପ୍ରବଳ ଶକ୍ତିରେ ମୋ’ ବସ୍ତ୍ର ବିକୃତ ହୋଇଅଛି; ତାହା ମୋ’ ଜାମାର ଗଳାପଟି ପରି ମୋତେ ଚାରିଆଡ଼େ ବାନ୍ଧେ। 19ସେ ମୋତେ ପଙ୍କରେ ପକାଇ ଦେଇଅଛନ୍ତି, ଆଉ ମୁଁ ଧୂଳି ଓ ଭସ୍ମ ପରି ହୋଇଅଛି। 20ମୁଁ ତୁମ୍ଭକୁ ଡାକ ପକାଉଅଛି, ମାତ୍ର ତୁମ୍ଭେ ମୋତେ ଉତ୍ତର ଦିଅ ନାହିଁ। ମୁଁ ଠିଆ ହେଲେ, ତୁମ୍ଭେ ମୋତେ ଅନାଉଅଛ। 21ତୁମ୍ଭେ ମୋ’ ପ୍ରତି ନିଷ୍ଠୁର ହୋଇ ଯାଇଅଛ; ତୁମ୍ଭେ ଆପଣା ହସ୍ତର ପରାକ୍ରମରେ ମୋତେ ତାଡ଼ନା କରୁଅଛ। 22ତୁମ୍ଭେ ମୋତେ ବାୟୁକୁ ଉଠାଇ ତହିଁ ଉପରେ ମୋତେ ଚଢ଼ାଉଅଛ ଓ ବତାସରେ ତୁମ୍ଭେ ମୋତେ ଲୀନ କରୁଅଛ। 23କାରଣ ମୁଁ ଜାଣେ, ତୁମ୍ଭେ ମୋତେ ମୃତ୍ୟୁୁ ନିକଟକୁ ଓ ସମସ୍ତ ପ୍ରାଣୀ ପାଇଁ ନିରୂପିତ ଗୃହକୁ ଆଣିବ। 24ନିଶ୍ଚୟ ଭଗ୍ନ ଗୃହାଦିର ରାଶି ବିରୁଦ୍ଧରେ ସେ ଆପଣା ହସ୍ତ ବଢ଼ାଇବେ ନାହିଁ; ତଥାପି ଜଣେ ଆପଣା ବିନାଶ ସମୟରେ ଏହିସବୁ ବିଷୟ ସକାଶୁ ଆର୍ତ୍ତନାଦ କରିପାରେ। 25ମୁଁ କି ଦୁଃଖରେ ଥିବା ଲୋକ ପାଇଁ ରୋଦନ କଲି ନାହିଁ ? ଦୀନହୀନ ପାଇଁ କି ମୋହର ପ୍ରାଣ ଦୁଃଖିତ ନୋହିଲା ? 26ମୁଁ ମଙ୍ଗଳ ଅପେକ୍ଷା କରିବା ବେଳେ ଅମଙ୍ଗଳ ଉପସ୍ଥିତ ହେଲା; ପୁଣି, ମୁଁ ଆଲୁଅର ଅପେକ୍ଷା କଲା ବେଳେ ଅନ୍ଧକାର ଆସିଲା। 27ମୋ’ ଅନ୍ତ୍ର ଫୁଟେ, ବିଶ୍ରାମ କରେ ନାହିଁ; ମୋ’ ଉପରେ କ୍ଳେଶର ଦିନସବୁ ଉପସ୍ଥିତ ହୋଇଅଛି। 28ମୁଁ ସୂର୍ଯ୍ୟ ବିନା ମ୍ଳାନ ହୋଇ ବୁଲୁଥାଏ; ମୁଁ ସମାଜରେ ଠିଆ ହୋଇ ସାହାଯ୍ୟ ପାଇଁ ଆର୍ତ୍ତନାଦ କରେ। 29ମୁଁ ଶୃଗାଳମାନଙ୍କର ଭାଇ ଓ ଉଷ୍ଟ୍ରପକ୍ଷୀଙ୍କର ସଙ୍ଗୀ ହୋଇଅଛି। 30ମୋହର ଚର୍ମ କୃଷ୍ଣବର୍ଣ୍ଣ ହୋଇ ମୋ’ଠାରୁ ଝଡ଼ି ପଡ଼ୁଅଛି ଓ ମୋ’ ଅସ୍ଥିସବୁ ଉତ୍ତାପରେ ଦଗ୍ଧ ହେଉଅଛି। 31ତେଣୁ ମୋହର ବୀଣା ଶୋକରେ ଓ ମୋହର ବଂଶୀ କ୍ରନ୍ଦନକାରୀମାନଙ୍କ ସ୍ୱରରେ ପରିଣତ ହୋଇଅଛି।
31ଆୟୁବଙ୍କ ଶେଷ ବିନତି
1ମୁଁ ଆପଣା ଚକ୍ଷୁ ସଙ୍ଗେ ନିୟମ କଲି; ତେବେ ମୁଁ ଯୁବତୀ ପ୍ରତି କିପରି ଅନାଇବି ? 2କାରଣ ଊର୍ଦ୍ଧ୍ୱସ୍ଥ ପରମେଶ୍ୱରଙ୍କଠାରୁ ପ୍ରାପ୍ତ ଅଂଶ କଅଣ ଓ ଉପରିସ୍ଥ ସର୍ବଶକ୍ତିମାନଙ୍କଠାରୁ ପ୍ରାପ୍ତ ଅଧିକାର କଅଣ ? 3ତାହା କି ଅଧାର୍ମିକମାନଙ୍କ ପ୍ରତି ବିପଦ ଓ ଅଧର୍ମାଚାରୀମାନଙ୍କ ପ୍ରତି ଦୁର୍ଗତି ନୁହେଁ ? 4ସେ କି ମୋହର ମାର୍ଗସବୁ ଦେଖନ୍ତି ନାହିଁ ଓ ମୋହର ପାଦଗତି ଗଣନ୍ତି ନାହିଁ ? 5ଯଦି ମୁଁ ଅସାରତାରେ ଗତାୟାତ କରିଥାଏ ଓ ମୋହର ପାଦ ପ୍ରବଞ୍ଚନା-ପଥରେ ବ୍ୟଗ୍ର ହୋଇଥାଏ; 6ତେବେ ମୁଁ ଧର୍ମ ନିକ୍ତିରେ ତୌଲା ଯାଏ, ତହିଁରେ ପରମେଶ୍ୱର ମୋହର ସରଳତା ଜାଣି ପାରିବେ। 7ଯଦି ମୋହର ପାଦ ବିପଥରେ ଯାଇଥାଏ ଓ ମୋହର ଅନ୍ତଃକରଣ ମୋ’ ଚକ୍ଷୁ ଅନୁସାରେ ଚାଲିଥାଏ ଓ ଯଦି ମୋ’ ହସ୍ତରେ କୌଣସି କଳଙ୍କ ଲାଗିଥାଏ; 8ତେବେ ମୁଁ ବୁଣେ ଓ ଅନ୍ୟ ଭୋଗ କରୁ; ମୋ’ କ୍ଷେତ୍ରର ଶସ୍ୟ ମୂଳୋତ୍ପାଟିତ ହେଉ। 9ଯଦି ମୋହର ହୃଦୟ କୌଣସି ସ୍ତ୍ରୀ ପ୍ରତି ଲୁବ୍ଧ ହୋଇଥାଏ ଓ ମୁଁ ଆପଣା ପ୍ରତିବାସୀର ଦ୍ୱାର ନିକଟରେ ଲୁଚି ବସିଥାଏ; 10ତେବେ ମୋ’ ଭାର୍ଯ୍ୟା ଅନ୍ୟର ଚକି ପେଷୁ31:10 ଅନ୍ୟର ଚକି ପେଷୁ ଅର୍ଥାତ୍ ଅନ୍ୟର ଦାସୀ ହେଉ ଓ ଅନ୍ୟମାନେ ତାହାକୁ ଭୋଗ କରନ୍ତୁ। 11କାରଣ ତାହା ଗୁରୁତର ଦୋଷ; ଆଉ, ତାହା ବିଚାରକର୍ତ୍ତୃଗଣ ଦ୍ୱାରା ଦଣ୍ଡନୀୟ ଅପରାଧ; 12କାରଣ ତାହା ସର୍ବନାଶକ ଗ୍ରାସକାରୀ ଅଗ୍ନି ଓ ମୋ’ ସର୍ବସ୍ୱର ମୂଳୋତ୍ପାଟିତ କରନ୍ତା। 13ମୋ’ ଦାସ କି ଦାସୀ ମୋ’ ସଙ୍ଗେ ବିରୋଧ କଲେ, ଯଦି ମୁଁ ସେମାନଙ୍କର ଗୁହାରି ତୁଚ୍ଛ କରିଥାଏ; 14ତେବେ ପରମେଶ୍ୱର ଉଠିଲେ, ମୁଁ କଅଣ କରିବି ? ଓ ସେ ବିଚାର କଲେ, ମୁଁ ତାହାଙ୍କୁ କି ଉତ୍ତର ଦେବି ? 15ଯେ ମୋତେ ଗର୍ଭରେ ନିର୍ମାଣ କଲେ, ସେ କି ତାହାକୁ ନିର୍ମାଣ କଲେ ନାହିଁ ? ଓ ଏକ ବ୍ୟକ୍ତି କି ଗର୍ଭରେ ଆମ୍ଭମାନଙ୍କୁ ଗଢ଼ି ନାହାନ୍ତି ? 16ଯଦି ମୁଁ ଦରିଦ୍ରମାନଙ୍କୁ ସେମାନଙ୍କ ବାଞ୍ଛିତ ବିଷୟରୁ ଅଟକାଇଥାଏ, ଅବା ବିଧବାର ଦୃଷ୍ଟି ମ୍ଳାନ କରିଥାଏ; 17ଅଥବା ଆପଣାର ଖାଦ୍ୟ ଏକା ଖାଇଥାଏ ଓ ପିତୃହୀନ ତହିଁରୁ ଖାଇ ନ ଥାଏ; 18(ମାତ୍ର ପିତା ନିକଟରେ ବଢ଼ିଲା ପରି ସେ ମୋହର ବାଲ୍ୟାବସ୍ଥାରୁ ମୋ’ ନିକଟରେ ବଢ଼ିଲା ଓ ମୋ’ ଜନ୍ମଠାରୁ ମୁଁ ବିଧବାର ପଥଦର୍ଶକ ହୋଇଅଛି।) 19ମୁଁ କାହାକୁ ବସ୍ତ୍ରାଭାବରେ ମୃତକଳ୍ପ, ଅବା ଦୀନହୀନକୁ ଉଲଙ୍ଗ ଦେଖିଲେ, 20ଯଦି ତାହାର କଟିଦେଶ ମୋତେ ଆଶୀର୍ବାଦ କରି ନ ଥାଏ ଓ ସେ ମୋ’ ମେଷଲୋମରେ ଉଷ୍ଣ ହୋଇ ନ ଥାଏ; 21ମୁଁ ନଗର-ଦ୍ୱାରରେ ନିଜ ଉପକାରୀକୁ ଦେଖି ଯଦି ପିତୃହୀନ ବିରୁଦ୍ଧରେ ଆପଣା ହସ୍ତ ଉଠାଇଥାଏ; 22ତେବେ ମୋ’ ସ୍କନ୍ଧ ସନ୍ଧିସ୍ଥାନରୁ ଖସି ପଡ଼ୁ ଓ ମୋ’ ବାହୁ ଅସ୍ଥିରୁ ଭାଙ୍ଗିଯାଉ। 23କାରଣ ପରମେଶ୍ୱରଙ୍କଠାରୁ ବିପଦ ମୋ’ ପ୍ରତି ଭୟାନକ ଥିଲା ଓ ତାହାଙ୍କ ମହତ୍ତ୍ୱ ସକାଶୁ ମୁଁ କିଛି କରି ପାରିଲି ନାହିଁ। 24ଯଦି ମୁଁ ସୁବର୍ଣ୍ଣକୁ ଆଶାଭୂମି କରିଥାଏ ଓ ତୁମ୍ଭେ ମୋହର ଆଶ୍ରୟ ବୋଲି ଶୁଦ୍ଧ ସୁବର୍ଣ୍ଣକୁ କହିଥାଏ; 25ମୋହର ସମ୍ପଦ ଅତିଶୟ ହେବାରୁ ଓ ମୋହର ହସ୍ତ ବହୁତ ଲାଭ କରିବାରୁ ଯଦି ମୁଁ ଆନନ୍ଦ କରିଥାଏ; 26ସୂର୍ଯ୍ୟ ଦୀପ୍ତି ଦେବା ବେଳେ ଓ ଚନ୍ଦ୍ର ଜ୍ୟୋସ୍ନାରେ ଗତି କରିବା ବେଳେ ଯଦି ମୁଁ ତହିଁ ପ୍ରତି ଦୃଷ୍ଟି କରିଥାଏ; 27ପୁଣି, ମୋହର ଅନ୍ତଃକରଣ ଗୋପନରେ ପ୍ରଲୋଭିତ ହୋଇଥାଏ ଓ ମୋ’ ମୁଖ ମୋ’ ହସ୍ତକୁ ଚୁମ୍ବନ କରିଥାଏ; 28ତେବେ ତାହା ହିଁ ବିଚାରକର୍ତ୍ତୃଗଣ ଦ୍ୱାରା ଦଣ୍ଡନୀୟ ଅପରାଧ ହୁଅନ୍ତା; ପୁଣି, ମୁଁ ଊର୍ଦ୍ଧ୍ୱବାସୀ ପରମେଶ୍ୱରଙ୍କ ନିକଟରେ ମିଥ୍ୟାବାଦୀ ହୁଅନ୍ତି। 29ମୋ’ ଘୃଣାକାରୀର ବିନାଶରେ ଯଦି ମୁଁ ଆନନ୍ଦ କରିଥାଏ, ଅବା ଅମଙ୍ଗଳ ତାହାର ଉଦ୍ଦେଶ୍ୟ ପାଇବା ବେଳେ ଦର୍ପ କରିଥାଏ; 30(ମାତ୍ର ମୁଁ ଅଭିଶାପ ଦେଇ ତାହାର ଜୀବନ ମାଗିବା ନିମନ୍ତେ ପାପ କରିବାକୁ ଆପଣା ମୁଖ ଦେଇ ନାହିଁ;) 31ମୋ’ ତମ୍ବୁସ୍ଥିତ ଲୋକେ କି କହି ନ ଥା’ନ୍ତି, ତାହାର ଦତ୍ତ ମାଂସରେ ଯେ ତୃପ୍ତ ହୋଇ ନାହିଁ, ଏପରି ଜଣକୁ କିଏ ପାଇପାରେ ? 32ବିଦେଶୀ ଦାଣ୍ଡରେ ରାତ୍ରି କ୍ଷେପଣ କଲା ନାହିଁ; ମାତ୍ର ମୁଁ ପଥିକ ନିମନ୍ତେ ଦ୍ୱାର ମୁକ୍ତ କଲି; 33ଯଦି ମୁଁ ଆପଣା ବକ୍ଷସ୍ଥଳରେ ନିଜ ଅଧର୍ମ ଗୁପ୍ତ କରିବା ଦ୍ୱାରା ଆଦମ ପରି ଆପଣା ଅପରାଧ ଢାଙ୍କିଥାଏ; 34ମହାଜନତାକୁ ଭୟ କରିବାରୁ ଓ ଗୋଷ୍ଠୀୟମାନଙ୍କ ତୁଚ୍ଛତା ମୋତେ ତ୍ରସ୍ତ କରିବାରୁ ଯଦି ମୁଁ ନୀରବ ହୋଇ ଦ୍ୱାର ବାହାରକୁ ଯାଇ ନ ଥାଏ- 35ଆଃ, କେହି ଯଦି ମୋ’ କଥା ଶୁଣିବାକୁ ଥା’ନ୍ତା ! (ଏହି ଦେଖ ମୋହର ସ୍ୱାକ୍ଷର, ସର୍ବଶକ୍ତିମାନ ପରମେଶ୍ଵର ମୋତେ ଉତ୍ତର ଦେଉନ୍ତୁ;) ଓ ମୋ’ ପ୍ରତିବାଦୀ ମୋହର ଯେଉଁ ଦୋଷପତ୍ର ଲେଖିଅଛି, ତାହା ଯଦି ମୁଁ ପାଆନ୍ତି ! 36ତେବେ ନିଶ୍ଚୟ ମୁଁ ଆପଣା ସ୍କନ୍ଧରେ ତାହା ବହନ୍ତି ଓ ମୁକୁଟ ପରି ତାହା ବାନ୍ଧନ୍ତି। 37ମୁଁ ଆପଣା ପାଦଗତିର ସଂଖ୍ୟା ତାହାକୁ ଜଣାନ୍ତି; ଶାସକ ପରି ତାହାର ନିକଟକୁ ଯାଆନ୍ତି। 38ଯଦି ମୋ’ ଭୂମି ମୋ’ ପ୍ରତିକୂଳରେ କ୍ରନ୍ଦନ କରେ ଓ ତହିଁର ଲଙ୍ଗଳ-ଶିଆରସବୁ ଏକତ୍ର ରୋଦନ କରନ୍ତି; 39ଯଦି ମୁଁ ମୂଲ୍ୟ ବିନା ତହିଁର ଫଳ ଭୋଗ କରିଥାଏ, ଅବା ତହିଁର ଅଧିକାରୀମାନଙ୍କ ପ୍ରାଣନାଶର କାରଣ ହୋଇଥାଏ; 40ତେବେ ଗହମ ବଦଳେ କଣ୍ଟକଲତା ଓ ଯବ ବଦଳେ ବିଷବୃକ୍ଷ ବଢ଼ୁ। ଆୟୁବଙ୍କ କଥା ସମାପ୍ତ ହେଲା।
32ଆୟୁବର ବାକ୍ୟ ସମାପ୍ତ। ତିନି ବନ୍ଧୁଙ୍କୁ ଇଲୀହୂଙ୍କ ଅନୁଯୋଗ
1ଏହିରୂପେ ଆୟୁବ ନିଜ ଦୃଷ୍ଟିରେ ଧାର୍ମିକ ହେବାରୁ ଏହି ତିନି ଜଣ ଉତ୍ତର ଦେବାରୁ କ୍ଷାନ୍ତ ହେଲେ। 2ତହିଁରେ ରାମ୍ ଗୋଷ୍ଠୀଜାତ ବୂଷୀୟ ବାରଖେଲର ପୁତ୍ର ଇଲୀହୂର କ୍ରୋଧ ପ୍ରଜ୍ୱଳିତ ହେଲା; ଆୟୁବ ବିରୁଦ୍ଧରେ ତାହାର କ୍ରୋଧ ପ୍ରଜ୍ୱଳିତ ହେଲା, କାରଣ ସେ ପରମେଶ୍ୱରଙ୍କ ଅପେକ୍ଷା ଆପଣାକୁ ଧାର୍ମିକ ମଣିଲା। 3ମଧ୍ୟ ତାହାର ତିନି ବନ୍ଧୁଙ୍କ ପ୍ରତିକୂଳରେ ତାହାର କ୍ରୋଧ ପ୍ରଜ୍ୱଳିତ ହେଲା, କାରଣ ସେମାନେ କୌଣସି ଉତ୍ତର ଦେଇ ନ ପାରିଲେ ହେଁ ଆୟୁବକୁ ଦୋଷୀ କରିଥିଲେ। 4ସେମାନେ ଇଲୀହୂଠାରୁ ପ୍ରାଚୀନ ଥିବାରୁ ଇଲୀହୂ ଆୟୁବକୁ କଥା କହିବା ପାଇଁ ଅପେକ୍ଷା କରିଥିଲା। 5ପୁଣି, ସେ ସେହି ତିନି ଜଣଙ୍କ ମୁଖରେ କୌଣସି ଉତ୍ତର ନ ଥିବାର ଦେଖି ତାହାର କ୍ରୋଧ ପ୍ରଜ୍ୱଳିତ ହେଲା। 6ଏଥିଉତ୍ତାରେ ବୂଷୀୟ ବାରଖେଲର ପୁତ୍ର ଇଲୀହୂ ଉତ୍ତର କରି କହିଲା, ମୁଁ ଯୁବା ଲୋକ, ଆଉ ତୁମ୍ଭେମାନେ ଅତି ବୃଦ୍ଧ; ଏଣୁ ମୁଁ କ୍ଷାନ୍ତ ହେଲି ଓ ତୁମ୍ଭମାନଙ୍କ ନିକଟରେ ଆପଣା ମତ ପ୍ରକାଶ କରିବାକୁ ସାହସ କଲି ନାହିଁ। 7ମୁଁ କହିଲି, ଦିନସମୂହ କଥା କହିବେ ଓ ବର୍ଷର ବାହୁଲ୍ୟ ଜ୍ଞାନ ଶିଖାଇବେ। 8ମାତ୍ର ମନୁଷ୍ୟ ମଧ୍ୟରେ ଗୋଟିଏ ଆତ୍ମା ଅଛି ଓ ସର୍ବଶକ୍ତିମାନ ପରମେଶ୍ଵରଙ୍କ ନିଶ୍ୱାସ ସେମାନଙ୍କୁ ବୁଦ୍ଧି ଦିଏ। 9ବଡ଼ ଲୋକେ ଯେ ଜ୍ଞାନବାନ, ତାହା ନୁହେଁ, ଅବା ପ୍ରାଚୀନମାନେ ଯେ ବିଚାର ବୁଝନ୍ତି, ତାହା ନୁହେଁ। 10ଏଥିପାଇଁ ମୁଁ କହିଲି, ‘ମୋ’ କଥା ଶୁଣ; ମୁଁ ମଧ୍ୟ ଆପଣା ମତ ପ୍ରକାଶ କରିବି।’ 11ଦେଖ, ମୁଁ ତୁମ୍ଭମାନଙ୍କ କଥା ପାଇଁ ଅପେକ୍ଷା କଲି, କଅଣ କହିବାକୁ ହେବ, ଏହା ତୁମ୍ଭେମାନେ ଅନୁସନ୍ଧାନ କରିବା ପର୍ଯ୍ୟନ୍ତ ତୁମ୍ଭମାନଙ୍କ ଯୁକ୍ତି ପାଇଁ ମନୋଯୋଗ କଲି। 12ଆହୁରି, ମୁଁ ତୁମ୍ଭମାନଙ୍କ କଥାରେ ମନ ଦେଲି, ପୁଣି ଦେଖ, ଆୟୁବକୁ ବୋଧ ଦେବାକୁ, ଅବା ତାହାର କଥାର ଉତ୍ତର ଦେବାକୁ ତୁମ୍ଭମାନଙ୍କ ମଧ୍ୟରେ କେହି ନ ଥିଲା। 13ସାବଧାନ, କେଜାଣି ତୁମ୍ଭେମାନେ କହିବ, ଆମ୍ଭେମାନେ ଜ୍ଞାନ ପାଇଅଛୁ; ପରମେଶ୍ୱର ତାହାକୁ ପରାସ୍ତ କରି ପାରିବେ, ମନୁଷ୍ୟ ନୁହେଁ; 14କାରଣ ସେ ମୋ’ ବିରୁଦ୍ଧରେ କଥା କହି ନାହିଁ, କିଅବା ମୁଁ ତୁମ୍ଭମାନଙ୍କ କଥାରେ ତାହାକୁ ଉତ୍ତର ଦେବି ନାହିଁ। 15ସେମାନେ ବିସ୍ମିତ ଅଛନ୍ତି, ସେମାନେ ଆଉ ଉତ୍ତର ଦିଅନ୍ତି ନାହିଁ, ସେମାନଙ୍କର କୌଣସି କଥା କହିବାକୁ ନାହିଁ। 16ସେମାନେ କଥା କହନ୍ତି ନାହିଁ, ସେମାନେ ତୁନି ହୋଇ ଠିଆ ହୁଅନ୍ତି, ଆଉ ଉତ୍ତର ଦିଅନ୍ତି ନାହିଁ ବୋଲି କି ମୁଁ ଅପେକ୍ଷା କରିବି ? 17ମୁଁ ମଧ୍ୟ ଆପଣାର ଉତ୍ତର ଦେବି, ମୁଁ ଆପଣାର ମତ ପ୍ରକାଶ କରିବି। 18କାରଣ ମୁଁ ବାକ୍ୟରେ ପରିପୂର୍ଣ୍ଣ। ମୋହର ଅନ୍ତରସ୍ଥ ଆତ୍ମା ମୋତେ ପ୍ରବର୍ତ୍ତାଏ। 19ଦେଖ, ମୋ’ ଉଦର ବନ୍ଦ ଦ୍ରାକ୍ଷାରସ ତୁଲ୍ୟ; ନୂତନ କୁମ୍ପା ପରି ତାହା ଫାଟିବାକୁ ଉଦ୍ୟତ। 20ମୁଁ ଉଶ୍ୱାସ ପାଇବା ପାଇଁ କଥା କହିବି; ମୁଁ ଓଷ୍ଠାଧର ଫିଟାଇ ଉତ୍ତର ଦେବି। 21ବିନୟ କରୁଅଛି, ମୋତେ କୌଣସି ଲୋକର ମୁଖାପେକ୍ଷା କରିବାକୁ ଦିଅ ନାହିଁ; କିଅବା ମୁଁ କୌଣସି ଲୋକର ଚାଟୁବାଦ କରିବି ନାହିଁ। 22କାରଣ ମୁଁ ଚାଟୁବାଦ କରି ଜାଣେ ନାହିଁ; କଲେ ମୋହର ସୃଷ୍ଟିକର୍ତ୍ତା ଶୀଘ୍ର ମୋତେ ସଂହାର କରିବେ।
33ଆୟୁବଙ୍କୁ ଇଲୀହୂଙ୍କ ଅନୁଯୋଗ
1ଯାହା ହେଉ, ବିନୟ କରୁଅଛି, ହେ ଆୟୁବ, ମୋ’ କଥା ଶୁଣ ଓ ମୋହର ସମସ୍ତ ବାକ୍ୟରେ କର୍ଣ୍ଣପାତ କର। 2ଏବେ ଦେଖ, ମୁଁ ଆପଣା ମୁଖ ଫିଟାଉଅଛି, ମୋ’ ଜିହ୍ୱା ମୋ’ ମୁଖ ଭିତରେ କଥା କହିଅଛି। 3ମୋ’ ବାକ୍ୟ ମୋ’ ଅନ୍ତଃକରଣର ସରଳତା ପ୍ରକାଶ କରିବ ଓ ମୋହର ଓଷ୍ଠାଧର ଯାହା ଜାଣେ, ତାହା ସରଳ ଭାବରେ କହିବ। 4ପରମେଶ୍ୱରଙ୍କ ଆତ୍ମା ମୋତେ ସୃଷ୍ଟି କରିଅଛନ୍ତି ଓ ସର୍ବଶକ୍ତିମାନଙ୍କ ନିଶ୍ୱାସ ମୋତେ ଜୀବନ ଦିଅନ୍ତି। 5ତୁମ୍ଭେ ପାରିଲେ, ମୋତେ ଉତ୍ତର ଦିଅ, ମୋ’ ସମ୍ମୁଖରେ ଆପଣା ବାକ୍ୟ ସଜାଇ ଠିଆ ହୁଅ। 6ଦେଖ, ପରମେଶ୍ୱରଙ୍କ ପ୍ରତି ତୁମ୍ଭେ ଯେପରି, ମୁଁ ସେପରି ଅଟେ, ମୁଁ ମଧ୍ୟ ମୃତ୍ତିକାରୁ ନିର୍ମିତ ହୋଇଅଛି। 7ଦେଖ, ମୋହର ଭୟାନକତା ତୁମ୍ଭକୁ ଭୀତ କରିବ ନାହିଁ, କିଅବା ମୋହର ଭାର ତୁମ୍ଭ ଉପରେ ଭାରୀ ହେବ ନାହିଁ। 8ନିଶ୍ଚୟ ତୁମ୍ଭେ ମୋହର କର୍ଣ୍ଣଗୋଚରରେ କହିଅଛ ଓ ମୁଁ ତୁମ୍ଭ ବାକ୍ୟର ରବ ଶୁଣିଅଛି, ଯଥା, 9ମୁଁ ଶୁଚି, ଅପରାଧରହିତ; ମୁଁ ନିର୍ଦ୍ଦୋଷ, ମଧ୍ୟ ମୋ’ଠାରେ ଅଧର୍ମ ନାହିଁ; 10ଦେଖ, ସେ ମୋ’ ଛିଦ୍ର ଅନ୍ଵେଷଣ କରନ୍ତି, ସେ ମୋତେ ଆପଣା ଶତ୍ରୁ ବୋଲି ଗଣନ୍ତି; 11ସେ ଯନ୍ତାରେ ମୋହର ପାଦ ରଖନ୍ତି, ସେ ମୋହର ସମସ୍ତ ପଥ ନିରୀକ୍ଷଣ କରନ୍ତି। 