The Second Epistle of Paul the Apostle to the Timothy
2 Timothy
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦ୍ୱିତୀୟ ପତ୍ର
1ଅଭିବାଦନ
1ପାଉଲ,ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବା ଜୀବନ ସମ୍ବନ୍ଧୀୟ ପ୍ରତିଜ୍ଞା ଅନୁସାରେ ଈଶ୍ୱରଙ୍କ ଇଚ୍ଛା ଦ୍ୱାରା ଖ୍ରୀଷ୍ଟ ଯୀଶୁଙ୍କ ଜଣେ ପ୍ରେରିତ, 2ପ୍ରିୟ ପୁତ୍ର ତୀମଥିଙ୍କ ନିକଟକୁ; ପିତା ଈଶ୍ୱର ଓ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କଠାରୁ ଅନୁଗ୍ରହ, ଦୟା ଓ ଶାନ୍ତି ତୁମ୍ଭ ପ୍ରତି ହେଉ ।
ତୀମଥିଙ୍କୁ ଉତ୍ସାହ ପ୍ରଦାନ
3ପିତୃପୁରୁଷମାନଙ୍କ ମତ ଅନୁସାରେ ଶୁଦ୍ଧ ବିବେକରେ ମୁଁ ଯେଉଁ ଈଶ୍ୱରଙ୍କର ଉପାସନା କରେ, ଦିନରାତି ମୋହର ପ୍ରାର୍ଥନାରେ ସର୍ବଦା ତୁମ୍ଭର ନାମ ସ୍ମରଣ କରି ମୁଁ ତାହାଙ୍କୁ ଧନ୍ୟବାଦ ଦେଇଥାଏ; 4ମୁଁ ଯେପରି ଆନନ୍ଦରେ ପରିପୂର୍ଣ୍ଣ ହୁଏ, ଏଥି- ନିମନ୍ତେ ତୁମ୍ଭର ଲୋତକ ସ୍ମରଣ କରି ତୁମ୍ଭକୁ ଦେଖିବା ପାଇଁ ଏକାନ୍ତ ଇଚ୍ଛା କରୁଅଛି; 5କାରଣ ଯେଉଁ ଅକପଟ ବିଶ୍ୱାସ ତୁମ୍ଭର ଜେଜେମା ଲୋୟି ଓ ତୁମ୍ଭର ମା ଇଉନୀକୀଙ୍କ ଠାରେ ଥିଲା, ପୁଣି, ତୁମ୍ଭଠାରେ ମଧ୍ୟ ଅଛି ବୋଲି ମୋହର ଦୃଢ଼ ବିଶ୍ୱାସ, ତୁମ୍ଭର ସେହି ଅକପଟ ବିଶ୍ୱାସ ବିଷୟରେ ମୁଁ ଖବର ପାଇଅଛି । 6ଏହି କାରଣରୁ ମୁଁ ତୁମ୍ଭକୁ ସ୍ମରଣ କରାଉଅଛି ଯେ, ତୁମ୍ଭଠାରେ ଈଶ୍ୱରଙ୍କ ଯେଉଁ ଅନୁଗ୍ରହ ଦାନ ଅଛି, ତାହା ପୁନର୍ବାର ପ୍ରଜ୍ଜ୍ୱଳିତ କର । 7କାରଣ ଈଶ୍ୱର ଆମ୍ଭମାନଙ୍କୁ ଭୟର ଆତ୍ମା ଦେଇ ନାହାଁନ୍ତି, ମାତ୍ର ଶକ୍ତି, ପ୍ରେମ ଓ ସୁବୁଦ୍ଧିର ଆତ୍ମା ଦେଇଅଛନ୍ତି ।
8ଅତଏବ, ଆମ୍ଭମାନଙ୍କ ପ୍ରଭୁଙ୍କ ବିଷୟରେ ସାକ୍ଷ୍ୟ ଦେବା ପାଇଁ କିଅବା ତାହାଙ୍କ ନିମନ୍ତେ ବନ୍ଦୀ ଯେ ମୁଁ, ମୋ ବିଷୟରେ ଲଜ୍ଜିତ ହୁଅ ନାହିଁ, ବରଂ ଈଶ୍ୱରଙ୍କ ଶକ୍ତି ଅନୁସାରେ ସୁସମାଚାର ନିମନ୍ତେ ମୋ ସହିତ କ୍ଲେଶ ସହ୍ୟ କର; 9ସେ ଆମ୍ଭମାନଙ୍କୁ ପରିତ୍ରାଣ କରିଅଛନ୍ତି ଓ ପବିତ୍ର ଆହ୍ୱାନରେ ଆହ୍ୱାନ କରିଅଛନ୍ତି; ଆମ୍ଭମାନଙ୍କ କର୍ମ ଅନୁସାରେ ସେ ତାହା କରି ନାହାଁନ୍ତି, ମାତ୍ର ତାହାଙ୍କ ନିଜ ଯୋଜନା ଓ ଅନୁଗ୍ରହ ଅନୁସାରେ କରିଅଛନ୍ତି; ସେହି ଅନୁଗ୍ରହ ଜଗତର ସୃଷ୍ଟି ପୂର୍ବେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଆମ୍ଭମାନଙ୍କୁ ଦିଆଯାଇଥିଲା, 10କିନ୍ତୁ ଏବେ ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁଙ୍କର ଆଗମନ ହେବା ଦ୍ୱାରା ପ୍ରକାଶିତ ହୋଇଅଛି; ସେ ମୃତ୍ୟୁକୁ ଲୋପ କରିଅଛନ୍ତି, ପୁଣି, ସୁସମାଚାର ଦ୍ୱାରା ଜୀବନ ଓ ଅମରତାକୁ ଆଲୋକରେ ପ୍ରକାଶ କରିଅଛନ୍ତି; 11ସେହି ସୁସମାଚାରର ମୁଁ ଜଣେ ପ୍ରଚାରକ, ପ୍ରେରିତ ଓ ଶିକ୍ଷକ ସ୍ୱରୂପେ ନିଯୁକ୍ତ ହୋଇଅଛି 12ଏହି କାରଣରୁ ମଧ୍ୟ ମୁଁ ଏହି ସବୁ ଦୁଃଖଭୋଗ କରୁଅଛି; ତଥାପି ମୁଁ ଲଜ୍ଜିତ ନୁହେଁ, କାରଣ ମୁଁ ଯାହାଙ୍କଠାରେ ବିଶ୍ୱାସ କରିଅଛି, ତାହାଙ୍କୁ ଜାଣେ, ପୁଣି, ମୁଁ ତାହାଙ୍କ ହାତରେ ଯାହା ସମର୍ପଣ କରିଅଛି, ତାହା ମହାଦିନ (ବିଚାର ଦିନ) ପର୍ଯ୍ୟନ୍ତ ସୁରକ୍ଷା କରିବାକୁ ସେ ଯେ ସମର୍ଥ ଅଟନ୍ତି, ଏହା ଦୃଢ଼ରୂପେ ବିଶ୍ୱାସ କରୁଅଛି | 13ମୋଠାରୁ ଯେଉଁ ସବୁ ହିତଜନକ ବାକ୍ୟ ଶୁଣିଅଛ, ଖ୍ରୀଷ୍ଟ ଯୀଶୁଙ୍କ ସମ୍ବନ୍ଧୀୟ ବିଶ୍ୱାସ ଓ ପ୍ରେମରେ ତାହା ଆଦର୍ଶରୂପେ ଧରି ରଖ । 14ତୁମ୍ଭ ହସ୍ତରେ ସମର୍ପିତ ଯେଉଁ ଉତ୍ତମ ବିଷୟ, ତାହା ଆମ୍ଭମାନଙ୍କଠାରେ ବାସ କରୁଥିବା ପବିତ୍ର ଆତ୍ମାଙ୍କ ଦ୍ୱାରା ସୁରକ୍ଷା କର, 15ଆସିଆର ସମସ୍ତ ଲୋକ ଯେ ମୋ ପ୍ରତି ବିମୁଖ ହୋଇଅଛନ୍ତି, ଏହା ତୁମ୍ଭେ ଜାଣ; ଫୁଗେଲ ଓ ହର୍ମଗେନା ସେମାନଙ୍କ ମଧ୍ୟରେ ଅନ୍ତର୍ଗତ । 16ଅନୀସିଫରଙ୍କ ପରିବାରକୁ ପ୍ରଭୁ ଦୟା କରନ୍ତୁ, କାରଣ ସେ ବାରମ୍ବାର ମୋତେ ସାନ୍ତ୍ୱନା କରିଅଛନ୍ତି, ପୁଣି, ମୋର ବନ୍ଦୀ ଅବସ୍ଥା ପାଇଁ ଲଜ୍ଜିତ ହୋଇ ନାହାଁନ୍ତି, 17ବରଂ ସେ ରୋମରେ ଥିବା ସମୟରେ ମୋତେ ଯତ୍ନ ସହକାରେ ଅନ୍ୱେଷଣ କରି ମୋ ସହିତ ସାକ୍ଷାତ କଲେ, 18(ମହାଦିନରେ ସେ ଯେପରି ପ୍ରଭୁଙ୍କଠାରୁ ଦୟା ପ୍ରାପ୍ତ ହୁଅନ୍ତି, ଏହା ପ୍ରଭୁ ତାହାଙ୍କ ପ୍ରତି ଅନୁଗ୍ରହ କରନ୍ତୁ), ଆଉ ଏଫିସରେ ସେ କିପରି ଅନେକ ସେବା କରିଅଛନ୍ତି, ତାହା ତୁମ୍ଭେ ଉତ୍ତମ ରୂପେ ଜାଣିଅଛ ।