12ଦେଖ, ମୁଁ ତୁମ୍ଭକୁ ଉତ୍ତର ଦେବି, ଏ ବିଷୟରେ ତୁମ୍ଭେ ଯଥାର୍ଥ ନୁହଁ; କାରଣ ପରମେଶ୍ୱର ମନୁଷ୍ୟ ଅପେକ୍ଷା ମହାନ ଅଟନ୍ତି। 13ତୁମ୍ଭେ କାହିଁକି ତାହାଙ୍କ ସଙ୍ଗେ ବିବାଦ କରୁଅଛ ? ଯେଣୁ ସେ ଆପଣାର କୌଣସି ବିଷୟର କାରଣ ଜଣାନ୍ତି ନାହିଁ।33:13 ଯେଣୁ ସେ ଆପଣାର କୌଣସି ବିଷୟର କାରଣ ଜଣାନ୍ତି ନାହିଁ। କିମ୍ବା ଯେଣୁ ସେ ତୁମ୍ଭ ପ୍ରଶ୍ନର ଉତ୍ତର ଦିଅନ୍ତି ନାହିଁ।14ପରମେଶ୍ୱର ଥରେ କହନ୍ତି, ଦୁଇ ଥର ହିଁ କହନ୍ତି, ତଥାପି ମନୁଷ୍ୟ ତହିଁରେ ମନ ଦିଏ ନାହିଁ; 15ସ୍ୱପ୍ନରେ, ରାତ୍ରିକାଳୀନ ଦର୍ଶନରେ; ମନୁଷ୍ୟମାନେ ଘୋର ନିଦ୍ରାରେ ମଗ୍ନ ହେବା ବେଳେ, ଶଯ୍ୟାରେ ଘୁମାଇବା ବେଳେ, 16ସେ ମନୁଷ୍ୟମାନଙ୍କର କର୍ଣ୍ଣ ମୁକ୍ତ କରନ୍ତି ଓ ସେମାନଙ୍କର ଶିକ୍ଷା ମୋହରାଙ୍କିତ କରନ୍ତି, 17ତଦ୍ଦ୍ୱାରା ସେ ମନୁଷ୍ୟକୁ ତାହାର ସଂକଳ୍ପରୁ ନିବୃତ୍ତ କରନ୍ତି ଓ ମନୁଷ୍ୟଠାରୁ ଅହଙ୍କାର ଗୁପ୍ତ କରନ୍ତି। 18ସେ ତାହାର ପ୍ରାଣକୁ ଗର୍ତ୍ତରୁ ଓ ତାହାର ଜୀବନକୁ ଖଡ୍ଗାଘାତରୁ ଅଟକାଇ ରଖନ୍ତି। 19ମଧ୍ୟ ସେ ଆପଣା ଶଯ୍ୟାରେ ବ୍ୟଥା ଦ୍ୱାରା ଓ ଆପଣା ଅସ୍ଥି ମଧ୍ୟରେ ନିରନ୍ତର ଯୁଦ୍ଧ ଦ୍ୱାରା ଶାସ୍ତି ପାଏ; 20ତେଣୁ ତାହାର ଜୀବନ ଆହାରକୁ ଓ ତାହାର ପ୍ରାଣ ସୁସ୍ୱାଦୁ ଭକ୍ଷ୍ୟକୁ ଘୃଣା କରେ। 21ତାହାର ମାଂସ କ୍ଷୟ ପାଇ ଅଦୃଶ୍ୟ ହୁଏ ଓ ତାହାର ଅଦୃଶ୍ୟ ଥିବା ଅସ୍ଥିସବୁ ଦେଖାଯାଏ। 22ଆହୁରି, ତାହାର ପ୍ରାଣ ଗର୍ତ୍ତର ଓ ତାହାର ଜୀବନ ସଂହାରକର ସନ୍ନିକଟ ହୁଏ। 23ଯଦି ମନୁଷ୍ୟକୁ ତାହାର କର୍ତ୍ତବ୍ୟତା ଦେଖାଇବା ପାଇଁ ତାହା ସଙ୍ଗେ ଜଣେ ଦୂତ, ସହସ୍ର ମଧ୍ୟରୁ ଜଣେ ଅର୍ଥକାରକ ଥାଏ; 24ତେବେ ସେ ତାହାକୁ କୃପା କରି କହିବେ, ଗର୍ତ୍ତ ଗମନରୁ ତାହାକୁ ଉଦ୍ଧାର କର, ମୁଁ ପ୍ରାୟଶ୍ଚିତ୍ତ ପାଇଅଛି। 25ତାହାର ମାଂସ ବାଳକର ମାଂସ ଅପେକ୍ଷା ସତେଜ ହେବ; ସେ ଆପଣା ଯୌବନ ଦିନ ପୁନର୍ବାର ପାଇବ; 26ସେ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରେ ଓ ସେ ତାହା ପ୍ରତି ପ୍ରସନ୍ନ ହୁଅନ୍ତି; ତେଣୁ ସେ ଆନନ୍ଦରେ ତାହାଙ୍କ ମୁଖ ଦର୍ଶନ କରେ; ଆଉ, ସେ ମନୁଷ୍ୟକୁ ତାହାର ଧାର୍ମିକତା ପୁନର୍ବାର ଦିଅନ୍ତି। 27ସେ ମନୁଷ୍ୟମାନଙ୍କ ସାକ୍ଷାତରେ ଗାନ କରି କହେ, ମୁଁ ପାପ କରିଅଛି ଓ ନ୍ୟାୟର ବିପରୀତ କରିଅଛି ଓ ତାହା ମୋହର ଲାଭଜନକ ହୋଇ ନାହିଁ। 28ସେ ମୋହର ପ୍ରାଣକୁ ଗର୍ତ୍ତଗମନରୁ ମୁକ୍ତ କରିଅଛନ୍ତି ଓ ମୋହର ଜୀବନ ଆଲୁଅ ଦେଖିବ। 29ଦେଖ, ମନୁଷ୍ୟ ଯେପରି ଜୀବିତ ଲୋକଙ୍କ ଦୀପ୍ତିରେ ଦୀପ୍ତିମାନ ହେବ, ଏଥିପାଇଁ ଗର୍ତ୍ତରୁ ତାହାର ପ୍ରାଣ ଫେରାଇ ଆଣିବାକୁ, 30ପରମେଶ୍ୱର ତାହା ସହିତ ଦୁଇ ଥର, ମଧ୍ୟ ତିନି ଥର ଏହିସବୁ ବ୍ୟବହାର କରନ୍ତି। 31ହେ ଆୟୁବ, ମନୋଯୋଗ କରି ମୋ’ କଥା ଶୁଣ; ତୁମ୍ଭେ ନୀରବ ହୁଅ, ମୁଁ କଥା କହିବି। 32ତୁମ୍ଭର କହିବାର କୌଣସି ବିଷୟ ଥିଲେ, ମୋତେ ଉତ୍ତର ଦିଅ; କୁହ, କାରଣ ତୁମ୍ଭକୁ ନିର୍ଦ୍ଦୋଷ କରିବାକୁ ମୋର ଇଚ୍ଛା। 33ନୋହିଲେ ମୋ’ କଥା ଶୁଣ; ନୀରବ ହୁଅ, ଆଉ ମୁଁ ତୁମ୍ଭକୁ ଜ୍ଞାନ ଶିଖାଇବି।
34ଇଲୀହୂଙ୍କ ପରମେଶ୍ୱରଙ୍କ ନ୍ୟାୟର ଘୋଷଣା
1ଆହୁରି ଇଲୀହୂ ଉତ୍ତର କରି କହିଲା, 2“ହେ ଜ୍ଞାନୀମାନେ, ମୋ’ କଥା ଶୁଣ, ହେ ବିଜ୍ଞମାନେ, ମୋ’ କଥାରେ କର୍ଣ୍ଣ ଦିଅ। 3କାରଣ ସ୍ୱାଦ ଯେପରି ଭକ୍ଷ୍ୟର ସ୍ୱାଦ ବୁଝେ, କର୍ଣ୍ଣ ସେପରି ବାକ୍ୟର ପରୀକ୍ଷା କରେ। 4ଯାହା ଯଥାର୍ଥ, ତାହା ଆମ୍ଭେମାନେ ଆପଣାମାନଙ୍କ ପାଇଁ ମନୋନୀତ କରୁ; ଯାହା ଭଲ, ତାହା ଆମ୍ଭେମାନେ ଆପଣାମାନଙ୍କ ମଧ୍ୟରେ ନିଶ୍ଚୟ କରୁ। 5କାରଣ ଆୟୁବ କହିଅଛି, ମୁଁ ଧାର୍ମିକ, ପୁଣି ପରମେଶ୍ୱର ମୋହର ନ୍ୟାୟ ହରଣ କରିଅଛନ୍ତି; 6ମୁଁ ନ୍ୟାୟବାନ ହେଲେ ହେଁ ମିଥ୍ୟାବାଦୀ ଗଣିତ ହୋଇଅଛି; ମୁଁ ଅପରାଧରହିତ ହେଲେ ହେଁ ମୋହର କ୍ଷତି ପ୍ରତିକାରହୀନ। 7ଆୟୁବ ପରି କେଉଁ ଲୋକ ଅଛି ? ସେ ଜଳ ପରି ନିନ୍ଦା ପାନ କରେ। 8ସେ ଅଧର୍ମାଚାରୀମାନଙ୍କ ସଙ୍ଗେ ଯାଏ ଓ ଦୁଷ୍ଟଲୋକମାନଙ୍କ ସଙ୍ଗେ ଗମନାଗମନ କରେ। 9କାରଣ ସେ କହିଅଛି, ପରମେଶ୍ୱରଙ୍କଠାରେ ଆନନ୍ଦ କଲେ, ମନୁଷ୍ୟର କିଛି ଲାଭ ନାହିଁ। 10ହେ ବୁଦ୍ଧିମାନ ଲୋକେ, ମୋ’ କଥା ଶୁଣ; ପରମେଶ୍ୱର ଯେ ଦୁଷ୍କର୍ମ କରିବେ, ଏହା ତାହାଙ୍କଠାରୁ ଦୂରେ ଥାଉ ଓ ସର୍ବଶକ୍ତିମାନ ଯେ ଅଧର୍ମ କରିବେ, ଏହା ତାହାଙ୍କଠାରୁ ଦୂରେ ଥାଉ। 11ମନୁଷ୍ୟର କର୍ମାନୁସାରେ ସେ ତାହାକୁ ଫଳ ଦେବେ ଓ ପ୍ରତ୍ୟେକ ଲୋକକୁ ତାହାର ଆଚରଣ ପ୍ରମାଣେ ଫଳଭୋଗ କରାଇବେ। 12ନିଶ୍ଚୟ ପରମେଶ୍ୱର ଦୁଷ୍ଟାଚରଣ କରିବେ ନାହିଁ, ସର୍ବଶକ୍ତିମାନ ବିଚାର ବିପରୀତ କରିବେ ନାହିଁ। 13କିଏ ତାହାଙ୍କୁ ପୃଥିବୀର କର୍ତ୍ତୃତ୍ୱଭାର ଦେଲା ? ଅବା କିଏ ସମୁଦାୟ ଜଗତର ନିରୂପଣ କରିଅଛି ? 14ଯଦି ସେ ମନୁଷ୍ୟ ଉପରେ ଆପଣା ମନ ଦେବେ, ଯଦି ସେ ତାହାର ଆତ୍ମା ଓ ନିଶ୍ୱାସ ଆପଣା ନିକଟରେ ସଂଗ୍ରହ କରିବେ; 15ତେବେ ସକଳ ପ୍ରାଣୀ ଏକତ୍ର ବିନଷ୍ଟ ହେବେ ଓ ମନୁଷ୍ୟ ପୁନର୍ବାର ଧୂଳିରେ ମିଶିଯିବ। 16ତୁମ୍ଭର ବିବେଚନା ଥିଲେ, ଏହା ଶୁଣ; ମୋ’ ବାକ୍ୟର ରବରେ ମନୋଯୋଗ କର। 17ଯେ ନ୍ୟାୟ ଘୃଣା କରେ, ସେ କି ଶାସନ କରିବ ? ଓ ଯେ ଧାର୍ମିକ ଓ ପରାକ୍ରମୀ, ତାହାଙ୍କୁ କି ତୁମ୍ଭେ ଦୋଷୀ କରିବ ? 18ରାଜାକୁ, ତୁମ୍ଭେ ଅଧମ; ଅବା ଅଧିପତିମାନଙ୍କୁ, ତୁମ୍ଭେମାନେ ଦୁଷ୍ଟ ବୋଲି କହିବାର କି ଉପଯୁକ୍ତ ? 19ତେବେ ପରମେଶ୍ଵର ଯେ ଅଧିପତିମାନଙ୍କର ମୁଖାପେକ୍ଷା କରନ୍ତି ନାହିଁ, ଅବା ସମସ୍ତେ ତାହାଙ୍କର ହସ୍ତକୃତ କର୍ମ ହେବାରୁ ଦରିଦ୍ର ଅପେକ୍ଷା ଧନୀକୁ ବିଶେଷ ଜ୍ଞାନ କରନ୍ତି ନାହିଁ, ତାହାଙ୍କୁ ଏପରି କହିବା କେତେ ଅଧିକ ଅନୁପଯୁକ୍ତ ? 20ସେମାନେ ମୁହୂର୍ତ୍ତକେ, ଅର୍ଦ୍ଧରାତ୍ରରେ ହିଁ ମରନ୍ତି; ଲୋକମାନେ କମ୍ପିତ ହୋଇ ପ୍ରାଣତ୍ୟାଗ କରନ୍ତି ଓ ବିକ୍ରମୀ ବିନା ହସ୍ତକ୍ଷେପରେ ଦୂରୀକୃତ ହୁଅନ୍ତି। 21କାରଣ ମନୁଷ୍ୟର ମାର୍ଗ ପ୍ରତି ପରମେଶ୍ବରଙ୍କ ଦୃଷ୍ଟି ଅଛି ଓ ସେ ତାହାର ସବୁ ଗତି ଦେଖନ୍ତି। 22ଯେଉଁଠାରେ ଅଧର୍ମାଚାରୀଗଣ ଲୁଚି ପାରନ୍ତି, ଏପରି ଅନ୍ଧକାର ଓ ମୃତ୍ୟୁଚ୍ଛାୟା ନାହିଁ। 23କାରଣ ମନୁଷ୍ୟର ପରମେଶ୍ୱରଙ୍କ ସାକ୍ଷାତରେ ବିଚାରାର୍ଥେ ଯିବାକୁ ହେବ ବୋଲି ତାହା ବିଷୟ ଦୀର୍ଘ ବିବେଚନା କରିବାର ତାହାଙ୍କର ଆବଶ୍ୟକ ନାହିଁ। 24ସେ ଅନୁଦ୍ଦେଶ୍ୟ ଉପାୟରେ ପରାକ୍ରାନ୍ତ ଲୋକମାନଙ୍କୁ ଖଣ୍ଡ ଖଣ୍ଡ କରନ୍ତି ଓ ସେମାନଙ୍କ ସ୍ଥାନରେ ଅନ୍ୟମାନଙ୍କୁ ସ୍ଥାପନ କରନ୍ତି। 25ଏହେତୁ ସେ ସେମାନଙ୍କ କର୍ମର ତତ୍ତ୍ୱ ନିଅନ୍ତି; ପୁଣି, ସେ ରାତ୍ରିରେ ସେମାନଙ୍କୁ ଓଲଟାଇ ପକାନ୍ତି, ତହିଁରେ ସେମାନେ ବିନଷ୍ଟ ହୁଅନ୍ତି। 26ସେ ଅନ୍ୟମାନଙ୍କ ଦୃଷ୍ଟିଗୋଚରରେ ଦୁଷ୍ଟଲୋକଙ୍କୁ ପ୍ରହାର କଲା ପରି ସେମାନଙ୍କୁ ପ୍ରହାର କରନ୍ତି; 27କାରଣ ସେମାନେ ତାହାଙ୍କ ଅନୁଗମନରୁ ବିମୁଖ ହେଲେ ଓ ତାହାଙ୍କର କୌଣସି ମାର୍ଗ ଆଦର କରିବାକୁ ଅନିଚ୍ଛୁକ ହେଲେ; 28ଏହିରୂପେ ସେମାନେ ତାହାଙ୍କ ଛାମୁରେ ଦରିଦ୍ରର କ୍ରନ୍ଦନ ଉପସ୍ଥିତ କରାଇଲେ, ତହୁଁ ସେ ଦୁଃଖୀର କ୍ରନ୍ଦନ ଶୁଣିଲେ। 29ସେ ଶାନ୍ତି ଦେଲେ, କିଏ ଦୋଷ ଦେଇପାରେ ? ଓ ସେ ଆପଣା ମୁଖ ଆଚ୍ଛାଦନ କଲେ, କିଏ ତାହାଙ୍କୁ ଦେଖିପାରେ ? ଏହା କୌଣସି ଗୋଷ୍ଠୀ ଅବା କୌଣସି ବ୍ୟକ୍ତି ପ୍ରତି କରାଗଲେ, ଏକ ସମାନ ଥାଏ; 30ଏଣୁ ଅଧାର୍ମିକ ଲୋକ ରାଜତ୍ୱ କରେ ନାହିଁ, ଲୋକମାନଙ୍କୁ ଫାନ୍ଦରେ ପକାଇବାକୁ କେହି ନ ଥାଏ। 31କାରଣ କେହି କି ପରମେଶ୍ୱରଙ୍କୁ କହିଅଛି, ମୁଁ ଶାସ୍ତି ଭୋଗ କରୁଅଛି, ଆଉ ଦୋଷ କରିବି ନାହିଁ; 32ଯାହା ମୁଁ ଜାଣୁ ନାହିଁ, ତାହା ତୁମ୍ଭେ ମୋତେ ଶିଖାଅ; ଯଦି ମୁଁ ଅପରାଧ କରିଅଛି, ତେବେ ଆଉ ତାହା କରିବି ନାହିଁ ? 33ତାହାଙ୍କ ଦତ୍ତ ପ୍ରତିଫଳ କି ତୁମ୍ଭ ଇଚ୍ଛାମତ ହେବ ଯେ, ତୁମ୍ଭେ ତାହା ଅଗ୍ରାହ୍ୟ କରୁଅଛ ? କାରଣ ମନୋନୀତ କରିବାର ତୁମ୍ଭର କର୍ମ, ମୋହର ନୁହେଁ; ଏଥିପାଇଁ ଯାହା ତୁମ୍ଭେ ଜାଣ, ତାହା କୁହ। 34ବୁଦ୍ଧିମାନ ଲୋକେ ଏବଂ ମୋ’ କଥା ଶ୍ରବଣକାରୀ ପ୍ରତ୍ୟେକ ଜ୍ଞାନୀ ଲୋକ ମୋତେ କହିବେ; 35ଆୟୁବ ନ ଜାଣି କଥା କହେ ଓ ତାହାର କଥାସବୁ ଜ୍ଞାନବର୍ଜ୍ଜିତ। 36ଆୟୁବ ଶେଷ ପର୍ଯ୍ୟନ୍ତ ପରୀକ୍ଷିତ ହେଉ, କାରଣ ସେ ଦୁଷ୍ଟ ଲୋକମାନଙ୍କ ପରି ଉତ୍ତର ଦେଇଅଛି। 37ଯେଣୁ ସେ ଆପଣା ପାପରେ ବିଦ୍ରୋହଭାବ ଯୋଗ କରୁଅଛି, ସେ ଆମ୍ଭମାନଙ୍କ ମଧ୍ୟରେ ହାତତାଳି ଦେଉଅଛି ଓ ପରମେଶ୍ୱରଙ୍କ ପ୍ରତିକୂଳରେ ଅନେକ କଥା କହୁଅଛି।”
35ଆୟୁବଙ୍କୁ ଇଲୀହୂଙ୍କ ଦୋଷାରୋପ
1ଆହୁରି, ଇଲୀହୂ ଉତ୍ତର କରି କହିଲା, 2“ତୁମ୍ଭେ କି ଏହାକୁ ଆପଣାର ନ୍ୟାୟ ବୋଲି ଜ୍ଞାନ କରୁଅଛ ? ଅବା କହୁଅଛ ? ପରମେଶ୍ୱରଙ୍କ ଧାର୍ମିକତା ଅପେକ୍ଷା ମୋହର ଧାର୍ମିକତା ଅଧିକ ? 3ଏଥିପାଇଁ କି ତୁମ୍ଭେ କହୁଅଛ, ଏଥିରୁ ମୋହର କେଉଁ ଫଳ ହେବ ? ଓ ପାପ କଲେ ଯେଉଁ ଲାଭ ହୁଅନ୍ତା, ତହିଁରୁ କେଉଁ ଅଧିକ ଲାଭ ମୋହର ହେବ ? 4ମୁଁ ତୁମ୍ଭକୁ ଓ ତୁମ୍ଭ ସଙ୍ଗେ ତୁମ୍ଭ ସଙ୍ଗୀମାନଙ୍କୁ ଉତ୍ତର ଦେବି। 5ଗଗନମଣ୍ଡଳ ପ୍ରତି ଦୃଷ୍ଟି କରି ଅନାଅ ଓ ତୁମ୍ଭ ଅପେକ୍ଷା ଉଚ୍ଚ ଆକାଶମଣ୍ଡଳକୁ ଦେଖ। 6ତୁମ୍ଭେ ପାପ କଲେ, ପରମେଶ୍ୱରଙ୍କ ବିରୁଦ୍ଧରେ କଅଣ କର ? ଓ ତୁମ୍ଭର ଅପରାଧ ବୃଦ୍ଧି ପାଇଲେ, ତାହାଙ୍କ ପ୍ରତି ତୁମ୍ଭେ କଅଣ କର ? 7ତୁମ୍ଭେ ଧାର୍ମିକ ହେଲେ, ତାହାଙ୍କୁ କଅଣ ଦିଅ ? ଅବା ସେ ତୁମ୍ଭ ହସ୍ତରୁ କଅଣ ପାଆନ୍ତି ? 8ତୁମ୍ଭର ଦୁଷ୍ଟତା ତୁମ୍ଭ ତୁଲ୍ୟ ମନୁଷ୍ୟର କ୍ଷତି କରିପାରେ ଓ ତୁମ୍ଭର ଧାର୍ମିକତା ମନୁଷ୍ୟ-ସନ୍ତାନର ଲାଭ କରିପାରେ। 9ଉପଦ୍ରବର ବାହୁଲ୍ୟ ସକାଶୁ ଲୋକେ କ୍ରନ୍ଦନ କରନ୍ତି; ବଳବାନର ବାହୁ ସକାଶୁ ସେମାନେ ସାହାଯ୍ୟ ପାଇଁ ଡାକ ପକାନ୍ତି। 10ମାତ୍ର ଯେ ରାତ୍ରିକାଳେ ଗାନ ପ୍ରଦାନ କରନ୍ତି, ଯେ ପୃଥିବୀର ପଶୁମାନଙ୍କ ଅପେକ୍ଷା ଆମ୍ଭମାନଙ୍କୁ ଅଧିକ ଶିକ୍ଷା ଦିଅନ୍ତି 11ଓ ଆକାଶର ପକ୍ଷୀଗଣ ଅପେକ୍ଷା ଆମ୍ଭମାନଙ୍କୁ ଅଧିକ ଜ୍ଞାନବାନ କରନ୍ତି, ଏପରି ମୋହର ସୃଷ୍ଟିକର୍ତ୍ତା ପରମେଶ୍ୱର କାହାନ୍ତି ? ଏହା କେହି ନ କହେ। 12ଦୁଷ୍ଟ ଲୋକଙ୍କ ଅହଙ୍କାର ସକାଶୁ ସେମାନେ କ୍ରନ୍ଦନ କରନ୍ତି, ମାତ୍ର କେହି ଉତ୍ତର ଦିଏ ନାହିଁ। 13ନିଶ୍ଚୟ ପରମେଶ୍ୱର ଅସାର କଥା ଶୁଣିବେ ନାହିଁ, କିଅବା ସର୍ବଶକ୍ତିମାନ ତାହା ଆଦର କରିବେ ନାହିଁ। 14ତୁମ୍ଭେ ତ କହୁଅଛ, ମୁଁ ପରମେଶ୍ୱରଙ୍କୁ ଦେଖୁ ନାହିଁ, ବିଚାର ତାହାଙ୍କ ସମ୍ମୁଖରେ ଅଛି ଓ ମୁଁ ତାହାଙ୍କୁ ଅପେକ୍ଷା କରୁଅଛି; ତେବେ ମୁଁ ଏହି କଥାକୁ କେତେ ଅନାଦର କରିବି। 15ମାତ୍ର ଏବେ, ସେ ନିଜ କ୍ରୋଧରେ ଶାସ୍ତି ଦେଇ ନାହାନ୍ତି, କିଅବା ଅହଙ୍କାର ପ୍ରତି ବଡ଼ ମନୋଯୋଗ କରନ୍ତି ନାହିଁ; 16ଏଥିପାଇଁ ଆୟୁବ ଅସାର କଥାରେ ଆପଣା ମୁଖ ଫିଟାଏ; ସେ ଅନେକ ଜ୍ଞାନବର୍ଜ୍ଜିତ କଥା କହେ।
36ଇଲୀହୂଙ୍କ ଈଶ୍ୱରଙ୍କ ମହାନତାର ପ୍ରଶଂସା
1ଇଲୀହୂ ଆହୁରି କହିଲା, 2“ଟିକିଏ ସମ୍ଭାଳ, ମୁଁ ତୁମ୍ଭକୁ ଜଣାଇବି; କାରଣ ପରମେଶ୍ୱରଙ୍କ ପକ୍ଷରେ ମୋହର ଆହୁରି କିଛି କହିବାର ଅଛି। 3ମୁଁ ଦୂରରୁ ଆପଣା ଜ୍ଞାନ ଆଣିବି ଓ ଆପଣା ସୃଷ୍ଟିକର୍ତ୍ତାଙ୍କର ଧାର୍ମିକତା ପ୍ରତିପନ୍ନ କରିବି; 4କାରଣ ପ୍ରକୃତରେ ମୋହର କଥା ମିଥ୍ୟା ନୁହେଁ। ଜ୍ଞାନରେ ସିଦ୍ଧ ଜଣେ ତୁମ୍ଭ ସଙ୍ଗେ ଅଛି। 5ଦେଖ, ପରମେଶ୍ୱର ପରାକ୍ରମୀ ଓ କାହାକୁ ତୁଚ୍ଛ କରନ୍ତି ନାହିଁ; ସେ ବୁଦ୍ଧିବଳରେ ପରାକ୍ରମୀ ଅଟନ୍ତି। 6ସେ ଦୁଷ୍ଟର ପ୍ରାଣ ରକ୍ଷା କରନ୍ତି ନାହିଁ; ମାତ୍ର ଦୁଃଖଗ୍ରସ୍ତମାନଙ୍କୁ ନ୍ୟାୟ ପ୍ରଦାନ କରନ୍ତି। 7ସେ ଧାର୍ମିକମାନଙ୍କଠାରୁ ଆପଣା ଦୃଷ୍ଟି ଫେରାନ୍ତି ନାହିଁ; ମାତ୍ର ସେ ସିଂହାସନୋପବିଷ୍ଟ ରାଜାଗଣ ସଙ୍ଗରେ ସଦାକାଳ ସେମାନଙ୍କୁ ସ୍ଥାପନ କରନ୍ତି ଓ ସେମାନେ ଉନ୍ନତ ହୁଅନ୍ତି। 8ପୁଣି, ଯଦି ସେମାନେ ଜଞ୍ଜିରରେ ବନ୍ଧାଯା’ନ୍ତି ଓ ଦୁଃଖରୂପ ରଜ୍ଜୁରେ ଧରାଯା’ନ୍ତି 9ତେବେ ସେ ସେମାନଙ୍କର କ୍ରିୟା, ସେମାନଙ୍କର ଅପରାଧ ଓ ସେମାନଙ୍କର ଗର୍ବାଚରଣ ସେମାନଙ୍କୁ ଦେଖାନ୍ତି। 