2ଖ୍ରୀଷ୍ଟ ଯୀଶୁଙ୍କ ଉତ୍ତମ ଯୋଦ୍ଧା
1ଅତଏବ, ହେ ମୋହର ପୁତ୍ର, ଖ୍ରୀଷ୍ଟ ଯୀଶୁଙ୍କ ପ୍ରଦତ୍ତ ଅନୁଗ୍ରହରେ ବଳବାନ ହୁଅ, 2ଆଉ ଅନେକ ସାକ୍ଷୀଙ୍କ ସାକ୍ଷାତରେ ଯେଉଁ ସବୁ ବାକ୍ୟ ମୋଠାରୁ ଶୁଣିଅଛ, ଯେଉଁମାନେ ଅନ୍ୟମାନଙ୍କୁ ମଧ୍ୟ ଶିକ୍ଷା ଦେବାକୁ ସମର୍ଥ, ଏପରି ବିଶ୍ୱସ୍ତ ଲୋକମାନଙ୍କ ନିକଟରେ ସେହି ସବୁ ଅର୍ପଣ କର । 3ଖ୍ରୀଷ୍ଟ ଯୀଶୁଙ୍କର ଜଣେ ଉତ୍ତମ ଯୋଦ୍ଧା ପରି ମୋ ସହିତ କ୍ଲେଶ ସହ୍ୟ କର । 4କୌଣସି ଲୋକ ସୖେନ୍ୟକାର୍ଯ୍ୟ କରି ସଂସାରର ଅନ୍ୟ କାର୍ଯ୍ୟରେ ନିଜକୁ ଆବଦ୍ଧ କରେ ନାହିଁ, ଯେପରି ସୖେନ୍ୟପଦରେ ନିଯୋଗକର୍ତ୍ତାଙ୍କୁ ସେ ସନ୍ତୁଷ୍ଟ କରି ପାରେ | 5ଆହୁରି ମଧ୍ୟ ଯଦି ଜଣେ ଲୋକ ଖେଳରେ ଭାଗ ନିଏ, ସେ ନିୟମ ଅନୁସାରେ ତାହା ନ କଲେ ମୁକୁଟ ପାଏ ନାହିଁ । 6ଯେଉଁ କୃଷକ ପରିଶ୍ରମ କରେ, ସେ ପ୍ରଥମେ ଫଳର ଅଂଶ ପାଇବା ଉଚିତ୍ । 7ମୁଁ ଯାହା କହୁଅଛି, ତାହା ଚିନ୍ତା କର; ପ୍ରଭୁ ସମସ୍ତ ବିଷୟରେ ତୁମ୍ଭକୁ ବୁଦ୍ଧି ଦେବେ । 8ମୋ ଦ୍ୱାରା ପ୍ରଚାରିତ ସୁସମାଚାର ଅନୁସାରେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ଓ ଦାଉଦଙ୍କର ବଂଶଜାତ ଯୀଶୁ ଖ୍ରୀଷ୍ଟଙ୍କୁ ସ୍ମରଣ କର | 9ସେହି ସୁସମାଚାର ନିମନ୍ତେ ମୁଁ ଅପରାଧୀ ପରି ବନ୍ଧାଯିବା ପର୍ଯ୍ୟନ୍ତ କ୍ଲେଶ ଭୋଗ କରୁଅଛି; କିନ୍ତୁ ଈଶ୍ୱରଙ୍କ ବାକ୍ୟ ଆବଦ୍ଧ ନୁହେଁ । 10ଅତଏବ, ମନୋନୀତ ଲୋକମାନେ ମଧ୍ୟ ଯେପରି ଅନନ୍ତ ଗୌରବ ସହିତ ଖ୍ରୀଷ୍ଟ ଯୀଶୁଙ୍କ ଦତ୍ତ ପରିତ୍ରାଣ ପାଆନ୍ତି, ଏଥିପାଇଁ ମୁଁ ସେମାନଙ୍କ ନିମନ୍ତେ ସମସ୍ତ ବିଷୟ ଧୖେର୍ଯ୍ୟ ଧରି ସହ୍ୟ କରୁଅଛି । 