10ମଧ୍ୟ ଶିକ୍ଷା ପ୍ରତି ସେ ସେମାନଙ୍କ କର୍ଣ୍ଣ ମୁକ୍ତ କରନ୍ତି ଓ ଅଧର୍ମରୁ ଫେରିବା ପାଇଁ ସେମାନଙ୍କୁ ଆଜ୍ଞା ଦିଅନ୍ତି। 11ଯଦି ସେମାନେ ଶୁଣି ତାହାଙ୍କର ସେବା କରିବେ, ତେବେ ସେମାନେ ସମୃଦ୍ଧିରେ ଆପଣା ଆପଣା ଦିନ ଓ ସୁଖରେ ଆପଣା ଆପଣା ବର୍ଷ କ୍ଷେପଣ କରିବେ। 12ମାତ୍ର ସେମାନେ ନ ଶୁଣିଲେ, ଖଡ୍ଗରେ ବିନଷ୍ଟ ହେବେ ଓ ଜ୍ଞାନବର୍ଜ୍ଜିତ ହୋଇ ମରିବେ। 13ମାତ୍ର ଅନ୍ତଃକରଣରେ ଅଧାର୍ମିକ ଲୋକମାନେ କ୍ରୋଧ ସଞ୍ଚୟ କରନ୍ତି; ସେ ସେମାନଙ୍କୁ ବାନ୍ଧିଲେ, ସେମାନେ ସାହାଯ୍ୟ ପାଇଁ ଡାକ ପକାନ୍ତି ନାହିଁ। 14ସେମାନେ ଯୌବନକାଳରେ ମରନ୍ତି ଓ ଅଶୁଚି ଲୋକମାନଙ୍କ ମଧ୍ୟରେ ସେମାନଙ୍କ ଜୀବନ ବିନଷ୍ଟ ହୁଏ। 15ସେ ଦୁଃଖୀଲୋକକୁ ତାହାର ଦୁଃଖ ଦ୍ୱାରା ଉଦ୍ଧାର କରନ୍ତି ଓ ଉପଦ୍ରବ ଦ୍ୱାରା ସେମାନଙ୍କର କର୍ଣ୍ଣ ମୁକ୍ତ କରନ୍ତି। 16ସେ ତୁମ୍ଭକୁ ହିଁ ଦୁଃଖରୁ ବାହାର କରି ସଙ୍କୀର୍ଣ୍ଣତାରହିତ ପ୍ରଶସ୍ତ ସ୍ଥାନକୁ ନେଇଯାଆନ୍ତେ; ଓ ତୁମ୍ଭ ମେଜ ଉପରେ ସଜ୍ଜିତ ଦ୍ରବ୍ୟ ମେଦପୂର୍ଣ୍ଣ ହୁଅନ୍ତା। 17ମାତ୍ର ତୁମ୍ଭେ ଦୁଷ୍ଟର ବିଚାରରେ ପୂର୍ଣ୍ଣ ଅଛ; ବିଚାର ଓ ଶାସ୍ତି ତୁମ୍ଭକୁ ଧରିଅଛି। 18କୋପ ଅଛି, ଯେପରି ତୁମ୍ଭେ ଆପଣା ପ୍ରଚୁରତା ଦ୍ୱାରା ଭ୍ରାନ୍ତ ନ ହୁଅ; କିଅବା ପ୍ରାୟଶ୍ଚିତ୍ତର ମହତ୍ତ୍ୱ ତୁମ୍ଭକୁ ନ ଭୁଲାଏ, ଏଥିପାଇଁ ସାବଧାନ। 19ତୁମ୍ଭେ ଯେପରି ଦୁଃଖଗ୍ରସ୍ତ ନୋହିବ, ଏଥିପାଇଁ ତୁମ୍ଭର ଧନ ଓ ବଳର ସମସ୍ତ ପ୍ରତାପ କି ପ୍ରଚୁର ହେବ ? 20ଯେଉଁ ରାତ୍ରିରେ ଗୋଷ୍ଠୀୟମାନେ ସ୍ୱ ସ୍ୱ ସ୍ଥାନରେ ଉଚ୍ଛିନ୍ନ ହୁଅନ୍ତି, ସେହି ରାତ୍ରି ବାଞ୍ଛା କର ନାହିଁ। 21ସାବଧାନ, ଅଧର୍ମକୁ ଆଦର କର ନାହିଁ; କାରଣ ତୁମ୍ଭେ ଦୁଃଖଭୋଗ ଅପେକ୍ଷା ଏହା ହିଁ ମନୋନୀତ କରିଅଛ। 22ଦେଖ, ପରମେଶ୍ୱର ଆପଣା ପରାକ୍ରମରେ ଉଚ୍ଚ ଭାବରେ କାର୍ଯ୍ୟ କରନ୍ତି; ତାହାଙ୍କ ପରି ଶିକ୍ଷକ କିଏ ଅଛି ? 23କିଏ ତାହାଙ୍କର ଗନ୍ତବ୍ୟ ପଥ ନିରୂପଣ କରିଅଛି ? ଅବା କିଏ କହିପାରେ, ତୁମ୍ଭେ ଅଧର୍ମ କରିଅଛ ? 24ତାହାଙ୍କ କାର୍ଯ୍ୟର ମାହାତ୍ମ୍ୟ ପ୍ରକାଶ କରିବାକୁ ସ୍ମରଣ କର, ଲୋକମାନେ ତହିଁର କୀର୍ତ୍ତନ କରିଅଛନ୍ତି। 25ସମସ୍ତ ଲୋକ ତହିଁ ପ୍ରତି ନିରୀକ୍ଷଣ କରିଅଛନ୍ତି, ମନୁଷ୍ୟ ଦୂରରୁ ତାହା ଦେଖେ। 26ଦେଖ, ପରମେଶ୍ୱର ମହାନ ଓ ଆମ୍ଭେମାନେ ତାହାଙ୍କୁ ଜାଣୁ ନାହୁଁ; ତାହାଙ୍କ ବର୍ଷର ସଂଖ୍ୟା ଅନନୁସନ୍ଧେୟ। 27କାରଣ ସେ ଜଳବିନ୍ଦୁସବୁ ଆକର୍ଷଣ କରନ୍ତି, ତାହା ବୃଷ୍ଟି ରୂପେ ତାହାଙ୍କ ବାଷ୍ପରୁ ପଡ଼େ। 28ଆକାଶ ତାହା ଢାଳି ଦିଏ ଓ ମନୁଷ୍ୟ ଉପରେ ତାହା ବହୁଳ ରୂପେ ବର୍ଷେ। 29ମେଘମାଳର ପ୍ରସାରଣ ଓ ତାହାଙ୍କ ଚନ୍ଦ୍ରାତପର ଗର୍ଜ୍ଜନ କି କେହି ବୁଝିପାରେ ? 30ଦେଖ, ସେ ଆପଣା ଚତୁର୍ଦ୍ଦିଗରେ ନିଜ ଦୀପ୍ତି ବିସ୍ତାର କରନ୍ତି; ପୁଣି, ସେ ସମୁଦ୍ରର ତଳଭାଗ ଆବୃତ କରନ୍ତି। 31କାରଣ ସେ ଏସବୁ ଦ୍ୱାରା ଗୋଷ୍ଠୀବର୍ଗର ଶାସନ କରନ୍ତି; ସେ ବହୁଳ ପରିମାଣରେ ଆହାର ଦିଅନ୍ତି। 32ସେ ବିଜୁଳିରେ ଆପଣା ହସ୍ତ ଆଚ୍ଛାଦନ କରନ୍ତି ଓ ଲକ୍ଷ୍ୟ ସ୍ଥଳ ଆଘାତ କରିବାକୁ ଆଜ୍ଞା ଦିଅନ୍ତି। 33ତହିଁର ଶବ୍ଦ ତାହାଙ୍କ ବିଷୟରେ ପରିଚୟ ଦିଏ, ପଶୁପଲ ମଧ୍ୟ ଆଗାମୀ ତୋଫାନ ବିଷୟ ଜଣାନ୍ତି।
37ଇଲୀହୂଙ୍କ ଈଶ୍ୱରଙ୍କ ମହିମାର ଘୋଷଣା
1ଏଥିରେ ମଧ୍ୟ ମୋହର ହୃଦୟ କମ୍ପମାନ ହେଉଅଛି ଓ ସ୍ୱସ୍ଥାନରୁ ଅନ୍ତରିତ ହେଉଅଛି। 2ତୁମ୍ଭେମାନେ ପରମେଶ୍ଵରଙ୍କ ରବର ଶବ୍ଦ ଓ ତାହାଙ୍କ ମୁଖନିର୍ଗତ ସ୍ୱର ଶୁଣ। 3ସେ ତାହା ସମୁଦାୟ ଆକାଶର ଅଧଃସ୍ଥାନକୁ ଓ ଆପଣା ବିଜୁଳିକୁ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ପ୍ରେରଣ କରନ୍ତି। 4ତହିଁ ପଛେ ଏକ ରବ ଗର୍ଜ୍ଜନ କରଇ, ସେ ଆପଣା ମହତ୍ତ୍ୱର ରବରେ ବଜ୍ରନାଦ କରନ୍ତି ଓ ତାହାଙ୍କ ରବ ଶୁଣାଗଲା ବେଳେ ସେ ତାହାସବୁ ନିବୃତ୍ତ କରନ୍ତି ନାହିଁ। 5ପରମେଶ୍ୱର ଆପଣା ରବରେ ଆଶ୍ଚର୍ଯ୍ୟ ରୂପେ ଗର୍ଜ୍ଜନ କରନ୍ତି; ସେ ଆମ୍ଭମାନଙ୍କ ବୋଧର ଅଗମ୍ୟ ମହତ କାର୍ଯ୍ୟ କରନ୍ତି। 6କାରଣ ସେ ହିମକୁ କହନ୍ତି, ତୁମ୍ଭେ ପୃଥିବୀରେ ପଡ଼; ସେ ସାମାନ୍ୟ ବୃଷ୍ଟିକୁ ଓ ଆପଣାର ପ୍ରବଳ ବୃଷ୍ଟିକୁ ସେହିପରି କହନ୍ତି। 7ଯେପରି ତାହାଙ୍କର ସୃଷ୍ଟ ସମସ୍ତ ମନୁଷ୍ୟ ତାହା ଜାଣି ପାରିବେ, ଏଥିପାଇଁ ସେ ପ୍ରତ୍ୟେକ ମନୁଷ୍ୟର ହସ୍ତ ମୋହରାଙ୍କିତ କରନ୍ତି। 8ସେତେବେଳେ ପଶୁମାନେ ଆଶ୍ରୟ ସ୍ଥାନକୁ ଯା’ନ୍ତି ଓ ଆପଣା ଆପଣା ଗହ୍ୱରରେ ରହନ୍ତି। 9ଦକ୍ଷିଣସ୍ଥ ମଣ୍ଡଳରୁ ବତାସ ଆସେ ଓ ଉତ୍ତରରୁ ଶୀତ ଆସେ। 10ପରମେଶ୍ୱରଙ୍କ ନିଶ୍ୱାସରେ ହିମାନୀ ଜନ୍ମେ ଓ ଜଳରାଶିର ବିସ୍ତୃତି ସଙ୍କୀର୍ଣ୍ଣ ହୁଏ। 11ଆହୁରି, ସେ ନିବିଡ଼ ମେଘକୁ ଆର୍ଦ୍ରତାରେ ପୂର୍ଣ୍ଣ କରନ୍ତି; ସେ ଆପଣା ବିଜୁଳିର ମେଘ ବିସ୍ତାର କରନ୍ତି। 12ଆଉ, ସେ ଯାହା କିଛି ଆଜ୍ଞା କରନ୍ତି, ତାହା ବାସଯୋଗ୍ୟ ଭୂମଣ୍ଡଳରେ ସାଧନ କରିବା ପାଇଁ ତାହାଙ୍କ ଚାଳନ ଦ୍ୱାରା ତାହା ଘୂରେ। 13ଦଣ୍ଡ ନିମନ୍ତେ, ବା ଆପଣା ଦେଶ ନିମନ୍ତେ, ଅଥବା ଦୟା ନିମନ୍ତେ ହେଉ, ସେ ତାହା ଘଟାନ୍ତି। 14ହେ ଆୟୁବ, ଏଥିରେ କର୍ଣ୍ଣପାତ କର; ସ୍ଥିର ହୋଇ ଠିଆ ହୁଅ ଓ ପରମେଶ୍ୱରଙ୍କ ଆଶ୍ଚର୍ଯ୍ୟକ୍ରିୟାସବୁ ବିବେଚନା କର। 15ପରମେଶ୍ୱର କିପରି ସେମାନଙ୍କ ଉପରେ ଆପଣା ଆଜ୍ଞାଭାର ଥୁଅନ୍ତି ଓ ଆପଣା ମେଘର ବିଜୁଳିକୁ ଦୀପ୍ତିମାନ କରନ୍ତି, ଏହା କି ତୁମ୍ଭେ ଜାଣ ? 16ତୁମ୍ଭେ କି ମେଘମାଳର ସମତୌଲ, ପରମ ଜ୍ଞାନୀଙ୍କର ଆଶ୍ଚର୍ଯ୍ୟକ୍ରିୟାସବୁ ଜାଣ ? 17ଦକ୍ଷିଣ ବାୟୁ ସକାଶୁ ପୃଥିବୀ ସ୍ତବ୍ଧ ଥିବା ବେଳେ ତୁମ୍ଭର ବସ୍ତ୍ର କିପରି ଉଷ୍ଣ ହୁଏ ? 18ତୁମ୍ଭେ କି ଛାଞ୍ଚରେ ଢଳା ଦର୍ପଣ ପରି ଦୃଢ ଆକାଶମଣ୍ଡଳକୁ ତାହାଙ୍କ ସଙ୍ଗେ ବିସ୍ତାର କରିପାର ? 19ତାହାଙ୍କୁ କଅଣ କହିବା, ତାହା ଆମ୍ଭମାନଙ୍କୁ ଶିଖାଅ; କାରଣ ଅନ୍ଧକାର ସକାଶୁ ଆମ୍ଭେମାନେ ଆପଣା କଥା ସଜାଇ ପାରୁ ନାହୁଁ। 20ମୁଁ କଥା କହିବାକୁ ଇଚ୍ଛା କରେ ବୋଲି କି ତାହାଙ୍କୁ କୁହାଯିବ ? ଅବା କୌଣସି ମନୁଷ୍ୟ କି ଗ୍ରାସି ହୋଇ ଯିବାକୁ ଇଚ୍ଛା କରିବ ? 21ପୁଣି, ଏତେବେଳେ ଲୋକମାନେ ଆକାଶସ୍ଥ ତେଜସ୍କର ଦୀପ୍ତି ଦେଖନ୍ତି ନାହିଁ; ମାତ୍ର ବାୟୁ ବହି ତାହା ପରିଷ୍କାର କରେ। 22ଉତ୍ତର ଦିଗରୁ ସୁବର୍ଣ୍ଣମୟ ଆଭା ଆସେ; ପରମେଶ୍ୱରଙ୍କଠାରେ ଭୟାନକ ମହତ୍ତ୍ୱ ଥାଏ। 23ସର୍ବଶକ୍ତିମାନ ପରମେଶ୍ଵର ! ଆମ୍ଭେମାନେ ତାହାଙ୍କର ଉଦ୍ଦେଶ୍ୟ ପାଇ ନ ପାରୁ; ସେ ପରାକ୍ରମରେ ଶ୍ରେଷ୍ଠ; ପୁଣି, ସେ ବିଚାର ଓ ପ୍ରଚୁର ନ୍ୟାୟଗୁଣ ହେତୁ କ୍ଳେଶ ଦେବେ ନାହିଁ। 24ଏଣୁ ନରଗଣ ତାହାଙ୍କୁ ଭୟ କରନ୍ତି; ଯେଉଁମାନେ ଅନ୍ତଃକରଣରେ ଜ୍ଞାନୀ, ସେ ସେମାନଙ୍କର ମୁଖାପେକ୍ଷା କରନ୍ତି ନାହିଁ।”