11ଏହି ବାକ୍ୟ ବିଶ୍ୱାସଯୋଗ୍ୟ, ଯଦି ତାହାଙ୍କ ସହିତ ମରିଅଛୁ, ତେବେ ତାହାଙ୍କ ସହିତ ମଧ୍ୟ ବଞ୍ଚିବା; 12ଯଦି ଆମ୍ଭେମାନେ ଧୖେର୍ଯ୍ୟ ଧରି ସହ୍ୟ କରୁ, ତେବେ ତାହାଙ୍କ ସହିତ ମଧ୍ୟ ଶାସନ କରିବ; ଯଦି ଆମ୍ଭେମାନେ ତାହାଙ୍କୁ ଅସ୍ୱୀକାର କରୁ, ତେବେ ସେ ମଧ୍ୟ ଆମ୍ଭମାନଙ୍କୁ ଅସ୍ୱୀକାର କରିବେ; 13ଯେବେ ଆମ୍ଭେମାନେ, ଅବିଶ୍ୱସ୍ତ ହେଉ, ତେବେ ସୁଦ୍ଧା ସେ (ଯୀଶୁ) ସର୍ବଦା ବିଶ୍ୱସ୍ତ, କାରଣ ସେ ଆପଣାକୁ ଅସ୍ୱୀକାର କରି ପାରନ୍ତି ନାହିଁ ।
ଏକ ପରୀକ୍ଷାସିଦ୍ଧ କାର୍ଯ୍ୟକାରୀ
14ଏହି ସମସ୍ତ କଥା ସ୍ମରଣ କରାଇ ଶ୍ରୋତାମାନଙ୍କର ଅହିତକର ଓ ବିନାଶଜନକ ବାଦାନୁବାଦ ନ କରିବାକୁ ସେମାନଙ୍କୁ ପ୍ରଭୁଙ୍କ ସାକ୍ଷାତରେ ଦୃଢ଼ରୂପେ ଆଦେଶ ଦିଅ । 15ସତ୍ୟ ବାକ୍ୟ ଯଥାର୍ଥରୂପେ ବ୍ୟବହାର କରି, ଯେଉଁ କାର୍ଯ୍ୟକାରୀର ଲଜ୍ଜା ବୋଧ କରିବା ଆବଶ୍ୟକ ନୁହେଁ, ତାହାର ପରି ଈଶ୍ୱରଙ୍କ ନିକଟରେ ଆପଣାକୁ ପରୀକ୍ଷାସିଦ୍ଧ ଦେଖାଇବାକୁ ଯତ୍ନ କର । 16କିନ୍ତୁ ଅସାର କଥାବାର୍ତ୍ତାରୁ ଦୂରରେ ରୁହ; କାରଣ ଯେଉଁମାନେ ସେଥିରେ ଲିପ୍ତ ହେବେ, ସେମାନେ ଅଧର୍ମରେ ଅଧିକ ବୃଦ୍ଧି ପାଇବେ, 17ଆଉ ସେମାନଙ୍କର କଥା ପଚା ଘା ପରି ଖାଇଯିବ; ସେମାନଙ୍କ ମଧ୍ୟରେ ହୁମନାୟ ଓ ଫିଲୀତ ଅନ୍ୟତମ; 18ସେମାନେ ପୁନରୁତ୍ଥାନ ହୋଇଗଲାଣି ବୋଲି କହି ସତ୍ୟଭ୍ରଷ୍ଟ ହୋଇଅଛନ୍ତି, ପୁଣି, କେତେକଙ୍କର ବିଶ୍ୱାସ ଓଲଟାଇ ପକାଉଅଛନ୍ତି । 19ତଥାପି ଈଶ୍ୱରଙ୍କ ସ୍ଥାପିତ ସୁଦୃଢ଼ ଭିତ୍ତିମୂଳ ଅଟଳ ରହିଅଛି, ଆଉ ତହିଁ ଉପରେ ଏହା ମୁଦ୍ରାଙ୍କିତ ହୋଇଅଛି, ପ୍ରଭୁ ଆପଣା ଲୋକମାନଙ୍କୁ ଜାଣନ୍ତି, ଆଉ, ଯେ କେହି ପ୍ରଭୁଙ୍କର ନାମ ଧରେ, ସେ ଅଧର୍ମରୁ ଦୂରରେ ରହୁ । 20ଗୋଟିଏ ବଡ଼ ଘରେ (ଧନୀ) ଯେ କେବଳ ସୁନା ଓ ରୂପାର ପାତ୍ର ଥାଏ, ତାହା ନୁହେଁ, ମାତ୍ର କାଠ ଓ ମାଟିର ପାତ୍ର ମଧ୍ୟ ଥାଏ; କେତେକ ସମାଦର ଓ କେତେକ ଅନାଦର ନିମନ୍ତେ ଥାଏ । 21ଅତଏବ, ଯଦି କେହି ସେହି ସମସ୍ତଙ୍କଠାରୁ ନିଜକୁ ପରିଷ୍କାର କରେ, ତାହାହେଲେ ସେ ପବିତ୍ରୀକୃତ, କର୍ତ୍ତାଙ୍କ ବ୍ୟବହାର ପାଇଁ ଉପଯୁକ୍ତ, ପୁଣି, ସମସ୍ତ ଉତ୍ତମ କାର୍ଯ୍ୟ ନିମନ୍ତେ ପ୍ରସ୍ତୁତ, ଏପରି ଏକ ସମାଦରର ପାତ୍ର ହେବ । 