38ଆୟୁବଙ୍କୁ ପରମେଶ୍ୱରଙ୍କ ଉତ୍ତର
1ଏଥିଉତ୍ତାରେ ସଦାପ୍ରଭୁ ଘୂର୍ଣ୍ଣିବାୟୁ ମଧ୍ୟରୁ ଆୟୁବକୁ ଉତ୍ତର ଦେଇ କହିଲେ, 2“ଏ କିଏ ଯେ, ଜ୍ଞାନରହିତ କଥା ଦ୍ୱାରା ମନ୍ତ୍ରଣାକୁ ଅନ୍ଧକାରମୟ କରୁଅଛି ? 3ଏବେ ତୁମ୍ଭେ ବୀର ପରି ଆପଣା କଟି ବାନ୍ଧ, କାରଣ ଆମ୍ଭେ ତୁମ୍ଭକୁ ପ୍ରଶ୍ନ କରିବା ଓ ତୁମ୍ଭେ ଆମ୍ଭକୁ ବୁଝାଇ ଦିଅ। 4ଯେତେବେଳେ ଆମ୍ଭେ ପୃଥିବୀର ଭିତ୍ତିମୂଳ ସ୍ଥାପନ କଲୁ, ସେତେବେଳେ ତୁମ୍ଭେ କେଉଁଠାରେ ଥିଲ ? ବୁଦ୍ଧି ଥିଲେ, ବୁଝାଇ ଦିଅ। 5ତୁମ୍ଭେ କି ଜାଣ, କିଏ ତହିଁର ପରିମାଣ ନିରୂପଣ କଲା ? ଅବା କିଏ ତହିଁ ଉପରେ ପରିମାପକ ରଜ୍ଜୁ ପ୍ରସାରିଲା ? 6କାହା ଉପରେ ତହିଁର ଭିତ୍ତିମୂଳ ଦୃଢ଼ୀକୃତ ହେଲା ? ଅବା ପ୍ରଭାତୀୟ ନକ୍ଷତ୍ରଗଣ ଏକ ସଙ୍ଗେ ଗାନ କରିବା ବେଳେ 7ଓ ପରମେଶ୍ୱରଙ୍କ ଦୂତଗଣ ଆନନ୍ଦରେ ଜୟଧ୍ୱନି କରିବା ବେଳେ କିଏ ତହିଁର କୋଣ ପ୍ରସ୍ତର ବସାଇଲା ? 8ଅବା ଯେତେବେଳେ ଗର୍ଭରୁ ନିର୍ଗତ ହେବା ତୁଲ୍ୟ ସମୁଦ୍ର ବାହାରିଲା, ଯେତେବେଳେ ଆମ୍ଭେ ମେଘକୁ ତହିଁର ବସ୍ତ୍ର ସ୍ୱରୂପ 9ଓ ନିବିଡ଼ ଅନ୍ଧକାରକୁ ତହିଁର ଗୁଡ଼ାଇବା ବସ୍ତ୍ର ସ୍ୱରୂପ କଲୁ, 10ପୁଣି ତହିଁ ନିମନ୍ତେ ଆମ୍ଭେ ଆପଣା ବିଧି ନିରୂପଣ କରି ଅର୍ଗଳ ଓ କବାଟ ସ୍ଥାପନ କଲୁ, 11ତୁମ୍ଭେ ଏପର୍ଯ୍ୟନ୍ତ ଆସିବ, ମାତ୍ର ଆଉ ବଢ଼ିବ ନାହିଁ ଓ ଏହିଠାରେ ତୁମ୍ଭର ଗର୍ବିତ ତରଙ୍ଗ ନିବାରିତ ହେବ ବୋଲି କହିଲୁ; ସେତେବେଳେ କିଏ କବାଟ ଦେଇ ସମୁଦ୍ରକୁ ରୁଦ୍ଧ କଲା ? 12ଯେପରି ପ୍ରଭାତ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଅବଲମ୍ବନ କରିବ ଓ ଦୁଷ୍ଟମାନେ ପୃଥିବୀରୁ ଝଡ଼ି ପଡ଼ିବେ; 13ଏଥିପାଇଁ ତୁମ୍ଭେ କି ଆପଣା ଦିନର ଆରମ୍ଭଠାରୁ ପ୍ରଭାତକୁ ଆଜ୍ଞା ଦେଉଅଛ ଓ ଅରୁଣକୁ ତହିଁର ଉଦୟ ସ୍ଥାନ ଜଣାଇଅଛ ? 14ମୋହରାଙ୍କିତ ମୃତ୍ତିକା ତୁଲ୍ୟ ତାହା ରୂପାନ୍ତରିତ ହୁଏ; ଓ ସକଳ ପଦାର୍ଥ ବସ୍ତ୍ର ତୁଲ୍ୟ ଦେଖାଯାଏ; 15ଦୁଷ୍ଟମାନଙ୍କଠାରୁ ସେମାନଙ୍କ ଦୀପ୍ତି ନିବାରିତ ହୁଏ ଓ ଉଚ୍ଚ ବାହୁ ଭଗ୍ନ ହୁଏ। 16ତୁମ୍ଭେ କି ସମୁଦ୍ରର ଝର ପର୍ଯ୍ୟନ୍ତ ପ୍ରବେଶ କରିଅଛ ? ଅବା ତୁମ୍ଭେ କି ବାରିଧିର ଗୁପ୍ତସ୍ଥଳୀମାନଙ୍କରେ ଗତାୟାତ କରିଅଛ ? 17ତୁମ୍ଭ ନିକଟରେ କି ମୃତ୍ୟୁୁର ଦ୍ୱାରସବୁ ପ୍ରକାଶିତ ହୋଇଅଛି ? ଅବା ତୁମ୍ଭେ କି ମୃତ୍ୟୁୁଚ୍ଛାୟାର ଦ୍ୱାରସବୁ ଦେଖିଅଛ ? 18ତୁମ୍ଭେ କି ପୃଥିବୀର ବିସ୍ତୃତି ବୁଝିଅଛ ? ଏସବୁ ଯଦି ଜାଣ, ପ୍ରକାଶ କର। 19ଦୀପ୍ତିର ବାସସ୍ଥାନକୁ ପଥ କାହିଁ ? ଓ ଅନ୍ଧକାରର ସ୍ଥାନ କେଉଁଠାରେ ? 20ତୁମ୍ଭେ କି ତହିଁର ସୀମାକୁ ତାହାକୁ ନେଇପାର ? ଓ ତହିଁର ଗୃହ-ପଥ କି ଚିହ୍ନିପାର ? 21ସନ୍ଦେହ ନାହିଁ, ତୁମ୍ଭେ ଜାଣ, କାରଣ ସେତେବେଳେ ତୁମ୍ଭେ ଜନ୍ମ ହୋଇଥିଲ ଓ ତୁମ୍ଭ ଦିନର ସଂଖ୍ୟା ବହୁତ ! 22ତୁମ୍ଭେ ହିମ ଭଣ୍ଡାରରେ ପ୍ରବେଶ କରିଅଛ ? ଅବା ଆମ୍ଭେ ସଙ୍କଟକାଳ ଓ ସଂଗ୍ରାମ ଓ ଯୁଦ୍ଧ ଦିନ ନିମନ୍ତେ ଯେଉଁ ଶିଳାବୃଷ୍ଟି ସଞ୍ଚୟ କରିଅଛୁ, 23ତହିଁର ଭଣ୍ଡାର କି ତୁମ୍ଭେ ଦେଖିଅଛ ? 24କେଉଁ ପଥରେ ଦୀପ୍ତି ବିଭକ୍ତ ହୁଏ, ଅବା ପୂର୍ବୀୟ ବାୟୁ ପୃଥିବୀରେ ବ୍ୟାପ୍ତ ହୁଏ ? 25ଜଳପ୍ଳାବନ ନିମନ୍ତେ ପ୍ରଣାଳୀ ଓ ମେଘଗର୍ଜ୍ଜନର ବିଜୁଳି ନିମନ୍ତେ ପଥ କାଟି 26କିଏ ପୃଥିବୀର ନିର୍ଜନ ସ୍ଥାନରେ ଓ ନରଶୂନ୍ୟ ପ୍ରାନ୍ତରରେ ବର୍ଷାଇବାକୁ, 27ମରୁଭୂମି ଓ ଶୁଷ୍କସ୍ଥାନ ତୃପ୍ତ କରିବାକୁ ଓ କୋମଳ ତୃଣ ଅଙ୍କୁରିତ ହେବାକୁ ଦିଅନ୍ତି ? 28ବୃଷ୍ଟିର କି ପିତା ଅଛି ? ଅବା କିଏ ଶିଶିର ବିନ୍ଦୁସବୁ ଜାତ କରିଅଛି ? 29କାହାର ଗର୍ଭରୁ ହିମାନୀ ନିର୍ଗତ ହୋଇଅଛି ? ଓ କିଏ ଆକାଶର ତୁଷାରକୁ ଜନ୍ମ ଦେଇଅଛି ? 30ଜଳରାଶି ପ୍ରସ୍ତରାଚ୍ଛାଦିତ ହେଲା ପରି ହୁଏ ଓ ବାରିଧିର ଉପର ଭାଗ ଜମାଟ ହୁଏ। 31ତୁମ୍ଭେ କି କୃତ୍ତିକା-ନକ୍ଷତ୍ରପୁଞ୍ଜ ବାନ୍ଧିପାର ? ଓ ମୃଗଶୀର୍ଷର ବନ୍ଧନ ଫିଟାଇପାର ? 32ତୁମ୍ଭେ କି ରାଶିଗଣକୁ ସ୍ୱ ସ୍ୱ ଋତୁରେ ଚଳାଇପାର ? ଅବା ତୁମ୍ଭେ କି ସ୍ୱାତୀ ଓ ତହିଁର ସହଚରଗଣକୁ ପଥ ଦେଖାଇପାର ? 33ତୁମ୍ଭେ କି ଆକାଶମଣ୍ଡଳର ବିଧାନସବୁ ଜାଣ ? ତୁମ୍ଭେ କି ପୃଥିବୀରେ ତହିଁର କର୍ତ୍ତୃତ୍ୱ ସ୍ଥାପନ କରିପାର ? 34ଯେପରି ଅପାର ଜଳ ତୁମ୍ଭକୁ ଆଚ୍ଛନ୍ନ କରି ପାରିବ, ଏଥିପାଇଁ ତୁମ୍ଭେ କି ମେଘ ପର୍ଯ୍ୟନ୍ତ ଆପଣା ରବ ଉଠାଇପାର ? 35ବିଜୁଳି ଯେପରି ଯିବେ ଓ ତୁମ୍ଭକୁ କହିବେ, ଆମ୍ଭେମାନେ ଏଠାରେ ଅଛୁ, ଏଥିପାଇଁ କି ତୁମ୍ଭେ ସେମାନଙ୍କୁ ପଠାଇପାର ? 36କିଏ ଅନ୍ତରେ ଜ୍ଞାନ ସ୍ଥାପନ କରିଅଛି ? ଅବା ମନକୁ କିଏ ବୁଦ୍ଧି ଦେଇଅଛି ? 37କିଏ ଜ୍ଞାନ ଦ୍ୱାରା ମେଘମାଳ ଗଣନା କରିପାରେ ? 38ଧୂଳୀ ରାଶୀକୃତ ହୋଇ ଟେଳା ବାନ୍ଧିବା ବେଳେ କିଏ ଆକାଶସ୍ଥ କୁମ୍ପାସବୁ ଢାଳି ଦେଇପାରେ ? 39ତୁମ୍ଭେ କି ସିଂହୀ ପାଇଁ ଶିକାର ଖୋଜିବ ? ଅବା ଯୁବା ସିଂହମାନେ ଆପଣା ଆପଣା ଗୁହାରେ ଶୟନ କଲା ବେଳେ ଓ ଛକି ବସିବା ପାଇଁ ଗୁପ୍ତ ସ୍ଥାନରେ ଥିବା ବେଳେ 40ତୁମ୍ଭେ କି ସେମାନଙ୍କ କ୍ଷୁଧା ନିବାରଣ କରିପାର ? 41ଡାମରା କାଉର ଛୁଆମାନେ ପରମେଶ୍ୱରଙ୍କ ନିକଟରେ ରାବ କରି ଖାଦ୍ୟ ଅଭାବରେ ଭ୍ରମଣ କଲା ବେଳେ କିଏ ତାହାକୁ ଆହାର ଯୋଗାଇ ଦିଏ ?