22କିନ୍ତୁ ତୁମ୍ଭେ ଯୌବନ କାଳର ଅଭିଳାଷରୁ ପଳାୟନ କରି, ଯେଉଁମାନେ ଶୁଚି ହୃଦୟରେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତି, ସେମାନଙ୍କ ସହିତ ଧାର୍ମିକତା, ବିଶ୍ୱାସ, ପ୍ରେମ ଓ ଶାନ୍ତିର ଅନୁଗାମୀ ହୁଅ । 23ଅଜ୍ଞାନୀ ଓ ମୁର୍ଖ ମାନଙ୍କର ଯୁକ୍ତିତର୍କ ଯେ ବିରୋଧ ଜନ୍ମାଏ, ଏହା ଜାଣି ସେହି ସବୁ ଅଗ୍ରାହ୍ୟ କର । 24ପ୍ରଭୁଙ୍କର ଦାସ ବିରୋଧ କରିବା ଉଚିତ୍ ନୁହେଁ, ମାତ୍ର ସମସ୍ତଙ୍କ ପ୍ରତି କୋମଳ, ଶିକ୍ଷା ଦେବାରେ ନିପୁଣ ଓ ସହିଷ୍ଣୁ ହେବା ଏବଂ ବିରୋଧ କରୁଥିବା ଲୋକମାନଙ୍କୁ ମୃଦୁ ଭାବରେ ଉପଦେଶ ଦେବା ଉଚିତ୍; 25ତାହାହେଲେ କେଜାଣି ଈଶ୍ୱର ସେମାନଙ୍କୁ ସତ୍ୟ ସମ୍ବନ୍ଧରେ ଜ୍ଞାନ ପାଇବା ପାଇଁ ମନପରିବର୍ତ୍ତନରୂପ ବର ଦେବେ, 26ଆଉ, ଯେଉଁ ଶୟତାନ ସେମାନଙ୍କୁ ତାହାର ଇଚ୍ଛା ସାଧନ କରିବା ନିମନ୍ତେ ବନ୍ଦୀ କରିଅଛି, ସଚେତନ ହୋଇ ତାହାର ଫାନ୍ଦରୁ ମୁକ୍ତ ହେବେ ।
3ଶେଷକାଳର ଅଧାର୍ମିକତା
1କିନ୍ତୁ ଏହା ଜାଣିଥାଅ ଯେ, ଶେଷକାଳରେ ଭୀଷଣ ସମୟ ଉପସ୍ଥିତ ହେବ; 2କାରଣ ଲୋକମାନେ ଆତ୍ମପ୍ରିୟ, ଧନଲୋଭୀ, ଆତ୍ମଗର୍ବୀ, ଅହଂକାରୀ, ନିନ୍ଦକ, ପିତାମାତାଙ୍କର ଅବାଧ୍ୟ, 3ଅକୃତଜ୍ଞ, ଅପବିତ୍ର, ସ୍ନେହଶୂନ୍ୟ, ଅମିଳନପ୍ରିୟ, ଅପବାଦକ, ଅଜିତେନ୍ଦ୍ରିୟ, ପ୍ରଚଣ୍ଡ, ଉତ୍ତମ ବିଷୟର ଘୃଣାକାରୀ, 4ବିଶ୍ୱାସଘାତକ, ଦୁଃସାହସୀ, ଦାମ୍ଭିକ ହେବେ ଓ ଈଶ୍ୱରପ୍ରିୟ ନ ହୋଇ ବରଂ ବିଳାସପ୍ରିୟ ହେବେ; 5ସେମାନେ ଭକ୍ତିର ବେଶ ଧରନ୍ତି, କିନ୍ତୁ ସେଥିର ଶକ୍ତିକୁ ଅସ୍ୱୀକାର କରନ୍ତି; ଏପରି ଲୋକମାନଙ୍କଠାରୁ ଅନ୍ତର ହୁଅ । 6କାରଣ ଏମାନଙ୍କ ମଧ୍ୟରେ ଏପରିଲୋକ ଅଛନ୍ତି, ଯେଉଁମାନେ ଘରେ ଘରେ ପଶି ପାପରେ ଭାରାକ୍ରାନ୍ତ ଓ ବିଭିନ୍ନ କୁଅଭିଳାଷରେ ଚାଳିତ ନିର୍ବୋଧ ସ୍ତ୍ରୀମାନଙ୍କୁ ଆପଣାର ବଶବର୍ତ୍ତୀ କରନ୍ତି; 7ଏହି ସ୍ତ୍ରୀଲୋକମାନେ ସର୍ବଦା ଶିକ୍ଷା କରୁଥିଲେ ମଧ୍ୟ ସତ୍ୟ ଜାଣିବା ପାଇଁ କଦାପି ସମର୍ଥ ହୁଅନ୍ତି ନାହିଁ । 8ଆଉ ଯେପରି ଯନ୍ନିସ୍ ଓ ଯମ୍ବ୍ରୀସ୍ ମୋଶାଙ୍କର ପ୍ରତିରୋଧ କରିଥିଲେ, ସେହିପରି ଏହି ପୁରୁଷମାନେ ମଧ୍ୟ ସତ୍ୟର ପ୍ରତିରୋଧ କରନ୍ତି, ଏମାନେ ମନରେ ଭ୍ରଷ୍ଟ ହୋଇ ବିଶ୍ୱାସ ସମ୍ବନ୍ଧରେ ପ୍ରମାଣସିଦ୍ଧ ନୁହଁନ୍ତି । 9କିନ୍ତୁ ସେମାନେ ଆଉ ଅଧିକ ଆଗକୁ ଯିବେ ନାହିଁ; କାରଣ ସେହି ଦୁଇ (ଯନ୍ନିସ୍ ଓ ଯମ୍ବ୍ରୀସ୍ ) ଜଣଙ୍କର ମୁର୍ଖତା ଯେପରି ପ୍ରକାଶ ପାଇଥିଲା, ସେହିପରି ଏମାନଙ୍କର ମଧ୍ୟ ସମସ୍ତଙ୍କ ନିକଟରେ ଜଣାପଡ଼ିବ ।
ସମସ୍ତ ଶାସ୍ତ୍ର ଈଶ୍ୱର ନିଶ୍ୱସିତ
10କିନ୍ତୁ ତୁମ୍ଭେ ମୋହର ଶିକ୍ଷା, ଆଚାର ବ୍ୟବହାର, ସଙ୍କଳ୍ପ, ବିଶ୍ୱାସ, ସହିଷ୍ଣୁତା, ପ୍ରେମ, ଧୖୖେର୍ଯ୍ୟ, ତାଡ଼ନା ଓ ଦୁଃଖଭୋଗର ଅନୁଗାମୀ ହୋଇଅଛ । 11ଆନ୍ତିୟଖିଆ, ଇକନୀୟ ଓ ଲୁସ୍ତ୍ରାରେ ମୋ ପ୍ରତି ସେହିପରି ତାଡ଼ନା ଘଟିଥିଲା; ମୁଁ ତାହା ସହ୍ୟ କରିଥିଲି, ଆଉ ପ୍ରଭୁ ମୋତେ ସେସବୁରୁ ଉଦ୍ଧାର କରିଥିଲେ । 12ପ୍ରକୃତରେ ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଧର୍ମଜୀବନ ଯାପନ କରିବାକୁ ଇଚ୍ଛା କରନ୍ତି, ସେମାନେ ତାଡ଼ନା ଭୋଗ କରିବେ | 13କିନ୍ତୁ ଦୁଷ୍ଟ ଲୋକେ ଓ ଠକ ଲୋକମାନେ ଭ୍ରାନ୍ତି ଜନ୍ମାଇ ଓ ଭ୍ରାନ୍ତ ହୋଇ ଅଧିକରୁ ଅଧିକ ଦୁଷ୍ଟ ହୋଇ ଉଠିବେ । 14କିନ୍ତୁ ତୁମ୍ଭେ ଯାହା ଯାହା ଶିକ୍ଷା କରିଅଛ ଆଉ ଯେ ସମସ୍ତ ବିଷୟରେ ନିଶ୍ଚିତ ବିଶ୍ୱାସ କରିଅଛ, ସେସବୁରେ ସ୍ଥିର ହୋଇ ରହିଥାଅ, କାରଣ ତୁମ୍ଭେ ଜାଣୁଅଛ, କେଉଁମାନଙ୍କଠାରୁ ସେହି ସବୁ ଶିକ୍ଷା କରିଅଛ; 15ପୁଣି, ଯେଉଁ ଧର୍ମଶାସ୍ତ୍ର ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ ଦ୍ୱାରା ତୁମ୍ଭକୁ ପରିତ୍ରାଣଜନକ ଜ୍ଞାନ ଦେବାକୁ ସମର୍ଥ, ତାହା ତୁମ୍ଭେ ବାଲ୍ୟ କାଳଠାରୁ ଜାଣିଅଛ । 16ସମସ୍ତ ଶାସ୍ତ୍ର ଈଶ୍ୱରଙ୍କ ପ୍ରେରଣାରେ ଲିଖିତ ଏବଂ ଶିକ୍ଷା, ଅନୁଯୋଗ, ସଂଶୋଧନ ଓ ଧାର୍ମିକତା ସମ୍ବନ୍ଧୀୟ ଶାସନ ନିମନ୍ତେ ଉପକାରୀ, 17ଯେପରି ଈଶ୍ୱରଙ୍କ ଲୋକ ସିଦ୍ଧ ହୋଇ ସମସ୍ତ ଉତ୍ତମ କାର୍ଯ୍ୟ ନିମନ୍ତେ ସୁସଜ୍ଜିତ ହୁଏ ।