391ତୁମ୍ଭେ କି ଶୈଳବାସିନୀ ବନ୍ୟ ଛାଗୀର ପ୍ରସବ କାଳ ଜାଣ ? ଅବା ହରିଣୀର ପ୍ରସବରୀତି ନିର୍ଣ୍ଣୟ କରିପାର ? 2ତୁମ୍ଭେ କି ସେମାନଙ୍କର ଗର୍ଭମାସ ଗଣନା କରିପାର ? ସେମାନଙ୍କର ପ୍ରସବ-ସମୟ କି ତୁମ୍ଭେ ଜାଣ ? 3ସେମାନେ ନଇଁ ପଡ଼ିଲେ, ଛୁଆ ପ୍ରସବ କରି ଆପଣା ଦୁଃଖ ଦୂର କରନ୍ତି। 4ସେମାନଙ୍କ ଛୁଆମାନେ ହୃଷ୍ଟପୁଷ୍ଟ ହୁଅନ୍ତି, ମେଲା ପଦାରେ ବଢ଼ନ୍ତି; ସେମାନେ ବାହାରି ଯାଇ ଆସନ୍ତି ନାହିଁ। 5କିଏ ବନ୍ୟ ଗର୍ଦ୍ଦଭକୁ ସ୍ୱାଧୀନ କରି ଛାଡ଼ି ଦେଇଅଛି ? ଅବା କିଏ ବନ୍ୟ ଗର୍ଦ୍ଦଭର ବନ୍ଧନ ମୁକ୍ତ କରିଅଛି ? 6ଆମ୍ଭେ ବନକୁ ତାହାର ଗୃହ ଓ ଲବଣ ଭୂମିକୁ ତାହାର ନିବାସ ସ୍ଥାନ କରିଅଛୁ। 7ସେ ନଗରର ଚହଳ ତୁଚ୍ଛ କରେ, କିଅବା ଅଡ଼ାଇବା ଲୋକର ଉଚ୍ଚ ଶବ୍ଦ ଶୁଣେ ନାହିଁ। 8ପର୍ବତଶ୍ରେଣୀ ତାହାର ଚରାସ୍ଥାନ ଓ ସେ ସର୍ବପ୍ରକାର ସତେଜ ତୃଣାଦି ଅନ୍ଵେଷଣ କରେ। 9ଅରଣା ଷଣ୍ଢ କି ତୁମ୍ଭର ସେବା କରିବାକୁ ସନ୍ତୁଷ୍ଟ ହେବ ? ଅବା ସେ କି ତୁମ୍ଭ କୁଣ୍ଡ ପାଖରେ ରହିବ ? 10ତୁମ୍ଭେ କି ଅରଣା ଷଣ୍ଢକୁ ତାହାର ବନ୍ଧନରେ ବାନ୍ଧି ଲଙ୍ଗଳଶିଆରରେ ଚଳାଇପାର ? ଅବା ସେ କି ତୁମ୍ଭ ପଛେ ପଛେ ଉପତ୍ୟକାରେ ମଇ ଦେବ ? 11ତାହାର ବହୁତ ବଳ ଥିବାରୁ ତୁମ୍ଭେ କି ତାହାକୁ ବିଶ୍ୱାସ କରିବ ? ଅବା ତୁମ୍ଭେ କି ଆପଣା କର୍ମ ତାହାକୁ ସମର୍ପଣ କରିବ ? 12ସେ ତୁମ୍ଭ ଶସ୍ୟ ଗୃହକୁ ଆଣିବ ଓ ତୁମ୍ଭ ଖଳାର ଶସ୍ୟ ସଂଗ୍ରହ କରିବ ବୋଲି କି ତୁମ୍ଭେ ତାହାଠାରେ ନିର୍ଭର କରିବ ? 13ଓଟପକ୍ଷୀଣୀର ପକ୍ଷ ଉଲ୍ଲାସ କରେ; ମାତ୍ର ତାହାର ଡେଣା ଓ ପର କି ସ୍ନେହଶୀଳ ? 14କାରଣ ସେ ଭୂମିରେ ଆପଣା ଅଣ୍ଡା ଛାଡ଼େ ଓ ଧୂଳିରେ ତାହା ଉଷ୍ଣ କରେ, 15ଆଉ ପାଦରେ ତାହା ଭଗ୍ନ ଅବା ବନ୍ୟ ପଶୁ ଦ୍ୱାରା ତାହା ଦଳିତ ହେବ ବୋଲି ପାସୋରି ଯାଏ। 16ତାହାର ଛୁଆମାନେ ତାହାର ନିଜର ନ ଥିଲା ପରି ସେ ସେମାନଙ୍କ ପ୍ରତି ନିର୍ଦ୍ଦୟ ହୁଏ; ତାହାର ପ୍ରସବବେଦନା ବିଫଳ ହେଲେ ହେଁ ସେ ନିଶ୍ଚିନ୍ତ ଥାଏ; 17କାରଣ ପରମେଶ୍ୱର ତାହାକୁ ଜ୍ଞାନରହିତ କରିଅଛନ୍ତି, ଅଥବା ସେ ତାହାକୁ ବୁଦ୍ଧି ଦେଇ ନାହାନ୍ତି। 18ସେ ଉପରକୁ ଉଠିଲେ, ଅଶ୍ୱ ଓ ଅଶ୍ୱାରୋହୀକି ପରିହାସ କରେ। 19ତୁମ୍ଭେ କି ଅଶ୍ୱକୁ ତାହାର ବିକ୍ରମ ଦେଇଅଛ ? ତୁମ୍ଭେ କି କମ୍ପମାନ କେଶରରେ ତାହାର ଗ୍ରୀବାଦେଶ ଭୂଷିତ କରିଅଛ ? 20ତୁମ୍ଭେ କି ତାହାକୁ ପଙ୍ଗପାଳ ପରି କୁଦିବାକୁ ଦେଇଅଛ ? ତାହାର ନାସାଶବ୍ଦର ତେଜ ଭୟାନକ। 21ସେ ଉପତ୍ୟକାରେ ଖୁରା ମାରେ ଓ ଆପଣା ବଳରେ ଆନନ୍ଦ କରନ୍ତେ ସେ ସସଜ୍ଜ ଯୋଦ୍ଧାମାନଙ୍କୁ ଭେଟିବାକୁ ଯାଏ। 22ସେ ଭୟକୁ ପରିହାସ କରେ ଓ ଉଦ୍ବିଗ୍ନ ହୁଏ ନାହିଁ; କିଅବା ଖଡ୍ଗ ସମ୍ମୁଖରୁ ଫେରେ ନାହିଁ। 23ତୂଣ, ଝଲମଲ ବର୍ଚ୍ଛା ଓ ଶୂଳ ତାହା ପ୍ରତିକୂଳରେ ଝନ୍ଝନ୍ ଶବ୍ଦ କରେ। 24ସେ ପ୍ରଚଣ୍ଡତା ଓ କ୍ରୋଧରେ ଭୂମି ଗ୍ରାସି ପକାଏ; କିଅବା ଏହା ତୂରୀଶବ୍ଦ ବୋଲି ବିଶ୍ୱାସ କରେ ନାହିଁ। 25ଯେତେ ଥର ତୂରୀ ବାଜେ, ସେତେଥର ସେ ହିଁ ହିଁ ଶବ୍ଦ କରେ ! ଓ ସେ ଦୂରରୁ ସଂଗ୍ରାମର, ସେନାପତିମାନଙ୍କର ହୁଙ୍କାର ଓ ସିଂହନାଦର ଗନ୍ଧ ପାଏ। 26ତୁମ୍ଭ ଜ୍ଞାନରେ କି ବାଜପକ୍ଷୀ ଉପରକୁ ଉଡ଼େ ଓ ଦକ୍ଷିଣ ଦିଗକୁ ଆପଣା ପକ୍ଷ ବିସ୍ତାର କରେ ? 27ଉତ୍କ୍ରୋଶ ପକ୍ଷୀ ତୁମ୍ଭ ଆଜ୍ଞାରେ କି ଉପରକୁ ଉଠେ ଓ ଊର୍ଦ୍ଧ୍ୱରେ ଆପଣା ବସା କରେ ? 28ସେ ଶୈଳରେ ବାସ କରେ, ସେଠାରେ ତାହାର ବସା, ସେ ଶୈଳାଗ୍ରରେ ଓ ଦୁର୍ଗମ ସ୍ଥାନରେ ଥାଏ। 29ସେଠାରୁ ସେ ଶିକାର ନିରୀକ୍ଷଣ କରେ; ତାହାର ଚକ୍ଷୁ ଦୂରରୁ ତାହା ଦେଖେ। 30ତାହାର ଛୁଆମାନେ ମଧ୍ୟ ରକ୍ତ ଚୁଷନ୍ତି; ଯେଉଁଠାରେ ହତ ଲୋକ, ସେହିଠାରେ ସେ ଥାଏ।”
401ଆହୁରି, ସଦାପ୍ରଭୁ ଆୟୁବକୁ ଉତ୍ତର କରି କହିଲେ, 2“ଦୋଷାନ୍ଵେଷୀ ଲୋକ କି ସର୍ବଶକ୍ତିମାନଙ୍କ ସହିତ ବିବାଦ କରିବ ? ଯେ ପରମେଶ୍ୱରଙ୍କ ସଙ୍ଗେ ଯୁକ୍ତି କରେ, ସେ ଏଥିର ଉତ୍ତର ଦେଉ।”
ଆୟୁବଙ୍କ ନିରବତାର ପ୍ରତିଜ୍ଞା
3ତହୁଁ ଆୟୁବ ସଦାପ୍ରଭୁଙ୍କୁ ଉତ୍ତର ଦେଇ କହିଲା, 4“ଦେଖ, ମୁଁ ଅକିଞ୍ଚନା; ତୁମ୍ଭକୁ କି ଉତ୍ତର ଦେବି ? ମୁଁ ନିଜ ମୁଖରେ ଆପଣା ହାତ ଦିଏ। 5ମୁଁ ଥରେ କଥା କହିଅଛି, ପୁଣି ଉତ୍ତର ଦେବି ନାହିଁ; ହଁ, ଦୁଇଥର କହିଅଛି, ମାତ୍ର ଆଉ ଅଧିକ ବଢ଼ିବି ନାହିଁ।”
ଆୟୁବଙ୍କୁ ପରମେଶ୍ୱରଙ୍କ ଆହ୍ୱାନ
6ଏଥିଉତ୍ତାରେ ସଦାପ୍ରଭୁ ଘୂର୍ଣ୍ଣିବାୟୁ ମଧ୍ୟରୁ ଆୟୁବକୁ ଉତ୍ତର ଦେଇ କହିଲେ, 7“ତୁମ୍ଭେ ବୀର ପରି ଆପଣା କଟି ବାନ୍ଧ; ଆମ୍ଭେ ତୁମ୍ଭକୁ ପ୍ରଶ୍ନ କରିବା, ତୁମ୍ଭେ ଆମ୍ଭକୁ ବୁଝାଇ ଦିଅ। 8ତୁମ୍ଭେ କି ଆମ୍ଭର ବିଚାର ବ୍ୟର୍ଥ କରିବ ? ତୁମ୍ଭେ ଧାର୍ମିକ ଗଣିତ ହେବା ପାଇଁ କି ଆମ୍ଭକୁ ଦୋଷୀ କରିବ ? 9ଅବା ତୁମ୍ଭର ବାହୁ କି ପରମେଶ୍ୱରଙ୍କ ବାହୁ ତୁଲ୍ୟ ? ଓ ତୁମ୍ଭେ କି ତାହାଙ୍କ ତୁଲ୍ୟ ରବ କରି ଗର୍ଜ୍ଜନ କରିପାର ? 10ତେବେ, ତୁମ୍ଭେ ପ୍ରାଧାନ୍ୟ ଓ ମହତ୍ତ୍ୱରେ ବିଭୂଷିତ ହୁଅ; ପୁଣି, ସମ୍ଭ୍ରମ ଓ ପ୍ରତାପ ପରିଧାନ କର। 11ତୁମ୍ଭେ ଆପଣା ଉଚ୍ଛଳିତ କ୍ରୋଧ ଢାଳି ପକାଅ ଓ ପ୍ରତ୍ୟେକ ଅହଙ୍କାରୀକୁ ଅନାଇ ତାହାକୁ ନତ କର। 12ପ୍ରତ୍ୟେକ ଗର୍ବୀକୁ ଅନାଇ ତାହାକୁ ନତ କର; ଦୁଷ୍ଟମାନଙ୍କୁ ସେମାନଙ୍କ ଠିଆ ହେବା ସ୍ଥାନରେ ଦଳି ପକାଅ। 13ସେମାନଙ୍କୁ ଏକତ୍ର ଧୂଳିରେ ଲୁଚାଇ ଦିଅ; ଗୁପ୍ତ ସ୍ଥାନରେ40:13 ଗୁପ୍ତ ସ୍ଥାନରେ ଅର୍ଥାତ୍ ସିଓଲ୍ କିମ୍ବା ମୃତ୍ୟୁ ସ୍ଥାନ ସେମାନଙ୍କ ମୁଖ ବାନ୍ଧି ପକାଅ। 14ତେବେ ତୁମ୍ଭ ଦକ୍ଷିଣ ହସ୍ତ ଯେ ତୁମ୍ଭକୁ ଉଦ୍ଧାର କରିପାରେ, ଆମ୍ଭେ ହିଁ ତୁମ୍ଭ ବିଷୟରେ ଏହା ସ୍ୱୀକାର କରିବା। 15ବହେମୋତକୁ40:15 ବହେମୋତକୁ ଏକ ବୃହତ ପଶୁ ଯାହା ଏକ ଜଳହସ୍ତୀ ପରି ଦେଖ, ଆମ୍ଭେ ତୁମ୍ଭ ସଙ୍ଗେ ତାହାକୁ ସୃଷ୍ଟି କରିଅଛୁ; ସେ ଗୋରୁ ପରି ତୃଣ ଖାଏ। 16ଦେଖ, ତାହାର କଟିଦେଶରେ ତାହାର ବଳ ଥାଏ ଓ ତାହାର ଉଦରସ୍ଥ ପେଶୀରେ ତାହାର ଶକ୍ତି ଥାଏ। 17ସେ ଏରସ ବୃକ୍ଷ ପରି ଆପଣା ଲାଙ୍ଗୁଳ ହଲାଏ; ତାହାର ଊରୁଦେଶର ଶିରାସବୁ ଏକତ୍ର ସଂଯୁକ୍ତ। 18ତାହାର ଅସ୍ଥିସବୁ ପିତ୍ତଳର ନଳ ପରି; ତାହାର ଅଙ୍ଗପ୍ରତ୍ୟଙ୍ଗ ଲୁହାର ଅର୍ଗଳ ପରି। 19ସେ ପରମେଶ୍ୱରଙ୍କ କାର୍ଯ୍ୟ ମଧ୍ୟରେ ଅଗ୍ରଗଣ୍ୟ; ଯେ ତାହାକୁ ସୃଷ୍ଟି କଲେ, କେବଳ ତାହାଙ୍କର ଖଡ୍ଗ ତାହାକୁ ସ୍ପର୍ଶ କରିପାରେ। 20ଆହୁରି, ପର୍ବତଗଣ ତାହା ପାଇଁ ଖାଦ୍ୟ ଉତ୍ପନ୍ନ କରନ୍ତି, ସେଠାରେ ବନ୍ୟ ପଶୁ ସମସ୍ତେ କ୍ରୀଡ଼ା କରନ୍ତି। 21ସେ ନଳବନ ଭିତରେ ଓ ଝିଲରେ ପଦ୍ମବୃକ୍ଷ ତଳେ ଶୟନ କରେ। 22ପଦ୍ମବୃକ୍ଷ ଆପଣା ଛାୟାରେ ତାହାକୁ ଆଚ୍ଛନ୍ନ କରେ; ନଦୀର ବାଇଶ ବୃକ୍ଷ ତାହାର ଚତୁର୍ଦ୍ଦିଗରେ ଥାଏ। 23ଦେଖ, ନଦୀ ବଢ଼ିଲେ, ସେ କମ୍ପିତ ହୁଏ ନାହିଁ; ଯର୍ଦ୍ଦନ ତାହାର ମୁଖ ସରିକି ବଢ଼ିଲେ ହେଁ ସେ ସୁସ୍ଥିର ଥାଏ। 24ସେ ଜାଗ୍ରତ ଥିବା ବେଳେ କେହି କି ତାକୁ ଧରିବ ? ଅବା ରଜ୍ଜୁ ଦ୍ୱାରା ତାହାର ନାସିକା ଫୋଡ଼ିବ ?