4ବାକ୍ୟ ପ୍ରଚାରରେ ଉଦ୍ଯୋଗ
1ମୁଁ ଈଶ୍ୱରଙ୍କ ସାକ୍ଷାତରେ, ଆଉ ଯେଉଁ ଖ୍ରୀଷ୍ଟ ଜୀବିତ ଓ ମୃତ ଉଭୟଙ୍କର ବିଚାର କରିବାକୁ ଯାଉଅଛନ୍ତି, ତାହାଙ୍କ ପୁନରାଗମନ ଓ ରାଜ୍ୟର ଶପଥ ଦେଇ ତୁମ୍ଭକୁ ଦୃଢ଼ ଆଦେଶ ଦେଉଅଛି, 2ବାକ୍ୟ ପ୍ରଚାର କର, ସମୟରେ କି ଅସମୟରେ ସେଥିରେ ଉଦ୍ଯୋଗୀ ହୁଅ, ପୂର୍ଣ୍ଣ ସହିଷ୍ଣୁତା ସହ ଶିକ୍ଷା ଦେଇ ଅନୁଯୋଗ କର, ପୁଣି, ଧମକ ଓ ଉତ୍ସାହଦାନ କର । 3କାରଣ ସମୟ ଆସିବ, ଯେତେବେଳେ ସେମାନେ ହିତଜନକ (ସତ୍ୟ) ଶିକ୍ଷା ସହି ପାରିବେ ନାହିଁ, ମାତ୍ର ଶ୍ରୁତିମଧୁର କଥାରେ ସନ୍ତୁଷ୍ଟ ହୋଇ ନିଜର ଅଭିଳାଷ ଅନୁସାରେ ନିଜ ନିଜ ନିମନ୍ତେ ଅନେକ ଶିକ୍ଷକଙ୍କୁ ସଂଗ୍ରହ କରିବେ, 4ପୁଣି, ସତ୍ୟ ବାକ୍ୟରେ କର୍ଣ୍ଣ ନ ଦେଇ କଳ୍ପିତ କାହାଣୀ ପ୍ରତି ମନ ଦେବେ । 5କିନ୍ତୁ ତୁମ୍ଭେ ସମସ୍ତ ବିଷୟରେ ସଚେତନ ହୁଅ, କ୍ଲେଶ ସହ୍ୟ କର, ସୁସମାଚାର ପ୍ରଚାର କର କାର୍ଯ୍ୟ ସାଧନ କର, ତୁମ୍ଭ ସେବାର କାର୍ଯ୍ୟ ସଫଳ କର | 6କାରଣ ଏବେ ହେଁ ମୋହର ପ୍ରାଣ ଆହୂତି ପରି ଢଳା ଯାଉଅଛି, ମୋହର ମହାପ୍ରୟାଣର ସମୟ ଉପସ୍ଥିତ । 7ମୁଁ ଉତ୍ତମ ଯୁଦ୍ଧରେ ପ୍ରାଣପଣ କରିଅଛି, ନିରୂପିତ ପଥର ଶେଷ ପର୍ଯ୍ୟନ୍ତ ଦୌଡ଼ିଅଛି, ମୁଁ ବିଶ୍ୱାସ ରକ୍ଷା କରିଅଛି; 8ବର୍ତ୍ତମାନ ମୋ ନିମନ୍ତେ ଧାର୍ମିକତାର ମୁକୁଟ ରଖାଯାଇଅଛି, ତାହା ସେହି ମହାଦିନରେ ନ୍ୟାୟବାନ୍ ବିଚାରକର୍ତ୍ତା ପ୍ରଭୁ ମୋତେ ଦେବେ, ପୁଣି, କେବଳ ମୋତେ ନୁହେଁ, ମାତ୍ର ଯେତେ ଲୋକ ତାହାଙ୍କ ଆଗମନକୁ ଆଗ୍ରହରେ ଅପେକ୍ଷା କରନ୍ତି, ସେ ସମସ୍ତଙ୍କୁ ଦେବେ ।
ବ୍ୟକ୍ତିଗତ ନିର୍ଦ୍ଦେଶ
9ଶୀଘ୍ର ମୋ ନିକଟକୁ ଆସିବାକୁ ଚେଷ୍ଟା କର; 10କାରଣ ଦୀମା ଏହି ବର୍ତ୍ତମାନ ସଂସାରକୁ ପ୍ରେମ କରି ମୋତେ ପରିତ୍ୟାଗ କରିଅଛି ଓ ଥେସଲନୀକୀକୁ ଯାଇଅଛି କ୍ରେସ୍କେନସ୍ ଗାଲାତିଆକୁ ଓ ତୀତସ୍ ଦଲ୍ମତିଆକୁ ଯାଇଅଛନ୍ତି । 11କେବଳ ଲୂକ ମୋ ସହିତ ଅଛନ୍ତି ।ମାର୍କଙ୍କୁ ତୁମ୍ଭ ସଙ୍ଗରେ ନେଇଆସ, କାରଣ ମୋହର ସେବା ନିମନ୍ତେ ସେ ଉପକାରୀ । 12ତୁଖିକଙ୍କୁ ମୁଁ ଏଫିସକୁ ପଠାଇଅଛି | 13ତ୍ରୋୟାରେ କାର୍ପଙ୍କ ପାଖରେ ମୁଁ ଯେଉଁ ଉତ୍ତରୀୟ ବସ୍ତ୍ର ଛାଡ଼ି ଆସିଅଛି, ତୁମ୍ଭେ ଆସିବା ସମୟରେ ତାହା ଏବଂ ପୁସ୍ତକ ଗୁଡ଼ିକ, ବିଶେଷତଃ ଚର୍ମ ପୁସ୍ତକଗୁଡ଼ିକ ଆଣିବ । 14କଂସାରି ଆଲେକ୍ଜାଣ୍ଡର ମୋହର ବହୁତ ଅନିଷ୍ଟ କରିଅଛି; ପ୍ରଭୁ ତାହାର କର୍ମ ଅନୁସାରେ ତାହାଙ୍କୁ ପ୍ରତିଫଳ ଦେବେ; 15ତୁମ୍ଭେ ମଧ୍ୟ ତାହାଠାରୁ ସାବଧାନ ଥାଅ, କାରଣ ସେ ଆମ୍ଭମାନଙ୍କ ବାକ୍ୟର ଘୋର ପ୍ରତିରୋଧ କରିଥିଲା । 16ମୋହର ବିଚାରର ପ୍ରଥମ ଶୁଣାଣି ବେଳେ କେହି ମୋହର ସପକ୍ଷ ହେଲେ ନାହିଁ, ମାତ୍ର ସମସ୍ତେ ମୋତେ ପରିତ୍ୟାଗ କଲେ; ଏହା ସେମାନଙ୍କ ବିରୁଦ୍ଧରେ ଗଣିତ ନ ହେଉ । 17କିନ୍ତୁ ପ୍ରଭୁ ମୋହର ସପକ୍ଷ ହୋଇ ମୋତେ ବଳବାନ୍ କଲେ, ପୁଣି, ମୁଁ ସିଂହ ମୁଖରୁ ରକ୍ଷା ପାଇଲି, ଯେପରି ମୋ ଦ୍ୱାରା ସୁସମାଚାର ସମ୍ପୂର୍ଣ୍ଣ ରୂପେ ପ୍ରଚାରିତ ହୋଇ ପାରେ ଓ ଅଣଯିହୂଦୀ ସମସ୍ତେ ତାହା ଶୁଣି ପାରନ୍ତି; 18ପ୍ରଭୁ ମୋତେ ସମସ୍ତ ମନ୍ଦ କର୍ମରୁ ଉଦ୍ଧାର କରିବେ ଏବଂ ମୋତେ ରକ୍ଷା କରି ଆପଣା ସ୍ୱର୍ଗୀୟ ରାଜ୍ୟରେ ପ୍ରବେଶ କରାଇବେ; ଯୁଗେ ଯୁଗେ ତାହାଙ୍କର ମହିମା ହେଉ, ଆମେନ୍ ।
ଶେଷ ଶୁଭେଚ୍ଛା
19ପ୍ରିସ୍କା ଓ ଆକ୍ୱିଲା ପୁଣି, ଅନୀସିଫରଙ୍କ ପରିବାରକୁ ମୋହର ନମସ୍କାର ଜଣାଅ । 20ଏରାଷ୍ଟ କରିନ୍ଥରେ ରହିଅଛନ୍ତି, କିନ୍ତୁ ତ୍ରଫିମ୍ ପୀଡ଼ିତ ହେବାରୁ ମୁଁ ତାହାଙ୍କୁ ମୀଲୀତରେ ଛାଡ଼ିଦେଇ ଆସିଅଛି । 21ତୁମ୍ଭେ ଶୀତକାଳ ପୂର୍ବରୁ ଆସିବାକୁ ଚେଷ୍ଟା କର । ଇଉବୁଲ୍, ପୁଦେନସ୍, ଲିନ କ୍ଲୌଦିୟା ଓ ଭାଇମାନେ ସମସ୍ତେ ତୁମ୍ଭକୁ ନମସ୍କାର ଜଣାଉଅଛନ୍ତି । 22ପ୍ରଭୁ ତୁମ୍ଭ ଆତ୍ମାର ସହବର୍ତ୍ତୀ ହେଉନ୍ତୁ । ତୁମ୍ଭମାନଙ୍କ ପ୍ରତି ଅନୁଗ୍ରହ ବର୍ତ୍ତୁ ।