411ତୁମ୍ଭେ କି ବନଶୀ ଦ୍ୱାରା ଲିବିୟାଥନ41:1 ଲିବିୟାଥନ ହୋଇପାରେ ଏକ କୁମ୍ଭୀରକୁ ଓଟାରି ପାର ? ଅବା ରଜ୍ଜୁରେ ତାହାର ଜିହ୍ୱା ତଳକୁ ଚାପିପାର ? 2ତୁମ୍ଭେ କି ତାହାର ନାସାରେ ଦଉଡ଼ି ଦେଇପାର ? ଅବା ଅଙ୍କୁଶରେ ତାହାର ଥୋମଣୀ ଫୋଡ଼ିପାର ? 3ସେ କି ତୁମ୍ଭ ନିକଟରେ ଅନେକ ବିନତି କରିବ ? ଅବା ସେ କି ତୁମ୍ଭକୁ କୋମଳ କଥା କହିବ ? 4ତୁମ୍ଭେ ତାହାକୁ ଚିରକାଳ ଦାସ କରି ରଖିବା ପାଇଁ ସେ କି ତୁମ୍ଭ ସଙ୍ଗେ ନିୟମ କରିବ ? 5ପକ୍ଷୀ ସଙ୍ଗେ ଖେଳିଲା ପରି ତୁମ୍ଭେ କି ତାହା ସଙ୍ଗେ ଖେଳିବ ? ଅବା ତୁମ୍ଭେ କି ଆପଣା ବାଳିକାମାନଙ୍କ ନିମନ୍ତେ ତାହାକୁ ବାନ୍ଧି ରଖିବ ? 6ମତ୍ସ୍ୟଧାରୀଦଳ କି ତାହାକୁ ବାଣିଜ୍ୟ ଦ୍ରବ୍ୟ କରିବେ ? ସେମାନେ କି ବଣିକମାନଙ୍କ ମଧ୍ୟରେ ତାହାକୁ ଭାଗବିଭାଗ କରିବେ ? 7ତୁମ୍ଭେ କି ଲୌହ ଅଙ୍କୁଶରେ ତାହାର ଚର୍ମ, ଅବା ତେଣ୍ଟାରେ ତାହାର ମସ୍ତକ ବିନ୍ଧିପାର ? 8ତାହା ଉପରେ ତୁମ୍ଭେ ହସ୍ତକ୍ଷେପ କର; ଯୁଦ୍ଧ ସ୍ମରଣ କର, ପୁଣି ସେପରି ଆଉ କର ନାହିଁ। 9ଦେଖ, ତାହା ବିଷୟକ ପ୍ରତ୍ୟାଶା ବୃଥା; କେହି ତାହାକୁ ଦେଖିବା ମାତ୍ର କି ତଳେ ପଡ଼ିଯିବ ନାହିଁ ? 10ତାହାକୁ ଯେ ଜଗାଇବ, ଏପରି ସାହସିକ କେହି ନାହିଁ; ତେବେ ଆମ୍ଭ ସମ୍ମୁଖରେ କିଏ ଛିଡ଼ା ହୋଇପାରେ ? 11କିଏ ଆଗେ ଆମ୍ଭକୁ ଦେଇଅଛି ଯେ, ଆମ୍ଭେ ତାହାକୁ ପରିଶୋଧ କରିବା ? ସମୁଦାୟ ଆକାଶମଣ୍ଡଳ ତଳେ ଯାହା କିଛି ଅଛି, ସବୁ ହିଁ ଆମ୍ଭର। 12ତାହାର ଅଙ୍ଗପ୍ରତ୍ୟଙ୍ଗ, ଅବା ମହାପରାକ୍ରମ, ଅବା ତାହାର ସୁନ୍ଦର ଗଠନ ବିଷୟରେ ଆମ୍ଭେ ନୀରବ ରହିବା ନାହିଁ। 13ତାହାର ବାହାର ବସ୍ତ୍ର କିଏ କାଢ଼ିପାରେ ? କିଏ ତାହାର ଦନ୍ତଶ୍ରେଣୀଦ୍ୱୟ ମଧ୍ୟକୁ ଆସିବ ?” 14କିଏ ତାହାର ମୁଖରୁ କବାଟ ଫିଟାଇପାରେ ? ତାହାର ଦନ୍ତର ଚତୁର୍ଦ୍ଦିଗରେ ତ୍ରାସ ଥାଏ। 15ତାହାର ଶକ୍ତ କାତିସବୁ ତାହାର ଦର୍ପର ବିଷୟ, ତାହା ଦୃଢ଼ ରୂପେ ମୋହରାଙ୍କିତ ହେଲା ପରି ଏକତ୍ର ବନ୍ଦ ହୋଇଅଛି। 16ଏକ ଆରେକର ଏତେ ନିକଟ ଯେ, ବାୟୁ ତହିଁରେ ପ୍ରବେଶ କରି ପାରେ ନାହିଁ। 17ତାହାସବୁ ପରସ୍ପର ସଂଯୁକ୍ତ; ତାହାସବୁ ଏପରି ଏକତ୍ର ଲାଗି ରହିଅଛି ଯେ, ଭିନ୍ନ କରାଯାଇ ପାରେ ନାହିଁ। 18ତାହାର ଛିଙ୍କରୁ ଆଲୁଅ ଝଟକେ ଓ ତାହାର ଚକ୍ଷୁ ଅରୁଣର ଚକ୍ଷୁପତା ସଦୃଶ। 19ତାହାର ମୁଖରୁ ଜ୍ୱଳ; ମଶାଲ ନିର୍ଗତ ହୁଏ ଓ ଅଗ୍ନିକଣା ଉଡ଼େ। 20ଯେପରି ରନ୍ଧାହାଣ୍ଡିରୁ ଓ ଜ୍ୱଳନ୍ତ ତୃଣରୁ, ସେପରି ତାହାର ନାସାରନ୍ଧ୍ରରୁ ଧୂମ ନିର୍ଗତ ହୁଏ। 21ତାହାର ନିଶ୍ୱାସ ଅଙ୍ଗାର ଜ୍ୱଳାଏ ଓ ତାହାର ମୁଖରୁ ଅଗ୍ନିଶିଖା ନିର୍ଗତ ହୁଏ। 22ତାହାର ଗ୍ରୀବାରେ ଶକ୍ତି ଅବସ୍ଥିତି କରେ ଓ ତାହା ସମ୍ମୁଖରେ ତ୍ରାସ ନୃତ୍ୟ କରେ। 23ତାହାର ମାଂସର ପରସ୍ତ ଏକତ୍ର ସଂଯୁକ୍ତ ଥାଏ; ତାହାସବୁ ତାହା ଉପରେ ଦୃଢ଼ବଦ୍ଧ ଥାଏ; ତାହାସବୁ ଘୁଞ୍ଚାଯାଇ ପାରେ ନାହିଁ। 24ତାହାର ହୃଦୟ ପ୍ରସ୍ତର ପରି ଦୃଢ଼ ଓ ଚକିର ତଳପଟ ପରି ଦୃଢ଼। 25ସେ ଉଠିଲେ, ବିକ୍ରମୀମାନେ ଭୟଗ୍ରସ୍ତ ହୁଅନ୍ତି; ଭୟ ସକାଶୁ ସେମାନେ ହତବୁଦ୍ଧି ହୁଅନ୍ତି। 26କେହି ତାହା ଉପରେ ଖଡ୍ଗ ଲଗାଇଲେ, କିଛି ହୁଏ ନାହିଁ; ବର୍ଚ୍ଛା, ଶୂଳ କି ତୀକ୍ଷ୍ଣ ତୀର ବିଫଳ ହୁଏ। 27ସେ ଲୁହାକୁ କୁଟା ପରି ଓ ପିତ୍ତଳକୁ ସଢ଼ା କାଠ କରି ଗଣେ। 28ତୀର ତାହାକୁ ତଡ଼ାଇ ପାରେ ନାହିଁ ଓ ଛାଟିଣୀ ପଥର ତାହା ପ୍ରତି ନଡ଼ା ପରି ହୁଏ। 29ଗଦା ତୃଣ ତୁଲ୍ୟ ଗଣିତ ହୁଏ; ବର୍ଚ୍ଛା ବଳରେ ଆସିବା ବେଳେ ସେ ହସେ। 30ତାହାର ନିମ୍ନଭାଗ ତୀକ୍ଷ୍ଣ ଖପରା ପରି; ସେ କାଦୁଅ ଉପରେ କଣ୍ଟାର ମଇ ଚଳାଏ। 31ସେ ଗଭୀର ଜଳକୁ ହାଣ୍ଡି ଜଳ ପରି ଫୁଟାଏ; ସେ ସମୁଦ୍ରକୁ ଲେପ ପରି କରେ। 32ସେ ଆପଣା ପଛେ ପଛେ ପଥ ଉଜ୍ଜ୍ୱଳ କରେ; କେହି ମନେ କରିପାରେ, ଜଳଧି ପକ୍ୱ କେଶ ହେଲା; 33ପୃଥିବୀରେ ତାହା ପରି ଭୟରହିତ ହୋଇ କେହି ସୃଷ୍ଟ ହୋଇ ନାହିଁ। 34ସେ ସକଳ ଉଚ୍ଚ ବିଷୟ ଦେଖେ, ସେ ଯାବତୀୟ ଗର୍ବର ସନ୍ତାନଗଣ ଉପରେ ରାଜା ଅଟେ।
42ଆୟୁବଙ୍କ ସ୍ୱୀକାରୋକ୍ତି ଏବଂ ଅନୁତାପ
1ଏଥିଉତ୍ତାରେ ଆୟୁବ ସଦାପ୍ରଭୁଙ୍କୁ ଉତ୍ତର ଦେଇ କହିଲା, 2“ହେ ସଦାପ୍ରଭୁ, ମୁଁ ଜାଣେ ଯେ, ତୁମ୍ଭେ ସବୁ କରିପାର ଓ ତୁମ୍ଭର କୌଣସି ସଂକଳ୍ପ ନିବାରଣ କରାଯାଇ ନ ପାରେ। 3ଜ୍ଞାନ ବିନା ମନ୍ତ୍ରଣା ଗୋପନକାରୀ ଏ କିଏ ? ସତ୍ୟ, ମୁଁ ଯାହା ବୁଝିଲି ନାହିଁ, ଯେଉଁ ଅତି ଆଶ୍ଚର୍ଯ୍ୟ କଥା ଜାଣିଲି ନାହିଁ, ତାହା ହିଁ କହିଅଛି। 4ବିନୟ କରୁଅଛି, ଶୁଣ, ମୁଁ କଥା କହିବି; ମୁଁ ତୁମ୍ଭଙ୍କୁ ପ୍ରଶ୍ନ କରିବି, ଆଉ ତୁମ୍ଭେ ମୋତେ ବୁଝାଇ ଦିଅ। 5ମୁଁ କର୍ଣ୍ଣରେ ତୁମ୍ଭ ବିଷୟ ଶୁଣିଥିଲି; ମାତ୍ର ଏବେ ମୋହର ଚକ୍ଷୁ ତୁମ୍ଭଙ୍କୁ ଦେଖୁଅଛି, 6ଏହେତୁ ମୁଁ ଆପଣାକୁ ଘୃଣା କରୁଅଛି, ପୁଣି ଧୂଳି ଓ ଭସ୍ମରେ ବସି ଅନୁତାପ କରୁଅଛି। 7ସଦାପ୍ରଭୁ ଆୟୁବକୁ ଏହିସବୁ କଥା କହିଲା ଉତ୍ତାରେ, ସଦାପ୍ରଭୁ ତୈମନୀୟ ଇଲୀଫସ୍କୁ କହିଲେ, “ତୁମ୍ଭ ପ୍ରତି ଓ ତୁମ୍ଭର ଦୁଇ ମିତ୍ର ପ୍ରତି ଆମ୍ଭର କୋପ ପ୍ରଜ୍ୱଳିତ ହୋଇଅଛି; କାରଣ ତୁମ୍ଭେମାନେ ଆମ୍ଭ ଦାସ ଆୟୁବ ପରି ଆମ୍ଭ ବିଷୟରେ ଯଥାର୍ଥ କଥା କହି ନାହଁ। 8ଏଣୁ ଏବେ ତୁମ୍ଭେମାନେ ଆପଣାମାନଙ୍କ ପାଇଁ ସାତ ବୃଷ ଓ ସାତ ମେଷ ନେଇ ଆମ୍ଭ ଦାସ ଆୟୁବ ନିକଟକୁ ଯାଅ ଓ ଆପଣାମାନଙ୍କ ନିମନ୍ତେ ହୋମବଳି ରୂପେ ତାହା ଉତ୍ସର୍ଗ କର, ତହିଁରେ ଆମ୍ଭ ଦାସ ଆୟୁବ ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରିବ; କାରଣ ଆମ୍ଭେ ତାହାକୁ ଗ୍ରାହ୍ୟ କରି ତୁମ୍ଭମାନଙ୍କ ମୂର୍ଖତା ପ୍ରମାଣେ ତୁମ୍ଭମାନଙ୍କ ପ୍ରତି ବ୍ୟବହାର କରିବା ନାହିଁ; ଯେହେତୁ ତୁମ୍ଭେମାନେ ଆମ୍ଭ ଦାସ ଆୟୁବ ପରି ଆମ୍ଭ ବିଷୟରେ ଯଥାର୍ଥ କଥା କହି ନାହଁ।” 9ତହିଁରେ ତୈମନୀୟ ଇଲୀଫସ୍ ଓ ଶୂହୀୟ ବିଲ୍ଦଦ୍ ଓ ନାମାଥୀୟ ସୋଫର ଯାଇ ସେମାନଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞା ପ୍ରମାଣେ କର୍ମ କଲେ; ପୁଣି, ସଦାପ୍ରଭୁ ଆୟୁବକୁ ଗ୍ରାହ୍ୟ କଲେ।
ଆୟୁବଙ୍କୁ ପରମେଶ୍ୱରଙ୍କ ପୁନଃସ୍ଥାପନ
10ପୁଣି, ଆୟୁବ ଆପଣା ମିତ୍ରମାନଙ୍କ ପାଇଁ ପ୍ରାର୍ଥନା କରନ୍ତେ, ସଦାପ୍ରଭୁ ତାହାର ବନ୍ଦୀ ଅବସ୍ଥା ପରିବର୍ତ୍ତନ କଲେ; ପୁଣି, ସଦାପ୍ରଭୁ ଆୟୁବକୁ ତାହାର ପୂର୍ବ ସମ୍ପଦର ଦ୍ୱିଗୁଣ ପ୍ରଦାନ କଲେ। 11ତହିଁରେ ଆୟୁବର ସମସ୍ତ ଭ୍ରାତା ଓ ସମସ୍ତ ଭଗିନୀ ଓ ତାହାର ପୂର୍ବ ପରିଚିତ ସମସ୍ତେ ତାହା ନିକଟକୁ ଆସି ତାହାର ଗୃହରେ ତାହା ସଙ୍ଗେ ଭୋଜନ କଲେ; ଆଉ, ସଦାପ୍ରଭୁ ତାହା ଉପରେ ଯେସବୁ ବିପଦ ଘଟାଇଥିଲେ, ତହିଁ ସକାଶୁ ସେମାନେ ଦୁଃଖ ପ୍ରକାଶ କରି ତାହାକୁ ସାନ୍ତ୍ୱନା କଲେ; ମଧ୍ୟ ପ୍ରତ୍ୟେକ ଲୋକ ଏକ ଏକ କସୀତା ମୁଦ୍ରା ଓ ପ୍ରତ୍ୟେକେ ଏକ ଏକ ସୁବର୍ଣ୍ଣ ମୁଦ୍ରିକା ଦେଲେ। 12ଏହିରୂପେ ସଦାପ୍ରଭୁ ଆୟୁବର ଆଦ୍ୟ ଅବସ୍ଥା ଅପେକ୍ଷା ଶେଷ ଅବସ୍ଥାକୁ ଅଧିକ ଆଶୀର୍ବାଦଯୁକ୍ତ କଲେ; ତହିଁରେ ତାହାର ଚଉଦ ହଜାର ମେଷ ଓ ଛଅ ହଜାର ଉଷ୍ଟ୍ର ଓ ଏକ ହଜାର ହଳ ବଳଦ ଓ ଏକ ହଜାର ଗର୍ଦ୍ଦଭୀ ହେଲେ। 13ମଧ୍ୟ ତାହାର ସାତ ପୁତ୍ର ଓ ତିନି କନ୍ୟା ଜନ୍ମିଲେ। 14ପୁଣି, ସେ ପ୍ରଥମ କନ୍ୟାର ନାମ ଯିମୀମା ଓ ଦ୍ୱିତୀୟାର ନାମ କତ୍ସୀୟା ଓ ତୃତୀୟାର ନାମ କେରଣ-ହପ୍ପୁକ୍ ଦେଲା। 15ସାରା ଦେଶରେ କୌଣସି ସ୍ତ୍ରୀ ଆୟୁବର କନ୍ୟାମାନଙ୍କ ପରି ରୂପବତୀ ନ ଥିଲେ; ଆଉ, ସେମାନଙ୍କ ପିତା ସେମାନଙ୍କ ଭ୍ରାତୃଗଣ ମଧ୍ୟରେ ସେମାନଙ୍କୁ ଅଧିକାର ଦେଲା। 16ପୁଣି, ଏଥିଉତ୍ତାରେ ଆୟୁବ ଏକ ଶହ ଚାଳିଶ ବର୍ଷ ବଞ୍ଚି ଚାରି ପିଢ଼ି ପର୍ଯ୍ୟନ୍ତ ଆପଣାର ପୁତ୍ରପୌତ୍ରମାନଙ୍କୁ ଦେଖିଲା। 17ଏହିରୂପେ ଆୟୁବ ବୃଦ୍ଧ ଓ ପୂର୍ଣ୍ଣାୟୁ ହୋଇ ପ୍ରାଣତ୍ୟାଗ କଲା।